ନବୀନଙ୍କ ଭୋଟ୍ ମନ୍ତ୍ର, ଲୋକଙ୍କ ନିକଟରେ ପହଞ୍ଚାଅ ସରକାରୀ ସଫଳତା

Naveen Patnaik Speaks With Party Leader Panchayat Poll

ଭୁବନେଶ୍ୱର: ଏଥର ବିରୋଧୀଙ୍କ ଅପପ୍ରଚାରକୁ ଦିଆଯିବ ସଠିକ୍ ଜବାବ । ବିରୋଧୀଙ୍କ ମିଛ ପ୍ରଚାରର ସଠିକ ଜବାବ ଦେବାକୁ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଆଶୀର୍ବାଦ ଗ୍ରହଣ କରିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ବି ଦେଇଛନ୍ତି ନବୀନ । କହିଛନ୍ତି, ଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇଛି ଓଡିଶା । ମୋ ସରକାର କାର୍ଯ୍ୟକ୍ରମ, ସରକାରରେ ସାଧାରଣ ଲୋକଙ୍କର ଭାଗିଦାରୀ ଆଣିଛି । ଓଡ଼ିଶାବାସୀ ବିଜେଡିକୁ ଭଲପାଆନ୍ତି ଏବଂ ସବୁ ନିର୍ବାଚନରେ ଆର୍ଶୀବାଦ କରିଆସିଛନ୍ତି ।

 Naveen Patnaik Speaks With Party Leader Panchayat Poll

ବିରୋଧିଦଳଙ୍କ ପାଖରେ କିଛି ବି ପ୍ରସଙ୍ଗ ନାହିଁ । ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ । ବିରୋଧିଙ୍କ ମିଛ ପ୍ରଚାରର ସଠିକ ଜବାବ ଦିଅନ୍ତୁ । ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବହୁଳ ପରିମାଣରେ ଆର୍ଶୀବାଦ ଆଣିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ଦୋଇଛନ୍ତି ନବୀନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି । ଏଣୁ କୋଭିଡ ନିୟମ ମାନି ପଞ୍ଚାୟତ ନିର୍ବାଚନରେ ସାମିଲ ହେବା ସହ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାର୍ଯ୍ୟ ଜାରି ରଖନ୍ତୁ । କୋଭିଡ ମୁକାବିଲାରେ ସାରା ଭାରତ ବର୍ଷରେ ଓଡ଼ିଶା ଏକ ନମ୍ବର ରହିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି ।

 Naveen Patnaik Speaks With Party Leader Panchayat Poll

କୋଭିଡ୍‌ ମହାମାରୀ ସମୟରେ ମିଶନ ଶକ୍ତି ମା’ମାନଙ୍କୁ ପ୍ରାୟ ୧୦ ହଜାର କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ ପ୍ରଦାନ କରାଯାଇଛି । ଲକ୍ଷ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି ବିଜେଡି ସରକାର । ରାସନକାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପଦକ୍ଷେପମାନ ଗ୍ରହଣ କରି ଅନ୍ୟମାନଙ୍କୁ ବାଟ ଦେଖାଇଛନ୍ତି ସରକାର । ଏହି ସବୁ ଯୋଜନାର ସଫଳତା ବିଷୟରେ ଲୋକଙ୍କୁ ଅବଗତ କରାଇ ମିଛ ପ୍ରଚାର ବିରୋଧରେ କଡ଼ା ଜବାବ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଦଳୀୟ ବିଧାୟକ, ପର୍ଯ୍ୟବେକ୍ଷକ, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ଜିଲ୍ଲା ସଭାପତି ଓ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave a Reply