ରାଜ୍ୟ କ୍ଷମତା କମାଇବାକୁ କେନ୍ଦ୍ରର ଷଡଯନ୍ତ୍ର, ଆଇଏଏସଙ୍କୁ ହାତ ବାରିସୀ କରିବାକୁ ଯୋଜନା

1 min read

ଭୁବନେଶ୍ବର: ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରି ରାଜ୍ୟର କ୍ଷମତାକୁ ଗୌଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର । କେନ୍ଦ୍ରର ଏଭଳି ଆଭିମୁଖ୍ୟ ବିରୋଧରେ ଉଠିଛି ରାଜନୈତିକ ସ୍ବର l ପୂର୍ବରୁ ରାଜ୍ୟଗୁଡିକୁ ଅନୁଦାନରେ ଟାଳଟୁଳ ନୀତି ଗ୍ରହଣ କରିଥିବା କେନ୍ଦ୍ର ସରକାର ଏବେ ଆଇଏଏସ କ୍ୟାଡ଼ର ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହା ରାଜ୍ୟର କ୍ଷମତାକୁ ସଙ୍କୁଚିତ କରିବ ।

ରାଜ୍ୟର କ୍ଷମତା ଛଡ଼ାଇ ନେବାକୁ କେନ୍ଦ୍ର କରୁଛି ଷଡ଼ଯନ୍ତ୍ର । ସଂଘୀୟ ବ୍ୟବସ୍ଥାକୁ ଅଣଦେଖା । ସଂସ୍କାର ଆଳରେ କ୍ଷମତା ହାସଲ ନିଶା । କେନ୍ଦ୍ରର ଆଭିମୁଖ୍ୟ ନେଇ ଉଠିଲା ପ୍ରତିବାଦର ସ୍ବର । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସହ ରାଜ୍ୟର କ୍ଷମତା ଓ କାର୍ଯ୍ୟଧାରା ସ୍ଥିର ହୋଇଛି । କିନ୍ତୁ ଏବେ କେନ୍ଦ୍ର ସରକାର ରାଜ୍ୟଗୁଡିକର କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ କରିଛନ୍ତି । ରାଜ୍ୟର ହକକୁ ଅଣଦେଖା କରିଥିବା କେନ୍ଦ୍ର, ଏବେ ଆଇଏଏସ କ୍ୟାଡ଼ର ନିୟମରେ ପରିବର୍ତ୍ତନ ନିଷ୍ପତ୍ତି ନେଇ ରାଜ୍ୟଗୁଡିକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ଏବେ ଆଇଏଏସ ଅଧିକାରୀଙ୍କୁ ଯେକୌଣସି ସମୟରେ ଡେପୁଟେସନରେ ନେଇପାରିବେ । ଏଥିପାଇଁ ଆଇଏଏସ କ୍ୟାଡର ନିୟମ ୧୯୫୪ରେ ସଂଶୋଧନ କରିବାକୁ ଯାଉଛନ୍ତି । ଏହାକୁ ନେଇ ଜୋରଦାର ବିରୋଧ ଆରମ୍ଭ ହେଲାଣି । ରାଜ୍ୟର ଶାସକ ଦଳ ବିଜେଡି କେନ୍ଦ୍ରର ବିଭିନ୍ନ ଆଭିମୁଖ୍ୟକୁ ସମାଲୋଚନା କରିଛି । ସେପଟେ କଂଗ୍ରେସର କହିବା କଥା ଆଇଏଏସ ଅଧିକାରୀଙ୍କୁ ଅଧିନକୁ ନେବା ଠିକ ନୁହେଁ । କେନ୍ଦ୍ର ହୁଅନ୍ତୁ କି ରାଜ୍ୟ ସରକାର ଆଇଏଏସଙ୍କୁ କଣ୍ଢେଇ ଭଳି ଖେଳାଇବା ଠିକ ନୁହେଁ ।

ଅନ୍ୟପକ୍ଷରେ ରାଜ୍ୟ ବିଜେପି କେନ୍ଦ୍ରର ଏ ନିଷ୍ପତ୍ତିକୁ ସ୍ବାଗତ କରିଛି । ବର୍ତ୍ତମାନର ନିୟମ ଅନୁଯାୟୀ ଆଇଏଏସ ଅଧିକାରୀମାନେ ଡେପୁଟେସନରେ ଯିବା ପୂର୍ବରୁ ରାଜ୍ୟ ଏବଂ ସମ୍ପୃକ୍ତ ଅଧିକାରୀର ସହମତି ଆବଶ୍ୟକତା ରହୁଛି । କିନ୍ତୁ ନିୟମରେ ସଂଶୋଧନ ହେଲେ କେନ୍ଦ୍ରର ନିଷ୍ପତ୍ତି ହିଁ ଫାଇନାଲ ହେବ । ଏହି ନିୟମ ହେଲେ ସବୁ ଶୃଙ୍ଖଳିତ ହେବ ଏବଂ ସଂଘୀୟ ବ୍ୟବସ୍ଥା ଆହୁରୀ ସୁଦୃଢ଼ ହେବ ବୋଲି ବିଜେପି କହିଛି ।

ଏଭଳି ନିୟମକୁ ନେଇ କେନ୍ଦ୍ର, ରାଜ୍ୟ ସରକାରଙ୍କ ମତାମତ ଲୋଡିଥିବା ବେଳେ ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଏହାର ବିରୋଧ କରିଛନ୍ତି ।

Leave a Reply