spot_img
Home Blog Page 4786

ଏବେ ୧୮ ନୁହେଁ, ୨୧ ବର୍ଷ ହେବ ଝିଅଙ୍କ ବିବାହ ବୟସ

ନୂଆଦିଲ୍ଲୀ: ବଢ଼ିବ ଝିଅଙ୍କ ସର୍ବନିମ୍ନ ବିବାହ ବୟସ । ଏଣିକି ୧୮ ନୁହେଁ ୨୧ରେ ହେବ ବାହାଘର । ବିବାହ ପାଇଁ ନ୍ୟୂନତମ ବୟସ ୨୧ ବର୍ଷକୁ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି । କ୍ୟାବିନେଟ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବରେ ମୋହର ମାରିଥିବା ବେଳେ ଚଳିତ ଶୀତ ଅଧିବେଶନରେ ସଂସଦରେ ବିଲ୍‌ ଗୃହୀତ ହୋଇପାରେ । ପୁଅଙ୍କ ବିବାହ ବୟସ ୨୧ ଥିବା ବେଳେ ଝିଅଙ୍କ ବାହାଘର ବୟସ ୧୮ ଥିବାରୁ ଏଥିରେ ପରିବର୍ତ୍ତନ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।  ଗତବର୍ଷ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଭାଷଣ ଦେଉଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ଝିଅମାନଙ୍କୁ କୁପୋଷଣକୁ ରକ୍ଷା କରିବାକୁ ହେଲେ ସେମାନଙ୍କ ବିବାହ ଠିକ୍ ସମୟରେ ହେବା ଆବଶ୍ୟକ ।

ଏ ବିଷୟରେ ବିଚାର କରିବା ଲାଗି ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲେ । ନୀତି ଆୟୋଗର ସଦସ୍ୟ ଭି.କେ ପଲ ଏହି ଟାସ୍କ ଫୋର୍ସର ସଦସ୍ୟ ରହିଥିଲେ । ଏହି ଟାସ୍କ ଫୋର୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରହିଥିଲେ । ଏହି ଟାସ୍କ ଫୋର୍ସ ଗତ ବର୍ଷ ଜୁନ ମାସରେ ଗଠନ ହୋଇଥିଲା ଏବଂ ଗତ ବର୍ଷ ଡିସେମ୍ବର ମାସରେ ଏହି ଟାସ୍କ ଫୋର୍ସ ତା’ର ରିପୋର୍ଟ ଦାଖଲ କରିଥିଲା ।

ଏହି ଟାସ୍କ ଫୋର୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଆଧାରରେ ପ୍ରସ୍ତୁତ କରାଯାଇଥିବା ଏକ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ । ଏଥିରେ ପ୍ରଥମ ଗର୍ଭଧାରଣର ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିବା ଦରକାର ବୋଲି ସୁପାରିସ କରାଯାଇଥିଲା। ଏହା ବ୍ୟତୀତ ବିବାହ ବୟସ ବୃଦ୍ଧି ହେଲେ ଏହା ଆର୍ଥିକ, ସାମାଜିକ, ସ୍ୱାସ୍ଥ୍ୟଗତ, ସମାଜ ଓ ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଟାସ୍କ ଫୋର୍ସ କହିଥିଲା।

ରାଜଧାନୀରେ କାୟା ବିସ୍ତାର କରୁଛି ଓମିକ୍ରନ, ୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶେ କାୟା ବିସ୍ତାର କରୁଛି ଓମିକ୍ରନ। କରୋନା ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ଓ ଦିଲ୍ଲୀରେ ଓମିକ୍ରନ କେସ୍ ବଢ଼ିବାରେ ଲାଗିଛି। ଆଜି ରାଜଧାନୀ ଦିଲ୍ଲୀରେ ୪ ନୂଆ ଓମିକ୍ରନ ଷ୍ଟ୍ରେନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଛୁଇଁଛି ।

ଏହି ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନୂଆଦିଲ୍ଲୀର LNJP ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଜଣେ ଡିସଚାର୍ଜ ହୋଇଛନ୍ତି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍ କହିଛନ୍ତି । LNJP ହସ୍ପିଟାଲରେ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ଲାଗି ଏକ ସ୍ୱତନ୍ତ୍ର ୱାର୍ଡ କରାଯାଇଛି । ଏଥିରେ ବେଡ୍ ସଂଖ୍ୟା ୪୦ରୁ ୧୦୦କୁ ବୃଦ୍ଧି କରାଯାଇଛି ।

ସୂଚନା ମୁତାବକ ଏବେ ସୁଦ୍ଧା ୧୧ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଠାବ ହୋଇଛନ୍ତି। ଦେଶେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହୋଇଥିବା ବେଳେ ସଂକ୍ରମଣ ସଂଖ୍ୟାରେ ସବୁଠୁ ଉପରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ୩୨ କେସ୍ ରିପୋର୍ଟ ହୋଇଛି । ସେହିଭଳି ରାଜସ୍ଥାନରେ ୧୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ସଂଖ୍ୟାରେ ତୃତୀୟରେ ରହିଛି ଦିଲ୍ଲୀ । କେରଳ, ଗୁଜରାଟ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ ମେଗା ନିଯୁକ୍ତି: ୬,୧୩୧ ହାଇସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି

ଭୁବନେଶ୍ବର: ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ନୂଆ ଇତିହାସ । ଯାହା କେବେ ହୋଇନଥିଲା, ଏବେ ହେଲା । ଏକାଥରେ ନିଯୁକ୍ତି ପାଇଲେ ୬ ହଜାର ୧୩୧ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ । କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ଆଜି ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ଏକାଥରେ ୧୧ ହଜାର ୪ ଶହ ଶିକ୍ଷକ ନିଯୁକ୍ତି ଯୋଜନା ଥିଲା । ସଂରକ୍ଷିତ ବର୍ଗରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ବଳକା ୪ହଜାର ୪ ଶହ ପଦବୀ ସପ୍ତାହକ ମଧ୍ୟରେ ପୂରଣ ହେବ । ଏବର୍ଷ ୧୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଭାଗ ଲକ୍ଷ୍ୟ ରଖିଛି ।  5T ଉପକ୍ରମରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ, ଡିଜିଟାଲ ଟେକ୍ନୋଲୋଜିରେ ପାଠପଢ଼ା ବ୍ୟବସ୍ଥା କରାଯାଉଛି । ଏହାସହ ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ରାଜ୍ୟର ରୂପାନ୍ତରିତ ଉନ୍ନତ ଭିତ୍ତିଭୂମି ସହ ଉନ୍ନତମାନର ଶିକ୍ଷାଦାନ ପାଇଁ ନୂଆ ଶିକ୍ଷକ ନିଯୁକ୍ତି କରାଯାଉଛି । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଦେଶରେ ସର୍ବୋକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କାମ କରୁଛି ବିଭାଗ । ଏହି ପ୍ରୟାସକୁ ଶିକ୍ଷାବିତମାନେ ସ୍ବାଗତ କରିଛନ୍ତି  ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବଢ଼ୁଛି ଅଡୁଆ; ରାହୁଲ କହିଲେ କ୍ରିମିନାଲ ମନ୍ତ୍ରୀଙ୍କୁ ତୁରନ୍ତ ବାହାର କର

ନୂଆଦିଲ୍ଲୀ: ସଂସଦରୁ ସଡ଼କ ପର୍ଯ୍ୟନ୍ତ ସବୁଠି ସଂଗ୍ରାମ । ଲକ୍ଷ୍ନୌ ଲଢ଼େଇକୁ ନେଇ ଦିଲ୍ଲୀରେ ଦଙ୍ଗଲ ଜାରି । ହରଡ଼ଘଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି । ଲଖିମପୁର ଚାଷୀ ହତ୍ୟା ମାମଲାର SIT ତଦନ୍ତ ରିପୋର୍ଟ ଆସିବା ପରେ ୟୁପିରୁ ଦିଲ୍ଲୀ ପର୍ଯ୍ୟନ୍ତ ଜାରି ରହିଛି ହଙ୍ଗାମା । ଅଜୟ ମିଶ୍ରାଙ୍କ ଇସ୍ତଫା ଦାବିରେ ସଂସଦରେ ବିରୋଧୀଙ୍କ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । କ୍ରିମିନାଲ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଗୃହରେ ଦାବି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଅଜୟ ମିଶ୍ରାଙ୍କୁ ନେଇ ସରକାର ବ୍ୟାକଫୁଟରେ ଥିବା ବେଳେ ୟୁପି ବିଧାନସଭାରେ ବି ଯୋଗୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ଚାଷୀଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିବା ଅଭିଯୁକ୍ତର ବାପାଙ୍କୁ ବହିଷ୍କାର କରିବା ଦାବିରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ପକ୍ଷରୁ ହଙ୍ଗାମା କରାଯାଇଛି । ହେଲେ ପୁଅର କାରନାମା ପାଇଁ ବାପାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ମୁଡରେ ନାହାନ୍ତି କେନ୍ଦ୍ର ସରକାର । ମାମଲା କୋର୍ଟରେ ବିଚାରାଧୀନ ରହିଛି ବୋଲି ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଥିଲେ। ଅନ୍ୟପଟେ ପୂରା ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ଟିମ୍ ଦାଖଲ କରିଥିବା ରିପୋର୍ଟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ଯୋଜନାବଦ୍ଧ ହତ୍ୟାକାରୀ ଦର୍ଶାଇଥିଲା। ଏହାପରେ ମନ୍ତ୍ରୀଙ୍କ ପୁଅକୁ ବଞ୍ଚାଇବାର ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ଫେଲ ମାରିଛି ।

 

ସୁରକ୍ଷା ଓ ସେବା ହେବ ମୂଳ ଲକ୍ଷ୍ୟ: ବଂଶଲ

ଭୁବନେଶ୍ବର: ଡିଜିପି ଅଭୟଙ୍କ ପରେ ନୂଆ ଡିଜିପି ହେବେ ୧୯୮୭ ବ୍ୟାଚର ଆଇପିଏସ ସୁନିଲ କୁମାର ବଂଶଲ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୩୧ରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ବଂଶଳ ଦାୟିତ୍ବ ଗ୍ରହଣ କରିବେ ।

ଦାୟିତ୍ବ ମିଳିବା ପରେ ବଂଶଲ କହିଛନ୍ତି, ‘ସୁରକ୍ଷା ଓ ସେବା ହିଁ ହେବ ଓଡିଶା ପୋଲିସର ମୂଳ ଆଭିମୁଖ୍ୟ । ଏହି ଆଭିମୁଖ୍ୟ ନେଇ ଓଡିଶା ପୋଲିସ ତାର କାର୍ଯ୍ୟ ଜାରି ରଖିବ ।’

ନୂଆ ଡିଜିପିଙ୍କ ପାଇଁ ରହିବ ବହୁତ ଚ୍ୟାଲେଞ୍ଜ । ସାଇବର ଅପରାଧ ଓ ଆନ୍ତଃରାଜ୍ୟ ସଂଗଠିତ ଅପରାଧ ମୁକାବିଲା ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । କେନ୍ଦ୍ରୀୟ ଡେପୁଟେସନରେ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ତାଙ୍କର ରହିଛି ଅନେକ ଅଭିଜ୍ଞତା । ତାକୁ ପାଥେୟ କରି ଅପରାଧ ଦମନ ହେଉ କି ଇଣ୍ଟେଲିଜେନ୍ସି ପୋଲିସିଂରେ ଓଡିଶା ପୋଲିସକୁ ଆଗକୁ ନେବେ । ଦୀର୍ଘଦିନ ପରେ ଓଡିଶା ଫେରୁଥିବାରୁ ଖୁସି ଜାହିର କରିଛନ୍ତି ବଂଶଲ ।

ପୌର ନିର୍ବାଚନ ପ୍ରସ୍ତୁତି: ଜିଲ୍ଲାକୁ ଗଲା ଇଭିଏମ୍ ମେସିନ୍

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେିଲେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରକୁ ଆରମ୍ଭ ହେଲା ଇଭିଏମ୍ ମେସିନ ପଠା । ନିର୍ବାଚନ କମିଶନଙ୍କ ଅଫିସରୁ ଗତକାଲି ୫ଟି ଜିଲ୍ଲାକୁ ଇଭିଏମ ମେସିନ ପଠା ଯାଇଥିଲା । ଆଜି ୧୦ଟି ଜିଲ୍ଲାକୁ ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ମେସିନ ପଠାଯାଉଛି ।

ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସଂରକ୍ଷଣ ତାଲିକା ଚିଠା ମଧ୍ୟ କରାଯାଉଛି ।

ଝାରପଡା ଜେଲରେ ଏନଆଇଏ ଟିମ୍, ଶଙ୍କରଙ୍କୁ କରିବେ ଜେରା

ଭୁବନେଶ୍ବର: ଝାରପଡ଼ା ଜେଲରେ ଏନଆଇଏ ଟିମ୍ । ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ କରିବେ ଜେରା । ପଚରାଉଚରାରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ନେଇ ବାହାର କରିବେ ବହୁ ଗୁମର । ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସଏଫ୍ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଜେରା କରିବ ଏନଆଇଏର ୩ ଜଣିଆ ଟିମ୍ ।

ଦୁବାସିଙ୍କୁ ଜେରା କରିବାକୁ ସ୍ବତନ୍ତ୍ର ଏନଆଇଏ କୋର୍ଟ ଦେଇଛନ୍ତି ଅନୁମତି ।  ସେପ୍ଟେମ୍ବର ୯ ତାରିଖରେ କୋରାପୁଟ ବୈପାରୀଗୁଡ଼ା ପୁଲିସ ହାତରେ ଧରାପଡ଼ିଥିଲା ଦୁବାସି । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏକାଧିକ ହିଂସାକାଣ୍ଡରେ ସମ୍ପୃକ୍ତି ଥିଲା । ଦୁବାସି ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ ନୀତି ଆୟୋଗ ଟିମ୍

ପୁରୀ: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ତାଙ୍କ ଟିମ୍  ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଐତିହ୍ୟ କରିଡର ବୁଲି ଦେଖିଥିଲେ ।

ପୁରୀରେ ପହଞ୍ଚିବା ପରେ ଜିଲ୍ଲାପାଳ ରାଜୀବ କୁମାର, ତାଙ୍କ ପରିବାର ଏବଂ ନୀତି ଆୟୋଗ ଟିମକୁ ସ୍ବାଗତ କରିଥିଲେ । ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଦର୍ଶନ ସରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ମହାପ୍ରଭୁଙ୍କ ଫୋଟୋ ଓ ରଥ ଦଉଡ଼ି, ବାନା ଓ ନିର୍ମାଲ୍ୟ ପ୍ରଦାନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ସହ ଐତିହ୍ୟ କରିଡର କାର୍ଯ୍ୟ ଦେଖି ବେଶ ଖୁସି ପ୍ରକଟ କରିଛନ୍ତି ନୀତି ଆୟୋଗ ଟିମ୍ । ପରେ କୋଣାର୍କ, ଚିଲ୍ଲିକା ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ହୋମ ଆଇସୋଲେସନରେ ରହି ପାରିବେନି ଓମିକ୍ରନ ସଂକ୍ରମିତ

ଭୁବନେଶ୍ବର: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଓମିକ୍ରନ । ଓଡ଼ିଶାରେ ଏପର୍ଯ୍ୟନ୍ତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ ବି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କୌଣସି ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେ ଆଇସୋଲେସନରେ ରହି ପାରିବେ ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ କହିଛନ୍ତି, ‘ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ। ଓମିକ୍ରନ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ପାଇଁ ହସ୍ପିଟାଲରେ ସ୍ବତନ୍ତ୍ର ବ୍ଲକ କରାଯିବ । ଆକ୍ରାନ୍ତ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନଆସିବେ ବ୍ୟବସ୍ଥା କରାଯିବ।’

ସେ ଆହୁରି କହିଛନ୍ତି, ‘ଓମିକ୍ରନ ଡେଲଟାଠାରୁ ୫ ଗୁଣା ଅଧିକ ସଂକ୍ରମଣ କରୁଛି। ସାଧାରଣ କୋଭିଡ ଭଳି ଏହାର ଲକ୍ଷଣ ରହୁଛି । ଏହା ଉପରେ ଭ୍ୟାକସିନ କେତେ ପ୍ରଭାବ ପକାଇବ ତା’ର ପରୀକ୍ଷା ଚାଲିଛି । ବର୍ତ୍ତମାନ ଅଧିକ ରୋଗୀ ନଥିବାରୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଷ୍ଟାଣ୍ଡବାଇ ମୋଡରେ ରଖାଯାଇଛି । ଆବଶ୍ୟକ ସ୍ଥଳେ ୨ରୁ ୩ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହୋଇପାରିବ । ସ୍ଥାନୀୟ ଜନ ପ୍ରତିନିଧି, ଗାଁର ମୁଖିଆ ସୂଚନା ଦେଲେ ସର୍ଭିଲାନ୍ସକୁ ଆଣି ଲୋକଙ୍କ ଟେଷ୍ଟ କରାଯିବ।’

ସିଡିଏସ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ନରଓ୍ବାଣେ

ନୂଆଦିଲ୍ଲୀ: ତିନି ସେନାର ମୁଖ୍ୟଙ୍କୁ ନେଇ ଗଠିତ ‘ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରଓ୍ବାଣେ । ଡିସେମ୍ବର ୮ ତାରିଖରେ ଭାରତୀୟ ବାୟୁସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ବିୟୋଗ ପରେ ଏହି ପଦବୀ ଖାଲି ପଡ଼ିଥିଲା । ତିନି ସେନା ମୁଖ୍ୟଙ୍କ ମଧ୍ୟରୁ ସବୁଠୁ ବରିଷ୍ଠ ଥିବାରୁ ଜେନେରାଲ୍‌ ନରୱାଣେଙ୍କୁ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି । ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ପଦବୀ ସୃଷ୍ଟି କରାଯିବା ପୂର୍ବରୁ ତିନି ସେବାର ସବୁଠୁ ବରିଷ୍ଠ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ହେଉଥିଲେ ।