ଏଥର ରାଜ୍ୟରୁ ସର୍ବାଧିକ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ ବି ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିନି ପ୍ରତିଫଳନ

1 min read

ଭୁବନେଶ୍ୱର: ବିଜେପି ଫୋକସ୍‌ରେ ନାହିଁ ଓଡ଼ିଶା । ଏଥର ରାଜ୍ୟରୁ ସର୍ବାଧିକ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ, ହେଲେ ମନ୍ତ୍ରିମଣ୍ଡଳରେ ତାର ପ୍ରତିଫଳନ ଦେଖିବାକୁ ମିଳିଲାନି । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କ୍ୟାବିନେଟ୍‌ରୁ ବିଦା ହୋଇଥିବା ବେଳେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିଛି । ତେବେ ଓଡ଼ିଶା ରାଜନୈତିକ ପାଣିପାଗ ସହ ଅଶ୍ୱିନୀଙ୍କ ସମ୍ପର୍କ ନାହିଁ । ଶାସନକୁ ଆସିବା ବେଳେ ପୂର୍ବ ଭାରତକୁ ବିକାଶର ପରୀକ୍ଷାଗାର କରିବା ନେଇ ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ପଶ୍ଚିମ ଓଡ଼ିଶାରୁ ଭଲ ପ୍ରତିନିଧିତ୍ୱ ସତ୍ତ୍ୱେ ମିଳିନି ସ୍ଥାନ ।

ମୋଦି ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଉପେକ୍ଷା । ପ୍ରତାପ ଷଡ଼ଙ୍ଗୀ ଆଉଟ୍‌, ବିଶ୍ୱେଶ୍ୱର ଇନ୍ । ଯାହା ଆଶା ଥିଲା, ମଉଳି ଯାଇଛି। ମତ୍ସ୍ୟ ପଶୁସମ୍ପଦ ସହ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଦର୍ଶନ ଭଲ ନଥିବାରୁ ସେ ବାଦ ପଡ଼ିଥିବା ଚର୍ଚ୍ଚା ହେଉଛି । ଏତେ ବଡ଼ ବିଭାଗର ସଠିକ୍ ନେତ୍ୱତ୍ୱ ନେବାରେ ବିଫଳ ହୋଇଛନ୍ତି ପ୍ରତାପ । ପ୍ରଥମ ଦଫାରେ ମନ୍ତ୍ରିମଣ୍ଡଳରେ ବିଗ୍‌ ଏଣ୍ଟ୍ରି ମାରିଥିବା ପ୍ରତାପ ପରେ ନିଜ ଭିନ୍ନ ଆଭିମୁଖ୍ୟ ନେଇ ଶୁଖିଲା ଚର୍ଚ୍ଚାରେ ରହିଥିଲେ । ପୁଣି କେତେବେଳେ ଗାଁସ୍ତରର ରାଜନୀତିରେ ଅଯଥା ମୁଣ୍ଡ ଖେଳାଇ ଅପବାଦ ମୁଣ୍ଡାଇଥିଲେ । ରାଜ୍ୟ ରାଜନୀତିରେ ବି ପ୍ରଭାବ ହରାଉଇଥିଲେ। ଏହା ସହ ବିଜେପି ହାତରେ ଥିବା ବାଲେଶ୍ୱର ବିଧାନସଭା ଉପନିର୍ବାଚନ ପରାଜୟ ପ୍ରତାପ ଷଡଙ୍ଗୀଙ୍କୁ ବ୍ୟାକ୍‌ଫୁଟ୍‌କୁ ଆଣିଥିଲା ।

ସେପେଟ ଓଡ଼ିଶା ବିଜେପିର ପାଓ୍ୱାର ହାଉସ୍‌ କୁହାଯାଉଥିବା ପଶ୍ଚିମ ଓଡ଼ିଶା ବି ପୁଣି ଥରେ ନିରାଶ ହୋଇଛି । ୪ଥରର ସାଂସଦ ସଙ୍ଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ, ବରିଷ୍ଠ ନେତା ସୁରେଶ ପୂଜାରୀଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଭରସା କରିପାରିନାହାନ୍ତି ପ୍ରଧାନମନ୍ତ୍ରୀ ଏବଂ ବିଜେପି ଥିଙ୍କ ଟ୍ୟାଙ୍କ। ପଶ୍ଚିମ ଓଡ଼ିଶା ଏଥର ବି ମନ୍ତ୍ରୀ ଶୂନ୍ୟ । ପ୍ରଥମ ଥର ପାଇଁ ଓଡ଼ିଶାରୁ ସର୍ବାଧିକ ୮ଜଣ ସାଂସଦ ନିର୍ବାଚିତ ହୋଇଥିଲେ ବି କେବଳ ଜଣେ ମନ୍ତ୍ରୀ ହୋଇଛନ୍ତି । ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯଦିଓ ଓଡ଼ିଆ, ହେଲେ ସେ ମଧ୍ୟପ୍ରଦେଶ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେହିପରି ସାଂସଦ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା କୋଟାରୁ ରାଜ୍ୟସଭା ଯାଇଥିଲେ ମଧ୍ୟ ମନ ପ୍ରାଣ ରାଜସ୍ଥାନରେ । ବିଶ୍ୱେଶ୍ୱରଙ୍କୁ ମନ୍ତ୍ରୀ କରି ଗୋଟେ ଗୁଳିରେ ତିନି ଶିକାର କରିବାକୁ ପ୍ରୟାସ ହୋଇଛି । ଆଦିବାସୀ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ବିଶ୍ୱେଶ୍ୱର ଜଣେ ଇଂଜିନିୟର ସାଙ୍ଗକୁ ଜାତୀୟ ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି । ପୁଣି ଓଡ଼ିଶା-ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସୀମାକୁ ପ୍ରତିନିଧିତ୍ୱ କରୁଛନ୍ତି । ଏସବୁକୁ ଆଲୋଚନା କଲେ, ଗୋଟିଏ କଥା ସ୍ପଷ୍ଟ, ବିଜେପିର ଫୋକସ ତାଲିକାରେ ଓଡ଼ିଶା ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଓଡ଼ିଶାରେ ବିଜେପି ରାଜନୈତିକ ଭବିଷ୍ୟତ ନାହିଁ, ଏକଥା ବିଜେପି ହାଇକମାଣ୍ଡ ବୁଝି ସାରିଲେଣି। ଅନେକ ପ୍ରୟାସ ପରେ ବି ଲୋକଙ୍କ ବିଶ୍ୱାସ ଜିତିବାରେ ବିଫଳ ହୋଇଛି ବିଜେପି । ସେଥିପାଇଁ ଏବେ ଓଡ଼ିଶା ଉପରୁ ଫୋକସ୍‌ ହଟାଉଥିବା ମନ୍ତ୍ରିମଣ୍ଡଳରୁ ସ୍ପଷ୍ଟ ହୋଇଛି ।

Leave a Reply