ଋଷ-ୟୁକ୍ରେନ ଯୁଦ୍ଧ ହେଲେ ମୃତ୍ୟୁ ବରଣ କରିପାରନ୍ତି ୫୦ ହଜାରରୁ ଅଧିକ ଲୋକ: ଆମେରିକା

ନୂଆଦିଲ୍ଲୀ: ଯେକୌଣସି ମୁହୂର୍ତ୍ତରେ ଘଟିପାରେ ୟୁକ୍ରେନ ଓ୍ବାର । ୫୦ ହଜାରରୁ ଅଧିକ ଲୋକ ହୋଇପାରନ୍ତି ମୃତାହତ । ଏନେଇ ସତର୍କ କରିଛନ୍ତି ଆମେରିକା ହ୍ବାଇଟ ହାଉସ ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍ ସୁଲିଭାନ । ସେ କହିଛନ୍ତି, ୟୁକ୍ରେନ ଉପରେ ଯେ କୌଣସି ମୁହୂର୍ତ୍ତରେ ଋଷ ଆକ୍ରମଣ କରିବ । ଏହାକୁ ନେଇ ସାରା ୟୁରୋପରେ ଯୁଦ୍ଧର ଘନଘଟା ଲାଗିବ ଏବଂ ବ୍ୟାପକ ଧନଜୀବନ ହାନି ଘଟିବ । ରାଷ୍ଟ୍ରପତି ଜୋ ବିଡେନଙ୍କ ଟପ୍ ଆଡଭାଇଜର ସୁଲିଭାନଙ୍କ ଏହି ବିବୃତି ଯୁଦ୍ଧ ସମ୍ପର୍କରେ ପୂର୍ବ ସୂଚନା ପ୍ରଦାନ କରୁଛି । ୟୁକ୍ରେନ ସୀମାରେ ବର୍ତ୍ତମାନ ଋଷ ନିଜର ୭୦ ପ୍ରତିଶତ ଆଗ୍ନୟାସ୍ତ୍ର ମୁତୟନ କରିସାରିଲାଣି ଏବଂ ଫେବ୍ରୁଆରୀ ମଧ୍ୟ ଭାଗରେ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ଲୁପ୍ରିଣ୍ଟ କରିସାରିଲେଣି । ଯଦି ଯୁଦ୍ଧ ହୁଏ ତେବେ ବ୍ୟାପକ ଧନ ଜୀବନ ହାନି ହେବା ସହ ଋଷକୁ ଅନେକ ମୂଲ୍ୟ ଦେବାକୁ ପଡ଼ିବ ବୋଲି କହିଛନ୍ତି ସୁଲିଭାନ । ସେ ଆହୁରି କହିଛନ୍ତି – କିଏଭକୁ ତୁରନ୍ତ କବଜା କରିବା ଲାଗି ଋଷ ସମ୍ପୂର୍ଣ୍ଣ ଯୋଜନା କରିଛି ଏବଂ ସମ୍ଭାବ୍ୟ ଯୁଦ୍ଧରେ ୫୦ ହଜାରରୁ ଅଧିକ ମୃତାହତ ହେବାର ଆଶଙ୍କା ରହିଛି ।

ଅନ୍ୟପକ୍ଷରେ ଋଷ ନିଜର ଆଣବିକ ଶକ୍ତିକୁ ସକ୍ରିୟ କରିବା ଲାଗି ପଦକ୍ଷେପ ନେଇଛି । ଏହା ୟୁକ୍ରେନ ଆକ୍ରମଣର ଏକ ପୂର୍ବ ସୂଚନା ବୋଲି ପ୍ରତୀୟମାନ ହୋଇଛି । ସେପଟେ ୟୁକ୍ରେନ – ପୋଲାଣ୍ଡ ସୀମାରେ ମୁତୟନ ହୋଇଛନ୍ତି ୧୭୦୦ ଆମେରିକୀୟ ସୈନ୍ୟ ।  ୮୨ ତମ ଏୟାରବର୍ଣ୍ଣ ଡିଭିଜନର ଏହି ସୈନ୍ୟ ପୋଲାଣ୍ଡର ରେସେଜୋ ବିମାନ ବନ୍ଦରରେ ପହଞ୍ଚିବା ପରେ ସୀମାରେ ମୁତୟନ ହୋଇଛନ୍ତି । ସେମାନଙ୍କର କମାଣ୍ଡର ରହିବେ ମେଜର ଜେନେରାଲ ଖ୍ରୀଷ୍ଟୋଫର ଡୋନାହୁ । ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ନେତୃତ୍ବ ନେଇ ବେଶ୍ ଚର୍ଚ୍ଚିତ ଥିଲେ ଖ୍ରୀଷ୍ଟୋଫର । ଇରାକ ଓ ଆଫଗାନିସ୍ତାନ ମିଶନରେ ଉଭୟ ପୋଲାଣ୍ଡ ଓ ଆମେରିକୀୟ ସୈନ୍ୟ ଏକାଠି ମୁତୟନ ହୋଇଥିଲେ ।

Leave a Reply