କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖିଲେ ବିଜେଡ଼ି ସାଂସଦ, ଟଙ୍କା ଦେଲେ ହେବ ଜଳ ନିଷ୍କାସନ

ଭୁବନେଶ୍ୱର: ସହରାଞ୍ଚଳର ଉନ୍ନତୀକରଣ ପ୍ରସ୍ତାବ ଅନୁମୋଦନ କରିବାକୁ କେନ୍ଦ୍ର ପାଖରେ ଦାବି ରଖିଲା ରାଜ୍ୟ । ଭୁବନେଶ୍ବର ସମେତ କଟକ, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଭଳି ସହରର ଜଳ ନିଷ୍କାସନ ବ୍ୟବସ୍ଥା ସାଙ୍ଗକୁ ସହରର ଉନ୍ନତୀକରଣ ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଦେଇଥିବା ୩ହଜାର ୭ଶହ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିବାକୁ ଦାବି କରିଛି ବିଜେଡି ।

କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଭେଟି ଅମୃତ ଯୋଜନାରେ ସହରାଞ୍ଚଳର ଉନ୍ନତି ପାଇଁ ପ୍ରସ୍ତାବିତ ପ୍ରକଳ୍ପକୁ ମଂଜୁରୀ ଦେବା ପାଇଁ ଦାବି ଜଣାଇଛନ୍ତି ସାଂସଦ ସୁବାସ ସିଂହ, ମହେଶ ସାହୁ ଓ ମମତା ମହାନ୍ତ । ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ସାଙ୍ଗକୁ ସହରୀ ବାସିନ୍ଦାଙ୍କ ପାଇଁ ପାର୍କ, ପିଇବା ପାଣି ଓ ଅର୍ବାନ ଟ୍ରାନ୍ସପୋର୍ଟ ଭଳି ସର୍ବନିମ୍ନ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ୩୭ ଶହ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି ।

ବିଜେଡି ସାଂସଦଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏସବୁ ପ୍ରକଳ୍ପକୁ ବିଚାରକୁ ନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ସାଂସଦ ସୁବାସ ସିଂହ କହିଛନ୍ତି । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଯଦି ଅନୁମୋଦନ ଦିଅନ୍ତି, ତେବେ ରାଜ୍ୟର ଏହି ସବୁ ପ୍ରମୁଖ ସହର ଗୁଡ଼ିକରେ ବର୍ଷା ଦିନେ ଆଉ ଜଳ ସମସ୍ୟା ହେବନାହିଁ ବୋଲି ଦାବି ଉପସ୍ଥାପନା କରିଛନ୍ତି ବିଜେଡ଼ି ସାସଂଦ  ।

Leave a Reply