ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ରାଜ୍ୟ ଭଲ ସ୍ଥିତିକୁ ଫେରିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । କିଛି ଦିନ ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ଏବେ ସଂକ୍ରମଣ ୫ ହଜାର ତଳେ ରହିଛି । ଜିଲ୍ଲା ସ୍ତରରେ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରେସିଂ ଜୋରଦାର କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏଭଳି ସଂକ୍ରମଣ ତଳମୁହାଁ  ରହିଲେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ରାଜ୍ୟରେ ଭଲ ସ୍ଥିତି ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯାହାଫଳରେ ରାଜ୍ୟରେ ଆଉ ବିଶେଷ କଟକଣା ଆବଶ୍ୟକ ପଡିନପାରେ ।

ରାଜ୍ୟରେ ଆଜି ୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ନିୟମିତ ସ୍ୱାସ୍ଥ୍ୟ କର୍ମୀଙ୍କର ପ୍ରଶିକ୍ଷଣ ପାଇଁ ଜିଲ୍ଲାସ୍ତରରେ ବ୍ୟବସ୍ଥା କରାଯାଇଛି । ରୋଗୀଙ୍କ ତୁଳନାରେ ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟକ ଶଯ୍ୟା ଖାଲି ରହିଛି । ତଥାପି ତୃତୀୟ ଲହରର ମୁକବାଇଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯାଉଛି । ଏବେ ବି ରାଜ୍ୟରେ ଡେଲଟା ଓ ଓମିକ୍ରନ ଭୂତାଣୁ ସକ୍ରିୟ ଅଛନ୍ତି । ଆମକୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ସଂକ୍ରମଣ ସଂଖ୍ୟା କାମୁଥିଲେ ବି ବିପଦ ଟଳିନାହିଁ । ବର୍ତ୍ତମାନ ସୁଧା ୯୨ ପ୍ରତିଶତ ଟିକାକରଣ ସମ୍ପୂର୍ଣ୍ଣ ହୋଇଛି । ଏହା ଗୋଟିଏ ଭଲ ଉପଲବ୍ଧି । ୧୫ ରୁ ୧୮ ବର୍ଷର ପିଲା ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ତ୍ୱରାନ୍ୱିତ କରାଯାଇଛି । ଏବେ ଦୈନିକ ଟେଷ୍ଟିଂ ୬୮ ହଜାରରୁ ୬୯ ହଜାର ଟେଷ୍ଟ କରାଯାଉଛି । ଟେଷ୍ଟିଂ ହାର କମିନାହିଁ । ଦେଶରେ ଅନ୍ୟ ରାଜ୍ୟରେ ସଂକ୍ରମଣ କମିବା ସହିତ ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର ଲଗାତାର କମିବାରେ ଲାଗିଛି । ଏହା ଗୋଟିଏ ଭଲ ସ୍ଥିତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Leave a Reply