ରାଜ୍ୟସ୍ତରୀୟ ଶହୀଦ ଦିବସ ପାଳିତ: ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ନେତୃବୃନ୍ଦ

ଭୁବନେଶ୍ୱର: ରବିବାର ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଶହୀଦ ଦିବସ ଅନୁଷ୍ଠିତ ହୋଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବାଚସ୍ପତି ଡ, ସୂର୍ଯ୍ୟନାରାୟଣ ପାତ୍ର, ଉପ ବାଚସ୍ପତି ରଜନୀକାନ୍ତ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଧାନସଭାର ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ବାଦନ କରାଯାଇଥିଲା । ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀଗଣ ଗାନ୍ଧିଜୀଙ୍କ ପ୍ରିୟ ଆଶ୍ରମ ଭଜନ ‘ ବୈଷ୍ଣବ ଜନ ତୋ’ ପରିବେଷଣ କରିଥିଲେ । ପୋଲିସ ବାହିନୀ ଦ୍ୱାରା ବୀର ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ତୋପ ଧ୍ୱନି, ଦୁଇ ମିନିଟ ନିରବ ପ୍ରାର୍ଥନା ଓ ଏହାର ସମାପ୍ତିର ସଂକେତ ସ୍ୱରୂପ ଦ୍ୱିତୀୟବାର ତୋପଧ୍ୱନି କରାଯାଇଥିଲା । ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ରାମଧୂନ ପରିବେଷଣ ଓ ଜାତୀୟ ସଂଙ୍ଗୀତ ବାଦନ ପରେ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ସମସ୍ତ ଅତିଥି ବିଧାନସଭା ପରିସରରୁ ପ୍ରସ୍ଥାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ ଓ ଅନ୍ୟ ଅଧିକାରୀବୃନ୍ଦ, ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ ସଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ପରିଚାଳନାକ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ରାଜ୍ୟ ଭଲ ସ୍ଥିତିକୁ ଫେରିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Leave a Reply