spot_img
Home Blog Page 4764

ଅନଲାଇନରେ ମିଳିବ ମିଶନ ଶକ୍ତି ସାମଗ୍ରୀ, ଇ-ମାର୍କେଟ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନଲାଇନ୍ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା, ଫେଡେରେସନ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ ଭତ୍ତା ଘୋଷଣା, ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଘୋଷଣା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ମାଆ ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ । ଓଡ଼ିଶା ମିଶନ ଶକ୍ତି ମାଆ ମାନଙ୍କ ସଶକ୍ତିକରଣ ଦିଗରେ ସବୁବେଳେ ବାଟ ଦେଖାଇ ଚାଲିବ । ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମାଆ ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମାଆ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଅଛି ।

ମିଶନ ଶକ୍ତି ପାଇଁ ୫୦୦୦ କୋଟି ଟଙ୍କାର କାମ ଦେବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦେଉଛନ୍ତି । ମିଶନ ଶକ୍ତିର ମାଆ ମାନେ ଏ ବର୍ଷ ଏପର୍ଯ୍ୟନ୍ତ ୬୦୦୦ କୋଟି ଟଙ୍କାର ଋଣ ନେଲେଣି । ଏହି ଋଣ ପାଇଁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଯାଇଛି । ଏଥିପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଷ୍ଟେଟ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ ଆଦି ବ୍ୟାଙ୍କ ଗୁଡ଼ିକୁ ସୁଧ ରିହାତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅନ୍ୟ ବ୍ୟାଙ୍କଗୁଡ଼ିକ ଏହିଭଳି ଭାବରେ କାମ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ମିଶନ ଶକ୍ତିର ମାଆ ମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିଭୂମି ରଖିଛନ୍ତି । ଏହାସହିତ ମିଶନ ଶକ୍ତିର ଅନଲାଇନ୍ ମାର୍କେଟିଂର ଶୁଭାରମ୍ଭ ମଧ୍ୟ କରିଥିଲେ । ଏହାଦ୍ୱାରା ସାରା ବିଶ୍ୱରେ ମିଶନ ଶକ୍ତି ମାଆ ମାନଙ୍କର ଦ୍ରବ୍ୟ ବିକ୍ରୟ ହୋଇପାରିବ । ଆମେରିକା ଓ ଲଣ୍ଡନର ଲୋକମାନେ ମୟୂରଭଞ୍ଜ ଓ ମାଲକାନଗିରିର ମିଶନ ଶକ୍ତି ମାଆ ମାନଙ୍କର ଦ୍ରବ୍ୟ କିଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ମାଆ ମାନଙ୍କ ରୋଜଗାର ବୃଦ୍ଧି ହେବ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ମିଶନ ଶକ୍ତି ବଜାର ସୃଷ୍ଟି କରାଯିବ ବୋଲି ସେ ଘୋଷଣା କରିଛନ୍ତି ।

ଆର୍ଥିକ ଦୃଷ୍ଟିରୁ ମାଆ ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଗାଁରେ ବ୍ୟାଙ୍କ ନାହିଁ ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖୀ ମାନଙ୍କୁ ଦାୟିତ୍ୱ ଦିଆଯିବ । ଏବେ ସବୁ ପଞ୍ଚାୟତ ଓ ୱାର୍ଡରେ ମିଶନ ଶକ୍ତି ଘର ନିର୍ମାଣ କରାଯାଉଛି । ସବୁ ବ୍ଲକ୍‌ ଓ ରାଜ୍ୟ ସ୍ତରରେ ମଧ୍ୟ ମିଶନ ଶକ୍ତି ଭବନ କରାଯିବ । ପ୍ରତି ଜିଲ୍ଲାରେ ଜିଲ୍ଲା ମିଶନ ଶକ୍ତି ଭବନ ନିର୍ମାଣ କରାଯିବ । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଦିଆଯିବ ।

CM Naveen Patnaik Inaugurates E Market Portal Of Mission Shakti

ମିଶନ ଶକ୍ତିର ମାଆ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ସେ ମିଶନ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମିଶନ ଶକ୍ତି ମାଆ ମାନଙ୍କ ଅନୁରୋଧ ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ଫେଡେରେସନର EC ସଦସ୍ୟ ମାନଙ୍କ ବୈଠକ ବାବଦ ଖର୍ଚ୍ଚ ଓ ଗସ୍ତ ପାଇଁ ଭତ୍ତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି ପଞ୍ଚାୟତ ସ୍ତରରେ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଦିଆଯିବ । କୋଭିଡ୍ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ ସମୟରେ ମିଶନ ଶକ୍ତିର ମାଆ ମାନେ ଭଲ କାମ କରିଛନ୍ତି । ସେଥିପାଇଁ ଓଡ଼ିଶା ଋଣୀ । ମିଶନ ଶକ୍ତିର ମାଆ ମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି, କଥା ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଦୃଢ଼ ନେତୃତ୍ୱ ଯୋଗୁ ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଶକ୍ତିଶାଳୀ ହୋଇପାରିଛି । ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ ଆଜି ଦିନଟିକୁ ମିଶନ ଶକ୍ତି ପାଇଁ ଏକ ଐତିହାସିକ ଦିନ ଭାବରେ ବର୍ଣ୍ଣନା କରିଥିଲେ । ମାଆ ମାନେ ସରକାର ଓ ସମାଜ ମଧ୍ୟରେ ସେତୁବନ୍ଧ ଭାବରେ କାମ କରି ଆନ୍ଦୋଳନକୁ ମଜଭୁତ କରିଛନ୍ତି ବୋଲି କହିଥିଲେ । ବିଭାଗୀୟ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ବରଗଡ଼, ନୂଆପଡ଼ା, ଗଞ୍ଜାମ ଓ ମୟୂରଭଞ୍ଜର ମିଶନ ଶକ୍ତି ବ୍ଲକ୍‌ ସଭାନେତ୍ରୀ ମାନଙ୍କ ସହିତ ମତ ବିନିମୟ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଭୁବନେଶ୍ୱର ଏସ୍ଆଇଆରଡି କ୍ୟାମ୍ପସରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତି ରଖିଥିଲେ । ଏହାସହିତ ସୁଧ ରିହାତି ବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଭର୍ଚୁଆଲ୍ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩୧୪ ବ୍ଲକର ବ୍ଲକ୍ ଫେଡେରେସନର ସଭାନେତ୍ରୀମାନେ ଯୋଗ ଦେଇଥିଲେ ।

ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି, କଟକଣା ବଢ଼ାଇବାକୁ ଜିଲ୍ଲାପାଳଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ସରକାର । କରୋନାର ଓମିକ୍ରନ୍ ଭାରିଆଣ୍ଟର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । କଟକଣା ବଢାଇବାକୁ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ଥିତି ଦେଖି ଜିଲ୍ଲାପାଳ ମାନେ କଟକଣା କରିବାକୁ ନିର୍ଦ୍ଦେଶ ରହିଛି । ଓମିକ୍ରନ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Omicron Fear Collector Can Implement Restrictions

ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ବାକି ଥିବା ଲୋକଙ୍କୁ ଟିକା ଦେବାକୁ ପରାମର୍ଶ ଦିଆଯାଇଛି । ଜିନୋମ ସିକ୍ୟୁଏନ୍ସିଂ କମାଇବାକୁ ନିର୍ଦ୍ଦେଶ ରହିଛି । ଆରଟିପିସିଆରରେ ପଜିଟିଭ ସିଟି ଭ୍ୟାଲୁ ଅଧିକ ଥିବା ଲୋକଙ୍କ ଜିନୋମ ସିକ୍ୟୁଏନ୍ସିଂ କରାଯିବ । ଭିଡ଼ ନକରିବାକୁ ପରାମର୍ଶ ଦିଆଯିବା ସହ ଏନେଇ ଆସିପାରେ ଗାଇଡଲାଇନ୍ । ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟ ହେବା ପର୍ଯ୍ୟନ୍ତ ତୁରନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଏସିଆନ ଚମ୍ପିଆନ୍ସ ଟ୍ରଫି ହକି; ପାକିସ୍ତାନକୁ ୪-୩ରେ ହରାଇ ବ୍ରୋଞ୍ଜ୍ ଜିତିଲା ଭାରତ

ଢ଼ାକା: ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ବ୍ରେଞ୍ଜ ମେଡାଲ ଜିତିଲା ଟିମ୍ ଇଣ୍ଡିଆ । ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୩ରେ ପରାସ୍ତ କରି ହାସଲ କରିଛି ବ୍ରୋଞ୍ଜ୍ ମେଡାଲ । ଗତ ମଙ୍ଗଳବାର ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିଲା ସେମିଫାଇନାଲ ମୁକାବିଲା । ଏହି ମ୍ୟାଚରେ ଭାରତ-ଜାପାନଠାରୁ ୫-୩ରେ ପରାସ୍ତ ହୋଇ ଫାଇନାଲ ରେସରୁ ବାହାରି ଯାଇଥିଲା । ଫାଇନାଲ ରେସରୁ ବାହାରି ଯିବ ପରେ ଆଜି ବ୍ରୋଞ୍ଜ୍ ପାଇଁ ପାକିସ୍ତାନ ସହ ମୁହାଁମୁହିଁ ହୋଇଥିଲା ବ୍ଲୁ ବ୍ରିଗେଡ । ତେବେ ଏହି ବ୍ରୋଞ୍ଜ୍ ମେଡାଲ ମ୍ୟାଚରେ ଭାରତ ୪-୩ରେ ପାକିସ୍ତାନକୁ ହରାଇ ହାତେଇଛି ବ୍ରୋଞ୍ଜ୍ ମେଡାଲ ।

ଆଜି ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ୨ ମିନିଟରେ ଭାରତ ପକ୍ଷରୁ ହରମନପ୍ରୀତ ସିଂଙ୍କ ଷ୍ଟିକରୁ ଆସିଥିଲା ପ୍ରଥମ ଗୋଲ । ଏହି ଗୋଲ ଫଳରେ ଭାରତ ୧-୦ରେ ଆଗୁଆ ରହିଥିଲା । ଏହାର ୮ ମିନିଟ ପରେ ଅର୍ଥାତ ୧୦ତମ ମିନିଟରେ ପାକିସ୍ତାନ ଏକ ଗୋଲ ସ୍କୋର କରି ମ୍ୟାଚର ସ୍ଥିତିକୁ ୧-୧ରେ ବରାବର କରିଥିଲା । ପ୍ରଥମ କ୍ୱାଟର ଶେଷ ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ ।  ଦ୍ୱିତୀୟ କ୍ୱାଟରରେ ଉଭୟ ଦଳ ଗୋଲ ସ୍କୋର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଦଳ ଗୋଲ ସ୍କୋର କରି ପାରିନଥିଲେ । ତୃତୀୟ କ୍ୱାଟର ଆରମ୍ଭରୁ ପାକିସ୍ତାନ ଆଉ ଗୋଲ ସ୍କୋର କରି ମ୍ୟାଚରେ ଆଗୁଆ ରହିଥିଲା । କିନ୍ତୁ ପାକିସ୍ତାନ ଏହି ଲିଡ୍ ଅଧିକ ସମୟ ରଖିପାରିନଥିଲା । ତୃତୀୟ କ୍ୱାଟର ଶେଷ ହେବା ସମୟରେ ଭାରତ ପକ୍ଷରୁ ସୁମିତ ଆଉ ଏକ ଗୋଲ ସ୍କୋର କରି ପୁଣି ମ୍ୟାଚକୁ ୨-୨ରେ ବରାବର କରିଥିଲା ।

ଚତୁର୍ଥ କ୍ୱାଟର ଆରମ୍ଭରୁ ପୁଣି ଥରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ୫୩ତମ ମିନିଟରେ ବରୁଣ କୁମାର ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ମ୍ୟାଚରେ ପୁଣି ଥରେ ଭାରତକୁ ୩-୨ରେ ଆଗୁଆ କରିଥିଲେ ।  ଏହାର ୪ ମିନିଟ ପରେ ଅର୍ଥାତ ୫୭ ତମ ମିନିଟରେ ଭାରତ ପକ୍ଷରୁ ଚତୁର୍ଥ ଗୋଲ ସ୍କୋର କରିଥିଲେ ଆକାଶଦୀପ ସିଂ ।  ଯଦିଓ ୫୭ତମ ମିନିଟରେ ପାକିସ୍ତାନ ଆଉ ଏକ ଗୋଲ ସ୍କୋର କରିଥିଲା କିନ୍ତୁ ଏହି ମ୍ୟାଚ ଜିତିବାରେ ସଫଳ ହୋଇନଥିଲା ପାକିସ୍ତାନ । ଯାହା ଫଳରେ ଭାରତ ଏହି ମ୍ୟାଚକୁ ୪-୩ ଗୋଲରେ ନିଜ ନାମରେ କରିଥିଲା । ଏହି ବିଜୟ ସହ ଭାରତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ  ବ୍ରୋଞ୍ଜ୍ ମେଡାଲ ଜିତିଛି । ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ ଫଳରେ ଅଧିନାୟକ ମନପ୍ରୀତ ସିଂଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା ।

 

ସାମ୍ବାଦିକଙ୍କ ଦାବି ପ୍ରତି ସରକାର ସମ୍ବେଦନଶୀଳ, ଦାବି ବିଚାର କରାଯିବ: ମାନସ ମଙ୍ଗରାଜ

ଭୁବନେଶ୍ୱର: ସାମ୍ବାଦିକଙ୍କ ବୀମା ରାଶି ବୃଦ୍ଧି ନେଇ ଚିନ୍ତା କରୁଛନ୍ତି ସରକାର । ଏ ନେଇ ରାଜ୍ୟ ସରକାର ତିନୋଟି କମିଟି ଗଠନ କରିଥିବା କହିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ତୁରନ୍ତ ଏହି କମିଟି ବିଭିନ୍ନ ରାଜ୍ୟକୁ ଗସ୍ତ କରି ରିପୋର୍ଟ ଦେବେ । କମିଟି ରପୋର୍ଟ ପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ସେହିପରି ଖୁବଶୀଘ୍ର ୱେବ ମିଡିଆ ପାଇଁ ସ୍ୱତନ୍ତ୍ର ନୀତି ଆସିବ ବୋଲି ସୂଚନା ଦେଇଛନ୍ତି ମାନସ ମଙ୍ଗରାଜ ।

Odisha To Form Policy For Pension To Journalists Soon

ମାଲକାନଗିରିରେ ସାମ୍ବାଦିକ ଗିରଫ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ଘଟଣାରେ ଆଲୋଚନା ଜାରି ରହିଛି । ସାମ୍ବାଦିକମାନେ ନିଶ୍ଚିତ ନ୍ୟାୟ ପାଇବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି । ଏହା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି ମାନସ ମଙ୍ଗରାଜ । ଓୟୁଜେର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହୋଇ ମତ ରଖିଛନ୍ତି ମାନସ ମଙ୍ଗରାଜ । ଏହି ଅବସରରେ ୧୦ ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପରିବାରରେ ୧୨ ସଦସ୍ୟ, ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା ମାତ୍ର ଗୋଟିଏ ଭୋଟ୍!

ଅହମ୍ମଦାବାଦ: ଗୁଜୁରାଟ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା ଏକ ରୋଚକ ଘଟଣା । ଗୁଜୁରାଟରେ ମୋଟ ୮ ହଜାର ୬୮୬ ଗ୍ରାମ ପଞ୍ଚାୟତ ମଧ୍ୟରୁ ୬ ହଜାର ୪୮୧ ଗ୍ରାମ ପଞ୍ଚାୟତରେ ଫଳାଫଳ ଘୋଷଣା କରାଯାଇଛି । ଗୁଜୁରାଟ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଘଟଣା । ଏହି ଗ୍ରାମ ପଞ୍ଚାୟତ ମଧ୍ୟରୁ ଏମିତି ଏକ ଆସନ ଅଛି ଯେଉଁଠାରେ ସରପଞ୍ଚ ଆଶାୟୀ ପ୍ରାର୍ଥିଙ୍କୁ କେବଳ ଗୋଟିଏ ଭୋଟ୍ ମିଳିଛି । ସନ୍ତୋଷ ନାମକ ଜଣଙ୍କ ବ୍ୟକ୍ତି ସରପଞ୍ଚ ପାଇଁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ତାଙ୍କ ବ୍ୟତୀତ ଆଉ କେହି ତାଙ୍କୁ ଗୋଟିଏ ବି ଭୋଟ୍ ଦେଇନଥିଲେ । ଏମିତିକି ତାଙ୍କୁ ତାଙ୍କ ପରିବାର ଲୋକ ମଧ୍ୟ ଭୋଟ୍ ଦେଇ ନାହାନ୍ତି । ସନ୍ତୋଷଙ୍କ ପରିବାରରେ ୧୨ ଜଣ ଅଛନ୍ତି କିନ୍ତୁ ତାଙ୍କୁ କେବଳ ଗୋଟିଏ ଭୋଟ୍ ମିଳିଛି ।

ସନ୍ତୋଷ ହାଲପାଟୀ ଛାରବାଲା ଗାଁର ବାସିନ୍ଦା ଅଟନ୍ତି । ସେ ସେହି ଗାଁର ସରପଞ୍ଚ ହେବାକୁ ଚାହୁଁଥିଲେ । ଯେଉଁଥି ପାଇଁ ସେ ନାମାଙ୍କନ ମଧ୍ୟ ଦାଖଲ କରିଥିଲେ । ପ୍ରଚାର ମଧ୍ୟ କରିଥିଲେ ଏପରିକି ଗାଁର ଅନେକ ଲୋକ ତାଙ୍କୁ ଭୋଟ ଦେବେ ବୋଲି କହିଥିଲେ । କିନ୍ତୁ ଯେତେବେଳେ ନିର୍ବାଚନ ଫଳାଫଳ ବାହାରିଥିଲା ତାହା ତାଙ୍କୁ ଚକିତ କରିଦେଇଥିଲା ।

ଛାରବାଲା ଗାଁର ଫଳାଫଳ ଘୋଷଣା ହେବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେହି ଭୋଟ ଗଣତି କେନ୍ଦ୍ର ନିକଟରେ କାନ୍ଦିବାକୁ ଲାଗିଲେ । ଭୋଟ ଗଣତିସ୍ଥଳରେ କାନ୍ଦୁଥିବାର ଦେଖି ଭିଡ ଜମା ହୋଇଯାଇଥିଲା । ଲୋକମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ କହିଥିଲେ କି ନିର୍ବାଚନରେ ବିଜୟ-ପରାଜୟ ଲାଗି ରହିଥାଏ । ଅଧିକ ପରିଶ୍ରମ କର ଏବଂ ଆସନ୍ତା ନିର୍ବାଚନରେ ପୁଣି ପ୍ରାର୍ଥି ହେବାକୁ ଲୋକମାନେ ସନ୍ତୋଷଙ୍କୁ ବୁଝାଇଥିଲେ । କିନ୍ତୁ ସେ ଯାହା ଉତ୍ତର ଦେଇଥିଲେ ତାହା ଶୁଣି ସମସ୍ତେ ଚକ୍କିତ ହୋଇଯାଇଥିଲେ । ସେ କହିଥିଲେ କି ମୁଁ ପରାଜିତ ହୋଇଛି ସେଥିପାଇଁ ଯେତିକି ଦୁଃଖ ଅନୁଭବ କରୁଛି ତାହାଠାରୁ ଅଧିକ ଦୁଃଖ ଲାଗୁଛି ଏଥିପାଇଁ କି ମୁଁ ମାତ୍ର ଗୋଟିଏ ଭୋଟ ପାଇଛି ।

ସନ୍ତୋଷ ଆହୁରି କହିଥିଲା କି ମୋ ପରିବାରରେ ୧୨ ଜଣ ରୁହନ୍ତି । କିନ୍ତୁ ମୋତେ କେବଳ ଗୋଟିଏ ଭୋଟ ମିଳିଥିଲା ତାହା ପୁଣି ମୋ ନିଜ ଭୋଟ୍ । ଯଦି ମୋ ପରିବାରର ୧୨ ଖଣ୍ଡ ଭୋଟ ମୋତେ ମିଳିଥାନ୍ତା ତାହାଲେ ମୋତେ ଅଧିକ ଦୁଃଖ ଲାଗିନଥାନ୍ତା ବୋଲି ଲୋକମାନଙ୍କୁ କହିଥିଲା ସନ୍ତୋଷ ।

ଲାଲକିଲ୍ଲାକୁ ନିଜର କହିଲେ ମହିଳା,କୋର୍ଟଙ୍କ ପ୍ରଶ୍ନ ୧୫୦ ବର୍ଷ ହେଲା କେଉଁଠି ଥିଲ ?

ନୂଆଦିଲ୍ଲୀ: ଦେଶର ଐତିହ୍ୟ ଲାଲକିଲ୍ଲା ଉପରେ ମହିଳାଙ୍କ ଦାବି । ୧୬ଶହ ଖ୍ରୀଷ୍ଟାଦ୍ଦରେ ଶାହ ଜାହାନଙ୍କ ଦ୍ୱାରା ନିର୍ମିତ ଲାଲକିଲ୍ଲାକୁ ନିଜର ବୋଲି ଦାବି କରିଛନ୍ତି ଦିଲ୍ଲୀର ଜଣେ ମହିଳା । ଏନେଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି । ଶେଷ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫର ୨ଙ୍କ ବିଧବା ଅଣନାତୁଣୀ ବୋହୂ ସୁଲତାନ ବେଗମ ଲାଲକିଲ୍ଲାକୁ ତାଙ୍କୁ ହସ୍ତାନ୍ତର କରିବାକୁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

Woman Claims Red Fort Belongs to Her, High Court Dismisses Her Plea

ସୁଲତାନ ବେଗମଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିବା ସହ ଐତିହ୍ୟ ଉପରେ ଅଧିକାର ସାବ୍ୟସ୍ତକୁ ମନା କରି ଦେଇଛନ୍ତି । ଆବେଦନକାରୀ ୧୫୦ ବର୍ଷ ହେଲା କେଉଁଠି ଥିଲେ ବୋଲି ବିଚାରପତି ଜଷ୍ଟିସ୍ ରେଖା ପାଟିଲ୍ ପ୍ରଶ୍ନ କରିଛନ୍ତି । କୌଣସି ବି ପରିସ୍ଥିତିରେ ଲାଲକିଲ୍ଲାକୁ ହସ୍ତାନ୍ତର କରିବା ସମ୍ଭବପର ନୁହେଁ ବୋଲି କହିଛନ୍ତି କୋର୍ଟ ।

Woman Claims Red Fort Belongs to Her, High Court Dismisses Her Plea

ଆବେଦନକାରୀ ସୁଲତାନ ବେଗମଙ୍କ ଓକିଲଙ୍କ ଅନୁସାରେ, ସ୍ୱର୍ଗତଃ ମିର୍ଜା ମହମ୍ମଦ ବେଦର ଭଖତଙ୍କ ବିଧବା ପତ୍ନୀ ହେଉଛନ୍ତି ସୁଲତାନ । ଦିଲ୍ଲୀର ଶେଷ ମୋଗଲ ସମ୍ରାଟଙ୍କ ସେ ଅଣନାତୁଣୀ ବୋହୂ । ଆଇନତଃ ଲାକଲିଲ୍ଲା ଉପରେ ସୁଲତାନ ବେଗମଙ୍କ ଅଧିକାର ରହିଥିବା କହିଛନ୍ତି ଓକିଲ ।

ଭାରତର ସବୁଠାରୁ ଫେଭରଟ୍ ଖାଦ୍ୟ ତାଲିକାରେ ନମ୍ବର ୱାନ୍ କିଏ ?

ନୂଆଦିଲ୍ଲୀ: ଖାଦ୍ୟପେୟ ମାମଲାରେ ଭାରତର ରୁଚି ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ । ଆମେ ଦେଶର ଲୋକଙ୍କୁ ଖାଇବାରେ ମଧ୍ୟ ଟ୍ୱିଷ୍ଟ ଦରକାର । କୁହାଯାଏ ଛଅ ଭଜା ସାଙ୍ଗକୁ ନ ତିଅଣ ନହେଲେ ଆମ ଲୋକଙ୍କୁ ଖାଇବା ରୁଚେନି । ଦିନକୁ ଦିନ ପରିସ୍ଥିତି ବଦଳିବା ସହ ଅଧିକ ଆଧୁନିକ ହେଉଛି ସଭ୍ୟ ସମାଜ । ମନ ପସନ୍ଦର ପ୍ରତ୍ୟେକ ଖାଦ୍ୟ ଏବେ ହାତ ମୁଠାରେ । ମୋବାଇଲ ଧର, ଆଉ କିଛି ସେକଣ୍ଡ ମଧ୍ୟରେ ନିଜ ପସନ୍ଦର ଡିସ୍‌ ଅର୍ଡ଼ର କର । ଯାହା ଏବେ ନିତିଦିନିଆ କଥା । ଏମିତିରେ ଭାରତୀୟମାନେ ଇଣ୍ଡିଆନଙ୍କଠାରୁ ଆରମ୍ଭ କରି ଚାଇନିଜ୍‌, ମୁଗଲାଇ ଭଳି ପ୍ରତ୍ୟେକ ଖାଦ୍ୟ ଖାଆନ୍ତି । କିନ୍ତୁ ଯଦି ପ୍ରଶ୍ନ କରାଯାଏ ଭାରତୀୟମାନେ ସବୁଠାରୁ ଅଧିକ କେଉଁ ଖାଦ୍ୟ ଖାଆନ୍ତି, କ’ଣ ଉତ୍ତର ପାଇବେ? ବାସ୍ତବରେ ନିକଟରେ ସ୍ୱିଗି ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି । ଯେଉଁଥିରୁ ଜଣାପଡ଼ିଛିଯେ, ଭାରତୀୟମାନେ ସବୁଠାରୁ ଅଧିକ ସିଙ୍ଗଡ଼ା ଖାଇବାକୁ ପସନ୍ଦ କରନ୍ତି ।


ନିକଟରେ ସ୍ୱିଗି ତା’ର ବାର୍ଷିକ ଷ୍ଟାଟିଷ୍ଟକ୍ସ ରିପୋର୍ଟର ଷଷ୍ଠ ସଂସ୍କରଣ ଜାରି କରିଛି । ଏଥିରେ ୨୦୨୧ର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଖାଦ୍ୟର ନାଁ ସାମିଲ ରହିଛି । ଆକଳନ ଅନୁସାରେ ୨୦୨୧ରେ ଭାରତୀୟ ପ୍ରତି ମିନିଟରେ ୧୧୫ଟି ବିରିୟାନୀ ପାର୍ସଲ ଅର୍ଡ଼ର କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ବର୍ଷ ଭାରତୀୟ ଏତେ ସିଙ୍ଗଡ଼ା ଖାଇଛନ୍ତି, ଯାହା ନ୍ୟୁଜିଲାଣ୍ଡର ପୂରା ଜନସଂଖ୍ୟାର ଯଥେଷ୍ଟ ଗୁଣା ଅଧିକ । ଖାଲି ସେତିକି ନୁହେଁ ଭାରତୀୟ ଏତେ ଟମାଟୋ ଅର୍ଡର କରିଛନ୍ତି, ଯାହା ସ୍ପେନର ୧୧ ବର୍ଷ ପର୍ଯ୍ୟନ୍ତ ଟୋମାଟିନା ପର୍ବ ପାଳନ କରିହେବ ।

ସ୍ୱିଗି ରିପୋର୍ଟ ଅନୁସାରେ ୨୦୨୧ରେ ସିଙ୍ଗଡ଼ା ଭାରତୀୟଙ୍କର ସବୁଠାରୁ ପ୍ରିୟ ସ୍ନାକ୍ସ ରହିଛି । ସ୍ୱିଗିରୁ ୨୦୨୧ରେ କେବଳ ସିଙ୍ଗଡ଼ା ୫୦ ଲକ୍ଷ ଅର୍ଡ଼ର ହୋଇଛି । ଏହି କଥାରୁ ଆପଣ ଅନୁମାନ କରିପାରୁଥିବେଯେ, ଭାରତରେ ସିଙ୍ଗଡ଼ାର ଲୋକପ୍ରିୟତା କେତେ ।


ଏହାପରେ ରହିଛି ପାଭ୍‌ଭାଜି ଏବଂ ଗୁଲାବ ଜାମୁନ୍‌। ୨୧ ଲକ୍ଷ ପାଭ୍‌ଭାଜି ୨୦୨୧ରେ ସ୍ୱିଗିରୁ ଅର୍ଡର ହୋଇଛି । ଗୁଲାବ ଜାମୁନ୍‌ମଧ୍ୟ ୨୧ ଲକ୍ଷ ।
ବିରିୟାନୀ ପ୍ରତି ଲୋକଙ୍କ ପ୍ରେମ କହିଲେ ନ ସରେ । ୨୦୨୦ରେ ବିରିୟାନୀ ପ୍ରତି ମିନିଟରେ ୯୦ ଅର୍ଡ଼ର ହେଉଥିଲା । ଯାହା ୨୦୨୧ରେ ୧୧୫ରେ ପହଞ୍ଚିଛି । ତାହା ମଧ୍ୟ ଚିକେନ୍‌ ବିରିୟାନୀ ।


ଆକଳନ ଏହା ମଧ୍ୟ କହୁଛିଯେ, ରାତିରେ ଭାରତୀୟ ବାହାର ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି । ରାତି ୧୦ଟା ପରେ ଚିଜ୍‌ ଗାର୍ଲିକ୍‌ ବ୍ରେଡ୍‌, ପପକର୍ଣ୍ଣ, ଫ୍ରେଂଚ୍‌ ଫ୍ରାଇଜ୍‌ ଭଳି ସ୍ନାକ୍ସ ଅର୍ଡର କରୁଛନ୍ତି ।


ଫଳ ଏବଂ ପନିପରିବାରେ ଟମାଟୋ, କଦଳୀ, ପିଆଜ, ଆଳୁ ଏବଂ କଞ୍ଚାଲଙ୍କା ରହିଛି । ପ୍ୟାକେଜ୍ଡ ଫୁଡ୍‌ ମଧ୍ୟରେ ୨୦୨୧ରେ ସ୍ୱିଗିରେ ଲୋକ କେବଳ ୧୪ ଲକ୍ଷ ପ୍ୟାକେଟ୍‌ ଇଂଷ୍ଟାଣ୍ଟ୍‌ ନୁଡୁଲ୍ସ, ୩୧ ଲକ୍ଷ ପ୍ୟାକେଟ୍‌ ଚକଲେଟ୍‌ଏବଂ ଆଇସକ୍ରିମ ୨୩ ଲକ୍ଷ ଟବ୍‌ ଅର୍ଡର ହୋଇଛି ।

ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ନିୟମ: ସପିଂ ପାଇଁ ଲୋଡ଼ାନାହିଁ ଡେବିଟ୍ କିମ୍ୱା କ୍ରେଡିଟ୍ କାର୍ଡ

ନୂଆଦିଲ୍ଲୀ: ଏଣିକି ଅନ୍‌ଲାଇନ୍ ସପିଂ ପାଇଁ ଲୋଡ଼ାନାହିଁ ଡେବିଟ କିମ୍ୱା କ୍ରେଡିଟ୍ କାର୍ଡ । ଆମାଜନ୍, ଫ୍ଳିପ୍‌କାର୍ଟ, ମିନ୍ତ୍ର୍ରା ଏବଂ ବିଗ୍ ବାସ୍କେଟ୍ ଆପଣଙ୍କ ପସନ୍ଦର ଓ୍ୱେବସାଇଟ୍‌ରୁ ସପିଂ କରିବ ହେବ ଅଧିକ ସହଜ ଓ ସୁରକ୍ଷିତ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଜାନୁଆରୀ ପହିଲାରୁ ଲାଗି ହେବାକୁ ଥିବା ଟୋକେନାଇଜେସନ୍ ବ୍ୟବସ୍ଥା ପରେ ଏହି ସବୁ ସବିଧା ପଇ ପାରିବେ ଗ୍ରାହକ ।

ଆଗକୁ ଏହି ସବୁ ସପିଂ ସାଇଟରୁ କିଣିବା ପାଇଁ ୧୬ ନମ୍ୱର ବିଶିଷ୍ଟ ଆକାଉଣ୍ଟ ନମ୍ୱର  ଏବଂ କାର୍ଡ ଏକ୍ସପାଏରୀ ବିବରଣୀ ମଧ୍ୟ ଦେବାକୁ ପଡ଼ିବନି । ନୂଆ ଟୋକେନାଇଜେସନ୍ ବ୍ୟବସ୍ଥା ଦ୍ୱାରା ଶୀଘ୍ର ଏବଂ କଣ୍ଟକ୍ଟଲେସ୍ ପଦ୍ଧତିରେ ଟଙ୍କା ନେଣଦେଣ ହୋଇପାରିବ ।

ଟୋକେନାଇଜେସନ୍ ବ୍ୟବସ୍ଥାରେ ଗ୍ରାହକଙ୍କୁ ଏକ ଟୋକେନ୍ କାର୍ଡ କିମ୍ୱା ଟୋକେନ ନମ୍ୱର ଦିଆଯିବ । ଯାହାକୁ ବ୍ୟବହାର କରି ସୁରକ୍ଷିତ ଭାବେ ଗ୍ରାହକ ଜଣଙ୍କ ଆବଶ୍ୟକୀୟ ସାମଗ୍ରୀ ନିଜ ପସନ୍ଦର ସାଇଟ୍‌କୁ ଘରେ ବସି  କିଣିପାରିବେ । ଏହା ଦ୍ୱାରା ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନ ରହିବ । ଏବଂ ଖରିଦିକୁ ଆହୁରି ସହଜ ଓ ସରଳ କରିବ । ବଉ ଏକ ବିଶେଷ ସୁବିଧା ଏହା ଯେ, ଏହି ପଦ୍ଧତି ଲାଗୁ ହେବା ପରେ ସିଭିଭି ନମ୍ୱରର ମଧ୍ୟ ଆବଶ୍ୟକତା ପଡ଼ିବନାହିଁ ।

ଆରବିଆଇର ଏହି ଟୋକେନାଇଜେସନ୍ ବ୍ୟବସ୍ଥା ଲାଗୁ ହେବା ପରେ ଅନ୍‌ଲାଇନ୍ ସେବା ପ୍ରଦାନକାରୀ ଏବଂ ସପିଂ ସାଇଟ୍ ଆପଣ ପ୍ରଦାନ କରିଥିବା ତଥ୍ୟକୁ ରଖିପାରିବେନାହିଁ । ଏଭଳି କି ପୂର୍ବରୁ କିଣିବା ସମୟରେ ଆପଣ ଭରିଥିବା ଆକାଉଣ୍ଟ ଡିଟେଲ୍ସ, ଠିକଣା ଆଦି ତଥ୍ୟକୁ ମଧ୍ୟ ସଂରକ୍ଷିତ (Save) କରି ରଖିପାରିବେନାହିଁ । ଟୋକେନାଇଜଡ କାର୍ଡକୁ ଆପଣଙ୍କ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯବ । ଏବଂ ଏହାର ବ୍ୟବହାର ବେଳେ ପୃଥକ ଇଣ୍ଟରଫେସ୍ ଖୋଲିବ । ଏବଂ ସେହି ଇଣ୍ଟରଫେସ୍ ମାଧ୍ୟମରେ ନିଜ ବିଲ୍ ପୈଠ କରିପାରିବେ । ଉପଭୋକ୍ତା ଜଣଙ୍କ ଚାହିଁଲେ ସେହି ଟୋକେନକୁ ଯେ କୌଣସି ସମୟରେ ଡିଲିଟ କରିଦେଇପାରିବେ ।

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ଶେଷ ହେଲା ଶୀତକାଳୀନ ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ମୁଲତବି ଘୋଷଣା କରାଯାଇଛି । ହଟ୍ଟଗୋଳ, ହଙ୍ଗାମା, ହୋହଲ୍ଲାରେ ପାର୍ଲାମେଣ୍ଟ ଅଧିବେଶନ ଶେଷ ହୋଇଛି । ଗୋଟିଏ ଦିନ ପୂର୍ବର ଶେଷ ହୋଇଛି ଶୀତକାଳୀନ ଅଧିବେଶନ । ନଭେମ୍ବର ୨୯ରୁ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି । ଶୀତ ଅଧିବେଶନରେ ମୋଟ ୧୮ଟି କାର୍ଯ୍ୟ ଦିବସ ହୋଇଥିଲା ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ସାଇନ ଡାଏ ଘୋଷଣା କରାଯାଇଛି । ନିଲମ୍ବିତ ୧୨ ସାଂସଦଙ୍କୁ ନେଇ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ । ବିରୋଧ ଜାରି ରହିଥିବାରୁ ଉଭୟ ଗୃହକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଚଳିତ ଅଧିବେଶନରେ ଗୃହ ଚାଲି ନପାରିବା ଯୋଗୁ ଉଦବେଗ ବ୍ୟକ୍ତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ । ଚଳିତ ଅଧିବେଶନରେ ରାଜ୍ୟସଭାରେ ୯ଟି ବିଲ୍‌ ପାସ୍ ହୋଇଥିବା ବେଳେ ଲୋକସଭାରେ ୧୧ଟି ବିଲ୍‌ ପାସ୍ ହୋଇଛି ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

 

ଫିଲ୍ମ‘୮୩’ର କାହାଣୀ ଶେୟାର କରିବାକୁ ପୂର୍ବ କ୍ରିକେଟରଙ୍କୁ କେତେ ଟଙ୍କା ଦେଲେ ନିର୍ମାତା ?

ମୁମ୍ବାଇ: ଖୁବଶୀଘ୍ର ସିନେମାଘରେ ରିଲିଜ ହେବାକୁ ଯାଉଛି କବୀର ଖାନଙ୍କ ଫିଲ୍ମ ‘୮୩’ । ଅନ୍ୟପଟେ ଫିଲ୍ମର ଟ୍ରେଲର ରିଲିଜ୍‌ହେବା ପରଠାରୁ ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ୍‌ବଢ଼ି ଯାଇଛି । ପ୍ରାୟ ଦେଢ଼ ବର୍ଷ ହେବ ଦର୍ଶକ ଏହି ଫିଲ୍ମକୁ ଦେଖିବାକୁ ଖୁବ୍‌ଉତ୍ସାହର ସହିତ ଅପେକ୍ଷା କରି ବସିଛନ୍ତି । ଏହି ଫିଲ୍ମ ଉଭୟ 2D ଏବଂ 3Dରେ ରିଲିଜ୍‌ହେବ । ଗଣମାଧ୍ୟମ ଖବର ଅନୁସାରେ ଫିଲ୍ମ ନିର୍ମାତା ଫିଲ୍ମ ‘୮୩’ ପାଇଁ ଫିଲ୍ମର କାହାଣୀକୁ ପରଦାରେ ପରିବେଷଣ ପାଇଁ ପୂର୍ବତନ କ୍ରିକେଟରଙ୍କୁ ଯଥେଷ୍ଟ ଅର୍ଥରାଶି ଦେଇଛନ୍ତି ।


ସୂଚନା ଅନୁସାରେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ୍ୱର୍ଲ୍ଡ କପ୍‌ଖେଳି ସାରିଥିବା ପୂର୍ବ କ୍ରିକେଟରଙ୍କ ଟିମକୁ ୧୫ କୋଟି ଟଙ୍କା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ଅର୍ଥରାଶି ପୂର୍ବ କ୍ୟାପଟେନ କପିଲ ଦେବଙ୍କୁ ମିଳିଛି । ତେବେ କୌଣସି ବ୍ୟକ୍ତିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ହେଲେ ପ୍ରଥମେ ରାଇଟ୍ସ କିଣିବାକୁ ପଡ଼େ । ନଚେତ୍‌ଫିଲ୍ମକୁ ନେଇ ବିବାଦ ଆରମ୍ଭ ହୋଇଥାଏ । ଏହି କଥାକୁ ଧ୍ୟାନରେ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରି ୧୯୮୩ ବିଶ୍ୱ କପର ଅରିଜିନାଲ ବିଜେତା ଟିମ୍‌ସଦସ୍ୟଙ୍କୁ ୧୫ କୋଟି ଅର୍ଥରାଣି ଦେଇଛନ୍ତି ।


ପ୍ରାୟ ୧୨୫ କୋଟି ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ରଣବୀର ସିଂଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ଦୀପିକା ପାଦୁକୋନ୍‌, ତାହିର ରାଜ୍‌ଭସୀନ୍‌, ଜିଓ୍ୱା,ସାକିବ ସଲିମ୍‌, ଜିତନ୍‌ସରନା, ଚିରାଗ ପାଟିଲ, ଦିନକର ଶର୍ମା, ନିଶାନ୍ତ ଦହିୟା,ହାର୍ଡ଼ି ସନ୍ଧୁ, ସାହିଲ ଖଟ୍ଟର, ଅମ୍ମି ବିର୍କ, ଆଦିନାଥ କୋଠାରେ, ଧୈର୍ଯ୍ୟ କରଓ୍ୱା, ଆର ବଦ୍ରି ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ,କନ୍ନଡ଼ ଏବଂ ମଲୟାଲମ୍‌ଭାଷାରେ ୨୪ ଡିସେମ୍ବରରେ ରିଲିଜ୍‌ହେବ ।