spot_img
Home Blog Page 5429

ଆସନ୍ତାକାଲିଠୁ ମିଳିବ ଆଡ଼ପ ଅବଢା, ଗୁଣ୍ଡିଚା ମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା

ପୁରୀ: ଶରଧାବାଲିରେ ତିନି ରଥ, ରଥାରୂଢ ହୋଇ ଦର୍ଶନ ଦେଉଛନ୍ତି ମହାବାହୁ। ଆଜି ସନ୍ଧ୍ୟାରେ ଶରଧାବାଲିରୁ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ରତ୍ନବେଦୀରୁ ଜନ୍ମବେଦୀକୁ ଆସିବା ପରେ ଥକିଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କାଳିଆ ଦେହ ଦରଜକୁ କମାଇବା ପାଇଁ ମଙ୍ଗଳ ଆଳତି ପରେ ସେବାୟତ ମାନେ କରିଥିଲେ ଘଷାମୋଡ଼ା। ସେପଟେ ଆସନ୍ତାକାଲିଠୁ ମିଳିବ ଆଡ଼ବ ଅବଢା। ଗୁଣ୍ଡିଚା ମନ୍ଦିର ଆଡ଼ପ ଅବଢ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ନୃସିଂହମନ୍ଦିର ଓ ବସଷ୍ଟାଣ୍ଡରେ ହେବ ଅବଢ଼ା ବିକ୍ରି ବ୍ୟବସ୍ଥା।

ସୁଆର ମହାସୁଆର ନିଯୋଗ ସହ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ସେପଟେ ଶରଧାବାଲିରେ ରହିଛନ୍ତି ତିନି ରଥ। ରଥାରୂଢ ଠାକୁରଙ୍କର ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। ଅପରାହ୍ନରେ ଆଡ଼ପ ମଣ୍ଡପ ବିଜେ ହେବେ ଚତୁର୍ଦ୍ଧାମୂର୍ତ୍ତି। ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୁରତି।

ନୂଆମନ୍ତ୍ରୀଙ୍କୁ ମିଳିଲା କ୍ୟାବିନେଟ୍‌ କମିଟିରେ ଏଣ୍ଟ୍ରି, କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ କମିଟିର ପୁନର୍ଗଠିତ

ଭୁବନେଶ୍ୱର: କ୍ୟାବିନେଟ ସମ୍ପ୍ରସାରଣ ପରେ ଏବେ ବିଭିନ୍ନ କମିଟିର ପୂନର୍ଗଠନ କରାଯାଇଛି। ମୋଟ ୮ଟି କ୍ୟାବିନେଟ କମିଟି ରହିଥିବା ବେଳେ ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ରହିଛନ୍ତି। ନୂଆ କରି କ୍ୟାବିନେଟରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କୁ କ୍ୟାବିନେଟ କମିଟିରେ ସ୍ଥାନ ଦିଆଯାଇଛି। କ୍ୟାବିନେଟ କମିଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସ୍ମୃତି ଇରାନୀ, ନାରାୟଣ ରାଣେ, ଅଶ୍ୱିନୀ ବୈଷ୍ଣବ, କୀରଣ ରୀଜଜୁ, ଅନୁରାଗ ଠାକୁର, ସର୍ବାନନ୍ଦ ସୋନଓ୍ୱାଲ, ଭୁପେନ୍ଦ୍ର ୟାଦଭ, ମନସୁଖ ମାଣ୍ଡଭିୟ ପ୍ରମୁଖଙ୍କୁ ସ୍ଥାନ ଦିଆଯାଇଛି। ସଂସଦୀୟ କମିଟିରେ ଅର୍ଜୁନ ମୁଣ୍ଡା, ବୀରେନ୍ଦ୍ର କୁମାର, କୀରଣ ରୀଜଜୁ, ଅନୁରାଗ ଠାକୁରଙ୍କୁ ସ୍ଥାନ ଦିଆାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି।

ସେହିପରି ପଲିଟିକାଲ ଅଫେୟାର୍ସ କମିଟିରେ ସ୍ମୃତି ଇରାନୀ, ସର୍ବାନନ୍ଦ ସୋନଓ୍ୱାଲ, ଗିରିରାଜ ସିଂ, ମନସୁଖ ମାଣ୍ଡଭୀୟ, ଭୁପେନ୍ଦ୍ର ୟାଦଭଙ୍କୁ ସ୍ଥାନ ଦିଆଯାଇଛି।  ମୋଦି ମନ୍ତ୍ରିମଣ୍ଡଳରେ ପୂର୍ବରୁ ମନ୍ତ୍ରୀ ଥିବା ଗିରିରାଜ ଓ ସ୍ମୃତି ଇରାନୀ  ପ୍ରଥମ ଥର ପାଇଁ ରାଜନୀତିକ କମିଟିରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଏହି ସ୍ଥାନରେ ରାମ ବିଳାସ ପାଶୱାନ, ରବି ଶଙ୍କର ପ୍ରସାଦ ଏବଂ ହର୍ଷବର୍ଦ୍ଧନ ଥିଲେ। ଏହା ବ୍ୟତୀତ ପୁଞ୍ଜିନିବେଶ ଏବଂ ଅଭିବୃଦ୍ଧି କମିଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ସାମିଲ୍ କରାଯାଇଛି। ଏହି କମିଟି ୧୦୦୦ କୋଟି ବା ତା’ଠାରୁ ଅଧିକ ପୁଞ୍ଜି ବିନିଯୋଗ ମାମଲାରେ ନିଷ୍ପତ୍ତି ନେଇଥାଏ। ରୋଜଗାର ଏବଂ ଦକ୍ଷତା ବିକାଶ କମିଟିରେ ଅଶ୍ୱିନୀ ବୈଷ୍ଣବ, ଭୁପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ହରଦୀପ ପୁରୀ, ଆରସିପି ସିଂଙ୍କୁ ସାମିଲ୍ କରାଯାଇଛି।

ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା: କହିଲେ, ‘ତୃତୀୟ ପ୍ରବାହକୁ ରୋକିବା ଆମ ଦାୟିତ୍ୱ’

ନୂଆଦିଲ୍ଲୀ: ପୂର୍ବୋତ୍ତର ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନାର ତୃତୀୟ ଲହରକୁ ରୋକିବା ଆମ ଦାୟିତ୍ୱ, ଏବଂ ଆମକୁ କରୋନା ଭାଇରସ୍ ସବୁ ପ୍ରକାର ଭ୍ୟାରିଆଣ୍ଟ ଉପରେ ନଜର ରଖିବାକୁ ହେବ । ଭୂତାଣୁର ମ୍ୟୁଟେସନ୍ ପରେ ଏହା କେତେ ପ୍ରଭାବି ଏ ନେଇ ବିଶେଷଜ୍ଞ ଲଗାତାର ଅଧ୍ୟୟନ ଜାରି ରଖିଛନ୍ତି । ଏଭଳି ସମୟରେ ସତର୍କତା ଆବଶ୍ୟକ ହୋଇପଡ଼ିଛି ।

ସେ ଆହୁରି କହିଛନ୍ତି ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଥିସହିତ ହିଲ୍‌ ଷ୍ଟେସନ୍‌ ଗୁଡ଼ିକରେ ବହୁ ସଂଖ୍ୟାରେ ଲୋକେ ବିନା ମାସ୍କ ପିନ୍ଧି ବୁଲିବାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘ସମସ୍ତଙ୍କୁ ଟିକା-ମାଗଣା ଟିକା ଅଭିଯାନ’କୁ ନର୍ଥ ଇଷ୍ଟ  ରାଜ୍ୟଗୁଡ଼ିକରେ ଏହି ପ୍ରକ୍ରିୟା ଜୋରଦାର କରିବାକୁ କହିଛନ୍ତି ।

ପୂର୍ବୋତ୍ତର ରାଜ୍ୟଗୁଡ଼ିକର କରୋନା ସ୍ଥିତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମକୁ ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟ ସହ ଜଡ଼ିତ ଭିତ୍ତିଭୂମିକୁ ସୁଧାର ଆଣିବାକୁ ପଡ଼ିବ । ଏ ନେଇ ନିକଟରେ କ୍ୟାବିନେଟ୍ ମଧ୍ୟ ୨୩ ହଜାର କୋଟି ଟଙ୍କାର ପ୍ୟାକେଜକୁ ମଧ୍ୟ ମଞ୍ଜୁର କରିଛନ୍ତି । ସମସ୍ତ ରାଜ୍ୟ ଏହି ପ୍ୟାକେଜ ଦ୍ୱାରା ନିଜ ହେଲ୍ଥ ସେକ୍ଟରକୁ ଡେଭଲପ୍ କରିବାକୁ ପଡ଼ିବ । ଏଥିସହିତ ଶିଶୁ ସୁରକ୍ଷା ସହିତ ଜଡ଼ିତ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିବାକୁ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଜାମିନ ମଞ୍ଜୁର କଲେ ଡୋମିନିକା କୋର୍ଟ

ଜମି ଚଞ୍ଚକତାକୁ ବିରୋଧ କରିବାରୁ ବନ୍ଧୁକ ଦେଖାଇ ଧମକ

ବୁର୍ଲା: ଚଞ୍ଚକତା କରି ଜମି ହଡ଼ପ କଲେ। ଏହାକୁ ବିରୋଧ କରିବାରୁ ବନ୍ଧୁକ ଦେଖାଇ ଧମକ ଦେଉଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଲଗୁଣ୍ଡାରେ କୁସୁମୀ ମହତମ ନାମକ ମହିଳାଙ୍କ ଜମିକୁ ଅବସରପ୍ରାପ୍ତ ପ୍ରଫେସର କେଶବ ପଣ୍ଡା ନିଜ ନାମରେ କରାଇ ନେଇଥିବା ଅଭିଯୋଗ ହୋଇଛି। ଜମିରେ ପାଚେରି ବୁଲାଇବା ପରେ ଏହାକୁ ବିରୋଧ କରିଥିଲେ କୁସୁମୀ। ଏଥିରେ କେଶବ ପଣ୍ଡା ଏବଂ ତାଙ୍କ ଦୁଇ ପୁଅ ବନ୍ଧୁକ ଧରି ଗଣ୍ଡଗୋଳ କରିଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ପୋଲିସ ଏମାନଙ୍କୁ ଗିରଫ କରିଛି। ତେବେ ବନ୍ଧୁକ ଲାଇସେନ୍ସ ଜଣଙ୍କ ନାଁରେ ରହିଥିବା ବେଳେ ଅନ୍ୟ ଜଣଙ୍କ କିପରି ସର୍ବସମ୍ମୁଖରେ ସେହି ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ଏଏସଆଇ ବୈଷୟିକ କମିଟି ପକ୍ଷରୁ ଆରମ୍ଭ ହେଲା ଗର୍ଭଗୃହ ଯାଞ୍ଚ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଏଏସଆଇ ବୈଷୟିକ କମିଟି ପକ୍ଷରୁ ଗର୍ଭଗୃହ ଯାଞ୍ଚ। ଜଗମୋହନରେ ଭାରାବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସରିବା ପରେ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଅନୁଧ୍ୟାନ କରାଯାଉଛି। ଏଥିସହ ତ୍ୱରିତ ଭାବେ କରାଯିବ ମରାମତି କାର୍ଯ୍ୟ। ଏଥିରେ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି, ସେବାୟତଙ୍କୁ ନେଇ ହୋଇଥିବା କମିଟି ଏହାର ଅନୁଧ୍ୟାନ କରିବାର ହୋଇଛି ବ୍ୟବସ୍ଥା। ସେପଟେ ଭୋଗମଣ୍ଡପ, ଜଗମୋହନ ଓ ନାଟମଣ୍ଡପର ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଏଏସଆଇ ପକ୍ଷରୁ ଲେଜର ସ୍କାନିଂ ଆରମ୍ଭ ହୋଇଛି। ହେଲେ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇନାହିଁ। କେବଳ ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର ସ୍କାନିଂ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର ପୂର୍ବରୁ ସୂଚନା ଦେଇଥିଲେ। ଲେଜର ସ୍କାନିଂ ପାଇଁ ସେବାୟତ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସେପଟେ ଗତକାଲି  ରଥଟଣା ସରିବା ପରେ ବିଳମ୍ବିତ ରାତିରେ ନିଳାଦ୍ରୀ ଭକ୍ତ ନିବାସରୁ ତିନୋଟି ଦ୍ୱାର ପାଇଁ ଛଅଟି ଷ୍ଟିଲ ଫ୍ରେମ ଓ ରୂପା  ଶ୍ରୀମନ୍ଦିରକୁ ନିଆଯାଇଛି। ସମସ୍ତ ଦ୍ୱାରର ନିର୍ମାଣ ସରିଥିବା ବେଳେ ଆଜିଠାରୁ ଦ୍ୱାର ବସାଇବା କାର୍ଯ୍ୟ ଆରମ୍ଭ କରାଯିବ।

ଦେଶର ମୋଟ କରୋନା ମୃତକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ମଧ୍ୟପ୍ରଦେଶରୁ: ସୋମବାର ୧୪୮୧ଜଣଙ୍କ ମୃତ୍ୟୁ

ଭୋପାଳ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟାରେ ବଢ଼ିବାରେ ଲାଗିଛି । ଗତ ୨୭ ଦିନ ପରେ କରୋନା ଜନିତ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି  । ସୋମବାର ୨୦୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜୁନରେ ୨ହଜାର ୩୩୯ ଜଣଙ୍କ ଦିନକରେ ମୃତ୍ୟୁ ଘଟିଥିଲା । ତେବେ ମଧ୍ୟପ୍ରଦେଶରୁ କରୋନାର ସର୍ବାଧିକ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶରେ ସୋମବାର ମୋଟ ୧୪୮୧ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ତେବେ ୧୪୭୮ଟି ପୁରୁଣା ମାମଲା ଆଡଜଷ୍ଟ କରିବା ଯୋଗୁଁ ଏହି ସଂଖ୍ୟାରେ  ବୃଦ୍ଧି ଘଟିଛି ।

ଏଯାବତ୍ ମଧ୍ୟପ୍ରଦେଶରେ ମୋଟ କରୋନାରେ ମୃତକଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିସାରିଲାଣି । ରବିବାର ସୁଦ୍ଧା ରାଜ୍ୟରେ କରୋନାରେ ମୃତକଙ୍କ ସଂଖ୍ୟା ୯୦୨୭ ରହିଥିବା ବେଳେ ସୋମବାର ୧୪୭୮ ପୁରୁଣା ମୃତକଙ୍କ ନାମ ଯୋଡ଼ାଯିବା ପରେ ସୋମବାର ଦୈନିକ ମୃତକଙ୍କ ସଂଖ୍ୟା ୧୪୮୧ରେ ପହଞ୍ଚିଛି । ସୂଚନା ଯୋଗ୍ୟ, ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ୨୬ଜୁନ୍ ଠାରୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଦ୍ୱିତୀୟ ପ୍ରବାହରେ କୋଭିଡ ଜନିତ ମୃତ୍ୟୁ ସମ୍ପର୍କରେ ‘ସାର୍ଥକ’ ପୋର୍ଟାଲର ୩ଏ ଫର୍ମରେ ଦାଖଲ କରିବାକୁ  । ଏଥିସହିତ ଫର୍ମ ୮ରେ ଲାଇନ୍ ଲିଷ୍ଟ ଏଣ୍ଟ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ଜିଲ୍ଲାଗୁଡ଼ିକ ପକ୍ଷରୁ ୧୪୭୮ ଏଭଳି ମୃତ୍ୟୁ ସମ୍ପର୍କରେ ସୂଚନା ସ୍ୱାସ୍ଥ୍ୟ ବିଭାଗ ପଠାଯାଇଥିଲା । ଏହାନୁଯାୟୀ ଘରୋଇ ହସ୍ପିଟାଲର ୭୬୨ ଓ ଅନ୍ୟ ଜିଲ୍ଲାରୁ ୫୦୮ ଏବଂ ହୋମ୍ ଆଇସୋଲେସନ୍‌ରେ ରହି ମୃତ୍ୟୁବରଣ କରିଥିବା ୨୦୮ମୃତକଙ୍କ ନାମ ଯୋଡ଼ାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଜାମିନ ମଞ୍ଜୁର କଲେ ଡୋମିନିକା କୋର୍ଟ

 

ଲଦାଖ ସୀମାର ଡେମଚୋକରେ ପ୍ରବେଶ କଲା ଚୀନ୍‌ ସେନା, ଦଲାଇଲାମାଙ୍କ ଜନ୍ମଦିନକୁ କଲେ ବିରୋଧ

ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଜନ୍ମଦିନ ଉତ୍ସବ ଭଣ୍ଡୁର କରିବାକୁ ଚୀନର ଚକ୍ରାନ୍ତ। ସିନ୍ଧୁ ନଦୀ ପାର କରି ଲଦାଖ ସୀମାରେ ଜବରଦସ୍ତି ପ୍ରବେଶ କରିଥିଲେ ଚୀନ ସେନା। ଭାରତୀୟ କ୍ଷେତ୍ରରେ ଥିବା ଏକ ଗାଁରେ ଦଲାଇଲାମାଙ୍କ ଜନ୍ମଦିନ ଉତ୍ସବ ଆୟୋଜନ କରାଯାଇଥିଲା। ଏହି ସମୟରେ PLA ଯବାନ ଲଦାଖ ସୀମାର ଡେମଚୋକଠାରେ ଜବରଦସ୍ତି ଭାରତ ସୀମାକୁ ପ୍ରବେଶ କରିଥିଲେ। ଗାଁର କମ୍ୟୁନିଟି ହଲ୍ ନିକଟରେ ଉତ୍ସବର ଆୟୋଜନ କରାଯାଇଥିବା ବେଳେ ଚୀନ୍ ସେନା ସେହିଠାରେ ବିରୋଧ ପ୍ରଦର୍ଶନ କରିଥିଲେ। ଖବର ଅନୁଯାୟୀ ଚାଇନାର ଅନୁପ୍ରବେଶକାରୀମାନେ ବ୍ୟାନର ଏବଂ ଚୀନ୍ ପତାକା ଧରି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ୫ଟି ଗାଡ଼ିରେ ଆସିଥିଲେ। ଚୀନ ସେନା ସହ ଅନ୍ୟ କେତେଜଣ ସାଧାରଣ ନାଗରିକ ମଧ୍ୟ ସାମିଲ ଥିଲେ।

ଏ ନେଇ ଭାରତୀୟ ସେନା ପକ୍ଷରୁ କୌଣସି ଟିପ୍ପଣୀ ରଖାଯାଇ ନଥିବା ବେଳେ ଚୀନ୍ ଏଭଳି କାର୍ଯ୍ୟକଳାପ ଭାରତକୁ ଉସୁକାଇବା ଭଳି, ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଭାରତ-ଚୀନ୍ ମଧ୍ୟରେ ସୀମାକୁ ନେଇ ଜାରି ରହିଥିବା ବିବାଦରେ ଡେମଚୋକ୍  ବିବାଦ ମଧ୍ୟ ସାମିଲ ଅଛି। ଗତ ୬ ତାରିଖରେ ଡେମୋକୋକଠାରୁ ପ୍ରାୟ ୩୦ କିଲୋମିଟର ଦକ୍ଷିଣ-ପୂର୍ବ କୋୟଲ ନିକଟ ଡୋଲି ଟାଙ୍ଗୋରେ ଘଟିଥିଲା। ଜନ୍ମୋତ୍ସବ ଚାଲିଥିବା ବେଳେ ଚାଇନିଜ ମାନେ ଦୂରରେ ରହି ଆପତ୍ତି ଜଣାଇଥିଲେ । ସେମାନେ ଭାରତୀୟ ଅଞ୍ଚଳରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ରହିଥିଲେ। ହେଲେ ଏହି ଘଟଣାକୁ ନେଇ ଭାରତୀୟ ସେନା କିଛି କହିବାକୁ ମନା କରିଦେଇଛି।

ଗଛରେ ପିଟି ହୋଇ ବିଲକୁ ଖସିପଡ଼ିଲା କାର, ଦୁର୍ଘଟଣାରେ ଜଣେ ମୃତ ୨ ଗୁରୁତର

ନୟାଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗଛରେ ପିଟି ହୋଇ ବିଲକୁ ଖସି ପଡ଼ିଲା କାର। ଦଶପଲ୍ଲା ଭୋଗରା ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ବିଲକୁ ଖସିପଡିଲା କାର। ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ  ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଓ ଗୁରୁତର ଫୁଲବାଣୀ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ତିନି ଜଣ ଯୁବକ ଏକ କାର ଯୋଗେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଦେଇ ଫୁଲବାଣୀରୁ ଭୂବନେଶ୍ୱର ଅଭିମୂଖେ ଯାଉଥିବା ବେଳେ ଭୋଗରା ଛକ ନିକଟରେ ଭାରସାମ୍ୟ ହରାଇ କାରଟି ପ୍ରଥମେ ରାସ୍ତା କଡ଼ରେ ଥିବା ପିଲର ଖୁଣ୍ଟରେ ଧକ୍କା ହୋଇ ପରେ ଗଛରେ ପିଟି ହୋଇଥିଲା। ପିଟି ହୋଇ ବିଲ ମଧ୍ୟକୁ ଖସି ପଡିଥିଲା କାର। ଖବର ପାଇ ଦଶପଲ୍ଲା ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।

ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଜାମିନ ମଞ୍ଜୁର କଲେ ଡୋମିନିକା କୋର୍ଟ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ଡୋମିନିକା କୋର୍ଟ । ଏଥିସହିତ ଆଣ୍ଟିଗୁଆା ଓ ବାରବୁଡ଼ାକୁ ଯାତ୍ରା ନେଇ ମଧ୍ୟ ଅନୁମତି ଦେଇଛନ୍ତି କୋର୍ଟ । ଚୋକସି ଏବେ ଅସୁସ୍ଥ ଥିବାରୁ ଆଣ୍ଟିଗୁଆ ହସ୍ପିଟାଲରେ ଚିକିତ୍ସା ପାଇଁ ଡୋମିନିକା ହାଇକୋର୍ଟ ନିକଟରେ ଜାମିନ ଆବେଦନ କରିଥିଲେ । ଚିକିତ୍ସା ଶେଷ ହେବା ପରେ ଡୋମିନିକାରେ ଅବୈଧ ପ୍ରବେଶ ନେଇ ଡୋମିନିକା ଫେରିବା ପାଇଁ ଚୋକସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଣ୍ଟିଗିଆରୁ ଫେରାର ହୋଇ ଡୋମିନିକା ପୋଲିସ ଦ୍ୱାରା ଗିରଫ ହୋଇଥିଲା ମେହୁଲ ଚୋକସୀ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କା ଠକି ନେଇ ଦେଶ ଛାଡି ବିଦେଶରେ ରହୁଛନ୍ତି ହୀର ବ୍ୟବସାୟୀ ମେହୁଲ ଚୋକସି। ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସବୁ ପ୍ରକାରର ପ୍ରୟାସ ଜାରି ରହିଛି ।

ଅପରପକ୍ଷରେ ମାନବିକତା ଦୃଷ୍ଟିକୋଣରୁ ଚିକିତ୍ସା ନେଇ ମାନ୍ୟବର କୋର୍ଟ ତାଙ୍କ ଜାମିନ ଆବେଦନ ମଞ୍ଜୁର କରିଥିବା ଚୋକସିଙ୍କ ଓକିଲ ବିଜୟ ଅଗ୍ରଓ୍ୱାଲ କହିଛନ୍ତି । ଏବଂ ଏହା ବିରୋଧ ବିଭିନ୍ନ ତଦନ୍ତକାରୀ ସଂସ୍ଥାଙ୍କ ଆବେଦନ ବିଫଳ ହୋଇଥିବା କହିଛନ୍ତି । ସୂଚନା ଯୋଗ୍ୟ ଯେ, ଜୁଲାଇ ୨୩ ତାରିଖରେ ଚୋକସିଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା କିନ୍ତୁ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ଜୁଲାଇ ୧୨ ତାରିଖରେ ଏହାର ଶୁଣାଣି କରିଥିଲେ । ସେ  ନ୍ୟୁରୋଲୋଜିକାଲ୍ ଡିସଅର୍ଡରରେ ପୀଡ଼ିତ ଥିବା କୋର୍ଟରେ ଓକିଲଙ୍କ ପକ୍ଷରୁ ଦର୍ଶାଯାଇଛି ।

ଏଥିସହିତ ପଢ଼ନ୍ତୁ: କମୁଛି ଆକ୍ରାନ୍ତଙ୍କ ସଂଖ୍ୟା: ବଢ଼ୁଛି ମୃତକଙ୍କ ସଂଖ୍ୟା

 

ପାରିବାରିକ କଳହରୁ ସ୍ତ୍ରୀକୁ ହାତୁଡ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗ୍ରାମରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହାତୁଡ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ମୃତ ମହିଳା ହେଲେ ଦୀପ୍ତିମୟୀ ଜେନା। ଉଭୟ ସ୍ୱାମୀ ସ୍ତ୍ରୀ ସରକାରୀ ଶିକ୍ଷକ ବୋଲି ଜଣାପଡ଼ିଛି। ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଘଟଣାରେ ସ୍ୱାମୀ ଅରୁଣକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ଏହି ଶିକ୍ଷକ ଦମ୍ପତି ଗତ ୯ ବର୍ଷ ତଳେ ବିବାହ କରିଥିବା ବେଳେ, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ବହୁ ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ମାରପିଟ୍ ମଧ୍ୟ କରୁଥିଲେ। ହେଲେ ଆଜି ଏହା ଉଗ୍ରରୂପ ନେଇଥିଲା। ସକାଳୁ ସ୍ତ୍ରୀ ଦିପ୍ତିମୟୀ ଠାକୁର ପୂଜା କରୁଥିବା ସମୟରେ ତାଙ୍କ ସ୍ୱାମୀ ଅରୁଣ ଅତର୍କିତ ଆକ୍ରମଣ କରିଥିଲେ। ଏକ ଲୁହା ହାମରରେ ପତ୍ନୀ ଦୀପ୍ତିଙ୍କ ମୁଣ୍ଡକୁ ବାରମ୍ବାର ପିଟି ଚାଲିଥିଲେ। ଫଳରେ ଘଟଣାସ୍ଥଳରେ ଦିପ୍ତିମୟୀଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କୋରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।