spot_img
Home Blog Page 4763

ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ ଦାବିରେ ଆଜି ୧୨ ଘଣ୍ଟିଆ ବସ୍ ବନ୍ଦ

ଅନୁଗୁଳ: ଆଜି ଅନୁଗୁଳ ଓ ତାଳଚେରରୁ କଟକ-ଭୁବନେଶ୍ୱରକୁ ଗଡ଼ିବନି ବସ୍  । ୧୨ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ଡାକରା ଦେଇଛନ୍ତି ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ ଓ ତାଳଚେର ବସ୍ ମାଲିକ ସଂଘ । ଏହାଫଳରେ ଗଡ଼ିବନି ପ୍ରାୟ ୩ ଶହ ବସ୍ । ୫୫ ନମ୍ବର ଜାତୀୟ ରାଜପଥର ମରାମତି କାର୍ଯ୍ୟରେ ବିଳମ୍ବ ହେତୁ ବସ୍ ଆନ୍ଦୋଳନ ଡାକରା ଦିଆଯାଇଛି । ମଙ୍ଗୁଳି ବଅଁରପାଳ ରାସ୍ତାର ଦୂରାବସ୍ଥା ଓ ଦୀର୍ଘଦିନ ଧରି କାର୍ଯ୍ୟ ଶେଷ ହୋଇନଥିବାରୁ ଏହାକୁ ବିରୋଧ କରିଛନ୍ତି ରାଜ୍ୟ ଘରୋଇ ବସ ସଂଘ ଓ ବସ ମାଲିକ ସଂଘ । ସମ୍ବଲପୁରରୁ ଅନୁଗୁଳ ଦେଇ କଟକ ଯାଇଥିବା ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାଜପଥର କାମ ସରିବାର ନା ନେଉନି ।

ଏହି ରାସ୍ତା ଦେଇ ଯାଉଥିବା ବସ୍ ଗୁଡ଼ିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡ଼ି ଗୁଡ଼ିକ ବାରମ୍ବାର ଖରାପ ହେଉଛି । ଦୈନନ୍ଦିନ ଦୁର୍ଘଟଣା ମଧ୍ୟ ହେଉଛି । ଏଣୁ ତୁରନ୍ତ ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ କରିବା ପାଇଁ ଦାବି କରିଛି ବସ୍ ମାଲିସ ସଂଘ । ଏ ନେଇ ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା । ଡିସେମ୍ବର ୨୨ ତାରିଖ ସୁଦ୍ଧା ରାସ୍ତା କାମ ସମ୍ପୂର୍ଣ୍ଣ ହେବ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ କାମ ସରିନି । ଫଳରେ ବସ୍ ମାଲିକ ସଂଘ ଆନ୍ଦୋଳନ ଡାକରା ଦେଇଛି । ରାସ୍ତା ମରାମତି କାମ ନ ହେଲେ ଜାନୁଆରୀ ୧ ତାରିଖରୁ ସମ୍ପୂର୍ଣ୍ଣ ଭାବେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି ।

ହକର୍‌ ମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଖବରକାଗଜ ହକର୍ ପାଇବେ ସ୍ୱତନ୍ତ୍ର ଆର୍ଥିକ ସହାୟତା । ଆଜି ହକର୍‌ ମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ଓ କଟକରେ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହକର ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ୨  ଲକ୍ଷ ଟଙ୍କା ସହାୟତା ସହିତ ସ୍ୱଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ । ଦୁର୍ଘଟଣା ଯୋଗୁ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବା ହକର୍ ମାନଙ୍କୁ ଦେଢ଼ ଲକ୍ଷ ଟଙ୍କା ମିଳିବ ।

ଆଂଶିକ ଅକ୍ଷମତା କ୍ଷେତ୍ରରେ ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ସହାୟତା ଦିଆଯିବ । କୋଭିଡ୍ ଯୋଗୁ ସମ୍ମୁଖୀନ ହୋଇଥିବା ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପଞ୍ଜୀକୃତ ଖବର କାଗଜ ହକର୍ ମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ୱତନ୍ତ୍ର ସହାୟତା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ । ଏହାଛଡ଼ା କାମ କରିବା ପାଇଁ ୱାର୍କସେଡ୍ ପ୍ରସ୍ତୁତ ହେବ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସେମାନଙ୍କର ଡାଟାବେସ୍ ପ୍ରସ୍ତୁତ କରାଯାଉଛି । ଏଥିସହ ସମସ୍ତଙ୍କୁ ପରିଚୟ ପତ୍ର ଦିଆଯିବ ।

୨୦୨୧ରେ ବଦଳିଛି ସ୍କୁଲର ଶିକ୍ଷା ବ୍ୟବସ୍ଥା, ସ୍ମାର୍ଟ ହୋଇଛି ସ୍ୱାସ୍ଥ୍ୟସେବା

କଡ଼ ଲେଉଟାଉଛି ବର୍ଷ ୨୦୨୧ । ବିଦାୟ ବର୍ଷ ସହ ଓଡ଼ିଶା ଇତିହାସରେ ଲେଖା ହୋଇଛି ଅନେକ ସ୍ୱର୍ଣ୍ଣିମ, ଐତିହାସିକ କାହାଣୀ । ଘରଠୁ ଜଳ, ସ୍ୱାସ୍ଥ୍ୟଠୁ ଶିକ୍ଷା ସବୁ କ୍ଷେତ୍ରରେ ଲୋକଙ୍କୁ ସୁବିଧା ଯୋଗାଇ ଆସିଛନ୍ତି ରାଜ୍ୟ ସରକାର । ଆଉ ୨୦୨୧ ବର୍ଷରେ ସରକାର ଉତ୍ତମ ସ୍ୱାସ୍ଥ୍ୟ ସହ ଗୁଣାତ୍ମକ ଶିକ୍ଷା ପାଇଁ ନେଇଥିଲେ ବଡ଼ ପଦକ୍ଷେପ । 5T ଅଧିନରେ ରାଜ୍ୟରେ ହାଇସ୍କୁଲ୍ ରୂପାନ୍ତିକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସ୍ୱାସ୍ଥ୍ୟକ୍ଷେତ୍ରରେ BSKY ସ୍ମାର୍ଟ କାର୍ଡ ବାଣ୍ଟି ଦେଶରେ ଗୌରବ ଅର୍ଜନ କରିଥିଲା ଓଡ଼ିଶା । ନଜର ପକାଇବା ବର୍ଷ ୨୦୨୧ରେ ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ କେତେ ଆଗେଇଛି ଓଡ଼ିଶା ।

ସ୍ମାର୍ଟ ସ୍କୁଲ କାହାଣୀ

କରୋନା କାଳରେ ବନ୍ଦ ରହିଛି ସ୍କୁଲ୍, ଅନଲାଇନରେ ପାଠ ପଢ଼ୁଛନ୍ତି ପିଲା । ବିଦ୍ୟାଳୟ ବନ୍ଦର ସୁଯୋଗ ନେଇ ସ୍କୁଲକୁ ରୂପାନ୍ତରିତ କରିଛନ୍ତି ଓଡ଼ିଶା ସରକାର । 5T ଅଧିନରେ ରାଜ୍ୟରେ ସ୍କୁଲର ରୂପାନ୍ତରଣ କରାଯାଉଥିବା ବେଳେ ଏବେ ଏହା ପିଲାଙ୍କ ପସନ୍ଦ ପାଲଟିଛି । ସରକାରୀ ବିଦ୍ୟାଳୟରେ ଘରୋଇ ସ୍କୁଲ୍ ଭଳି ଉନ୍ନତ ଭିତ୍ତିଭୂମି ପାଇ ପିଲାଏ ବି ଖୁସ୍ । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ୫୦ଟି ସରକାରୀ ବିଦ୍ୟାଳୟର ରୂପାନ୍ତରଣ କରାଯାଇଥିଲା ।

 How Odisha Bring Changes School Education And Health Sector In 2021

ହିଞ୍ଜିଳିକାଟୁରେ ସ୍ମାର୍ଟ ସ୍କୁଲର ସଫଳତା ପରେ ଏବେ ପ୍ରତି ଜିଲ୍ଲାକୁ ବ୍ୟାପିଛି ସ୍ମାର୍ଟ ସ୍କୁଲର କାହାଣୀ । ବ୍ଲାକ ବୋର୍ଡ ବଦଳରେ ସ୍କୁଲ କାନ୍ଥରେ ଲାଗିଛି ସ୍ମାର୍ଟ ବୋର୍ଡ । ସ୍ମାର୍ଟ କ୍ଲାସରୁମ୍ ସହ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର, ସ୍ୱଚ୍ଛ ପିଇବା ପାଣି ସହ ଖେଳ ଭିତ୍ତିଭୂମି ବିକଶିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୭୮ଟି ସ୍କୁଲର ରୂପାନ୍ତରଣ ସରିଛି । ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୨ ବିଜୁ ବାବୁଙ୍କ ଜୟନ୍ତୀ ସୁଦ୍ଧା ଆଉ ୩୩୦୦ ସ୍କୁଲର ରୂପାନ୍ତରଣ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଇନ୍ସୁରାନ୍ସ ନୁହେଁ ଆସୁରାନ୍ସ

ଶିକ୍ଷା ଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ପାଇଁ ଇନ୍ସୁରାନ୍ସ ନୁହେଁ ଆସୁରାନ୍ସ ଭାବେ ରାଜ୍ୟବାସୀଙ୍କୁ ନବୀନ ସରକାର ଭେଟି ଦେଇଛନ୍ତି BSKY ସ୍ମାର୍ଟ ହେଲଥ କାର୍ଡ । ମାଲକାନଗିରିରୁ ଆରମ୍ଭ ହୋଇଥିବା ସ୍ମାର୍ଟ କାର୍ଡ ବଣ୍ଟନ ସାରା ରାଜ୍ୟରେ ସରିଛି । ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଏହି BSKY କାର୍ଡରେ ମାଗାଣା ଚିକିତ୍ସା ସେବା ପାଇବେ । ଏଭଳି ଯୋଜନା ପ୍ରଣୟନରେ ସାରା ଦେଶରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।

 How Odisha Bring Changes School Education And Health Sector In 2021

ରାଜ୍ୟ ସହ ଦେଶର ବଡ଼ ବଡ଼ ୨ ଶହଟି ହସ୍ପିଟାଲରେ BSKY କାର୍ଡରେ ମାଗଣା ଚିକିତ୍ସା ସେବା ମିଳୁଛି । ପୁରୁଷଙ୍କ ପାଇଁ ୫ ଲକ୍ଷ ଚିକିତ୍ସା ଖର୍ଚ୍ଚ ବ୍ୟବସ୍ଥା ରହିଥିବା ବେଳେ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ମିଳିବ । କେନ୍ଦ୍ରର ଆୟୁଷ୍ମାନ ଭାରତ ଠାରୁ BSKY ବହୁତ ଭଲ ବୋଲି ସର୍ଭେରୁ ବି ଜଣାପଡ଼ିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ି ରାଜ୍ୟରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଉପାନ୍ତ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଛି ।

ଏହାଦ୍ୱାରା ଡାକ୍ତରୀ ଦଳ ହେଲିକପ୍ଟର ମାଧ୍ୟମରେ ରୋଗୀଙ୍କ ପାଖରେ ପହଞ୍ଚି ଚିକିତ୍ସା କରିବେ । ଆବଶ୍ୟକସ୍ଥଳେ ଅଧିକ ଚିକିତ୍ସା ପାଇଁ ରୋଗୀଙ୍କୁ ଏୟାରଲିଫ୍ଟ ବି କରାଯାଇ ପାରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବେଶ୍ ପ୍ରଶଂସା କରୁଛନ୍ତି ରାଜ୍ୟବାସୀ । ଆଶା ବର୍ଷ ୨୦୨୨ରେ ବି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବ ଓଡ଼ିଶା ।

ବିଜେଡିରେ ସାମିଲ୍ ହେଲେ ୫ ହଜାରରୁ ଅଧିକ କଂଗ୍ରେସ କର୍ମୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବଢ଼ିଲା ବିଜେଡିର ବଳ । ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଯୁଯୁମୁରା ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିରେ ୫ ହଜାରରୁ ଅଧିକ କଂଗ୍ରେସ କର୍ମୀ ସାମିଲ୍ ହୋଇଛନ୍ତି । କଂଗ୍ରେସର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ତଥା ସମ୍ବଲପୁର ଯୁବ କଂଗ୍ରେସ କମିଟିର ପୂର୍ବତନ ସଭାପତି ବରୁଣ ଦେହୁରୀ ସମର୍ଥକଙ୍କ ସହ ଶଙ୍ଖ ଧରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ଅନୁପ୍ରେରିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ବରୁଣ ଦେହୁରୀ ।

More Than 5 Thousnads Congress Worker Joins BJD In Sambalpur

ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭର୍ଚୁଆଲରେ ସାମିଲ ହୋଇ ନେତା ଓ କର୍ମୀଙ୍କୁ ସ୍ୱାଗତ କରଥିଲେ । ସେହିଭଳି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ନଳୀନିକାନ୍ତ ପ୍ରଧାନ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କ ସମେତ ବହୁ ବିଜେଡି ନେତା ସାମିଲ୍ ହୋଇଥିଲେ ।

ବିବାଦୀୟ ୨୦୨୧: କେନ୍ଦ୍ର-ଟ୍ବିଟର ‘ଡିଜିଟାଲ ଓ୍ବାର୍’

ନୂଆଦିଲ୍ଲୀ: ଆଜିର ଦିନରେ ଏମିତି କେହି ଥିବେ କୌଣସି ନା କୌଣସି ସୋସିଆଲ ପ୍ଲାଟଫର୍ମରେ ନଥିବେ । ପ୍ରାୟ ସମସ୍ତେ କୌଣସି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସହ ଜଡ଼ିତ ଥିବେ । କେବଳ ସାଧାରଣ ଲୋକେ ନୁହଁନ୍ତି, ରାଜେନୖତିକ ଦଳ ଓ ଅନୁଷ୍ଠାନ ବି ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଛନ୍ତି । ସରକାରୀ କାମଠାରୁ ଆରମ୍ଭ କରି ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ ସାଜିଛି ସୋସିଆଲ ମିଡ଼ିଆ । ହେଲେ ବିଦାୟୀ ବର୍ଷ ୨୦୨୧ ଭାରତ ସରକାର ସୋସିଆଲ ମିଡ଼ିଆ ମଧ୍ୟରେ ନେଇ ଆସିଥିଲା ଏକ ବିବାଦୀୟ ଝଡ଼ । ବିଶେଷ କରି ଭାରତ ସରକାରଙ୍କ ସହ ଟ୍ବିଟରର ବିବାଦ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କେନ୍ଦ୍ର ସରକାର ଆଣିଥିବା ନୂଆ ଆଇଟି ନିୟମକୁ ନେଇ ଆରମ୍ଭ ହୋଇଥିବା ଏହି ଡିଜିଟାଲ ଓ୍ବାର୍ ଏତେ ଉଗ୍ର ହୋଇଥିଲା ଯେ ସରକାରଙ୍କୁ ଟ୍ବିଟରକୁ ‘ନିୟମ ମାନ, ନହେଲେ ଭାରତ ଛାଡ଼’ ଭଳି ଚେତାବନୀ ଦେଇ ଦେଇଥିଲା ।

ଟ୍ବିଟର ସହ ଆରମ୍ଭ ହୋଇଥିବା ଏହି ଡିଜିଟାଲ ଓ୍ବାରରେ ଉପରାଷ୍ଟ୍ରପତି, RSS ମୁଖ୍ୟ ଓ କିଛି ବିଜେପି ନେତାଙ୍କୁ ଟାଣି ବିବାଦୀୟ ହୋଇ ପଡ଼ିଥିଲା ଟ୍ବିଟର୍ । ଶେଷରେ ସରକାରଙ୍କ କଡ଼ା ଆଭିମୁଖ୍ୟ ଆଗରେ ଟ୍ବିଟର ମୁଣ୍ଡ ନୁଆଁଇବା ସହ ୟୁ-ଟର୍ଣ୍ଣ ମାରିଥିଲା । ୨୦୨୧ ବର୍ଷରେ ବିବାଦରେ ରହିଥିବା ଏହି ଡିଜିଟାଲ ଓ୍ବାରକୁ ନେଇ ଆମର ବିଶେଷ ଉପସ୍ଥାପନା ‘କେନ୍ଦ୍ର-ଟ୍ବିଟର ଡିଜିଟାଲ ଓ୍ବାର୍’ । ଆସନ୍ତୁ ଜାଣିବା କେଉଁଠୁ ଆରମ୍ଭ ହୋଇ କେଉଁଠି ପହଞ୍ଚି ଥିଲା ଏହି ବିବାଦୀୟ ଡିଜିଟାଲ ଓ୍ବାର୍ ।

ଭାରତ ସରକାର-ଟ୍ବିଟର ବିବାଦ ଆରମ୍ଭ

ନୂଆ ବର୍ଷ ୨୦୨୧ ଆସୁ ଆସୁ ଟ୍ବିଟର ଓ ଭାରତ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଡିଜିଟାଲ ଯୁଦ୍ଧ । ଚାଷୀ ଆନ୍ଦୋଳନ ଆଳରେ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ବାହାରିଥିବା ଟ୍ରାକ୍ଟର ରାଲି ସମୟରେ ଦେଖିବାକୁ ମିଳିଥିଲା ବ୍ୟାପକ ହିଂସା । ଏହି ସମୟରେ ଟ୍ବିଟରରେ ଏକାଧିକ ଫେକ୍ ନ୍ୟୁଜ୍ ଓ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା । ଏହାପରେ ଏସବୁ ଆକାଉଣ୍ଟ ୟୁଜର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ୟୁଜର୍ସମାନେ ଦେଶରେ ଅସ୍ଥିରତା ସୃଷ୍ଟି କରିବା ସହ ଫେକ୍ ନ୍ୟୁଜ ପ୍ରସାରିତ କରୁଥିବା କେନ୍ଦ୍ର ସରକାର ସଫେଇ ଦେଇଥିଲେ । ଏହାପରେ ଟ୍ବିଟର ୨୫୭ ଜଣଙ୍କ ଆକାଉଣ୍ଟ ସସପେଣ୍ଡ କରିଥିଲା । ହେଲେ କିଛି ଘଣ୍ଟା ପରେ ପୁଣି ଏସବୁ ଆକାଉଣ୍ଟକୁ ଆକ୍ଟିଭ କରି ଦେଇଥିଲା । ଯାହାକୁ ନେଇ କେନ୍ଦ୍ର ସରକାର ଓ ଟ୍ବିଟର ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ ।

ଟ୍ବିଟରର ଏପରି ସରକାରୀ ବିରୋଧୀ ଆଚରଣ ପରେ ୪ ଫେବୃଆରୀକୁ କେନ୍ଦ୍ର ୧୧୫୭ଟି ଆକାଉଣ୍ଟ ତାଲିକା ଦେବା ସହ ଏସବୁ ଆକାଉଣ୍ଟଧାରୀ ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା କହିଥିଲା । ଏସବୁ ଆକାଉଣ୍ଟରୁ ଅଧିକାଂଶ ପାକିସ୍ତାନ କିମ୍ବା ଖାଲିସ୍ତାନ ସମର୍ଥକଙ୍କ ସହ ସମ୍ପୃକ୍ତ ଥିବା ସରକାର କହିଥିଲେ । ହେଲେ ଟ୍ବିଟର୍ ସବୁ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ କିଛି ଆକାଉଣ୍ଟକୁ ବ୍ଲକ କରି ଚୁପ ବସିଯାଇଥିଲା ।

କାହିଁକି ଆସିଲା ନୂଆ ‘ଆଇଟି ନିୟମ’ ?

ଟ୍ବିଟରର ଏମିତି ମନମାନୀକୁ ଦେଖି ଦେଶ ପାଇଁ ନୂଆ ଆଇଟି ନିୟମ ଲାଗୁ କରିବାକୁ ସରକାର ମନସ୍ଥ କରିଥିଲେ ଓ ଫେବୃଆରୀ ୨୫ ତାରିଖରେ ଭାରତରେ ଲାଗୁ ହୋଇଥିଲା ନୂଆ ଆଇଟି ନିୟମ । ନୂଆ ନିୟମ ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ଭାରତରେ ଜଣେ ଗ୍ରାଇଭାନ୍ସ ଅଫିସର ନିଯୁକ୍ତି ଦେବାକୁ ପଡ଼ିବ । କୌଣସି ଦେଶ ବିରୋଧୀ ଉତ୍ତେଜକ ଟ୍ବିଟ ଓ ପୋଷ୍ଟକୁ ନେଇ ତଥ୍ୟ ମାଗିଲେ ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ଏହାର ଅରଜିନେଟର (ମୂଳ ୟୁଜର୍ସ)ଙ୍କ ସୂଚନା ଦେବାକୁ ପଡ଼ିବ । ଏହାସହ ସରକାର ଯଦି କୌଣସି ଆପତ୍ତିଜନକ କମେଣ୍ଟକୁ ହଟାଇବାକୁ ଆଦେଶ ଦେବେ ତେବେ ୩୬ ଘଣ୍ଟା ମଧ୍ୟରେ ଏହା ଉପରେ ଆକ୍ସନ ନେବାକୁ ପଡ଼ିବ ।

ଭାରତର ନୂଆ ଆଇନ ମାନିବାକୁ ଟ୍ବିଟର ନାରାଜ୍

ବାକ ସ୍ବାଧୀନତା (freedom of Speach ) ଉପରେ ଏହା ଆଙ୍କୁଶ କହି ଟ୍ବିଟର ନୂଆ ଆଇଟି ନିୟମ ପାଳନ କରିବାକୁ ଖୋଲାଖୋଲି ମନା କରିଦେଇଥିଲା । ହେଲେ ଯେଉଁ ଦେଶରେ ଟ୍ବିଟର କାମ କରୁଛି ସେ ଦେଶର ଆଇନକୁ ମାନିବାକୁ ବାଧ୍ୟ ଓ ଏଥିରେ freedom of speech ବାଧିତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର ସରକାର କହିଥିଲେ ।

ଭାରତର କଟା ଘା’ରେ ହାତ ମାରି ଦେଲା ଟ୍ବିଟର

ଏପରି କଥା କଟାକଟି ଭିତରେ ଟ୍ବିଟର ଭାରତର ସୁରକ୍ଷା ଓ ସର୍ବଭୌମତାରେ ହାତ ମାରି ଦେଇଥିଲା । ଯାହାକୁ ନେଇ ପ୍ରାୟ ଦୁଇ ବର୍ଷ ହେଲା ପୂରା ଦେଶ ଚୀନ ସହ ଏକ ପ୍ରକାର ଯୁଦ୍ଧ ଲଢୁଛି ସେ କଟା ଘା’ରେ ଟ୍ବିଟର ହାତ ମାରି ଦେଇଥିଲା ।  ଲଦାଖର କିଛି ଅଂଶକୁ ଟ୍ବିଟର୍ ଚୀନର ବୋଲି ଦର୍ଶାଇ ମ୍ୟାପ୍ ଛାଡ଼ି ଦେଇଥିଲା । ଯାହାକୁ ନେଇ ଭାରତ ସରକାରଙ୍କ ସହ ପୂରା ଦେଶରେ ଉଠିଥିଲା ବିରୋଧର ସ୍ବର । ଆପତ୍ତି ପରେ ବି ଟ୍ବିଟର ସଙ୍ଗେ ସଙ୍ଗେ ଏହାକୁ ନହାଟାଇ ସମୟ ନେଇଥିଲା । ଯାହା ଭାରତୀୟଙ୍କୁ ପ୍ରଥମ ଥର ପାଇଁ ଟ୍ବିଟରକୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ବାଧ୍ୟ କରିଥିଲା । ଏହାପରେ କରୋନା B.1.617କୁ ‘Indian variant’ କହି ହୋଇଥିବା ପୋଷ୍ଟ ଉପରେ ସରକାର ଆପତ୍ତି ଉଠାଇଥିଲେ ବି ଟ୍ବିଟର ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା କି ଏହାକୁ ହଟାଇ ନଥିଲା ।

ଥାନାକୁ ଗଲା ଟ୍ବିଟର୍

ଏତିକିରେ ଅଟକି ନଥିଲା ଟ୍ବିଟର । ସତେ ଯେମିତି ଭାରତୀୟ ଆଇନକୁ ବେଖାତିର କରିବାକୁ ଓ ସରକାରଙ୍କ ବିରୋଧରେ ଡିଜିଟାଲ ଯୁଦ୍ଧ କରିବାକୁ ମନସ୍ଥ କରିଥିଲା ଟ୍ବିଟର । ଚୀନ ଓ କରୋନା ଭାରିଆଣ୍ଟକୁ ନେଇ ସରକାରଙ୍କୁ ବିରୋଧ କରିବା ପରେ ସରକାରୀ ଦଳ ବିଜେପିର ନେତାଙ୍କୁ ଟାର୍ଗେଟ କରିଥିଲା ଟ୍ବିଟର । ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ କିଛି ନେତାଙ୍କ ପୋଷ୍ଟରେ ‘Manipulated Media’ ଟ୍ୟାଗ ଲଗାଇ ଦେଲା । ଏହାକୁ ନେଇ ଏତଲା ଦାୟର ହେବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଟ୍ବିଟର ଅଫିସରେ ପହଞ୍ଚି ଯାଇଥିଲା । ପୋଲିସ ଆକ୍ସନ ଦେଖି ଭାରତରେ ନିଜ କର୍ମଚାରୀଙ୍କ ସୁରକ୍ଷା ସହ ପୁଣି ଥରେ freedom of Speach କଥା ଉଠାଇଥିଲା ଟ୍ବିଟର । ଯାହାକୁ ନେଇ ଆଇଟି ମନ୍ତ୍ରାଳୟ ଖପ୍ପା ହୋଇଯାଇଥିଲା ଓ ଟ୍ବିଟର ଭାରତ ଭିତରେ ନିଜର ଯାଞ୍ଚ କମିଟି ଓ କୋର୍ଟ ବନାଇବାକୁ ଚେଷ୍ଟା କରୁଛି ବୋଲି ଟିପ୍ପଣୀ ଦେଇଥିଲା ।

ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ହଟାଇଲା ବ୍ଲୁ ଟିକ୍

ଏତେ ପରେ ବି ଟ୍ବିଟର ଭାରତ ସରକାରଙ୍କ ଆଇଟି ନିୟମକୁ ମାନିବାକୁ ପ୍ରସ୍ତୁତ ନଥିଲା । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇ ଦେଇଥିଲା । କେବଳ ଉପରାଷ୍ଟ୍ରପତି ନୁହଁନ୍ତି, RSS ମୁଖ୍ୟ ମୋହନ ଭଗତଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ୍ ହଟାଇ ଦେଇଥିଲା । ଏହାପରେ ସ୍ଥିତି ଆହୁରି ସଙ୍ଗୀନ ହୋଇଥିଲା ଓ କେନ୍ଦ୍ର ସରକାର ଟ୍ବିଟରକୁ ଚରମ ଚେତାବନୀ ଦେଇଥିଲେ ।

ଟ୍ବିଟରକୁ ଚରମ ଚେତାବନୀ

ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ (Ministry of Electronics and Information Technology) ଟ୍ବିଟରକୁ ଖୋଲା ଚେତବାନୀ ଦେଇଥିଲେ । ମନ୍ତ୍ରଳୟ ପକ୍ଷରୁ କୁହାଯାଇଥିଲା ନିୟମ ପାଳନ ନକରି ଟ୍ବିଟର ମାଇକ୍ରୋ ବ୍ଲଗିଙ୍ଗ ସାଇଟରେ ନିଜର ପ୍ରତିବଦ୍ଧତା ନଥିବାକୁ ଦର୍ଶାଉଛି । ଏହା ଭାରତୀୟଙ୍କୁ ନିଜ ମଞ୍ଚରେ ସୁରକ୍ଷା ଦେବାକୁ ଚେଷ୍ଟା କରୁନାହିଁ । ଭାରତରେ ରହିବାକୁ ହେଲେ ଟ୍ବିଟର ଦେଶର ନିୟମ ମାନିବାକୁ ବାଧ୍ୟ ବୋଲି ଚେତାବନୀ ଦେଇଥିଲା ମନ୍ତ୍ରାଳୟ ।

ୟୁ-ଟର୍ଣ୍ଣ ମାରିଲା ଟ୍ବିଟର୍

ସରକାରଙ୍କ ଚରମ ଚେତାବନୀ ପରେ ଟ୍ବିଟର ସିଧା ବାଟକୁ ଆସି ଯାଇଥିଲା । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଆରଏସଏସ ମୁଖ୍ୟ ମୋହନ ଭଗତ, ସୁରେଶ ଜୋଷୀ ଓ ଅରୁଣ କୁମାର ଜୋଷୀଙ୍କ ସମେତ ଆରଏସଏସ ନେତାଙ୍କ ଟ୍ବିଟର ଆକାଉଣ୍ଟରେ ପୁଣି ବ୍ଲୁ ଟିକ୍ ଦେଇଥିଲା । ସେତିକି ନୁହେଁ ଏହାକୁ ନେଇ ଟ୍ବିଟର ନିଜ ସଫେଇ ମଧ୍ୟ ରଖିଥିଲା ।

ସୂଚନାଯୋଗ୍ୟ, ମେ’ ୨୫ ତାରିଖରେ ନୂଆ ଆଇଟି ନିୟମ ଲାଗୁ ହେବାର ଥିଲା । ହେଲେ ମନମାନୀ କାରଣରୁ ମେ’ ୨୬ରେ ଟ୍ବିଟରକୁ ପ୍ରଥମ ନୋଟିସ ହୋଇଥିଲା । ଏହାପରେ ମେ’ ୨୮ରେ ଦ୍ବିତୀୟ, ଜୁନ ୨ରେ ତୃତୀୟ ଓ ଜୁନ ୫ରେ ଶେଷ ନୋଟିସ୍ ପଠାଇ ଯାଇଥିଲା । ଯାହା ପରେ ଟ୍ବିଟର୍ ବୁଦ୍ଧି ଗୁଡମ୍ ହୋଇ ଯାଇଥିଲା ଓ କେନ୍ଦ୍ର ସରକାରଙ୍କ ନିୟମ ମାନିବାକୁ ବାଧ୍ୟ ହୋଇଥିଲା ।

କାଶ୍ମୀରରେ ୧ ଘଣ୍ଟା ଭିତରେ ୨ ଆକ୍ରମଣ, ଜଣେ ନାଗରିକ ମୃତ, ASI ଆହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ବୁଧବାର ଗୋଟିଏ ଘଣ୍ଟାରେ ଭିତରେ ଦୁଇଟି ଆତଙ୍କବାଦୀ ଆକ୍ରମଣ ହୋଇଛି । ପ୍ରଥମ ଆକ୍ରମଣ ଶ୍ରୀନଗରର ଇଦଗାହରେ ହୋଇଥିଲା । ଯେଉଁଠାରେ ଆତଙ୍କବାଦୀମାନେ ଜଣେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ମାଡ କରିଥିଲେ । ଯେଉଁଥିରେ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ଦୁଇ ଘଣ୍ଟା ପରେ ଆତଙ୍କବାଦୀମାନେ ଅନନ୍ତନାଗରେ ଜଣେ ପୋଲିସ ଅଫିସର ଉପରେ ମଧ୍ୟ ଆକ୍ରମଣ କରିଥିଲେ ।

ଶ୍ରୀନଗରରେ ଆତଙ୍କବାଦୀ ଇଦଗାହ ଅଞ୍ଚଳରେ ଜଣେ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରୈଫ ଅହମ୍ମଦ ଖାନ । ତାଙ୍କୁ ପ୍ରଥମେ ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା । ଏହାର କିଛି ସମୟ ପରେ ଆତଙ୍କବାଦୀ ଅନନ୍ତନାଗରେ ଜାମ୍ମୁ କାଶ୍ମୀର ପୋଲିସ୍ ASI ମହମ୍ମଦ ଅସରଫଙ୍କ ଉପରକୁ ଗୁଳି ମାଡ କରିଥିଲେ । ଏହି ଆକ୍ରମଣରେ ପୋଲିସ୍ ଏସଏଆଇ ଗୁରୁତର ଭାବରେ ଆହତ ହୋଇ ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ରୈଫ ଅହମ୍ମଦ ଖାନ ପ୍ରଥମେ ଆତଙ୍କବାଦୀ ଥିଲେ । କିନ୍ତୁ ପରେ ସେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ ପରେ ସେ ଶ୍ରୀନଗରରେ ପ୍ରପୋଟି ଡିଲର ଭାବରେ କାର୍ଯ୍ୟ କରୁଥିଲେ । ଆତଙ୍କବାଦୀମାନେ ତାଙ୍କ ଘର ବାହାରେ ହିଁ ତାଙ୍କ ଗୁଳି କରିଥିଲେ । ଏହି ଆକ୍ରମଣ ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷା ବାହିନୀ ।

ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ । ଆଜି ଗୃହ କାର୍ଯ୍ୟ ଆରମ୍ଭ ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସାଇନ୍ ଡାଏ ଘୋଷଣା କରାଯାଇଛି । ନିଲମ୍ବିତ ୧୨ ସାଂସଦଙ୍କୁ ନେଇ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ । ହଙ୍ଗାମା ଜାରି ରହିଥିବାରୁ ଉଭୟ ଗୃହକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି । ଚଳିତ ଅଧିବେଶନରେ ପାସ୍‌ ହୋଇଛି ମାତ୍ର ୧୦ଟି ବିଲ୍‌ ।

 Both Houses Of Parliament Sine Die Before Scheduled Date

ହୋ ହଲ୍ଲା, ବିରୋଧ, ପ୍ରତିବାଦ ଭିତରେ ଶେଷ ହେଲା ସଂସଦର ଶୀତ ଅଧିବେଶନ । ମାତ୍ର ୪୮ ଘଣ୍ଟାର ଆଲୋଚନାରେ ପାରିତ ହୋଇଛି ୧୦ଟି ବିଲ୍ । ସମୟ ପୂର୍ବରୁ ଗୃହ କାର୍ଯ୍ୟ ବନ୍ଦ ହେବା ପରେ ଆଞ୍ଚଳିକ ଦଳ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ନିଜ ରାଜ୍ୟର ସ୍ୱାର୍ଥକୁ ନେଇ ଦାବି ରଖିବା ପୂର୍ବରୁ ଗୃହ କାର୍ଯ୍ୟ ଶେଷ ହୋଇଛି । ଏଥର ଗୃହରେ ବିଜେଡି ସାଂସଦ ମାନେ ଅନେକ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନାହାନ୍ତି । ବିରୋଧୀଙ୍କ ହୋ ହଲ୍ଲା, ଗୃହ ଚଳାଇବାରେ କେନ୍ଦ୍ରର ଅକ୍ଷମତା ଓଡ଼ିଶା ଭଳି ଅନେକ ରାଜ୍ୟକୁ ଅସନ୍ତୁଷ୍ଟ କରିଛି । ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ପାଇଁ ଏଥର ବିଜେଡି ସାଂସଦ ମାନେ ବିଭାଗୀୟ ମନ୍ତ୍ରୀଙ୍କୁ ସିଧାସଳଖ ଭେଟି ନିଜର ଦାବି ଉପସ୍ଥାପନ କରିଥିଲେ । ଉଷୁନା ଚାଉଳ ଉଠାଣ ପ୍ରସଙ୍ଗ ହେଉକି ପିଏମଆୱାସ ସବୁ ଦାବି ନେଇ ମନ୍ତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଭେଟିଥିଲେ ବିଜେଡି ସାଂସଦ । ଗ୍ରାମ୍ୟ ଉନ୍ନୟନ ଏବଂ ରେଳ ଅନୁଦାନ ପ୍ରସଙ୍ଗରେ ମଧ୍ୟ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସଦସ୍ୟ ।

ଶୀତକାଳୀନ ଅଧିବେଶନରେ ଦୁଇଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ୧୨ ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଏବଂ ୟୁପି ଲଖିମପୁର ପ୍ରସଙ୍ଗରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି ପୂରା ଶୀତ ଅଧିବେସନର ଗୁରୁତ୍ୱପୂର୍ଣ୍ଣ ସମୟକୁ ନଷ୍ଟ କରି ଦେଇଥିଲା । ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ ଏବଂ ନିର୍ବାଚନ ସଂଶୋଧନ ବିଧେୟକକୁ ନେଇ ଆଲୋଚନା ବେଳେ ସାଂସଦଙ୍କ ବ୍ୟବହାର ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ । ଗତକାଲି ମଧ୍ୟ ଟିଏମସି ସାଂସଦ ଡେରେକ ଓବ୍ରିଏନଙ୍କୁ ନିଲମ୍ବନ କରାଯାଇଥିଲା । ଦର ବୃଦ୍ଧି, ଏମଏସପି, ପାଣିପାଗ ପରିବର୍ତ୍ତନ ନେଇ ସଂସଦରେ ବିରୋଧୀ ଆଲୋଚନା ପାଇଁ ଚାହୁଁଥିଲେ । ହେଲେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନଥିଲେ । ଯାହାକୁ ନେଇ ପ୍ରତିଦିନ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଦେଶରେ ଓମିକ୍ରନ ସଂକଟ ଘନଉଥିବା ବେଳେ ସଂସଦରେ ଏନେଇ କୌଣସି ଆଲୋଚନା ନହେବାକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି  ।

୨୭ ତାରିଖ ସୁଦ୍ଧା ପଞ୍ଚାୟତ ସଂରକ୍ଷଣ ନେଇ ସାନି ଚିଠା ବିଜ୍ଞପ୍ତି, ମାର୍ଚ୍ଚ ୮ ମଧ୍ୟରେ ସରିବ ନିର୍ବାଚନ ପ୍ରକ୍ରିୟା

କଟକ: ୨୦୨୨ ମାର୍ଚ୍ଚ ୮ ସୁଦ୍ଧା ଶେଷ ହେବ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତି ପ୍ରତ୍ୟାହାର ହେବ । ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି  ରାଜ୍ୟ ସରକାର । ଆସନ୍ତା ଡିସେମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ ସାନି ବିଜ୍ଞପ୍ତି । ହାଇକୋର୍ଟ ଆସନ୍ତା ୨୭ ତାରିଖ ସୁଦ୍ଧା ସଂରକ୍ଷଣ ନେଇ ସାନି ଚିଠା ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସାତ ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ପରେ ଜାନୁଆରୀ ୮ରେ ସଂରକ୍ଷଣ ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ତେବେ ପୂରା ନିର୍ବାଚନ ପ୍ରକ୍ରିୟା ମାର୍ଚ୍ଚ ୮ ତାରିଖ ମଧ୍ୟରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Odisha High Court Directs To Complete Panchayat Elections With In 8th March

ସଂରକ୍ଷଣକୁ ନେଇ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଥିଲା ମାମଲା । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ଦ୍ୱାରା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା । କେତେକ ନିର୍ଦ୍ଦିଷ୍ଟ ଆସନରେ ସଂରକ୍ଷଣକୁ ସଂଶୋଧନ କରିବା ନିମନ୍ତେ ହାଇକୋର୍ଟରେ କିଛି ରିଟ୍ ପିଟିସନ ଦାଖଲ ହୋଇଥିଲା । ରିଟରେ ସମ୍ପୃକ୍ତ ଜିଲ୍ଲାପାଳ, ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ସେହି ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଯଦି କୌଣସି ଅଞ୍ଚଳରେ ପଛୁଆ ବର୍ଗଙ୍କ ଜନସଂଖ୍ୟାର ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ନଥିବ ସେ ଅଞ୍ଚଳରେ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ଅଣସଂରକ୍ଷିତ ରହିବ ।

ତେଣୁ ହାଇକୋର୍ଟ ଆଜି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ଆସନଗୁଡ଼ିକ ଅଣସଂରକ୍ଷିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସରପଞ୍ଚ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନିମନ୍ତେ ରାଜ୍ୟର ଜନସଂଖ୍ୟା ପ୍ରତିଶତ ଅନୁଯାୟୀ ଏସସି ଓ ଏସଟିଙ୍କ ନିମନ୍ତେ ସଂରକ୍ଷଣ ସୀମିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଜିଲ୍ଲାପାଳମାନଙ୍କୁ ସଂରକ୍ଷଣର ସାନି ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଅଶାଳୀନ ଆଚରଣ ପଡ଼ିଲା ମହଙ୍ଗା, ରଦ୍ଦ ହେଲା ଓକିଲଙ୍କ ଲାଇସେନ୍ସ

ନୂଆଦିଲ୍ଲୀ: ଭର୍ଚୁଆଲରେ ଶୁଣାଣି ବେଳେ ନୈତିକତା ଭୁଲିଗଲେ ଓକିଲ । ଦେଖାଇଲେ ଅଶାଳୀନ ଆଚରଣ । ଦୃଷ୍ଟିକଟୁ ଅଙ୍ଗଭଙ୍ଗୀ ଲାଗି ତାଙ୍କୁ ରଦ୍ଦ କରାଯାଇଛି । ଏପରିକି ସେ ଆଉ ଓକିଲାତି କରିପାରିବେ ନାହିଁ ବୋଲି କୁହାଯାଇଛି । ମାଡ୍ରାସ ହାଇକୋର୍ଟରେ କାର୍ଯ୍ୟରତ ଜଣେ ଓକିଲ ଆର.ଡି.ସନ୍ଥନା କ୍ରିଷ୍ଣନଙ୍କ ବିରୋଧରେ ଜାରି କରାଯାଇଛି ପରଓ୍ୱାନା । ଦେଶର କୌଣସି କୋର୍ଟ, ଟ୍ରିବ୍ୟୁନାଲ ଏବଂ ସମଧରଣର ପ୍ରତିଷ୍ଠାନରେ ଓକିଲାତି କରିପାରିବେ ନାହିଁ ବୋଲି ତାମିଲନାଡୁ ଓ ପୁଡୁଚେରୀ ବାର୍ କାଉନସିଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏପରିକି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କ୍ରାଇମବ୍ରାଞ୍ଚ ଓ ସିଆଇଡିଙ୍କୁ ସୁପାରିସ କରିଛନ୍ତି ଦୁଇ ବିଚାରପତି ପିଏନ ପ୍ରକାଶ ଓ ଆର.ଏଚ ହେମଲତା । ଏହା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସକାଶେ ଏହି ଦୁଇ ବିଚାରପତି ବାର୍ କାଉନସିଲକୁ ମଧ୍ୟ ଅନୁରୋଧ କରିଛନ୍ତି । ଏକ ମାମଲାରେ ଶୁଣାଣି ଜଣେ ବିଚାରପତି କରୁଥିବାବେଳେ ଭର୍ଚୁଆଲରେ ମହିଳାଙ୍କ ପ୍ରତି ଉକ୍ତ ଓକିଲ ଅଶାଳୀନ ଆଚରଣ ଦେଖାଇବା ସହ ବିଭିନ୍ନ କଦର୍ଯ୍ୟ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିଲେ ।

ଜାଣନ୍ତୁ ୨୦୨୨ରେ କେଉଁ ସବୁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି?

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ୨୦୨୧ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । ନୂଆ ବର୍ଷରୁ ଏମିତି କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି ଯାହା ସିଧାସଳଖ ଭାବରେ ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇବ । ଆସନ୍ତା ମାସରେ ଯେଉଁ ସବୁ ନିୟମ ବଦଳିବାକୁ ଯାଉଛି ସେଥିମଧ୍ୟରେ ରହିଛି ବ୍ୟାଙ୍କିଂ, ଡେବିଟ୍ ଓ କ୍ରେଡିଟ୍ କାର୍ଡ, ଏଲପିଜି ସିଲିଣ୍ଡରରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନୂଆ ବର୍ଷରୁ କେଉଁ ସବୁ ନୂଆ ନିୟମ ଆସିବାକୁ ଯାଉଛି ଆସନ୍ତୁ ଜାଣିବା ।

ଡେବିଟ୍-କ୍ରେଡିଟ କାର୍ଡ ବ୍ୟବହାର ପାଇଁ ବଦଳିବ ନିୟମ

ଯଦି ଆପଣ ଅନଲାଇନ ପେମେଣ୍ଟ କରୁଛନ୍ତି ତେବେ ଆସନ୍ତା ମାସରୁ ଅର୍ଥାତ ଜାନୁଆରୀ ୧ରୁ ଏହାର ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଅନଲାଇନ ପେମେଣ୍ଟକୁ ସୁରକ୍ଷିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନୂଆ ନିୟମ ଲାଗୁ କରିବା ପାଇଁ ନିର୍ଣ୍ଣୟ ନେଇଛି । ୨୦୨୨ରୁ ଅନଲାଇନ ପେମେଣ୍ଟ କରିବା ସମୟରେ ଆପଣଙ୍କୁ ଡେବିଟ୍ କିମ୍ବା କ୍ରେଡିଟ କାର୍ଡର ୧୬ ଡିଜିଟ୍ ନମ୍ବର ସହିତ କାର୍ଡର ସମସ୍ତ ତଥ୍ୟ ଦେବାକୁ ପଡ଼ିବ । ନଚେତ ଟୋକେନାଇଜେସନର ବିକଳ୍ପ ଚୟନ କରିବାକୁ ପଡ଼ିବ ।

୧ ଜାନୁଆରୀରୁ ATM ରୁ ଟଙ୍କା ଉଠାଣ ହେବ ମହଙ୍ଗା

ନୂଆ ବର୍ଷରୁ ଆଉ ଏକ ମହଙ୍ଗା ମାଡ ଆପଣଙ୍କୁ ସହିବାକୁ ପଡ଼ିବ । ୧ ଜାନୁଆରୀ ୨୦୨୨ରୁ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବାକୁ ଯାଉଛି । RBI ନୂଆ ନିୟମ ଅନୁସାରେ ଏବେ ଉପଭୋକ୍ତାଙ୍କୁ ଫ୍ରି ଟ୍ରାଞ୍ଜାକ୍ସନ ପରେ ଆଉ ଅଧିକ ଟ୍ରାଞ୍ଜାକ୍ସନ କଲେ ଅଧିକ ଟଙ୍କା ଦେବାକୁ ପଡ଼ିବ । ୧ ଜାନୁଆରୀରୁ ଦେଶର ସମସ୍ତ ବ୍ୟାଙ୍କ ଏଟିଏମ ଚାର୍ଜରେ ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ଏଟିଏମ ଲିମିଟ୍ ପୂରା ହେବା ପରେ ଏବେ ପ୍ରତି ଟ୍ରାଞ୍ଜାକ୍ସନରେ ୨୧ ଟଙ୍କା ଦେବାକୁ ପଡ଼ିବ ।

ପୋଷ୍ଟ ଅଫିସ୍ ନିୟମ ମଧ୍ୟ ବଦଳିବ

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (ଆଇପିପିବି) ଘୋଷଣା କରିଛି ଯେ ଜାନୁୟାରୀ ୧, ୨୦୨୨ରୁ ଶାଖା ନଗଦ ଟଙ୍କା ଉଠାଇବା ଏବଂ ଜମା ଉପରେ ଚାର୍ଜ ସଂଶୋଧନ କରାଯାଇଛି। ନୂତନ ନିୟମ ଅନୁଯାୟୀ, ଜାନୁଆରୀ ୧, ୨୦୨୨ ପରେ, ଯଦି ଏକ ଆଇପିପିବି ଆକାଉଣ୍ଟଧାରୀ ନିର୍ଦ୍ଧାରିତ ମାଗଣା ସୀମା ଅତିକ୍ରମ କରିବା ପରେ ଟଙ୍କା ଜମା କରନ୍ତି କିମ୍ବା ଟଙ୍କା ଉଠାନ୍ତି । ତେବେ ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ହେଉଛି ଇଣ୍ଡିଆ ପୋଷ୍ଟର ଏକ ବିଭାଗ, ଯାହା ପୋଷ୍ଟ ବିଭାଗର ମାଲିକାନା ରହିଛି ।

ବଦଳିବ ଗୁଗୁଲ ଆପର ନିୟମ

ଆସନ୍ତା ମାସରୁ ଗୁଗୁଲ ମଧ୍ୟ ଅନେକ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ଜାନୁୟାରୀ ୧, ୨୦୨୨ରୁ ଗୁଗୁଲରେ ଅନଲାଇନ୍ ପେମେଣ୍ଟ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହେବ । ଏହା ଆପଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହି ନୂଆ ନିୟମ ସମସ୍ତ ଗୁଗୁଲ୍ ସେବା ଯେପରିକି ଗୁଗୁଲ୍ ବିଜ୍ଞାପନ, ୟୁଟ୍ୟୁବ୍, ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଅନ୍ୟାନ୍ୟ ଦେୟ ସେବା ପାଇଁ ପ୍ରଯୁଜ୍ୟ ହେବ ।

LPG ସିଲିଣ୍ଡର ମୂଲ୍ୟ

ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ଏଭଳି ପରିସ୍ଥିତିରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି ଘଟିବ କି ନାହିଁ ତାହା ୧ ଜାନୁଆରୀରେ ଜଣାପଡ଼ିବ ।