ବିନା ଅସ୍ତ୍ରୋପଚାରରେ ସୁସ୍ଥ ହେବେ ସ୍ତନ କର୍କଟ ରୋଗୀ

1 min read

ନନ୍ଦିଘୋଷ ବ୍ୟୁରୋ: ବିନା ଅସ୍ତ୍ରୋପଚାରରେ ସୁସ୍ଥ ହେବେ ସ୍ତନ କର୍କଟ ରୋଗୀ। ଗବେଷଣା କରି ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଓଡ଼ିଆ ବୈଜ୍ଞାନିକ। ମହିଳା ହୁଅନ୍ତୁ କି ପୁରୁଷ ସ୍ତନ କର୍କଟ ରୋଗର ପ୍ରମୁଖ କାରଣ ଜିପିଆର୍ ଓ୍ବାନ୍ ଫର୍ ଓ୍ବାନ୍ ଅଣୁକୁ ନିଷ୍କ୍ରିୟ କରାଗଲେ ଥାର୍ଡ ଷ୍ଟେଜ୍ ସ୍ତନ କର୍କଟ ରୋଗୀ ବି ଭଲ ହୋଇପାରିବେ। ଭୁବନେଶ୍ବରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ରଙ୍କ ମତରେ ଜିପିଆର୍ ଓ୍ବାନ୍ ଫର୍ ଓ୍ବାନ୍ ମୋଲେକ୍ୟୁଲ ସ୍ତନ କର୍କଟର କାରଣ ହୋଇଥାଏ। କେତେକ ମୋଲେକ୍ୟୁଲ ଟ୍ୟୁମର ହ୍ରାସ କରୁଥିବା ବେଳେ ଆଉ କେତେକ ଟ୍ୟୁମର ବୃଦ୍ଧି କରନ୍ତି। ଏଷ୍ଟ୍ରୋଜେନ୍ ରିସେପ୍ଟର୍ ଅନିୟନ୍ତ୍ରିତ ହେଲେ ମହିଳାଙ୍କ ଦେହରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ଯାହା ପରବର୍ତ୍ତୀ ଅବସ୍ଥାରେ ସ୍ତନ କର୍କଟ ରୋଗର କାରଣ ହୋଇଥାଏ। ସ୍ତନ କର୍କଟ ରୋଗୀ ଟ୍ରିପ୍ଲ ନେଗେଟିଭରେ ଆକ୍ରାନ୍ତ ହେଲେ ତାଙ୍କର ବଞ୍ଚିବା ଆଶା କ୍ଷୀଣ। ତେବେ ସ୍ତନରେ ଅଦରକାରୀ ଭାବେ ଥିବା ଇଆର୍ଆର୍ ବିଟା ବା ଏଷ୍ଟ୍ରୋଜେନ୍ ରିଲେଟେଡ୍ ରିସେପ୍ଟର୍ ବିଟା ଓ ଆଲଫାକୁ ନିୟନ୍ତ୍ରଣ ସ୍ତରକୁ ଆଣିବାକୁ ପଡ଼ିବ। ରୋଗକୁ ପ୍ରଥମରୁ ଚିହ୍ନଟ କରି ଇନ୍ହିବିଟର ପ୍ରୟୋଗ କରାଯାଇ କର୍କଟକୁ ଶରୀରର ଅନ୍ୟଅଂଶକୁ ବ୍ୟାପିବାକୁ ଦିଆଯାଏ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍ତନ କର୍କଟ ରୋଗ ଆରୋଗ୍ୟ ପାଇଁ କମ୍ବିନେଟୋରିଆଲ୍ ଥେରାପି ଫଳପ୍ରଦ ହେଉଛି।

ସ୍ତନ କର୍କଟ ରୋଗକୁ ବିନା ଅସ୍ତ୍ରୋପଚାରରେ ଭଲ କରିବା ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନସ୍ରେ ଦୀର୍ଘ ଦିନରୁ ଗବେଷଣା ଜାରି ରହିଛି। କୋଭିଡ ପାଇଁ ଦେଢ଼ ବର୍ଷ ଧରି ଗବେଷଣା ବାଧାପ୍ରାପ୍ତ ହୋଇଥିଲା। କ୍ରୋମାଟିନ୍ ଇମିନୋ ପ୍ରେସିପିଟେସନ୍ କ୍ଲୋନିଂ ବା ଚିପ୍ କ୍ଲୋନିଂ ଜରିଆରେ ଶରୀର ବିଭିନ୍ନ ଅଣୁକୁ ଚିହ୍ନଟ କରିବାରେ ସହାୟକ ହୋଇଛି। ଏହି ପଦ୍ଧତିରେ ଦୁଇଟି ମୋଲୋକ୍ୟୁଲ ଚିହ୍ନଟ କରାଯାଇପାରିଛି। ବିସିଏସ୍-୨ ଓ ଏଫ୍ଏସ୍ଟି। ଦୁଇଟିଯାକ ମୋଲେକ୍ୟୁଲ ପରସ୍ପର ବିରୋଧୀ। ଗୋଟିଏ ଟ୍ୟୁମର ବଢାଉଥିବା ବେଳେ ଆରଟି ଟ୍ୟୁମର କମାଇଥାଏ। ପ୍ରାଥମିକ ପର୍ଯ୍ୟାୟରେ ଡିଜିନେପେ ଓ ପରେ ଏମ୍.ଏଲ୍.ଏନ୍ ଫୋର୍ ନାଇନ୍ ଟୁ ଫର୍ କର୍କଟ ରୋଗ ନିୟନ୍ତ୍ରଣରେ ନୂଆ ଆଶା ସଞ୍ଚାର କରିଥିଲା। ଭାରତରେ ରୋଷେଇ ଘର ଧୂଆଁ, ଧୁମ୍ରପାନ ଯୋଗୁ ମହିଳା ଓ ପୁରୁଷଙ୍କ ଦେହରେ ଅଧିକ ମାତ୍ରାରେ ନିକୋଟିନ୍ ଜମା ହୋଇଥାଏ। ଏହା କର୍କଟ ରୋଗର ମୁଖ୍ୟ କାରଣ।

ଚିକିତ୍ସା ଅପେକ୍ଷା ପ୍ରତିଷେଧକ ଭଲ। ତେଣୁ ଜଣେ ରୋଗୀ ନିଜ ଶରୀରରେ କିଛି ଟାଣ ବା ମାଂସପେଶୀ ଶକ୍ତ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ରୋଗ ଚିହ୍ନଟ କରିବା ଦରକାର। ସ୍ତନ କର୍କଟ ରୋଗ ନିୟନ୍ତ୍ରଣ ପାଇଁ ଆଇଏଲ୍ଏସ୍ ବୈଜ୍ଞାନିକଙ୍କ ଗବେଷଣା ଆଗାମୀ ଦିନରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି।