ବୁଧବାର ଆନ୍ଦୋଳନରତ କୃଷକ କରିପାରନ୍ତି ବଡ଼ ଘୋଷଣା

ନୂଆଦିଲ୍ଲୀ: ବୁଧବାର ଅନ୍ନଦାତାଙ୍କ ଆନ୍ଦୋଳନର ଅବସାନ ଘଟିପାରେ । ମଙ୍ଗଳବାର ଅନୁଷ୍ଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକ ପରେ ଏଭଳି ଆଶା କରାଯାଉଛି । ପାଖାପାଖି ୧ବର୍ଷ ହେବ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ କୃଷକ ଆନ୍ଦୋଳନ କରିଆସୁଛନ୍ତି । ସରକାର ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହର ଘୋଷଣା କରିବା ସହ ସଂସଦରେ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏଥିସହିତ ଚାଷୀଙ୍କ ଦାବି ସମ୍ପର୍କିତ ଡ୍ରାଫ୍ଟ ସଂଯୁକ୍ତ କିଷାନ ମୋର୍ଚ୍ଚାର ୫ଜଣିଆ କମିଟିକୁ ପଠାଇଛନ୍ତି । ଯାହାକୁ ନେଇ ମଙ୍ଗଳବାର କୃଷକ ସଂଗଠନ ମଧ୍ୟରେ ଆଲୋଚନା ହୋଇସାରିଛି । ଏବଂ ବୁଧବାର ଏହି ଦୀର୍ଘକାଳୀନ ଆନ୍ଦୋଳନର ଅବସାନ ନେଇ ଘୋଷଣା କରାଯାଇପାରେ ।

ତେବେ କେନ୍ଦ୍ର ସରକାରଙ୍କ ଚିଠା ପ୍ରସ୍ତାବ ଅନୁଯାୟୀ ସଂଯୁକ୍ତ କୃଷକ ମୋର୍ଚ୍ଚାର ୫ଜଣ ସଦସ୍ୟଙ୍କୁ ଏମ୍‌ଏସପି ଉପରେ ଗଠିତ ହେବାକୁ ଥିବା କମିଟିରେ ସାମିଲ କରାଯିବ । ଅନ୍ୟ ପକ୍ଷରେ ସରକାର ୧ବର୍ଷ ମଧ୍ୟରେ କୃଷକ ବିରୋଧରେ ଦାୟର ମାମଲାକୁ ମଧ୍ୟ ଫେରାଇ ନେବାକୁ ପ୍ରସ୍ତାବ ରହିଛି । ଏହା ବ୍ୟତୀତ ଏହି ପ୍ରସ୍ତାବରେ ପଞ୍ଜାବ ମଡେଲ ଉପରେ କ୍ଷତିପୂରଣ ଦେବା ନେଇ ମଧ୍ୟ କୁହାଯାଇଛି  । ତେବେ ଲଖମିପୁର ଖେରୀ ମାମଲା ଓ ବିଜୁଳି ବିଲ୍ ନେଇ କୌଣସି ସକାରାତ୍ମକ ଆଲୋଚନା ହୋଇନାହିଁ ।

ସୂଚନା ଯୋଗ୍ୟ ଯେ,  ମୃତ ଚାଷୀଙ୍କ ପରିବାରକୁ ଉଚିତ୍ କ୍ଷତିପୂରଣ ପ୍ରଦାନ,   ଏମ୍‌ଏସପି ଆଇନ୍ ସିଦ୍ଧ୍ କରାଯିବା ସହିତ ଅନ୍ୟାନ୍ୟ ଦାବିରେ ଏଯାଏଁ ଅଟଳ ଅଛନ୍ତି କୃଷକ । ଏହାସହ ଗୋଟିଏ ବର୍ଷ ଆନ୍ଦୋଳନ ଭିତରେ ୭୦୦ କୃଷକଙ୍କ ମୃତ୍ୟୁକୁ ନେଇ ସଂଗଠନ ସରକାରଙ୍କୁ ଦୋଷୀ ବୋଲି କହିଛି । ଏହାସହ ଲଖିମପୁର ଠାରେ କୃଷକମାନଙ୍କ ହତ୍ୟାକୁ କେନ୍ଦ୍ର ସରକାରଙ୍କ ଅହଂକାର ବୋଲି କହିଛି ସଂଗଠନ । ମୋର୍ଚ୍ଚା ତରଫରୁ ଲଖିମପୁର ହିଂସା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରିଛି ।

ଏଥିସହିତ ପଢ଼ନ୍ତୁ: ଭିନ୍ନ ଭିନ୍ନ କମ୍ପାନୀର କରୋନା ଟିକାରୁ ସୃଷ୍ଟି ହେଉଛି ଜବରଦସ୍ତ ପ୍ରତିଷେଧକ କ୍ଷମତା

Leave a Reply