spot_img
Home Blog Page 5493

ଗ୍ରାହକ ବେଶରେ ଆସିଲେ ଅଳଙ୍କାର ଦେଖିଲେ, ଲୁଟିନେଲେ

ସୋର: ସିସିଟିଭିରେ ସୁନା ଲୁଟ୍ । ବାଲେଶ୍ୱର ସୋର ଥାନା ବଡ଼ଖୁରି ଛକରେ ଥିବା ଜଗଦ୍ଧାତ୍ରୀ ଜୁଏଲାରୀରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ଗ୍ରାହକ ବେଶରେ ଆସି ଗହଣା ଦୋକାନରୁ ୧୪ ଗ୍ରାମର ସୁନା ହାର ଲୁଟି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଲୁଟ୍ ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ।

CCTV Captures Gold Loot In Jewellery Shop Soro

ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ ଏକ ୧୪ ଗ୍ରାମ୍ ଓଜନର ସୁନା ହାର ଦେଖୁଥିଲେ । ଅନ୍ୟ ଗ୍ରାହକ ଆସିବାରୁ ଗହଣା ଦୋକାନର ମାଲିକ ଅନ୍ୟ ଗ୍ରାହକଙ୍କୁ ଅଳଙ୍କାର ଦେଖାଉଥିଳେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ହାର ନେଇ ଚମ୍ପଟ ମାରିଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ଗହଣା ଦୋକାନର ମାଲିକ ଟୁନୁ ସାହୁ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଛାନଭିନ୍ କରୁଛି ।

ନକଲି କୋଭିଡ୍ ଟିକା ନେଲେ ସାଂସଦ, ଅଭିଯୋଗ ପରେ ଅଭିଯୁକ୍ତ ଗିରଫ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଟିଏମସି ସାଂସଦ-ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ନିକଟରେ ନକଲି ଟିକାର ଶିକାର ହୋଇଛନ୍ତି । ସେ ନିଜେ ଏନେଇ ଖୁଲାସା କରିଛନ୍ତି । ଏହା ସହିତ ସେ କୋଲକାତାରେ ଏକ ନକଲି କୋଭିଡ ଟୀକାକରଣ କ୍ୟାମ୍ପ କରିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ନାମ ଦେବାଞ୍ଜନ ଦେବ ବୋଲି ସୂଚନା ମିଳିଛି।

ଦେବାଞ୍ଜନ ଜଣେ ଆଇଏସ୍ ଅଧିକାରୀ ବୋଲି ନିଜେ ପରିଚୟ ଦେଇଥିଲେ। ଦେବାଞ୍ଜନ କହିଥିଲେ ଯେ, ଟୀକାକରଣ ଶିବିରର ଆୟୋଜନ କୋଲକତା ନଗର ନିଗମ ଦ୍ୱାରା କରାଯାଇଛି । ଦେବାଞ୍ଜନ ଶତାଧିକ ଲୋକଙ୍କୁ ନକଲି ଟିକା ଦେଇଥିବା ନେଇ ଏବେ ଆକଳନ କରାଯାଉଛି। ତେବେ ଗିରଫ ବ୍ୟକ୍ତି ମିମି ଚକ୍ରବର୍ତ୍ତୀଙ୍କୁ ଟୀକାକରଣ ଶିବିରରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ। ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ମିମି ଚକ୍ରବର୍ତ୍ତୀ ସେହି କ୍ୟାମ୍ପରେ ଟିକା ନେଇଥିଲେ। ତେବେ ମିମି ଟିକା ନେବା ପରେ ତାଙ୍କ ମୋବାଇଲରେ ଆଧିକାରିକ ଭାବେ କୌଣସି ମେସେଜ୍ ପାଇନଥିଲେ। ଏହା ପରେ ମିମି ଉକ୍ତ ବ୍ୟକ୍ତିଙ୍କୁ ସନ୍ଦେହ କରି ପୋଲିସକୁ ଏ ବିଷୟରେ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ଏହି ନକଲି କ୍ୟାମ୍ପରେ ପାଖାପାଖି ୨୫୦ ଲୋକେ ଟିକା ନେଇଛନ୍ତି । ମିମି ଚକ୍ରବର୍ତ୍ତୀଙ୍କ କହିବା ଅନୁସାରେ, ଦେବାଞ୍ଜନ କହିଥିଲେ ଯେ ସେ କିନ୍ନର ଏବଂ ଭିନ୍ନକ୍ଷମଙ୍କ ପାଇଁ ଏକ ସ୍ୱତନ୍ତ୍ର ଭ୍ୟାକ୍ସିନେସନ୍ ଡ୍ରାଇଭ୍ ଆରମ୍ଭ କରିଛନ୍ତି । ଏବଂ ମିମିଙ୍କୁ ସେଠାକୁ ଯିବା ପାଇଁ ଅନୁରୋଧ କରିଥିଲେ । ଲୋକଙ୍କୁ ଉତ୍ସାହିତ କରିବା ପାଇଁ ମିମି ତାଙ୍କ ଟୀକାକରଣ କେନ୍ଦ୍ରରେ କୋଭିଶିଲ୍ଡ ନେଇଥିଲେ । ହେଲେ ଟିକା ନେବା ପରେ ମଧ୍ୟ ତାଙ୍କୁ କୋୱିନ୍ ପକ୍ଷରୁ କୌଣସି ମେସେଜ୍ ଆସିନଥିଲା । ଟୀକାକରଣ କ୍ୟାମ୍ପରେ ଆଧାର ନମ୍ବର ସହିତ ପ୍ରତ୍ୟେକ ଜରୁରୀ ସୂଚନା ତାଙ୍କଠୁ ନିଆଯାଇଥିଲା । ଏହା ସତ୍ତ୍ୱେ ତାଙ୍କୁ କୌଣସି ମେସେଜ ଆସିନଥିଲା । କୋଲକାତା ପୋଲିସ ଏନେଇ ତଦନ୍ତ କରିବା ପରେ ଦେବାଞ୍ଜନଙ୍କୁ ଗିରଫ କରାଯାଇଛି ।

 

କରୋନାର ଥାର୍ଡ ୱେଭ୍ ଆସିବା ପୂର୍ବରୁ ଜାଣି ପାରିବୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାରେ ଲାଗିଛି । ଆଉ ଆଗାମୀ ଦିନରେ ତୃତୀୟ ଲହର ଆସିବା ନେଇ କୁହାଯାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଥାର୍ଡ ୱେଭ୍ ଆସିବା ପୂର୍ବରୁ ଆଗୁଆ ଜାଣି ହେବ । କେବେ ଥାର୍ଡ ୱେଭ ଓଡ଼ିଶା ଆସିବ ତାହା ଆମେ ପୂର୍ବରୁ ହିଁ ଜାଣି ପାରିବୁ । ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା । ତେଣୁ ଆଶା କରୁଛୁ ଥାର୍ଡ ୱେଭ୍ ଆମ ଦେଶକୁ ଆସିଲେ ଜାଣି ହେବେ । ମାତ୍ର ବର୍ତ୍ତମାନଠୁ ଆମେ ଥାର୍ଡ ୱେଭ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ।

Odisha Prepared For Fight With Third Wave Of Covid19

ଭ୍ୟାକ୍ସିନ୍ ନେଇ ଆଇସିଏମଆର ଷ୍ଟଡି ଉପରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଭ୍ୟାକ୍ସିନ୍ ନେଇ କରୋନା ପଜିଟିଭ୍ ହୋଇଥିବା ୨୭୪ ଜଣଙ୍କର ଅଧ୍ୟୟନ କରାଯାଇଥିଲା । ଭ୍ୟାକ୍ସିନ୍ ନେବା ଦ୍ୱାରା ସୁରକ୍ଷା ମିଳୁଛି ଏବଂ ସିଭିୟରିଟି ଅଧିକ ହେଉନାହିଁ । ଏହା ଆମ  ଶରୀରରେ ଆଣ୍ଟିବଡ଼ି ମଧ୍ୟ ସୃଷ୍ଟି କରୁଛି । ତଥାପି ଏହାର ଅଧିକ ଅନୁଧ୍ୟାନ ଆବଶ୍ୟକ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଷୟିକ କମିଟି ଭ୍ୟାକ୍ସିନ୍ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି । କେତେ ଲୋକଙ୍କର ସିଭିୟରିଟି ହେଉଛି ସେ ନେଇ ଷ୍ଟଡି କରୁଥିବା ସେ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨୯୧୨ ପଜିଟିଭ୍

ଏବେ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ବେଳେ ବେଳେ ବଢ଼ୁଛି ଏବଂ କମୁଛି । ସଂକ୍ରମଣ ବଢ଼ିଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଆରଏସପିରେ ଶ୍ରମିକଙ୍କ ଆନ୍ଦୋଳନ, ନୂତନ ମଜୁରୀ ଚୁକ୍ତିନାମା କାର୍ଯ୍ୟକାରୀ ଦାବି

ଭୁବନେଶ୍ୱର: ସେଲ୍ ଅଧିନରେ ପରିଚାଳିତ ଦେଶର ବିଭିନ୍ନ ଇସ୍ପାତ କାରଖାନା ସହିତ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ । କର୍ମଚାରୀଙ୍କ ନୂତନ ମଜୁରୀ ଚୁକ୍ତିନାମା କାର୍ଯ୍ୟକାରୀ ହେବାରେ ବିଳମ୍ବ ହୋଇଥିବାରୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଉରକେଲା ଇସ୍ପାତ କାରଖାନା ଫାଟକ ସମ୍ମୁଖ ବିଶ୍ରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶ୍ରମିକ ସଂଗଠନ ।

Protest In RSP Demanding New Payment Policy

ସେଲ୍ କର୍ମଚାରୀଙ୍କ ନୂତନ ମଜୁରୀ ଚୁକ୍ତିନାମା କାର୍ଯ୍ୟକାରୀ ହେବାରେ ୪ ବର୍ଷ ୫ ମାସ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ୨୦୧୭ ମସିହା ଜାନୁଆରୀ ମାସ ୧ ତାରିଖରୁ ନୂତନ ମଜୁରୀ ଚୁକ୍ତିନାମା କାର୍ଯ୍ୟକାରୀ ହେବାର ଥିଲେ ମଧ୍ୟ ଏହା ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେଲ୍ କର୍ତ୍ତୃପକ୍ଷ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ମଜୁରୀ ଚୁକ୍ତିନାମା କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଥିବାରୁ ଆନ୍ଦୋଳନ ବ୍ୟାପକ ପାଇଁ ନିଷ୍ପତ୍ତି ହୋଇଛି ।

Protest In RSP Demanding New Payment Policy

ଆସନ୍ତା ୨୮ ତାରିଖରେ କଳାଚ୍ୟାଚ ପିନ୍ଧି ଆନ୍ଦୋଳନ, ୨୯ରେ ଇସ୍ପାତ କାରଖାନା ଫାଟକ ସମ୍ମୁଖରେ ଅନଶନ ଓ ୩୦ ତାରିଖ ସମସ୍ତ ଇସ୍ପାତ କାରଖାନାରେ ଧର୍ମଘଟ ଆନ୍ଦୋଳନ ପାଇଁ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ନିଷ୍ପତ୍ତି ହୋଇଛି । ନୂତନ ମଜୁରୀ ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ କରିବା ସହିତ କୋଭିଡରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ଓ ପରିବାରର ଜଣଙ୍କୁ ଚାକିରି ପ୍ରଦାନ ପାଇଁ ଦାବି ହେଉଛି । ସେଲ ଗତ ବର୍ଷ ପ୍ରଫିଟ କରିଥିବାରୁ କର୍ମଚାରୀଙ୍କ ନୂତନ ମଜୁରୀ ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି ଶ୍ରମିକ ।

ଅଭିନେତ୍ରୀଙ୍କ ଫଟୋ ଦେଇ STET ପରୀକ୍ଷା ପାସ୍, ଫଳାଫଳ ଭାଇରାଲ ପରେ ହେଲା କାର୍ଯ୍ୟାନୁଷ୍ଠାନ

ବିହାର: STET ପରୀକ୍ଷାରେ ଜଣେ ପ୍ରାର୍ଥୀଙ୍କ ଅବହେଳା ତାଙ୍କୁ ଅଡ଼ୁଆରେ ପକାଇଛି । STET ୨୦୧୯ ପରୀକ୍ଷା ପାଇଁ ଦେଇଥିବା ଫର୍ମରେ ଋଷିକେଶ କୁମାର ନାମକ ଜଣେ ଛାତ୍ର ସାଉଥ୍ ଅଭିନେତ୍ରୀ ଅନୁପମା ପରମେଶ୍ୱରମଙ୍କ ଫଟୋ ଲଗାଇଥିଲେ । ଋଷିକେଶ ପରୀକ୍ଷା ଦେବା ପରେ ପାସ୍ କରିଛନ୍ତି ଏବଂ ଅଭିନେତ୍ରୀଙ୍କ ଫଟୋ ତାଙ୍କ ମାର୍କସିଟରେ ରହିଛି ।

ଏହି ମାମଲାରେ ବିହାର ବୋର୍ଡ (BSEB) ଋଷିକେଶ କୁମାରଙ୍କୁ ଅଭିନେତ୍ରୀଙ୍କ ଫଟୋ ଲଗାଇବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏହା ସହିତ ପ୍ରାର୍ଥୀଙ୍କ ଆବେଦନ ମଧ୍ୟ ବାତିଲ କରାଯାଇଛି। STET ୨୦୧୯ ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନେ ନିଜେ ପରୀକ୍ଷା ଫର୍ମ ପୂରଣ କରିଥିଲେ ।

ବିହାର ଜହାନାବାଦ ଜିଲ୍ଲାର ଜଣେ ପ୍ରାର୍ଥୀ ଋଷିକେଶ କୁମାର ତାଙ୍କ ପରୀକ୍ଷା ଫର୍ମରେ ନିଜ ଫଟୋ ବଦଳରେ  ଅଭିନେତ୍ରୀଙ୍କ ଫଟୋ ଅପଲୋଡ୍ କରିଛନ୍ତି। ଭୁଲକୁ ସୁଧାରିବା ପାଇଁ BSEB ସମସ୍ତ ପ୍ରାର୍ଥୀଙ୍କୁ ନିବେଦନ କରିଥିଲା। ଏହା ସତ୍ତ୍ୱେ ଋଷିକେଶ କୁମାରଙ୍କ ଫଟୋରେ କୌଣସି ପରିବର୍ତ୍ତନ ହୋଇନଥିଲା । ପରୀକ୍ଷା ଦେବା ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ଫଟୋ ସେହି ଫର୍ମରେ ଥିଲା । ଏବଂ ବିଶେଷ କଥା ହେଉଛି ଯେ, ସୋସିଆଲ ମିଡିଆରେ ନିଜ ଫଟୋ ବଦଳରେ ଅନ୍ୟ କାହା ଫଟୋ ଅପଲୋଡ୍ କଲା ଭଳି ପ୍ରାର୍ଥୀ ଜଣକ ଫେକ୍ ଫଟୋ ଦେଇ ପରୀକ୍ଷା ମଧ୍ୟ ଦେଇଛନ୍ତି ।

ଋଷିକେଶ କୁମାରଙ୍କ ଆଡମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ରହିଥିଲା । ଏବଂ ଏହି ଆଡମିଟ୍ କାର୍ଡ ନେଇ ସେ ପରୀକ୍ଷା ମଧ୍ୟ ଦେଇଥିଲେ। ବୋର୍ଡର କହିବା ଅନୁସାରେ ପରୀକ୍ଷା ସମୟରେ ଫଟୋ ତ୍ରୁଟି ହେତୁ କୌଣସି ପ୍ରାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବା ଅନୁଚିତ୍ । ଏଥିପାଇଁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଆଧାରରେ ପରୀକ୍ଷା ହଲରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଥିଲା।

ଏହି ପରୀକ୍ଷାରେ ଋଷିକେଶ କୁମାର ମଧ୍ୟ ପାସ୍ କରିଛନ୍ତି । ତଥାପି ସେ ଫଟୋ ବଦଳାଇ ନଥିଲେ। ବର୍ତ୍ତମାନ ମାର୍କସିଟର ଫଟୋ ଭାଇରାଲ ହେବା ପରେ ବିହାର ବୋର୍ଡ ଏହି ମାମଲା ନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି । ଏହା ସହିତ ଋଷିକେଶଙ୍କୁ ନୋଟିସ୍ ଜାରି କରାଯାଇଛି । କେବଳ ସେତିକି ନୁହେଁ ପରୀକ୍ଷାରେ ପାସ୍ ହେବା ପରେ ତାଙ୍କ ଫଳାଫଳକୁ ରଦ୍ଦ କରାଯାଇଛି। ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିହାର ବୋର୍ଡ କହିଛି।

ମନ୍ଦିର ପୂଜକଙ୍କୁ ସହାୟତାର ହାତ ବଢ଼ାଇଲା ବିଜୁ ଯୁବ ଜନତା ଦଳ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ତାଲାବନ୍ଦ କାରଣରୁ ରାଜ୍ୟର ସମସ୍ତ ଦେବାଳୟ ବନ୍ଦ ରହିଛି । ମନ୍ଦିର ପୂଜକ ମାନେ ଆର୍ଥିକ ଅନଟନରେ ଗତି କରୁଛନ୍ତି । ମନ୍ଦିର ପୂଜକ ମାନଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ସହାୟତାର ହାତ ବଢ଼ାଇଛନ୍ତି । ସ୍ନାନ ପୂର୍ଣ୍ଣିମାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରରେ ପୂଜକ ମାନଙ୍କୁ ଦୈନନ୍ଦିନ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ସେ ।

BYJD State General Secretary Distributes Grocery To Priest During Lockdown

ଏହି ବିପତ୍ତି ସମୟରେ ଅସୁବିଧାରେ ଥିବା ମନ୍ଦିର ପୂଜକ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ କରିଛନ୍ତି ଆଶିଷ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସମରେନ୍ଦ୍ର ସାହୁ, ଯୁବ ସମାଜସେବୀ ଅନିରୁଦ୍ଧ ଲେଙ୍କା, ଉମାକାନ୍ତ ପୃଷ୍ଟି, କିରଣ ଦାଶ, ଦେବୀଦତ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

୪୬ ବର୍ଷ ତଳେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି, ଜାଣନ୍ତୁ ଇନ୍ଦିରା ଗାନ୍ଧୀ କିପରି ଲଗାଇଲେ ଜରୁରୀକାଳୀନ ପରିସ୍ଥିତି ?

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତା ହାସଲ କରିବା ପରେ ଭାରତ ଇତିହାସରେ ଅନେକ କିଛି ଲିପିବଦ୍ଧ ହୋଇଛି। ଏମିତି କିଛି ଘଟଣା ଯାହା ଦେଶର ରାଜନୀତିକୁ ବଦଳାଇ ଦେଇଛି। ଇତିହାସର ଅଧ୍ୟାୟ ଗୁଡ଼ିକ ମଧ୍ୟରୁ ଏମୋର୍ଜେନ୍ସି ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ୧୯୭୫ ମସିହା ଜୁନ୍ ୨୫ ତାରିଖ ମାନେ ଆଜିର ଦିନରେ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିଶ କ୍ରମେ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା। ଯାହା ସୃଷ୍ଟି କରିଥିଲା ଅନେକ ଐତିହାସିକ ଘଟଣା। ଭାରତୀୟ ରାଜନୀତି ଇତିହାସରେ ଏହା ଥିଏଲା ସବୁଠାରୁ ବିବାଦୀୟ ସମୟ। କାରଣ ଜରୁରୀକାଳୀନ ସମୟରେ ଭାରତରେ ସ୍ଥଗିତ ରଖାଯାଇଥିଲା ନିର୍ବାଚନ। ଗଣତାନ୍ତ୍ରୀକ ରାଷ୍ଟ୍ରରେ ନିର୍ବାଚନ ବନ୍ଦ ହେବା ସମସ୍ତଙ୍କୁ ବିପଦର ସଂକେତ ଦେଇଥିଲା। ୧୯୭୫ ମସିହା ଜୁନ ୨୫ ତାରିଖ ଠାରୁ ୨୧ ମାର୍ଚ ପର୍ଯ୍ୟନ୍ତ ଭାରତରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା।

ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ସରକାରଙ୍କ ସୁପାରିଶ କ୍ରମେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଫଖରୁଦ୍ଦିନ ଜରୁରୀକାଳୀନ ଡ୍ରାଫ୍ଟ ଉପରେ ୨୫ ଜୁନର ମଧ୍ୟରାତ୍ରିରେ ସ୍ୱାକ୍ଷର କରିଥିଲେ। ଭାରତୀୟ ସମ୍ବିଧାନର ଧାରା ୩୫୨ ଅନୁଯାୟୀ ଘୋଷଣା କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି। କଠୋର ହୋଇ ଉଠିଥିଲା ଇନ୍ଦିରା ଗାନ୍ଧିଙ୍କ ସରକାର। ଯିଏବି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା ତାଙ୍କୁ କାରାଗାରର ୪ କାନ୍ଥ ଭିତରକୁ ଠେଲି ଦେଉଥିଲେ ଇନ୍ଦିରା ଗାନ୍ଧି। ଏହି ଭୟରେ ଅନେକ ନେତା ଭୟରେ ଚୁପ ହୋଇ ରହିଯାଇଥିଲେ। ଯାହା ପରେ ସମଗ୍ର ଦେଶ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ତାନ ପୁଅ ସଞ୍ଜୟ ଗାନ୍ଧୀଙ୍କ ବନ୍ଧକ ହୋଇଥିଲେ।

ଇନ୍ଦିରା ଗାନ୍ଧୀଙ୍କ ସାନପୁଅ ସଞ୍ଜଜୟ ଗାନ୍ଧୀ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିମାନେ ଦିଲ୍ଲୀରେ ସୌନ୍ଦର୍ଯ୍ୟକରଣ ପାଇଁ ଜବରଦଖଲ ଉଚ୍ଛେଦ କରିବା ଭଳି ଜରୁରୀକାଳୀନ ପରିସ୍ଥିତିରେ ଅନେକ ନିଷ୍ପତ୍ତି ନେଇଥିଲେ। ଏହି ନେତାମାନଙ୍କ ମଧ୍ୟରୁ ଅନେକ ଏପରି ଥିଲେ ଯେଉଁମାନେ ପରେ ବିଜେପିରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଜରୁରୀକାଳୀନ ସମୟରେ କଂଗ୍ରେସରେ ଥିବା କିଛି ନେତା ପରେ ଏକ ଅଲଗା ଦଳ ଗଠନ କରିଥିଲେ। ଯେଉଁମାନଙ୍କ ସହ ବିଜେପି ହାତ ମିଳାଇ ପରବର୍ତ୍ତି ମୁହୂର୍ତ୍ତରେ ସରକାର ଗଠନ କରିଥିଲା। ତେବେ ଆଜି ମଧ୍ୟ ବିଜେପି କଂଗ୍ରେସକୁ ଜରୁରୀକାଳୀନ ପରିସ୍ଥିତି ଉପରେ ପ୍ରଶ୍ନ କରୁଛି।

ଜୁନ୍ ୨୬ ତାରିଖର ସକାଳ ଥିଲା ଜରୁରୀକାଳୀନ ପରିସ୍ଥିତି ସରକାର। ଦେଶରେ ଅନେକ ବ୍ୟବସ୍ଥା ବଦଳି ଯାଇଥିଲା। ସକାଳ ୬ଟା ସମୟରେ ଇନ୍ଦିରା ଗାନ୍ଧୀ କ୍ୟାବିନେଟର ଏକ ଜରୁରୀ ବୈଠକ ଡାକିଥିଲେ। ଯେଉଁଥିରେ ଗୃହ ସଚିବ ଖୁରାନା ଜରୁରୀକାଳୀନ ମନିଫେଷ୍ଟକୁ କ୍ୟାବିନେଟରେ ବର୍ଣ୍ଣନା କରିଥିଲେ।

ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବେ କ୍ଷଣି ଆରମ୍ଭ ହୋଇଥିଲା ବିରୋଧିଙ୍କୁ ଗିରଫ ହେବା କାର୍ଯ୍ୟ। ଇନ୍ଦିରା ଗାନ୍ଧିଙ୍କ କଡ଼ା ପ୍ରତିଦ୍ୱନ୍ଦ୍ୱୀ ଭାବରେ ପରିଗଣିତ ହେଉଥିବା ଜୟପ୍ରକାଶ ନାରାୟଣଙ୍କୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ମାତ୍ରେ ୨୬ ଜୁନ୍ ରାତି ୧.୩୦  ମିନିଟ ସମୟରେ ଗିରଫ କରାଯାଇଥିଲା। ତାଙ୍କ ସହ ଇନ୍ଦିରାଙ୍କ ନୀତିକୁ ବିରୋଧ କରୁଥିବା ଅନ୍ୟ ଅନେକ ନେତାଙ୍କୁ ମଧ୍ୟ ଗିରଫ କରାଯାଇ ଦେଶର ଅନେକ ଜେଲରେ ରଖିଥିଲେ ଇନ୍ଦିରା।

ସେତେବେଳେ ଦେଶର ଜରୁରୀକାଳୀନ ପରିସ୍ଥିତି ବିଷୟରେ ସୂଚନା ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ସାଧାରଣ ଜନତାଙ୍କୁ ଦିଆଯାଇଥିଲା। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ ମେଣ୍ଟେନାନ୍ସ ଅଫ୍ ଆଭ୍ୟନ୍ତରୀଣ ସୁରକ୍ଷା ଆଇନ (MISA) ଅନୁଯାୟୀ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା।

ଏହି ମହିଳାଙ୍କ ପାଇଁ ଭାଙ୍ଗିଥିଲା କରିସ୍ମା ଓ ଅଭିଷେକଙ୍କ ବିବାହ

ମୁମ୍ବାଇ: ୯୦ ଦଶକରେ ବଲିଉଡରେ ରାଜ କରୁଥିଲେ ଅଭିନେତ୍ରୀ କରିସ୍ମା କପୁର । ସେହି ସମୟରେ ସେ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀରେ ବେଶ ଚର୍ଚ୍ଚାରେ ରହୁଥିଲେ। କପୁର ଖାନଦାନର ସମସ୍ତ କଳାକାର ପ୍ରଥମରୁ ହିଁ ସୁପରଷ୍ଟାର ରହିଆସିଛନ୍ତି। ଆଜିକାଲି କରିସ୍ମା ଲାଇମ୍‌ଲାଇଟ୍‌ରୁ ଦୂରାଇ ଯାଇଛନ୍ତି ସତ ହେଲେ ଏବେ ବି ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ। ଫିଲ୍ମରେ ନଜର ଆସୁନାହାନ୍ତି କରିସ୍ମା ହେଲେ ତଥାପି ଚର୍ଚ୍ଚାରେ ଅଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ। ବଲିଉଡକୁ ଅନେକ ଧମାକେଦାର ଫିଲ୍ମ ଦେଇଛନ୍ତି କରିସ୍ମା।

ତେବେ ବଲିଉଡର କିଛି ଲଭ ଷ୍ଟୋରୀ ବିବାହ ବନ୍ଧନରେ ପରିଣତ ହୋଇଛି ତ ଆଉ କିଛି ବ୍ରେକ୍ ଅପର ରୂପ ନେଇଛି । ଏହା ସହିତ ଏମିତି କିଛି ପ୍ରେମ କାହାଣୀ ମଧ୍ୟ ରହିଛି ଯାହା ବିବାହ ପୂର୍ବରୁ ଭାଙ୍ଗିଯାଇଛି । କରିସ୍ମା ହେଉଛନ୍ତି ସେଥିମଧ୍ୟରୁ ଜଣେ । ସେ ତାଙ୍କ ଫିଲ୍ମି କ୍ୟାରିଅର ପାଇଁ ଯେତିକି ଚର୍ଚ୍ଚାରେ ରହିଛନ୍ତି ସେତିକି ନିଜ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅଛନ୍ତି। ତାଙ୍କ ବିବାହିତ ଜୀବନକୁ ସେ ସଫଳ କରିପାରିଲେ ନାହିଁ। ଏହା ବ୍ୟତୀତ କରିସ୍ମାଙ୍କ ଏଫେୟର ମଧ୍ୟ କାହାଠୁ ଲୁଚିନଥିଲା ।

ଅଭିଷେକ ବଚ୍ଚନ ଏବଂ କରିସ୍ମା କପୁରଙ୍କ ଯୋଡି ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା । ଅଭିଷେକ ଓ କରିସ୍ମା କପୁର ପିଲା ବେଳୁ ପରସ୍ପରଙ୍କୁ ଜାଣିଥିଲେ। ରିପୋର୍ଟ ଅନୁଯାୟୀ, ଅମିତାଭ ବଚ୍ଚନଙ୍କ ୬୦ତମ ଜନ୍ମଦିନ ଅବସରରେ କରିସ୍ମା କପୁର ଏବଂ ଅଭିଷେକ ବଚ୍ଚନଙ୍କ ନିର୍ବନ୍ଧ ନେଇ ଘୋଷଣା କରାଯାଇଥିଲା। ଫିଲ୍ମି ଜଗତର ଦୁଇଟି ପାୱାରଫୁଲ ପରିବାର କପୁର୍ସ ଏବଂ ବଚ୍ଚନ ସମ୍ପର୍କୀୟ ହେବାକୁ ଯାଉଥିଲେ। କିନ୍ତୁ ଏହି ସମ୍ପର୍କ ଗଢ଼ିବା ପୂର୍ବରୁ ଭାଙ୍ଗି ଯାଇଥିଲା । ତେବେ ଏହି ବିବାହ ଭାଙ୍ଗିବାର କାରଣ କରିସ୍ମା କପୁରଙ୍କ ମାଆ ବବିତା କପୁର ବୋଲି କୁହାଯାଏ ।

ସୂଚନାଯୋଗ୍ୟ ଯେ, କରିସ୍ମାଙ୍କ ମା ବିଗ୍ ବି ଅର୍ଥାତ୍ ଅମିତାଭ ବଚ୍ଚନଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ। ସେହି ସମୟରେ ବଚ୍ଚନଙ୍କ ପରିବାରର ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ବବିତା ତାଙ୍କ ଝିଅର ଭବିଷ୍ୟତକୁ ନେଇ ଚିନ୍ତିତ ଥିଲେ। ବଚ୍ଚନ ପରିବାରର ସମ୍ପତ୍ତିରେ ଅଭିଷେକଙ୍କ ଭାଗ ପ୍ରଥମେ ରଖିବାକୁ ଦାବି କରିଥିଲେ ବବିତା। ଏହା ଶୁଣି ବଚ୍ଚନ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଥିପାଇଁ ଏହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ଏହା ପରେ ୨୦୦୩ ମସିହାରେ କରିସ୍ମାଙ୍କ ବିବାହ ସଞ୍ଜୟ କପୁରଙ୍କ ସହ ହୋଇଥିଲା। ବିବାହର କିଛି ବର୍ଷ ପରେ ଉଭୟପରସ୍ପରଙ୍କଠାରୁ ଅଲଗା ହୋଇଥିଲେ।କରିସ୍ମା କପୁର ଓ ସଂଜୟ କପୁରଙ୍କ ବିବାହ ବିଚ୍ଛେଦ ପରେ ଝିଅ ଓ ପୁଅ ସହ କରିସ୍ମା ଏକା ରୁହନ୍ତି। କରିସ୍ମା, କପୁର ବଂଶର ପ୍ରଥମ ଝିଅ ଯିଏ ବିବାହ ପରେ ମଧ୍ୟ ସିନେମାରେ କାମ କରିଛନ୍ତି।

ଦୁଇଟି ଡୋଜ୍‌ ଟିକା ନେବା ପରେ ବି ୭୬ ପ୍ରତିଶତ କରୋନା ସଂକ୍ରମିତ: ଅଧ୍ୟୟନ

ନୂଆଦିଲ୍ଲୀ: କରୋନାର ଏକ ମାତ୍ର ସଞ୍ଜୀବନୀ ହେଉଛି ଭ୍ୟାକ୍ସିନ। ଭ୍ୟାକ୍ସିନ ନେବା ଦ୍ୱାରା ଆମେ କରୋନାଠୁ ଦୁରେଇ ରହିପାରିବା। କିନ୍ତୁ ଏମିତି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି ଯାହା ଆଶଙ୍କା ଭିତରକୁ ଠେଲି ଦେଉଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ICMR। କରୋନା ଟିକାକରଣ ଏବଂ ସଂକ୍ରମଣ ସମ୍ବନ୍ଧରେ ଦେଶର ପ୍ରଥମ ଅଧ୍ୟୟନ ପ୍ରକାଶ କରିଛି। ଯାହା ଅନୁଯାୟୀ ୭୬ ପ୍ରତିଶତ ଲୋକ ଭ୍ୟାକ୍ସିନର ଦୁଇଟି ଯାକ ଡୋଜ ନେବା ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମଣର ଶିକାର ହେବା ପରେ, ଏମାନଙ୍କ ମଧ୍ୟରୁ କେବଳ ୧୬ ପ୍ରତିଶତ ଲୋକ ବିନା ଲକ୍ଷଣ ଥିବା କରୋନା ସଂକ୍ରମିତ ମିଳିଥିଲେ। ଖାଲି ସେତିକି ନୁହେଁ ଏମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଲୋକଙ୍କର ଦେହ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା।

ଅଧ୍ୟୟନ ସମୟରେ ୩୬୧ ଜଣଙ୍କ ମଧ୍ୟରୁ ୨୭୪ ଜଙ୍କର RT PCR ପରୀକ୍ଷାରେ କରୋନା ପଜିଟିଭ ଥିବା ଜଣାପଡ଼ିଛି। ଏହି ବ୍ୟକ୍ତିମାନେ ଭ୍ୟାକ୍ସିନର ଦୁଇଟି ଡୋଜ ନେବାର ୧୪ ଦିନ ପରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ। କୋଭିଶିଲ୍ଡ ଏବଂ କୋଭାକ୍ସିନକୁ ନେଇ ଚାଲିଥିବା ବିବାଦ ଉପରେ ଆଇସିଏମଆର ସ୍ପଷ୍ଟ କରିଛି ଯେ କୋଭିଶିଲ୍ଡ ନେଉଥିବା ଲୋକଙ୍କଠାରେ ଅଧିକ ଆଣ୍ଟିବଡି ଉତ୍ପାଦନ ହେଉଥିବା ବେଳେ କୋଭାକ୍ସିନ ନେଉଥିବା ଲୋକଙ୍କ ମଧ୍ୟରେ ମାତ୍ର ୭୭ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି।

ମେଡିକାଲ ଜର୍ଣ୍ଣାଲ ରିସର୍ଚ୍ଚ ସ୍କୋୟାରରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ ଟିକା ନେଇଥିବା ୩୬୧ ଜଣଙ୍କ ନମୁନା ଭୁବନେଶ୍ୱରର ଆଇସିଏମଆର ଆଞ୍ଚଳିକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି। ଅନୁସନ୍ଧାନରେ, ସମସ୍ତ ନମୁନା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ଟିକାର ଦୁଇଟି ଡୋଜ ନେଇ ନଥିଲେ ୮୭ ଜଣଙ୍କୁ ଏହି ଅଧ୍ୟୟନରୁ ବାଦ ଦିଆଯାଇଥିଲା। ଦୁଇଟି ଡୋଜ ନେଇଥିବା ୨୭୪ ଜଣଙ୍କ ମଧ୍ୟରୁ ୩୫ ଜଣ କୋଭାକ୍ସିନର ଉଭୟ ଡୋଜ ନେଇଥିଲେ ଏବଂ ଅନ୍ୟ ୨୩୯ ଜଣ କୋଭିଶିଲ୍ଡର ଉଭୟ ଡୋଜ ନେଇଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୧ ରୁ ଜୁନ୍ ୧୦ ପର୍ଯ୍ୟନ୍ତ ଚାଲିଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ କୋଭାକ୍ସିନର ଉଭୟ ଡୋଜ ନେବା ପରେ ସଂକ୍ରମିତ ହୋଇଥିବା ୪୩ ପ୍ରତିଶତ ଲୋକ ଦ୍ୱିତୀୟ ଲହର ସମୟରେ କୋଭିଡ ୱାର୍ଡରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀ ଅଟନ୍ତି। ୧୦ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ କୋଭିଶିଲ୍ଡ ନେବା ପରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଯଦି ଦେଖିବା ଏମାନଙ୍କ ମଧ୍ୟରେ ଟିକା ନେବାର ୪୫ ଦିନ ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ଏବଂ  କୋଭାକ୍ସିନ୍ ନେଇଥିବା ଲୋକମାନଙ୍କ ମଧ୍ୟରେ ୩୩ ଦିନ ମଧ୍ୟରେ ସଂକ୍ରମଣ ଘଟିଛି।

ଅଧ୍ୟୟନ ସମୟରେ କୋଭିଶିଲ୍ଡ ନେଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆଇସିଏମଆର ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଟିକା ଗ୍ରହଣ କରିବା ପରେ ଯେଉଁମାନେ କରୋନା ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ୯.୯ ପ୍ରତିଶତ ବ୍ୟକ୍ତି ଡାକ୍ତରଖାନାରେ ଆଡମିଶନ ହୋଇଥିଲେ। ୧୧ ଦିନ ପରେ ସୁସ୍ଥ ହେବାରୁ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା।

କୋଭାକ୍ସିନ ଏବଂ କୋଭିଶିଲ୍ଡ ଡେଲ୍ଟା ଭ୍ୟାରିଆଣ୍ଟକୁ ସାମ୍ନା କରିବାର ସାମର୍ଥ୍ୟ ରଖୁଛି ବୋଲି ଦାବି କରୁଥିବା ବେଳେ ବୈଜ୍ଞାନିକ ମାନେ କିନ୍ତୁ କିଛି ଅଲଗା ଯୁକ୍ତି ବାଢ଼ିଛନ୍ତି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଟୀକାକରଣ ପରେ ମଧ୍ୟ ଡେଲଟା ଭ୍ୟାରିଆଣ୍ଟ ଦ୍ୱାରା ଲୋକ ସଂକ୍ରମିତ ହୋଇପାରନ୍ତି। କାରଣ ଡେଲଟା ଭ୍ୟାରିଆଣ୍ଟ ଆଣ୍ଟିବଡି ହ୍ରାସ କରିଥାଏ।

 

ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨୯୧୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଥମିବାରେ ଲାଗିଛି । ଦୈନିକ ସଂକ୍ରମଣ ମାମଲା ୩ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨ ହଜାର ୯୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୬୭୫ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୨୩୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୪୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୯ ଜଣ, ବାଲେଶ୍ୱରରୁ ୨୨୦ ଜଣ, ବରଗଡ଼ରୁ ୩୧ ଜଣ, ଭଦ୍ରକରୁ ୧୩୬ ଜଣ, ବଲାଙ୍ଗିରରୁ ୧୨ ଜଣ, ବୌଦ୍ଧରୁ ୧୮ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୪୨ ଜଣ, ଗଜପତିରୁ ୧୩ ଜଣ, ଗଞ୍ଜାମରୁ ୧୮ ଜଣ, ଜଗତସିଂହପୁରରୁ ୧୩୧ ଜଣ, ଯାଜପୁରରୁ ୨୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୭୧, କେନ୍ଦୁଝରରୁ ୭୦, କୋରାପୁଟରୁ ୫୪, ମାଲକାନଗିରିରୁ ୪୯, ମୟୂରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୫୦, ନୟାଗଡ଼ରୁ ୧୪୦, ନୂଆପଡ଼ାରୁ ୮, ପୁରୀରୁ ୧୬୧, ରାୟଗଡ଼ାରୁ ୫୨, ସମ୍ବଲପୁରରୁ ୩୦, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୭୧ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ଗତ ୨୪ ଘଣ୍ଟାରେ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ୩ ହଜାର ୮୦୧କୁ ବୃଦ୍ଧି ପାଇଛି । ସେହିଭଳି ରାଜ୍ୟରେ ସଂକ୍ରମଣ ମାମଲା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଥିବା ବେଳେ ୮ ଲକ୍ଷ ୫୬ ହଜାର ୪୯୮ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୩୩ ହଜାର ୧୫୬ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।