spot_img
Home Blog Page 4844

୩ ଜଣ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଜଣେ RI ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଜଣେ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏହା ସହିତ ଦୁଇ ଜଣ ଅଧିକାରୀଙ୍କ ପେନ୍‌ସନ ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।

ବାଧ୍ୟତାମୂଳକ ଅବସର ପାଇଥିବା ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର, (ଜଟଣୀ ମ୍ୟୁନିସିପାଲଟି ଓ ଛତ୍ରପୁର ଏନ୍‌.ଏ.ସି.ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ) ଲଳିତା କପୁରଙ୍କ ନାମରେ ୨ଟି ଦୁର୍ନୀତି ଅଭିଯୋଗ ରହିଛି । ସରକାରୀ ଅର୍ଥ ଆତ୍ମସାତ କରିବା ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାମରେ ରହିଛି । ବେଲପାହାଡ଼ ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀଙ୍କୁ ମଧ୍ୟ ଅପାରଗତା ଓ ଅସାଧୁତା ଯୋଗୁଁ  ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଝାରସୁଗୁଡ଼ା ମ୍ୟୁନିସପାଲଟିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ବିଦେଶରୁ ଫେରିଲେ ୧୪ ଦିନ ସଙ୍ଗରୋଧ

ପୁରୀ ଜିଲ୍ଲା ବେତାଲ ଆର.ଆଇ ସର୍କଲର ରାଜସ୍ୱ ନିରୀକ୍ଷକ ମନୋଜ କୁମାର ପରିଡ଼ାଙ୍କୁ ଦୁର୍ବ୍ୟବହାର, ବିଶୃଙ୍ଖଳା ଆଚରଣ ଓ କର୍ତ୍ତବ୍ୟରେ ଅବହେଳା ଓ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ଯୋଗୁ ଚାକିରିରୁ ବହିଷ୍କୃତ କରାଯାଇଛି । ଉପରୋକ୍ତ ଚାରିଜଣଙ୍କ ସମ୍ପର୍କରେ ମଧ୍ୟ ମୋ ସରକାରକୁ ଜନସାଧାରଣ ପ୍ରତିକୂଳ ମତାମତ ଦେଇଥିଲେ ।

ଏହାସହିତ ଓଡ଼ିଶା ପୋଲିସ ସେବା ଅଧିକାରୀ ବଲାଙ୍ଗିରର ପୂର୍ବତନ ଅତିରିକ୍ତ ଏସପି ତଥା ହୋମଗାର୍ଡର ପୂର୍ବତନ ଡିଏସପି ଶ୍ରୀକାନ୍ତ ମିଶ୍ର ଏବଂ ଗଞ୍ଜାମ ବେଲଗୁଣ୍ଠା ବ୍ଲକ୍‌ର ପୂର୍ବତନ ଏଏଫଓ ଏପିଲି ଉଦୟନାଥଙ୍କର ପେନସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ସେମାନଙ୍କ ନାମରେ ଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି । ଏପର୍ଯ୍ୟନ୍ତ ୧୪୦ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ।

ସମ୍ଭାବ୍ୟ ବାତ୍ୟାକୁ ନେଇ କର୍ମଚାରୀଙ୍କ ଛୁଟି ବାତିଲ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ଜୱାଦର ସ୍ପଷ୍ଟ ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ । ପାଣିପାଗ ବିଭାଗ ପକ୍ଷରୁ ଯାହା ଜଣା ପଡୁଛି, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ଗତିବିଧି ସ୍ପଷ୍ଟ ହୋଇପାରେ। ଜୱାଦର ମୁକାବିଲା ଲାଗି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୩ ଦିନ ଲାଗି କର୍ମଚାରୀ ମାନଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।

ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରି ରଖାଯାଇଛି। ଆଶ୍ରୟ ସ୍ଥଳରେ ପ୍ରଥମେ ଗର୍ଭବତୀ ମାନଙ୍କୁ ରଖିବା ଲାଗି ଅଗ୍ରାଧିକାର ଦିଆଯିବ। ବାତ୍ୟା ଜୱାଦର କିଭଳି ସଫଳ ମୁକାବିଲା କରାଯିବ, ସେଥିପାଇଁ  ପ୍ରସ୍ତୁତି ନିର୍ଣ୍ଣୟ କରିଛନ୍ତି ଜିଲ୍ଲା ପ୍ରଶାସନ  । ବାତ୍ୟାର ଚୂଡ଼ାନ୍ତ ପ୍ରସ୍ତୁତି, ଆଗୁଆ ପଦକ୍ଷେପ, ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଥଇଥାନ ସମ୍ପର୍କରେ ସବିଶେଷ ଯତ୍ନବାନ ଥିବା କହିଛନ୍ତି ଜିଲ୍ଲାପାଳ  ।

ବିଦେଶରୁ ଫେରିଲେ ୧୪ ଦିନ ସଙ୍ଗରୋଧ

ଭୁବନେଶ୍ବର: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବର୍ତ୍ତମାନ ସୁଦ୍ଧା ୨୬ଟି ଦେଶକୁ ବ୍ୟାପିଲାଣି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ପ୍ରଭାବିତ ଦେଶରୁ ଆସୁଛନ୍ତି ସେମାନେ ନେଗେଟିଭ ରିପୋର୍ଟ ଧରିକି ଆସିବେ । ନିଜ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପୋର୍ଟାଲରେ ଦେବା ଲାଗି ବାଧ୍ୟତାମୂଳକ କରାଯାଇଛି । ସମସ୍ତ ବିମାନବନ୍ଦରରେ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂ ପଜିଟିଭ ଆସିଲେ ତାଙ୍କୁ ତୁରନ୍ତ ଆଇସୋଲେସନକୁ ପଠାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ ଆହୁରି କହିଛନ୍ତି, ‘ରିପୋର୍ଟ ନେଗେଟିଭ ଆସିଲେ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ୭ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଅଷ୍ଟମ ଦିନ ପୁଣି ଟେଷ୍ଟ କରାଯିବ।’

ବିଦେଶ ଫେରନ୍ତା ବିମାନବନ୍ଦରରେ ଟେଷ୍ଟ କରି ଆସୁଥିବାରୁ ସେମାନଙ୍କୁ ଟ୍ରେସ୍ କରି ଅଷ୍ଟମ ଦିନ ତାଙ୍କର ଆରଟି-ପିସିଆର ଟେଷ୍ଟ କରିବାକୁ ପଦକ୍ଷେପ ନିଆଯାଇଛି । ଅଷ୍ଟମ ଦିନ ତାଙ୍କ ରିପୋର୍ଟ ପଜିଟିଭ ଆସିଲେ ତାଙ୍କୁ ଆଇସୋଲେସନକୁ ପଠାଯିବ, ନଚେତ ଆଉ ୭ ଦିନ ତାଙ୍କୁ ସେଲଫ ଅବଜରଭେସନରେ ରଖାଯିବ । ମୋଟ ୧୪ ଦିନ ତାଙ୍କୁ ସଙ୍ଗରୋଧରେ ରହିବାକୁ ହେବ । ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିବ, ତାଙ୍କର ଜିନୋମ ସିକୁଏନ୍ସିଂ କରାଯିବ ।

ମିଳିଥିବା ଦୁଇ ଦିନର ତଥ୍ୟ ଅନୁଯାୟୀ ପ୍ରଭାବିତ ଦେଶରୁ ସର୍ବମୋଟ ୩୮୦ ଜଣ ଓଡ଼ିଶା ଆସିଛନ୍ତି । ୨୮ ତାରିଖରେ ୨୨୪ ଜଣ ଓ ୨୯ ତାରିଖରେ ୧୫୬ ଜଣ ଆସିଛନ୍ତି । ସେ ବିଷୟରେ ଜିଲ୍ଲା ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ସବୁ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର କର୍ତ୍ତୃପକ୍ଷ ଏବଂ ଝାରସୁଗୁଡ଼ା ଜିଲାପାଳଙ୍କୁ ସତର୍କ କରିବା ସହ ଆବଶ୍ୟକ ସ୍ଥଳେ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଓମିକ୍ରନ୍ ଆତଙ୍କ: ଏକ ସପ୍ତାହ ଘୁଞ୍ଚିପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

ଚାଷୀ ମୃତ୍ୟୁ ନେଇ ଆଜି ବି ସଂସଦରେ ତାତି; କକ୍ଷତ୍ୟାଗ କଲେ ବିରୋଧୀ ସାଂସଦ

ନୂଆଦିଲ୍ଲୀ: ଚାଷୀ ମୃତ୍ୟୁ ନେଇ ସଂସଦରେ ତାତି । ଚତୁର୍ଥ ଦିନରେ ପାର୍ଲାମେଣ୍ଟରେ ଚାଷୀ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗାମା ହୋଇଛି। ବିବାଦୀୟ ଚାଷୀ ଆଇନ ବିନା ଆଲୋଚନାରେ ପ୍ରତ୍ୟାହୃତ କରାଯିବା ଓ MSP ଗ୍ୟାରେଣ୍ଟିକୁ ନେଇ ବିରୋଧୀ ଆଲୋଚନା ପାଇଁ ଗୃହରେ ବିରୋଧୀ ସାଂସଦ ନାରାବାଜୀ କରିଥିଲେ । ସେପଟେ ଚାଷୀ ମୃତ୍ୟୁକୁ ନେଇ କୃଷି ମନ୍ତ୍ରୀ ଦେଇଥିବା ବିବୃତ୍ତିକୁ ନେଇ ଗୃହ ଭିତରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ସାଂସଦ । ଚାଷୀ ପ୍ରସଙ୍ଗରେ ଆଲୋଚନା ହୋଇ ନ ପାରିବାରୁ କଂଗ୍ରେସ, ଟିଏମସି, ଏନସିପି, ଡିଏମକେ ସମେତ ତମାମ ବିରୋଧୀ ସାଂସଦ ରାଜ୍ୟସଭା କକ୍ଷତ୍ୟାଗ କରିଛନ୍ତି ।

ଅନ୍ୟପଟେ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୨ ରାଜ୍ୟ ସଭା ସାଂସଦ ଆଜି ବି ଗାନ୍ଧୀ ମୂର୍ତ୍ତି ତଳେ ବସି ରହିଛନ୍ତି । ପ୍ରତିବାଦ କରୁଥିବା ୧୨ ଜଣ ସାଂସଦଙ୍କ ସହ ପ୍ରତିବାଦ ସ୍ଥଳରେ ସାମିଲ ହୋଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଶଶି ଥରୁର ।

ଓମିକ୍ରନ୍ ଆତଙ୍କ: ଏକ ସପ୍ତାହ ଘୁଞ୍ଚିପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

ନୂଆଦିଲ୍ଲୀ: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଟିମ୍ ଇଣ୍ଡିଆ । କିନ୍ତୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ପାଇଁ ଘୁଞ୍ଚିପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍ । କରୋନାର ନୂଆ ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇ ଏପର୍ଯ୍ୟନ୍ତ ୨୪ଟି ଦେଶରେ ତା’ର ପ୍ରଭାବ ବିସ୍ତାର କରିସାରିଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଟୁର୍ ଉପରେ ଅଧିକ ବିଚାର ପାଇଁ କିଛି ସମୟ ମାଗିଛି ବିସିସିଆଇ ।

ବିସିସିଆଇର ଅଧିକାରୀଙ୍କ ସୂଚନା ଅନୁଯାୟୀ ଦୁଇ ଦେଶର ବୋର୍ଡ ଏବଂ ସରକାରଙ୍କ ମଧ୍ୟରେ ଏହାକୁ ନେଇ ଆଲୋଚନା ଜାରି ରହିଛି । ଓମିକ୍ରନ୍ ଦକ୍ଷିଣ ଆଫ୍ରିକାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହି ସିରିଜ ଏକ ସପ୍ତାହ ଘୁଞ୍ଚି ପାରେ ବୋଲି ସେ କହିଛନ୍ତି । ତେବେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜକୁ ରଦ୍ଧ କରିବ ନାହିଁ ବୋଲି କହିଥିଲା ବିସିସିଆଇ । କିନ୍ତୁ ବର୍ତ୍ତମାନ ନୂଆ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟରେ ରଖି ଏହି ନିଷ୍ପତି ଉପରେ ଆଉ ଥରେ ବିଚାର କରିପାରେ ବୋଲି ମଧ୍ୟ କହିଛନ୍ତି ବିସିସିଆଇର ଅଧିକାରୀ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଭାରତୀୟ ଟିମକୁ ପୂରା ସୁରକ୍ଷିତ ବାୟୋ ବବଲରେ ରଖାଯିବ ବୋଲି କହିଥିଲେ । ଏବେ ଭାରତୀୟ ‘A’ ଦଳ ଦକ୍ଷିଣ ଆଫ୍ରିକାରେ ରହିଛି । ତେବେ ଭାରତୀୟ ସିନିୟର ଦଳ ନ୍ୟୁଜିଲାଣ୍ଡ ଗସ୍ତ ପରେ ଡିସେମ୍ବର ୯ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ।

ଭାରତ ଦକ୍ଷିଣ ଆଫ୍ରିକା ଟୁରରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ଟି ଟି-୨୦ ମ୍ୟାଚ ଖେଳିବ । ଏହି ଟୁରର ପ୍ରଥମ ଟେଷ୍ଟ ଡିସେମ୍ବର ୧୭ରେ ଜୋହାନସବର୍ଗରେ ଖେଳାଯିବ ।

ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ କମିଛି କି ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ଶେଖର ଗୁପ୍ତା

ଭୁବନେଶ୍ୱର: ଦୈନିକ ସକାଳର ସ୍ୱନକ୍ଷତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା କୃଷି ଆଇନ ପ୍ରତ୍ୟାହାର ଓ ଏହାର ରାଜନୈତିକ ପ୍ରଭାବ ଉପରେ ନିଜ ମତ ରଖିଛନ୍ତି । କୃଷି ଆଇନ ପ୍ରତ୍ୟାହାର ଦ୍ୱାରା ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ କମିଛି କି ? ଏହି ପ୍ରଶ୍ନର ଉତ୍ତରରେ ଗୁପ୍ତା କହିଥିଲେ ଯେ, ମୁଁ ଜଣେ ମାର୍କେଟିଂ ପର୍ସନ ନୁହେଁ । ମୁଁ ଜଣେ ସାମ୍ବାଦିକ । ଜଣେ ସାମ୍ବାଦିକ ଭାବେ କହିବି ଯେ, ମୁଁ ନିଜେ କୃଷି ଆଇନକୁ ସମର୍ଥନ କରେ । ତାହା ଚାଷୀଙ୍କ ପାଇଁ ଭଲ ଥିଲା । କିନ୍ତୁ ମୁଁ ଏହା ମଧ୍ୟ କହିବାକୁ ଯାଉଛି କୃଷକ ଆନ୍ଦୋଳନ ଗୋଟିଏ କଥା କରିଛି ତାହା ହେଉଛି ଯେ, ସେମାନେ ଦେଶ, ମୋଦି ଓ ବିଜେପିକୁ କହିଛନ୍ତି ଯେ, ସଂଖ୍ୟାଗରିଷ୍ଠତାର ଅର୍ଥ ନୁହେଁ ଯେ ବାକିଙ୍କର କୌଣସି ମୂଲ୍ୟ ନୁହେଁ ।

ତେବେ ପଂଜାବ ଓ ଉତ୍ତର ପ୍ରଦେଶକୁ ନିର୍ବାଚନ କାରଣରୁ ବିଲ୍ ପ୍ରତ୍ୟାହର ହୋଇଛି କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ପଂଜାବରେ ବିଜେପିର କୌଣସି ଅସ୍ଥିତ୍ୱ ନାହିଁ । ଉତ୍ତର ପ୍ରଦେଶର କିଛି ଭାଗରେ କୃଷକ ଆନ୍ଦୋଳନର ପ୍ରଭାବ ରହିଛି । ତେଣୁ ନିର୍ବାଚନ ପାଇଁ ଆଇନ ପ୍ରତ୍ୟାହାର ହୋଇଥିବ ବୋଲି ମୁଁ ଭାବୁନି । ହୁଏତ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା ସରକାରଙ୍କୁ ଡରାଇ ଥିଲା । ତେଣୁ ଆଇନ ପ୍ରତ୍ୟାହର ହୋଇଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସଂସଦୀୟ ସଂଖ୍ୟାଗରିଷ୍ଠତାର ଦୁର୍ବଳତାକୁ ମଧ୍ୟ ପଦାରେ ପକାଇ ଦେଇଛି ।

ଏହାସହ ସେ କହିଥିଲେ ଯେ, ଏଭଳି ଗୁରୁତ୍ୱପୂର୍ଣ୍ଣ ଆଇନକୁ ଅଧ୍ୟାଦେଶ ମାଧ୍ୟମରେ ଆଣିବା ମଧ୍ୟ ଭୁଲ ଥିଲା । ଏଭଳି ଆଇନ ଯାହାଦ୍ୱାରା ଅନେକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହେବାର ଅଛି ତାହା ସଂସଦରେ ଆଲୋଚନା ଦ୍ୱାରା ଆସିବାର ଥିଲା ।

କେବଳ ଦୁଇଟି ରାଜ୍ୟର ଚାଷୀଙ୍କ ପାଇଁ ସରକାର ମୁଣ୍ଡ ନୁଆଇଁବା କେତେଦୁର ଯଥାର୍ଥ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏକ ପ୍ରକୃତ ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତାର ସୀମା କ’ଣ ତାହା ଏହି ଆନ୍ଦୋଳନ ପ୍ରମାଣିତ କରିଛି । ଯଦି ସଂଖ୍ୟାଗରିଷ୍ଠତା ହିଁ ସବୁକିଛି ତେବେ ଚୀନରେ କମ୍ୟୁନିଷ୍ଟ ଶାସନ ମଧ୍ୟ କିଛି ଖରାପ ନୁହେଁ ।

‘ଜାତୀୟ ରାଜନୀତିରେ ବିଜେଡିର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର : ଦୈନିକ ଖବର କାଗଜ ‘ସକାଳ’ର ପ୍ରଥମ ସ୍ୱନକ୍ଷତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା ଏକ ସୁସ୍ଥ ଗଣତନ୍ତ୍ରରେ ଦଳୀୟ ଖବର କାଗଜର ଗୁରୁତ୍ୱ ରହିଛି ଓ ଏହା ଏକ ସୁସ୍ଥ ପରମ୍ପରା ବୋଲି କହିଛନ୍ତି । ଚୀନ୍, ଉତ୍ତର କୋରିଆ ଭଳି କମ୍ୟୁନିଷ୍ଟ ଦେଶର ଖବର କାଗଜ ଓ ଭାରତରେ ଦଳୀୟ ସମର୍ଥନରେ ପ୍ରକାଶିତ ଖବର କାଗଜ ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ସେ କହିଥିଲେ ।

ସାମ୍ପ୍ରତିକ ରାଜନୀତି ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ, ଯେଉଁ ଦଳ ଏବେ ଓଡ଼ିଶାକୁ ଶାସନ କରୁଛି ତାହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଦଳ । ମୁଁ ଭାରତର ରାଜ୍ୟଙ୍କୁ ସେମାନଙ୍କ ଲୋକସଭା ଆସନ ସଂଖ୍ୟାକୁ ନେଇ ତିନି ଭାଗରେ ବିଭକ୍ତ କରିଥାଏ । ୪୦ରୁ ଅଧିକ ଲୋକସଭା ଆସନ ବିଶିଷ୍ଟ ରାଜ୍ୟ, ୪୦ରୁ କମ ଆସନ ସଂଖ୍ୟା ବିଶିଷ୍ଟ ରାଜ୍ୟ ଓ ୩୦ରୁ କମ ଆସନ ସଂଖ୍ୟା ବିଶିଷ୍ଟ ରାଜ୍ୟ । ଓଡ଼ିଶା ତୃତୀୟ ବର୍ଗରେ ଆସିଥାଏ । ଆମେ ସମସ୍ତେ ଗୁଜୁରାଟ, ମଧ୍ୟପ୍ରଦେଶ ରାଜନୀତି ବାବଦରେ ଜାଣିଛେ । ଆମେ ସମସ୍ତେ କର୍ଣ୍ଣାଟକ ବାବଦରେ ଜାଣିଛେ । ଲୋକସଭା ଆସନ ଦୃଷ୍ଟିରୁ କର୍ଣ୍ଣାଟକ ସହିତ  ଓଡ଼ିଶା ପ୍ରାୟ ସମାନ । ଏଠାରେ ଗୋଟିଏ ଦଳର ରାଜନୈତିକ ପ୍ରଭାବ ରହିଛି । ଆଉ ଏହାର ଲୋକସଭାରେ ଦୁଇ ଅଙ୍କ ବିଶିଷ୍ଟ ପ୍ରତିନିଧି ରହିଛନ୍ତି । ଏହି ଦୃଷ୍ଟିରୁ ଜାତୀୟ ରାଜନୀତିରେ ବିଜେଡିର ଗୁରୁତ୍ୱ ରହିଛି ।

ଓଡ଼ିଶା ବାବଦରେ ଜାଣିବାର ଆବଶ୍ୟକତା ରହିଛି

ଓଡ଼ିଶା ସମ୍ବନ୍ଧରେ ବାକି ଭାରତ କମ ଜାଣିଛି ବୋଲି କହିଥିଲେ ଶେଖର ଗୁପ୍ତା । ସେ କହିଥିଲେ ଯେ, ସେ ନିଜେ ଗୋଟିଏ ଘଟଣା ପରେ ଜାଣିବାକୁ ପାଇଥିଲେ ଯେ, ଓଡ଼ିଶା ହେଉଛି ଭାଷାଭିତିରେ ଗଠିତ ଦେଶର ପ୍ରଥମ ରାଜ୍ୟ । ତାମିଲନାଡୁର ପ୍ରତିଷ୍ଠା ଦିବସ କେବେ ପାଳିତ ହେବା ଆବଶ୍ୟକ ତାକୁ ନେଇ ସେଠାରେ ଚାଲିଥିବା ରାଜନୈତିକ ବୟାନବାଜୀ ଉପରେ ଅଧିକ ଅଧ୍ୟୟନ କାଳରେ ଓଡ଼ିଶା କେମିତି ଭାଷାଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଜନ୍ମ ନେଇଥିଲା ସେ କଥା କହିଥିଲେ ଗୁପ୍ତା ।

ବାତ୍ୟା ଆସିଲେ ଜାତୀୟ ଗଣମାଧ୍ୟମ ଓଡ଼ିଶାକୁ ଫୋକସ୍ କରନ୍ତି 

ଏହାଛଡ଼ା ସେ କହିଲେ, ଜାତୀୟ ରାଜନୀତିରେ ଓଡ଼ିଶା ଖବରକୁ ବିଶେଷ ଗୁରୁତ୍ବ ଦିଆନଯିବା ରାଜ୍ୟର ସୁଶାସନକୁ ଦର୍ଶାଉଛି । ତାଙ୍କ ମତରେ, ଆଜିକାଲି ଜାତୀୟ ଗଣମାଧ୍ୟମ ସାଧାରଣତ କେଉଁଠି କ’ଣ ଘଟିଥି, କେଉଁଠି ଦଙ୍ଗା ହେଲା, ଏମିତି ଖବର ପ୍ରସାରଣ କରୁଛନ୍ତି । ହେଲେ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠାରେ ସେମିତି କିଛି ଘଟୁନାହିଁ ଯାହା ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିବ ।  ରାଜ୍ୟ ସରକାରଙ୍କ ଭଲ ନେତୃତ୍ବ ଓ ଭଲ କାମ ପାଇଁ ଏହା ସମ୍ଭବ ହେଉଛି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଦଳ ବହୁତ ଶକ୍ତିଶାଳି ରହିଛି । ଏହା କେବଳ ନବୀନ ବାବୁଙ୍କ ସଫଳ ନେତୃତ୍ବରୁ ହୋଇପାରିଛି । ବିଜୁ ପଟ୍ଟନାୟକଙ୍କ କଥା ମନେ ପକାଇ ସେ କହିଥିଲେ । ଜାତୀୟସ୍ତରରେ ବିଜୁ ପଟ୍ଟନାୟକ ଏକ ପରିଚିତ ନାଁ ଓ ନେତା ଥିଲେ । ଏହାଛଡ଼ା ସେ କହିଲେ, ବାତ୍ୟା ଆସିବା ମାତ୍ରେ ଜାତୀୟ ଗଣମାଧ୍ୟମର ଫୋକସ୍ ଓଡ଼ିଶା ଆଡ଼କୁ ଢଳେ । ବାତ୍ୟା ମୁକାବିଲାରେ ଓଡ଼ିଶା ପୂର୍ଣ୍ଣ ସଫଳ ହେବା ବଡ଼ କଥା ।

ଅଣାୟତ୍ତ ଦିଲ୍ଲୀ ବାୟୁ ପ୍ରଦୂଷଣ; ଗୁରୁବାର ବି AQI ୬୦୦ ପାର୍

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ପ୍ରଦୂଷଣ । ବଢୁଛି ପ୍ରଦୂଷଣ, ବଢୁଛି ସମସ୍ୟା । ଜାତୀୟ ରାଜଧାନୀ ଦିଲ୍ଲରେ ଏବେ ବି ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ରହିଛି । ମାସେ ହେଲା ବିଷାକ୍ତ ବାୟୁରେ ଛଟପଟ ହେଉଛନ୍ତି ରାଜଧାନୀବାସୀ । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣସ୍ତର ‘ଅତି ଖରାପ ସ୍ତର’ରେ ରହିଛି । ଆଜି ଦିଲ୍ଲୀର କିଛି ସ୍ଥାନରେ AQI ୬୦୦ ପାର୍ କରିଛି । ପ୍ରଦୂଷଣ ମାତ୍ରା କମ୍ କରିବା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ସରକାରୀ ଚାକିରିଆଙ୍କ ପାଇଁ ଓ୍ୱାର୍କ ଫ୍ରମ ହୋମ୍ ଲାଗୁ କରାଯାଇଛି । ସେହିପରି ଭାବରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । ଏତେ ସବୁ କଡ଼ା ପଦକ୍ଷେପ ପରେ ବି ସୁଧୁରିନି ସ୍ଥିତି । ମାସାଧିକ କାଳ ଧରି ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ରହିଥିବାରୁ ରାଜଧାନୀରେ ଶ୍ୱାସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଘର ବାହାରେ, ଭିତରେ ଶ୍ବାସକ୍ରିୟା କରିବାରେ କଷ୍ଟ ଭୋଗୁଛନ୍ତି ଲୋକେ ।

ଗୁରୁବାର ବାୟୁ ଗୁଣବତ୍ତା ନୋଏଡାରେ ୬୦୪ ରେକର୍ଡ ହୋଇଥିବା ବେଳେ ଗୁରୁଗ୍ରାମରେ ୫୦୦ ଉପରେ ରହିଛି ପ୍ରଦୂଷଣସ୍ତର ।  ସେପଟେ ୧୫ଦିନ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପରେ ସ୍କୁଲ ଖୋଲିଛି । ତେବେ ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ସ୍ତରରେ ରହିଥିବାବେଳେ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ସ୍ଥିତିରେ ରହିଥିଲେ ବି କାହିଁକି ସ୍କୁଲ ଖୋଲିଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଦୂଷଣ ରିପୋର୍ଟ ପ୍ରସ୍ତୁତ ପାଇଁ ଦିଲ୍ଲୀ ସରକାର ଟାସ୍କ ଫୋର୍ସ ଗଠନ କରିଥିଲେ । ଏଥିରେ ରାଜ୍ୟ ଓ କେନ୍ଦ୍ରର କିଛି କର୍ମଚାରୀ ଅଛନ୍ତି । ତେବେ ଏହି ଟାସ୍କ ଫୋର୍ସ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ।

ଫୁଲତୋଡ଼ା ନେଇ ମା’ଙ୍କୁ ଆଣିବାକୁ ଏୟାରପୋର୍ଟ ଯାଇଥିଲା ପୁଅ; କିନ୍ତୁ ଚପଲରେ ମାରିଲେ ମା’

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ । ଆକ୍ଟର ଅନଓ୍ୱାର ଜିଓ୍ୱାବୀଙ୍କ ଏକ ମଜାଦାର ଭିଡିଓ ଇନଷ୍ଟାଗ୍ରାମରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ସେ ତାଙ୍କ ମା’ଙ୍କୁ ଆଣିବା ପାଇଁ ଏୟାରପୋର୍ଟ ଯାଇଥିଲେ । କିନ୍ତୁ ଏୟାରପୋର୍ଟରେ ଯାହା ହୋଇଥିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

View this post on Instagram

 

A post shared by Anwar Jibawi (@anwar)

ଇନଷ୍ଟାଗ୍ରାମରେ ଅନଓ୍ୱାର ସବୁ ସମୟରେ ମଜାଦାର ଭିଡିଓ ପୋଷ୍ଟ କରିଥାନ୍ତି । ତେବେ ଏବେ ସେୟାର କରିଥିବା ଭିଡିଓରେ ସେ ତାଙ୍କ ମା’ଙ୍କୁ ଆଣିବା ପାଇଁ ଏୟାରପୋର୍ଟ ଯାଇଥିଲେ । ମା’ଙ୍କୁ ସ୍ୱାଗତ କରିବା ପାଇଁ ହାତରେ ଫୁଲତୋଡା ଏବଂ ଏକ କାର୍ଡ ଧରିଥିଲେ । ଯେଉଁ କାର୍ଡରେ ଲେଖାଥିଲା କି “ମୋ ମା’ ଫେରି ଆସିଛନ୍ତି” । କିନ୍ତୁ ଯେତେବେଳେ ତାଙ୍କ ମା’ ତାଙ୍କ ପାଖକୁ ଆସିଥିଲେ ସେ ଅନଓ୍ୱାରଙ୍କୁ ବାଡେଇବା ଆରମ୍ଭ କରିଦେଇଥିଲେ । ସେ ପୁଣି ଚପଲରେ ମାଡ ମାରିଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବା ପରେ ୟୁଜର୍ସ ମଜାଦାର କମେଣ୍ଟ କରିଥିଲେ । ଅନ୍ୟପକ୍ଷରେ ଅନଓ୍ୱାର ଜିଓ୍ୱାବୀ ହେଉଛନ୍ତି ଫିଲିସ୍ତିନୀ-ଆମେରିକାର କମେଡି ଆକ୍ଟର । ସୋସିଆଲ ମିଡିଆ ଇନଫ୍ଲ୍ୟୁଏନସର ସହ ସେ ଜଣେ ଡ୍ୟାନ୍ସର ମଧ୍ୟ । ୟୁଟ୍ୟୁବରେ ତାଙ୍କ ୬ ମିଲିୟନରୁ ଅଧିକ ଫଲୋଅର୍ସ ଥିବାବେଳେ ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ରହିଛନ୍ତି ୯ ଲକ୍ଷରୁ ଅଧିକ ଫଲୋଅର୍ସ ।

ବାହା ହୋଇ ଶାଶୁଘର ଯାଉଥିବା ଯୁବତୀଙ୍କୁ ଗୁଳି ମାରିଲା ପ୍ରେମିକ

ରୋହତକ: ଅନ୍ୟ ସ୍ଥାନରେ ବାହା ହେବାରୁ ଯୁବତୀଙ୍କୁ ଗୁଳି ମାରିଲା ପ୍ରେମିକ । ତାହା ପୁଣି ଯୁବତୀ ବାହା ହୋଇ ଶାଶୁ ଘର ଯାଉଥିବା ବାଟରେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପ୍ରେମିକଙ୍କୁ ଖୋଜୁଛି । ଘଟଣାଟି ହରିୟାଣାର ରୋହତକରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ସମ୍ପଲା ଗାଁର ଯୁବତୀଙ୍କର ଭାଲି ଆନନ୍ଦପୁର ଗାଁର ଯୁବକଙ୍କ ସହ ଧୂମଧାମରେ ବିବାହ ହୋଇଥିଲା । ବିବାହ ଉତ୍ସବ ସରିବା ପରେ ଯୁବତୀ ତାଙ୍କ ପତିଙ୍କ ସହ ଶାଶୁ ଘରକୁ ଆସୁଥିଲେ । କାରରେ ବର, ତାଙ୍କ ଭାଇ ଓ ନବ ବିବାହିତା ଯୁବତୀ ଥିଲେ । ରାତି ପ୍ରାୟ ୧୨ଟାରେ ଶାଶୁଘର ଗାଁ ପାଖ ଶିବ ମନ୍ଦିର ପାଖରେ ତାଙ୍କ କାର ପହଞ୍ଚିବା ପରେ ପଛରୁ ଏକ ଇନୋଭା କାରରେ ୩ ଜଣ ଦୁର୍ବୃତ୍ତ ଆସି ବର ଗାଡ଼ିକୁ ଓଭରଟେକ୍ କରି ଅଟକାଇଥିଲେ । ସେମାନେ ବର ଓ ତାଙ୍କ ଭାଇକୁ ଗାଡ଼ିରୁ ଓହ୍ଲାଇ ଦେଇ ଯୁବତୀଙ୍କ ବେକକୁ ଗୁଳି ମାରିଥିଲେ । ପରେ ବରର ଭାଇ ଗଳାରୁ ସୁନା ଚେନ୍ ଲୁଟି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରେମିକ ଦୁଇ ସାଙ୍ଗଙ୍କ ସହ ମିଶି ସମ୍ପଲା ଗାଁରୁ ବର ଗାଡ଼ିକୁ ଫଲୋ କରୁଥିଲେ । ଯେତେବେଳେ ଗାଡ଼ି ଶାଶୁ ଘର ପାଖରେ ପହଞ୍ଚିଥିଲା । ଅଭିଯୁକ୍ତମାନେ ଯୁବତୀଙ୍କୁ ଗୁଳି ମାରିବା ସହ ଫାଙ୍କା ଗୁଳି ଚାଳନା କରି ଗ୍ରାମବାସୀଙ୍କୁ ଡରାଇ ଫେରାର ହୋଇଯାଇଥିଲେ । ଅଭିଯୁକ୍ତମାନେ ସମ୍ପାଲ ଗାଁର ଜଣେ ଇଟାଭାଟି ମାଲିକଙ୍କୁ ବନ୍ଧୁକ ଦେଖାଇ ଇନୋଭା କାରଟି ଲୁଟ କରିବା ପରେ ସେହି କାରରେ ଆସି ଯୁବତୀଙ୍କୁ ହତ୍ୟା ଉଦ୍ୟମ କରିଥିବା ପୋଲିସ କହିଛି ।