ବନ୍ଦ ହେଲା ଐତିହାସିକ ଲାଲକିଲ୍ଲା, ୨୬ ଯାଏଁ ପ୍ରବେଶ ନିଷେଧ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଲାଗି ଆଜିଠାରୁ ବନ୍ଦ ହେଲା ଐତିହାସିକ ଲାଲକିଲ୍ଲା । ଆସନ୍ତା ୨୬ ତାରିଖ ଯାଏ ଲାଲକିଲ୍ଲା ଭିତରକୁ ଯାଇପାରିବେନାହିଁ ସାଧାରଣ ନାଗରିକ ଓ ପର୍ଯ୍ୟଟକ । ନିରାପତ୍ତା କାରଣରୁ ଏହି ପଦକ୍ଷେପ ନେଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଲାଲକିଲ୍ଲାକୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯାଇଛି ।

ସାଧାରଣତନ୍ତ୍ର ଦିବସକୁ ଭଣ୍ଡୁର କରିବା ଲାଗି ଆତଙ୍କବାଦୀ ସଂଗଠନ ଉଦ୍ୟମ କରିବା ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବ ଜାନୁଆରୀ ୨୪ରୁ ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ଏହା ଜାନୁଆରୀ ୨୩ରୁ ଆରମ୍ଭ ହେଉଛି । ସେପଟେ ସାଧାରଣତନ୍ତ୍ର ଦିବସ ପାଳନ ଲାଗି ଜାରି ରହିଛି ଅଭ୍ୟାସ ପରେଡ । ସଶସ୍ତ୍ର ବାହିନୀ ସମେତ ଅନ୍ୟାନ୍ୟ ବିଭାଗ ଏଥିରେ ସାମିଲ ହୋଇଛନ୍ତି ।

Leave a Reply