ଗ୍ରାମବାସୀଙ୍କ ଅଜବ ଦାବି: ଗାଁକୁ ମାଙ୍କଡ଼ ମୁକ୍ତ କର, ଭୋଟ୍ ନିଅ

ଭଦ୍ରକ: ପଞ୍ଚାୟତ ନିର୍ବାଚନକୁ ନେଇ ଗାଁଠୁ ସହର ଚଳଚଞ୍ଚଳ । ପ୍ରାର୍ଥୀ ନିଜ ସପକ୍ଷରେ ଜନମତ ନେବାକୁ ଚଲାଇଛନ୍ତି ଆପ୍ରାଣ ଉଦ୍ୟମ । ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଝୁଛନ୍ତି ଲୋକଙ୍କ ସମସ୍ୟା । ବିଜୟୀ ହୋଇ ଆସିବା ପରେ ସମସ୍ୟାର ସମାଧାନ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି । ହେଲେ ଆମେ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଭୋଟ୍ ଦେବାକୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଆଗରେ ରଖିଛନ୍ତି ଅଜବ ସର୍ତ୍ତ । ଯିଏ ମାଙ୍କଡ଼ ସମସ୍ୟାରୁ ମୁକ୍ତି ଦେବ ତାକୁ ପୂରା ଗାଁ ଭୋଟ ଦେବ । ଏମିତି କିଛି ସର୍ତ୍ତ ରଖିଛନ୍ତି ଭଦ୍ରକ ଜିଲ୍ଲା ତାଳପଦାରେ ଗ୍ରାମବାସୀ । ମାଙ୍କଡ଼ଙ୍କୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ଗାଁ ଲୋକେ । ମାଙ୍କଡଙ୍କ ଉତ୍ପାତରେ ଆତିଷ୍ଟ ହୋଇ ଏଭଳି ନାରା ଲଗାଇଛନ୍ତି ।

ନିର୍ବାଚନରେ ମାଙ୍କଡ଼ ମୁଖ୍ୟ ପ୍ରସଙ୍ଗ । ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଟ ଗ୍ରାମବାସୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କ ଟେନସନ ସେତେ ବଢୁଛି । ପ୍ରଚାର ପାର୍ ହାଇ ହୋଇଥିବା ବେଳେ ପ୍ରାର୍ଥୀଙ୍କ ସାମ୍ନାରେ ଏମିତି ଅଜବ ପ୍ରସଙ୍ଗ ରଖିଛନ୍ତି ତିହିଡି ବ୍ଲକ୍ ତାଳପଦାବାସୀ ।

କିଛିଦିନ ହେଲା ତାଳପଦାରେ ଆତଙ୍କ ସୃଷ୍ଟି କରିଛନ୍ତି ମାଙ୍କଡ଼ ପଲ । ପନିପରିବା ଚାଷ ନଷ୍ଟ କରିବା ସହ ଘର ଛପର, ଆଜବେଷ୍ଟସ୍ ନଷ୍ଟ କରୁଛନ୍ତି । ଅଧିକାଂଶ ସମୟରେ ହିଂସ୍ର ହୋଇ ଗ୍ରାମବାସୀଙ୍କୁ ଆକ୍ରମଣ କରୁଛନ୍ତି । ୧୦ ଅଧିକ ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଏମିତି ସ୍ଥିତିରେ ବାଧ୍ୟ ହୋଇ ନିର୍ବାଚନ ସମୟରେ ମଙ୍କଡ଼କୁ ପ୍ରସଙ୍ଗ କରିଛନ୍ତି ଲୋକେ ।

ସେପଟେ ଗାଁର ସମସ୍ୟା ଦୂର କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରାର୍ଥୀ । ତେବେ ନିର୍ବାଚନ ପରେ ଲୋକଙ୍କ ସମସ୍ୟା ଦୂର ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Leave a Reply