spot_img
Home Blog Page 4820

ଓମିକ୍ରନ୍ ବିପକ୍ଷରେ କେଉଁ ଟିକା ଅଧିକ ପ୍ରଭାବୀ ଜାଣନ୍ତୁ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିସାରିଲାଣି । ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ପ୍ରଭାବ ଦେଖିବାକୁ ମିଳିଛି । ଓମିକ୍ରନ୍ ଦିନକୁ ଦିନ ଭାରତରେ ଦ୍ରୁତ ଗତିରେ ମାଡି ଚାଲୁଛି । ଏପର୍ଯ୍ୟନ୍ତ ଭାରତରେ ୨୩ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଭାରତରେ ଓମିକ୍ରନ୍ ବଢ଼ୁଥିବା ଦେଖି କରୋନାର ତୃତୀୟ ଲହରର ଭୟ ସମସ୍ତଙ୍କ ମନରେ ରହିଛି । ତେବେ କରୋନାର ନୂଆ ଭାରିଆଣ୍ଟକୁ ନେଇ ବିଶେଷଜ୍ଞମାନେ ଲୋକମାନଙ୍କୁ ସତର୍କ ଓ ସାବଧାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବିଶେଷଜ୍ଞମାନେ କହୁଛନ୍ତି କି ଏହି ଭାରିଆଣ୍ଟ ପୂର୍ବରୁ ଥିବା ସବୁ ଭାରିଆଣ୍ଟଠାରୁ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଏସବୁ ମଧ୍ୟରେ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ସଂକ୍ରମଣ ହେବା ସହ ଅନ୍ୟମାନଙ୍କ ପାଇଁ ବିପଦ ଆଣିପାରନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏସବୁ ଭିତରେ ଏବେ ସାଧାରଣ ଲୋକଙ୍କ ମନରେ ଏବେ ପ୍ରଶ୍ନ ଯେ ଓମିକ୍ରନ୍ ବିପକ୍ଷରେ କୋଭିସିଲ୍ଡ ଟିକା ନା କୋଭାକ୍ସିନ ଟିକା ଅଧିକ ପ୍ରଭାବୀ ହେଉଛି ।

ଏହି ସବୁ ପ୍ରଶ୍ନର ଉତ୍ତରରେ ବରିଷ୍ଠ ଡାକ୍ତର ଶୖଲେଶ ଜୈନ କହିଛନ୍ତି କି ଓମିକ୍ରନ୍ ଭାରିଆଣ୍ଟ ନୂଆ ୫୦ଟି ମ୍ୟୁଟେସନ ନେଇ ଆସିଛି । ଯେଉଁଥରେ ୧୦ଟି ମ୍ୟୁଟେସନ ସ୍ପାଇକ୍ ପ୍ରୋଟିନରେ ଆସିଥାଏ । ଯେଉଁଠାରେ ରେସିପ୍ଟିର ଆମ ଫୁସଫୁସ୍ ସହ ଲାଗି ରହିଥାଏ । ଅନ୍ୟପଟେ ଟିକା କଥା ଯଦି କହିବା ତାହାଲେ ଉଭୟ ଟିକା କୋଭାକ୍ସିନ ଓ କୋଭାସିଲ୍ଡ ଓମିକ୍ରନ୍ ଭାରିଆଣ୍ଟର ପ୍ରଭାବକୁ ହ୍ରାସ କରାଇଥାଏ । ଡାକ୍ତର ଶୖଲେଶ ଜୈନଙ୍କ ଅନୁସାରେ ଓମିକ୍ରନ୍ ବିରୋଧରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ପ୍ରଭାବଶାଳୀ ହେବ । ଓମିକ୍ରନ୍ ଭାରିଆଣ୍ଟ ଆଲର୍ଟ ମଧ୍ୟରେ ସେ ବୁଷ୍ଟର ଡୋଜ ଟିକା ଦେବାକୁ କହିଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏପର୍ଯ୍ୟନ୍ତ ମିଳିଥିବା ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ସେପରି କିଛି ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳୁନି । ଡେଲଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ, ଅମ୍ଳଜାନର ଅଭାବ ଆଦି କିଛି ସମସ୍ୟା ଦେଖାଯାଉନାହିଁ । ବର୍ତ୍ତମାନ ସୁଦ୍ଧା ଓମିକ୍ରନର ଲକ୍ଷଣ ସାଧାରଣତଃ ରହିଛି । କିନ୍ତୁ କେଉଁ ସମୟରେ ଯେ ଏହା ସାଂଘାତିକ ରୂପ ନେବ ତାହା କିଛି କୁହାଯାଇପାରିବ ନାହିଁ ।

ପୂର୍ବରୁ କହିଥିଲି, ଏବେ ବି କହୁଛି କୋହଲି ଟେଷ୍ଟରେ ସର୍ବଶ୍ରେଷ୍ଠ ଅଧିନାୟକ: ଇରଫାନ ପଠାନ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲୁଥିବା ଦୁଇ ଟିକିଆ ଟେଷ୍ଟ ସିରିଜକୁ ନିଜ ନାମରେ କରିଛି ଟିମ୍ ଇଣ୍ଡିଆ । ଏହି ସିରିଜକୁ ୧-୦ରେ ନିଜ ନାମରେ କରିଛି ବିରାଟ ବାହିନୀ । ପ୍ରଥମ ମ୍ୟାଚରେ ଆଜିଙ୍କେ ରାହାଣେଙ୍କ ନେତୃତ୍ୱରେ ଭାରତ ଟେଷ୍ଟକୁ ଡ୍ର’ କରିବାରେ ସଫଳ ହୋଇଥିଲା । ପ୍ରଥମ ଟେଷ୍ଟରେ ବିଶ୍ରାମ ପରେ ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ କରିଥିଲେ ଅଧିନାୟକ ବିରାଟ କୋହଲି । ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟକୁ ୩୭୨ ରନରେ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୧-୦ରେ ପରାସ୍ତ କରିବା ପରେ ଡିସେମ୍ବର ୨୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ଟିକିଆ ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ୍ ଇଣ୍ଡିଆ ।

ମୁମ୍ବାଇ ଟେଷ୍ଟରେ ବିରାଟ କୋହଲି ବ୍ୟାଟିଂରେ କିଛି କମାଲ କରିପାରିନଥିଲେ କିନ୍ତୁ ଅଧିନାୟକ ଭାବରେ ଦମଦାର ପ୍ରଦର୍ଶନ କରିଥିଲେ । ବିରାଟଙ୍କ ଦମଦାର ଅଧିନାୟକତ୍ୱ ଫଳରେ ମୁମ୍ବାଇ ଟେଷ୍ଟକୁ ୩୭୨ ରନରେ ନିଜ ନାମରେ କରିଥିଲା ବିରାଟ ବ୍ରିଗେଡ । ମୁମ୍ବାଇ ଟେଷ୍ଟରେ ବିରାଟ ବିଜୟ ପରେ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ । ଇରଫାନ ପଠାନ ବିରାଟ କୋହଲିଙ୍କୁ ସର୍ବଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି । ପଠାନ ଟ୍ୱିଟ କରି କହିଛନ୍ତି କି ‘ମୁଁ ପୂର୍ବରୁ କହିଥିଲି, ଏବେ ମଧ୍ୟ କହୁଛି ବିରାଟ କୋହଲି ଭାରତର ସର୍ବଶ୍ରେଷ୍ଠ ଅଧିନାୟକ’। ବିରାଟ ୫୯.୦୯ ପ୍ରତିଶତ ବିଜୟ ହାସଲ କରି ଶୀର୍ଷ ସ୍ଥାନରେ ରହିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ଇରଫାନ ପଠାନ ।

ଏହି ବିଜୟ ସହ ଘରୋଇ ମାଟିରେ ଭାରତ ଲଗାତର ଭାବରେ ୧୪ଟି ସିରିଜକୁ ନିଜ ନାମରେ କରିଛି । ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଲଗାତର ଭାବରେ ୧୧ଟି ସିରିଜ ଜିତିଛି । ମୁମ୍ବାଇ ଟେଷ୍ଟ ବିଜୟ ସହ ଭାରତ ୧୨ ଅଙ୍କ ହାସଲ କରିଛି । ଏହି ବିଜୟ ସହ ଟେଷ୍ଟରେ ପୁଣି ଥରେ ଏକ ନମ୍ବର ଦଳ ହୋଇଛି ଟିମ୍ ଇଣ୍ଡିଆ ।

ଓଡ଼ିଶାର ଆଦିବାସୀଙ୍କୁ ‘ଆବାସ’ ଘର ନଦେବାକୁ ବିଜେପି କରୁଛି ଷଡ଼ଯନ୍ତ୍ର: ବିଜେଡି

ଭୁବନେଶ୍ୱର: ଓଡ଼ିଶା ବିଜେପି ରାଜ୍ୟର କେବିକେ ଅଞ୍ଚଳ, ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ୬ ଲକ୍ଷ ଗରିବ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଘର ପାଇବାରୁ ବଞ୍ଚିତ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି, ଓଡ଼ିଶାର ୬ ଲକ୍ଷ ପରିବାର ବିରୋଧରେ ଏହି ଷଡ଼ଯନ୍ତ୍ର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଓଡ଼ିଶାର ବିଜେପି ସାଂସଦମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ମିଛରେ ଦାବି କରିଥିଲେ ଯେ ପିଏମ୍‍ଏୱାଇ ଯୋଜନାରେ ଅନିୟମିତତା ହୋଇଛି ଏବଂ ୬ ଲକ୍ଷ ଘର ଆଦିବାସୀଙ୍କୁ ଦିଆଯାଇ ନାହିଁ ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପିଏମ୍‍ଏୱାଇ ଯୋଜନାର ଆୱାସ ପ୍ଲସ୍ ପୋର୍ଟାଲ୍ ଖୋଲିବାକୁ ଅନୁରୋଧ କରିଥିଲେ । କାରଣ ୬ ମାସ ହେଲା ଓଡ଼ିଶା ବିଜେପିର ଷଡ଼ଯନ୍ତ୍ର ଯୋଗୁଁ କେନ୍ଦ୍ର ଦ୍ୱାରା ଆୱାସ ପ୍ଲସ ପୋର୍ଟାଲ ଖୋଲା ହେଲା ନାହିଁ କି ଓଡ଼ିଶାର ଲୋକଙ୍କୁ ୬ ଲକ୍ଷ ଘର ଯୋଗାଇ ଦିଆଗଲା ନାହିଁ । ଓଡ଼ିଶା ବିଜେପିର ଏହି ଓଡ଼ିଶା ବିରୋଧୀ, କେବିକେ ଅଞ୍ଚଳ ବିରୋଧୀ, ଆଦିବାସୀ ବିରୋଧୀ ଆଭିମୁଖ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରିଛି ।

ଓଡ଼ିଶାର ଜନଜାତି ବିଶେଷକରି କେବିକେ ଅଞ୍ଚଳ, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଲୋକମାନେ ରାଜ୍ୟ ବିଜେପି ତଥା ଓଡ଼ିଶା ବିଜେପିର ସାଂସଦମାନଙ୍କୁ ପିଏମଏୱାଇ ଯୋଜନା ଅଧୀନରେ ଥିବା ୬ ଲକ୍ଷ ଘର ପାଇବାରୁ ସେମାନଙ୍କୁ ବଞ୍ଚିତ କରିଥିବାରୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।

କ୍ୟାଟ୍ରିନା-ଭିକିଙ୍କ ବିବାହକୁ ନେଇ କ’ଣ କହିଲେ ଐଶର୍ଯ୍ୟାଙ୍କ ବାହାଘର କରାଇଥିବା ପଣ୍ଡିତ ?

ବଲିଉଡ୍ ଅଭିନେତ୍ରୀ କଟ୍ରିନା କେଫ୍ ଏବଂ ଅଭିନେତା ଭିକି କୈାଶଲ ଉଭୟ ଆସନ୍ତା ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଉଭୟଙ୍କ ବିବାହକୁ ନେଇ ପ୍ରଶଂସକ ବେଶ୍ ଉତ୍ସାହିତ ଥିବାବେଳେ ଐଶର୍ଯ୍ୟାଙ୍କ ବିବାହ କରାଇଥିବା ବନାରସର ଜଣେ ପଣ୍ଡିତ କ୍ୟାଟ୍ରିନା-ଭିକିଙ୍କ ବୈବାହିକ ଜୀବନକୁ ନେଇ କିଛି ଏମିତି ଭବିଷ୍ୟବାଣୀ କରିଛନ୍ତି ।

ବନାରସର ଜ୍ୟୋତିର୍ବିତ୍ ଏବଂ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଚନ୍ଦ୍ରମୈାଲୀ ଉପାଧ୍ୟାୟଙ୍କ ଅନୁସାରେ ଭିକିଙ୍କର ବୃଷ ରାଶି ଏବଂ କ୍ୟାଟ୍ରିନାଙ୍କର ମିଥୁନ ରାଶି ହେବା ଯୋଗୁଁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା ରହିବା ସହ ସମ୍ପର୍କ ଦୃଢ଼ ରହିବ । ଉଭୟ ପରସ୍ପରର ଭଲ ବନ୍ଧୁ ହୋଇପାରିବେ ବୋଲି ଏମାନଙ୍କ ରାଶିରୁ ଅନୁମାନ କରାଯାଉଛି । ବୃଷବ ରାଶିର ବର ମିଥୁନ ରାଶିର କନ୍ୟା ସହ ଭଲ ଯତିପାତ ପଡ଼ିଥାଏ । ଉଭୟ ରାଶି ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପାଇଁ ଉତ୍ତମ ଅଟନ୍ତି । ଏଣୁ ଭିକି ଏବଂ କ୍ୟାଟ୍ରିନା ଉଭୟଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ସହିତ ଦାମ୍ପତ୍ୟ ଜୀବନ ସୁଖଦ ହେବ ବୋଲି ସେ କହିଛନ୍ତି । ଜ୍ୟୋତିର୍ବିତ ଚନ୍ଦ୍ରମୈାଲୀ ଏହା ମଧ୍ୟ କହିଛନ୍ତି ଯେ ବିବାହର ବର୍ଷେ କିମ୍ବା ଦେଢ଼ ବର୍ଷ ଯାଏ ପରସ୍ପର ମଧ୍ୟରେ ଛୋଟମୋଟ ବିବାଦ ଦେଖାଦେଇପାରେ । ମାତ୍ର ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିବ ।

 

ଶତ୍ରୁଙ୍କ ଯମଦୂତ ‘ପ୍ରହାର’, ୨୫୦ ସେକେଣ୍ଡରେ ନଷ୍ଟ କରିବ ୧୫୦ କିଲୋମିଟର ଦୂରର ଟାର୍ଗେଟ୍

ବାଲେଶ୍ୱର: ସର୍ଟ ରେଞ୍ଜ, ସଲିଡ୍ ପ୍ରୋପେଲାଣ୍ଟ, ରୋଡ୍-ମୋବାଇଲ୍ ବାଲିଷ୍ଟିକ୍ ମିସାଇଲ୍ ‘ପ୍ରହାର’ର ପରୀକ୍ଷଣ ସଫଳ ହୋଇଛି । ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ୩ ନମ୍ବର ଲଞ୍ଚପ୍ୟାଡରୁ ଅପରାହ୍ଣ ୩ଟା ୯ରେ ‘ପ୍ରହାର’ର ଉତକ୍ଷେପଣ ହୋଇଥିଲା । ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମିସାଇଲ ‘ପ୍ରହାର’ ।

DRDO Successfully Launched Missile Prahaar From Chandipur

ପ୍ରହାର କ୍ଷେପଣାସ୍ତ୍ରକୁ ପ୍ରଥମଥର ପାଇଁ ୨୦୧୧ ଜୁଲାଇ ୨୧ ତାରିଖରେ ଓ ଦ୍ୱିତୀୟଥର ୨୦୧୮ ମସିହା ସେପ୍ଟେମ୍ବର ୨୦ ତାରିଖରେ ପରୀକ୍ଷା କରାଯାଇଥିଲା । ଉଭୟ ପରୀକ୍ଷା ସଫଳ ହୋଇଥିଲା । ‘ପ୍ରହାର’ ଟାର୍ଗେଟ୍‌କୁ ୧୦ ମିଟର ଦୂରତା ମଧ୍ୟରେ ହିଟ୍‌ କରିବାରେ ସକ୍ଷମ ହୋଇଥିଲା । ମିସାଇଲର ଲମ୍ବ ୭.୩୨ ମିଟର ଥିବା ବେଳେ ଓଜନ ୧୨୮୦ କିଲୋଗ୍ରାମ୍ ।

DRDO Successfully Launched Missile Prahaar From Chandipur

ଏହା ୨୫୦ ସେକେଣ୍ଡ ମଧ୍ୟରେ ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତିକରି ୧୫୦ରୁ ୨୦୦ କିଲୋମିଟର ମଧ୍ୟରେ ଟାର୍ଗେଟକୁ ନଷ୍ଟ କରିବାର କ୍ଷମତା ରଖିଛି । ‘ପ୍ରହାର’ କ୍ଷେପଣାସ୍ତ୍ରରେ ୨୦୦ରୁ ୫୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ଉତକ୍ଷେପଣ ପାଇଁ ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡର ୭ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ବାରଣ କରାଯାଇଥିଲା । ଲଞ୍ଚପ୍ୟାଡର ଅଢେଇ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଗୁଡ଼ୁପାହି, କୁସୁମୁଳିପାହି, ଭୀମପୁରପାହି, ସାହାଦାନଗରପାହି ଗାଁର ୬ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା ।

ଦୁଇ ବର୍ଷ ପରେ ପୁଣି ଆରମ୍ଭ ହେବ ଦି-ବାଙ୍ଗ୍ ଟୁର; ଡିସେମ୍ବର ୧୦ରେ ଦୁବାଇରେ ହେବ କାର୍ଯ୍ୟକ୍ରମ

ମୁମ୍ବାଇ: ଦେଶ ବିଦେଶରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିବା ସଲମାନ ଖାନଙ୍କ ଦି-ବାଙ୍ଗ୍ ଟୁର୍ ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ ମଞ୍ଚକୁ ଫେରିଛି । ଡିସେମ୍ବର ୧ରେ ସଲମାନ ଘୋଷଣା କରିଥିଲେ ଯେ ଡିସେମ୍ବର ୧୦ରେ ଏହି କାର୍ଯ୍ୟକ୍ରମର ନୂଆ ସଂସ୍କରଣ ଦୁବାଇଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ଉପସ୍ଥାପକ ସଲମାନ ଖାନ ରହିଥିବାବେଳେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଶିଳ୍ପା ସେଟ୍ଟୀ, ପ୍ରଭୁ ଦେବା, ଆୟୁଷ ଶର୍ମା, ଗୁରୁ ରନ୍ଧାଓ୍ୱା ପ୍ରମୁଖ ଏଥିରେ ନୃତ୍ୟଗୀତ ପରିବେଷଣ କରିବେ।

ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜ୍ୟାକଲିନ ଦୁବାଇ ବାହାରିଥିବା ବେଳେ ରବିବାର ରାତିରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ରୋକାଯାଇଥିଲା। ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିବାରୁ ତାଙ୍କୁ ତଦନ୍ତ ନସରିବା ଯାଏଁ ବିଦେଶ ଯିବାକୁ ବାରଣ କରାଯାଇଛି । ତେବେ ଶୁଣିବାକୁ ମିଳୁଛି ଯେ ଅଭିନେତ୍ରୀ ଡେଜି ଶାହ ଜ୍ୟାକଲିନଙ୍କ ସ୍ଥାନ ନେବେ ।

 

କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆଲୋଚନା

0

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଲିଥିବା ଅନ୍ନଦାତାଙ୍କ ଆନ୍ଦୋଳନର ଅବସାନ ଘଟିପାରେ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ଚାଷୀ ସଂଗଠନର ଆଲୋଚନା ଚାଲୁଥିବାରୁ ଏଭଳି ଆଶା କରାଯାଉଛି । ଏଥିସହିତ କୃଷି ଆଇନ ପ୍ରତ୍ୟାହାର ନେଇ ସଂସଦରେ ପ୍ରକ୍ରିୟା ଗ୍ରହଣ କରାଯିବା ପରେ ଆନ୍ଦୋଳନରୁ ଓହରିବା ନେଇ ଚାଷୀମାନଙ୍କ ବଡ଼ ଗୋଷ୍ଠୀ ମନବଳାଇଥିବା କୁହାଯାଉଛି । କୃଷକ ସଂଗଠନ ବୈଠକରେ ପରେ ଏହି ଆନ୍ଦୋଳନକୁ ସମାପ୍ତ କରିବାକୁ ଘୋଷଣା କରାଯାଇପାରେ ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ସଂଯୁକ୍ତ କୃଷକ ମୋର୍ଚ୍ଚାର ୫ଜଣ ସଦସ୍ୟଙ୍କୁ ଏମ୍‌ଏସପି ଉପରେ ଗଠିତ ହେବାକୁ ଥିବା କମିଟିରେ ସାମିଲ କରାଯିବ । ଅନ୍ୟ ପକ୍ଷରେ ସରକାର ୧ବର୍ଷ ମଧ୍ୟରେ କୃଷକ ବିରୋଧରେ ଦାୟର ମାମଲାକୁ ମଧ୍ୟ ଫେରାଇ ନେବାକୁ ପ୍ରସ୍ତାବ ରହିଛି । ଏହା ବ୍ୟତୀତ ଏହି ପ୍ରସ୍ତାବରେ ପଞ୍ଜାବ ମଡେଲ ଉପରେ କ୍ଷତିପୂରଣ ଦେବା ନେଇ ମଧ୍ୟ କୁହାଯାଇଛି  । ତେବେ ଲଖମିପୁର ଖେରୀ ମାମଲା ଓ ବିଜୁଳି ବିଲ୍ ନେଇ କୌଣସି ସକାରାତ୍ମକ ଆଲୋଚନା ହୋଇନାହିଁ ।

ସୂଚନା ଯୋଗ୍ୟ ଯେ, ବିବାଦୀୟ ତିନି କୃଷି ଆଇନ ପ୍ରତ୍ୟାହାର ସତ୍ତ୍ୱେ ଅନ୍ୟାନ୍ୟ ଦାବିରେ ଅଟଳ ରହିିଛନ୍ତି କୃଷକ । ମୃତ ଚାଷୀଙ୍କ ପରିବାରକୁ ଉଚିତ୍ କ୍ଷତିପୂରଣ ପ୍ରଦାନ,   ଏମ୍‌ଏସପି ଆଇନ୍ ସିଦ୍ଧ୍ କରାଯିବା ସହିତ ଅନ୍ୟାନ୍ୟ ଦାବିରେ ଅଟଳ ଅଛନ୍ତି କୃଷକ । ଏହାସହ ଗୋଟିଏ ବର୍ଷ ଆନ୍ଦୋଳନ ଭିତରେ ୭୦୦ କୃଷକଙ୍କ ମୃତ୍ୟୁକୁ ନେଇ ସଂଗଠନ ସରକାରଙ୍କୁ ଦୋଷୀ ବୋଲି କହିଛି । ଏହାସହ ଲଖିମପୁର ଠାରେ କୃଷକମାନଙ୍କ ହତ୍ୟାକୁ କେନ୍ଦ୍ର ସରକାରଙ୍କ ଅହଂକାର ବୋଲି କହିଛି ସଂଗଠନ । ମୋର୍ଚ୍ଚା ତରଫରୁ ଲଖିମପୁର ହିଂସା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରିଛି ।

‘ମମିତାଙ୍କୁ ନ୍ୟାୟ ନୁହେଁ ଅଭିଯୁକ୍ତକୁ ଖସାଇବା ଲାଗି ଷଡ଼ଯନ୍ତ୍ର କରୁଛି ବିଜେପି’

ଭୁବନେଶ୍ୱର: ପଦାରେ ପଡ଼ିଲା ବିଜେପି ନେତାଙ୍କ ଅସଲ ଚେହେରା । ଏପଟେ ମମିତାକୁ ନ୍ୟାୟ ମିଳୁ ବୋଲି ରାଜନୀତି ସେପଟେ ଅଭିଯୁକ୍ତ ଗୋବିନ୍ଦକୁ ଖସାଇବାକୁ ଷଡ଼ଯନ୍ତ୍ର । ଗୋବିନ୍ଦ ସପକ୍ଷରେ କେସ୍ ଲଢୁଛନ୍ତି ଜଣାଶୁଣା ବିଜେପି ନେତା । ମମିତା ମେହେର ହତ୍ୟା ମାମଲାକୁ ନେଇ ଦୀର୍ଘ ଦିନ ହେଲା ତୁମ୍ବିତୋଫାନ କରୁଛି ବିଜେପି । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରିବାକୁ ପଛାଉ ନାହିଁ ବିଜେପି । ହେଲେ ସେପଟେ ମମିତା ହତ୍ୟା ମାମାଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପି ନେତାମାନେ ସାଂଘାତିକ ଷଡ଼ଯନ୍ତ୍ର କରିଛନ୍ତି । ଏନେଇ ପ୍ରେସମିଟ୍ କରିଛି ବିଜେଡି ।

ଦଳର ଜଣେ ସକ୍ରିୟ ସଦସ୍ୟ ତଥା ଜଣାଶୁଣା ନେତା ମୋହନ ଲାଲ୍‌ ଶର୍ମାଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ାଉଛନ୍ତି । ଏଥିରୁ ବିଜେପି ନେତାଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇଛି । ମମିତାଙ୍କୁ ନ୍ୟାୟ ପାଇଁ ଚିତ୍କାର କରୁଥିବା ବିଜେପି ନେତାମାନେ କେବଳ ଯେ ହୀନ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସ୍ପଷ୍ଟ ହୋଇଯାଇଛି ।

BJD Alleges BJP Conspiracy To Release Mamita Meher Prime Accused Govinda

ମମିତା ହତ୍ୟା ମାମଲାରେ ଗୋବିନ୍ଦଙ୍କ ଓକିଲ ସାଜିଥିବା ମୋହନ ଲାଲ୍‌ ଶର୍ମା କଣ୍ଟାବାଞ୍ଜିରେ ବିଜେପିର ଜନ ସମ୍ପର୍କ ଯାତ୍ରାଠୁ ଆରମ୍ଭ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରନ୍ତି । ୨୦୧୯ ନିର୍ବାଚନରେ କଣ୍ଟାବାଞ୍ଜିରୁ ବିଜେପି ପ୍ରାର୍ଥୀ ହେବା ଲାଗି ମଧ୍ଯ ସେ ଦୌଡ଼ରେ ଥିଲେ । ଏହାଛଡ଼ା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କର ଘନିଷ୍ଠ ଭାବେ ସେ ବେଶ୍‌ ଜଣାଶୁଣା । ତାଙ୍କ ଭଳି ଦଳର ଜଣେ ସକ୍ରିୟ ନେତାଙ୍କୁ ଜହ୍ଲାଦ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପିର ବରିଷ୍ଠ ନେତାମାନେ ନିୟୋଜିତ କରିବା ପଛରେ ଯେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି, ତାହା ଜଳଜଳ ଦିଶି ଯାଉଛି ବୋଲି କହିଛି ବିଜେଡି ।

ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରୁଥିବା ବିଜେପି ସେ ବାବଦରେ କୌଣସି ପ୍ରମାଣ ଦେଇପାରୁ ନାହିଁ । ଅଥଚ ଅଭିଯୁକ୍ତ ଗୋବିନ୍ଦକୁ ଫାଶୀଦଣ୍ଡରୁ ରକ୍ଷା କରିବାକୁ ପ୍ରମାଣ ଯୋଗାଡ଼ କରି ତଦନ୍ତକୁ ଦିଗହରା କରିବାକୁ ବିଜେପି ଅପଚେଷ୍ଟା କରୁଛି ।

ପୂର୍ବରୁ ନୟାଗଡ଼ ପରୀ ହତ୍ୟା ମାମଲାରେ ମଧ୍ୟ ବିଜେପି ନେତାମାନେ ଏହି ଭଳି ହୀନ ରାଜନୀତି କରିଥିଲେ । ଏସଆଇଟି ତଦନ୍ତରୁ ଅଭିଯୁକ୍ତ ଧରା ପଡ଼ିଯିବା ପରେ ମାନ୍ୟବର ହାଇକୋର୍ଟ ତଦନ୍ତରେ ସନ୍ତୋଷ ପ୍ରକାଶ କରିଥିଲେ । ମାତ୍ର ରାଜନୈତିକ ସ୍ଵାର୍ଥ ଲାଗି ଅଭିଯୁକ୍ତକୁ ବଞ୍ଚାଇବାକୁ ସେତେବେଳେ କୋର୍ଟରେ ବଡ଼ ଓକିଲଙ୍କୁ କିଏ ନିଯୁକ୍ତ କରିଥିଲା ?

BJD Alleges BJP Conspiracy To Release Mamita Meher Prime Accused Govinda

ବାରମ୍ଵାର ଏମିତି ଶବ ଉପରେ ବିଜେପି ରାଜନୀତି କରୁଥିଲା ବୋଲି ସମସ୍ତେ ଜାଣିଥିଲେ । ମାତ୍ର ଏବେ ଅଭିଯୁକ୍ତକୁ ଖସାଇବାକୁ ଷଡ଼ଯନ୍ତ୍ର କରୁଥିବା କଥା ପଦାରେ ପଡ଼ିଯିବା ପରେ ବିଜେପି ନେତାଙ୍କ ମୁହଁରୁ ମୁଖା ଖସି ପଡ଼ିଛି । ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ । ବିଜେପି ଏ ପାପ କୋଉଠି ଧୋଇବ ତାହା ଏବେ ରାଜ୍ୟବାସୀ ପ୍ରଶ୍ନ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ବିଗତ ୨୦ ବର୍ଷର ଜନୈତିକ ଇତିହାସ ଦେଖିଳେ, ସର୍ବଦା ମୁଖ୍ୟମନ୍ତ୍ରୀ ନିରପେକ୍ଷ ନିଷ୍ପତ୍ତି ଓ ଶାସନ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିରପେକ୍ଷତା ଉପରେ ଯେଉଁ ପ୍ରଶ୍ନ ଉଠାଯାଉଛି ତାହା ଦୁର୍ଭାଗ୍ୟଜନକ । ବିଧାନସଭା ଚଳେଇ ଦେଉନାହାନ୍ତି ବିରୋଧୀ । ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ । ହେଲେ ବିରୋଧୀ ଦଳ ତାହା କରାଇ ଦେଉନାହାନ୍ତି । ବିଜେପିର ଅସଲି ଚେହେରା ପଦାରେ ପଡିଛି । ଭାରତୀୟ ଜନତା ପାର୍ଟି ନୁହେଁ ଏହା ଏବେ ଭାରତୀୟ ଯାତ୍ରା ପାର୍ଟି ହୋଇ ଯାଇଛି ବୋଲି କହିଛି ବିଜେଡି ।

ପାଇକ ବିଦ୍ରୋହକୁ ଦିଅ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା

ଭୁବନେଶ୍ୱର: ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଧାନସଭା ନେଇଛି ସଂକଳ୍ପ । ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଅନ୍ତୁ । ଏହି ମର୍ମରେ ଗୃହରେ ସଂକଳ୍ପ ପାରିତ ହୋଇଯାଇଛି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏହା ଆଗତ କରିଥିଲା ବେଳେ ଏହାକୁ ଗୃହ ପାରିତ କରିଛି ।

ସଂକଳ୍ପରେ ଦର୍ଶାଯାଇଛି, ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ପାଇକ ବିଦ୍ରୋହର ସ୍ଥାନ ସ୍ୱତନ୍ତ୍ର । ୧୮୧୭ ମସିହାରେ ଖୋର୍ଦ୍ଧା ପାଇକଙ୍କ ଏ ସଂଗ୍ରାମ ଆରମ୍ଭ ହୋଇ ୧୮୨୫ ଯାଏ ଚାଲିଥିଲା । ଏହି ଲଢ଼େଇରେ ବହୁ ଜମିଦାର, ଦଳେଇ, ଦଳବେହେରା ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ଇୋଂଜ ସରକାରର ସ୍ଥିତିକୁ ଏ ସଂଗ୍ରାମ ହୋଦଲାଇ ଦେଇଥିଲା ।

ଏଥିସହ ପଢ଼ନ୍ତୁ: ବରୁଣେଇରେ ପୁଣି ‘ପାଇକ ବିଦ୍ରୋହ’ର ଆଭାସ

ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ୍ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ଅନୁରୋଧ କରିଥିଲା । ରାଜ୍ୟ ସରକାର ପାଇକ ବିଦ୍ରୋହ ଉପରେ ରାଜ୍ୟ ସଂଗ୍ରହାଳୟରେ ଏକ ଗ୍ୟାଲେରୀ ପ୍ରତିଷ୍ଠା କରିବା ସହ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ୬୮୫ ଡିସିମିଲି ଜମିରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି । ଜାତୀୟସ୍ତରରେ ଏହାର ଅଧିକ ପ୍ରଚାର ଓ ପ୍ରସାର ପାଇଁ ପାଇକ ବିଦ୍ରୋହ ଉପରେ ଆଲୋଚନା ଚକ୍ର, କର୍ମଶାଳା ଓ କବିତା ପାଠୋତ୍ସବ ଆୟୋଜନ କରାଯାଇଛି ।

ବିଦେଶୀ ଇଂରେଜ ସରକାରଙ୍କ କବଳରୁ ମାତୃଭୂମିକୁ ମୁକ୍ତି କରିବାକୁ ପାଇକମାନଙ୍କ ବଳିଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଅନ୍ତୁ । ଏ ସଂକଳ୍ପ ବିଧାନସଭାର ସଭ୍ୟମାନଙ୍କ ସମର୍ଥନରେ ପାରିତ ହୋଇଛି । କେନ୍ଦ୍ର ସରକାର ଓଡ଼ିଆ ବୀରତ୍ୱ ଓ ବଳିଦାନକୁ ସମ୍ମାନ ଜଣାଇ ତୁରନ୍ତ ଏ ଘୋଷଣା କରିବାକୁ ରାଜ୍ୟର ବିଭିନ୍ନ ମହଲରୁ ଦାବି ଉଠିଛି ।

ଆତ୍ମହତ୍ୟାଠାରୁ କମ୍ ଯନ୍ତ୍ରଣାଦାୟକ ମୃତ୍ୟୁ ପାଇଁ ଆସିଲା ମେସିନ

ନୂଆଦିଲ୍ଲୀ: ଯନ୍ତ୍ରଣା ବିହୀନ ମୃତ୍ୟୁ ଦେବ ମେସିନ । ମାତ୍ର ଗୋଟିଏ ମିନିଟରେ ଶାନ୍ତିର ମୃତ୍ୟୁ ଦେଇପାରିବ କଫିନ ସଦୃଶ୍ୟ ଏହି ମେସିନ । କଫିନ ଭଳି ଦେଖାଯାଉଥିବା ଏହି ସୁଇସାଇଡ୍ ମେସିନକୁ ଆଇନଗତ ମାନ୍ୟତା ଦେଇଛି ସୁଇଜରଲ୍ୟାଣ୍ଡ । ଏହି ମେସିନରେ ଅମ୍ଳଜାନ ହ୍ରାସ ହେବା ଯୋଗୁ ଜଣେ ବ୍ୟକ୍ତିଙ୍କର ହାଇପୋକ୍ସିଆ ଏବଂ ହାଇପୋକାପ୍ନିଆ ମାଧ୍ୟମରେ ମୃତ୍ୟୁ ଘଟିଥାଏ । ଯାହା ଆତ୍ମହତ୍ୟା ଠାରୁ କମ୍ ଯନ୍ତ୍ରଣାଦାୟକ । ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ମେସିନ ଭିତରେ ରହି ଏହାକୁ ଅପରେଟ କରିପାରିବେ।

ଯେଉଁ ଲୋକମାନେ ଅତ୍ୟନ୍ତ ରୋଗାଗ୍ରସ୍ତ ଥିବେ, ବିଛଣାରୁ ଉଠିପାରୁ ନଥିବେ କିମ୍ବା ଯେଉଁ ରୋଗୀମାନଙ୍କ ଭଲ ହେବା ଅଶା ନଥିବ ସେମାନଙ୍କ ପାଇଁ ଏହି ମେସିନ୍‌ ବେଶ୍‌ ସହାୟକ ହେବ। ଉପଭୋକ୍ତାଙ୍କୁ ଏହି ମେସିନକୁ ନିଜ ପସନ୍ଦର ସ୍ଥାନକୁ ନେବାକୁ ପଡିବ। ଶରୀରର ସମସ୍ତ ଅଙ୍ଗ ଅଚଳ ହୋଇଥିଲେ ବି କେବଳ ଆଖି ମିଟି ମିଟିକା ଯୋଗେ ଏହାକୁ ଅପରେଟ କରିହେବ । ଆତ୍ମହତ୍ୟା କରିବାକୁ ଚାହୁଁଥିବା ବ୍ୟକ୍ତି ଜଣଙ୍କୁ ତାଙ୍କ ଇଚ୍ଛା ମୁତାବକ ସ୍ଥାନକୁ ନିଆଯାଇ କଫିନ ଭଳି ଦେଖାଯାଉଥିବା କ୍ୟାପସୁଲରେ ରଖାଯିବ । ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ମେସିନକୁ ଜୈବିକ ଉପାୟରେ ନଷ୍ଟ ହୋଇପାରୁଥିବା କଫିନରୁ ଅଲଗା କରି ଦିଆଯାଇ ତାଙ୍କୁ କବର ଦିଆଯିବ ବୋଲି କହିଛି ଦାତବ୍ୟ ଅନୁଷ୍ଠାନ ଏକଜିଟ୍ ଇଣ୍ଟର ନ୍ୟାସନାଲ।

ସ୍ୱିଜରଲ୍ୟାଣ୍ଡରେ ସହାୟକ ଆତ୍ମହତ୍ୟା ଆଇନଗତ ଅଟେ । ଗତ ବର୍ଷ ପ୍ରାୟ ୧୩୦୦ ଲୋକ ଇୟୁଥାନାସିଆ ସଂଗଠନର ସେବା ବ୍ୟବହାର କରିଥିଲେ । ଏହି ଆତ୍ମହତ୍ୟାର ମେସିନ୍‌ ତିଆରି କରିବା ପାଇଁ ଅଣ-ଲାଭକାରୀ ସଂସ୍ଥା ଏକ୍‌ଜିଟ୍ ଇଣ୍ଟରନ୍ୟାସନାଲର ନିର୍ଦ୍ଦେଶକ ଏବଂ ‘ଡକ୍ଟର ଡେ୍‌ଥ’ କୁହାଯାଉଥିବା ଫିଲିପ୍ ନେଟ୍‌ଶ୍ଚକେଙ୍କ ଚିନ୍ତା କରିଥିଲେ ।