spot_img
Home Blog Page 4772

ଆଜି ମୁଖ୍ୟମନ୍ତ୍ରୀ ଦେବେ ‘ଟି-ସେତୁ’ ଭେଟି

କଟକ: ଆଜି ରାଜ୍ୟ ପାଇବ ଦୀର୍ଘତମ ସେତୁ । ଏହା ଦେଖିବାକୁ ଇଂରାଜୀ ଅକ୍ଷର ଟି ପରି ହୋଇଥିବାରୁ ଏହାର ନା ରଖାଯାଇଛି ‘ଟି-ସେତୁ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ମହାନଦୀ ଉପରେ ନିର୍ମିତ ଏହି ସେତୁର ଲମ୍ବ ୩ ହଜାର ୧୩୯ ମିଟର ରହିଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୧ କୋଟି ଟଙ୍କା । କଟକ ବଡ଼ମ୍ବା ନରସିଂହପୁରରୁ ବାଙ୍କି ବୈଦେଶ୍ବରକୁ ସଂଯୋଗ କରୁଛି ଏହି ସେତୁ । ସେତୁ ଦ୍ବାରା କଟକ ଜିଲ୍ଲା ସହିତ ଅନ୍ୟ ଜିଲ୍ଲାଗୁଡିକୁ ଗମନାଗମନର ସୁବିଧା ମିଳିପାରିବ । ଏଥିସହ କୃଷି, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିବ ଟି-ସେତୁ । ନୂଆ ସେତୁକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ବହୁ ଦିନର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।

ବ୍ରହ୍ମପୁର ପରେ ଡେଙ୍କାନାଳ: ସ୍ୱାମୀ ଘର ଆଗରେ ମାଧବୀଙ୍କ ଧାରଣା

ବ୍ରହ୍ମପୁର: ଅନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଲେ ମହିଳା । ବ୍ରହ୍ମପୁର ପରେ ଢେଙ୍କାନାଳ ଜିଲ୍ଲା ଲକ୍ଷ୍ମୀ ବଜାର ସ୍ଥିତ ମହ୍ଲାରସାହି ନିକଟରେ ଦେଖିବାକୁ ମିଳିଛି ଏହି ଘଟଣା । ୨୫ ବର୍ଷର ପୁଅକୁ ଧରି ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା । ୧୯୯୫ରେ ମହିନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ ମାଧବୀ । ବିବାହର ଦୁଇବର୍ଷ ପରେ ସ୍ୱାମୀ ମହିନ୍ଦ୍ର ତାଙ୍କୁ ନିର୍ଯାତନା ଦେଇ ଘରୁ ତଡି ଦେଇଥିବା ଅଭିଯୋଗ ହୋଇଛି ।

ପରେ ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସ୍ୱାମୀଙ୍କ ଅନୁପସ୍ଥିତିରେ ଶ୍ବଶୁର ଘରେ ରହିଥିଲେ । ମାଧବୀଙ୍କୁ ତାଙ୍କ ନଣନ୍ଦ, ଦିଅର ଓ ଶ୍ବଶୁର ଶାରୀରିକ, ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ବାଧ୍ୟ ହୋଇ ସେ ନିଜ ବାପଘର ବଲାଙ୍ଗିର ପଳାଇଥିଲେ । ବଲାଙ୍ଗିରରେ ରହୁଥିବାବେଳେ ମହିନ୍ଦ୍ର ତାଙ୍କ ସହ ଫୋନରେ ଯୋଗାଯୋଗ ରଖିଥିଲେ ବୋଲି ମାଧବୀ କହିଛନ୍ତି । ପୁଣି ତାଙ୍କୁ ଘରକୁ ଆଣିବେ ବୋଲି ପ୍ରତିଶୃତି ଦେଇଥିଲେ ମହିନ୍ଦ୍ର ।

ହେଲେ ଏଥିରେ ବିଳମ୍ବ ହେବାରୁ ମାଧବୀ ଆଜି ଢେଙ୍କାନାଳ ସ୍ଥିତ ସ୍ୱାମୀଙ୍କ ଘର ଆଗରେ ନିଜର ହକ୍ ପାଇଁ ଧାରଣାରେ ବସିଥିଲେ । ମହିନ୍ଦ୍ର ତାଙ୍କୁ ଘରେ ପୁରାଇ ଦେଇନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଟାଉନଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମାଧବୀଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ସହ ଧାରଣାରୁ ଉଠିବାକୁ କହିଥିଲେ ।

କେରଳରେ ବହୁଛି ରାଜନୈତିକ ରକ୍ତ

ଥିରୁଅନନ୍ତପୁରମ୍: କେରଳରେ ରାଜନୈତିକ ଶତ୍ରୁତାରୁ ବୀଭତ୍ସ ହତ୍ୟା । ସୋଶିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ଏବଂ ଭାରତୀୟ ଜନତା ପାର୍ଟିର ଦୁଇ ରାଜ୍ୟସ୍ତରୀୟ ନେତାଙ୍କୁ ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଛି ବୋଲି ପୋଲିସ କହିଛି । ବିଜେପି ନେତାଙ୍କ ହତ୍ୟା ଘଟଣାରେ ପୋଲିସ ସନ୍ଦେହରେ ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରିଛି । ୧୨ ଘଣ୍ଟାରେ ଦୁଇ ରାଜ୍ୟସ୍ତରୀୟ ନେତାଙ୍କୁ ହତ୍ୟା ପରେ ଆଲାପୁଜ୍ଜା ଜିଲ୍ଲାରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି ।

ସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଛି । ଶନିବାର ବିଳମ୍ବିତ ରାତିରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ନେତା କେ.ଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା। ସେ ବାଇକରେ ଯାଉଥିବା ବେଳେ ପଛପଟୁ ଏକ କାର୍ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ତଳେ ପଡ଼ିଯିବା ପରେ କିଛି ଲୋକ କାରରୁ ବାହାରି ତାଙ୍କୁ ଆକ୍ରମଣ କରିଥିଲେ । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ ତାଙ୍କ ଶରୀରରେ ୪୦ରୁ ଅଧିକ କ୍ଷତ ଚିହ୍ନଟ ହୋଇଥିଲା। ଏହି ହତ୍ୟାକାଣ୍ଡ ପାଇଁ SDPI ଆରଏସଏସକୁ ଦାୟୀ କରିଥିଲା। ଏହା ପରଦିନ ଅର୍ଥାତ ରବିବାର ସକାଳୁ କେତେଜଣ ଦୁର୍ବୃତ୍ତ ବିଜେପି ଓବିସି ମୋର୍ଚ୍ଚାର ସଚିବ ରଞ୍ଜିଥ ଶ୍ରୀନିବାସନଙ୍କୁ ଘର ଭିତରେ ପଶି ହତ୍ୟା କରିଥିଲେ । SDPI ନେତା କେ.ଏସ୍ ଶାନଙ୍କ ହତ୍ୟାର ପ୍ରତିଶୋଧରେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଡ଼ିଭୋର୍ସ ମାଗୁଛନ୍ତି ଡ଼ିମ୍ପଲ, ଅଜ୍ଞାତ ସ୍ଥାନରେ ଚାଲିଛି ମୁଲଚାଲ୍..

ନନ୍ଦିଘୋଷ ବ୍ୟୁରୋ: ଡିଭୋର୍ସ ପାଇଁ ଚାଲିଛି ମୁଲଚାଲ୍ । ଟଙ୍କା ବଦଳରେ ଡ଼ିଭୋର୍ସ ପାଇଁ ରାଜି । ଏ ଭିଡ଼ିଓ ଡିମ୍ପଲ-ସୁମିତ କେସରେ ଆଣିଛି ନୂଆ ମୋଡ଼  । ଭିଡ଼ିଓରେ ଲୁଚି ରହିଛି ଅନେକ ସାଙ୍ଘାତିକ କଥା । ୮ ଲକ୍ଷ ଦେଲେ ଡିଭୋର୍ସ ଦେବି ବୋଲି କହୁଛନ୍ତି ଖୋଦ ପତ୍ନୀ ତପସ୍ୱିନୀ ଦାସ ଓରଫ ଡ଼ିମ୍ପଲ  । ସେପଟେ ସ୍ୱାମୀ ସୁମିତ ସାହୁ ପତ୍ନୀ ଡିମ୍ପଲଙ୍କ ପଛେ ପଛେ ଫୋନ ଧରି ରେକର୍ଡିଂ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି  । ଯଦିବା ଭିଡ଼ିଓରେ ସୁମିତଙ୍କ ମୁହଁ ଦେଖିବାକୁ ମିଳିନାହିଁ ତଥାପି ସ୍ୱର ହିଁ ତାଙ୍କର ବୋଲି ସ୍ପଷ୍ଟ ହେଇଛି  ।

ସ୍ୱାମୀକୁ ପାଇଁ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିବା ତପସ୍ୱିନୀ ଦାସଙ୍କ ଭିଡ଼ିଓ ଏବେ ଘଟଣାରେ ନୂଆ ମୋଡ ଆଣିଛି  । କୌଣସି ଅଜ୍ଞାତ ସ୍ଥାନରେ ଡ଼ିମ୍ପଲ ଫୋନ ଧରି  ଏକ ଯୁବକଙ୍କ ସହ ଚାଟିଂ କରୁଥିବାବେଳେ ପାଖରେ ଅଛନ୍ତି ସ୍ୱାମୀ ସୁମିତ ସାହୁ  । ଏହି ସମୟରେ ଉଭୟଙ୍କ ଭିତରେ ଝଗଡ଼ା ହେଉଥିବା ମଧ୍ୟ ସ୍ପଷ୍ଟ ହୋଇଛି  । ମୋତେ ୮ଲକ୍ଷ ଦେଲେ ଡିଭୋର୍ସ କରିଦେବି । ତୋର ମୋର ଆଉ କିଛି ସମ୍ପର୍କ ରହିବନି  । ମୁଁ ମୋ ବାଟରେ ଚାଲିଯିବି..  । ମୁଁ କେଉଁଠି ରହିବି ଏବଂ କଣ କରିବି ତାହା ଠିକ୍ କରିସାରିଥିବା କହିଛନ୍ତି ତପସ୍ୱିନୀ  ।

ଟଙ୍କା ନମିଳିଲେ ତୋ ଫ୍ୟାମିଲକୁ ବରବାଦ କରିଦେବି  । ଯେମିତି ମୋ ସହ ହୋଇଛି ସେମିତି କରିଦେବି ବୋଲି କହୁଛନ୍ତି ତପସ୍ୱିନୀ  । ଯଦି ବା କେଉଁଠି ବିବାହ କରେ ବେଦୀରୁ ଉଠିକି ଆସିବି ବୋଲି ମଧ୍ୟ କହୁଥିବା ଭାଇରାଲ ଭିଡ଼ିଓରେ ଉଲ୍ଲେଖ ରହିଛି  । ସେପଟେ ଏ ସମସ୍ତ ଘଟଣାକୁ ସୁମିତ ନିଜ ଫୋନରେ ରେକର୍ଡ଼ିଂ କରୁଥିବା ଜଣା ପଡ଼ିଛି  ।  ତେବେ ଏହି ଭିଡ଼ିଓରେ କେତେ ସତ୍ୟତା ରହିଛି ଏବଂ ଏହା କେଉଁ ସମୟର ଭିଡ଼ିଓ ତାହା ଜଣାପଡ଼ିନାହିଁ  । ତପସ୍ୱିନୀ ଓ ସୁମିତ ଆସ୍କା IBରେ ରହୁଥିବାବେଳର ଏହି ଭିଡ଼ିଓ ବୋଲି ଅନୁମାନ କରାଯାଉଥିବାବେଳେ ନନ୍ଦିଘୋଷ ଟିଭିରେ ପ୍ରତିକ୍ରିୟା ଦେଇ ଏହାକୁ ଖଣ୍ଡନ କରିଛନ୍ତି ତପସ୍ୱିନୀ  ।

୮ ଲକ୍ଷ ଟଙ୍କା କାହିଁକି ଓ କେଉଁଥି ପାଇଁ ମାଗିଛନ୍ତି ତାହା ନନ୍ଦିଘୋଷ ଟିଭିରେ ସ୍ପଷ୍ଟୀକରଣ ରଖିଛନ୍ତି ଡ଼ିମ୍ପଲ  । ମୋର ବିବାହ ପରେ ମୋ ବାପା ତାଙ୍କୁ ୮ ଲକ୍ଷ ଟଙ୍କା  ଦେଇଥିଲେ  । ବିବାହ ପରେ ମୋର ପାଠ ପଢିବା ନେଇ ଏହି ଟଙ୍କା ସୁମିତଙ୍କୁ ଦିଆଯାଇଥିଲା  । କିନ୍ତୁ ମୋତେ ସୁମିତ୍ କିମ୍ବା ତାଙ୍କ ପରିବାର ପାଠ ପଢାଇ ନଥିଲେ । ତେଣୁ ପରବର୍ତ୍ତୀ ସମୟରେ ଏଥିପାଇଁ ଏହି ଟଙ୍କା ପ୍ରସଙ୍ଗ ଉଠିଥିବା କହିଛନ୍ତି ଡିମ୍ପଲ  । ତେବେ ଏହି  ଭିଡ଼ିଓରେ ଡ଼ିମ୍ପଲ ଜମେ ଯୁବକଙ୍କ ସହ ଚାଟିଂ କରିଥିବା ପ୍ରସଙ୍ଗ ଉଠାଇଛନ୍ତି ସ୍ୱାମୀ ସୁମିତ  । ଏହି ବିବାଦ ଭିତରେ ସନ୍ଦିଗ୍ଧ ସଞ୍ଜୀତ୍ ବାରିକ କିଏ ବୋଲି ଭାଇରାଲ ଭିଡ଼ିଓରେ ପତ୍ୱୀ ତପସ୍ୱିନୀ ଦାସଙ୍କୁ ବାରମ୍ବାର ପ୍ରଶ୍ନ କରିଛନ୍ତି ସୁମିତ  । କିନ୍ତୁ ଏହି ପ୍ରଶ୍ନର କୌଣସି ଉତ୍ତର ଡ଼ିମ୍ପଲ ଓରଫ ତପସ୍ୱିନୀ ଦାସ ରଖିନଥିବା ଦେଖିବାକୁ ମିଳିଛି  । ତେବେ ଏଠି ବଡ଼ ତପସ୍ୱିନୀ ଚାର୍ଚ କରୁଥିବା ଯୁବକ  ସଞ୍ଜୀତ୍ ବାରିକ କିଏ ?

ଆସୁଛି କ୍ରିସମାସ୍: ଆରମ୍ଭ ହେଲାଣି କେକ୍ ସେରିମୋନି

କଟକ: ପାଖେଇ ଆସିଲାଣି କ୍ରିସମାସ୍ । ଏଥିପାଇଁ କଟକର ବିଭିନ୍ନ ହୋଟେଲରେ ଆରମ୍ଭ ହୋଇଗଲାଣି କେକ୍ ସେରିମୋନି । ବିଶେଷ କରି ବିଭିନ୍ନ ପ୍ରକାରର କେକ୍ ଓ ଚକୋଲେଟ ତିଆରି ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ପ୍ଲମ କେକ୍, ଫ୍ରୁଟ୍ କେକ୍ ସାଙ୍ଗକୁ ଏବେ ଡ୍ରାଏ ଫ୍ରୁଟ୍ ସହ ବିଭିନ୍ନ ପ୍ରକାର ଓ୍ବାଇନ ମିଶ୍ରଣ କରି ତିଆରି ହେଉଛି ସ୍ବତନ୍ତ୍ର କେକ୍ । ଆଗକୁ କ୍ରିସମସ୍ ସହ ନୂଆବର୍ଷ । କଟକଣା ହଟିଥିବାରୁ ଧୁମଧାମରେ ପାଳିବେ ଲୋକେ ।

ସେପଟେ ଏଥିପାଇଁ କଟକର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ବିଶେଷକରି ବଡ଼ଦିନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଉଛି ଭଳିକି ଭଳି କେକ୍ । ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ‘ପ୍ଲମ କେକ’ ସହ କାଜୁ, କିସମିସ୍, ବ୍ଲାକ କରାଣ୍ଟ, ମୂର୍ରବା, ଚେରୀ ଓ ଗରମ ମସଲା ସହ ପାଖାପାଖି ୨୦ରୁ ଉର୍ଦ୍ଧ୍ବ ଡ୍ରାଏ ଫ୍ରୁଟରେ ତିଆରି ହେଉଛି କେକ୍ । ଖାଲି ଏତିକି ନୁହେଁ ଏଥିରେ ମିଶୁଛି ନାମିଦାମୀ ବ୍ରାଣ୍ଡର ୱlଇନ ।

ବଡ଼ଦିନ ଓ ନୂଆ ବର୍ଷରେ କେକ ପ୍ରତି ସାଧାରଣ ଲୋକଙ୍କର ରହିଥାଏ ଅହେତୁକ ଆକର୍ଷଣ  । ସେଥିପାଇଁ ବିଭିନ୍ନ ହୋଟେଲ ଗୁଡିକରେ ଆରମ୍ଭ ହୋଇଯାଇଛି କେକ୍ ସେରିମୋନି । ଭିନ୍ନ ଭିନ୍ନ ନୂଆ ଧରଣ କେକ୍ ଲୋକଙ୍କ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ହୋଟେଲ ମାଲିକ । ଖାଲି କେକ କି ଚକୋଲେଟ ନୁହେଁ ବରଂ ଗ୍ରାହକଙ୍କୁ ସ୍ୱାଗତ କରିବା ପାଇଁ କଟକର ହୋଟେଲ ଗୁଡିକ ପକ୍ଷରୁ ଆରମ୍ଭ ହୋଇଯାଇଛି ସାଜସଜ୍ଜା ।

କାହାଣୀ ‘ରାଜା ଇଡିପସ୍’, ଗ୍ରୀକ୍ ନାଟକରେ ଦର୍ଶକ ଅଭିଭୁତ

ଭୁବନେଶ୍ୱର: କପାଳରେ ଲେଖା ଥିବା ଭାଗ୍ୟକୁ ବଦଳାଇ ହୁଏନି । ବିଧାତା ଲେଖିଥିବା ରେଖା ଏବଂ ଦଇବ ଦେଇଥିବା ଅଭିଶାପ ଆଗରେ ଅସହାୟ ମଣିଷ । ଏଭଳି ଏକ କାହାଣୀକୁ ନେଇ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ନାଟକ ‘ରାଜା ଇଡିପସ୍’ । ଭାଗ୍ୟ ସହିତ ମଣିଷର ସଂଘର୍ଷ କିଭଳି ସଭ୍ୟତାର ଆଦିମ କାଳରୁ ଚାଲିଆସିଛି, ତାହା ଏହି ନାଟକ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଅଢେଇଶହ ବର୍ଷ ତଳର ଏହି ଗ୍ରୀକ୍ ନାଟକକୁ ଓଡ଼ିଆ ଭାଷାନ୍ତର କରିବା ସହ ନିର୍ଦ୍ଦେଶନା ଦେଇଥିଲେ ଅଧ୍ୟାପକ ରମାକାନ୍ତ ମିଶ୍ର  ।

ରାଜା ଇଡିପସ୍ ନିଜ ପିତାଙ୍କୁ ହତ୍ୟା କରିବା ସହ ମାତାଙ୍କୁ ବିବାହ କରି ସନ୍ତାନ ଜନ୍ମ ଦେଉଥିବା ନିଚ୍ଛକ କାହାଣୀ ଦର୍ଶକଙ୍କୁ ବିମୋହିତ କରିଥିଲା । ଏଭଳି ଘଟଣାକୁ ରାଜା ଇଡିପସ୍ ଯେତେ ଟାଳିବାକୁ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇଛନ୍ତି । ପ୍ରଥମ ଥର ପାଇଁ ଗ୍ରୀକ୍ ନାଟକର ନିଆରା ଅନୁଭୁତି ସାଉଁଟିଛନ୍ତି ଦର୍ଶକ । ଆଧୁନିକ ସମାଜରେ ଏବେ ବି ଏହି ପ୍ରସଙ୍ଗର ପ୍ରାସଙ୍ଗିକତା ରହିଛି ବୋଲି ଦର୍ଶକଙ୍କମାନଙ୍କୁ ବାର୍ତ୍ତା ଦେଇଛନ୍ତି କଳାକାର । ତେବେ ଗ୍ରୀକ୍ ନାଟକକୁ ଓଡ଼ିଆରେ ପରିବେଶଣ କରିବା ବେଶ୍‌ କଷ୍ଟକର ।

ଭାଗ୍ୟ ଏବଂ ମଣିଷ ସଂଘର୍ଷର କାହାଣୀକୁ ନେଇ ରଚିତ ଏହି ନାଟକରୁ ମଞ୍ଚସ୍ଥ କରିଥିଲେ ହୃଦୟ ଅନୁଷ୍ଠାନର କଳାକାର ।  ନାଟକରେ ବିନାୟକ ମିଶ୍ର, ଶଙ୍କର ବସୁମଲ୍ଲିକ, ହରେନ୍ ସାହୁ, ବିଭୁ ଦୀକ୍ଷିତ, କୃଷ୍ଣ ମହାରଣା, ମନୋଜ ମହାପାତ୍ର ଓ ରମାକାନ୍ତ ମିଶ୍ର ପ୍ରମୁଖ ଅଭିଜ୍ଞ କଳାକାର ଅଭିନୟ କରିଥିଲେ । ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର, ପ୍ରଯୋଜକ ଅକ୍ଷୟ କୁମାର ପରିଜା, କାଦମ୍ବିନୀର ସମ୍ପାଦିକା ଡକ୍ଟର ଇତି ସାମନ୍ତ, ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କ ଉପରେ CSKର ନଜର

ଭୁବନେଶ୍ବର: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି । ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ କରିବା ପରେ ଆଇପିଏଲରେ ନଜର ଆସିପାରନ୍ତି ଶୁଭ୍ରାଂଶୁ । ଆଇପିଏଲ ଇତିହାସର ସଫଳତମ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସକୁ ପସନ୍ଦ ଆସିଛି ଶୁଭ୍ରାଂଶୁଙ୍କ ବ୍ୟାଟିଂ । ଯାହା ଫଳରେ ଶୁଭ୍ରାଂଶୁ ସେନାପତିଙ୍କୁ ଟ୍ରାଏଲ ପାଇଁ ଡାକିଛି ସିଏସକେ । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ଟ୍ୱିଟ୍ କରି ଏହି ସୂଚନା ଦେଇଛି ।

ଚଳିତ ବିଜୟ ହଜାରେ ଟ୍ରଫିରେ ଓଡିଶାର ନେତୃତ୍ୱ ନେଉଥିବା ଶୁଭ୍ରାଂଶୁ ୭ ମ୍ୟାଚରେ ୨୭୫ ରନ ସଂଗ୍ରହ କରିଥିଲେ । ବିଜୟ ହଜାରେ ଟ୍ରଫିରେ ସେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଦମଦାର ଶତକ ମଧ୍ୟ ହାସଲ କରିଥିଲେ । ସେହିପରି ଶୁଭ୍ରାଂଶୁ ହିମାଚଳ ପ୍ରଦେଶ ଓ ବିଦର୍ଭ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ଶୁଭ୍ରାଂଶୁ ସେନାପତି ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ର ଗତ ସଂସ୍କରଣରେ ମଧ୍ୟ ଓଡ଼ିଶା ପାଇଁ ଭଲ ପ୍ରଦର୍ଶନ କରିଥିଲେ । ଗତ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ରେ ସେ ପାଞ୍ଚ ମ୍ୟାଚରେ ୧୧୬.୯୪ ଷ୍ଟ୍ରାଇକ ରେଟରେ ୧୩୮ ରନ ସଂଗ୍ରହ କରିଥିଲେ । ଏପର୍ଯ୍ୟନ୍ତ ଶୁଭ୍ରାଂଶୁ ସେନାପତି ୨୬ଟି ଟି-୨୦ ମ୍ୟାଚ ଖେଳି ୬୩୭ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ତିନୋଟି ଅର୍ଦ୍ଧଶତକ ସାମିଲ ଅଛି ।

ଯଦି ଚେନ୍ନାଇ ସୁପର କିଙ୍ଗ୍ସ କଥା କହିବା ତାହାଲେ ସିଏସକେ ଆଇପିଏଲ ଇତିହାସରେ ସଫଳତମ ଦଳ ମଧ୍ୟରୁ ଅନ୍ୟତମ । ଆଇପିଏଲ ଇତିହାସରେ ଚାରି ଥର ଟ୍ରଫି ଜିତିବାରେ ସଫଳ ହୋଇଛି ସିଏସକେ । ମେଗା ଅକ୍ସନ ପୂର୍ବରୁ ୪ ଜଣ ଖେଳାଳିଙ୍କୁ ରିଟେନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ରବିନ୍ଦ୍ର ଜାଡେଜା, ଋତୁରାଜ ଗାଇକଏଡ ଏବଂ ମୋଏନ ଅଲ୍ଲୀଙ୍କୁ ରିଟେନ କରିଛି ।

କମିବ ତାପମାତ୍ରା, ଥରିବ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ । କ୍ରମାଗତ ଭାବରେ ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ବଢୁଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାରା କମିବ ।

ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ସହ ଅଧିକାଂଶ ଜିଲ୍ଲାରେ ସାମାନ୍ୟ କୁହୁଡି ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୧୨ଡିଗ୍ରୀ ତଳେ ରହିଛି ।

୮.୫ ଡିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ବଲାଙ୍ଗୀର ୯ଡିଗ୍ରୀ, କୋରାପୁଟ ଏବଂ ଫୁଲବାଣୀରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୧୦ ଡିଗ୍ରୀ, ଟିଟିଲାଗଡ ଏବଂ ସୋନପୁରରେ ୧୦.୮ ଡିଗ୍ରୀ, ଝାରସୁଗୁଡାରେ ୧୧.୨, ଭବାନୀପାଟଣାରେ ୧୧.୬ ଏବଂ ନୟାଗଡରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅଣ୍ଡର-୧୯ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଟିମ୍ ଇଣ୍ଡିଆ, ୟଶ ଢ଼ୁଲ ଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀରେ ଓ୍ୱେଷ୍ଟ ଇଣ୍ଡିଜରେ ହେବକୁ ଯାଉଛି ଅଣ୍ଡର-୧୯ ବିଶ୍ୱକପ । ଅଣ୍ଡର-୧୯ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଅଣ୍ଡର-୧୯ ବିଶ୍ୱକପ ପାଇଁ ବିସିସିଆଇ ୧୭ ଜଣିଆ ଦଳ ଘୋଷଣା କରିଛି । ଯାହାର ନେତୃତ୍ୱ ନେବେ ୟଶ ଢ଼ୁଲ । ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୪ରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ ୫ ଫେବ୍ରୁଆରୀରେ ଖେଳାଯିବ ।  ଏହି ଟୁର୍ଣ୍ଣାମେଣ୍‌ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି ।

ଅଣ୍ଡର-୧୯ ଇତିହାସରେ ସବୁଠାରୁ ସଫଳତମ ଦଳ ହେଉଛି ଭାରତ । ଭାରତ ଚାରି ଥର ଅଣ୍ଡର-୧୯ ବିଶ୍ୱକପ ଟ୍ରଫିକୁ ନିଜ ନାମରେ କରିଛି । ୨୦୦୦ ମସିହାରେ ମହମ୍ମଦ କୈଫଙ୍କ ନେତୃତ୍ୱରେ ଭାରତ ଟ୍ରଫି ଜିତିଥିଲା । ସେହିପରି ୨୦୦୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ, ୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଓ ୨୦୧୮ରେ ପୃଥ୍ୱୀ ଶ’ଙ୍କ ନେତୃତ୍ୱରେ ଭାରତ ଅଣ୍ଡର-୧୯ ଟ୍ରଫି ଜିତିଥିଲା । ସେହିପରି ଭାବରେ ୨୦୧୬ ଓ ୨୦୨୦ ମସିହାରେ ଉପବିଜେତା ହୋଇଥିଲା ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ୟଶ ଢ଼ୁଲଙ୍କ ନେତୃତ୍ୱରେ ଭାରତ ପୁଣି ଥରେ ବିଶ୍ୱ ବିଜେତା ହେବା ପାଇଁ ଲକ୍ଷ୍ୟ ରଖିଛି ।

ଜୟପୁର ଆକାଶବାଣୀ କେନ୍ଦ୍ରର ସ୍ଥାନାନ୍ତର ନିଷ୍ପତ୍ତିକୁ ଦୃଢ଼ ବିରୋଧ

0

ଜୟପୁର: ଆକାଶବାଣୀ ଜୟପୁରର ସ୍ଥାନାନ୍ତର ନିଷ୍ପତ୍ତିକୁ ଦୃଢ଼ ବିରୋଧ । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି ଜୟପୁର ବାସିନ୍ଦା । ଭବାନୀପାଟଣା ଆକାଶବାଣୀ କେନ୍ଦ୍ର  ଅଧୀନରେ ଜୟପୁର ଆକାଶବାଣୀ କେନ୍ଦ୍ରକୁ ରଖାଯିବ ନେଇ ନିଷ୍ପତ୍ତି ନେଇଛି ପ୍ରସାର ଭାରତୀ ।ସ୍ଥାନୀୟ ଲୋକେ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିବା ସହ ଆଞ୍ଚଳିକ ଭାଷା ଓ କାଳସଂସ୍କୃତିର ସୁରକ୍ଷା ପାଇଁ ନିଷ୍ପତିର ପୁନର୍ବିଚାର ହେବା ଆବଶ୍ୟକ ବୋଲି କହିଛନ୍ତି ଲୋକେ ।

୧୯୬୪ ମସିହାରେ ପ୍ରତିଷ୍ଠତ ହୋଇଥିଲା ଜୟପୁର ଆକାଶବାଣୀ କେନ୍ଦ୍ର । କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁସାରେ ଭବାନୀପାଟଣା କ୍ଲଷ୍ଟର ଅଧିନରେ ରହିଲେ ସ୍ୱାଧୀନ ଦାୟିତ୍ୱରେ ରହିବ ନାହିଁ ଜୟପୁର ଆକାଶ ବାଣୀ କେନ୍ଦ୍ର । ପ୍ରସାର ଭାରତିର ନୂଆ ନିଷ୍ପତ୍ତି ଅନୁସାରେ ଭବାନୀପାଟଣା କେନ୍ଦ୍ରକୁ କ୍ଳଷ୍ଟର ମାନ୍ୟତା ଦିଆଯିବ ଏବଂ ଜୟପୁର ଏହାର ଅଧୀନରର ରହିବ । ଏଭଳି ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଞ୍ଚଳିକ ଭାଷା ଓ କଳା ସଂସ୍କୃତିର ଗୁରୁତ୍ୱ କମିବ । ବିଭିନ୍ନ ଜନ ସଚେତନତା ମୂଳକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଲାଗି ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇଥିବା ଆକାଶବାଣୀ କେନ୍ଦ୍ରର କଳାକାର ବୃତ୍ତି ହରାଇବେ । ଏଥିସହିତ ଆଞ୍ଚଳିକ ଭାଷାରେ କାର୍ଯ୍ୟକ୍ରମ କମିବା ଫଳରେ ଦୁର୍ଗମ ଅଞ୍ଚଳରେ ଲୋକେ ରେଡିଓରୁ ମୁହଁ ଫେରାଇବେ । ଏଥିପାଇଁ ଆଜି କୋରାପୁଟ ଜିଲ୍ଲା କଳାକର ସଂଘ ଓ ଅଭିଭକ୍ତ କୋରାପୁଟ ଦେଶିଆ ନାଟ ସଂଘ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି  । ଆଗାମୀ ଦିନରେ କେନ୍ଦ୍ର ସରକାର ଏହାର ପୁନର୍ବିଚାର ନ କଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି କଳାକାର ସଂଘ  ।

ରାଜ୍ୟର ପ୍ରଥମ ଆକାଶବାଣୀ କେନ୍ଦ୍ର ୧୯୪୮ ମସିହାରେ କଟକ ଠାରେ ପ୍ରତିଷ୍ଠା ହୋଇଥିଲା ୧୯୬୩ ମସିହାରେ ସମ୍ବଲପୁର ଓ ୧୯୬୪ ମସିହାରେ ଜୟପୁର ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଜୟପୁରରେ କେନ୍ଦ୍ର ଖୋଲିବାର ବହୁ ବର୍ଷ ପରେ ଡେପୁଟୀ ଡାଇରେକ୍ଟର ଜେନରାଲ୍‌ ( ଡିଡିଜି ) ପଦବି ସୃଷ୍ଟି ହୋଇଥିଲା । ଏହି ପଦବିରେ ଜଣେ ଅଧିକାରୀ ରହି କେନ୍ଦ୍ର ପରିଚାଳନା କରୁଥିଲେ । କିନ୍ତୁ ଉକ୍ତ ଅଧିକାରୀଙ୍କ ବଦଳି ପରେ ଆଉ କାହାକୁ ଦାୟିତ୍ୱ ଦିଆଯାଇ ନଥିଲା । ସୂଚନା ଅନୁସାରେ ପ୍ରସାର ଭାରତୀ ପକ୍ଷରୁ ଓଡ଼ିଶାରେ ୩ଟି କ୍ଲଷ୍ଟର କଟକ , ଭୁବନେଶ୍ୱର ଓ ଭବାନୀପାଟଣା ଠାରେ ଖୋଲାଯିବ । ଭବାନୀପାଟଣା କ୍ଲଷ୍ଟର ଅଧୀନରେ ଜୟପୁର ସମେତ ୪ଟି କେନ୍ଦ୍ର ରହିବ ।  ଏହାକୁ ବିରୋଧ କରି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ସଂସଦରେ ପ୍ରଶ୍ନ ଉଠାଇଥିଲେ  । କିନ୍ତୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ସଂସଦରେ କହିବାରୁ ଏବେ ସ୍ଥାନୀୟ ବୁଦ୍ଧଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  । ସେଥିପାଇଂ ଆଜି ଦଳଗତ ନିର୍ବିଶେଷରେ ରାଜରାସ୍ତକୁ ଓଲ୍ଲାଇଛନ୍ତି ବିଭିନ୍ନ ସଂଗଠନ  ।