spot_img
Home Blog Page 4986

ଅଶ୍ଳୀଳ ଇଙ୍ଗିତ କରିବାରୁ ଚୂନ କାଳି ବୋଳି ବୁଲାଇଲେ ଲୋକେ

ପଟ୍ଟାମୁଣ୍ଡାଇ: ମହଙ୍ଗା ପଡ଼ିଲା ଅଶ୍ଳୀଳ ଇଙ୍ଗିତ । ଯୁବକକୁ ଚୂନ କାଳି ବୋଳି ବଜାରରେ ବୁଲାଇଲେ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା କାଟଣା ବଜାରରେ। ଯାହାର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ରାଜକନିକା କାଟଣା ବଜାରରେ ଏକ ଦୋକାନରେ ଯୁବତୀ ଜଣଙ୍କ କାମ କରନ୍ତି । ଜୟକୁଣ୍ଡା ଗାଁର ରଞ୍ଜନ ବାରିକ ଦୋକାନ ଭିତରକୁ ଯାଇ ଯୁବତୀ ଜଣଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲା । ଯୁବତୀ ଜଣଙ୍କ ପାଟି କରିବାରୁ ଲୋକମାନେ ରଞ୍ଜନକୁ କାବୁ କରିନେଇଥିଲେ । ପରେ ତା ମୁହଁରେ ଚୂନ ଓ କାଳି ଲଗାଇ ବଜାରରେ ବୁଲାଇଥିଲେ। ଯାହାକି ଚର୍ଚ୍ଚାର ବିଷୟ ହୋଇଛି।

ଏଥିସହିତ ପଢ଼ନ୍ତୁ: ଦୀପାବଳି ପୂର୍ବରୁ ମିଠା ଦୋକାନ ଉପରେ ଚଢ଼ାଉ: ବାସି ଓ ରଙ୍ଗ ମିଶା ମିଠା ଥିବା ଦୋକାନୀଙ୍କ ଠାରୁ ଆଦାୟ ହେଉଛି ଜରିମାନା

 

 

ବଜାରରେ ମହଙ୍ଗା ନିଆଁ, ଜନତାଙ୍କ ତ୍ରାହି ତ୍ରାହି

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାର ଆସିବ । ଦେଶ ଦେଖିବ ‘ଅଛେ ଦିନ୍‌’ । ସବ୍ କା ସାଥ୍‌, ସବ୍ କା ବିଶ୍ୱାସ୍ । ଭୋଟ ବେଳେ ଏମିତି ମନଲୋଭା ପ୍ରତିଶ୍ରୁତି ଦେଲା ବିଜେପି । ଶାସନ ଗାଦିରେ ବସିବା ପରେ ପ୍ରତିଶ୍ରୁତି ପାଲଟିଗଲା ପାଣିର ଗାର । ସାରା ଦେଶର ଲୋକ ଏବେ ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ । ଅଣନିଃଶ୍ୱାସୀ ହୋଇଗଲାଣି ଜୀବନ । ଦେଶବାସୀ ଡାକୁଛନ୍ତି ତ୍ରାହି ତ୍ରାହି ।

ବଜାରରେ ଲାଗିଛି ନିଆଁ । ପେଟ୍ରୋଲ ଲିଟର ୧୧୧ ଟଙ୍କା । ଡିଜେଲ ୧୦୮, ରନ୍ଧନଗ୍ୟାସ୍ ସିଲିଣ୍ଡରର ବଜାର ମୂଲ୍ୟ ୯୨୬ ଟଙ୍କା । ଖାଦ୍ୟ ପଦାର୍ଥର ମୁଦ୍ରାସ୍ଫିତୀ ବଢ଼ି ବଢ଼ି ଚାଲିଛି । ଖାଇବା ତେଲରୁ ଆରମ୍ଭ କରି ଡାଲି, ଆଳୁ, ପିଆଜ ଓ ପନିପରିବା ଯାଏ ଦର ଏବେ ଆକାଶଛୁଆଁ । ଛୁଇଁଲେ କରେଣ୍ଟ୍ ମାରୁଛି । ଦରବୃଦ୍ଧିର ସିଧା ପ୍ରଭାବ ପଡ଼ିଛି ହାଣ୍ଡିଶାଳ ଉପରେ । ଯୁଆଡ଼କୁ ଗଲେ କେନ୍ଦ୍ର ବିରୋଧରେ ଅସନ୍ତୋଷ ଆଉ ବିଷୋଦଗାର୍ । କ୍ରମାଗତ ଭାବେ ଦରବୃଦ୍ଧି ସାଧାରଣ ଜୀବନକୁ ଦୁର୍ବିସହ କରିଛି । ସାରା ଓଡ଼ିଶାରେ ଏବେ କେନ୍ଦ୍ର ବିରୋଧରେ ପ୍ରତିବାଦର ସ୍ୱର । ତେଲ ଦର କମାଅ, ଆମକୁ ବଞ୍ଚାଅ । ତେଲର ଏଭଳି ଅହେତୁକ ଦରବୃଦ୍ଧି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ଆଗକୁ ଠେଲିଛି । ରାଜ୍ୟର ସାଢ଼େ ୪ କୋଟି ଲୋକ ଏଥିରେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି । ଏଭଳି ଦରବୃଦ୍ଧି ପାଇଁ କେନ୍ଦ୍ରର ଅପରିଣାମଦର୍ଶୀ ନୀତି ଓ ଖାମଖିଆଲ ମନୋଭାବକୁ ଦାୟୀ କରାଯାଉଛି । ସାରା ଦେଶ ମହାମାରୀ କରୋନା କବଳରେ କବଳିତ।

ମହାମାରୀ କରୋନା ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି । କରୋନା ପ୍ରଭାବରେ ଦେଶରେ ପ୍ରାୟ ୪୧ ଲକ୍ଷ କାମ ହରାଇଛନ୍ତି ବୋଲି ରିପୋର୍ଟ (ଆଇଏଲ୍‌ଓ-ଏଡିବି) କହୁଛି । ଶିଳ୍ପ, ବିନିର୍ମାଣ, ବିମାନ ଚଳାଚଳ, ଗଣମାଧ୍ୟମ,ମନୋରଞ୍ଜନ, ରିଏଲ ଇଷ୍ଟେଟ୍ ଆଦି ସବୁ କ୍ଷେତ୍ରରେ ନିଯୁକ୍ତିକୁ ପ୍ରାୟ ୫୦ ପ୍ରତିଶତ ପୋଛି ନେଇଛି କରୋନା । ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶ୍ରମିକଙ୍କ ସଂଖ୍ୟା ମିଶାଇଲେ କରୋନାରେ ୨ କୋଟିରୁ ଅଧିକ ଲୋକ କାମ ହରାଇଛନ୍ତି । ପରିସଂଖ୍ୟାନ କହୁଛି, ଦେଶରେ ପ୍ରାୟ ସାଢ଼େ ୫ କୋଟି ଯୁବକ ନିଯୁକ୍ତି ଅପେକ୍ଷାରେ । ୨୦ ରୁ ୨୯ ବର୍ଷ ମଧ୍ୟରେ ୩ କୋଟି ପାଖାପାଖି ଯୁବକ ଯୁବତୀ ଏଥିରେ ଅଛନ୍ତି । ଏ ବୟସରେ କର୍ମନିଯୁକ୍ତି ଜରୁରୀ ଥିଲା ବେଳେ ଏମାନଙ୍କ ସଂଖ୍ୟାର ୩୩% ଏବେ ବି ଚାକିରି ଅପେକ୍ଷାରେ ଛଟପଟ ହୋଇ ଦିନ କାଟୁଛନ୍ତି । ୨୦ ରୁ ୪୫ ବର୍ଷ ମଧ୍ୟରେ ବେକାରଙ୍କ ସଂଖ୍ୟାକୁ ମିଶାଇଲେ ଜନସଂଖ୍ୟାର ୨୧ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କ ପାଖରେ କାମଧନ୍ଦା ନାହିଁ ।

ସିଏମ୍‌ଆଇଇ (ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି) ଦର୍ଶାଇଛି, ମାନବ ସମ୍ବଳର ପ୍ରାୟ ୪୦ ପ୍ରତିଶତଙ୍କ ଭବିଷ୍ୟତ ଏବେ ଅନ୍ଧାର । କିଏ ଚାକିରିରୁ ଛଟେଇ ହୋଇଛି ତ ଆଉ କିଏ ଅଧା ଦରମାରେ ଖଟୁଛି । ଏଭଳି ସଂକଟ ସମୟରେ କେନ୍ଦ୍ରର ମହଙ୍ଗା ମାଡ଼ ଜୀବନକୁ ଆହୁରି ଦୁର୍ବିସହ କରିଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କେନ୍ଦ୍ର ତେଲରୁ ୧ ଲକ୍ଷ ୭୦ ହଜର କୋଟିର ଟିକସ ଆୟ କରିଛି । ଗତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୬ ମାସ ତୁଳନାରେ ଏହା ୩୩ ପ୍ରତିଶତ ଅଧିକ । କରୋନା ମହାମାରୀ ପୂର୍ବବର୍ଷ ସହ ତୁଳନା କଲେ ଏହା ପ୍ରାୟ ୮୦% ଅଧିକ । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ମନଇଛା ସେସ୍ ଲଗାଇଛି । ଏଥିରୁ କେନ୍ଦ୍ର ବାର୍ଷିକ ପ୍ରାୟ ସାଢ଼େ ୪ ଲକ୍ଷ କୋଟିର ଆୟ କରୁଛି । ଏ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରର ବିଜେପି ସରକାର ଆନ୍ତରିକତା ଦେଖାଉ ନାହାନ୍ତି । କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ଉତ୍କଟ ହେବାରେ ଲାଗିଛି । ଏପଟେ ସିନା କେନ୍ଦ୍ର ନିଜ ରାଜକୋଷ ମୋଟା କରୁଛି, ଏପଟେ ସାଧାରଣ ଲୋକ କିନ୍ତୁ ହନ୍ତସନ୍ତ ହେଉଛନ୍ତି । ଏହାକୁ ନେଇ ରାଜ୍ୟରେ ଶାସକ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଳାଇଲେଣି ।

ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି ଡାକରା ଦେଇଛି । ରାଜଧାନୀ ଠାରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନସ୍ତରରେ ଦଳ ପକ୍ଷରୁ ପ୍ରତିବାଦ ଆରମ୍ଭ ହୋଇଛି । କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକର ହାଣ୍ଡିଶାଳରେ ଏହାର ପ୍ରଭାବ ପଡ଼ିଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବଢ଼ିଛି । ଦରବୃଦ୍ଧି ଯନ୍ତ୍ରଣା ରେ ଜୀବନ ଏବେ କଲବଲ ।

ଦୀପାବଳି ପୂର୍ବରୁ ମିଠା ଦୋକାନ ଉପରେ ଚଢ଼ାଉ: ବାସି ଓ ରଙ୍ଗ ମିଶା ମିଠା ଥିବା ଦୋକାନୀଙ୍କ ଠାରୁ ଆଦାୟ ହେଉଛି ଜରିମାନା

ଭୁବନେଶ୍ୱର: କଟକ ପରେ ଭୁବନେଶ୍ୱରରେ ମିଠା ଦୋକାନ ଉପରେ ଚଢ଼ାଉ । ବିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମିଷ୍ଟାନ୍ନ ଦୋକାନ ଉପରେ ହୋଇଛି ଚଢ଼ାଉ । ରାଜମହଲ ଛକ ସ୍ଥିତ ଶ୍ରୀକୁଞ୍ଜ ମିଠା ଦୋକାନରେ ଚଢ଼ାଉ କରାଯାଇଛି । ରାଜମହଲ ଛକ ପରେ ମାଷ୍ଟର କ୍ୟାଣ୍ଟିନ ଛକ ସ୍ଥିତ ଭୀନିତ ମିଠା ଦୋକାନରେ ଚଢ଼ାଉ କରାଯାଇଛି । ତିନୋଟି ଜୋନ୍ ଫୁଡ୍ ସେଫ୍ଟି ଅଫିସରଙ୍କ ସମେତ ୱାର୍ଡ ଅଧିକାରୀଙ୍କୁ ନେଇ ଚଢାଉ କରାଯାଉଛି । ବାସୀ ମିଠା ସାଙ୍ଗକୁ ରଙ୍ଗ ବ୍ୟବହାର ହୋଇଥିବା ନେଇ ତଦାରଖ ଚାଲିଛି । ଏହା ସହ ଯେଉଁ ମିଠା ବ୍ୟବସାୟୀମାନେ ପଲିଥିନ୍ ଜରି ବ୍ୟବହାର କରୁଛନ୍ତି ସେମାନଙ୍କ ଉପରେ ଫାଇନ୍ ମଧ୍ୟ କରାଯାଉଛି । ଆସନ୍ତାକାଲି ଦୀପାବଳି ହୋଇଥିବାରୁ ଅଧିକ ସଂଖ୍ୟାରେ ଲୋକେ ମିଠା କିଣିଥାନ୍ତି । ଏହାକୁ ନଜରରେ ରଖି ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ମିଠା ଷ୍ଟଲରେ ବିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଛି ।

ଗତକାଲି କଟକ ବାଦାମବାଡି KFC ଉପରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା । ବାସୀ ଓ ଏକ୍ସପାଏରୀ ବ୍ରେଡ୍ ରଖିଥିବା ଅଭିଯୋଗରେ ଚଢ଼ାଉ କରିଥିଲା ସିଏମ୍‌ସି । ରେଡ ସମରେ ବିପୁଳ ପରିମାଣରେ ବାସି ଏବଂ ଏକ୍ସପାଏରୀ ବ୍ରେଡ୍‌କୁ ଜବତ କରାଯାଇଛି। ଏହି ଚଢ଼ାଉରେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ରହିଛନ୍ତି। ଭଲ ଏବଂ ଟେଷ୍ଟି ଖାଇବା ଦିଏ KFC। KFC ହେଉଛି ଏକ ଇଣ୍ଟରନାସନାଲ ବ୍ରାଣ୍ଡ। ଯଦି ଏଭଳି ଏକ ବ୍ରାଣ୍ଡ ଖରାବ ବାସି ଖାଇବା ବିକ୍ରି କରିବ ତେବେ ଲୋକ ବିଶ୍ୱାସ କରିବେତ କାହାକୁ କରିବେ।

ଆଜିର ଦିନରେ KFC ମଧ୍ୟ ଲାଭଖୋର ମନୋଭାବରେ ବାସି ବ୍ରେଡ ଗ୍ରାହକଙ୍କୁ ଦେଉଛି। ଅଧିକ ଲାଭ ପାଇଁ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଏହି ବ୍ରାଣ୍ଡ। ବ୍ରେଡ୍‌ ପରିମାଣ ଏତେ ଖରାପ ଯେ ହାତରେ ଧରିଲେ ବ୍ରେଡ୍‌ ଗୁଣ୍ଡ ହୋଇଯାଉଛି। ବହୁଦିନରୁ ଏଭଳି ଅଭିଯୋଗ ହୋଇଆସୁଥିଲା। ଲୋକେ KFCରେ ଖାଇବା ସମୟରେ ବ୍ରେଡ୍‌ ଆମ୍ବିଳା ଏବଂ ତାର ବାସ୍ନା ଏକ ଅଲଗା ପ୍ରକାରର ହେଉଥିଲା। ଯାହାପରେ ସେମାନେ ଦୋକାନ ମାଲିକକୁ ଅଭିଯୋଗ କରିଥିଲେ, କିନ୍ତୁ ଦୋକାନ ମାଲିକ ଖାଇବାରେ ସୁଧାର ଆଣିବା ପରିବର୍ତ୍ତେ ଗ୍ରାହକଙ୍କୁ ଧମକାଉଥିଲା। ଯାହାପରେ ଫୁଡ ସେଫ୍ଟି ଡିପାର୍ଟମେଣ୍ଟରେ ଅଭିଯୋଗ ହୋଇଥିଲା। ଯାହାର ଆଧାରରେ ଆଜି ରେଡ ହୋଇଛି। ପୁରା KFCକୁ ସିଲ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ।

ଏଥିସହିତ ପଢ଼ନ୍ତୁ: କଟକ KFCରେ ମିଳୁଛି ବାସି ବ୍ରେଡ୍‌ର ପିଜା ଆଉ ବର୍ଗର, CMCର ସ୍ୱାସ୍ଥ୍ୟ ବିଭାଗ କଲା ରେଡ୍‌

କାନପୁରରେ ଜିକା ଭାଇରସର ଆତଙ୍କ, ଗର୍ଭବତୀ ମହିଳାଙ୍କ ସହ ୧୪ ସଂକ୍ରମିତ

କାନପୁର: ଉତ୍ତର ପ୍ରଦେଶର କାନପୁରରେ ଜିକା ଭାଇରସ ସଂକ୍ରମଣରେ ୧୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ବେଳେ ଏଯାବତ୍ ମୋଟ୍ ରୋଗୀଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ସହରରେ ଜିକା ଭାଇରସ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଡିଏମ୍ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୖେଠକ କରିଛନ୍ତି । କାନପୁରର ଚକେରୀ ଅଞ୍ଚଳରେ ପ୍ରଥମେ ୬ଟି ମାମଲା ଚିହ୍ନଟ ହୋଇଥିଲା । ନଭେମ୍ବର ୧ରେ ଚିହ୍ନଟ ହୋଇଥିବା ୬ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ଥିଲେ ।

କେମିତି ବ୍ୟାପେ ଜିକା ଭାଇରସ୍?

ମଶା ଦ୍ୱାରା ବ୍ୟାପିଥାଏ ଜିକା ଭାଇରସ୍ । ଆଉ ଏଡିଜ୍ ଏଜିପ୍ଟି ନାମକ ଏକ ପ୍ରଜାତିର ମଶା ଠାରୁ ଏହା ବ୍ୟାପିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ମୁତାବିକ, ଏହି ମଶା ଦିନରେ କାମୁଡିଥାଏ । ଖାସ୍ କରି ଜିକା ଭାଇରସ୍ ଗର୍ଭବତୀ ମହିଳାଙ୍କ ଉପରେ ଅଧିକ କୁ-ପ୍ରଭାବ ପକାଇଥାଏ । ଏପରିକି ଭୃଣ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ ।

ଜିକାର ଲକ୍ଷଣ ଡେଙ୍ଗୁ ଭଳି ରହିଥାଏ । କିନ୍ତୁ ଏହା ଅଧିକ ଘାତକ ଓ ମାରାତ୍ମକ ସାବ୍ୟସ୍ତ ହୋଇଥାଏ। ଜ୍ୱର ଆସିବା ଓ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଭଳି ଲକ୍ଷଣ ସଂକ୍ରମିତଙ୍କ ଶରୀରରେ ଦେଖାଯାଇଥାଏ । ବ୍ୟାପୁଥିବା ଜିକା ଭାଇରସକୁ ଦେଖି ପ୍ରଶାସନ ମଧ୍ୟ ଆକ୍ସନ ମୋଡରେ ରହିଛି । ରୋଗୀଙ୍କ ଚିକିତ୍ସା କାଶୀରାମ ହସ୍ପିଟାଲରେ କରାଯାଉଥିବା ବେଳେ ଜିକା ପାଇଁ ସ୍ୱତନ୍ତ୍ର ୱାଡ୍ କରାଯାଇଛି । ଭାଇରସ ସଂକ୍ରମଣକୁ କମ୍ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି ।

ଜାଲ୍ ଆଧାର କାର୍ଡଧାରୀ ସାବଧାନ; ଗଣିବେ ୧ କୋଟି ଜରିମାନା

ନୂଆଦିଲ୍ଲୀ: ଜାଲ୍ ଆଧାର କାର୍ଡଧାରୀ ସାବଧାନ । ଗଣିବାକୁ ପଡିପାରେ ଜୋରିମାନା । ହଜାରେ କି ଦୁଇ ହଜାର ନୁହେଁ । ୧ କୋଟି ଟଙ୍କା ଦେଇପାରନ୍ତି ଜୋରିମାନା । ଏନେଇ ଭାରତର ଏକକ ପରିଚୟପତ୍ର କର୍ତ୍ତୃପକ୍ଷ ବା ୟୁଆଇଡିଏଆଇକୁ କ୍ଷମତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଦେଶରେ ପରିଚୟପତ୍ର ପରିଚାଳନା କାର୍ଯ୍ୟର ଟିକିନିଖି ଯାଞ୍ଚ କରିବା ପାଇଁ ଜଣେ ଉଚ୍ଚକ୍ଷମତା ସମ୍ପନ୍ନ ଅଧିକାରୀ ବା ଆଡଜଡିକେଟିଂ ଅଫିସରଙ୍କୁ ନିଯୁକ୍ତି ଲାଗି ୟୁଆଇଡିଏଆଇଙ୍କୁ ଅନୁମତି ପ୍ରଦାନ କରିଛି କେନ୍ଦ୍ର ସରକାର । ସରକାର ଗତ ୨ ତାରିଖରେ ୟୁଆଇଡିଏଆଇ ବିଚାରଗତ ଜୋରିମାନା ନିୟମାବଳୀ ୨୦୨୧ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ନିୟମାବଳୀ ଅନୁସାରେ ୟୁଆଇଡିଏଆଇ ଆଧାର କାର୍ଡ ସମ୍ପର୍କରେ କଡା ନିଷ୍ପତ୍ତି ନେଇପାରିବ ଏବଂ ଅଭିଯୋଗ ଦାୟର କରିପାରିବ ।

ଜାଲ୍ ଆଧାର କାର୍ଡ ମାମଲା ନେଇ ୟୁଆଇଡିଏଆଇର ଅଭିଯୋଗ କ୍ରମେ ଉକ୍ତ ଅଧିକାରୀ ବିଚାର କରିବେ ଏବଂ ନିୟମାବଳୀ ଅନୁସାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରିପାରିବେ। ଆଡଜଡିକେଟିଂ ଅଫିସରଙ୍କ ବିରୋଧରେ ଜଣେ ବ୍ୟକ୍ତି କେବଳ ଟେଲିକମ ବିବାଦ ସମାଧାନ ଓ କ୍ଷମତାପ୍ରାପ୍ତ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିପାରିବେ । ଜାଲ୍ କାର୍ଡଧାରୀଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ସରକାର ଆଧାର ଓ ଅନ୍ୟାନ ଆଇନ ସଂଶୋଧନ ଆଇନ ୨୦୧୯ ଗୃହିତ କରିଥିଲେ । ବର୍ତ୍ତମାନର ଆଧାର ଆଇନ ଅନୁସାରେ ବେଆଇନ କାର୍ଡଧାରୀଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ୟୁଆଇଡିଏଆଇକୁ କ୍ଷମତା ପ୍ରଦାନ କରାଯାଇନାହିଁ । ଏହି ଆଡଜଡିକେଟିଂ ଅଫିସରଙ୍କ ଯୋଗ୍ୟତା ଅତି କମରେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବସ୍ତରୀୟ ହେବ । ସେ ଅତିକମରେ ୧୦ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିବେ । ଏହି ଅଫିସର ଯେଉଁ ଜରିମାନା ଧାର୍ଯ୍ୟ କରିବେ ତାହା ୟୁଆଇଡିଏଆଇ ପାଣ୍ଠିରେ ଜମା ହେବ । ଯଦି ଦୋଷୀ ବ୍ୟକ୍ତି ଏହି ଅର୍ଥ ଜମା କରିପାରିବେ ନାହିଁ ତେବେ ତାଙ୍କର ଜମିବାଡି ମଧ୍ୟ ଜବତ କରାଯାଇ ପାରିବ ।

ପୁରୀ ଜିଲ୍ଲାର ଚାଷୀଙ୍କ ପାଇଁ ‘କାଳିଆ’ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ପିପିଲି ଉପ-ନିର୍ବାଚନ ଲାଗି ଅଟକିଥିଲା

ଭୁବନେଶ୍ୱର: ପୁରୀ ଜିଲ୍ଲା ଚାଷୀମାନଙ୍କ ପାଇଁ କାଳିଆ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧,୬୫,୧୩୧ ଚାଷୀ ପାଇବେ ୩୩କୋଟି ଟଙ୍କାର ସହାୟତା । ।୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀମାନେ ‘କାଳିଆ’ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏଁ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି । ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୩୩.୦୩କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭,୧୨,୯୪୧ ଜଣ ଚାଷୀଙ୍କୁ ୭୪୨.୫୮ କୋଟି ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନ ଥିଲା । ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସାରା ଦେଶରେ ଚାଷମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ।ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା – ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁସଂଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି। ସେହିପରି ଭୂମିହୀନ କୃଷି ପରିବାରମାନେ ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁସଂଗିକ କୃଷି କାର୍ଯ୍ୟ କରିପାରୁଛନ୍ତି । ଚାଷୀମାନଙ୍କ ଋଣ ଭାର କମ୍ କରିବାରେ ମଧ୍ୟ ଏହା ବିଶେଷ ସହାୟକ ସାବ୍ୟସ୍ତ ହୋଇ ପାରିଛି ।

ଏଥିସହିତ ପଢ଼ନ୍ତୁ: ଉପ-ନିର୍ବାଚନ ଫଳାଫଳ ପରେ ବିଜେପିକୁ ସତର୍କ କଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ: କହିଲେ, ସତର୍କ ହୁଅ ନଚେତ ଗାଦିରୁ ଯିବ

ମହାକାଶରେ ହବଲ୍ ଟେଲିସ୍କୋପ ଅଚଳ,ନାସା ଚକିତ

ଓ୍ବାସିଂଟନ: ପୁଣି ଅଚଳ ହେଲା ହବଲ୍ ଟେଲିସ୍କୋପ । ମହାକାଶରେ ପୃଥିବୀର ଆଖି କୁହାଯାଉଥିବା ହବଲ୍ ଟେଲିସ୍କୋପ ପୁଣି ଥରେ ଏକ ରହସ୍ୟମୟ ଭାବରେ ଅଚଳ ହୋଇପଡ଼ିଛି । ଗତ ଏକ ସପ୍ତାହ ହେବ ଏହି ହବଲ୍ ଟେଲିସ୍କୋପ ଅଫଲାଇନ୍ ଏବଂ ସୁରକ୍ଷିତ ମୋଡ଼ରେ ରହିଛି । ହବଲରେ ସମସ୍ୟା ହେତୁ ଏହା ମଧ୍ୟରେ ଥିବା ବୈଜ୍ଞାନିକ ଉପକରଣ ସବୁକୁ ବନ୍ଦ କରାଯାଇଛି । ତେବେ ଅଚନକ ଭାବରେ ଏହି ଟେଲିସ୍କୋପ କାହିଁକି ବନ୍ଦ ହେଲା ତାହାକୁ ନେଇ ଆମେରିକା ସ୍ପେସ୍ ଏଜେନ୍ସି ନାସାର ଇଞ୍ଜିନିୟରମାନେ ଏହାର କାରଣ ବୁଝିବା ପାଇଁ ବିଶ୍ଲେଷଣ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ନାସା କାରଣ ଖୋଜିପାରିନାହିଁ ।

ନାସାର ମୁଖପାତ୍ର ଇନସାଇଡରକୁ କହିଛନ୍ତି କି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେଣୁ ଏବେ ତ୍ରୁଟିର କାରଣ କହିବା କଷ୍ଟକର । ତେବେ ଏଥି ସହିତ ଇଞ୍ଜିନିୟରମାନେ ଏହାକୁ କିପରି ଠିକ୍ କରିବେ ଏବଂ ଏହା କେବେ କାମ କରିବ ତାହା କହିବା ମଧ୍ୟ କଷ୍ଟକର । ଚଳିତ ବର୍ଷ ଏହା ପ୍ରଥମ ଥର ନୁହେଁ ଯେ ହବଲ୍ ଟେଲିସ୍କୋପ କାମ କରିବା ବନ୍ଦ କରିଦେଇଛି । ଗତ ଜୁନ ୧୪ରେ ଏହା ଖରାପ ହୋଇଥିଲା ଯାହା ଫଳରେ ଏହାକୁ ୫ ସପ୍ତାହ ପାଇଁ ସୁରକ୍ଷିତ ମୋଡରେ ରଖାଯାଇଥିଲା ।

୨୦୦୯ ମସିହାରେ ଶେଷ ଥର ପାଇଁ ହବଲର ପୂରା ସିଷ୍ଟମ ବଦଳାଯାଇଥିଲା । ଏହାପରେ ନାସା ଇଞ୍ଜିନିୟରମାନଙ୍କ କଠିନ ପରିଶ୍ରମ ଦ୍ବାରା ହବଲ୍‌ ଟେଲିସ୍କୋପ ପୁଣି ଥିରେ କାମ କରିବା ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ୪ ମାସ ପରେ ଏହି ହବଲ୍ ଟେଲିସ୍କୋପ ପୁଣି ଥରେ କାମ କରିବା ବନ୍ଦ କରିଦେଇଛି । ହବଲ୍ ଟେଲିସ୍କୋପ ହେଉଛି ମହାକାଶରେ ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ । ବିଗତ ୩୦ ବର୍ଷ ଧରି ଏହି ଟେଲିସ୍କୋପ ମହାକାଶରେ ଅନେକ ଆବିଷ୍କାର କରିଛି । ୧୯୯୦ ମସିହାରେ ଆରମ୍ଭ ହୋଇଥିବା ହବଲ୍ ଟେଲିସ୍କୋପ ଧିରେଧିରେ ପୁରୁଣା ହେଉଛି । ଏହି ହବଲ୍ ଟେଲିସ୍କୋପକୁ ନାସା ୨୪ ଏପ୍ରିଲ ୧୯୯୦ରେ ମହାକାଶକୁ ପଠାଇଥିଲା । ମହାକାଶକୁ ପଠାଇବାର ଗୋଟିଏ ଦିନ ପରେ ହିଁ ଏହା କାମ କରିବା ଆରମ୍ଭ କରିଦେଇଥିଲା । ତେବେ ଏହାକୁ ଅନେକ ଥର ମରାମତି କରାଯାଇଛି କିନ୍ତୁ ଏବେବି ଏଥିରେ କିଛି ସମସ୍ୟା ଦେଖାଯାଉଛି । ନାସା ବର୍ତ୍ତମାନ ହବଲ୍ ଟେଲିସ୍କୋପ ସ୍ଥାନରେ ୧୦ ବିଲିୟନ ଡଲାରରେ ଜେମ୍ସ ଓ୍ବେବ୍ ଟେଲିସ୍କୋପ ଲଞ୍ଚ କରିବାକୁ ଯାଉଛି ।

୪୮ ଜିଲ୍ଲାରେ ଭ୍ୟାକ୍ସିନେସନରେ ବିଳମ୍ବ, ଅନଲାଇନ ବୈଠକରେ ପଛୁଆ ଥିବା ଜିଲ୍ଲାଧିକାରୀଙ୍କ କ୍ଲାସ୍ ନେବେ ମୋଦି

0

ଭାରତର ୨୮ଟି ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଭ୍ୟାକ୍ସିନେସନରେ ହେଉଛି ବିଳମ୍ବ  । ଏହି ରାଜ୍ୟର ୪୮ଟି ଜିଲ୍ଲା ଭିତରୁ ୨୭ ଜିଲ୍ଲା ଉତ୍ତରପୂର୍ବ ରାଜ୍ୟର ବୋଲି ଜଣାପଡ଼ିଛି  । ଏଥିମଧ୍ୟରୁ ଝାଡ଼ଖଣ୍ଡର ସବୁଠୁ ଅଧିକ ଜିଲ୍ଲା ସାମିଲ ଅଛି  । ଝାଡ଼ଖଣ୍ଡର ୯ଟି ଜିଲ୍ଲାରେ ୫୦ ପ୍ରତିଶତରୁ କମ୍ ଲୋକଙ୍କୁ ପ୍ରଥମ ଡୋଜ୍ ଭ୍ୟାକ୍ସିନ ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆକଳନ କରିଛି  ।

ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭ୍ୟାକ୍ସିନେସନ ଅଭିଯାନ ଚାଲୁଛି  । ଏହି ଅଭିଯାନରେ ପଛେଇ ଯାଇଥିବା ରାଜ୍ୟର ଜିଲ୍ଲାଅଧିକାରୀମାନଙ୍କୁ ଅତି ଶୀଘ୍ର କ୍ଲାସ ନେବେ ମୋଦି  । ଏହି କାର୍ଯକ୍ରମରେ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ  ।

ଭ୍ୟାକ୍ସିନେସନରେ ପଛେଇ ଯାଇଥିବା ଜିଲ୍ଲାର ଜିଲ୍ଲାଧିକାରୀଙ୍କ ସହ ଅନଲାଇନ ଭିଡିଓ କଲରେ ବୈଠକ ଆୟୋଜନ ହେବ । ଭ୍ୟାକ୍ସିନେସନର ପ୍ରଥମ ଡୋଜରେ ୫୦ ପ୍ରତିଶତରୁ କମ୍ ଥିବା ଜିଲ୍ଲାଗୁଡ଼ିକୁ ଏହି ବୈଠକରେ ସାମିଲ କରାଯାଇଛି  । ଏହି ରାଜ୍ୟଗୁଡ଼ିକ ଝାଡଖଣ୍ଡ, ମଣିପୁର, ନାଗାଲ୍ୟାଣ୍ଡ, ଅରୁଣାଚଳପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟ କେତେକ ରାଜ୍ୟ ମଧ୍ୟ ସାମିଲ ଅଛନ୍ତି  ।

ଦିଲ୍ଲୀ ଏବଂ ମହାରାଷ୍ଚ୍ରର ରାଜ୍ୟ ମଧ୍ୟ ସାମିଲ :

ରାଜ୍ୟର ୪୮ଟି ଜିଲ୍ଲା ଭିତରୁ ୨୭ ଜିଲ୍ଲା ଉତ୍ତରପୂର୍ବ ରାଜ୍ୟର ଥିବାବେଳେ ନାଗାଲ୍ୟାଣ୍ଡ ଓ ମଣିପୁରର ଯଥାକ୍ରମେ ୮-୮ ଟି ଜିଲ୍ଲା ସାମିଲ ଅଛନ୍ତି  । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗଣନା ଅନୁସାରେ ଝାଡ଼ଖଣ୍ଡର ୯ଟି ଜିଲ୍ଲାରେ ୫୦ ପ୍ରତିଶତରୁ କମ୍ ଲୋକଙ୍କୁ ପ୍ରଥମ ଡୋଜ୍ ଭ୍ୟାକ୍ସିନ ଦିଆଯାଇଥିବା ଜଣାପଡ଼ିଛି  । ଏହି ତାଲିକାରେ ରାଜଧାନୀ ଦିଲ୍ଲୀ ସାମିଲ ଥିବାବେଳେ ମହାରାଷ୍ଟ୍ରର ୬ଟି ଜିଲ୍ଲା ମଧ୍ୟ ସାମିଲ ଅଛନ୍ତି  ।

ସବୁଠୁ କମ୍ ଭ୍ୟାକ୍ସିନେସନ ତାଲିକାରେ ଏହି ୫ଟି ଜିଲ୍ଲା :

ଦେଶର ପ୍ରଥମ ଡୋଜରେ ସବୁଠୁ କମ୍ ଭ୍ୟାକ୍ସିନେସନ ଜିଲ୍ଲା ଭିତରୁ ନ୍ୟାଗାଲ୍ୟାଣ୍ଡର କିଫିର ଜିଲ୍ଲା ପ୍ରଥମରେ ଥିବାବେଳେ ଏଠାରେ ମାତ୍ର ୧୭ ପ୍ରତିଶତ ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଇଛି  । ତାଲିକାର ଦ୍ୱିତୀୟରେ ମଣିପୁରର କାଙ୍ଗପୋକପି ଜିଲ୍ଲା ରହିଛି ଯେଉଁଠାରେ କେବଳ ୧୮ ପ୍ରତିଶତ ଲୋକ କୋଭିଡର ପ୍ରଥମ ଡୋଜ୍ ନେଇଛନ୍ତି  । ଏହାପରେ ଅରୁଣାଚଳପ୍ରଦେଶ ଦାଦୀ ଜିଲ୍ଲାରେ ୧୯ ପ୍ରତିଶତ, ମଣିପୁର ଉଖରୁଲ୍ ଜିଲ୍ଲାରେ ୨୦ ପ୍ରତିଶତ ଥିବାବେଳେ ନାଗାଲ୍ୟାଣ୍ଡ ତୁଙ୍ଗସାଙ୍ଗ ଜିଲ୍ଲାରେ କେବଳ ୨୧ ପ୍ରତିଶତ ଲୋକ ଭ୍ୟାକ୍ସିନ ନେଇଛନ୍ତି  ।

 

ଉପ-ନିର୍ବାଚନ ଫଳାଫଳ ପରେ ବିଜେପିକୁ ସତର୍କ କଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ: କହିଲେ, ସତର୍କ ହୁଅ ନଚେତ ଗାଦିରୁ ଯିବ

ଭୁବନେଶ୍ୱର: ବୁଲେଇ ବଙ୍କେଇ ନୁହଁ । ଏଥର ସିଧାସଳଖ ଆକ୍ରମଣ । କେନ୍ଦ୍ରର ବିଜେପି ସରକାର ବିରୋଧରେ ଶାସକ ବିଜେଡି ବାନ୍ଧିଛି ମୋର୍ଚ୍ଚା । ତେଲଦର ବୃଦ୍ଧିକୁ ନେଇ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି । ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରକୁ ଶୁଣାଇଛନ୍ତି ସର୍ତକବାଣୀ । ବହୁତ ହୋଇଗଲା , ଆଉ ନୁହଁ । ଦରବୃଦ୍ଧିରେ ସାରା ଦେଶ ଏବେ କଲବଲ । ସବୁ କ୍ଷେତ୍ରରେ କେନ୍ଦ୍ର ବିଫଳ ହୋଇଛି । ଜନ ଅସନ୍ତୋଷ ତେଜିଲାଣି । ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ଫଳାଫଳ ବିଜେପି ବିରୋଧରେ ଯାଇଛି । ଏବେଠୁ କେନ୍ଦ୍ର ସରକାର ସତର୍କ ହୋଇ ଯାଆନ୍ତୁ । ଦରବୃଦ୍ଧି ନ ରୋକିଲେ ଆଗକୁ ଲୋକ ଜବାବ ଦେବେ । ସରକାର ଶାସନ କ୍ଷମତାରୁ ଯିବେ । ଏମିତି ଭବିଷ୍ୟବାଣୀ କରିଛନ୍ତି ରଣେନ୍ଦ୍ର ।
ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପିର ପରାଜୟ ଦରବୃଦ୍ଧିର ପ୍ରତିଫଳନ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୁକ୍ତି ବାଢ଼ିଛନ୍ତି ।ସେ ଅଭିଯୋଗ କରିଛନ୍ତି, ଦରବୃଦ୍ଧିକୁ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିଲା । ମାତ୍ର ଏବେ ଦରଦାମ ଆକାଶଛୁଆଁ । ରାଜ୍ୟର କ୍ଷମତାକୁ କେନ୍ଦ୍ର ଛଡ଼ାଇ ନେଇଛି । ପେଟ୍ରୋଲ ଓ ଡିଜେଲ ଦର ଉପରେ ରାଜ୍ୟର କିଛି ନିୟନ୍ତ୍ରଣ ନାହିଁ । କେନ୍ଦ୍ରର ଟିକସ ବୋଝ ତେଲଦରକୁ ସର୍ବକାଳୀନସ୍ତରକୁ ନେଇଛି । ଡିଜେଲ ଦର ବଢ଼ିବାରୁ ଚାଷୀର ଉତ୍ପାଦନ ଖର୍ଚ୍ଚ ବଢ଼ିଛି । ପରିବହନ ଖର୍ଚ୍ଚ ମଧ୍ୟ ବଢ଼ି ବଢ଼ି ଚାଲିଛି । ସାଧାରଣ ଲୋକ ବଞ୍ଚିବ କେମିତି? ବେଳ ଥାଉ ଥାଉ କେନ୍ଦ୍ର ବାଟ ବାହାର ନକଲେ ଆଗକୁ ଦର ଅହୁରି ଉଚ୍ଚା ଧରିବ । ଏହାର ଫଳ କିନ୍ତୁ କେନ୍ଦ୍ରକୁ ଭୋଗିବାକୁ ହେବ ବୋଲି ସମାଲୋଚନା କରି କହିଛନ୍ତି ରଣେନ୍ଦ୍ର ।

ସୂଚନା ଯୋଗ୍ୟ, ଦେଶରେ ୩ ଲୋକସଭା ଓ ୨୯ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ହିମାଚଳ ପ୍ରଦେଶରେ ଶାସନରେ ଥିବା ବିଜେପିକୁ ଝଟକା ଲାଗିଛି ।  ମଣ୍ଡି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀର ଭଦ୍ର ସିଂହଙ୍କ ପତ୍ନୀ  ପ୍ରତିଭା ସିଂ ବିଜେପି ପ୍ରାର୍ଥୀ କୋଶାଲ ଠାକୁରଙ୍କୁ ପରାଜିତ କରିଛନ୍ତି । ଏହାସହ ୩ ଟି ବିଧାନସଭା ଆସନରେ ବି ବିଜେପିକୁ ପରାଜିତ କରି କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଆସାମରେ ହୋଇଥିବା ୫ ଟି ବିଧାନସଭା ପାଇଁ ନିର୍ବାଚନରେ ବିଜେପି ମେଣ୍ଟ ଆଗୁଆ ରହିଛି । ସେହିଭଳି ମିଜୋରମରେ ଗୋଟିଏ ବିଧାନସଭା ଆସନ ପାଇଁ ହୋଇଥିବା ମତଦାନରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ବିଜୟୀ ହୋଇଛି । ସେହିଭଳି ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ଉପ ନିର୍ବାଚନରେ ମତଦାନରେ ସବୁ ଆସନରେ ଟିଏମସି ବିଜୟୀ ହୋଇଛନ୍ତି । ସେହିଭଳି ରାଜସ୍ଥାନରେ ୨ଟି ବିଧାନସଭା ଆସନରେ ହୋଇଥିବା ମତଦାନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ହିମାଚଳ ପ୍ରଦେଶରେ କଂଗ୍ରେସର କ୍ଲିନ୍ ସ୍ବିପ୍ ; ବିଜେପି ହାତରୁ ଗଲା ମଣ୍ଡି ଆସନ

ଖବର ପ୍ରସାରଣ ପରେ ଚେତିଲା ପୋଲିସ: ଅପହୃତ ନବମ ଶ୍ରେଣୀ ଛାତ୍ରୀ ଉଦ୍ଧାର

ଭୁବନେଶ୍ୱର: ଖବର ପ୍ରସାରଣ ପରେ ଚେତିଲା ପୋଲିସ । ରମ୍ଭାରୁ ଉଦ୍ଧାର ହେଲେ ଅପହୃତ ନାବାଳିକା । ଗୋଟିଏ ବନ୍ଦ ଘରୁ ଉଦ୍ଧାର କଲା କ୍ୟାପିଟାଲ ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଉଦ୍ଧାର କରିଥିବା ସୂଚନା । ୟୁନିଟ ୬ରୁ ନବମ ଶ୍ରେଣୀ ଝିଅକୁ ଅପହରଣ ନେଇ ହୋଇଥିଲା ଅଭିଯୋଗ । ଜଣେ ନୃତ୍ୟ ଶିକ୍ଷକ ଅପହରଣ କରିଥିବା ନେଇ ଆସିଥିଲା ଅଭିଯୋଗ । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ।  ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ନନ୍ଦିଘୋଷ ଟିଭିରେ ପ୍ରଥମେ ଏ ନେଇ ଖବର ପ୍ରସାରଣ ହୋଇଥିଲା

ସୂଚନା ଯୋଗ୍ୟ ଯେ, ୧୩ ବର୍ଷର ନାବାଳିକା ଝିଅ ସ୍କୁଲକୁ ଯିବା ବାଟରେ ଦୁର୍ବୃତ୍ତମାନେ ଉଠାଇ ନେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଘଟଣାଟି କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୬ ଅଞ୍ଚଳରେ ଘଟିଛି । ଗତ ୨୭ ତାରିଖ ଦିନ ୟୁନିଟ ୬ ବାଳିକା ହାଇସ୍କୁଲକୁ ଯାଇ ନାବାଳିକା ଜଣଙ୍କ ଆଉ ଘରକୁ ଫେରିନାହାନ୍ତି । ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ୟୁନିଟ ୬ରେ ରହୁଥିବା ଜଣେ ନୃତ୍ୟ ଶିକ୍ଷକ ନାବାଳିକା ଜଣଙ୍କୁ କେଉଁଆଡ଼େ ନେଇଯାଇଛନ୍ତି । ଅଭିଯୋଗ ପରେ ପୋଲିସ ନୃତ୍ୟ ଶିକ୍ଷକ ଜଣଙ୍କୁ ଅଟକ ରଖିଥିଲେ ମଧ୍ୟ ଅଣ୍ଡରଟେକିଂ ଲେଖି ଛାଡ଼ି ଦେଇଥିଲା ।

ଏଥିସହିତ ପଢ଼ନ୍ତୁ: ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ ଅଭିଯୋଗ: ନୃତ୍ୟ ଶିକ୍ଷକଙ୍କ ଠାରୁ ଅଣ୍ଡର ଟେକିଂ ଲେଖି ଛାଡ଼ିଦେଲା ପୋଲିସ