ଫାଇଭ-ଟି ପ୍ରହାର: ଦୁର୍ନୀତିଖୋର ବଡ଼ ବାବୁଙ୍କ ଚାକିରି ଗଲା

1 min read

ଭୁବନେଶ୍ବର : ଚାକିରିରୁ ବିଦା ହୋଇଛନ୍ତି । ଭିଜିଲାନ୍ସ ଛାନବିନରୁ ଅଭିଯୋଗ ପ୍ରମାଣିତ ହେବା ପରେ ଚାକିରିରୁ ବିଦା ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାର । ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲରାନ୍ସ ନୀତି ବିନୋଦଙ୍କ ବିରୋଧରେ  ନିଆଯାଇଛି କଠୋର କାର୍ଯ୍ୟାନୁଷ୍ଠାନ । ମହାବାତ୍ୟା ସମୟରେ ବ୍ୟାପକ ଆର୍ଥିକ ହେରଫେର ଅଭିଯୋଗରେ ତାକଙ୍କୁ ବିଦା କରାଯାଇଛି ।

ଦୁର୍ବିପାକ ବେଳେ ଭୁଲିଗଲେ ଦାୟିତ୍ବ । କର୍ତ୍ତବ୍ୟ ଛାଡି ମାତିଲେ ଦୁର୍ନୀତିରେ । ମହାବାତ୍ୟା ସମୟରେ ରାଜ୍ୟ ସହି ଥିବା କ୍ଷତିର ଖୋଲିଲା ଗୁମର । ୧୯୮୯ ବ୍ୟାଚ ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କ ବିରୋଧରେ ପ୍ରମାଣିତ ହେଲା ଦୁର୍ନୀତି । ତତ୍କାଳୀନ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ବିନୋଦ ମହାବାତ୍ୟା ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ । ତାଙ୍କ ବିରୋଧରେ ୨୭ଟି ଭିଜିଲାନ୍ସ ମାମଲା ଦାୟର ହୋଇଥିଲା । ଯେଉଁଥିରୁ ଦୁଇଟିରେ ସେ ଦୋଷୀ ସାବସ୍ତ ହୋଇଛନ୍ତି । ୨୬ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ, ଗୋଟାଏର ତଦନ୍ତ ଚାଲିଛି । ଏଥିପାଇଁ ଆଇଏଏସ ବିନୋଦ କୁମାରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଯାଏଁ ଦୁଇଟି ମାମଲାରେ ବିନୋଦ କୁମାର ୨୦୧୮ରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୮ ସେପ୍ଟେମ୍ବରରେ ଭୁବନେଶ୍ବର ଭିଜିଲାନ୍ସର ସ୍ବତନ୍ତ୍ର ଜଜ୍ ବିନୋଦ କୁମାରଙ୍କୁ ଜାଲିଆତି, ଅପରାଧୀକ ଷଡ଼ଯନ୍ତ୍ର, ନିଜ ପଦର ଅପବ୍ୟବହାର କରି ଅନୁଚିତ ଅନୁକମ୍ପା ପ୍ରଦର୍ଶନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କ ବିରୋଧରେ ଆଇପିସିର ଧାରା ୪୬୭, ୪୬୮, ୪୨୦, ୪୭୧ ଓ ୧୨୦-ବିରେ ମାମଲା ରୁଜୁ ହୋଇଥିଲା । ବେଇଆନ ଭାବେ ବିନୋଦ କୁମାର ସରକାରୀ ଗାଇଡଲାଇନର ଉଲ୍ଲଂଘନ କରି ୧ କୋଟି ୬୮ ଲକ୍ଷ ୯୧ ହଜାର ଟଙ୍କାର ଋଣ ପ୍ରଦାନ କରିଥିଲେ । ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଥିଲା । ୨୦୧୮ ଜୁଲାଇରେ ମଧ୍ୟ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଅନ୍ୟ ଏକ ମାମଲାରେ ଦୁର୍ନୀତି ନିବାରଣ ଆଇନ ୧୯୮୮ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଗ୍ରାମ୍ୟ ବିକାଶ ମଞ୍ଚ ନାମକ ଏକ ଏନଜିଓକୁ ଅଯାଚିତ ସହଯୋଗ ଯୋଗାଇ ଥିବାରୁ ବିନୋଦ କୁମାରଙ୍କୁ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଅନ୍ୟ ୨୪ଟି ମାମଲା ଏବେ କୋର୍ଟଙ୍କ ବିଚାରଧୀନ ରହିଛି ।

ସରକାରୀ ବାବୁଙ୍କ ଦୁର୍ନୀତି ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟ କରିଛନ୍ତି । ଦୁଇ ଦଶନ୍ଧି ତଳେ କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିକୁ କେବେ ପ୍ରଶୟ ଦେଇ ନାହାନ୍ତି । ନିଜ ଦଳୀୟ ନେତା ହୁଅନ୍ତୁ ବା ସରକାରୀ ଅଧିକାରୀ, ଦୁର୍ନୀତି ପ୍ରମାଣ ହେଲେ ସମସ୍ତେ ବିଦା ହୋଇଛନ୍ତି । ଗତ ବର୍ଷକ ଭିତରେ ୧୪୦ରୁ ଅଧିକ ସରକାରୀ ଅଧିକାରୀଙ୍କ ପଡିଛି ଫାଇଭ-ଟି ଛାଟ । କେବଳ କାର୍ଯ୍ୟରତ ଅଧିକାରୀ ନୁହନ୍ତି, ଅବସରପ୍ରାପ୍ତ ସରକାରୀ ବାବୁ ବି ପେନସନ ହରାଇଛନ୍ତି । ସେହିପରି କିଛି ଦିନ ତଳେ ସର୍ବଭାରତୀୟସ୍ତରର ବରିଷ୍ଠ ବନ୍ୟ ସେବା ଅଧିକାରୀ ଅଭୟକାନ୍ତ ପାଠକ ବି ଚାକିରିରୁ ବିଦା ହୋଇଛନ୍ତି ।

Leave a Reply