ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ

ନନ୍ଦିଘୋଷ ବ୍ୟୁରୋ: ଗୋପାଳପୁର ନିର୍ବାଚନମଣ୍ଡଳୀରେ ପାଣ୍ଡିଆନ ଶୋ। ଛକଛକରେ ଜନସମୁଦ୍ର, ଲୋକାରଣ୍ଯ ରାଜପଥ । ଗୋପାଳପୁରରୁ ଲାଞ୍ଜିପଲ୍ଲୀ. ଲାଞ୍ଜିପଲ୍ଲୀରୁ ଲୋଚାପଡ଼ା। ବିଜେଡିର ଷ୍ଟାର କ୍ଯାମ୍ପେନର କାର୍ତ୍ତିକ ପାଣ୍ଡିଆନଙ୍କୁ ସବୁଠି ଉଚ୍ଛ୍ବସିତ ସମ୍ବର୍ଦ୍ଧନା, ଉଲ୍ଲସିତ ସ୍ବାଗତ। ହଜାର ହଜାର ଲୋକଙ୍କ ଗହଣରେ ବିଶାଳ ରୋଡ୍ ଶୋ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପ୍ରଥମେ ଗୋପାଳପୁରରୁ ରୋଡ୍ ଶୋ ଆରମ୍ଭ କରିଥିଲେ ପାଣ୍ଡିଆନ। ରାଲିରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ରାଜ୍ଯସଭା ସାଂସଦ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜଙ୍କ ସମେତ ବିଜେଡିର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ।

ପର୍ଯ୍ୟାୟ କ୍ରମେ ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ବି ପାଣ୍ଡିଆନଙ୍କ ରୋଡ୍ ଶୋକୁ ଅଦ୍ଭୁତପୂର୍ବ ସ୍ନେହ ଓ ସମର୍ଥନ ମିଳିଥିଲା। ଲମ୍ବା ରାସ୍ତାରେ ବିଜେଡି ପ୍ରତି ଦେଖିବାକୁ ମିଳିଥିଲା ଲୋକଙ୍କ ଭଲପାଇବା ଓ ସମର୍ଥନର ଅଦ୍ଭୁତପୂର୍ବ ଭିଡ଼ । ବିଶାଳ ରୋଡ ଶୋରେ ଜନତାଙ୍କୁ ଉଦବୋଧନ ଦେବା ସହ ଲୋକଙ୍କଠାରୁ ସମ୍ବର୍ଦ୍ଧନା ବି ପାଇଥିଲେ ପାଣ୍ଡିଆନ। ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ପାଛୋଟି ନେବା ସହ ନିଜ ନିଜର ଭଲପାଇବା ଓ ଭରସାକୁ ପ୍ରତିପାଦିତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଯୁବକ, ଛାତ୍ର, ମହିଳା ଏକାଠି ହୋଇ ପାଣ୍ଡିଆନଙ୍କୁ ସ୍ବାଗତ  କରିଥିଲେ। ପାଣ୍ଡିଆନଙ୍କ ଉପରକୁ କିଏ ଫୁଲ ସ୍ବାଗତ କରୁଥିଲା ତ ଆଉ କିଏ ସେଲଫି ଟିଏ ନେବାକୁ ଅପେକ୍ଷା କରିଥିଲା।

ପାଣ୍ଡିଆନ ମଧ୍ଯ ଲୋକଙ୍କ ସହ ହାତ ମିଳାଇ ସୁଖଦୁଃଖ ଶୁଣିବା ସହ ଫଟୋ ଉଠାଉଥିଲେ । ରୋଡ୍ ଶୋରେ ବିଜେଡି ପାଇଁ ଭୋଟ ମାଗିଥିଲେ ପାଣ୍ଡିଆନ। ଭଲ ଲୋକଙ୍କୁ କାମ କରିବା ପାଇଁ ସୁଯୋଗ ଦେବାକୁ ସେ ଅନୁରୋଧ କରିଥଇଲେ। ଉଭୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଥିଲେ । ୨ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ବଡ଼ ବ୍ଯବଧାନରେ ଜିତାଇବାକୁ ଅନୁରୋଧ କରିଥିଲେ। ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଥିଲେ ବିଜେଡିର ଏହି ଦୁଇ ପ୍ରାର୍ଥୀ ଗୁଣ୍ଡାଗର୍ଦ୍ଦି କରିବେନି କି  ଚୋରି କରିବେନି।

ବରଂ ଲୋକଙ୍କସେବାରେ ନିୟୋଜିତ ହେବେ। ପ୍ରଚାର ସମୟରେ ବିକାଶର ହିସାବ ଦେଇଥିଲେ ପାଣ୍ଡିଆନ। ବିଗତ ଦିନରେ ନିର୍ବାଚନ ମଣ୍ଡଳିରେ ରୂପାନ୍ତରଣ ଆସିଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ଯ ବିକାଶ ପାଇଁ ନିରନ୍ତର ଲାଗିପଡ଼ିଛନ୍ତି। ଏଣୁ ଏଥର ଡବଲ ଶଙ୍ଖରେ ଭୋଟ ଦେଇ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସେ ଅନୁରୋଧ କରିଛନ୍ତି।