ପୂର୍ବରୁ କହିଥିଲି, ଏବେ ବି କହୁଛି କୋହଲି ଟେଷ୍ଟରେ ସର୍ବଶ୍ରେଷ୍ଠ ଅଧିନାୟକ: ଇରଫାନ ପଠାନ

1 min read

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲୁଥିବା ଦୁଇ ଟିକିଆ ଟେଷ୍ଟ ସିରିଜକୁ ନିଜ ନାମରେ କରିଛି ଟିମ୍ ଇଣ୍ଡିଆ । ଏହି ସିରିଜକୁ ୧-୦ରେ ନିଜ ନାମରେ କରିଛି ବିରାଟ ବାହିନୀ । ପ୍ରଥମ ମ୍ୟାଚରେ ଆଜିଙ୍କେ ରାହାଣେଙ୍କ ନେତୃତ୍ୱରେ ଭାରତ ଟେଷ୍ଟକୁ ଡ୍ର’ କରିବାରେ ସଫଳ ହୋଇଥିଲା । ପ୍ରଥମ ଟେଷ୍ଟରେ ବିଶ୍ରାମ ପରେ ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ କରିଥିଲେ ଅଧିନାୟକ ବିରାଟ କୋହଲି । ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟକୁ ୩୭୨ ରନରେ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୧-୦ରେ ପରାସ୍ତ କରିବା ପରେ ଡିସେମ୍ବର ୨୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ଟିକିଆ ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ୍ ଇଣ୍ଡିଆ ।

ମୁମ୍ବାଇ ଟେଷ୍ଟରେ ବିରାଟ କୋହଲି ବ୍ୟାଟିଂରେ କିଛି କମାଲ କରିପାରିନଥିଲେ କିନ୍ତୁ ଅଧିନାୟକ ଭାବରେ ଦମଦାର ପ୍ରଦର୍ଶନ କରିଥିଲେ । ବିରାଟଙ୍କ ଦମଦାର ଅଧିନାୟକତ୍ୱ ଫଳରେ ମୁମ୍ବାଇ ଟେଷ୍ଟକୁ ୩୭୨ ରନରେ ନିଜ ନାମରେ କରିଥିଲା ବିରାଟ ବ୍ରିଗେଡ । ମୁମ୍ବାଇ ଟେଷ୍ଟରେ ବିରାଟ ବିଜୟ ପରେ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ । ଇରଫାନ ପଠାନ ବିରାଟ କୋହଲିଙ୍କୁ ସର୍ବଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି । ପଠାନ ଟ୍ୱିଟ କରି କହିଛନ୍ତି କି ‘ମୁଁ ପୂର୍ବରୁ କହିଥିଲି, ଏବେ ମଧ୍ୟ କହୁଛି ବିରାଟ କୋହଲି ଭାରତର ସର୍ବଶ୍ରେଷ୍ଠ ଅଧିନାୟକ’। ବିରାଟ ୫୯.୦୯ ପ୍ରତିଶତ ବିଜୟ ହାସଲ କରି ଶୀର୍ଷ ସ୍ଥାନରେ ରହିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ଇରଫାନ ପଠାନ ।

ଏହି ବିଜୟ ସହ ଘରୋଇ ମାଟିରେ ଭାରତ ଲଗାତର ଭାବରେ ୧୪ଟି ସିରିଜକୁ ନିଜ ନାମରେ କରିଛି । ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଲଗାତର ଭାବରେ ୧୧ଟି ସିରିଜ ଜିତିଛି । ମୁମ୍ବାଇ ଟେଷ୍ଟ ବିଜୟ ସହ ଭାରତ ୧୨ ଅଙ୍କ ହାସଲ କରିଛି । ଏହି ବିଜୟ ସହ ଟେଷ୍ଟରେ ପୁଣି ଥରେ ଏକ ନମ୍ବର ଦଳ ହୋଇଛି ଟିମ୍ ଇଣ୍ଡିଆ ।

Leave a Reply