ମୋଦି କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ରବିଶଙ୍କର, ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ: ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣର ମାତ୍ର କିଛି ସମୟ ପୂର୍ବରୁ ଆସିଛି ବଡ଼ ଖବର । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ଇସ୍ତଫା ଦେଇଥିବା ଅନ୍ୟ ବରିଷ୍ଠ ମନ୍ତ୍ରୀ ହେଉଛନ୍ତି ପ୍ରକାଶ ଜାଭଡେକର । କୁହାଯାଉଛି ଯେ, ୨୦୨୪ ସାଧାରଣ ନିର୍ବାଚନ ଓ ଆଗାମୀ ବର୍ଷ ହେବାକୁ ଯାଉଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଦଳ ଏହି ଦୁଇ ନେତାଙ୍କ ସେବ ଚାହୁଁଛି । ତେବେ ସେମାନଙ୍କ ଇସ୍ତଫାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
ସୂଚନାଯୋଗ୍ୟ ଯେ, ଆଜି ଦିନ ସାର ରାଜନୈତିକ ଗତିବିଧି ତୀବ୍ର ଥିଲା । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଖବର ଭିତରେ କିଛି ମନ୍ତ୍ରୀଙ୍କ ଇସ୍ତଫା ଖବର ମଧ୍ୟ ଆସିବାରେ ଲାଗିଥିଲା । ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଷଡ଼ଙ୍ଗୀଙ୍କ ବ୍ୟତିତ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍,କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ବାବୁଲ ସୁପ୍ରିଓ ।
ବାବୁଲ ସୁପ୍ରିଓ ଇସ୍ତଫା ଦେବା ପରେ ଫେସବୁକରେ ଏବାବଦରେ ଘୋଷଣା କରିଥିଲେ । ଫେସବୁକ ପୋଷ୍ଟରୁ ଜଣା ପଡୁଛି ଯେ, ବାବୁଲ ସୁପ୍ରିୟୋ ଇସ୍ତଫାକୁ ନେଇ ଖୁସି ନାହାନ୍ତି । ସେ ନିଜ ପୋଷ୍ଟରେ ଲେଖିଥିଲେ ଯେ, ମୋତେ ଇସ୍ତଫା ଦେବା ପାଇଁ କୁହାଯାଇଥିଲା ଓ ମୁଁ ଦେଲି । ବିନା ନିଆଁରେ ଧୂଆଁ ଉଠେ ନାହଁ । ମୋ ଇସ୍ତଫା ଖବର ବାବଦରେ ଜାଣିବା ପାଇଁ ଅନେକ ସାମ୍ବାଦିକ ବନ୍ଧୁ ମୋତେ କଲ କରୁଥିଲେ । ସେମାନଙ୍କୁ ମୁଁ ଏହି ପୋଷ୍ଟ୍ ଦ୍ୱାରା ସୂଚନା ଦେଉଛି । ସୂଚନାଯୋଗ୍ୟ ଯେ, ମୋଦିଙ୍କ ମନ୍ତ୍ରିମଣ୍ଡଳରେ  ୩୩ ନୂଆ ମୁହଁ ସାମିଲ ହେବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ୧୦ ଜଣ ମନ୍ତ୍ରୀଙ୍କର ପ୍ରମୋଶନ ହୋଇଛି ।

Leave a Reply