ଅଯୋଧ୍ୟା ନୁହେଁ ଗୋରଖପୁରରୁ ଯୋଗୀ

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନରେ ଘଡିକେ ଛୁଟୁଛି ଘୋଡ଼ା  । ବଦଳୁଛି ପାଣିପାଗ  । ବହୁଛି ଓଲଟା ପବନ  । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ବିଜେପିର ବଡ଼ ଚେହେରା । ଦଳର ବ୍ୟାନର ବୟ ସାଜିଛନ୍ତି ଯୋଗୀ  ଆଦିତ୍ୟନାଥ  । ଯୋଗୀ କେଉଁ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ତାହା ଉପରେ ଥିଲା ସଭିଙ୍କ ନଜର  । ବିଶେଷକରି ବିରୋଧି ସପା ଉତ୍ସୁକତାର ଚାହିଁ ରହିଥିଲା  । ଦଳର କୋର କମିଟି ଯୋଗୀଙ୍କୁ ଅଯୋଧ୍ଯାରୁ ନିର୍ବାଚନ ଲଢିବା ନେଇ ଚାହୁଁଥିଲା  । ପୂର୍ବରୁ ଏନେଇ ମଧ୍ୟ ଚର୍ଚ୍ଚା ହେଉଥିଲା  ।

ଭଗୱା ରାଜନୀତିର ଝଣ୍ଡା ରାମଙ୍କ ଜନ୍ମଭୂମିରୁ ଉଡିବା ନେଇ ଦଳ ପୂର୍ବ ପ୍ରସ୍ତୁତି କରିସାରିଥିଲା  । ସନ୍ୟାସୀ ଯୋଗୀଙ୍କୁ ଅଯୋଧ୍ୟାରୁ ନିର୍ବାଚନ ଲଢାଇବା ନେଇ ଦଳ ଯୋଜନା ତୟାର କରିସାରିଥିଲା  । କାରଣ ଯେହେତୁ ବହୁ ବିବାଦୀୟ ରାମମନ୍ଦିର ଜନ୍ମଭୂମି- ବାବ୍ରୀ ମସଜିଦ ମାମଲାର ଫଇସଲା ବିଜେପି ସରକାର ହିଁ କରିଛି  । ଏମିତିକି ଅଯୋଧ୍ଯାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଛି ବିଜେପି  । ତେଣୁ ହିନ୍ଦୁ ଭୋଟ ପକେଟରେ ରଖିବା ନେଇ ଅଯୋଧ୍ୟାରୁ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରସ୍ତୁତ କରିବାର ପ୍ରସ୍ତୁତି କରିସାରିଥିଲା ଭାଜପା  ।

କିନ୍ତୁ ପୂର୍ବ ରଣନିତୀରେ ପରିବର୍ତ୍ତନ କରିସାରିଛି ବିଜେପି  । ଅଯୋଧ୍ୟା ପରିବର୍ତ୍ତେ ଗୋରଖପୁର (ସହର) ରୁ ନିର୍ବାଚନ ଲଢିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  । ୟୁପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି କାର୍ଯ୍ୟାଳୟରେ କରିଛନ୍ତି ଏହି ଘୋଷଣା  । ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 107 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି । ଏହି ତାଲିକାରେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜ ଜିଲ୍ଲାର ସିରାଥୁ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବା ନେଇ ବିଜେପି ପ୍ରାର୍ଥୀ ତାଲିକାରେ ପ୍ରକାଶ କରିଛି ।

ସେପଟେ ଯୋଗୀଙ୍କ ୟୁ ଟର୍ଣ୍ଣକୁ ନେଇ ଟାର୍ଗେଟ କରିଛନ୍ତି ବିରୋଧି  । ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯୋଗୀ ଅଯୋଧ୍ୟାରୁ ପଳାୟନ କରିଛନ୍ତି  । ଏହାର କାରଣ ସ୍ପଷ୍ଟ ଯେ, ବିଜେପି ହାରିବା ଭୟରେ ଯୋଗୀ ଆଦିତ୍ୟନାଥଙ୍କୁ ଅଯୋଧ୍ୟାରୁ ପ୍ରାର୍ଥି କଲା ନାହିଁ  । ଆଗାମୀ ଦିନରେ ଗୋରଖପୁର ବାସୀ ମଧ୍ୟ ହିସାବ ମାଗିବେ  । କେତେ କାମ କରିଛ, ଗୋରଖପୁରକୁ ମେଟ୍ରେ, ଟ୍ରାଫିକ ସମସ୍ୟା ଏବଂ ବିଦ୍ୟୁତ ବିଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଖିଳେଶ ଯାଦବ  । କିନ୍ତୁ ଏହା ମଧ୍ୟ ପ୍ରଶ୍ନ ଘେରରେ ଯେ, ଅଯୋଧ୍ୟାରେ ବିକାଶର ଧାରା ପହଁଛାଇଥିବା ନେଇ ଦାବି କରୁଥିବା ବିଜେପି କାହିଁକି ଯୋଗୀ ଆଦିତ୍ୟନାଥକୁ ପ୍ରାର୍ଥୀ କଲାନାହିଁ..

Leave a Reply