ନୂଆ ନୁହେଁ କେନ୍ଦ୍ରମନ୍ତ୍ରୀଙ୍କ ଗୁଣ୍ଡାରାଜ: ଆଗରୁ ଗାଳି ଦେଇଥିଲେ, ଏଥର ମାରିଲେ

ଭୁବନେଶ୍ବର: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ବିରୋଧରେ ଗୁଣ୍ଡାରାଜ ଅଭିଯୋଗ କିଛି ନୂଆ କଥା ନୁହେଁ । ଆଗରୁ ମଧ୍ୟ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ପତିଆରା ଦେଖାଇବା ଅଭିଯୋଗ ରହିଛି ତାଙ୍କ ବିରୋଧରେ । ଏବେ ପୁଣି ରାଜ୍ୟବାସୀ ଦେଖୁଛନ୍ତି ତାଙ୍କ ଦମନଲୀଳା । ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରି ହାତ ଭାଙ୍ଗି ଦେଲେ, ହେଲେ ମାନିଲେନି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଚାରିଆଡ଼ୁ ହେଉଛନ୍ତି ମାଲୋଚନା । ଲୋକେ କରୁଛନ୍ତି ଛି ଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟର ବିଭିନ୍ନ ସରକାରୀ କମର୍ଚାରୀ ସଂଘ ଦାବି କରିଛନ୍ତି ।

ଟୁଡୁଙ୍କ ଆକ୍ରମଣରେ ଗୁରୁତର ଦେବାଶିଷଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଅଧିକାରୀଙ୍କ ବୟାନ ପୋଲିସ ରେକର୍ଡ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏପରି ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛି କର୍ମଚାରୀ ମହାସଂଘ । ଦେବାଶିଷଙ୍କ ପତ୍ନୀ କେନ୍ଦ୍ରମନ୍ତ୍ରୀଙ୍କୁ ପାଗଳର ଆଖ୍ୟା ଦେଇଛନ୍ତି ।

ମୟୂରଭଞ୍ଜ ସାଂସଦଙ୍କ ଲଗାତାର ଦାଦାଗିରିକୁ ସବୁଠି ଭର୍ତ୍ସନା । ପତିଆରା ଦେଖାଇବାକୁ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ପଡୁଛି ମହଙ୍ଗା । ଗତକାଲି ଦଳୀୟ କାର୍ଯ୍ୟାଳୟକୁ ଡାକି ଦୁଇ ଯୋଜନା ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଆକ୍ରମଣ କରିବା ଅଭିଯୋଗର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି ପୋଲିସ । କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ଆଇପିସିର ଧାରା ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ ଧାରାରେ ବାରିପଦା ଟାଉନ ଥାନାରେ ହୋଇଛି ମାମଲା ରୁଜୁ । ଉଭୟ ଅଧିକାରୀଙ୍କ ବୟାନ ରେକର୍ଡ କରିଛି ମୟୂରଭଞ୍ଜ ପୋଲିସ । ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି ସହକର୍ମୀ ଓ ପରିବାର ଲୋକେ । ଦେବାଶିଷଙ୍କୁ କଟକ ଏସସିବିକୁ ପଠାଯାଇଥିବା ବେଳେ ଅଶ୍ବିନୀଙ୍କୁ ପିଆରଏମ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ତେଜୁଛି ମନ୍ତ୍ରୀଙ୍କ ବହିଷ୍କାର ଦାବି

ଏପଟେ କେନ୍ଦ୍ରମନ୍ତ୍ରୀଙ୍କ ଲଗାତାର ଦାଦାଗିରିଙ୍କୁ ନେଇ ତାତିଛନ୍ତି ସାରା ରାଜ୍ୟର କମର୍ଚାରୀ ସଂଘ । ରାଜ୍ୟ କମର୍ଚାରୀ ମହାସଂଘ, ରାଜ୍ୟ ବିଭାଗୀୟ ଦପ୍ତର କମର୍ଚାରୀ ସଂଘ, ରାଜ୍ୟ ଅମଲା ସଂଘ, ଓଏଏସ୍ ସଂଘ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଏଭଳି କ୍ରିମିନାଲ ଅଫେନ୍ସ ପାଇଁ ମନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କର୍ତ୍ତବ୍ୟରତ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟକୁ ଡାକି ଆକ୍ରମଣ କରିବା କେବେ ବି ଗ୍ରହଣୀୟ ନୁହେଁ । ଏହାଦ୍ବାରା ସରକାରୀ କମର୍ଚାରୀଙ୍କ ମନୋବଳ ଭାଙ୍ଗିବା ସହ ଏହାର ପ୍ରଭାବ ମଧ୍ୟ ସାଧାରଣ ଲୋକଙ୍କ ଉପେର ପଡ଼ିବ ବୋଲି ବିଭିନ୍ନ କମର୍ଚାରୀ ସଂଗଠନର ନେତା କହିଛନ୍ତି । ଏପରିକି ଏଭଳି ଦୁର୍ବ୍ୟବହାର କରୁଥିବା ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ସଂଘ ଦାବି କରିଛି ।

ଗୁଣ୍ଡାରାଜ ମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ

କେନ୍ଦ୍ରମନ୍ତ୍ରୀଙ୍କ ଗୁଣ୍ଡାଗିରି କିଛି ନୂଆ ନୁହେଁ । ଏଇଟା ତାଙ୍କର ପୁରୁଣା ଅଭ୍ୟାସ । ଗତବର୍ଷ ଅକ୍ଟୋବରରେ କେନ୍ଦୁଝରର କାନପୁର ଜଳସେଚନ ପ୍ରକଳ୍ପ ଗସ୍ତ ବେଳେ ମନ୍ତ୍ରୀ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିଥିବାର ଅଭିଯୋଗ ହୋଇଥିଲା ।

ସରକାରୀ ଅଧିକାରୀଙ୍କୁ ମାରଧର କରିବା ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଦୃଢ ନିନ୍ଦା କରିବା ସହ ଏଭଳି ବ୍ୟକ୍ତିକୁ ଦଳ କିଭଳି ପ୍ରାର୍ଥୀ କରିଛି ସେନେଇ ପ୍ରଶ୍ନ ଉଠାଇଛନ୍ତି । ହେଲେ ବିଜେପି ଏହି ମାମଲାରେ ମନ୍ତ୍ରୀଙ୍କ ଗୁଣ୍ଡାଗିରିକୁ ନିନ୍ଦା କରିବା ପରିବର୍ତ୍ତେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଛି ।

ଦିନକୁ ଦିନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡ଼ୁଙ୍କ ପାଇଁ ଅଡ଼ୁଆ ବଢୁଛି । ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମୁଣ୍ଡ ଉପରେ ପୌର ନିର୍ବାଚନ । ଏପରି ସ୍ଥିତିରେ ମନ୍ତ୍ରୀଙ୍କ ଆଚରଣ ଉଚ୍ଚାରଣ ଦଳ ପାଇଁ ବୁମେରାଂ ହେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହି ଘଟଣାରେ ବାରିପଦା ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଦନ୍ତକୁ ସାମ୍ନା କରିବା ପରିବର୍ତ୍ତେ ଦିଲ୍ଲୀ ପଳାଇ ଥିବା ଜଣାପଡିଛି ।

Leave a Reply