ସ୍ନେହ ଶ୍ରଦ୍ଧା ଓ ଉପଶମର କେନ୍ଦ୍ର ବାଗଚୀ-କରୁଣାଶ୍ରୟ ଉଦଘାଟନ କଲେ ମୁଖ୍ୟ ଶାସନ ସଚିବ

1 min read
Karunashraya City Space and Home care Service

ଭୁବନେଶ୍ୱର:  କର୍କଟ ରୋଗୀଙ୍କ ଯତ୍ନ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ିଲା ଓଡ଼ିଶା । ଗଣ୍ଡାମୁଣ୍ଡାଠାରେ ବାଗଚୀ-କରୁଣାଶ୍ରୟ ଗୃହଭିତ୍ତିକ ସେବା କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଓଡ଼ିଶା ସରକାର, ବେଙ୍ଗଳୁରୁ ହସପିସ୍ ଟ୍ରଷ୍ଟ ଏବଂ ବାଗଚୀ କରୁଣାଶ୍ରୟଙ୍କର ମିଳିତ ପ୍ରଚେଷ୍ଟାରେ ଓଡ଼ିଶାରେ ପ୍ରଥମଥର ପାଇଁ ଏହି ପ୍ରକାର ଅନୁଷ୍ଠାନ ଆରମ୍ଭ ହୋଇଛି । ଆଗାମୀ ଦିନରେ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ସହାୟତା ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ସେବ ସମ୍ପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଇନଫୋଭ୍ୟାଲି-୨ରେ ବାଗଚୀ-ଶ୍ରୀ ଶଙ୍କର କର୍କଟ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଦେଇଥିବା ଜମିରେ ବାଗଚୀ ଶ୍ରୀ ଶଙ୍କରଙ୍କର କର୍କଟ ଚିକିତ୍ସାଳୟ ଓ କରୁଣାଶ୍ରୟ ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀଘ୍ର ଶେଷ ହେବ । ଏହା ପୂର୍ଣ୍ଣାଙ୍ଗ ହେଲେ କର୍କଟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଏହି ଅବସରରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା କେନ୍ଦ୍ର ଏବଂ ବାଗଚୀ କରୁଣାଶ୍ରୟ ହସପିସ୍ ଟ୍ରଷ୍ଟ ମଧ୍ୟରେ କର୍କଟ ଚିକିତ୍ସା ନିମନ୍ତେ ସହଯୋଗିତା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ବର୍ତ୍ତମାନ ବାଗଚୀ କରୁଣାଶ୍ରୟର ସେବା ଭୁବନେଶ୍ୱର ସହର ଏବଂ ତତସଂଲଗ୍ନ ୨୦ କିଲୋମିଟର ପରିଧି ଅଞ୍ଚଳରେ ଉପଲବ୍ଧ ହେଉଛି ।

Leave a Reply