ଓଡ଼ିଶାର ଉଷୁନା ଚାଉଳ ନେବାକୁ ଏଫସିଆଇ କୁନ୍ଥକୁନ୍ଥ

1 min read

ଭୁବନେଶ୍ବର: ଓଡ଼ିଶାର ବଳକା ଉଷୁନା ଚାଉଳ ନେବାକୁ ଏଫସିଆଇ କୁନ୍ଥକୁନ୍ଥ । ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ବି ଫରକ ପଡ଼ୁନି । ଓଲଟା ଚିଠି ଲେଖି କେନ୍ଦ୍ର ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ କହିଲେଣି ଉଷୁନା ଚାଉଳ ପରିବର୍ତ୍ତେ ଅରୁଆ ଉତ୍ପାଦନ କରୁ ରାଜ୍ୟ । ଏ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିଠି ଲେଖିବା ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ତେଜିଛି ଅସନ୍ତୋଷ । କେନ୍ଦ୍ର ସରକାର ରାଜ୍ୟ ପ୍ରତି ସାମ୍ବିଧାନିକ ଦାୟିତ୍ବ ଭୁଲି ଗଲେଣି ବୋଲି ବିରୋଧୀ ଅଭିଯୋଗ କରିଥିବାବେଳେ ବିଜେଡି କହିଛି ସଂସଦର ବଜେଟ୍‌ ଅଧିବେଶନରେ ଏ ନେଇ ସ୍ବର ଉଠାଇବ ।

କେନ୍ଦ୍ର-ରାଜ୍ୟ ଅରୁଆ ବନାମ ଉଷୁନା ୱାର । ରାଜ୍ୟକୁ ନାଲିଆଖି । ଚଳିବନି ଉଷୁନା, ପାରୁଛ ଯଦି ଅରୁଆ ଦିଅ । ଉଷୁନା ନକରି ଅରୁଆ କର । ଓଡ଼ିଶା ଚାଷୀଙ୍କୁ ପରିହାସ କରି ଏପରି କହିଛି କେନ୍ଦ୍ର । ଏଫସିଆଇରେ ଯେତିକି ଉଷୁନା ଚାଉଳ ଅଛି ଦେଢରୁ ଦୁଇ ବର୍ଷ ଯିବ । ତେଣୁ କେବଳ ଅରୁଆ ଉତ୍ପାଦନ ପାଇଁ କେନ୍ଦ୍ର ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିଠି ଲଖିଛନ୍ତି ।

୨୦୨୧-୨୨ ଖରିଫ ବର୍ଷର ୧୦ ଲକ୍ଷ ଚାଷୀଙ୍କର ୨୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଉଷୁନା ଚାଉଳ ବଳକା ରହୁଛି । ଏହାକୁ ଏଫସିଆଇ ଉଠାଉନି । ଏ ନେଇ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବଳକା ଉଷୁନା ଉଠାଇବାକୁ ଅନୁରୋଧ କରିଥିଲେ । ନିଜେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବି ସମାନ ପ୍ରସଙ୍ଗ ସଂସଦରେ ଉଠାଇଥିଲେ । ଏବେ କେନ୍ଦ୍ରମନ୍ତ୍ରୀ ଯେପରି ଉତ୍ତର ରଖିଛନ୍ତି ତାକୁ ନେଇ ବିଜେଡି ପୂରା ଖପ୍ପା । କେନ୍ଦ୍ର ସରକାର ଜାଣିଶୁଣି ଅଣ ବିଜେପି ଶାସିତ ରାଜ୍ୟ ସରକାରମାନଙ୍କୁ ହଇରାଣ କରିବା ପାଇଁ ଏପରି ଦୋହରା ନୀତି ଆପଣାଉଛନ୍ତି । ସଂସଦର ଆଗାମୀ ବଜେଟ୍‌ ଅଧିବେଶନରେ ଏ ନେଇ ସ୍ବର ଉଠିବ ବୋଲି କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

କିଏ ଭୁଲୁଛି ସାମ୍ବିଧାନିକ ଦାୟିତ୍ହ ? ଓଡ଼ିଶା ଓ ତେଲେଙ୍ଗାନାର ୯୦ ପ୍ରତିଶତ ଲୋକ ଉଷୁନା ଚାଉଳ ଖାଇଥାନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଚାଉଳ ଉତ୍ପାଦନ କରିବ । କିନ୍ତୁ ଚାଉଳ ସଂଗ୍ରହ କରିବା ଦାୟିତ୍ବ କେନ୍ଦ୍ର ସରକାରଙ୍କର । ଓଡ଼ିଶାର ଉଷୁନା ଚାଉଳ ସଂଗ୍ରହ ନ କରି କେନ୍ଦ୍ର ସରକାର ତାଙ୍କ ସାମ୍ବିଧାନିକ ଦାୟିତ୍ବ ଭୁଲି ଯାଉଛନ୍ତି । ଏପରିକି ବହୁ ଦକ୍ଷିଣ ପୂର୍ବ ରାଷ୍ଟ୍ରମାନେ ବି ଉଷୁନା ଚାଉଳ ନେଇଥାନ୍ତି । ଉଷୁନା ଅଧିକ ଥିଲେ ତାକୁ ପଡୋଶୀ ରାଷ୍ଟ୍ରକୁ ବିକି ପାରିବେ । ଫଳରେ କେନ୍ଦ୍ର ଓ ଓଡ଼ିଶା ଚାଷୀ ଭଲ ଅର୍ଥ ପାଇ ଲାଭବାନ ହେବେ । ଯଦି କେନ୍ଦ୍ର ପାରୁନି ତେବେ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଚୁକ୍ତି କରିବା ପାଇଁ ଓଡ଼ିଶା ସରକାରଙ୍କୁ କ୍ଷମତା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଉଷୁନା ଚାଉଳ ସଂଗ୍ରହ କରିବନି ବୋଲି କେନ୍ଦ୍ରର ନୂଆ ଫନ୍ଦି  । ଏହାକୁ ନେଇ ଆଗାମୀ ଦିନରେ ସରଗରମ ହେବ ରାଜନୀତି । ଅନ୍ୟପଟେ କେନ୍ଦ୍ରର ଏପରି ପାତରଅନ୍ତର ନୀତି ବିରୋଧରେ ଚାଷୀ ଅସନ୍ତୋଷ ବି ଦାନା ବାନ୍ଧୁଛି ।

Leave a Reply