spot_img
Home Blog Page 5849

ରାଜ୍ୟରେ ଫେରିଲା ନାଇଟ କର୍ଫ୍ୟୁ, ସଂକ୍ରମଣ ବଢ଼ୁଛି କଟକଣା କଡ଼ାକଡ଼ି ହେଉଛି ! ହେବ କି ଲକ୍‌ ଡାଉନ୍‌

ମାଲକାନଗିରି: ମାଲାକାନଗିରିକୁ ଫେରିଲା ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି । ରାତି ୯ରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ମାଲକାନଗିରି ବଡ଼ଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଓଡ଼ିଶାରେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ କଟକଣା ପୁଣି କଡ଼ାକଡ଼ି କରାଯାଉଛି । ସ୍ଥାନୀୟ ପ୍ରଶାସନକୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଉଛି । କରୋନାକୁ ମାତ୍‌ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପୂର୍ବରୁ କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକ୍‌ଡାଉନ୍‌ ମଧ୍ୟ ହୋଇପାରେ ବୋଲି କୁହାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଥିଲେ ଯେ, କରୋନା ସହ ଲଢ଼ିବାର ଅଭିଜ୍ଞତା ରହିଛି । ତେଣୁ ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟ ଘୋଷଣା କରାଯାଇପାରିବ । ସ୍ଥାନୀୟ ପ୍ରଶାସନ ଏନେଇ ନିଷ୍ପତି ନେବ ।

ସେହିଭଳି କରୋନା ପ୍ରସଂଗରେ DMET ନିର୍ଦ୍ଦେଶକ ଡ. ସିବିକେ ମହାନ୍ତି ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଗତ ଏକ ବର୍ଷରେ ଯାହା ଅନୁଭବ ପାଇଛୁ, ତାକୁ ପାଥେୟ କରି ପଦକ୍ଷେପ ନେବୁ । ଆମ ରାଜ୍ୟରେ ପ୍ରସ୍ତୁତି ସବୁ ଦିନ ପାଇଁ ରହିଛି । ଏହାକୁ ଅଧାର କରି ଆଗାମୀ ସମୟରେ ପଦକ୍ଷେପ ନିଆଯିବ । ରାଜ୍ୟର ଅଳ୍ପ କେତୋଟି ସ୍କୁଲ, କଲେଜରେ ସଂକ୍ରମିତ ବାହାରିଛି । ଯଦି ଆବଶ୍ୟକ ହୁଏ ଅନ୍ୟ ରାଜ୍ୟ ଭଳି ଏଠି ବି ଲକ୍‌ଡାଉନ୍‌ କରାଯିବ । ହସ୍ପିଟାଲର ମୂଳ ଲକ୍ଷ ଚିକିତ୍ସା ଯୋଗାଇବା, ଦରକାର ପଡିଲେ ନିଶ୍ଚୟ ବେଡ୍‌ ସଂଖ୍ୟା ବଢାଯିବ । ଏଥିରେ ଦ୍ୱିମତ ନାହିଁ । ରାଜ୍ୟରେ ଲକ୍‌ଡାଉନ୍‌ ଭଳି ପରିସ୍ଥିତିକୁ ଏଡ଼ାଇବାକୁ ହେଲେ ସମସ୍ତେ ନିୟମ ମାନିବା ଦରକାର, ସରକାର ପଦକ୍ଷେପ ନେଉଛନ୍ତି, ହେଲେ ଲୋକମାନେ ଏହାକୁ ମାନିବା କଥା । ଲୋକ ନିଜେ ସମୀକ୍ଷା କରିବା କଥା, ଯେ ସେମାନେ କେତେ ନିୟମ ମାନୁଛନ୍ତି । କୋଭିଡ୍‌ ସଂପର୍କରେ ସମୀକ୍ଷା ଏକ ନିୟମିତ ପ୍ରକିୟା, ଦରକାର ପଡିଲେ ଉଚ୍ଚ ସ୍ତରୀୟ ବୈଠକ ହେବ । ଅନ୍ୟ ରାଜ୍ୟ ଭଳି କଟକଣା ଜାରି ହୋଇପାରେ ।

ସେହିଭଳି ସୋମବାର ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ ମଧ୍ୟ କରୋନା ସଂକ୍ରମଣକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଗତ ସପ୍ତାହ ହେଲା ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଉଁଛି । ତେଣୁ ଏହାକୁ ରୋକିବାକୁ ହେଲେ ପ୍ରଶାସନକୁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ପୋଲିସ ପ୍ରଶାସନ ମାସ୍କ ବ୍ୟବହାର ଓ ସାମଜିକ ଦୂରତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ସାଧାରଣ ଲୋକ ଯେପରି ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ଅବଲମ୍ବନ କରିବେ ତାହା ଉପରେ ବିଏମ୍‌ସି ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ନଜର ରହିବ । ଏଣିକି ଆଉ ଅବହେଳାକୁ ବରଦାସ୍ତ କରାଯିବନି । ରେଗୁଲାର ଚେକିଂ ହେବ । ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏଣିକି ପ୍ରତ୍ୟେକ ଦିନ ଚଢ଼ାଉ କରିବେ ।

କୋଭିସିଲ୍ଡର ୨ଟି ଡୋଜ ଭିତରେ ରହିବ ୬ରୁ ୮ ସପ୍ତାହର ବ୍ୟବଧାନ

ନୂଆଦିଲ୍ଲୀ: କରୋନା ଟିକା କୋଭିଶିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ଥିବା ବ୍ୟବଧାନ ଅବଧିକୁ ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ଏହି ଅବଧିକୁ ୬ରୁ ୮ ସପ୍ତାହ କରାଯାଇଛି।

ସୂଚନା ଅନୁଯାୟୀ, ଟିକାକରଣ ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ଏବଂ କୋଭିଡ-୧୯ ଟିକାକରଣ ପରିଚାଳନା ଉପରେ ଗଠିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ (ଏନଇଜିଭିଏସି)ର ୨୦ତମ ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସମୀକ୍ଷା କରାଯିବା ପରେ ପ୍ରଥମ ଡୋଜ୍ ନିଆଯିବାର ୬-୮ ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଡୋଜ୍ ନିଆଯିବା ପାଇଁ ସୁପାରିସ କରାଯାଇଥିଲା। ପୂର୍ବରୁ ଏହା ୪-୬ ସପ୍ତାହ ମଧ୍ୟରେ ନିଆଯାଉଥିଲା।

ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ବଜାୟ ରଖିବା ନିମନ୍ତେ ଏହି ସଂଶୋଧିତ ସମୟ ଅବଧି କେବଳ କୋଭିଶିଲ୍ଡ କ୍ଷେତ୍ରରେ କାର‌୍ୟ୍ୟବକାରୀ ହେବ ଏବଂ କୋଭାକ୍ସିନ ଟୀକା କ୍ଷେତ୍ରରେ ନୁହେଁ ବୋଲି ସ୍ପଷ୍ଟ କରି ଦିଆଯାଇଛି।

ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ପତ୍ର ଲେଖି ଅବଗତ କରାଇଛନ୍ତି । ଏହି ପତ୍ରରେ ସେ ଅବଗତ କରାଇଛନ୍ତି ଯେ ଏନଟିଏଜିଆଇ ଏବଂ ଏନଇଜିଭିଏସିର ସୁପାରିସକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗ୍ରହଣ କରିନେଇଛି। କୋଭିଶିଲ୍ଡର ପ୍ରଥମ ଡୋଜ୍ ନେବାର ୬-୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ ନେଲେ ଏହା ଅଧିକ ଫଳପ୍ରଦ ହେଉଛି । କିନ୍ତୁ ୮ସପ୍ତାହ ପରେ ଏହାକୁ ନେବା ଉଚିତ୍ ନୁହେଁ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି ।

ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ, ‘ଯାତ୍ରା ଦେଖିବାକୁ ଗାଁକୁ ଆସ ନାହିଁ’

ଗଞ୍ଜାମ: ଜିଲ୍ଲାପାଳଙ୍କ ଗରୁତ୍ୱପୂର୍ଣ୍ଣ ପରାମର୍ଶ । କହିଲେ ବାହାର ରାଜ୍ୟରେ ବିଶେଷ କରି ମହାରାଷ୍ଟ୍ର ଓ ଗୁଜରାଟରେ ରହୁଥିବା ଲୋକ ଏବେ ଗଞ୍ଜାମ ଆସନ୍ତୁ ନାହିଁ । କାରଣ ଗୁଜରାଟ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ‌ ଦେଖିବାକୁ ମିଳିଛି । ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି । ତେଣୁ ସେଠାରେ ରହୁଥିବା ଗଞ୍ଜାମବାସୀ ଆସିଲେ ଏଠାରେ ମଧ୍ୟ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ତେଣୁ ସେମାନେ ଏଠାକୁ ଆସି ସଂକ୍ରମଣ ଆଶଙ୍କା ବଢ଼ାନ୍ତୁ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

ତେବେ ଜିଳ୍ଲାପାଳଙ୍କ ଏଭଳି ବୟାନ ପଛର କାରଣ ହେଉଛି, ଏବେ ଗଞ୍ଜାମରେ ଦଣ୍ଡ ନାଚଠାରୁ ଆରମ୍ଭ କରି ଚୈତ୍ର ମେଳା, ବୁଢ଼ି ଠାକୁରାଣି ଯାତ୍ରା ଆଦି ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ଅନୁମତି ମଧ୍ୟ ଦେଇଛନ୍ତି । ଏହି ସବୁ ଉତ୍ସବରେ ଯୋଗଦେବା ପାଇଁ ବାହାରୁ ଅନେକ ଲୋକ ଆସିଥାନ୍ତି । ବିଶେଷକରି ଗଞ୍ଜାମର ଅଧିକାଂଶ ଲୋକ ମହାରାଷ୍ଟ୍ର ଓ ଗୁଜରାଟରେ କାମ କରନ୍ତି । କେବଳ ଏହି ଉତ୍ସବରେ ସାମିଲ ହେବା ପାଇଁ ସେମାନେ ନିଜ ଘରକୁ ଫେରିଥାନ୍ତି । ଯେହେତୁ ସେଠାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି ସେଥିପାଇଁ ସେମାନଙ୍କୁ ନଆସିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଜିଲ୍ଲାପାଳ ସିଧାସଳଖ କହିଛନ୍ତି ଯେ, ଏହି ଉତ୍ସବ ପାଇଁ ଅନୁମତି ଦିଆଯାଇଛି ସତ ହେଲେ କେବଳ ସ୍ଥାନୀୟ ଲୋକଙ୍କ ପାଇଁ । ବାହାରୁ ଆସି କେହି ଏହି ଉତ୍ସବରେ ସାମିଲ ହୋଇପାରିବେ ନାହିଁ । ବୁଢ଼ି ଠାକୁରାଣୀ ଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ବୃଢ଼ିଠାକୁରାଣୀଙ୍କ ଦର୍ଶନକୁ ଅନୁମତି ଦିଆଯାଇଛି କିନ୍ତୁ ମା’ଙ୍କର ଗାଁ ବୁଲିବାକୁ ଅନୁମତି ଦିଆଯାଇ ନାହିଁ । ଏହାସହ ହୋଲି ଓ ଦୋଳ ଯାତ୍ରା ମଧ୍ୟ କଟକଣାରେ ପାଳନ ହେବ । ଏକାଠି ହୋଇ ହୋଲି ଖେଳିବାକୁ ମନା କରାଯାଇଛି । ନିଜ ନିଜ ଘରେ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସେ ଆହୁରି କହିଛନ୍ତି ଯେ, ଯଦି କେହି ରଜ୍ୟ ବାହାରୁ ଆସନ୍ତି ତେବେ ସେମାନଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ କିମ୍ବା ହସ୍ପିଟାଲରେ ଭର୍ତ୍ତି କରାଯିବ ।

ଶେଷରେ ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଯେ, ବାହାରକୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତା (ଅନ୍ୟୁନ ଦୁଇ ମିଟର) ଅବଲମ୍ବନ କରନ୍ତୁ । ଘରକୁ ଫେରିଲେ ହାତ ଧୁଅନ୍ତୁ । ଆପଣ ନିଜେ ସୁସ୍ଥ ରହିଲେ ଆପଣଙ୍କ ପରିବାର ସୁସ୍ଥ ରହିବ ।

67th National Film Awards: ୩ ଓଡ଼ିଆ ଫିଲ୍ମକୁ ଜାତୀୟ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ସୋମବାର ଦିନ ଘୋଷଣା ହୋଇଯାଇଛି । ଏହି ଫିଲ୍ମ ପୁରସ୍କାରରେ ‘କାଲିର ଅତୀତ’ ଓ ‘ଶଲା ବୁଢ଼ାର ବଦଲା’କୁ  ବେଷ୍ଟ ଓଡିଆ ଚଳଚ୍ଚିତ୍ର ଆୱାର୍ଡ ପ୍ରଦାନ କରାଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ,  ନନ-ଫିଚର କାଟେଗୋରୀରୁ ଓଡ଼ିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଚଳଚ୍ଚିତ୍ରକୁ ମିଳିଛି ଜାତୀୟ ପୁରସ୍କାର ସମ୍ମାନ। ଶ୍ରେଷ୍ଠ ଫିଚର ଫିଲ୍ମରେ ୨ ଓଡ଼ିଆ ଫିଲ୍ମ ପୁରସ୍କାର ପାଇଛି  । ତନ୍ମଧ୍ୟରେ ରହିଛି ‘କାଲିର ଅତୀତ’ ଓ ‘ଶଲା ବୁଢ଼ାର ବଦଲା’ ।

ସେହିପରି  ହାଇଲାଇଟରେ ଅଛନ୍ତି କଙ୍ଗନା ଓ ସୁଶାନ୍ତ ସିଂ ରାଜପୁତ । କଙ୍ଗନାଙ୍କୁ ମଣିକର୍ଣ୍ଣିକା ଓ ପଙ୍ଗା ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଥିବା ବେଳେ ସୁଶାନ୍ତ ସିଂଙ୍କ ଫିଲ୍ମ ଛିଛୋରେକୁ ମିଳିଛି ବେଷ୍ଟ୍ ଫିଲ୍ମର ଜାତୀୟ ସମ୍ମାନ । ସେହିଭଳି ମନୋଜ ବାଜପାୟୀଙ୍କୁ ‘ଭୋଁସଲେ’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତାର ଆୱାର୍ଡ ମିଳିଛି ।

ତେବେ ଏଭଳି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଆଉ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘‘ଚଳଚ୍ଚିତ୍ର ‘କାଲିର ଅତୀତ’ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ‘ଶ୍ରୀକ୍ଷେତ୍ରରୁ ସାହିଯାତ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ଏବଂ ‘ଶଲା ବୁଢ଼ାର ବଦଲା’ର ନିର୍ଦ୍ଦେଶକ ଡଃ. ସବ୍ୟସାଚୀ ମହାପାତ୍ର ଓ ସମସ୍ତ କଳାକାରମାନଙ୍କୁ ମୋର ଶୁଭେଚ୍ଛା’’।

ଏଥିସହ ପଢନ୍ତୁ- ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର: କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ, ଛିଛୋରେ ବେଷ୍ଟ୍ ଫିଲ୍ମ

୨୦୧୯ ପାଇଁ ଗାନ୍ଧୀ ଶାନ୍ତି ସମ୍ମାନ ପାଇବେ ଓମାନର ପୂର୍ବତନ ସୁଲତାନ

ନୂଆଦିଲ୍ଲୀ: ୨୦୧୯ ପାଇଁ ଗାନ୍ଧୀ ଶାନ୍ତି ସମ୍ମାନ ଘୋଷିତ ହୋଇଛି । ୨୦୧୯ ପାଇଁ ଓମାନର ପୂର୍ବତନ ସୁଲତାନ ଦିବଙ୍ଗତ କାବୁସ ବିନ୍ ଅଲ ସୈଦଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ୧୯୯୫ ମସିହାରେ ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ସୁପ୍ରିମ କୋର୍ଟ ପ୍ରଧାନବିଚାରପତି ଓ ଲୋକସଭାରେ ବିରୋଧି ଦଳ ନେତାଙ୍କୁ ନେଇ ଗଠିତ ଜୁରି ସୁଲତାନ କାବୁସ ବିନଙ୍କ ନାମ ଏହି ସମ୍ମାନ ପାଇଁ ବାଛିଛନ୍ତି। ମାର୍ଚ୍ଚ ୧୯ ତାରିଖ ଦିନ ସର୍ବସମ୍ମତ ଭାବେ ସୁଲତାନଙ୍କ ନାମ ସମ୍ମାନ ପାଇଁ ଜୁରି ଚୟନ କରିଥିଲେ । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସୁଧାର ଦିଗରେ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ସମ୍ମାନ ମରୋଣପରାନ୍ତ ଭାବେ ପ୍ରଦାନ କରାଯିବ ।

ନେଲସନ ମଣ୍ଡେଲାଙ୍କଠାରୁ ବାବା ଆମତେ ଆଗରୁ ଗାନ୍ଧୀ ଶାନ୍ତି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ବିବେକାନନ୍ଦ କେନ୍ଦ୍ର,ଅକ୍ଷୟ ପାତ୍ର ଭଳି ସଂଗଠନକୁ ମଧ୍ୟ ସାମାଜିକ କାର୍ଯ୍ୟ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ପୁରସ୍କାର ବାବଦରେ ଏକ କୋଟି ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥାଏ ।

ରାଜଧାନୀରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା; କଡ଼ାକଡ଼ି ହେବ କଟକଣା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏନେଇ ସୋମବାର ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗତ ଏକ ସପ୍ତାହ ହେବ ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ପ୍ରତ୍ୟେକ ଦିନ ଦୁଇ ଅଙ୍କ ଛୁଉଁଛି । ତେଣୁ ଏହାକୁ ରୋକିବାକୁ ହେଲେ ପ୍ରଶାସନକୁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ପୋଲିସ ପ୍ରଶାସନ ମାସ୍କ ବ୍ୟବହାର ଓ ସାମଜିକ ଦୂରତା ପ୍ରତି ଧ୍ୟାନ ଦେବେ । ସାଧାରଣ ଲୋକ ଯେପରି ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ଅବଲମ୍ବନ କରିବେ ତାହା ଉପରେ ବିଏମ୍‌ସି ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ନଜର ରହିବ ।

ଜାଭିୟର ଅନୁଷ୍ଠାନରେ ୨୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ତାକୁ ସିଲ୍‌ କରିଦିଆଯାଇଛି । ସୋମାବାର ସେଠାରୁ ୨୦୧ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି । ତେବେ ପ୍ରତ୍ୟେକ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଛନ୍ତି ସେମାନଙ୍କର ଟେଷ୍ଟିଂ କରାଯିବ । ତେବେ ଶନିବାର ଜାଭିୟରରେ ହୋଇଥିବା ସମାବର୍ତ୍ତନ ଉତ୍ସବ ପାଇଁ ବିଏମ୍‌ସି ଅନୁମତି ଦେଇନଥିଲା । ଏହି ଉତ୍ସବରେ ଅନେକ ଲୋକ ଜମା ହୋଇଥିଲେ ।

ତେବେ ଏଣିକି ଆଉ ଅବହେଳାକୁ ବରଦାସ୍ତ କରାଯିବନି । ରେଗୁଲାର ଚେକିଂ ହେବ । ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏଣିକି ପ୍ରତ୍ୟେକ ଦିନ ଚଢ଼ାଉ କରିବେ । ଯେଉଁ ସବୁ ଅଞ୍ଚଳରେ ଗହଳି ଦେଖାଯିବ ସେଠାରେ ପ୍ରଶାସନର ନଜର ରହିବ । ରେଳ ଷ୍ଟେସନ ଓ ବିମାନବନ୍ଦର ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିବ । ତେବେ ଅନ୍ୟ ରାଜ୍ୟରୁ ତଥା ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଉପରେ ଅଧିକ ଫୋକସ୍‌ ରହିବ । RTPCR ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ । ସ୍ମାର୍ଟସିଟିର ଅନ୍ୟ ଅଂଚଳରେ ବି ଚେକିଂ ହେବ ।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଟେଷ୍ଟିଂ କରାଯିବ । ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

୬୭ ତମ ଜାତୀୟ ଫିଲ୍ମ ପୁରସ୍କାର: କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ, ଛିଛୋରେ ବେଷ୍ଟ୍ ଫିଲ୍ମ

ନୂଆଦିଲ୍ଲୀ: ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ହାଇଲାଇଟରେ ଅଛନ୍ତି କଙ୍ଗନା ଓ ସୁଶାନ୍ତ ସିଂ ରାଜପୁତ । କଙ୍ଗନାଙ୍କୁ ମଣିକର୍ଣ୍ଣିକା ଓ ପଙ୍ଗା ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଥିବା ବେଳେ ସୁଶାନ୍ତ ସିଂଙ୍କ ଫିଲ୍ମ ଛିଛୋରେକୁ ମିଳିଛି ବେଷ୍ଟ୍ ଫିଲ୍ମର ରାଷ୍ଟ୍ରୀୟ ସମ୍ମାନ । ସେହିଭଳି ମନୋଜ ବାଜପାୟୀଙ୍କୁ ‘ଭୋଁସଲେ’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତାର ଆୱାର୍ଡ ମିଳିଛି ।

ବେଷ୍ଟ୍ ପ୍ଲେବ୍ୟାକ୍ ସିଙ୍ଗର ଆୱାର୍ଡ ଯାଇଛି ଫିଲ୍ମ କେଶରୀ ପାଇଁ ବି ପ୍ରାକଙ୍କ ଖାତାକୁ । ସର୍ବଶ୍ରେଷ୍ଠ ମରାଠି ଫିଲ୍ମ ଭାବେ ‘ବାରଦୋ’ ଚୟନ ହୋଇଛି । ‘ରବ ଦା ରେଡିଓ-୨’କୁ ସର୍ବଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ, ‘ଛୋରି ଛୋରୋଁସେ କମ ନେହିଁ’ ହରିଆନି ଭାଷାରେ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିବା ବେଳେ ବେଷ୍ଟ ଆନିମେସନ୍ ଫିଲ୍ମ ଭାବେ ‘ରାଧା’ ଓ ବେଷ୍ଟ୍ ଇଣ୍ଟ୍ରେଷ୍ଟିଂ ଫିଲ୍ମ ଭାବେ ‘ଜାକାଲା’ (ମରାଠି) ମନୋନୀତ ହୋଇଛି ।

୨୦୨୦-୨୧ ସୁଦ୍ଧା ବିଭିନ୍ନ ସ୍ରୋତରୁ ରାଜ୍ୟ ସରକାର କରିଛନ୍ତି ୧ ଲକ୍ଷ ୩ ହଜାର ୪୧୦ କୋଟି ଋଣ

ଭୁବନେଶ୍ୱର: ବଢ଼ୁଛି ରାଜ୍ୟର ଋଣଭାର । କ୍ରମାଗତ ଭାବେ ରାଜ୍ୟର ଋଣଭାର ବଢ଼ିବାରେ ଲାଗିଛି । ୨୦୨୦-୨୦୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ ହଜାର ୪୧୦ କୋଟି ଟଙ୍କା ରହିଥିବା ବିଧାନସଭାରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଏହି ତଥ୍ୟ ଦେଇଛନ୍ତି ।

ତେବେ ନିରଞ୍ଜନ ପୂଜାରୀ ନିଜ ଉତ୍ତରରେ କହିଛନ୍ତି ଯେ, ରାଜ୍ୟ ସରକାର ସାଧାରଣତଃ ବିଭିନ୍ନ ଆନ୍ତର୍ଜାତୀୟ ସଂସ୍ଥା, ଭାରତ ସରକାର, ଆଭ୍ୟନ୍ତରୀଣ ସୂତ୍ର, ଭବିଷ୍ୟନିଧି ପାଣ୍ଠି ଓ ଅନ୍ୟାନ୍ୟ ପାଣ୍ଠିରୁ ଋଣ ଆହରଣ କରିଥାନ୍ତି । ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପ ତଥା ଭିତ୍ତିଭୂମି ସୃଷ୍ଟି ପାଇଁ ରଜ୍ୟ ସରକାର ବିଭିନ୍ନ ଆନ୍ତର୍ଜାତୀୟ ଋଣ ପ୍ରଦାନକାରୀ ସଂସ୍ଥାମାନଙ୍କଠାରୁ ସହାୟତା ନେଉଛନ୍ତି । ବର୍ତ୍ତାମନ ଜଳସେଚନ, ଶକ୍ତି, ସଡ଼କ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମି ପରି ପ୍ରକଳ୍ପ ଗୁଡ଼ିକ ପାଇଁ ଓ୍ୱାର୍ଲ୍ଡ ବ୍ୟାଙ୍କ, ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ, ଇଣ୍ଟରନାସନାଲ ଫଣ୍ଡ ଫର୍‌ ଏଗ୍ରିକଲ୍‌ଚରାଲ ଡେଭଲପ୍‌ମେଣ୍ଟ, ଜାପାନ ଇଣ୍ଟରନାସନାଲ କର୍ପୋରେସନ୍‌ ଏଜେନ୍ସି, କେଏଫ୍‌ଡବ୍ଲ୍ୟୁ ଡଭ୍‌ଲପ୍‌ମେଣ୍ଟ ବ୍ୟାଙ୍କ, ବ୍ରିକ୍ସ ବ୍ୟାଙ୍କ, ଏଆଇଆଇବି ଆଦି ସଂସ୍ଥା ମାନଙ୍କରୁ ବାହ୍ୟ ସହାୟତା ଗ୍ରହଣ କରାଯାଇଛି ।‌

ତେବେ ରାଜ୍ୟ ସରକାର ଋଣ କରିଥିବା ଏହି ୧ ଲକ୍ଷ ୩ ହଜାର ୪୧୦ କୋଟି ଟଙ୍କା ମଧ୍ୟରେ ୬ ହଜାର ୩୪୭ କୋଟି ଟଙ୍କା ବୈଦେଶିକ ଋଣ ସାମିଲ ରହିଛି । ନାବାର୍ଡ ଠାରୁ ରାଜ୍ୟ ସରକାର ୧୫ ହଜାର ୬୨୩ କୋଟି ଟଙ୍କା ଋଣ ଆଣିଛନ୍ତି । ରାଜ୍ୟ ସରକାରଙ୍କ ଆଭ୍ୟନ୍ତରୀଣ ଋଣର ପରିମାଣ ୫୩ ହଜାର ୩୮୫ କୋଟି ଟଙ୍କା ରହିଛି । ତେବେ ରାଜ୍ୟର ବର୍ତ୍ତମାନ ମୁଣ୍ଡପିଛା ଋଣଭାର ୨୩ ହଜାର ୫୨୪ ଟଙ୍କାରେ ପହଞ୍ଚିଥିବା ନିରଞ୍ଜନ ପୂଜାରୀ କରିଛନ୍ତି । ୨୦୦୯-୨୦୧୦ ମସିହାରେ ରାଜ୍ୟର ଋଣ ଭାର ୯୧୮୦ ଟଙ୍କା ରହିଥିଲା ବୋଲି ତଥ୍ୟ ରହିଛି ।

ଘରେ ପର୍ଣ୍ଣ ଦେଖୁଥିଲା ପୁଅ, ପୂରା ପରିବାରକୁ ଦଣ୍ଡ ଦେଲେ କିମ୍

ନୂଆଦିଲ୍ଲୀ: ନିଜର କଡା ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ପର୍ଣ୍ଣ ଦେଖିବା ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା କିମ୍ ଜଣେ ବାଳକ ଓ ତା’ର ପୂରା ପରିବାରକୁ ଉତ୍ତର କୋରିଆର ଏକ ଦୁର୍ଗମ ଅଞ୍ଚଳକୁ ପଠାଇ ଦେଇଛନ୍ତି ।

ଏକ ରିପୋର୍ଟ ମୁତାବକ, ଉତ୍ତର କୋରିଆର ଶତାରୁଢ ୱକର୍ସ ପାର୍ଟି ସ୍କୁଲ ଭିତରେ ପିଲା ମାନଙ୍କର ପର୍ଣ୍ଣ ଦେଖିବା ବିରୋଧରେ ଏକ ଅଭିଯାନ ଚଳାଇଛନ୍ତି । ତେବେ ଏକ ବାଳକ ଘରେ ପିତା ମାତା ନଥିବାର ସୁଯୋଗ ପାଇ ପର୍ଣ୍ଣ ଭିଡିଓ ଦେଖୁଥିଲା । ହେଲେ ଏନେଇ ଖବର ଜାଣିବା ପରେ  ପୋଲିସ ଘରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଦଣ୍ଡ ସ୍ୱରୂପ ସମ୍ପୃକ୍ତ ବାଳକ ଓ ତା’ର ପୂରା ପରିବାରକୁ ଏକ ଦୁର୍ଗମ ଅଞ୍ଚଳକୁ ପଠାଇ ଦିଆଯାଇଛି।

ଗତ ବର୍ଷ କିମ୍ ପର୍ଣ୍ଣ ଫିଲ୍ମ ଦେଖିବା ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିଲେ । କିମ୍ କହିଛନ୍ତି ଯେ ଅଣ ସମାଜବାଦୀ ବିଚାର ଏକ ଟ୍ୟୁମର ଭଳି ହୋଇପଡିଛି । ଯାହା ଏକତା କ୍ଷେତ୍ରରେ ବାଧା ସୃଷ୍ଟି କରୁଛି। ଏମିତିକି ପର୍ଣ୍ଣ ଫିଲ୍ମ ଉପରେ ଲଗାମ ଲଗାଇବା ପାଇଁ ସରକାର ଏକ ଆଇନ୍ ଗଢିଛନ୍ତି । ଯାହା ଅଧିନରେ ଦୋଷୀ ମାନଙ୍କୁ ୫ ବର୍ଷରୁ ୧୫ ବର୍ଷ ଯାଏଁ ଦଣ୍ଡ ସ୍ୱରୂପ ଜବରଦସ୍ତୀ କାମ କରାଯାଇପାରେ ।

କେବଳ ଏତିକି ନୁହେଁ ଆଜୀବନ କାରାଦଣ୍ଡ ଠୁ ଆରମ୍ଭ କରି ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଇଥାଏ । ଏହାବ୍ୟତୀତ ସ୍କୁଲ୍ ପ୍ରିନ୍ସିପାଲକୁ ମଧ୍ୟ ଆବଶ୍ୟକ ସ୍ଥଳେ କାମ କରିବା ଲାଗି ଜବରଦସ୍ତୀ ଲେବର କ୍ୟାମ୍ପକୁ ପଠାଯାଏ ।

ଫେସବୁକ, ଟ୍ୱିଟରକୁ ଉତ୍ତର ଦେବେ ଟ୍ରମ୍ପ୍; ଆରମ୍ଭ କରିବେ ନିଜର ସୋସିଆଲ ମିଡିଆ ଆପ୍

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତ । ହେଲେ ସେ ଏଥର ନିଜର ସୋସିଆଲ୍ ମିଡିଆ ଆପ ଲଞ୍ଚ କରିବାକୁ ଯାଉଛନ୍ତି । ଏନେଇ ଟ୍ରମ୍ପଙ୍କ ପୁରୁଣା ପରାମର୍ଶ ଦାତା ଓ ପ୍ରବକ୍ତା ଜେସନ୍ ମିଲର ସୂଚନା ଦେଇଛନ୍ତି ।

ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ ମିଲର କହିଛନ୍ତି ଯେ ଟ୍ରମ୍ପ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ସୋସିଆଲ୍ ମିଡିଆ ଫ୍ଲାଟଫର୍ମକୁ ଫେରିବାକୁ ଯାଉଛନ୍ତି । ଆଉ ଏଥିପାଇଁ ସେ ନିଜର ପ୍ଲାଟଫର୍ମ ପ୍ରସ୍ତୁତ କରୁଛନ୍ତି । ଆଗାମୀ ଦିନରେ ଏହା ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ମିଲର କହିଛନ୍ତି।

ତେବେ ଏନେଇ ସେ ଅଧିକ କିଛି କହିନାହାଁନ୍ତି । ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ସୋସିଆଲ୍ ମିଡିଆରେ ନାହାଁନ୍ତି । ୨୦୨୧ ମସିହା ଜାନୁଆରୀ ୬ ତାରିଖରେ ଆମେରିକା କ୍ୟାପିଟାଲରେ ହିଂସାକୁ ଭଡକାଇବା ନେଇ ଟ୍ରମ୍ପଙ୍କ ଉପରେ ଅଭିଯୋଗ ଲାଗିଥିଲା । ଯାହା ପରେ ଟ୍ୱିଟର୍ ଓ ଫେସବୁକ୍ ପକ୍ଷରୁ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିଲା ।