spot_img
Home Blog Page 5602

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା, ବାତ୍ୟା ପରିଚାଳନାରେ ନବୀନଙ୍କ ଦକ୍ଷତାକୁ ସାବାସୀ

ଭୁବନେଶ୍ୱର: ପ୍ରତିବର୍ଷର ବାତ୍ୟାର ସମ୍ମୁଖୀନ ହେଉଛି ଓଡ଼ିଶା । କେବେ ପୁରୀ ତ କେବେ ପାରଦୀପ । ଆଉ କେବେ ଗୋପାଳପୁର ତ କେବେ ଚାନ୍ଦିପୁର । ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାରେ ସବୁବର୍ଷ ପ୍ରଭାବିତ ହେଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ପ୍ରଭାବୀ ପଦକ୍ଷେପ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚିଯାଉଛି ।

ଉତ୍ତର ଓଡ଼ିଶାର ଭଦ୍ରକ-ବାଲେଶ୍ୱରରେ ବାତ୍ୟା ‘ୟାସ୍’ ଗତକାଲି ମାଡ଼ ହୋଇଥିଲା । ବାତ୍ୟାରେ ବଡ଼ ଧରଣର ଜୀବନ ହାନି ହୋଇନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ବାତ୍ୟାର ସୁପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ନବୀନଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ, ଅଭିଜ୍ଞତା ଓ ଯତ୍ନର ସହ ବାତ୍ୟା ପରିଚାଳନାକୁ ରାଜ୍ୟପାଳ ସର୍ବୋକୃଷ୍ଟ ବୋଲି କହିଛନ୍ତି ।

 Governor Appreciated CM Naveen Patnaik for Meticulous Management of Cyclone Yaas

ଏଥିସହ ବାତ୍ୟା ପରିଚାଳନାରେ ନିୟୋଜିତ କେନ୍ଦ୍ର, ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା, ଭାରତୀୟ ରେଡକ୍ରସ ସୋସାଇଟିର ଓଡ଼ିଶା ଶାଖା, ବିଭିନ୍ନ ସ୍ୱେଚ୍ଛାସେବୀଙ୍କ ସଂଗଠନର ସମୟଯୋଗୀ ପଦକ୍ଷେପ ସହ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି ।

ଋତୁସ୍ରାବ ସମୟରେ କରୋନା ଟିକା ନେବା ଉଚିତ୍‌ କି ? ବିଶେଷଜ୍ଞ କଣ କହୁଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ଅଦୃଶ୍ୟ ଭୂତାଣୁ ସହ ଲଢ଼ିବା ପାଇଁ ଏକ ମାତ୍ର ଅସ୍ତ୍ର କରୋନା ଟିକା। ସାରା ଦେଶରେ ଏବେ କରୋନାକୁ ହରାଇବା ପାଇଁ ଚାଲିଛି ଟିକାକରଣ। ତେବେ କେଉଁ କେଉଁ ମାନେ କରୋନା ଟିକା ନେବେ ତାହା ପୂର୍ବରୁ ଦେଶର ସ୍ୱାସ୍ଥ୍ୟ ବିଭାଗ ସ୍ଥିର କରିଛି। ତେବେ ଏକ ସୋସିଆଲ ମିଡିଆରେ କୁହାଯାଏ କି ପିରିୟଡ଼ ସମୟରେ ମହିଳାମାନଙ୍କର ଆଣ୍ଟିବଡି ବହୁତ କମ୍ ହୋଇଥାଏ। ଟିକାର ପ୍ରଥମ ଡୋଜ ନେବା ପରେ ମଧ୍ୟ ଦେହରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ। କିଛି ଦିନ ପରେ ହ୍ରାସ ହୋଇଥିବା ପ୍ରତିରୋଧକ ଶକ୍ତି ଧୀରେ ଧୀରେ ପୂନର୍ବାର ବଢ଼ିବାକୁ ଲାଗିଥାଏ। ତେଣୁ, ଯଦି ମହିଳା ମାନେ ଏହି ସମୟ ମଧ୍ୟରେ ଟିକା ନିଅନ୍ତି, ତେବେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିବ। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଭଳି କଥାରେ କେତେ ସତ୍ୟତା ରହିଛି ତାହା ଆସନ୍ତୁ ଜାଣିବା।

ଆଗ୍ରା ସରୋଜିନୀ ନାଇଡୁ ମେଡିକାଲ କଲେଜର ମହିଳା ଏବଂ ପ୍ରସୂତି ବିଶେଷଜ୍ଞ ଡକ୍ଟର ନିଧି ଗୁପ୍ତା କହିଛନ୍ତି ଯେ ଏଭଳି ମେସେଜରେ କୌଣସି ସତ୍ୟତା ନାହିଁ। ଏହା କେବଳ ପୌରାଣିକ କଥା। ମାସିକ ଋତୁସ୍ରାବ ମହିଳାମାନଙ୍କଠାରେ ଏକ ସାଧାରଣ ପ୍ରାକୃତିକ ପ୍ରକ୍ରିୟା। ଏହି ସମୟ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କୌଣସି ପ୍ରକାରେ ହ୍ରାସ ହୁଏ ନାହିଁ । ତେବେ ଏପର୍ଯ୍ୟନ୍ତ ସେପରି କୌଣସି ଅଧ୍ୟୟନ ପ୍ରକାଶ କରାଯାଇ ନାହିଁ। ତେଣୁ ଏହି ପୁରାଣ କଥାବସ୍ତୁ ବିଷୟରେ କେହି ଅଧିକ ଗମ୍ଭୀର ହେବା ଉଚିତ୍ ନୁହେଁ।

ଡକ୍ଟର ନିଧି କହିଛନ୍ତି ଯେ ଗର୍ଭାବସ୍ଥାରେ ମହିଳାମାନେ ଟିକା ଗ୍ରହଣରୁ ଦୂରେଇ ରହିବା ଉଚିତ। କାରଣ ଏନେଇ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ଦ୍ୱାରା କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ସ୍ତନ୍ୟପାନ କରାଉଥିବା ମାଆ ମାନେ ଏବଂ ଋତୁସ୍ରାବ ସମୟରେ ନାରୀ ବା ମହିଳା ମାନେ କରୋନା ଟିକା ନେଇପାରିବେ। ଏଥିରେ କୌଣସି ପ୍ରକାରର ଅସୁବିଧା ହେବନାହିଁ।

ଖାଲି ସେତିକି ନୁହେଁ ଏବେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଅନେକ ମହିଳାଙ୍କଠାରେ କରୋନା ସଂକ୍ରମଣ ପରେ ପିରିୟଡସ ବା ଋତୁସ୍ରାବର ତାରିଖ ବଦଳୁଛି। ଏହା ସହିତ କରୋନା ସଂକ୍ରମଣ ହେବା ପରେ ଶରୀରର ପ୍ରତିରୋଧକ ଶକ୍ତି କମିଯାଏ, କେତେକ ଲୋକଙ୍କର ଫୁସଫୁସ ସମସ୍ୟା ମଧ୍ୟ ବାହାରି ପଡ଼େ। କିନ୍ତୁ, ଡାକ୍ତରମାନେ କହିଛନ୍ତି ଯେ ଅଧ୍ୟୟନରୁ ଏପର୍ଯ୍ୟନ୍ତ ସେମିତି କିଛି ଖୁଲାସା ହୋଇନାହିଁ।

ତେବେ କରୋନା ସମୟରେ ମହିଳା ମାନଙ୍କୁ ଏଥିପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। ମହିଳା ମାନେ ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ। କରୋନା ରୋଗରୁ ସୁସ୍ଥ ହେବା ପରେ ଶରୀରକୁ ଯଥେଷ୍ଟ ପରିମାଣରେ ବିଶ୍ରାମ ଦେବା ଆବଶ୍ୟକ। ଏହା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଆବଶ୍ୟକ ଏବଂ ପ୍ରଚୁର ପରିମାଣରେ ପାଣି ପିଇବା ଦରକାର। ଯଦି ଆପଣ ଗର୍ଭବତୀ ହେବାକୁ ଯାଉଛନ୍ତି, ତେବେ ନିଜକୁ ଘରେ ଅଲଗା ରଖନ୍ତୁ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

 

 

୨ ରାଜ୍ୟ ବଢ଼ାଇଲେ ଲକଡାଉନ୍ ଅବଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଖସୁଥିବା ବେଳେ କିଛି ରାଜ୍ୟରେ ମାମଲା ବଢ଼ୁଛି । କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଲକଡାଉନ୍ ସମୟସୀମା ବୃଦ୍ଧି କରିଛନ୍ତି । ରାଜ୍ୟରେ ଜୁନ୍ ୧୫ ତାରିଖ ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି । ରାଜ୍ୟରେ ଜୁଲାଇ ଶେଷରେ ରାଜ୍ୟ ବୋର୍ଡର ଦ୍ୱାଦଶ ପରୀକ୍ଷା ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଅନ୍ୟପଟେ ବିଶେଷଜ୍ଞଙ୍କ ସୁପାରିସ୍ ଅନୁଯାୟୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂ ଜୁନ୍ ୧୦ ଯାଏ ଲକଡାଉନକୁ ବୃଦ୍ଧି କରିଛନ୍ତି । ଲକଡାଉନ୍ ବଢ଼ିଥିବା ସରକାର କଟକଣାରେ କିଛିଟା କୋହଳ କରିଛନ୍ତି । ଘରୋଇ ଗାଡ଼ିରେ ସୀମିତ ସଂଖ୍ୟା ଯାତ୍ରୀ ନେଇ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଅକ୍ସିଜେନକୁ ମେଡିକାଲ୍ ସହ ଅନ୍ୟ କାର୍ଯ୍ୟରେ ବ୍ୟବହାର ନେଇ ଦିଆଯାଇଛି ଅନୁମତି ।

କୃଷକ ଆନ୍ଦୋଳନରେ ଭୟଙ୍କର ଷଡ଼ଯନ୍ତ୍ର, ଲାଲକିଲ୍ଲାକୁ କବ୍‌ଜାକରି କରିଥାନ୍ତେ ଆନ୍ଦୋଳନର ସ୍ଥଳ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ, ସେଦିନ ଅପମାନିତ ହୋଇଥିଲା ତ୍ରୀରଙ୍ଗା। ଦେଶର ଐତିହାସିକ ଏବଂ ଗର୍ବିତ ମନେକରାଯାଉଥିବା ଲାଲକିଲ୍ଲା ଉପରେ ହୋଇଥିଲା ଆକ୍ରମଣ। ନୂଆ କୃଷି ଆଇନ୍‌କୁ ବିରୋଧ କରି ଆରମ୍ଭ ହୋଇଥିଲା ଟ୍ରାକ୍ଟର ରାଲି। କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ଟ୍ରାକ୍ଟର ରାଲି ପାଇଁ ତିଆରି ହୋଇଥିଲା ସ୍ୱତନ୍ତ୍ର ମାର୍ଗ। ତଥାପି କ୍ଷଣିକରେ ବଦଳି ଯାଇଥିଲା ପରିସ୍ଥିତି। ରାଲି ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ରାସ୍ତାରେ ଆନ୍ଦୋନକାରୀ ନଯାଇ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଅଲଗା ମାର୍ଗରେ ଯିବାକୁ ଜିଦ କରିଥିଲେ। ହିଂସା ହେଲା, ହିଂସାରେ ୩୦୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହେଲେ ଏବଂ ଟ୍ରାକ୍ଟର ରାଲି ବେଳେ କିଛି ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ସିସିଟିଭି ଦେଖି ଅନେକ ଚାଷୀଙ୍କ ନାମରେ ମାମଲା ରୁଜୁ ମଧ୍ୟ କରାଯାଇଥିଲ।

ତେବେ ଜାନୁଆରୀର ସେହି  ହିଂସା ମାମଲାରେ ଦିଲ୍ଲୀ ପୋଲିସ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି। ଏହି ମାମଲା ନେଇ କୋର୍ଟ ୨୮ ମେରେ ବିଚାର କରିବେ। କ୍ରାଇମବ୍ରାଞ୍ଚର ସୂତ୍ର ଅନୁଯାୟୀ ଦାଖଲ ହୋଇଥିବା ଚାର୍ଜସିଟର ତଦନ୍ତ ସମୟରେ ଅନେକ ବଡ଼ ଷଡଯନ୍ତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ମିଳିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଦିନ ଆନ୍ଦୋଳନକାରୀ କୃଷକ ଲାଲକିଲ୍ଲାକୁ ସେମାନଙ୍କ ଅଧିନକୁ ନେଇଥାନ୍ତେ। ଲାଲକିଲ୍ଲାକୁ କବ୍‌ଜାକୁ ନେବା ପରେ ଉଗ୍ର କୃଷକ ଆନ୍ଦୋଳନକାରୀ ମାନେ ସେଠାରେ ସିଙ୍ଘୁ ଏବଂ ଟିକାରୀ ସୀମା ପରି ଆନ୍ଦୋଳନର ସ୍ଥାନ ସୃଷ୍ଟି କରିଥାନ୍ତେ। ଏହି ମାମଲାରେ ଗିରଫ ହୋଇଥିବା ଅନେକ ଅଭିଯୁକ୍ତ ଏବଂ ସେମାନଙ୍କ ଠାରୁ ରେକର୍ଡ କରାଯାଇଥିବା ବ୍ୟକ୍ତିକୁ ନେଇ ପ୍ରମାଣ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି।

ତେବେ ଏତେ ସୁରକ୍ଷା ମଧ୍ୟରେ ଲାଲକିଲ୍ଲା ଭିତରକୁ ଯିବା ପାଇଁ କେମିତି ତିଆରି ହୋଇଥିଲା ପ୍ଲାନ୍‌। କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁଯାୟୀ  ୨୬ ଜାନୁଆରୀରେ ବିରୋଧ ପ୍ରଦର୍ଶନ ରାଲିରେ ବୃଦ୍ଧ କୃଷକଙ୍କୁ ଆଗରେ ନେବାକୁ ଯୋଜନା କରାଯାଇଥିଲା। ଯାହା ଦ୍ୱାରା କୌଣସି ପୋଲିସ କର୍ମଚାରୀ ସେମାନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଯେମିତି ଗ୍ରହଣ କରିପାରିବେ ନାହିଁ। ଏହା ସହିତ ଆନ୍ଦୋଳନରେ ସାମିଲ ଥିବା ଯୁବ କୃଷକ ମାନଙ୍କୁ ମୋବାଇଲ୍ ଫୋନ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଲାଇଭ୍ ଦେଖାଇବା ପାଇଁ ଏକ ଷଡଯନ୍ତ୍ର ମଧ୍ୟ କରାଯାଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ଅଛି। ତେବେ ଏହି ଷଡ଼ଯନ୍ତ୍ର ନେଇ ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତା ୨୮ ତାରିଖ ପରେ ମିଳିପାରିବ ବୋଲି ଜଣାପଡ଼ିଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ୨୬ ଜାନୁଆରୀକୁ ଏହି ଆନ୍ଦୋଳନ ପାଇଁ ଠିକ୍‌ ଦିନ ବୋଲି ବଛା ଯାଇଥିଲା। ୨୬ ଜାନୁଆରୀରେ ଟ୍ରାକ୍ଟର ରାଲି କରିବା ପଛରେ ଆନ୍ଦୋଳନକାରୀ ମାନଙ୍କର ମଧ୍ୟ ଥିଲା ଏକ ବଡ଼ ଷଡ଼ଯନ୍ତ୍ର। କାରଣ ଏହି କୃଷକ ଆନ୍ଦୋଳନ ସମୟରେ କେତେକ ସାମାଜିକ ବିରୋଧୀ ଏବଂ ହିଂସା କରିଥିବା ବ୍ୟକ୍ତି ଏହା ଚିନ୍ତା କରିଥିଲେ ଯେ ଜାନୁଆରୀ ୨୬ରେ କେନ୍ଦ୍ର ସରକାର କୌଣସି ବଳ ପ୍ରୟୋଗ କରିବେ ନାହିଁ। କାରଣ ସେହି ଦିନ ଜାତୀୟ ଉତ୍ସବ ସ୍ୱତନ୍ତ୍ରତା ଦିବସ ପାଳନ କରାଯାଉଥିଲା। ଆଉ ଏହା ଥିଲା ଟ୍ରାକ୍ଟର ଆନ୍ଦୋଳନ କରିବାର ଏକ ମୁଖ୍ୟ କାରଣ। ସାରା ବିଶ୍ୱ ଆଗରେ ସରକାରଙ୍କର ଭାବମୂର୍ତ୍ତିକୁ ଲଜ୍ଜିତ କରାଇବା ମଧ୍ୟ ଥିଲା ଆଉ ଏକ ପ୍ରମୁଖ କାରଣ।

କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ଯେ ଲାଲକିଲ୍ଲାରୁ ତ୍ରିରଙ୍ଗା ପତାକାକୁ କାଢ଼ି ଅନ୍ୟ କୌଣସି ପତାକା ଲଗାଇବା ପାଇଁ ଅଭିଯୁକ୍ତ ମାନଙ୍କୁ ପ୍ରଚୁର ପରିମାଣରେ ଅର୍ଥ ଦିଆଯାଇଥିଲା। ଦେଶ ବିରୋଧି କାର୍ଯ୍ୟ ପାଇଁ ଶିଖ୍ ଫର ଜଷ୍ଟିସ୍ ସଂସ୍ଥା ଏବଂ ଏହାର ମୁଖ୍ୟ ଗୁରୁପତବନ୍ତ ସିଂ ପନ୍ନୁଙ୍କ ଦ୍ୱାରା ଏହି କାର୍ଯ୍ୟ ପାଇଁ ପ୍ରଚୁର ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରାଯାଇଥିଲା। ଚାର୍ଜସିଟରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଝିଅର ଆନ୍ତଃରାଜ୍ୟ କଲ୍ ରୋକର୍ଡକୁ ମଧ୍ୟ ଦିଲ୍ଲୀ ପୋଲିସ ଚାର୍ଜସିଟ୍ରେ ଅନ୍ତର୍ଭୁକ୍ତ କରିଛି। ଯେଉଁଥିରେ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମିଳିବାକୁ ଯାଉଛି ବୋଲି ଝିଅ କହୁଥିବାର ରେକର୍ଡ ରହିଛି। ତେଣୁ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନେକ ପ୍ରମାଣ ସଂଗ୍ରହ କରାଯାଇଛି ଏବଂ ଏହାକୁ ଚାର୍ଜସିଟରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ସୂତ୍ରରୁ ଜଣାପଡ଼ିଛି ଏହି ଉଗ୍ର ଆନ୍ଦୋଳନ ହିଂସା ପାଇଁ ସ୍କ୍ରିପ୍ଟ ବହୁ ପୂର୍ବରୁ ଲେଖାଯାଇଥିଲା। ଜାନୁଆରୀ ୨୬ର ଲାଲକିଲ୍ଲା ଆନ୍ଦୋଳନ ପାଇଁ ନଭେମ୍ବର / ଡିସେମ୍ବର ୨୦୨୦ ରେ ହିଂସାର ଷଡଯନ୍ତ୍ର କରାଯାଇଥିଲା। ଏଥିପାଇଁ ପଞ୍ଜାବ ଏବଂ ହରିୟାଣାରେ ଟ୍ରାକ୍ଟର ଏବଂ ବହୁ ସାମଗ୍ରୀ ଆଗୁଆ କିଣା ଯାଇଥିଲା। ସେହି ସମୟରେ ପଞ୍ଜାବରେ ବୃଦ୍ଧି ପାଉଥିବା ଟ୍ରାକ୍ଟର କିଣା ତଥ୍ୟକୁ ଦିଲ୍ଲୀ ପୋଲିସ ଚାର୍ଜସିଟରେ ସାମିଲ କରିଛି। ନଭେମ୍ବର ୨୦୨୦ରେ  ୪୩ ପ୍ରତିଶତ  ଟ୍ରାକ୍ଟର କିଣା ବୃଦ୍ଧି ପାଇଥିଲା ଏବଂ ଡିସେମ୍ବରରେ ଏହା ୯୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେଣୁ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ଟିମ୍ ଏହାର ସବିଶେଷ ଅନୁସନ୍ଧାନ କରି ଏକ ଚାର୍ଜସିଟ୍ ପ୍ରସ୍ତୁତ କରିଛି।

କରୋନା: ଦ୍ୱିତୀୟ ଡୋଜରେ ଅନ୍ୟ ଟିକା ନେଲେ କ’ଣ ହେବ ? ଏମିତି କହିଲା ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଖସିଥିବା ବେଳେ ସୁସ୍ଥତା ହାର୍ ବଢ଼ିଛି । ସୁସ୍ଥତା ହାର୍ ୯୦ ପ୍ରତିଶତରେ ପହଞ୍ଚିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଦେଶରେ ଭ୍ୟାକ୍ସିନ୍ ଅଭାବ ଲାଗି ରହିଥିବା ବେଳେ ମହାରାଷ୍ଟ୍ର ଓ ୟୁପିରେ କେତେକ ଲୋକଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକାରେ କୋଭାକ୍ସିନ୍ ଓ ଦ୍ୱିତୀୟ ଡୋଜରେ କୋଭିସିଲ୍ଡ ଟିକା ଦିଆଯାଇଥିବା ଖବର ଆସିଛି ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନୀତି ଆୟୋଗର ଡକ୍ଟର ବିକେ ପାଉଲ । କହିଛନ୍ତି- ପ୍ରୋଟୋକଲରେ ସ୍ପଷ୍ଟ ଭାବେ କୁହାଯାଇଛି ୨ଟି ଯାକ ଡୋଜ୍ ଗୋଟିଏ ଭ୍ୟାକ୍ସିନର ଦିଆଯିବ । ଯେଉଁଠି ଦ୍ୱିତୀୟ ଡୋଜରେ ଅଲଗା ଟିକା ଦିଆଯାଉଛି ଯାଞ୍ଚ ହେବା ଉଚିତ୍ । ଯଦି ଦ୍ୱିତୀୟ ଡୋଜରେ ଅଲଗା କୌଣସି କୋଭିଡ୍ ଟିକା ଦିଆଯାଉଛି ତ କିଛି ଚନ୍ତାର କାରଣ ନାହିଁ ବୋଲି ସେ କହିଛନ୍ତି ।

ବିଦେଶୀ କମ୍ପାନୀର ଭ୍ୟାକ୍ସିନ୍ ନେଇ ବିକେ ପାଉଲ୍ କହିଛନ୍ତି, କେନ୍ଦ୍ର ସରକାର ବିଦେଶୀ ଉତ୍ପାଦନକାରୀଙ୍କ ସହ ସମ୍ପର୍କରେ ଅଛନ୍ତି । ମେକ୍ ଇନ୍ ଇଣ୍ଡିଆ, ମେଡ୍ ଇନ୍ ଇଣ୍ଡିଆ ହେଉଛି ଆମ ପ୍ରାଥମିକତା । ଆମେ ଫାଇଜର ସହ ଆଲୋଚନା ଜାରି ରଖିଛୁ । ଜୁଲାଇ ମାସ ମଧ୍ୟରେ ଫାଇଜର ଭ୍ୟାକ୍ସିନ୍ ମିଳିବା ନେଇ କମ୍ପାନୀ ସଂକେତ ଦେଇଥିବା ସେ କହିଛନ୍ତି ।

ଲୋକେ ଘରକୁ ୧୦ ଲକ୍ଷ ଟଙ୍କା ଦେଇ କିଣି ନେଉଛନ୍ତି ବ୍ଲାକ୍‌ ଫଙ୍ଗସ୍‌, ରୋଷେଇ କରି ଖାଉଛନ୍ତି ସୁନାଠାରୁ ଅଧିକ ଟଙ୍କାର ଫଙ୍ଗସ୍‌

ନୂଆଦିଲ୍ଲୀ: ଯଦି ଫଙ୍ଗସ ଆପଣଙ୍କୁ ମାଗଣାରେ ଦିଆଯାଏ ତେବେ ଆପଣ କଣ ଫଙ୍ଗସକୁ ନେବେ…। ବ୍ଲାକ୍‌ ଫଙ୍ଗସ, ଏବେ ଏହି ନାଁ ଶୁଣିଲେ ମନରେ ଭୟର ଛନକା ପଶେ। କରୋନା ପରେ ଏବେ ଧିରେ ଧିରେ ବ୍ଲାକ୍‌ ଫଙ୍ଗସ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ ପରେ ଏବେ ହ୍ୱାଇଟ ଏବଂ ୟେଲୋ ଫଙ୍ଗସ ପାଇଁ ଦୁନିଆରେ ଆତଙ୍କ ଖେଳିଯାଇଛି। କରୋନାରେ ମୃତ୍ୟୁ ସଂଖ୍ୟା ଧିରେ ଧିରେ କମୁଥିବା ବେଳେ ଏବେ ଫଙ୍ଗସ୍‌ ଆକ୍ରାନ୍ତ ହୋଇ ବଢ଼ୁଛି ମୃତ୍ୟୁ ସଂଖ୍ୟା। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଫଙ୍ଗସ୍ ମଧ୍ୟ ଅଛି, ଯାହାକୁ ଲୋକମାନେ କିଣିବା ପାଇଁ ପାଣି ପରି ଟଙ୍କା ବୁହାଇଥାନ୍ତି। ଯାହାକୁ ଦୁନିଆର ସବୁଠାରୁ ଦାମୀ ଫଙ୍ଗସ୍ କୁହାଯାଏ। ବଜାରରେ, ଏହି ଫଙ୍ଗସ୍ କିଲୋଗ୍ରାମ ପିଛା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ।

ଦୁନିଆର ଏହି ମହଙ୍ଗା ଫଙ୍ଗସକୁ ଭାରତର ହିମାଳୟରେ କୀଟାଜଡ଼ି ଏବଂ ୟାରଶଙ୍ଗବା କୁହାଯାଏ। ଏଥି ସହିତ, ଅନେକ ଲୋକ ଏହାକୁ ହିମାଳୟ ଭାୟାଗ୍ରା ନାମରେ ମଧ୍ୟ ଜଣାଯାଏ। ଇଂରାଜୀରେ ଏହାକୁ କ୍ୟାଟର୍ପିଲର୍ ଫଙ୍ଗସ୍ କୁହାଯାଏ। ବିଶ୍ୱର ଅନେକ ଦେଶରେ କ୍ୟାଟର୍ପିଲର୍ ଫଙ୍ଗସର ଚାହିଦା ରହିଛି। ବିଶେଷ କରି ଚୀନ୍ରେ ଏହାର ଚାହିଦା ବହୁତ ଅଧିକ। ଏହାର ଔଷଧୀୟ ଗୁଣ ଯୋଗୁଁ ଲୋକମାନେ ଏହି ଫଙ୍ଗସ କିଣିବାକୁ ସବୁ ସମୟରେ ଆଗ୍ରହ ଦେଖାଇଥାନ୍ତି। କିନ୍ତୁ ଏହି ଫଙ୍ଗସ ସବୁ ସ୍ଥାନରେ ବଢ଼େ ନାହିଁ। କେବଳ କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ଏହି ଫଙ୍ଗସ ବଢ଼ିଥାଏ। ତେବେ ଏହା କେଉଁଠାରେ ବଢ଼େ ଏନେଇ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବ। ଏହି ଫଙ୍ଗସ୍ କେବଳ ସମୁଦ୍ର ପତନ ଠାରୁ ୩ ହଜାର ୫ଶହ ମିଟର ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଦେଖାଯାଏ।

କ୍ୟାଟର୍ପିଲର୍ ଫଙ୍ଗସ କେବଳ ଉଚ୍ଚା ସ୍ଥାନରେ ହିଁ ବଢ଼ିଥାଏ। ଭାରତର ହିମାଳୟ ସହ ନେପାଳ, ଚୀନ୍ ଏବଂ ଭୁଟାନର ଉଚ୍ଚତ୍ତମ ସ୍ଥାନରେ ଏହି ଫଙ୍ଗସ୍ ମିଳିଥାଏ। ବିଶେଷକରି ମାଳଭୂମି ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଉତ୍ତରାଖଣ୍ଡର ପିଥୋରଗଡ, ଚାମୋଲି ଏବଂ ବାଗେଶ୍ୱରରେ ଉତ୍ପାଦିତ ହୁଏ। ତେବେ ସେମାନଙ୍କର ଉତ୍ପାଦନ ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ। ଯେତେବେଳେ ମେ ଏବଂ ଜୁଲାଇ ମଧ୍ୟରେ ପର୍ବତରୁ ବରଫ ତରଳିବା ଆରମ୍ଭ ହୁଏ, ସେତେବେଳେ ସରକାର କିଛି ଲୋକଙ୍କୁ ନିଯୁକ୍ତି ଦିଅନ୍ତି ପାହାଡ଼ ଉପରକୁ ଯାଇ ଫଙ୍ଗସକୁ ସଂଗ୍ରହ କରିବା ପାଇଁ । ଫଙ୍ଗସ ଏତେ ପରିମାଣରେ ହୋଇଥାଏ ଯେ ସେଗୁଡ଼ିକୁ ଏକାଠି କରିବା ପାଇଁ ଦୁଇରୁ ୩ ମାସ ସମୟ ଲାଗିଥାଏ। ଫଙ୍ଗସ ସଂଗ୍ରହ ନସରିବା ପର୍ଯ୍ୟନ୍ତ ଶ୍ରମିକ ମାନେ ସେହି ଉପରେ ହିଁ ରହିଥାନ୍ତି ।

ହେଲେ ଏହି ଫଙ୍ଗସର ଦାମ ଏତେ ଅଧିକ କାହିଁକି ? ଏହାକୁ କେମିତି ବ୍ୟବହାର କରାଯାଏ ? ଏମିତି କିଛି ପ୍ରଶ୍ନ ଆପଣଙ୍କ ମନରେ ଉଠୁଥିବ। ତେବେ ଏହି ଫଙ୍ଗସ୍‌କୁ ସରକାର ଔଷଧରେ ବ୍ୟବହାର କରିଥାନ୍ତି। ଏହି ଔଷଧର ବ୍ୟବହାର ଦ୍ୱାରା ସେକ୍ସ ସମ୍ବନ୍ଧୀୟ ଅନେକ ରୋଗ ଭଲ ହୋଇଥାଏ। ଖାଲି ସେତିକି ନୁହେଁ, ଏହି ଫଙ୍ଗସ ବ୍ୟବହାର ଦ୍ୱାରା ଶରୀରରେ ଅନେକ ରୋଗ ମଧ୍ୟ ଦୂର ହୁଏ। ଏହାର ଦାମ ଏତେ ଅଧିକ ଯେ ଚାଇନାରେ ଏହାକୁ ବ୍ଲାକ୍‌ରେ କିଣି ଘରେ ରାନ୍ଧିଥାନ୍ତି। ଔଷଧ ବଦଳରେ ଫଙ୍ଗସକୁ ରାନ୍ଧି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ତେବେ କରୋନା ଏବଂ ବିଭିନ୍ନ ପ୍ରକାରର ସୀମା ବିବାଦ ଯୋଗୁଁ ଚୀନ୍ ସହିତ ଫଙ୍ଗସ୍ର ବାଣିଜ୍ୟ ଉପରେ ପ୍ରଭାବ ପକାଇଛି। ସେପଟେ ଯଦି ଦେଖିବା ଗତ ୧୫ ବର୍ଷ ହେବ ପାଣିପାଗର ପରିବର୍ତ୍ତନ କାରଣ ଯୋଗୁଁ କ୍ୟାଟର୍ପିଲର୍ ଫଙ୍ଗସର ଉତ୍ପାଦନ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।

ତେବେ ଏହି ଫଙ୍ଗସ କ’ଣ ଏବଂ କେମିତି ତିଆରି ହୁଏ। କ୍ୟାଟରପିଲର ଫଙ୍ଗସ୍ ହେଉଛି ଏକ ପ୍ରକାର ବଣୁଆ ଛତୁ। ଏକ ନିର୍ଦ୍ଦିଷ୍ଟ ପ୍ରକାରର ବଣୁଆ କୀଟ ମରିବା ପରେ ତାହାରି ଉପରେ ଏହି ଫଙ୍ଗସ ବଢ଼ିଥାଏ । ଏହାର ବୈଜ୍ଞାନିକ ନାମ ହେଉଛି ଓଫିଓକୋର୍ଡିସେପ୍ସ ସାଇନେସିସ୍। ଏହି କ୍ୟାଟର୍ପିଲର ଫଙ୍ଗସ୍ କ୍ୱଚିତ୍ ବହୁତ କମ୍‌ ପରିମାଣରେ ଦେଖାଯାଏ। ସେଥିପାଇଁ IUCN ଏହାକୁ ବିପଦପୂର୍ଣ୍ଣ ପ୍ରଜାତିଗୁଡିକର ତାଲିକାରେ ସାମିଲ କରିଛି। ଗ୍ଲୋବାଲ୍ ୱାର୍ମିଂ ଏବଂ ପାଣିପାଗର ପରିବର୍ତ୍ତନ ଏହାର ଅମଳ ହ୍ରାସ ହେବାର କାରଣ।

ଲକଡାଉନରେ ଅଧରାତିରେ ଏକାଠି ହେଲେ ହଜାର ହଜାର ଲୋକ, କଲେ ହୋମଯଜ୍ଞ

ନବରଙ୍ଗପୁର: ରାଜ୍ୟରେ ଜାରି ରହିଛି ଲକଡାଉନ୍ । କରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ କଟକଣା ଲାଗୁ ହୋଇଛି । ହେଲେ ନବରଙ୍ଗପୁରରେ ଅଧରାତିରେ ନିୟମ ଭାଙ୍ଗିଛନ୍ତି ହଜାର ହଜାର ଲୋକ । ଧାର୍ମିକ ସମାବେଶ ପାଇଁ ଅନୁମିତ ନଥିବା ସତ୍ତ୍ୱେ ହଜାର ହଜାର ଲୋକ ଏକାଠି ହୋଇ ପୂଜାର୍ଚ୍ଚନା କରିଛନ୍ତି । କରୋନା କଟକଣାକୁ ଏଡ଼ାଇ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ଥାନା ଅଞ୍ଚଳରେ ହୋମଯଜ୍ଞ କରାଯାଇଛି ।

Thousand People Gathered In Nabarangpur In Lockdown Night

ମୈଦଲପୁର ଥାନା ନୂଆକୋଟ ପଞ୍ଚାୟତ ଦହଡ଼ାମାଲ ଗାଁରେ ଗତରାତିରେ ଅଲେଖ ଧର୍ମାବଲମ୍ବୀଙ୍କ ପକ୍ଷରୁ ହୋମଯଜ୍ଞ ସହ ପୂଜାର୍ଚ୍ଚନା କରାଯାଇଛି । ଶତାଧିକ ଲୋକ ଏକାଠି ହୋଇଥିବା ବେଳେ ସାମାଜିକ ଦୂରତା ତ ଦୂରର କଥା କାହାରି ମୁହଁରେ ମାସ୍କ ବି ନାହିଁ ।

Thousand People Gathered In Nabarangpur In Lockdown Night

ଯଜ୍ଞ ପାଇ ବିଳମ୍ବିତ ରାତିରେ ଶହ ଶହ ମହିଳା ମୁଣ୍ଡରେ କଳସ ସହ ଦୀପ ଧରି ଶୋଭାଯାତ୍ରାରେ ଗାଁ ପରିକ୍ରମା ମଧ୍ୟ କରିଥିଲେ । କରୋନା କଟକଣାକୁ ଏଡ଼େଇ ମହାଆଡ଼ମ୍ବରରେ ପୂଜାର୍ଚ୍ଚନା ଚାଲିଥିଲା । କୌଣସି ସୂତ୍ରରୁ ପୋଲିସ ସୂଚନା ପାଇବା ପରେ ରାତି ଗୋଟାଏରେ ସେଠାରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇ ଥିଲା । ପୂଜା ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଡାକି ପୋଲିସ ପଚରାଉଚରା କରୁଛି ।

ବାତ୍ୟା ପରେ ସ୍ୱାସ୍ଥ୍ୟ ଚିନ୍ତା, କୋଭିଡ୍ ଲକ୍ଷଣ ଦେଖାଗଲେ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ଛାଡ଼ି ଯାଇଛି ପ୍ରଳୟର ପଦଚିହ୍ନ । ଏବେ ପ୍ରଶାସନ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିଛି । ବାତ୍ୟାକୁ ଦୃଷ୍ଟିରେ ରଖି ୧୨ ଜିଲ୍ଲାର ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆ ଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ସେମାନେ ଘରକୁ ଫେରିଛନ୍ତି । ସେହିଭଳି ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ସଂଖ୍ୟାଧିକ କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନେ ପୁନରୁଦ୍ଧାର କାର୍ଯ୍ୟ ଶେଷ ପରେ ଘରକୁ ଫେରିବେ ।

ମହାମାରୀ ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବାତ୍ୟା ପରିଚାଳନା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମନିଟର କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ୧୨ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ସପ୍ତାହରେ କାହାରି ଠାରେ କୋଭିଡର ଲକ୍ଷଣ ଦେଖାଗଲେ ନିରୀକ୍ଷଣ କରିବାକୁ କୁହାଯାଇଛି ।

Close Monitor Of Health Who Returning From Cyclone Shelter in 12 District

ଘରକୁ ଘର ସର୍ଭେ ବେଳେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯିବ । ବାତ୍ୟା ଆଶ୍ରୟସ୍ଥଳୀରୁ ଫେରିଥିବା ଓ ବାତ୍ୟା ପରିଚାଳନାରେ ନିୟୋଜିତ ଥିବା ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ କୁହାଯାଇଛି । କୋଭିଡର କୌଣସି ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛନ୍ତି ।

ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ ପିଏମ୍ ମୋଦି

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଛି ଅତି ଭୀଷଣ ବାତ୍ୟା ‘ୟାସ୍’ । ଅନେକ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଚାଷଜମି ବୁଡ଼ି ରହିଛି । ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆକାଶ ମାର୍ଗରୁ ବୁଲି ଦେଖିଥିଲେ ।

PM Modi to visit Odisha & WB to review the impact of Cyclone Yaas tomorrow

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଭୁବନେଶ୍ୱରରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକରେ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଆଲୋଚନା କରିବେ । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ବୁଲି ଦେଖିବେ ।

ବାତ୍ୟା ‘ୟାସ୍’ରେ ଗମ୍ଭୀର ଭାବେ ପ୍ରଭାବିତ ବାଲେଶ୍ୱର, ଭଦ୍ରକ ସହ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରର ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ପରିଦର୍ଶନ କରିବେ । ତା’ପରେ ପଶ୍ଚିମବଙ୍ଗରେ ମୋଦି ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି ।

୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ରୁ ପୁଣି କାଳବୈଶାଖୀ

ଭୁବନେଶ୍ୱର: ମାଳଦ୍ୱୀପ କମୋରିନ୍ ଅଞ୍ଚଳ ସହ ଦକ୍ଷିଣପଶ୍ଚିମ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେଉଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଆଜି ସକାଳୁ ଦକ୍ଷିଣପଶ୍ଚିମ ବାୟୁ ସକ୍ରିୟ ହୋଇଛି । ମେ ୩୧ ସୁଦ୍ଧା ଦକ୍ଷିଣମୌସୁମୀ ବାୟୁ କେରଳ ଛୁଇଁବା ନେଇ ସ୍ଥିତି ଉପୁଜିଥିବା ଆକଳନ କରିଛି ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ରାଜ୍ୟର ୫ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ସେହିଭଳି କାଳବୈଶାଖୀ ନେଇ ୩୦ ତାରିଖ ପାଇଁ ଉତ୍ତର ଉପକୂଳ ଓଡ଼ିଶା ସହ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା ଘଡ଼ିଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

୩୧ ତାରିଖ ପାଇଁ କାଳବୈଶାଖୀ ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨ରୁ ୩ ଦିନ ଯାଏ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।