spot_img
Home Blog Page 4821

ମୁକୁଳା ଏଟିଏମ୍ ପାଇଁ ବଢ଼ୁଛି ଲୁଟ୍, ସିକ୍ୟୁରିଟି ଅଡିଟ୍ କରିବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀରେ ବ୍ୟାଙ୍କ ଓ ଏଟିଏମର ହେବ ସିକ୍ୟୁରିଟି ଅଡିଟ୍ । ବ୍ୟାଙ୍କ ଲୁଟ୍ ଓ ଏଟିଏମ୍ ଲୁଟ ଉପରେ ରୋକ୍ ଲଗାଇବା ପାଇଁ କମିଶନରେଟ ପୋଲିସ ପଦକ୍ଷେପ ନେଇଛି । ଦ୍ୱୈତ ନଗରୀରେ ଥିବା ବିଭିନ୍ନ ବ୍ୟାଙ୍କ ଓ ଏଟିଏମର ହେବ ସିକ୍ୟୁରିଟି ଅଡିଟ୍ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିର୍ଦ୍ଦେଶ ଦେଇଛନ୍ତି ।

Commissionerate Police To Inspect Bank And ATMs In Twin City

ସୁରକ୍ଷା ବ୍ୟବସ୍ଥା ସହ CCTV, ଅଲାରାମ ବ୍ୟବସ୍ଥା ଏବଂ ବ୍ୟାଙ୍କ ଓ ATM ସାମ୍ନାରେ ସିକ୍ୟୁରିଟି ରହୁଛନ୍ତି କି ନାହିଁ ଯାଞ୍ଚ କରିବ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଜଣେ ଅତିରିକ୍ତ ଡିସିପି, ଏସିପିଙ୍କ ସହ ଆଇଆଇସି ବ୍ୟାଙ୍କ ଓ ଏଟିଏମର ସୁରକ୍ଷା ବ୍ୟବସ୍ଥାର ଅଡିଟ୍ କରିବେ ।

ଏହି ସିକ୍ୟୁରିଟି ଅଡିଟ୍ ଜୋନ ସ୍ତରରେ କରାଯିବ । ଅଡିଟ୍ କରି ୩୦ ଦିନ ମଧ୍ୟରେ ଡିସିପିଙ୍କୁ ରିପୋର୍ଟ ଦେବେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗାଇଡଲାଇନ୍ ଅନୁସାରେ ବ୍ୟାଙ୍କ ଓ ଏଟିଏମ୍ ଗୁଡ଼ିକରେ ସିସିଟିଭି, ଆଲାରାମ ବ୍ୟବସ୍ଥା ସହ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ନେଇ ଯାଞ୍ଚ ହେବ ।

ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ କୁମାର ପୃଷ୍ଟି । କୋଭିଡ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କ ଦେହାନ୍ତ ହୋଇଛି । ତାଙ୍କର ଏହି ବିୟୋଗରେ ରାଜ୍ୟ ତଥା ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପରଲୋକ ନେଇ ଟ୍ୱିଟ୍  ଯୋଗେ ଶୋକବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଶ୍ରୀଯୁକ୍ତ ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢ଼ି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ । ଗତ କିଛି ସପ୍ତାହ ପୂର୍ବରୁ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ସେ ଦେଶର ଦୃଷ୍ଟି ଆକର୍ଷଣ କରିବା ସହ ଦେଶବାସୀଙ୍କ ଶ୍ରଦ୍ଧାର ପାତ୍ର ହୋଇଥିଲେ ।

ସୂଚନା ଯୋଗ୍ୟ ଯେ, ନଭେମ୍ବର ୨୯ ତାରିଖରେ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେ କୋଭିଡ୍‌ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଥିଲେ । ତା’ପରେ ସେହି ଦିନ ରାତିରେ ତାଙ୍କୁ ଟାଟା ମେଡିକାଲ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ୪ ତାରିଖରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କର ପରଲୋକ ହୋଇଛି ।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ସେ ନନ୍ଦ ସାର ନାମରେ ମଧ୍ୟ ପରିଚିତ ଥିଲେ । ଶିକ୍ଷାକ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ତାଙ୍କୁ ୨୦୨୦ ବର୍ଷ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ନନ୍ଦ କିଶୋରଙ୍କ ପିତାଙ୍କ ନାମ ଥିଲା ନାଭ ପୃଷ୍ଟି ଓ ମାତାଙ୍କ ନାମ ଚନ୍ଦ୍ରମଣି ପୃଷ୍ଟି । ୧୯୩୯ ମସିହାରେ ସେ ହାତିବାରୀ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଧିକ ପାଠପଢ଼ା ବନ୍ଦ କରି, ଚାଷକାମ କରିବା ଆରମ୍ଭ କରିଥିଲେ ।

କିନ୍ତୁ ନିଜ ଗାଁର ପିଲାମାନଙ୍କୁ ମହାନ କରିବାର ଆସକ୍ତି ତାଙ୍କ ଭିତରେ ଅହରହ ଥିଲା  । ବିନା ଦେୟରେ ଶିକ୍ଷାଦାନ ଜାରି ରଖିଥିଲେ  । ୧୯୪୬ ମସିହାରୁ ନିଜେ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ । ଶତାୟୁ ହେଲେ ବି ସେ ପିଲାଙ୍କୁ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ଥିଲେ । ସେ ଜୀବନ କାଳ ଭିତରେ ୩ ହଜାରରୁ ଅଧିକ ପିଲାଙ୍କୁ ମଣିଷ କରିଛନ୍ତି । କିନ୍ତୁ ଶେଷରେ ମଣିଷ ତିଆରି ମନ୍ଦିରର ବିଶ୍ୱକର୍ମା ଆଖି ବୁଜିଛନ୍ତି  । ନନ୍ଦ ସାରଙ୍କ ଦେହାନ୍ତରେ ମର୍ମାହତ ସମଗ୍ର ରାଜ୍ୟ  । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ନନ୍ଦ ସାରଙ୍କ ଦେହାନ୍ତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭାରତ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା; ଦଳକୁ ଫେରିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ୨୬ ଡିସେମ୍ବରରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ସିରିଜ ପାଇଁ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ହେବାକୁ ଥିବା ତିନି ଟିକିଆ ଟେଷ୍ଟ ସିରିଜ ପାଇଁ ୨୧ ଜଣିଆ ଦଳ ଘୋଷଣା କରିଛି । ଯାହାର ନେତୃତ୍ୱ ନେବେ ଡିନ୍ ଏଲାଗାର ଏବଂ ଉପ ଅଧିନାୟକ ଭାବରେ ଟେମ୍ବା ବାବୁମାଙ୍କ ମିଳିଛି ଦାୟିତ୍ୱ । ଏହି ୨୧ ଜଣିଆ ଦଳରେ ସିସାଣ୍ଡା ମଗାଲା, ରିୟାନ୍ ରିକେଲଟନଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି । ସେହିପରି ଭାବରେ ଦଳକୁ ପୁଣି ଫେରିଛନ୍ତି ଡୁଆନ୍ନେ ଓଲିଭର । ସେହିପରି ଭାବରେ ଷ୍ଟାର ଦ୍ରୁତ ବୋଲର କଗିସୋ ରାବାଡା ମଧ୍ୟ ଦଳକୁ ଫେରିଛନ୍ତି ।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ଆସନ୍ତା ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବାର ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ଏହି ସିରିଜକୁ ଡିସେମ୍ବର ୨୬କୁ ଘୁଞ୍ଚାଇ ଦିଆଯାଇଥିଲା । ଏହି ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ତିନୋଟି ଟେଷ୍ଟ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟ ଡିସେମ୍ବର ୨୬-୩୦ ପର୍ଯ୍ୟନ୍ତ ସେଞ୍ଚୁରିଆନରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ ଜାନୁଆରୀ ୩-୭ ପର୍ଯ୍ୟନ୍ତ ଜୋହନର୍ସବର୍ଗ ଏଆଂ ଶେଷ ଟେଷ୍ଟ ଜାନୁଆରୀ ୧୧-୧୫ ମଧ୍ୟରେ କେପଟାଉନରେ ଖେଳାଯିବ ।

ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଘୋଷଣା କରିଥିବା ଦଳ ହେଉଛି: ଡିନ୍‌ ଏଲଗାର (ଅଧିନାୟକ), ଟେମ୍ବା ବାବୁମା, କ୍ୱିଣ୍ଟନ୍ ଡି କକ୍, କାଗିସୋ ରାବାଡା, ସରେଲ୍ ଏର୍ବୀ, ବ୍ୟୁରେନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ଏନ୍‌ଗିଡି, ଆଡେନ ମାର୍କ୍ରାମ, ଭିୟାନ ମଲ୍ଡର, ଏନରିଚ୍ ନର୍ଟେ, କିଗାନ ପିଟରସନ, ରୈସୀ ଭାନ ଡର ଡସେନ, କାଇଲ ଭରେନେ, ମାର୍କୋ ଜନସନ୍, ପ୍ରେନେଲିନ୍ ସୁବ୍ରାୟନ୍, ସିସାଣ୍ଡା ମଗାଲା, ରିୟାନ୍ ରିକେଲଟନ୍, ଡୁଏନ୍ ଅଲିଭିଆର୍

ନନ୍ଦ ସାରଙ୍କ ଦେହାନ୍ତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ନନ୍ଦ ସାରଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସେ ନନ୍ଦ ସାରଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ଓ ସାରଙ୍କ ଛାତ୍ରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନନ୍ଦ ସାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ଏବଂ ତାଙ୍କ ଜୀବନ ବ୍ୟାପୀ ତ୍ୟାଗ ଚିର ଆଦର୍ଶ ହୋଇରହିବ ବୋଲି ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ନନ୍ଦ ସାରଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ନନ୍ଦ ସାରଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତି ବିଶେଷ ବି ଶୋକ ବ୍ୟକ୍ତ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ପରଲୋକ, କୋଭିଡରେ ଥିଲେ ସଂକ୍ରମିତ

ଉତ୍ତରପ୍ରଦେଶରେ ନିଶା ଦେଇ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ

ଲକ୍ଷ୍ଣୌ: ନିଶା ଦେଇ ନିରୀହ ସ୍କୁଲ ଛାତ୍ରୀଙ୍କୁ ଅସଦାରଚଣ । ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ଡାକି, ସେମାନଙ୍କ ସହ ଏଭଳି ଜଙ୍ଘନ୍ୟ କାଣ୍ଡ ଭିଆଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।  ଉତ୍ତରପ୍ରଦେଶ ମୁଜାଫରନଗରରୁ ଆସିଛି ଏହି ସାଂଘାତିକ ଅଭିଯୋଗ । ସିବିଏସ୍ଇ ଦଶମ ଶ୍ରେଣୀର ପ୍ରାୟ ୧୭ ଜଣ ଛାତ୍ରୀଙ୍କୁ ସ୍କୁଲକୁ ଡକାଯାଇ ସେମାନଙ୍କୁ ରାତିରେ ରହିବା ଲାଗି ବାଧ୍ୟ କରାଯାଇଥିଲା । ପରେ ସେମାନଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ୨ଜଣ ପୀଡ଼ିତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ପୋଲିସ ସେମାନଙ୍କ ଅଭିଯୋଗ ଶୁଣିନଥିଲା । ଏହା ପରେ ସ୍ଥାନୀୟ ବିଧାୟକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ଏହା ପରେ ବିଧାୟକ ପ୍ରମୋଦ ଉତ୍‌ଓ୍ୱାଲ ଘଟଣାରେ ହସ୍ତକ୍ଷେପ କରିଥିଲେ । ଏବଂ ଏସ୍ଏସ୍‌ପିଙ୍କ ସହ ଯୋଗାଯୋଗ କରି ତାଙ୍କୁ ତଦନ୍ତ ପାଇଁ କହିଥିଲେ । ଏହା ପରେ ସ୍କୁଲ ମାଲିକ ଓ ଅନ୍ୟ ଜଣେ ସହାୟକଙ୍କ ନାଁରେ ପୋଲିସ ମାମଲା ରୁଜୁ କରିବା ସହ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଏସପି ଅଭିଷେକ ଯାଦବ କହିଛନ୍ତି ।

ଅଭିଯୋଗ ଅନୁଯାୟୀ, ପୁର୍କାଜି ଅଞ୍ଚଳରେ ଥିବା ଏକ ସ୍କୁଲର କିଛି ଛାତ୍ରୀଙ୍କୁ ସିବିଏସଇ ପ୍ରାକ୍ଟିକାଲ ପରୀକ୍ଷା ଲାଗି ସ୍କୁଲ କର୍ତ୍ତୃପକ୍ଷ ଡାକିଥିଲେ ଏବଂ ସ୍କୁଲରେ ରାତିରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କୁ ଖାଦ୍ୟରେ ନିଶା ମିଶାଇ ଅଚେତ କରିବା ପରେ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିଲେ । ପରଦିନ ସେମାନେ ଘରକୁ ଫେରିଥିଲେ । ଏହି ଘଟଣା କାହାକୁ ନଜଣାଇବା ଲାଗି ସେମାନଙ୍କୁ ଧମକ ଦିଆଯାଇଥିଲା । ଏହି ଛାତ୍ରୀମାନେ ଅତି ଗରିବ ପରିବାରର ବୋଲି ଜଣାପଡିଛି ।

ଏଥିସହିତ ପଢ଼ନ୍ତୁ: ଲୋକସଭାରେ ମୃତ ଚାଷୀଙ୍କ ତାଲିକା ଦେଲେ ରାହୁଲ

ଗୃହ ମାଲିକଙ୍କୁ ଅଧିକ କମ୍ପାଉଣ୍ଡ ଫି’ ଫେରସ୍ତ କରିବ ବିଡିଏ

ଭୁବନେଶ୍ୱର: ଗୃହ ମାଲିକଙ୍କୁ ଅଧିକ କମ୍ପାଉଣ୍ଡ ଫି’ ଫେରସ୍ତ କରିବ ବିଡିଏ । ଏହାସହ ସର୍ବକ୍ଷମା ଯୋଜନାରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ ପାଇଁ ମହଲତ ବଢିଛି । ସେହିଭଳି ପୂର୍ବରୁ ଆବଣ୍ଟନ ହୋଇଥିବା ଜମି ଓ ଗୃହର ଲିଜ ଡିଡ୍‌ ପ୍ରଦାନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଡିଏ । ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ପାଇଁ ବିଡିଏ ଏବେ ଏହି ତିନିଟି ଜିନିଷ ଉପରେ ଗୁରତ୍ୱ ଦେଉଛି । ଏକ୍ସେସ କମ୍ପାଉଣ୍ଡ ଫି’ ଫେରସ୍ତ ଡିସେମ୍ବର ୩୧ ସୁଦ୍ଧା ବିଡିଏ ଓ ବିଏମସି ପକ୍ଷରୁ କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ ହେବ ଟଙ୍କା ।

 BDA To Return Excess Compound Fee Between December 2021

ଆବେଦନର ଶେଷ ତାରିଖ ହେଉଛି ଡିସେମ୍ବର ୧୦ । ସେହିଭଳି ସର୍ବକ୍ଷମା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିବା ଗୃହ ମାଲିକଙ୍କୁ ବିଡିଏ ପକ୍ଷରୁ କମ୍ପ୍ଲାଏନ୍ସ କରିବା ପାଇଁ, ବିଡିଏ ପକ୍ଷରୁ ପୂର୍ବରୁ ଆବେଦନ କରିବାକୁ କୁହାଯାଇଛି । ତେବେ ଅନେକ ଆବେଦନକାରୀ ଏହାର ଉତ୍ତର ରଖି ନାହାନ୍ତି । ବର୍ତ୍ତମାନ ପୁଣି ସେହି ଆବେଦନକାରୀଙ୍କୁ ଅଧିକ ୧୫ ଦିନ ସମୟ ଦେଇଛି ବିଡିଏ । ନିର୍ଦ୍ଧାରିତ ସମୟ ଭିତରେ କମ୍ପ୍ଲାଏନ୍ସ ନକଲେ, ସମ୍ପୃକ୍ତ ଆବେଦନକାରୀଙ୍କ ସର୍ବକ୍ଷମା ଆବେଦନକୁ ଖାରଜ କରାଯିବ ଓ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ସେହିପରି ବିଡିଏ ପକ୍ଷରୁ ପୂର୍ବରୁ ଆବଣ୍ଟନ ହୋଇଥିବା ଜମି ଓ ଗୃହର ଲିଜ ଡିଡ୍‌ ପ୍ରଦାନ କରିବା ପାଇଁ ଲୋକଙ୍କ ପକ୍ଷରୁ ଆବେଦନ ହୋଇଥିଲା । ଏହାର ସମୀକ୍ଷା କରି ସାଧାରଣ ପ୍ରଶାସନ ଓ ବିଡିଏ ସହିତ ସମନ୍ୱୟ ରକ୍ଷା କରି ସମସ୍ତ ଆବେଦନକାରିଙ୍କୁ ଲିଜ ଡିଡ୍‌ ଦେବାକୁ ଲକ୍ଷ୍ୟ ରଖିଛି ବିଡିଏ । ଆବେଦନକାରୀ ଲିଜ କାଗଜପତ୍ର ବିଡିଏରେ ଦାଖଲ କରିବାକୁ କୁହାଯାଇଛି ।

ଲୋକସଭାରେ ମୃତ ଚାଷୀଙ୍କ ତାଲିକା ଦେଲେ ରାହୁଲ

ନୂଆଦିଲ୍ଲୀ: ଚାଷୀ ପ୍ରସଙ୍ଗରେ ସଂସଦରେ ହଙ୍ଗାମା । ଲୋକସଭାରେ ଚାଷୀ ଆନ୍ଦୋଳନ ଓ ଆନ୍ଦୋଳନ ସମୟରେ ଚାଷୀ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ  । ରାହୁଲ ଗାନ୍ଧୀ ଲୋକସଭାରେ କୃଷି ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି ନଭେମ୍ବର ୩୦ରେ କୃଷି ମନ୍ତ୍ରୀ ସଂସଦରେ କହିଥିଲେ କି କୃଷି ଆନ୍ଦୋଳନରେ କେତେ ଜଣ ଚାଷୀ ପ୍ରାଣ ହରାଇଛନ୍ତି ତାହାର ତଥ୍ୟ ଆମ ପାଖରେ ନାହିଁ । କୃଷି ମନ୍ତ୍ରୀଙ୍କ ଏପରି ବୟାନ ପରେ ଆଜି ରାହୁଲ ଗାନ୍ଧୀ କହିଥିଲେ କି ଯଦି ସରକାରଙ୍କ ପାଖରେ ତଥ୍ୟ ନାହିଁ ତେବେ କୃଷି ଆନ୍ଦୋଳନରେ କେତେ ଜଣ କୃଷକ ମୃତ୍ୟୁ ବରଣ କରିଛନ୍ତି ତାହାର ତାଲିକା ଆମଠାରୁ ନିଅନ୍ତୁ । କୃଷି ଆନ୍ଦୋଳନରେ ପ୍ରାଣ ହରାଇଥିବା ସମସ୍ତ ଚାଷୀଙ୍କ ତାଲିକା ଆମେ ରଖିଛୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ କହିଛନ୍ତି କି ପଞ୍ଜାବ ସରକାର ୪୦୦ ମୃତ ଚାଷୀଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହାସହ ୧୫୨ ଚାଷୀଙ୍କ ପରିବାର ଲୋକଙ୍କୁ ସରକାରୀ ଚାକିରି ମଧ୍ୟ ଦେଇଛନ୍ତି ପଞ୍ଜାବ ସରକାର । ଏହା ବ୍ୟତୀତ କୃଷି ଆନ୍ଦୋଳନରେ ହରିଆଣାର ୭୦ ଚାଷୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଆପଣଙ୍କ ସରକାର କହୁଛି କି ଆପଣଙ୍କ ପାଖରେ ଏହାର ତାଲିକା ନାହିଁ । ମୁଁ ଚାହୁଁଛି କି ମୃତ୍ୟୁ ବରଣ କରିଥିବା ସମସ୍ତ କୃଷକଙ୍କ ପରିବାରକୁ ସରକାରୀ ଚାକିରି ପ୍ରଦାନ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଆଜି ସଂସଦର ଶୂନ୍ୟକାଳରେ ରାହୁଲ କୃଷି ଆନ୍ଦୋଳନରେ ପ୍ରାଣ ହରାଇଥିବା ମୃତ ଚାଷୀଙ୍କୁ ସହାୟତା ଦେବା ପାଇଁ ପ୍ରଶ୍ନ ଉଠାଇଥିଲେ ଏବଂ ଲୋକସଭାରେ ରାହୁଲ ୫୦୦ କୃଷକଙ୍କ ଏକ ତାଲିକା ପ୍ରଦାନ କରିଥିଲେ ଯେଉଁ ଚାଷୀମାନେ କୃଷି ଆନ୍ଦୋଳନରେ ପ୍ରାଣ ହରାଇଥିଲେ ।

‘ଓମିକ୍ରନରେ ମୃତ୍ୟୁ ହୋଇନି, ଭୟ କରନ୍ତୁ ନାହିଁ’

ଭୁବନେଶ୍ୱର:  ଓମିକ୍ରନ ନେଇ ଭୟଭୀତ ହେବାର ନାହିଁ । ଚିହ୍ନଟ ବ୍ୟକ୍ତିଙ୍କର ସ୍ବଳ୍ପ ଲକ୍ଷଣ ଦେଖାଦେଉଛି । ଓମିକ୍ରନରେ ଏଯାଏଁ କାହାରି ମୃତ୍ୟୁ ହୋଇନି । ରାଜ୍ୟରୁ 246 ଆକ୍ରାନ୍ତଙ୍କ ନମୁନା ଜିନମ ସିକ୍ୱେନ୍ସିଂ ଲାଗି ପଠାଯାଇଛି । ଏସବୁ ନମୁନା ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ କୋଭିଡ କ୍ଲଷ୍ଟରର ନମୁନା । କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ଶୁକ୍ରବାର ଜଣା ପଡ଼ିବ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ।

ଗତକାଲି ସନ୍ଧ୍ୟା ଯାଏଁ କୌଣସି ବିଦେଶ ଫେରନ୍ତା ପଜିଟିଭ ଚିହ୍ନଟ ହୋଇନାହାନ୍ତି । 6 ବିଦେଶ ଫେରନ୍ତା ପଜିଟିଭ ବାହାରିଥିବା ନେଇ ଯେଉଁ ଖବର ଆସୁଛି, ତାହା ତର୍ଜମା କରାଯାଉଛି । ସଂଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଓମିକ୍ରନ ସଂକ୍ରମିତ ଦେଶରୁ ଫେରିଥିବା ଲୋକଙ୍କୁ ଠାବ କରିବାକୁ ଜିଲ୍ଲା ସ୍ତରରେ ମାଇକ୍ରୋ ଲେଭେଲରେ ପ୍ରଚେଷ୍ଟା ଜାରି ରହିଛି । ଓମିକ୍ରନ ପାଇଁ କରୋନା ଟିକା କାମ କରୁଛି ବୋଲି ସବୁ ବିଶେଷଜ୍ଞ କହିଛନ୍ତି ।

୧୮ ବର୍ଷରୁ କମ ପିଲାଙ୍କ ଟିକାକରଣ ଲାଗି ନିର୍ଦ୍ଦେଶ ଆସିନି । ନିର୍ଦ୍ଦେଶ ଆସିଲେ ଟିକା ଦେବାକୁ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

କରୋନା ସଂକ୍ରମଣ ରୋକିବ ଆମେରିକା ଚୁଇଂଗମ୍

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ ଏକ ଅଦ୍ଭୁତ ଚୁଇଂଗମ୍ ଯାହାକି କୋଭିଡ ଭୂତାଣୁକୁ ମୁକାବିଲା କରିବାରେ ସକ୍ଷମ ହେବ । ଆମେରିକା ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଚୁଇଂଗମକୁ ପ୍ରସ୍ତୁତ କରିଛନ୍ତି । ଏହି ଚୁଇଂଗମ ଯୋଗୁ କୋଭିଡ ଭୂତାଣୁର ସଂକ୍ରମଣକୁ ସହଜରେ ଏଡାଯାଇପାରିବ। ଟିକା ନେଇଥିବା କିମ୍ବା ଟିକା ନେଇନଥିବା ଲୋକମାନଙ୍କ ଲାଗି ଏହି ଚୁଇଂଗମ୍ କରୋନା କବଚ ସାବ୍ୟସ୍ତ ହେବ । ଏହି ଚୁଇଂଗମ ଜରିଆରେ ଲାଳରେ କୋଭିଡନାଶକ ସୃଷ୍ଟିକାରୀ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ।

ଏହି ଚୁଇଂଗମକୁ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି ବୋଲି କହିଛନ୍ତି ଗବେଷକ ହେନେରି ଡାନିଏଲ । ସଂକ୍ରମିତ ଲୋକଙ୍କ ଛିଙ୍କ, କଫ ଜରିଆରେ ତଥା ସେମାନେ କଥାବାର୍ତ୍ତା କରିବା ସମୟରେ ଭୂତାଣୁ ସଂକ୍ରମିତ ହୋଇଥାଏ । ମାତ୍ର ଏହି ଚୁଇଂଗମ ଖାଇବା ଦ୍ୱାରା ଲାଳରେ ଉକ୍ତ ଭୂତାଣୁ ନିଷ୍କ୍ରିୟ ହୋଇଯାଇଥାଏ । ଗବେଷକମାନେ ଏକ ସ୍ୱତନ୍ତ୍ର ପାଟେଣ୍ଟଭୁକ୍ତ ବୃକ୍ଷର ଆଞ୍ଜିଓ ଟେନସିନ କନଭର୍ଟିଂ ଏଞ୍ଜାଇମ-୨ ବା ଏସ୍-୨ ବାହାର କରିଛନ୍ତି ଯାହାକୁ ଚୁଇଂଗମରେ ବ୍ୟବହାର କରାଯାଇଥାଏ । ଏହା ସହ ମାନବ କୋଷରେ ଏସ-୨ର ରିସେପ୍ଟର କୋଭିଡ ଭୂତାଣୁର ପ୍ରୋଟିନକୁ ନିଷ୍କ୍ରିୟ କରିଥାଏ । ଫଳରେ ଏହି ଭୂତାଣୁ ସଂକ୍ରମିତ ହେବାର କ୍ଷମତା ହରାଇଥାଏ । ପ୍ରାଥମିକ ଭାବେ ପାଟି ଜରିଆରେ ଭୂତାଣୁର ସଂକ୍ରମଣ ବ୍ୟାପିଥିବା ବେଳେ ଏହି ଚୁଇଂଗମ ଏହାର ପ୍ରତିରୋଧ କରିବ ।

ଏହି ଚୁଇଂଗମ ଡାଲଚିନି ସ୍ୱାଦ ବିଶିଷ୍ଟ ହେବ ଏବଂ ଯେକୌଣସି ବର୍ଗର ଲୋକେ ଏହାକୁ ବ୍ୟବହାର କରିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ଏସ-୨ ଗମ୍ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ଲାଳରେ ଥିବା ଭାଇରାଲ ଆରଏନଏ ସ୍ତରକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିଦେଇଥିବା ପ୍ରମାଣ ଗବେଷକମାନେ ପାଇଛନ୍ତି । ଏହି ଗମର କ୍ଲିନିକାଲ ଟ୍ରାଏଲ ବି ଶେଷ ହୋଇଛି ଏବଂ ଏହା ନିରାପଦ ଓ ପ୍ରଭାବଶାଳୀ ବୋଲି ବିବେଚିତ ହୋଇଛି । ଯ଼େଉଁମାନେ ସଂକ୍ରମିତ ହେବାର ସୂଚନା ମିଳିପାରୁନାହିଁ ସେମାନେ ବି ଏହି ଚୁଇଂଗମ୍ ଖାଇପାରିବେ ।

ଓମିକ୍ରନର ସବୁ ମ୍ୟୁଟେସନ୍ ଉପରେ ପ୍ରଭାବୀ ଏହି ଔଷଧ

ବ୍ରିଟେନ: ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବଡ଼ ବୟାନ ଦେଇଛନ୍ତି ବ୍ରିଟିଶ ବୈଜ୍ଞାନିକ । ସେମାନେ କହିଛନ୍ତି ଯେ, ତାଙ୍କ ନିକଟରେ ଥିବା ସୋଟ୍ରୋବିମାବ୍ (Sotrovimab) ଔଷଧ ଓମିକ୍ରନର ସବୁ ପ୍ରକାର ମ୍ୟୁଟାଣ୍ଟ ବିରୋଧରେ ପ୍ରଭାବୀ । ଏହି ଔଷଧ ଓମିକ୍ରନ ଭାରିଆଣ୍ଟ ବିରୋଧରେ ଫଳପ୍ରଦ ପ୍ରମାଣିତ ହୋଇଛି । ଏହି ଔଷଧକୁ ଗ୍ଳେସ୍କୋସ୍ମିଥକ୍ଳାଇନ୍ (ଜିଏସ୍‌କେ) କମ୍ପାନୀ ତାହାର  ୟୁଏସ୍ ପାର୍ଟନର ବୀର ବାୟୋଟେକ୍ନୋଲୋଜି ସହ ମିଶିକରି ବିକଶିତ କରିଛନ୍ତି । ଏହାକୁ ଓମିକ୍ରନ ଭାରିଆଣ୍ଟ ବିରୋଧରେ ପ୍ରଭାବୀ ବୋଲି କୁହାଯାଉଛି ।

କମ୍ପାନୀ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଓମିକ୍ରନ ଭାରିଆଣ୍ଟର ଯେଉଁ ୩୭ ମ୍ୟୁଟାଣ୍ଟ ବିରୋଧରେ ସୋଟ୍ରୋବିମାବ୍ (Sotrovimab) ବେଶ୍ ପ୍ରଭାବୀ । ଗତ ସପ୍ତାହରେ ପ୍ରି କ୍ଳିନିକାଲ ଟେଷ୍ଟ ରିପୋର୍ଟ ପରେ କମ୍ପାନୀ ପକ୍ଷରୁ ଏହି ବୟାନ ଜାରିକରାଯାଇଛି । କମ୍ପାନୀ ଜୋର ଦେଇ କହିଛି ଯେ, ଏହି ଔଷଧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିବା ସମସ୍ତ ଭାରିଆଣ୍ଟ ବିରୋଧରେ ବେଶ୍ ପ୍ରଭାବୀ ।

ସୂଚନା ଯୋଗ୍ୟ ଯେ, ଦେଶରେ ମଧ୍ୟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କର୍ଣ୍ଣାଟକ, ଗୁଜରାଟ, ମୁମ୍ବାଇ ପରେ ଦିଲ୍ଲୀ ଓ ଜୟପୁରରୁ ଡେଇଁଛି କରୋନାର ନୂଆ ଭାଇରସ ଓମିକ୍ରନ । ରାଜସ୍ଥାନର ଜୟପୁରରୁ ୯ ଜଣ ଓ ମହାରାଷ୍ଟ୍ରରୁ ୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୨୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

ଅନ୍ୟପକ୍ଷରେ ଓମିକ୍ରନ ଦେଶରେ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । କାନପୁର ଆଇଆଇଟି ପ୍ରଫେସର ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି, ୨୦୨୨ ଜାନୁଆରୀ କିମ୍ବା ପେବ୍ରୁଆରୀରେ ଦେଶରେ ଆସିପାରେ ତୃତୀୟ ଲହର । ତେବେ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର କମ୍ ମାରାତ୍ମକ ହେବ । ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ପରେ ସାରା ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଅନେକ ଦେଶରେ ଓମିକ୍ରନ୍ ମାମଲା ଆସିବା ପରେ ଭାରତରେ ପହଞ୍ଚିବା ଆରମ୍ଭ କରିଛି । ସଂକ୍ରମଣ ବଢିବାରେ ଲାଗିଛି କିନ୍ତୁ ଅଧିକ ମୃତ୍ୟୁ ହୋଇନି । ନୂଆ ଅଧ୍ୟୟନରୁ ତୃତୀୟ ଲହର ଆସିବା ଆଶଙ୍କା ରହିଛି ବୋଲି ପ୍ରଫେସର ଅଗ୍ରଓ୍ୱାଲ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୨୧ ଛୁଇଁଲା ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା