ବିରାମ ନେଲା କ୍ରୀଡ଼ା ମହାକୁମ୍ଭ ଟୋକିଓ: ଆମେରିକାର ହାତେଇଲା ସର୍ବାଧିକ ପଦକ, ଶେଷରେ ଭାରତକୁ ସ୍ୱର୍ଣ୍ଣ

1 min read

ନ୍ନଦିଘୋଷ ବ୍ୟୁରୋ: ୧୭ ଦିନର କସରତରେ ପଡିଛି ବିରାମ । ସମଗ୍ର ବିଶ୍ୱର ପ୍ରୟୋଗଶାଳା ଟୋକିଓ ଶେଷ ହୋଇଛି  । ଶେଷରେ ଶେଷ ହୋଇଛି ଟୋକିଓ ଅଲିମ୍ପିକ୍ସ । ଆମେରିକା, ଚୀନ ଓ ଜାପାନ ଅଧିକ ମେଡାଲ ହାତେଇ ପଏଣ୍ଟ ଟେବୁଲର ଟପ୍‌ରେ ରହିଥିଲେ ମଧ୍ୟ ସଭିଙ୍କ ନଜର ଥିଲା ଭାରତୀୟ ଖେଳାଳିଙ୍କ ଉପରେ । ରୁପାରୁ ଆରମ୍ଭ ହୋଇ ସୁନାରେ ଶେଷ ହୋଇଛି ଭାରତର ଅଲିମ୍ପିକ୍ସ ଅଭିଯାନ । ଭାରତୀୟ ଆଥଲେଟ୍ ୭ଟି ମେଡାଲ୍ ହାତେଇ ଦେଶବାସୀଙ୍କ ମନ ଜିଣିଛନ୍ତି ।

କିଛିଟା ରୋମାଞ୍ଚ, କିଛିଟା ଟେନସନ୍ ଆଉ ଅନେକ ଖୁସି, କେତେବେଳେ ହାର୍ଟବିଟ୍ ବଢିଯାଉଥିଲା ତ କେତେବେଳେ ଆଖିରୁ ଲୁହ ଆସୁଥିଲା, ପୁଣି କେତେବେଳେ ପଦକ ପାଇଁ ପଡୁଥିଲା ଜୟ ଜୟକାର। ଏହାରି ମଧ୍ୟରେ ଶେଷ ହୋଇଛି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ। ଜାପାନରେ ମେଡାଲ୍ ବର୍ଷା ହୋଇଛି। ବିଶ୍ବର ମନ ଜିତିଛନ୍ତି ଭାରତୀୟ ଆଥଲେଟ୍ । ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇଥିବା କ୍ରୀଡା ମହାକୁମ୍ଭ ୧୭ ଦିନ ଧରି ଚାଲିଥିଲା। ଆମେରିକା, ଚୀନ, ଜାପାନ ମେଡାଲ୍ ଟେବୁଲ୍‌ର ଟପ୍‌ରେ ଥିବା ବେଳେ ମନ ଜିତିଥିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ରଚିଛନ୍ତି ଇତିହାସ ।

ଭାରତର ଅଭିଯାନ ରୁପାରୁ ଆରମ୍ଭ ସୁନାରେ ଶେଷ । ମଣିପୁରର ଆଇରନ୍ ଲେଡି ମୀରାବାଇ ଚାନୁ ଦେଶ ପାଇଁ ଆଣିଥିଲେ ପ୍ରଥମ ରୌପ୍ୟ । ହେଲେ ଶେଷରେ ସୁନା ପୁଅ ନୀରଜ ଚୋପ୍ରା ହାତେଇଥିଲେ ଗୋଲ୍ଡ ମେଡାଲ । 49 କେଜି ବର୍ଗର ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ସମସ୍ତଙ୍କୁ ଚକିତ କରିଥିଲେ ଚାନୁ । ସେହିଭଳି ବ୍ୟାଡମିଣ୍ଟନରେ ଭାରତୀୟ ଆଥଲେଟ୍ ପି ଭି ସିନ୍ଧୁ ବ୍ରୋଞ୍ଜ ପଦକ ହାତେଇବାରେ ସକ୍ଷମ ହୋଇଥିଲେ । କୁସ୍ତିରେ ନିରାଶ କରିନଥିଲେ ବଜରଙ୍ଗ ପୁନିଆ। ସ୍ବର୍ଣ୍ଣ ପଦକ ପାଇଁ ଦାବିଦାର ଥିବା ପୁନିଆ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଟୋକିଓରେ ଚମକିଥିଲେ ଭାରତୀୟ ରେସଲର୍ ରବି ଦହିୟା। 57 କେଜି ଫ୍ରୀଷ୍ଟାଇଲ କୁସ୍ତିରେ ରୌପ୍ୟ ପଦକ ଜିତିଥିଲେ। ତେବେ ଦେଶର ନଜର ଥିଲା ହକି ଟିମ୍ ଉପରେ ।

41 ବର୍ଷ ପରେ ମେଡାଲ୍ ଜିତି ଇତିହାସ ରଚିଥିଲେ ମେନ୍ ଇନ୍ ବ୍ଲୁ। ସେମିଫାଇନାଲରେ ହାରିଥିଲେ ମଧ୍ୟ ପ୍ଲେ ଅଫରେ ବେଲଜିୟମକୁ 5-4ରେ ହରାଇ ବ୍ରୋଞ୍ଜ ପଦକ ହାତେଇଥିଲା ପୁରୁଷ ହକି ଟିମ୍ । ହକି ଟିମ୍ ଆଗକୁ ଯିବା ପଛରେ ରହିଛି ଓଡ଼ିଶା ସରକାରଙ୍କ ଅତୁଳନୀୟ ଅବଦାନ । ଉଭୟ ଟିମ୍ ପାଇଁ ଓଡ଼ିଶା ସରକାର ସ୍ପନସରସିପ୍ ଥିବାବେଳେ ହକି ଇଣ୍ଡିଆକୁ ଆଗେକୁ ନେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରହିଛି ଯଥେଷ୍ଟ ଅବଦାନ । ମହିଳା ବକ୍ସିଂରେ ଆସାମର 23 ବର୍ଷୀୟା ଲଭଲିନା ବ୍ରୋଞ୍ଜ ମେଡାଲ୍ ହାତେଇ ସମସ୍ତଙ୍କୁ ଚକିତ କରିଥିଲେ। ଶେଷରେ ଭାରତ ପାଇଁ ସ୍ବର୍ଣ୍ଣ ଜିତି ଟୋକିଓରେ ସଫଳତାର ନୂଆ ଅଧ୍ୟାୟ ଲେଖିଥିଲେ ହରିୟାଣାର ନୀରୋଜ ଚୋପ୍ରା। ଜାଭଲିନ ଥ୍ରୋର ଫାଇନାଲରେ 87. 58 ମିଟର ଥ୍ରୋ କରି ଇତିହାସ ରଚିଥିଲେ ଗୋଲଡେନ୍ ବଏ ନୀରଜ ଚୋପ୍ରା ।

ନୀରଜଙ୍କ ସଫଳତା ପଛରେ ରହିଛି ଓଡ଼ିଶା ସରକାରଙ୍କ ହାତ । କଳିଙ୍ଗ ଷ୍ଟାଡିୟମରେ ଲଗାତାର ଅଭ୍ୟାସ ଜାରି ରଖିଥିଲେ ନୀରଜ । ଅଭ୍ୟାସ ସମୟରେ କଳିଙ୍ଗ ଷ୍ଟାଡିୟମର ଉନ୍ନତ କ୍ରୀଡା ଭିତ୍ତିଭୂମିକୁ ଖୁବ୍ ପ୍ରଶଂସା କରିଥିଲେ ନୀରଜ । କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।  ବେଜିଂ ଅଲିମ୍ପିକ୍ସରେ ସର୍ବାଧିକ ୬ଟି ପଦକ ପାଇଥିବା ବେଳେ ଏଥର ୭ଟି ପଦକ ହାତେଇଛି ଭାରତ। ଭାରତକୁ ମିଳିଛି ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ । ଚଳିତ ଅଲିମ୍ପିକ୍ସରେ ବେଶ୍‌ ଚର୍ଚ୍ଚାରେ ଥିଲା ଓଡ଼ିଶା । ଓଡ଼ିଶାରୁ ୫ ଜଣ ଆଥଲେଟ୍ ଅଲିମ୍ପିକରେ ପ୍ରତିନିଧତ୍ୱ କରିଥିଲେ । ବିଶେଷକରି ହକି ପାଇଁ ଓଡ଼ିଶା ବିଶ୍ବ ଦରବାରରେ ପ୍ରଂଶସିତ ହୋଇଥିଲା। ଭାରତରୁ ଏଥର ମୋଟ ୧୨୭ ଜଣ ଖେଳାଳି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ।

Leave a Reply