କିଏ ଜାରି କରିଥିଲା ପୁଚ୍ଛ ଆତଙ୍କବାଦୀ ଆକ୍ରମଣର ସନ୍ଧିଗ୍ଧଙ୍କ ପୋଷ୍ଟର ?

ଶ୍ରୀନଗର : ଜମ୍ମୁ କାଶ୍ମୀରର ପୁଚ୍ଛ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଜୋରସୋରରେ ଚାଲିଛି ସର୍ଚ୍ଚ ଅପରେସନ । ବାୟୁସେନାର  ଗାଡିକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବହୁ ତଦନ୍ତ ପରେ ମଧ୍ୟ ସୁରକ୍ଷାବାହିନୀଙ୍କୁ କୌଣସି ସଫଳତା ମିଳିପାରିନାହିଁ । ଏଥିପାଇଁ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ବ୍ୟାପକ ତନାଘନା ଏବେ ବି ଜାରି ରହିଛି । ସୁରନକୋଟ୍ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏହି ଆକ୍ରମଣରେ ସାମିଲ ୨ ସନ୍ଧିଗ୍ଧଙ୍କ ପୋଷ୍ଟର ମିଳିଥିଲା  ଏବଂ ଏଥିପାଇଁ ୨୦ ଲକ୍ଷ ପୁରସ୍କାର ରାଶି ମଧ୍ୟ ରଖାଯାଇଥିଲା ।

କିନ୍ତୁ ପୋଲିସ ଏବଂ ସେନା ଏହି ପୋଷ୍ଟର ଲଗାଇବା ପାଇଁ ମନା କରିଦେଇଥିଲା  । ହେଲେ ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ଅନୁଯାୟୀ, ସେନାର ଏକ ୟୁନିଟ୍ ପ୍ରଥମେ ଏହି ପୋଷ୍ଟର ଲଗାଇବା ପାଇଁ  ନିଷ୍ପତ୍ତି ନେଇ ଥିଲେ  । କିନ୍ତୁ ପରେ ବରିଷ୍ଠ ଅଧିକାରୀ ମନା କରିବା ପରେ ଏହାକୁ ହଟାଇ ଦେଇଥିଲେ  । ହେଲେ ଏହି ୨ ସନ୍ଧିଗ୍ଧଙ୍କ ପୋଷ୍ଟର କିଏ ଜାରି କରିଥିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।

ଏହି ଆକ୍ରମଣ ସମ୍ବନ୍ଧରେ ପଚରାଉଚରା ପାଇଁ ପାଖାପାଖି ୨୦ରୁ ଅଧିକ ଲୋକଙ୍କୁ ହେପାଜତରେ ନିଆଯାଇଛି । ସୁରକ୍ଷା ବାହିନୀ ଏବେ ସେହି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଦିନ ରାତି ଏକାଠି କରିଦେଇଛନ୍ତି । ଶନିବାର ସନ୍ଧ୍ୟାରେ ସୁରନକୋଟ ଅଞ୍ଚଳର ଶାହସିତାର ନିଟକରେ ସେନା ଉପରେ ଆକ୍ରମଣ କରି ନିକଟ ଜଙ୍ଗଲରେ ଫେରାର ହୋଇଯାଇଥିଲେ । ଏହି ଆକ୍ରମଣରେ ବାୟୁସେନାର ୫ଜଣ ସେନା ଗୁରୁତର ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ହିଁ ପ୍ରାଣ ହରାଇଥିଲେ  ।