spot_img
Home Blog Page 5025

ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ସ୍ତରରେ ସରିଲା ସଂରକ୍ଷଣ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ରାଇଁ ପଥ ପରିଷ୍କାର । ଜିଲ୍ଲା ସ୍ତରରେ ସ୍ଥାନ ସଂରକ୍ଷଣ ବିବାଦର ସମାଧାନ କରି ଜିଲ୍ଲାପାଳମାନେ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ତାଲିକା ଦେଇଛନ୍ତି । ଆସନ୍ତା ୩୦ ତାରିଖରେ ରାଜ୍ୟ ସରକାର ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ଦେବେ । ମୋଟ ୫୦ ପ୍ରତିଶତ ସଂରକ୍ଷଣ ଭିତରେ ହେବ ପଞ୍ଚାୟତ ନିର୍ବାଚନ । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ୍‌ ଅଧ୍ୟକ୍ଷ ପଦବୀ ପାଇଁ ଜିଲ୍ଲା ସ୍ତରରେ ସ୍ଥାନ ସଂରକ୍ଷଣ ଚୂଡ଼ାନ୍ତ କରି ଜିଲ୍ଲାପାଳମାନେ ନିର୍ବାଚନ କମିଶନଙ୍କୁ ତାଲିକା ଦେଇଛନ୍ତି ।

୯୨ ହଜାର ୱାର୍ଡ ମେମ୍ବର, ୬୮୦୦ ସରପଞ୍ଚ ଓ ସମିତି ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ପଦବୀର ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ଚୂଡ଼ାନ୍ତ କରିଛନ୍ତି । ତାଲିକା ଚୂଡ଼ାନ୍ତ ପୂର୍ବରୁ ଜିଲ୍ଲା ସ୍ତରରେ ଅଭିଯୋଗ ଶୁଣାଣି କରାଯାଇଥିଲା । ଆସନ୍ତା ୩୦ ତାରିଖରେ ରାଜ୍ୟ ସରକାର ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ନିର୍ବାଚନ କମିଶନଙ୍କୁ ଦେବେ । ଏସବୁ ପ୍ରକ୍ରିୟା ସରିବା ପରେ ଭୋଟର ତାଲିକା ପ୍ରସ୍ତୁତ କରାଯିବ ବୋଲି ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି ।

ଭାରତୀୟ ଦଳର କୋଚ୍ ପଦ ପାଇଁ ଆବେଦନ କଲେ ରାହୁଲ ଦ୍ରାବିଡ: ଲକ୍ଷ୍ମଣ ହୋଇପାରନ୍ତି ଏନସିଏ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନ କରିଛନ୍ତି ଜାତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ । ସେ ବର୍ତ୍ତମାନ ଜାତୀୟ କ୍ରୀଡ଼ା ଏକାଡେମୀ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଶ୍ରୀଲାଙ୍କା ଗସ୍ତ ବେଳେ ଜାତୀୟ ଦଳର କୋଚ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ବିଶ୍ୱକପ୍ ବିଜୟୀ ଅଣ୍ଡର-୧୯ ଦଳର ମଧ୍ୟ କୋଚ୍ ଥିଲେ ରାହୁଲ ଦ୍ରାବିଡ ।

ତେବେ ବର୍ତ୍ତମାନ ଭାରତୀୟ ଦଳର କୋଚ୍ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରିଆସୁଥିବା ବେଳେ ରାହୁଲ ଦ୍ରାବିଡଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ସେ କୋଚ୍ ହେବ ନେଇ ମଧ୍ୟ ଏକ ପ୍ରକାର ନିଶ୍ଚିତ ଥିବା ବେଳେ ସୌଜନ୍ୟତା ପୂର୍ବକ କୋଚ୍ ପଦବୀ ପାଇଁ ଆବେଦନ କରିଛନ୍ତି । ଅପରପକ୍ଷରେ ସେ ଜାତୀୟ ଦଳର କୋଚ୍ ହେବା ପରେ ଜାତୀୟ କ୍ରୀଡ଼ା ଏକାଡେମୀ ପଦବୀ ଖାଲି ପଡ଼ିବ । ତାଙ୍କ ସ୍ଥାନ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାଚ୍ ଭି.ଭି.ଏସ୍ ଲକ୍ଷ୍ମଣ ନେବେ ବୋଲି ଚର୍ଚ୍ଚ ହେଉଛି ।

ସୂଚନା ଯୋଗ୍ୟ ଯେ, ଜାତୀୟ ଦଳର କୋଚ୍ ଭାବେ ଶ୍ରୀଲାଙ୍କ ଗସ୍ତ ସାରିବା ପରେ ରାହୁଲ ଦ୍ରାବିଡଙ୍କ ସହ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହ କଥା ହୋଇଥିଲେ । ଏବଂ ମୁଖ୍ୟ କୋଚ୍ ପଦ ପାଇଁ ଅଫର କରିଥିଲେ । ଏବଂ ସେଥିରେ ସେ ରାଜି ହୋଇଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: କ’ଣ ପାଇଁ ଭାରତୀୟ କ୍ରିକେଟ୍ ପ୍ରେମୀ ଆଜି ଚାହିଁବେ ପାକିସ୍ତାନ ନ୍ୟୁଜଲାଣ୍ଡ ଉପରେ ବିଜୟ ପାଉ ?

ଅନଲାଇନ୍ ଅଫରରେ ୬୦ କୋଟି ଚଳୁ, ୯୯ ପ୍ରତିଶତ ସୁଧ ଲୋଭ ଦେଖାଇ ଲୁଟିନେଲେ

କଟକ: ଲୋଭନୀୟ ସ୍କିମରେ ଫଶିଲେ ଶହ ଶହ ଜମାକାରୀ । ଅନଲାଇନରେ ଠକ ସଂସ୍ଥା ପ୍ରାୟ ୬୦ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ଓଡ଼ିଶା ଓ ଝାଡ଼ଖଣ୍ଡର ଅନେକ ଜମାକାରୀ ଏହି ଠକାମିର ଶିକାର ହୋଇଛନ୍ତି । ଏନେଇ କଟକ ସାଇବର ସେଲରେ ଅଭିଯୋଗ କରିଛନ୍ତି ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳର କେତକ ଜମାକରୀ ।

କ୍ଲାଉଡ୍ ଆସେଟ୍ ମ୍ୟାନେଜମେଣ୍ଟ ନାମର ଏକ ୱେବସାଇଟ୍ ଜରିଆରେ ଲୋକଙ୍କୁ ଲୋଭନୀୟ ସୁଧ ପ୍ରତିଶ୍ରୁତି ଦେଇ ଠକା ଯାଇଥିବା ଅଭିଯୋଗ ହୋଇଛି । ଏକ ହଜାର ଟଙ୍କା ଜମା ଉପରେ ମାସିକ ୯୯୪ ଟଙ୍କା ସୁଧ ଲୋଭ ଦେଖାଇଥିଲା ସଂସ୍ଥା । ସଂସ୍ଥାର ଲିଙ୍କ୍ ଯେତେ ଲୋକଙ୍କୁ ସେୟାର କରିବେ ତା ଉପରେ କ୍ୟାସବ୍ୟାକ୍ ବ୍ୟବସ୍ଥା ରଖିଥିଲା ସଂସ୍ଥା । ତେବେ କିଛି ହେବ ୱେବସାଇଟଟି କାମ ନକରିବାରୁ ଜମାକାରୀ ଠକେଇର ଶିକାର ହୋଇଥିବା ଜାଣିଥିଲେ ।

ଦର୍ଶକଙ୍କ କୋଳାହଳରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍, ଦର୍ଶକଙ୍କ ବିନା ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର: ଦର୍ଶକଙ୍କ କୋଳାହଳରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ଦର୍ଶକଙ୍କ ଅନୁପସ୍ଥିତିରେ ଅନୁଷ୍ଠିତ ହେବ ଜୁନିଅର ପୁରୁଷ ହକି ବିଶ୍ୱକପ୍ । ନଭେମ୍ବର ୨୪ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ । ଡିସେମ୍ବର ୫ ଯାଏଁ ହକିକୁ ନେଇ ଝୁମିବ ଓଡ଼ିଶା । ୪ଟି ଗ୍ରୁପରେ ୧୬ଟି ଟିମକୁ ନେଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । କୋଭିଡ୍ ପ୍ରୋଟୋକଲ ସହ ସାମାଜିକ ଦୂରତା ରକ୍ଷା କରାଯିବ ।

 FIH Odisha Men's Hockey Junior World Cup Bhubaneswar 2021 to be held without spectators

ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ବାରଣ କରାଯାଇଥିବାରୁ ସମସ୍ତ ମ୍ୟାଚର ସିଧାପ୍ରସାରଣ କରାଯିବ । ଏନେଇ ହକି ଇଣ୍ଡିଆ ଓ ଏଫ୍ଆଇଏଚ୍ ନିଷ୍ପତ୍ତି ନେବେ । ରାଜ୍ୟରେ ହକି ପ୍ରତି ଥିବା ଲୋକଙ୍କ ସମର୍ଥନ ଓ ଗହଳିକୁ ଦେଖି କରୋନା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଉଭୟ ଖେଳାଳି ଓ ହକି ପ୍ରେମୀଙ୍କ ସ୍ୱାସ୍ଥ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମ୍ୟାଚ ବେଳେ କେବଳ ଅନୁମତି ପାଇଥିବା ବ୍ୟକ୍ତି ଷ୍ଟାଡିୟମକୁ ପ୍ରବେଶ କରିପାରିବେ । ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ ।

ଏଥିସହ ପଢ଼ନ୍ତୁ: ୨୪ରୁ ରାଜଧାନୀରେ ପୁଣି ହକି ମହାକୁମ୍ଭ

ହକି ମହାକୁମ୍ଭରେ ଆୟୋଜକ ଭାରତ ସହ ଆର୍ଜେଣ୍ଟିନା, ବେଲଜିୟମ, କାନାଡ଼ା, ଚିଲେ, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିଆ, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡ୍ସ ସହ ଆମେରିକା ଟିମ୍ ଭାଗ ନେବ । ୫ ଦିନ ଧରି ପୁଲ୍ ଷ୍ଟେଜ୍ ମ୍ୟାଚ ଖେଳାଯିବ । ନଭେମ୍ବର ୩୦ରୁ କ୍ଲାସିଫିକେସନ୍ ମ୍ୟାଚ, ଡିସେମ୍ବର ୧ରେ କ୍ୱାର୍ଟର ଫାଇନାଲ, ୩ରେ ସେମି ଫାଇନାଲ ଏବଂ ୫ ତାରିଖରେ ଟାଇଟଲ ଲଢ଼େଇ ହେବ ।

କ’ଣ ପାଇଁ ଭାରତୀୟ କ୍ରିକେଟ୍ ପ୍ରେମୀ ଆଜି ଚାହିଁବେ ପାକିସ୍ତାନ ନ୍ୟୁଜଲାଣ୍ଡ ଉପରେ ବିଜୟ ପାଉ ?

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିଥିଲା ଭାରତ । ଏଥିସହ ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନଠାରୁ ୧୦ ଓ୍ବିକେଟରେ ପରାଜୟ ଲାଭ କରିଥିଲା । ଏହି ପରାଜୟ ଫଳରେ ଚଳିତ ଟି-୨୦ ବିଶ୍ବକପ ସେମିଫାଇନାଲ ଖେଳିବା ଭାରତ ପାଇଁ କଷ୍ଟକର ହୋଇଛି । ସେମିଫାଇନାଲକୁ ଯିବାକୁ ହେଲେ ଭାରତ ତା’ର ସମସ୍ତ ୪ଟି ମ୍ୟାଚକୁ ଜିତିବାକୁ ପଡ଼ିବ । ଯଦି ଭାରତ ଗୋଟିଏ ବି ମ୍ୟାଚରେ ପରାଜୟ ବରଣ କରେ ତାହାଲେ ସେମିଫାଇନାଲ ରାସ୍ତା ଏକ ପ୍ରକାର ଅସମ୍ଭବ ହୋଇଯିବ ।
ଅନ୍ୟପଟେ ଆଜି ଖେଳାଯିବାକୁ ଥିବା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ସବୁ ଭାରତୀୟଙ୍କ ନଜର ରହିବ । ପ୍ରଥମ ଥର ପାଇଁ ଆଜି ଭାରତ ଚାହିଁବ କି ଏହି ମ୍ୟାଚକୁ ପାକିସ୍ତାନ ବିଜୟଲାଭ କରୁ । କାହିଁକି ନା ଆଜିର ମ୍ୟାଚ ପାକିସ୍ତାନ ଜିତିଲେ ଭାରତ ପାଇଁ ସେମିଫାଇନାଲ ଯିବକୁ ଏକ ବଡ଼ ସୁଯୋଗ ମିଳିବ । କାହିଁକି ନା ଭାରତର ପରବର୍ତ୍ତୀ ମ୍ୟାଚ ନ୍ୟୁଜିଲାଣ୍ଡ ସହ ରହିଛି । ଯଦି ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ଏବଂ ଅବଶିଷ୍ଟ ତିନୋଟି ମ୍ୟାଚକୁ ବିଜୟ ଲାଭ କରେ ଏବଂ ପାକିସ୍ତାନ ମଧ୍ୟ ତା’ର ଅବଶିଷ୍ଟ ସମସ୍ତ ମ୍ୟାଚ ବିଜୟ ଲାଭ କରେ ତାହାଲେ ପଏଣ୍ଟ ଟେବୁଲରେ ଭାରତ ୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିବ ଏବଂ ପାକିସ୍ତାନ ୧୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିବ ।
ଅନ୍ୟପଟେ ଯଦି ନ୍ୟୁଜିଲାଣ୍ଡ ଉଭୟ ଭାରତ ପାକିସ୍ତାନକୁ ପରାଜିତ କରେ ଏବଂ ଅବଶିଷ୍ଟ ମ୍ୟାଚ ବିଜୟ ଲାଭ କରେ ତାହାଲେ ପଏଣ୍ଟ ଟେବୁଲରେ ନ୍ୟୁଜିଲାଣ୍ଡ ୧୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିବ । ଯାହା ଫଳରେ ଭାରତ ସେମିଫାଇନାଲରେ ପ୍ରବେଶ କରିପାରିବ ନାହିଁ । ଅପରପକ୍ଷରେ ଗତକାଲି ଆଫଗାନିସ୍ତାନ ସ୍କଟଲାଣ୍ଡକୁ ୧୩୦ ରନରେ ପରାସ୍ତ କରି ସମସ୍ତ ଟିମଙ୍କ ମନରେ ଏକ ଭୟର ବାତାବରଣ ଖେଳାଇ ଦେଇଛି । ଯଦି ଆଜି ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାଜିତ କରାଏ ଏବଂ ଆଫଗାନିସ୍ତାନ ଉଭୟ ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ଓ ଭାରତଠାରୁ ପରାଜୟ ବରଣ କରେ ତାହାଲେ ପଏଣ୍ଟ ଟେବୁଲରେ ଭାରତ ପ୍ରଥମ ସ୍ଥାନରେ ରହି ପାରିବ । ଏସବୁକୁ ଦୃଷ୍ଟିରେ ରଖିଲେ ଆଜିର ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଭାରତ ପାଇଁ ବେଶ୍ ଗୁରୁତ୍ବବହନ କରିବ । ଅନ୍ୟପଟେ ଭାରତ ଆଗକୁ ଥିବା ସମସ୍ତ ମ୍ୟାଚରେ ବିଜୟଲାଭ କରି ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିବାକୁ ମଧ୍ୟ ଚେଷ୍ଟା କରିବ ।

ଏଥିସହିତ ପଢ଼ନ୍ତୁ: ସାନିଆ ମିର୍ଜାଙ୍କ ପରେ ଚର୍ଚ୍ଚାରେ ହାସନ ଅଲ୍ଲୀଙ୍କ ପତ୍ନୀ ଶାମିଆ

ରାଜପରିବାରକୁ କହିଲେ ଗୁଡବାଏ: କଲେଜ ବୟଫ୍ରେଣ୍ଡଙ୍କୁ ବିବାହ କଲେ ଜାପାନ ରାଜକୁମାରୀ

ଟୋକିଓ: ପ୍ରେମ ପାଇଁ ରାଜକୀୟ ପଦ ଓ ମର୍ଯ୍ୟଦା ହରାଇଲେ ଜାପାନ ରାଜକୁମାରୀ ମାକୋ  । ସେ କେଇ କେମୁରୋ ନାମକ ନିଜ ବୟଫ୍ରେଣ୍ଡଙ୍କ ସହିତ ବିବାହ କରିଛନ୍ତି । ଏହି ବିବାହ ପରେ ଆଉ ଜାପାନ ରାଜକୁମାରୀ ହୋଇରହିନାହାନ୍ତି ମାକୋ । ସାଧାରଣ ବ୍ୟକ୍ତି ସହିତ ବିବାହ କରିବା ପରେ ରାଜ ପରିବାର ସହ ତାଙ୍କ ସମ୍ପର୍କ  ଛିନ୍ନ ହୋଇଛି । ମାକେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଏହି ବିବାହ ଦ୍ୱାରା ଯଦି କାହାର କିଛି କ୍ଷତି ହୁଏ ତେବେ ସେ,ଏଥିପାଇଁ ଦୁଃଖିତ ।

ଇମ୍ପରିଆଲ୍ ହାଉସହୋଲ୍ହ ଏଜେନ୍ସି ମୁତାବିକ, ମାକୋ ଏବଂ କେମୁରୋଙ୍କ ବାହାଘର ଦସ୍ତାବେଜ ମହଲର ଏକ ଅଧିକାରୀ ପ୍ରସ୍ତୁତ କରିଛନ୍ତି । ମାକୋ ଏହି ମାସ ଆରମ୍ଭରେ ମାନସିକ ଚାପ ଦେଇ ଗତିକରୁଥିଲେ । ତାଙ୍କ ବାହାଘରକୁ ନେଇ ବିଭିନ୍ନ ନକରାତ୍ମକ କଥା ଏବଂ କେମୁରୋଙ୍କୁ ଟାର୍ଗେଟ କରାଯିବାକୁ ନେଇ ବହୁତ ଚାପଗ୍ରସ୍ତ ହୋଇପଡ଼ିଥିଲେ । ତେବେ ସେ ଏବେ ଠିକ ଅଛନ୍ତି ।

ମାକୋ ରାଜ ପରିବାର ଠାରୁ କୌଣସି ପ୍ରକାରର ଟଙ୍କା ନେବା ପାଇଁ ମଧ୍ୟ ମନା କରିଦେଇଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରାଜପରିବାର ସେ ପ୍ରଥମ ସଦସ୍ୟ, ଯିଏ ,ଜଣେ ସାଧାରଣ ନାଗାରିକଙ୍କୁ ବାହା ହେବେ ସମୟରେ କୌଣସି ଉପହାର ନେଇନାହାନ୍ତି । ଏହି ବାହାଘର ପରେ କୌଣସି ପ୍ରକାର ଭୋଜି ମଧ୍ୟ ଆୟୋଜନ କରାଯିବ ନାହିଁ ।

ଜାପାନର ପୂର୍ବ ସମ୍ରାଟ ଅକିହିତୋଙ୍କ ନାତୁଣୀ ହେଉଛନ୍ତି ୨୯ ବର୍ଷୀୟ ମାକୋ । ସେ ୨୦୧୭ ମସିହାରେ ନିଜ ବନ୍ଧୁ କେମୁରୋ ସହ ନିର୍ବନ୍ଧ କରିଥିଲେ । କେମୁରୋ ଏକ ସାଧାରଣ ପରିବାର ହୋଇଥିବା ବେଳେ ଆମେରିକାର ଏକ ଆଇନ କମ୍ପାନୀରେ କାମ କରନ୍ତି । କେମୁରୋ ୨୦୧୩ ମସିହାରେ ମାକୋଙ୍କୁ ପ୍ରପୋଜ କରିଥିଲେ । କିନ୍ତୁ କେମୁରୋଙ୍କ ପରିବାରରେ ଦେଖାଦେଇଥିବା ବିବାଦ ଯୋଗୁଁ ୪ ବର୍ଷ ହେଲା ଏହି ବବାହ ଅଟକି ଥିଲା । ତେବେ ବହୁ ଦିନ ପରେ ହେଲେ ମଧ୍ୟ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଛି ।

ସତ୍ୟ ରଞ୍ଜନ ସାହୁ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ନିର୍ଦ୍ଦେଶକ ହେଲେ ଓଏଏସ୍ ସତ୍ୟ ରଞ୍ଜନ ସାହୁ । ଓସଡମାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବା ସତ୍ୟ ରଞ୍ଜନ ସାହୁଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହ ଶ୍ରୀ ସାହୁ ଅତିରିକ୍ତ ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ତୁଲାଇବେ ।

ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ନୋଟିଫିକେସନ୍ ପ୍ରକାଶ ପାଇଛି । ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨୦୧୦ ଓଡ଼ିଶା କ୍ୟାଡରର ଆଇପିଏସ୍ କେ. ଶିବା ସୁବ୍ରମଣି । ବର୍ତ୍ତମାନ କେ. ଶିବା ସୁବ୍ରମଣି ଢେଙ୍କାନାଳ ଏସପି ଅଛନ୍ତି ।

IPS Officer K Siva Subramani

କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେ. ଶିବାଙ୍କୁ ସିବିଆଇ ଏସପି ଭାବେ ନିଯୁକ୍ତ କରିଛି । ସେ ଯୋଗ ଦେବା ଠାରୁ ୪ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ କେନ୍ଦ୍ରୀୟ ଡେପୁଟେସନରେ ଯିବେ ।

ଆଜି ମଧ୍ୟ ଆର୍ୟନଙ୍କୁ ଜାମିନ୍ ମିଳିବନି ବୋଲି ଭାବୁଛନ୍ତି ଶାହରୁଖ

ମୁମ୍ବାଇ: କ୍ରୁଜ୍ ପାର୍ଟି ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନି ଆଜି ଶୁଣାଣି ହେଉଛି । ଏହି ମାମଲା ଲଢ଼ିବା ପାଇଁ ଶାହାରୁଖ ଆଜି ଜଣେ ନୂଆ ଓକିଲ ମୁକୁଲ ରୋହତଗୀଙ୍କୁ ସେବେ ନେଇଛନ୍ତି । ଯିଏକି ଭାରତର ଆଟର୍ଣ୍ଣି ଜେନେରାଲ ଥିଲେ । ମୁକୁଲଙ୍କ ସହ ଅମିତ ଦେଶାଇ ଓ ସତୀଷ ମନସିନ୍ଧେ ମଧ୍ୟ କୋର୍ଟରେ ରହିବେ । ଅପରପକ୍ଷେ ଏନସିବି ଏହି ମାମଲାରେ ଆରୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିବାକୁ ଚେଷ୍ଟା କରିବ । ସୂଚନାଯୋଗ୍ୟ ଯେ, ରୋହତଗୀ କୋର୍ଟରେ ଉପସ୍ଥିତ ହେବା ପାଇଁ ଦୈନିକ ୧୦ ଲକ୍ଷ ଟଙ୍କା ଫିସ୍ ନିଅନ୍ତି ।

ତେବେ ଏସବୁ ଭିତରେ ଖାନ ପରିବାରର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି କି ଆଜି ମଧ୍ୟ ଆରୟନଙ୍କୁ ବେଲ ମିଳି ପାରିବ ନାହିଁ ବୋଲି ଭାବୁଛନ୍ତି ଶାହାରୁଖ ଓ ଗୌରୀ ଖାନ । ଯାହା ଫଳରେ ଶାହାରୁଖଙ୍କ ବାସଭବନ ମନ୍ନତର ସ୍ଥିତି ମଧ୍ୟ ଏବେ ଠିକ୍ ନଥିବା କହିଛନ୍ତି ଶାହାରୁଖଙ୍କ ବନ୍ଧୁ । ଏହି ମାମଲାରେ ଆର୍ୟନଙ୍କୁ ଆଉ କିଛି ଦିନ ଜେଲରେ ରହିବାକୁ ପଡ଼ିପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ଖାନ ପରିବାର । ଏସବୁ ଭିତରେ କିଙ୍ଗ ଖାନ ପୁଅକୁ ଜେଲରୁ ମୁକୁଳାଇବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ଆର୍ୟନ ଖୁବ୍ ଶୀଘ୍ର ଜେଲରୁ ମୁକୁଳିବେ ବୋଲି ମଧ୍ୟ ଆଶା ରଖିଛନ୍ତି ଖାନ ପରିବାର । ଅନ୍ୟପଟେ ଶାହାରୁଖ ଆରୟନଙ୍କ ପାଇଁ ଚଳିତ ବର୍ଷ ତାଙ୍କ ବିବାହ ବାର୍ଷିକ ମଧ୍ୟ ପାଳନ କରିନାହାନ୍ତି । ତାଙ୍କ ବନ୍ଧୁ କହିଥିଲେ କି ଶାହାରୁଖ ପ୍ରତିବର୍ଷ ଗୌରୀଙ୍କ ପାଇଁ କିଛି ସ୍ବତନ୍ତ୍ର ଉପହାର କିଣୁଥିଲେ । କିନ୍ତୁ ଚଳିତ ବର୍ଷ ଏପରି କିଛି କରିନାହାନ୍ତି ଶାହାରୁଖ ।

ଏଥିସହିତ ପଢ଼ନ୍ତୁ: ସାମ୍ନାକୁ ଆସିଲା ଅନନ୍ୟା- ଆର୍ଯ୍ୟନ ହ୍ୱାଟସ୍‌ଆପ୍ ଚାଟ୍: ୮୦ ହଜାର ଟଙ୍କାର କୋକେନ୍ ମାଗିଥିଲେ ଅନନ୍ୟା

ନଭେମ୍ବର ୧୫ ସୁଦ୍ଧା ଦାବି ପୂରଣ ନହେଲେ ବସ୍ ସେବା ବନ୍ଦ ପାଇଁ ଚେତାବନୀ

ଭୁବନେଶ୍ୱର: ନଭେମ୍ବର ୧୬ରୁ ରାଜ୍ୟରେ ବନ୍ଦ ହେବ ବସ୍ ସେବା । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୪ ହଜାର ଘରୋଇ ବସ୍ ରହିଛି । କରୋନା କଟକଣା ହଟିବା ପରଠାରୁ ମାତ୍ର ୬୦ ପ୍ରତିଶତ ବସ୍‌ ଚାଲୁଛି । ସବୁ ବସ୍ କ୍ଷତିରେ ଚାଲୁଛି ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଟିକସ ଛାଡ଼ ସହିତ ଏକ ଲକ୍ଷ ଟଙ୍କା ଲେଖାଏ ଋଣ ଦେବାକୁ ସରକାର କହିଥିଲେ । ଋଣ ଏପର୍ଯ୍ୟନ୍ତ ମିଳିଲା ନାହିଁ ।

Bus Services To Shut From 16th November In Odisha

କରୋନାରେ ବସ୍ ସେବା ବନ୍ଦ ଥିବାରୁ ମାଲିକମାନେ ପ୍ରବଳ କ୍ଷତି ସହିଛନ୍ତି । ଡିଜେଲ ଦର ବୃଦ୍ଧି ବସ୍ ଭଡ଼ା ବଢାଉଛି, ସାଧାରଣ ଲୋକଙ୍କୁ ବସ୍ ଭଡ଼ା ବାଧୁଛି । ଡିଜେଲ ଦର ସରକାର କମାନ୍ତୁ, ନଚେତ ବସ୍ ଚଳାଇବା ଅସମ୍ଭବ । ଏ ନେଇ ସରକାରଙ୍କୁ ରାଜ୍ୟ ମାଲିକ ସଂଘ ପକ୍ଷରୁ ଦାବିପତ୍ର ଦିଆଯିବ । ନଭେମ୍ବର ୧୫ ଭିତରେ ଦାବି ପୂରଣ ନହେଲେ ୧୬ ତାରିଖରୁ ବସ୍ ସେବା ବନ୍ଦ ହେବ ବୋଲି ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି ।

ନୂଆ ରୂପରେ ଦେଶରେ ପଶିଲାଣି ଡେଲ୍ଟା ଭ୍ୟାରିଆଣ୍ଟ: ଟିକା ନେବା ସତ୍ତ୍ୱେ ୬ଜଣ ସଂକ୍ରମିତ

ଇନ୍ଦୋର: ପୁଣି ଭୟ ବଢ଼ାଉଛି କରୋନା । ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବା ବେଳେ ଏବେ ଆଉ ଏକ ନୂଆ ଭ୍ୟାରିଆଣ୍ଟ ଚିନ୍ତାର କାରଣ ପାଲଟିଛି । କରୋନା ଟିକାର ଉଭୟ ଡୋଜ୍ ନେବା ପରେ ମଧ୍ୟ ଲୋକେ ଏହି AY.4 ଭ୍ୟାରିଆଣ୍ଟର ଶିକାର ହେଉଥିବା ଦେଖିବାକୁ ମିଳିଛି । AY.4 ଭ୍ୟାରିଆଣ୍ଟ କରୋନାର ଡେଲଟା ଭ୍ୟାରିଆଣ୍ଟର ଏକ ନୂଆ ରୂପ । ପୂର୍ବରୁ AY.4 ଭ୍ୟାରିଆଣ୍ଟ ବ୍ରିଟେନରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଏହି ଭ୍ୟାରିଆଣ୍ଟ ଭାରତରେ ଆତଙ୍କ ସୃଷ୍ଟି କରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ୬ ଜଣ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇସାରିଛନ୍ତି । ଆଉ ଏହି ସଂକ୍ରମିତମାନେ କରୋନା ଟିକାର ଉଭୟ ଡୋଜ୍ ନେଇ ସାରିଛନ୍ତି ।

ତେବେ ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି କି କ’ଣ ଏହି AY.4 ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ କି ? ଏହାର ଉତ୍ତରରେ ସେଲ୍ୟୁଲାର ଓ ମଲ୍ୟୁକୁଲାର ବାୟୋଲୋଜିର ପୂର୍ବତନ ନିର୍ଦ୍ଦେଶକ ରାକେଶ ମିଶ୍ର କହିଛନ୍ତି ଯେ, ଏପର୍ଯ୍ୟନ୍ତ ସେପରି କିଛି ପ୍ରମାଣ ମିଳିପାରି ନାହିଁ, ଏହି AY.4 ଭ୍ୟାରିଆଣ୍ଟ ଡେଲଟା ଭ୍ୟାରିଆଣ୍ଟଠାରୁ ଅଧିକ ସଂକ୍ରାମକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ନୂଆ ଭ୍ୟାରିଆଣ୍ଟ ନୁହେଁ । ଏହି AY.4 ଭ୍ୟାରିଆଣ୍ଟ ଡେଲଟା ଭ୍ୟାରିଆଣ୍ଟର ଏକ ଉପ-ବଂଶ ଅଟେ । ରାକେଶ ମିଶ୍ର ଆହୁରି କହିଛନ୍ତି କି ଆମ ସମସ୍ତଙ୍କୁ ଏବେ ବି କୋଭିଡ-୧୯ ପ୍ରତି ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । କାହିଁକି ନା କରୋନା ଏପର୍ଯ୍ୟନ୍ତ ଯାଇ ନାହିଁ । ଉଭୟ ଡୋଜ୍ ଟିକା ନେବା ପରେ ବି ସଂକ୍ରମଣ ହେଉଥିବାରୁ ବର୍ତ୍ତମାନ ଅଧିକ ସାବଧାନ ରହିବାକୁ କହିଛନ୍ତି ରାକେଶ ମିଶ୍ର ।