ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବରେ ଧାର୍ଯ୍ୟ ମତଦାନ ତାରିଖ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନି । ପଞ୍ଜାବ ନିର୍ବାଚନ ଅତିକମରେ ୬ ଦିନ ଘୁଂଚାଇବାକୁ ନିବେଦନ କରିଛନ୍ତି । ପଞ୍ଜାବରେ ୧୪ ଫେବ୍ରୁଆରୀରେ ମତଦାନ ହେବ । ଏହି ସମୟରେ ଶ୍ରୀ ଗୁରୁ ରବିଦାସ ଜୀଙ୍କର ଜୟନ୍ତି ଥିବାରୁ ଜାତି ଓ ଜନଜାତି ବର୍ଗର ଲୋକ ବନାରସ ଗସ୍ତରେ ଯିବେ । ଫେବ୍ରୁଆରୀ ୧୦ ରୁ ୧୬ ପର୍ଯ୍ୟନ୍ତ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ହେବାର ଅଛି । ପାଖାପାଖି ୨୦ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବେ । ତେଣୁ ମତଦାନ ଘୁଞ୍ଚାଇବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ରାଜନୀତି ସରଗରମ ହେବାରେ ଲାଗିଛି । କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ୧୦୭ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି । ଅଯୋଧ୍ୟାରୁ ନ ଲଢି ଗୋରଖପୁର ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଯୋଧ୍ୟାରେ ଯୋଗୀଙ୍କ ସ୍ଥିତି ଭଲ ନାହିଁ । ତେଣୁ ଗୋରଖପୁର ସଦର ଆସନ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସବୁଠୁ ନିରାପଦ । ସେଠାରୁ ସେ ନିଶ୍ଚୟ ଜିତିବେ ବୋଲି ବିଜେପିର ହାଇକମାଣ୍ଡ ଆଶା କରିଛନ୍ତି । ଏପଟେ ଅଖିଳେଶ ଯାଦବଙ୍କ କହିବା କଥା ଗୋରଖପୁରର ସବୁ ଆସନରେ ସମାଜବାଦୀ ପାର୍ଟି ବିଜୟ ଲାଭ କରିବ । ବିଜେପି ଏଥର ସବୁ ଆସନରେ ପରାସ୍ତ ହେବ ବୋଲି ଅଖିଳେଶ କହିଛନ୍ତି । ଯୋଗୀ ସରକାର ଉତ୍ତରପ୍ରଦେଶବାସୀଙ୍କୁ ଧୋକା ଦେଇଛନ୍ତି । ଦଳିତ ବିଭିନ୍ନ ଅଧିକାରରୁ ବଞ୍ଚିତ ହୋଇଛନ୍ତି ବୋଲି ସମାଜବାଦୀ ପାର୍ଟି କହିଛି । ଏପଟେ ଏସପିରେ ଆଉ କୌଣସି ବିଜେପି ନେତାଙ୍କୁ ସାମିଲ କରାଯିବ ନାହିଁ । ଯେଉଁ ମାନେ ବିଜେପି ଛାଡି ସମାଜବାଦୀ ପାର୍ଟି ଆସିବାକୁ ଚାହୁଁଛନ୍ତି ସେମାନେ ଆଉ ନଆସିବାକୁ କହିଛନ୍ତି ଅଖିଳେଶ ।

Leave a Reply