spot_img
Home Blog Page 5601

ବାତ୍ୟା ପରେ ଏବେ ବନ୍ୟା ବିପଦ: ଫୁଲୁଛି ବୈତରଣୀ, ବଢ଼ୁଛି ସୁବର୍ଣ୍ଣରେଖା

ବାତ୍ୟା ପରେ ଏବେ ବନ୍ୟା ବିପଦ । ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର । ଝାଡ଼ଖଣ୍ଡ ଗାଲିଡିହ ବ୍ୟାରେଜରୁ ବନ୍ୟାଜଳ ନିଷ୍କାସନ ପରେ ତଳମୁଣ୍ଡରେ ସୃଷ୍ଟି ହୋଇଛି ବନ୍ୟାସ୍ଥିତି । ସକାଳ ୬ଟା ସୁଦ୍ଧା ଜାମଶୋଳା ଘାଟ ଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି  ।  ବାଲିଆପାଳର କୁଡ଼ମାନସିଂହ, ଚୋବଧୁରୀକୁଡ଼, ଜାମକୁଣ୍ଡା, ସୁଙ୍ଘମୁହଁ  ଓ ଭୋଗରାଇର ୧୫ଟି ପଞ୍ଚାୟତର ୮୦ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି  । ଏଣୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଯାଇଛି  ।

ସେପଟେ ବୈତରଣୀରେ ବନ୍ୟା ଆସିବା ଯୋଗୁଁ କେନ୍ଦୁଝର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି  । ସେହିପରି ପ୍ରବଳ ବର୍ଷା ଯୋଗୁଁ ସିମିଳିପାଳର ବିଭିନ୍ନ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି  । ଏନେଇ ସ୍ଥାନାନ୍ତର ଓ ପୁନରୁଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି  । ସେପଟେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବହୁ ତଳି ଅଞ୍ଚଳ ଜଳମଗ୍ନ ହୋଇଛି ।

ଭଣ୍ଡାରିପୋଖରୀ ବ୍ଲକର ୬ ପଞ୍ଚାୟତର କିଛି ଗାଁ ଓ ଧାମନଗର ବ୍ଲକର ୮ଟି ପଞ୍ଚାୟତର କିଛି ଅଞ୍ଚଳ ଜଳମଗ୍ନ ହୋଇଥିବା ସୂଚନା ମିଳିଛି । ଭଣ୍ଡାରିପୋଖରୀ ଶରତା ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ, ଭଣ୍ଡାରିପୋଖରୀ- ଯାଜପୁର  ମଧ୍ୟରେ ଯୋଗାଯୋଗ ବିଛିନ୍ନ ରହିଛି  ।

ଏଥିସହିତ ପଢ଼ନ୍ତୁ: ଏସ୍ଆରସିଙ୍କ ନିକଟରେ ଆଜି ‘ୟାସ୍’ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବେ ଜିଲ୍ଲାପାଳ

ରାଜ୍ୟରେ ଆଉ ୭ ହଜାର ୨୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୭ହଜାର ୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 33ଆକ୍ରାନ୍ତଙ୍କ ଜୀବନ ନେଇ କିଲର ଭାଇରସ୍  । ସଂକ୍ରମିତଙ୍କଠାରୁ ସୁସ୍ଥତା ସଂଖ୍ୟା ବଢିଛି । ରାଜ୍ୟରେ ୨୪ ଘଣ୍ଟାରେ ୧୧ହଜାର ୫ଶହ ୫୧ ଜଣ ସୁସ୍ଥ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪ହଜାର ୪୧ ଲୋକାଲ କେସ୍ ୩ହଜାର ୧୭୫ । ଖୋର୍ଦ୍ଧାରୁ ଟପିଲା କଟକ । କଟକରୁ ହଜାରେ ୯୧, ଖୋର୍ଦ୍ଧାରୁ ୮୦୯, କେନ୍ଦ୍ରାପଡାରୁ ୪୮୭, ଢେଙ୍କାନାଳରୁ ୪୨୮, ଅନୁଗୁଳରୁ ୪୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୩୩୧, ଭଦ୍ରକ ଓ ରାୟଗଡ଼ାରୁ ୨୪୬ଜଣ ଲେଖାଏଁ, ନବରଙ୍ଗପୁରରୁ ୨୪୨, ଯାଜପୁର ଓ ସମ୍ବଲପୁରରୁ ୨୪୧ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୨୨୦, ବାଲେଶ୍ବରରୁ ୨୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୮୪, ଜଗତସିଂହପୁରରୁ ୧୮୩, ନୟାଗଡ଼ରୁ ୧୬୪, କଳାହାଣ୍ଡି ଓ ଗଞ୍ଜାମରୁ ୧୫୦ଜଣ ଲେଖାଏଁ, ବୌଦ୍ଧରୁ ୧୪୮, ଷ୍ଟେଟପୁଲରୁ ୧୪୬, ମାଲକାନିଗିରିରୁ ୧୩୫, ବଲାଙ୍ଗୀରରୁ ୧୩୦, ପୁରୀରୁ ୧୧୦, କନ୍ଧମାଳରୁ ୧୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋନପୁରରୁ ୭୪, କେନ୍ଦୁଝରରୁ ୭୨, ଦେଓଗଡ଼ରୁ ୬୮, ନୂଆପଡାରୁ ୬୬, ଝାରସୁଗୁଡାରୁ ୬୪, ଗଜପତିରୁ ୩୮, ମୟୂରଭଞ୍ଜରୁ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୩୫ହଜାର ୧୭୯ ସଂକ୍ରମିତ । ପଜିଟିଭ ସଂଖ୍ୟା ୭ଲକ୍ଷ ୩୯ହଜାର ୯୫୫ରେ ପହଞ୍ଚିଛି ।

 

CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ସିବିଏସଇର ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ଆଜି ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ ସୁପ୍ରିମକୋର୍ଟ  । କରୋନା ସମୟରେ ପରୀକ୍ଷା ବାତିଲ୍ କରିବା ନେଇ ଦାୟର ହୋଇଥିବା ଯାଚିକା ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍ ଏ ଏମ ଖାନଓ୍ବିଲକର ଏବଂ ଜଷ୍ଚିସ୍ ଦିନେଶ ମାହେଶ୍ବରୀ ଏହାର ଶୁଣାଣି କରିବେ  । ପରୀକ୍ଷାକୁ ଅନିଶ୍ଚିତତା ଲାଗି ରହିଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଣୁ ସୁପ୍ରିମକୋର୍ଟ ଏହାର ବିଚାର କରି କେନ୍ଦ୍ର ସରକାରଙ୍କୁ ଉଚିତ୍ ପରାମର୍ଶ ଦେବା ପାଇଁ ଅପିଲ୍ କରିଛନ୍ତି ଛାତ୍ରଛାତ୍ରୀ । ସେପଟେ ଜୁନ୍ ୧ ତାରିଖରେ ପରୀକ୍ଷା ତାରିଖ ଘୋଷଣା କରିପାରନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । କିଭଳି ପରୀକ୍ଷା କରାଯିବ ସେ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ନିକଟରୁ ପ୍ରସ୍ତାବ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

ଏସ୍ଆରସିଙ୍କ ନିକଟରେ ଆଜି ‘ୟାସ୍’ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବେ ଜିଲ୍ଲାପାଳ

ଭୁବନେଶ୍ୱର: କେତେ କ୍ଷତି କରିଛି ବାତ୍ୟା ୟାସ୍  । ଏନେଇ ଆଜି ଏସଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ୟାସ୍ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ  । କ୍ଷୟକ୍ଷତି ସମ୍ପର୍କିତ ପ୍ରାଥମିକ ରିପୋର୍ଟ ସନ୍ଧ୍ୟାସୁଦ୍ଧା ଦାଖଲ କରିବାକୁ ଏସଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି  । ସେପଟେ ବାତ୍ୟା ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି କୃଷି କ୍ଷେତ୍ର  । ଅନେକ ସ୍ଥାନରେ ଚାଷ ଜମିରେ ପାଣି ପଶି ଯାଇଥିବାରୁ ଚାଷୀ ମାନେ କ୍ଷତି ସହିଛନ୍ତି  । ତେବେ ଏସମ୍ପର୍କରେ ଆକଳନ କରି ଆଜି ରିପୋର୍ଟ ଦେବାକୁ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିକଟରେ ପ୍ରାଥମିକ ରିପୋର୍ଟ ଦାଖଲ ହେବ । ଏଥିପାଇଁ କୃଷି ଓ ମତ୍ସ୍ୟ ପଶୁପାଳନ ବିଭାଗର କ୍ଷେତ୍ର ଅଧିକାରୀ ଗ୍ରାଉଣ୍ଡକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି । ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଅନ୍ୟପଟେ ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଜଳସମ୍ପଦ ବିଭାଗର ଅନେକ ଲୁଣା ବନ୍ଧ କ୍ଷତିଗ୍ରସ୍ତ ହୋଇଛି । ତାର ଆକଳନ କରାଯିବା ସହ ଶୀଘ୍ର ପ୍ରାଥମିକ ରିପୋର୍ଟ ଦିଆଯିବ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା, ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ

ଜୁନ୍ ଦ୍ୱିତୀୟ ସପ୍ତାହରୁ ଆପଲୋ ହସ୍ପିଟାଲରେ ଉପଲବ୍ଧ ହେବ ସ୍ପୁଟନିକ ଭି

ହାଇଦ୍ରାବାଦ: ବଜାରକୁ ଆସିବ କରୋନା ଟିକା ସ୍ପୁଟନିକ୍ ଭି । ଋଷ ନିର୍ମିତ ସ୍ପୁଟନିକ ଭି ଟିକା ଜୁନ୍ ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବ । ପ୍ରାରମ୍ଭିକ ପର୍ଯ୍ୟାରେ ଏହି ଟିକା କେବଳ ଆପଲୋ ହସ୍ପିଟାଲରେ ମିଳିବ । ଏନେଇ ଆପଲୋ ହସ୍ପିଟାଲର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶୋଭନା କୋମିନେନି ସୂଚନା ଦେଇଛନ୍ତି ।

ଏବେ ଦେଶରେ ସେରମ ପ୍ରସ୍ତୁତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯାଉଛି । ଏବେ ସ୍ପୁଟନିକ ଭି ଟିକା ଦିଆଯିବ । ଏଥିସହ ଭାରତରେ ସ୍ପୁଟନିକ ଭି ଟିକାର ଉତ୍ପାଦନ ଆରମ୍ଭ ନେଇ ପ୍ରସ୍ତୁତି ଜାରି ରହିଛି ।

ସ୍ପୁଟନିକ ଭି ପ୍ରଥମେ ଘରୋଇ କ୍ଷେତ୍ର ଲାଗି ଉପଲବ୍ଧ ହେବ । ଭାରତୀୟ ବଜାରରେ ଏହି ଟିକାର ଦର ୯୪୮ ଟଙ୍କା ସହ ୫ ପ୍ରତିଶତ ଟିକସ ମିଶି ୯୯୫ ଟଙ୍କା ରହିବ । ଘରୋଇ ହସ୍ପିଟାଲରେ ସ୍ପୁଟନିକ୍ ଭିର ଗୋଟିଏ ଡୋଜ୍ ନେବାକୁ ସର୍ଭିସ୍ ଚାର୍ଜ ମିଶାଇ ୧୨୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

ଘରେ ପଶିଗଲା ବୋଲି କୁକୁରକୁ ତୀରମାଡ଼

ବାଲେଶ୍ୱର: କରୋନା ପାଇଁ ଲକଡାଉନ୍, ସଟ୍ ଡାଉନରେ ବୁଲା ପଶୁମାନେ ଖାଇବାକୁ ପାଉନଥିବା ବେଳେ ପୁଣି ଦାଉ ସାଧିଛି ବାତ୍ୟା ‘ୟାସ୍’ । ବାତ୍ୟା ପରେ ଖାଇବାକୁ ନପାଇ ଏକ କୁକୁର ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବ୍ୟକ୍ତି ଜଣଙ୍କ କୁକୁରଟିକୁ ତୀରମାଡ଼ କରିଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ନୂଆପଡ଼ା ଗାଁରେ ଏଭଳି ଘଟଣା ଘଟିଛି ।

Man Attacks Stray Dog With An Arrow In Balasore

ଦେହରେ ତୀର ଲାଗିଥିବା ବେଳେ ଆହତ କୁକୁରଟି ରାସ୍ତାରେ ଏଣେତେଣେ ବୁଲୁଥିଲା । କିଛି ସହୃଦୟ ଯୁବକ କୁକୁରଟିକୁ ଡାକ୍ତରଖାନା ନେଇ ଅପରେସନ କରି ତୀରଟିକୁ ବାହାର କରି ଚିକିତ୍ସା କରିବା ପରେ କୁକୁରଟି ସୁସ୍ଥ ଥିବା ଜଣାପଡ଼ିଛି । କୁକୁରକୁ ଏଭଳି ତୀରମାଡ଼ କରିବାକୁ ନାପସନ୍ଦ କରିଛନ୍ତି ପଶୁପ୍ରେମୀ ।

ସ୍ୱାସ୍ଥ୍ୟକର୍ମୀଙ୍କ ବଡ଼ ଅବହେଳା; ପ୍ରଥମେ ଡୋଜରେ କୋଭିସିଲ୍ଡ, ଦ୍ୱିତୀୟ ଡୋଜରେ ଦେଲେ କୋଭାକ୍ସିନ୍

ଲକ୍ଷ୍ନୌ: ଦେଶରେ ଭ୍ୟାକ୍ସିନ୍ ସଂକଟ ଲାଗି ରହିଥିବା ବେଳେ ଉତ୍ତରପ୍ରଦେଶରୁ ଆସିଛି ଅବହେଳାର ଚିତ୍ର । ୟୁପିର ସିଦ୍ଧାର୍ଥନଗରରେ କୋଭିଡ୍ ଟିକାକରଣ ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଖାମଖିଆଲି ପଦାରେ ପଡ଼ିଛି । କିଛି ଲୋକଙ୍କୁ ପ୍ରଥମ ଡୋଜରେ କୋଭିସିଲ୍ଡ ଟିକା ଦିଆଯାଇଥିବା ବେଳେ ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍ ଟିକା ଦିଆଯାଇଥିବା ଜଣାପଡ଼ିଛି । ଭ୍ୟାକ୍ସିନର କକଟେଲ୍ ଡୋଜକୁ ନେଇ ଲୋକ ଚିନ୍ତାରେ ପଡ଼ିଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି ।

ବଢ଼ନି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଘଟିଛି । ଔଦହି ଗାଁର ପ୍ରାୟ ୨୦ ଜଣ ଲୋକ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଇଥିଲେ । ମେ ୧୪ରେ ସେମାନଙ୍କୁ ଦ୍ୱିତୀୟ ଡୋଜରେ କୋଭାକ୍ସିନ୍ ଦିଆଯାଇଛି । ଏ କଥା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ତେବେ ଆଶ୍ୱସ୍ତିର କଥା ହେଉଛି କକଟେଲ୍ ଭ୍ୟାକ୍ସିନ୍ ଡୋଜ୍ ନେବା ପରେ କାହାରି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ନାହିଁ ।

ବିପର୍ଯ୍ୟୟ ଆଗରେ ହିମାଳୟ ଭଳି ମଜଭୁତ୍ ନବୀନ

୧୯୯୯ ମହାବାତ୍ୟା କଥା ଭାବିଲେ ଏବେ ବି ଲୋମ ଟାଙ୍କୁରି ଉଠେ। ପ୍ରକୃତିର କୋପ ଆଗରେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଥିଲା ଓଡ଼ିଶା। ଜୀବନ ହରାଇଥିଲେ ୧୦ ହଜାରରୁ ଅଧିକ ଓଡ଼ିଆ। ଅନେକ ଛୁଆ ଅନାଥ ହୋଇଯାଇଥିଲେ ତ ଅନେକ ବାପା ମାଆ ନିଜ ସନ୍ତାନଙ୍କୁ ସବୁଦିନ ପାଇଁ ହରାଇଥିଲେ। ବଦଳି ଯାଇଥିଲା ଅନେକ ଅଞ୍ଚଳର ଭୂଗୋଳ। ଲେଖା ହୋଇଥିଲା ଅଭୁଲା ଯନ୍ତ୍ରଣାର ଦୁଃଖଦାୟକ ଇତିହାସ।

Image

ହେଲେ ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଏବେ ଏତେ ମଜବୁତ ହୋଇଯାଇଛି ଯେ ପ୍ରାକୃତିକ ବିପର୍ଯ୍ୟୟ ଆଗରେ ହିମାଳୟ ଭଳି ଠିଆ ହୋଇ ରହି ପାରୁଛି। ସେ ୨୦୧୩ ଫାଇଲିନ୍ ହେଉ କି ୨୦୧୪ ହୁଡହୁଡ୍, ୨୦୧୮ ତିତଲି କିମ୍ବା ୨୦୧୯ ଫନି ଅଥବା ୨୦୨୦ ଅମ୍ଫାନ୍ କିମ୍ବା ଏବେ ଏବେ ଯାଇଥିବା ୟସ୍… ଯାହା ଦେଖାଯାଉଛି ଓଡ଼ିଶାକୁ ସତେ ଯେମିତି ପର୍ଯ୍ୟଟକ ଭଳି ଆସିବାରେ ଲାଗିଛି ବାତ୍ୟା ପରେ ବାତ୍ୟା। ଉପରୋକ୍ତ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଉଣାଅଧିକ ପ୍ରଭାବିତ ହୋଇଛି ଓଡ଼ିଶା। କେଉଁଠି ବାତ୍ୟା ସିଧାସଳଖ ଓଡ଼ିଶାକୁ ମାଡ଼ କରିଛି ତ କେବେ ଘଷିମାଜି ହୋଇ ପଡ଼ୋଶୀ ରାଜ୍ୟରେ ଲାଣ୍ଡଫଲ୍ କରିଛି। କିନ୍ତୁ ପ୍ରତିଟି ଥର ଦେଖାଯାଇଛି ଯେ- ପୂର୍ବାପେକ୍ଷା କ୍ଷୟକ୍ଷତି କମିଛି। ବିଶେଷ କରି ଧନଜୀବନ ସୁରକ୍ଷା କରି ଓଡ଼ିଶା ଏବେ ସାଇକ୍ଲୋନ୍ ଫାଇଟରେ ଚାମ୍ପିଅନ୍। ଯାହା ବି ନଷ୍ଟ ହୋଇଛି ସ୍ବଳ୍ପ ସମୟରେ ତାକୁ ପୁଣି ସଳଖି ଠିଆ କରାଯାଇ ପାରିଛି। ଥଇଥାନ କାମ ପ୍ରଭାବୀ ଢଙ୍ଗରେ କରାଯିବାରୁ କମ୍ ଅବଧିରେ ଓଡ଼ିଶାବାସୀ ସ୍ୱାଭାବିକ ଜୀବନଯାତ୍ରାକୁ ଫେରିପାରିଛନ୍ତି।

Image

ତେବେ ଦିନକରେ କି ମାସକରେ କିମ୍ବା ବର୍ଷକ ମଧ୍ୟରେ ଏ ପରିବର୍ତ୍ତନ ରାତାରାତି ହୋଇଯାଇନି। ଏଥିପାଇଁ ନିରନ୍ତର ପ୍ରଚେଷ୍ଟା, ଦୂରଦୃଷ୍ଟି ସମ୍ପନ୍ନ ରଣନୀତି, ଯୋଜନାବଦ୍ଧ ଭାବେ ଭିଭିଭୂମିର ବିକାଶ କରି ରାଜ୍ୟକୁ ଏଭଳି ପ୍ରସ୍ତୁତ କରାଯାଇଛି ଯେ ୧୯୯୯ ମହାବାତ୍ୟା ପରିସ୍ଥିତିର ପୁନରାବୃତ୍ତି ଛାଡ଼ନ୍ତୁ, ସେହିଭଳି ସ୍ଥିତି ଆଉ ରାଜ୍ୟବାସୀଙ୍କୁ କେବେବି ସାମନା କରିବାକୁ ନପଡ଼ିବ ତାହା ସୁନିଶ୍ଚିତ କରାଇ ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଂ ସ୍ଥିତି ଆଜି ୧୮୦ ଡିଗ୍ରୀ ପରିବର୍ତ୍ତନ ହୋଇଛି ଯେତେବେଳେ କି ଦେଶରେ କେଉଁଠି ବି ପ୍ରାକୃତିକ ବିପର୍ଯ୍ୟୟ ହେଲେ ଓଡ଼ିଶା ମୁକାବିଲା ଓ ଥଇଥାନରେ ସହାୟତା କରିବାରେ ଆଗୁଆ ରହୁଛି। ଅନ୍ୟ ରାଜ୍ୟ ଏବେ ଓଡ଼ିଶା ଆଡ଼କୁ ସହଯୋଗ ପାଇଁ ଆଶାର ଦୃଷ୍ଟିରେ ଚାହିଁ ରହୁଛନ୍ତି। ଏସବୁ ଶ୍ରେୟର ହକଦାର ଅଚିରେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏକି ୧୯୯୯ ସୁପର୍ ସାଇକ୍ଲୋନ୍ ଦୁର୍ଦ୍ଦଶାର ନିରୀହ ଶିକାର ଓଡ଼ିଶାକୁ ଏବେ ବାତ୍ୟା ମୁକାବିଲାରେ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛନ୍ତି।

ନିଃସ୍ୱ ଅସହାୟ ଓଡ଼ିଶାର ଦକ୍ଷତାରେ ଏଭଳି ଆମୂଳଚୂଳ ପରିବର୍ତ୍ତନ ଆଣିପାରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ। ବାତ୍ୟା ସମ୍ପର୍କରେ ଜଣାପଡ଼ିବା କ୍ଷଣି ଆରମ୍ଭ ହୋଇ ଯାଉଛି ତାହାର ମୁକାବିଲା ପ୍ରାକ୍- ପ୍ରସ୍ତୁତି। ସମ୍ଭାବ୍ୟ ଗତିପଥ ଉପରେ ନଜର ରଖି ଲ୍ୟାଣ୍ଡଫଲ୍ ଓ ତାହାର ପ୍ରଭାବର ସଠିକ୍ ଆକଳନ କରାଯାଉଛି। ପ୍ରଭାବିତ ହେବାକୁ ଥିବା ଇଲାକାର ଲୋକଙ୍କୁ ଆଗୁଆ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଉଛି। ଏଥିପାଇଁ ରାଜ୍ୟରେ ହଜାର ହଜାର ବାତ୍ୟା ଆଶ୍ରୟସ୍ଥଳ ଏବେ ନିର୍ମାଣ ହୋଇସାରିଛି। ତା ବାଦେ ବିଦ୍ୟାଳୟ କୋଠାଗୁଡ଼ିକୁ ମଧ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବେ ବ୍ୟବହାରଯୋଗ୍ୟ କରାଯାଇ ପାରିଛି। ଲୋକଙ୍କୁ ସଜାଗ କରିବାକୁ ବ୍ୟାପକ ସଚେତନତା ପଦକ୍ଷେପ ହାତକୁ ନିଆଯାଉଛି। କେବଳ ମାନବ ସମ୍ବଳ ନୁହେଁ, ପଶୁ ସମ୍ପଦକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ସେମାନଙ୍କ ସୁଚାରୁ ରୂପେ ରହଣୀ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା କରାଯାଇ ପାରୁଛି।

Image

ପୁଣି ବାତ୍ୟା ପରବର୍ତ୍ତୀ ସ୍ଥିତିରେ ରିଲିଫ୍ ସାମଗ୍ରୀ ଯୋଗାଣରୁ ଆରମ୍ଭ କରି ବିଦ୍ୟୁତ୍ ଓ ଯୋଗାଯୋଗ ଯଥାଶୀଘ୍ର ପୁନଃସ୍ଥାପନ କରିବା ହେଉ ବା ରାସ୍ତା, ପୋଲ, ବିଦ୍ୟୁତ୍ ଭିଭିଭୂମି ଆଦି ପୁନଃନିର୍ମାଣ କରିବା ନିଜ ଦମ୍ଭରେ କମ୍ ସମୟରେ ସମ୍ପନ୍ନ କରଯାଇ ପାରୁଛି। ଜାତୀୟସ୍ତରରେ ଏନଡିଆରଏଫ୍ ପରି ଆମ ରାଜ୍ୟରେ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ ଏବେ ଏ ଦିଗରେ ସ୍ଵୟଂସମ୍ପୂର୍ଣ୍ଣ। ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡ଼ୁନି। ସୂଚନା ମିଳିବା ମାତ୍ରକେ ସବୁ ଏତେ ବ୍ୟବସ୍ଥିତ, ସୁନିୟୋଜିତ ଢଙ୍ଗରେ ଆପେ ଆପେ କାମ ଆଗେଇ ଚାଲିଛି। କାରଣ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ରାଜ୍ୟ ସରକାର ଗତ କିଛି ବର୍ଷ ମଧ୍ୟରେ ଏକ୍ଷେତ୍ରରେ ଭିତ୍ତିଭୂମି ବିକାଶକୁ ବେଶ୍ ଆଗେଇ ନେଇଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଏବେ ଓଡ଼ିଶା ରୋଲ୍ ମଡେଲ୍।

Image

‘ଜିରୋ କାଜୁଆଲିଟି’ ଅର୍ଥାତ୍ ପ୍ରତିଟି ଜୀବନ ମୂଲ୍ୟବାନ, କାହାର ମୃତ୍ୟୁ ଘଟିବାକୁ ଦିଆଯିବନି… ଏହାକୁ ଲକ୍ଷ୍ୟରେ ରଖି ମିଶନ୍ ମୋଡ୍‌ରେ କାମ କରିବାକୁ ସର୍ବଦା ପ୍ରେରଣା, ପରାମର୍ଶ ଦେଇ ଆସିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ସେଥିପାଇଁ ତ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କଳରୁ ଆରମ୍ଭ କରି ପଞ୍ଚାୟତସ୍ତରର ଜନପ୍ରତିନିଧି, ତୃଣମୂଳସ୍ତରରେ କାମ କରୁଥିବା ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି, ଏଏନ୍ଏମ୍ ଅଥବା ଏସ୍ଏଚଜି ମହିଳା ସଦସ୍ୟା ପ୍ରତ୍ୟେକ ଏ ଦିଗରେ ଏବେ ଅଭିଜ୍ଞ, ପାରଙ୍ଗମ। ଏକ କୁଶଳ ମାନବ ସମ୍ବଳ ବାହିନୀ ଏବେ ଏଥିପାଇଁ ସୁପ୍ରସ୍ତୁତ। ଉଲ୍ଲେଖନୀୟ ଭାବେ ‘ୟସ୍’ ଥିଲା ଅନ୍ୟ ବାତ୍ୟା ଠାରୁ କିଛିଟା ଭିନ୍ନ। ଗୋଟିଏ ପଟେ ପ୍ରାକୃତିକ ବିପର୍ଯ୍ୟୟ ତ ଆରପଟେ ଥିଲା କରୋନା ମହାମାରୀ ସଂକ୍ରମଣର ଭୟ। ହେଲେ ଏହାକୁ ଡବଲ ଚ୍ୟାଲେଞ୍ଜ ଭାବି ସେହି ଅନୁସାରେ ପ୍ରସ୍ତୁତିକୁ ଆଗେଇ ନେଇଥିଲେ ଟିମ୍ ନବୀନ। ବାତ୍ୟା ଆଶ୍ରୟସ୍ଥଳରେ କୋଭିଡ୍ ଗାଇଡ୍‌ଲାଇନ୍ ମୁତାବକ ରହଣୀ, ଘରୋଇ ସଙ୍ଗରୋଧରେ ରହୁଥିବା କରୋନା ପଜିଟିଭଙ୍କ ପାଇଁ ସ୍ଵତନ୍ତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା, ସେହି ଅନୁସାରେ ଲୋକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ସ୍ଥାନାନ୍ତରଣ, ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ବିଶେଷ ଧ୍ୟାନ ଭଳି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

Image

ଫଳରେ ଏତେ ବଡ଼ ବାତ୍ୟା ସତ୍ତ୍ବେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରାୟ ୩୦୦୦ ଆଶ୍ରୟସ୍ଥଳରେ ନିରାପଦରେ ଆଶ୍ରୟ ଦିଆଯାଇ ପାରିଥିଲା। ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ୨୧୦୦ ଗର୍ଭବତୀଙ୍କ ନିରାପଦ ପ୍ରସବ ସକାଶେ ସେମାନଙ୍କୁ ଆଗୁଆ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୭୫୦ ଛୁଆ ବାତ୍ୟାର ବିପଦ ସତ୍ତ୍ବେ ସୁରକ୍ଷିତ ଜନ୍ମଗ୍ରହଣ କରିଥିଲେ। ୨୫ ତାରିଖ ସନ୍ଧ୍ୟାରୁ ୨୪ ଘଣ୍ଟା ମଧ୍ୟରେ ୧୦୮ ଆମ୍ବୁଲାନ୍ସ ଦ୍ବାରା ୩୩୪୯ ରୋଗୀଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରେ ପହଞ୍ଚା ଯାଇଥିଲା। ପ୍ରବଳ ବର୍ଷା ଓ ପବନ ମଧ୍ୟରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ୮୭୯ ରୋଗୀ ଡାକ୍ତରଖାନାରେ ପହଞ୍ଚିବା ପଛରେ ସୁନିୟନ୍ତ୍ରିତ ଡ୍ରାଇଭର, ପରିଚାଳକଙ୍କ ନେଟୱର୍କ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଥିଲା।୧୯୯୯ରେ ୧୦ ହଜାରରୁ ଅଧିକ ମୃତ୍ୟୁ ଆଉ ୨୨ ବର୍ଷ ପରେ ମାତ୍ର ୨ ଜଣଙ୍କ ଜୀବନହାନୀ ହିଁ ଆମ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ଦକ୍ଷତାରେ ଆକାଶ ପାତାଳ ପାର୍ଥକ୍ୟକୁ ସ୍ପଷ୍ଟ ଇଙ୍ଗିତ କରୁଛି। ଏହା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଦ୍ବିତୀୟ ସଫଳତା।

Image

ଆହୁରି ମଧ୍ୟ ବାତ୍ୟା ସମୟରେ ମୁକାବିଲା ଓ ପରେ ଥଇଥାନ ପାଇଁ ବରିଷ୍ଠ ଆଇଏଏସ୍, ଆଇପିଏସ୍, ଡାକ୍ତରଙ୍କୁ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ପଠାଇଥିଲେ ମୁଖ୍ୟମନ୍ତ୍ରୀ। ଫଳରେ ମୁକାବିଲାରେ ନିୟୋଜିତ ଜିଲ୍ଲା ଓ ତଳସ୍ତରର ଅଧିକାରୀଙ୍କ ମନୋବଳ ବୃଦ୍ଧି ପାଇଥିଲା। ସେମାନଙ୍କ ଅଭିଜ୍ଞତା ଏ ଦିଗରେ ସହାୟକ ହୋଇଥିଲା। ଏତେ ବ୍ୟାପକ କାର୍ଯ୍ୟଭାର ସତ୍ତ୍ବେ ନିଜର ଏକ ଗୁରୁ ଦାୟିତ୍ୱକୁ ହେଳା କରି ନଥିଲେ ନବୀନ ପଟ୍ଟନାୟକ। ଅନ୍ୟ ରାଜ୍ୟକୁ ନିରନ୍ତର ଅମ୍ଲଜାନ ଟ୍ୟାଙ୍କର୍ ଯୋଗାଣ ଜାରି ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ.ପାଣ୍ଡିଆନ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିଲେ ଯେ ବିନା ବାଧାରେ, ଉଚିତ ସୁରକ୍ଷାରେ ଏସବୁ ଟ୍ୟାଙ୍କର ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ। ଶିଳ୍ପ ବିଭାଗ ମଧ୍ୟ ଅକ୍ସିଜେନ୍ ଉତ୍ପାଦନ ଅବ୍ୟାହତ ରଖିଥିଲା। ଏ ଥିଲା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅନନ୍ୟ ଉଦାହରଣ।

 

ଦୂରଦ୍ରଷ୍ଟା ନବୀନ ପଟ୍ଟନାୟକ ଜାଣିସାରିଥିଲେ ଯେ ବାତ୍ୟାପ୍ରବଣ ଓଡ଼ିଶାବାସୀଙ୍କୁ ନିଜ ଦମ୍ଭରେ ହିଁ ବାରମ୍ବାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ସେଥିପାଇଁ ଦୀର୍ଘମିଆଦୀ ଯୋଜନା, ପ୍ରେରଣାଦାୟୀ ନେତୃତ୍ବ, ଆବଶ୍ୟକ ଅନୁଦାନ ମଞ୍ଜୁରୀ, ମାନବ ସମ୍ବଳକୁ ପ୍ରଶିକ୍ଷଣ ଆଦି ଜରିଆରେ ସେ ଏବେ ଏଭଳି ଏକ ପରିବେଶ, ପରିସ୍ଥିତି ସୃଷ୍ଟି କରି ସାରିଛନ୍ତି କି ଯେକୌଣସି ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହେବାକୁ ଓଡ଼ିଶା ବେଶ୍ ପ୍ରସ୍ତୁତ। କେବଳ ସରକାରୀ କଳ ନୁହେଁ, ଗୋଷ୍ଠୀଗତ ସମ୍ପୃକ୍ତି ଜରିଆରେ କିଭଳି ପ୍ରାକୃତିକ ବିପତ୍ତିକୁ ପ୍ରତିହତ କରିହେବ ସେ କ୍ଷେତ୍ରରେ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ନବୀନ ପଟ୍ଟନାୟକ। ସିଧାସଳଖ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ସେମାନଙ୍କ ମନୋବଳକୁ ମଜବୁତ କରି ଆସୁଛନ୍ତି ସେ। ସେଥିପାଇଁ ତ ଓଡ଼ିଶା କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଉଚ୍ଚ ପ୍ରଶଂସିତ। ଏହାର ଅନେକ ସୀକୃତି, ସମ୍ମାନ ପାଇପାରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା) ଗଠନ ହେଉ କି ଓଡ୍ରାଫ୍ ଭଳି ସୁଦକ୍ଷ ବିପର୍ଯ୍ୟୟ ମୁକାବିଲା ବାହିନୀ ଗଠନ, ପ୍ରାକ୍ ସୂଚନା ହସ୍ତଗତ ହେବାରୁ ଆରମ୍ଭ କରି ଯାହା ବି ଉପୁଡ଼ି ଭାଙ୍ଗି ଯାଇଥିବ ତାହାକୁ ସଜାଡ଼ି ଜୀବନଯାତ୍ରା ସ୍ଵାଭାବିକ କରିବା ପର୍ଯ୍ୟନ୍ତ କାର୍ଯ୍ୟକୁ ଏଭଳି ସୁବ୍ୟବସ୍ଥିତ କରାଯାଇଛି ଯେ, ଲୋକଙ୍କ ମନରେ ଆଉ ବାତ୍ୟା ନେଇ ବିଶେଷ ଆଶଙ୍କା ବା ଭୟ ରହୁନି। ବରଂ ଦୃଢ଼ ଭିତ୍ତିଭୂମି ସହ ସମସ୍ତେ ବାତ୍ୟା ମୁକାବିଲା ପାଇଁ ସଜାଗ ରହୁଛନ୍ତି। ଫାଇଲିନ୍ ମହାବାତ୍ୟା ମୁକାବିଲାରେ ଓଡ଼ିଶା ସରକାରଙ୍କ ସଫଳତାକୁ ଜାତିସଂଘ ‘ବିଶ୍ୱସ୍ତରୀୟ ସଫଳତାର କାହାଣୀ’ ବୋଲି ଦର୍ଶାଇଥିଲା।

Image

ଫନି (୧୫୦ ବର୍ଷରେ ତୃତୀୟ ଥର ଓଡ଼ିଶା ସମ୍ମୁଖୀନ ହୋଇଥିବା ବିରଳ ଗ୍ରୀଷ୍ମ ଋତୁକାଳୀନ ମହାବାତ୍ୟା) ବେଳକୁ ରେକର୍ଡ ୧.୨ କୋଟି ଲୋକଙ୍କୁ ମାତ୍ର ୨୪ ଘଣ୍ଟାରେ ୯ ହଜାରରୁ ଅଧିକ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ଭଳି ଆହ୍ଵାନଭରା କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପନ୍ନ କରାଯାଇ ଥିଲା। ଫଳତଃ ଧନଜୀବନ ହାନୀକୁ ଅତ୍ୟନ୍ତ ସୀମିତ କରିବାରେ ସଫଳତା ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ବର୍ଷ ବର୍ଷର ପ୍ରସ୍ତୁତି ଉପରେ ଆଉ ଏକ ସଫଳତାର ମୋହର ମାରିଥିଲା। ସାରା ବିଶ୍ୱ ଦେଖିଥିଲା ରୂପାନ୍ତରିତ ଆଉ ମଜବୁତ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିର ଉଦାହରଣ। ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି (ଶୂନ ମୃତ୍ୟୁ) ଆଜି ବାସ୍ତବ ରୂପ ନେଇପାରିଛି। ସେଥିପାଇଁ ତ ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଓ ଜଗତସିଂହପୁର ଜିଲ୍ଲାର ନୋଳିଆ ସାହି ‘ସୁନାମି ମୁକାବିଲା ପ୍ରସ୍ତୁତ ଗ୍ରାମ’ ଭାବେ ୟୁନେସ୍କୋ ଓସିନୋଗ୍ରାଫିକ୍ କମିଶନ୍ ଦ୍ବାରା ପୁରସ୍କୃତ ହୋଇଛି। ଗୋଷ୍ଠୀ (କମ୍ୟୁନିଟି) ସ୍ତର ପର୍ଯ୍ୟନ୍ତ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନେଇ ଏହା ଭାରତ ପାଇଁ ଗୌରବ ଆଣି ଦେଇଥିଲା।

Image

ଯେଭଳି ଯୁଦ୍ଧର ସମ୍ମୁଖ ଭାଗରେ ରହି ସେନାପତି ନିଜ ସେନାକୁ ଶତ୍ରୁର ସମ୍ମୁଖୀନ ହେବାକୁ ଆଗେଇ ନିଏ, ସେହିପରି ସାରା ରାଜ୍ୟର ସର୍ବମାନ୍ୟ ନେତା ମୁଖ୍ୟମନ୍ତ୍ରୀ ନିଜେ ପ୍ରତ୍ୟକ୍ଷ ଭାବେ ପ୍ରତିଟି ସମୟରେ ବାତ୍ୟା ମୁକାବିଲାର ତଦାରଖ କରି ଆସୁଛନ୍ତି। ପ୍ରତ୍ୟକ୍ଷ ଅନୁଧ୍ୟାନରେ ପ୍ରତିଟି ଲୋକର ଜୀବନ ରକ୍ଷା ପାଇଁ ପ୍ରଶାସନିକ କଳକୁ ତତ୍ପରତାର ସହ ନିୟୋଜିତ କରାଇ ଆସିଛନ୍ତି। ସେ ଦଳୀୟ କର୍ମକର୍ତ୍ତା ହୁଅନ୍ତୁ ଅଥବା ୟୁଥ କ୍ଲବ୍, ପୁଲିସ ପ୍ରଶାସନ ଅଥବା ପଞ୍ଚାୟତ ଜନପ୍ରତିନିଧି ସମସ୍ତଙ୍କୁ ସାଥିରେ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାତ୍ୟାର ସଫଳ ମୁକାବିଲା କରି ଜିରୋ କାଜୁଆଲିଟିକୁ ବାସ୍ତବତାର ପରିଣତ କରାଇ ପାରିଛନ୍ତି ନବୀନ ପଟ୍ଟନାୟକ। ସମୟୋଚିତ ପଦକ୍ଷେପ ଜରିଆରେ ପ୍ରାକୃତିକ ବିପତ୍ତିର ମୁକାବିଲାରେ ଓଡ଼ିଶା ଗ୍ଲୋବାଲ୍ ବେଞ୍ଚମାର୍କ ସୃଷ୍ଟି କରିପାରିବା ସତରେ ଅନ୍ୟ ରାଜ୍ୟମାନଙ୍କ ସକାଶେ ଏକ ଅନୁକରଣୀୟ ନଜିର। ଆଉ ଓଡିଶାବାସୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ହିମାଳୟ ଭଳି ମଜବୁତ ପ୍ରାଚୀର ହୋଇ ଠିଆ ରହି ନିଜ ୪ କୋଟି ସଦସ୍ୟବିଶିଷ୍ଟ ପରିବାରକୁ ସୁରକ୍ଷା ଦେଇ ଆସୁଛନ୍ତି ସେ।

ଡକ୍ଟର ଗୋପବନ୍ଧୁ ଦାସ

‘ୟାସ୍’ ବାତ୍ୟା ପ୍ରଭାବିତ ଜିଲ୍ଲାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ବଣ୍ଟନ

ଭୁବନେଶ୍ୱର: ‘ୟାସ୍’ ବାତ୍ୟା ପ୍ରବାଭିତ ଜିଲ୍ଲାମାନଙ୍କରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏବଂ ଛାତ୍ର ବିଜେଡି ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରସ୍ତ କରି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ନେତୃତ୍ବ ନେଇଛନ୍ତି ।

BYCJD Distributing Relief In Cyclone Yaas Affected Districts

ଉଭୟ ପ୍ରଥମେ ବାଲେଶ୍ଵର ଜିଲ୍ଲା ଗ୍ରସ୍ତ କରି ‘ୟାସ୍’ ବାତ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳ ଗୁଡ଼ିକୁ ପରିଦର୍ଶନ କରିବା ସହ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ସର୍ବଦା ସାମାଜିକ ପ୍ରତିବଦ୍ଧତା ନିମନ୍ତେ ସଂକଳ୍ପବଦ୍ଧ ।’

BYCJD Distributing Relief In Cyclone Yaas Affected Districts

ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବଭାବିକ ପରିସ୍ଥିତି ଫେରି ଆସିବା ପର୍ଯ୍ୟନ୍ତ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ । ଯୁବ ଛାତ୍ର ନେତୃବୃନ୍ଦଙ୍କ ସାମାଜିକ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଣବ ବଳବନ୍ତରାୟ । ବିଜେଡି ଛାତ୍ର ସଭାପତି ତ୍ରିପାଠୀ ରିଲିଫ୍ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସମସ୍ତ ଛାତ୍ର ନେତା ମାନଙ୍କୁ ଉତ୍ସାହିତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା, ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦିନରେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାତ୍ୟା ‘ୟାସ’ ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସମ୍ପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରିଲିଫ ଓ ପୁନର୍ଗଠନ ସହ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡ଼ିବ । କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ୍ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ୱଭାବିକ କରିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । ସନ୍ଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡ଼କ ଗୁଡ଼ିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

ସେହିପରି ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ‘ୟାସ’ର ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଯୋଜନା ଏବଂ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁଁ ବାତ୍ୟା ‘ୟାସ’ର ସଫଳ ମୁକାବିଲା କରାଯାଇ ପାରିଛି । ଜନସାଧାରଣଙ୍କ ସହଯୋଗରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ଥରେ ପ୍ରମାଣିତ କରି ପାରିଛି ।

ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ସମସ୍ତ ଜନସାଧାରଣ, ନାଗରିକ ସଂଗଠନ ମାନଙ୍କୁ ରିଲିଫ୍ ଓ ସ୍ଥାନାନ୍ତର କାର୍ଯ୍ୟରେ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।  କେନ୍ଦ୍ର ସରକାର ଏବଂ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା NDRF, IMD ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

CM Naveen Patnaik Directs For House Damage Assessment Within 7 Days Cyclone Yass

ପରିଶେଷରେ ମୁଖ୍ୟମନ୍ତ୍ରୀ ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ଏହିଭଳି ଦକ୍ଷତାର ସହ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ଆକଳନ କରିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ବିଦ୍ୟୁତ୍, ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ବଭାବିକ ହୋଇଛି । ଜଳମଗ୍ନ ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ୍ ଯୋଗାଯୋଗ ସ୍ବଭାବିକ ହୋଇଛି । ପାନୀୟ ଜଳ ପାଇଁ ଡିଜି ସେଟ୍‌, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ଏକ ଉପସ୍ଥାପନା ରଖି କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ୧୨ ଜିଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା ।  ୨୦୦ ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଥିଲା । ମୟୂରଭଞ୍ଜର କୁସୁମୀ ବ୍ଲକ୍‌ରେ ୫୧୫ ମି.ମି ବର୍ଷା ହୋଇଥିବାର ସେ ସୂଚନା ଦେଇଛନ୍ତି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ତ୍ୱେ ବନ୍ୟା ଆଶଙ୍କା କମ୍‌ ବୋଲି ପ୍ରକାଶ କରି କହିଛନ୍ତି, ବୈତରଣୀ ନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ଓ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।

ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍‌ ଶୀଘ୍ର ଶେଷ ହେବ । ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସନ୍ଧ୍ୟା ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ବଭାବିକ କରାଯିବ ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି । ସବୁ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଛି ।  ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଡିଜିସେଟ୍‌ ଜରିଆରେ କାର୍ଯ୍ୟକାରୀ କରାଯାଉଛି ଏବଂ ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସମସ୍ତ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ସ୍ବଭାବିକ କରାଯାଇଛି ।

ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ଜଳମଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲିଛି ।

ମହିଳା ଓ ଶିଶୁବିକାଶ ବିଭାଗର ସୂଚନା ଅନୁଯାୟୀ ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୨୧୦୦ଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବାତ୍ୟା ସମୟରେ  ୭୫୦ ନବଜାତ ଶିଶୁ ଜନ୍ମ ହୋଇଛନ୍ତି ।

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ କୋଭିଡ ହସ୍ପିଟାଲରେ ଭିତ୍ତିଭୂମି ଠିକ୍‌ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ଗଛ ପଡ଼ି ଅବରୋଧ ହୋଇଥିବା ସମସ୍ତ ସଡକ ଗୁଡିକ ଅବରୋଧମୁକ୍ତ କରାଯିବ। ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡ଼କ ଅବରୋଧ ହୋଇଥିବା ବେଳେ ଏହିସବୁ ଗୁଡିକ ଆଜି ସନ୍ଧ୍ୟା ସୁଦ୍ଧା ଅବରୋଧମୁକ୍ତ ହେବ ।

ବୈଠକରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରି ଏହିଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଂଯୋଜନା କରିଥିଲେ । ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।