spot_img
Home Blog Page 4753

କମିଲା ଶୀତ, ୫ଜିଲ୍ଲାରେ କାଲିଠୁ ବର୍ଷା

ଭୁବନେଶ୍ୱର: ବଢିଲା ପାରା, କମିଲା ଥଣ୍ଡା । ଏବେ କାଲିଠୁ ବର୍ଷିବ । ସାରା ରାଜ୍ୟରେ ସ୍ୱାଭାବିକ ତାପମାତ୍ରାରେ ବୃଦ୍ଧିପରେ ଜାଡ଼ କମିଛି । ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି । ଫଳରେ ପାଗ ବଦଳି ଯାଇଛି । ଆସନ୍ତାକାଲିଠୁ କିଛି ଜିଲ୍ଲାରେ କୋହଳା ପାଗ ଜାରି ରହିବ । କେତେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୮ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ।

ବିଜେଡି ପ୍ରତିଷ୍ଠା ଦିବସ ଆଜି: ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ୱୋଧିତ କରିବେ ନବୀନ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଜନସେବାର ଜୟଯାତ୍ରାରେ ଆଉ ଏକବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେଡି । ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ।

ବ୍ଲକସ୍ତରରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି । ବ୍ଲକସ୍ତରରେ ଦଳର ସମସ୍ତ ପ୍ରତିନିଧି, ଯୁବ, ଛାତ୍ର, ମହିଳା ଓ କମିଟିର ସମସ୍ତ ସଦସ୍ୟ, ବ୍ଲକ ସଂଯୋଜକ, ଜୋନ୍ ସଂଯୋଜକ ପ୍ରମୁଖ ଉପସ୍ଥିତ ରହିବେ । ଏଥି ସହ ୨୫ ଜଣ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସମସ୍ତ ସକ୍ରିୟ ସଭ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହେବେ । ପ୍ରତିଷ୍ଠା ଦିବସରେ ଗାଁକୁ ଯିବେ ଦଳର କର୍ମୀ ଓ ନେତା । ସୁଶାସନ ଓ ଜନକଲ୍ୟାଣକାରୀ ଯୋଜନାର ଯେଉଁ ମାଇଲଖୁଣ୍ଟ ରାଜ୍ୟ ସରକାର ସ୍ଥାପନ କରିଛନ୍ତି, ତା’ର ସମୀକ୍ଷା ସହ ନୂଆ ବୈଷୟିକ ଜ୍ଞାନ କୌଶଳରେ ସେବା ପ୍ରଦାନ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ ହେବ ।

କେନ୍ଦ୍ରର ଅବହେଳା ଓ ଦରଦାମ ବୃଦ୍ଧି ସମସ୍ୟାକୁ ଘରେ ଘରେ ପହଞ୍ଚାଇବେ ମହିଳା ବ୍ରିଗେଡ୍ । ବେକାରୀ ଓ ନିଯୁକ୍ତି ନାଁରେ କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ଟାର୍ଗେଟ କରିବେ ଯୁବ ଓ ଛାତ୍ର ଓ୍ୱିଙ୍ଗ୍ । ଗାଁ ଗାଁରେ ପହଞ୍ଚିବ ବିଜୁ ଆଦର୍ଶର ବାର୍ତ୍ତା । ମହାବାତ୍ୟାର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ ୨୬ ଡିସେମ୍ବର ୧୯୯୭ ମସିହାରେ ଗଠନ ହୋଇଥିବା ବିଜେଡି ଏବେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଏକ ମହାଦ୍ରୁମ । ସାଢେ ଚାରି କୋଟି ଓଡ଼ିଆଙ୍କୁ ନିଜର କରିପାରିଛି ବିଜେଡି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜେଡି ଏହା ମଧ୍ୟରେ ସାରା ଦେଶରେ ଗ୍ରହଣୀୟ ହୋଇସାରିଛି । ଅପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛି ଏହି ଆଞ୍ଚଳିକ ଦଳ ।

ରାଜ୍ୟବାସୀଙ୍କ ପାଇଁ ଢାଲ ହୋଇ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ବିପର୍ଯ୍ୟୟ ପରିଚାଳନାର ଫର୍ମୁଲାକୁ ବିଶ୍ଵ ଦରବାରରେ ପ୍ରଶଂସା କରାଯାଇଛି । ସାରା ଓଡ଼ିଶାକୁ ନିଜ ପରିବାର ଭାବେ ଗ୍ରହଣ କରିଛନ୍ତି ନବୀନ । ଜନ୍ମରୁ ମୃତ୍ୟୁ ଯାଏ ରହିଛି ଅନେତ ଜନକଲ୍ୟାଣକାରୀ ଯୋଜନା । ଏ ହେଉଛି ନବୀନ ପଟ୍ଟନାୟକଙ୍କ ଶାସନର ମୂଳମନ୍ତ୍ର । ଯାହାର ସଫଳ କାର୍ଯ୍ୟକାରିତା ପାଇଁ ଫାଇଭ୍‌-ଟି ଓ ମୋ ସରକାର ପରି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଯାହାକୁ ପ୍ରଶଂସା କରୁଛି ସାରା ଭାରତବର୍ଷ ।

ଦାଦାବଟି ମାଗିଲେ, ଘରେ ପଶି ହାଣିଲେ

ବ୍ରହ୍ମପୁର: ବଡ଼ବଜାର ଥାନା କୈଳାଶନଗରରେ ଦୋକାନୀଙ୍କ ଘରେ ପଶି ଆକ୍ରମଣ । ଦାଦାବଟି ମାଗି ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାର ଭିଜୁଆଲ ସିସିଟିଭିରେ ରେକର୍ଡ ହୋଇଛି । ଆକ୍ରମଣରେ ଦୋକାନୀ ଗୋପାଳକୃଷ୍ଣ ପଣ୍ଡାଙ୍କ ଡାହାଣ ହାତରେ ଆଘାତ ଲାଗିଛି । ଏନେଇ ବଡ଼ବଜାର ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ବ୍ୟବସାୟୀ ।

ମିଳିଥିବା ସୂଚନା ମୁତାବକ ଗତ ଦୁଇଦିନ ତଳେ ଆକ୍ରମଣକାରୀ ଗୋପାଳକୃଷ୍ଣଙ୍କୁ 50ହଜାର ଟଙ୍କା ଦାଦାବଟି ମାଗିଥିଲା ଉକ୍ତ ବ୍ୟକ୍ତି । ପୂର୍ବରୁ ମଧ୍ୟ କୈଳାଶ ନଗରର କାଳିଆ ପାତ୍ର ନାଁମକ ଜଣେ ଯୁବକଙ୍କୁ ଦାଦାଵଟି ପାଇଁ ଆକ୍ରମଣ କରାଯାଇଥିଲା । ତେବେ ସେହି ବ୍ୟକ୍ତି ହିଁ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଅଭିଯୋଗକାରୀ  ।

ମୋଟର ସାଇକେଲ ଧକ୍କାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ

ବାଲେଶ୍ବର: ମୋଟର ସାଇକେଲ ଧକ୍କାରୁ ଗୋଷ୍ଠୀ ସଂଘର୍ଷ । କଳହ ଏତେ ଉଗ୍ରରୂପ ନେଲା ଯେ, ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି  । ବାଲେଶ୍ୱର ଜିଲ୍ଲା ଜଙ୍ଖରାଇ ଗାଁରେ ଘଟିଛି ଏହି ଅଘଟଣ । ଗୋଷ୍ଠୀ ସଂଘର୍ଷରେ ଗାଁର ସେକ୍‌ ଜିଲାନିଙ୍କର ମୃତ୍ୟୁ ହୋଇଥିବାବେଳେ ସରୋଜ ଜେନା ଓ ସେକ୍‌ ରଫାଫତ୍‌ଙ୍କ ସମେତ 5ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ସେପଟେ ଜଙ୍ଖରାଇରେ ଚାପା ଉତ୍ତେଜନା ଲାଗିଥିବାରୁ ଘଟଣା ଉପରେ ନଜର ରଖିଛି ଜିଲ୍ଲା ପୋଲିସ । ଆଇଜି ହିମାଂସୁ ଲାଲ ଓ ଏସ୍‌ପି ସୁଧାଂଶୁ ଷଢଙ୍ଗୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମିଳିଥିବା ସୂଚନା ମୁତାବକ ସଂନ୍ଧ୍ୟାରେ ସରୋଜ ଜେନାଙ୍କ ସହିତ ଏକ ମୋଟରସାଇକେଲ ଧକ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସରୋଜ କଳମା ଗାଁରୁ ସମର୍ଥକ ମାନଙ୍କୁ ଡ଼କାଇ ଜଙ୍ଖରାଇ ଗାଁରେ ଲୋକମାନଙ୍କୁ ଆକ୍ରମଣ କରିଥିଲେ ।

ସାମାନ୍ୟ ଘଟଣାରୁ ଏହି ଘଟଣା ଉଗ୍ରରୂପ ନେଇଥିଲା  । ପରବର୍ତ୍ତୀ ସମୟରେ ଦୁଇଟି ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା   । ଆକ୍ରମଣରେ ଘଟଣାସ୍ଥଳରେ ସେକ୍‌ ଜିଲାନିଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଆଇଜି ହିମାଂସୁ ଲାଲ ଓ ଏସ୍‌ପି ସୁଧାଂଶୁ ଷଢଙ୍ଗୀ ପରିସ୍ଥିତି ଉପରେ ବର୍ତ୍ତମାନ ନଜର ରଖିଛନ୍ତି  । ଘଟଣାର ସୁତ୍ରପାତ କେଉଁଠି ଓ କେଉଁମାନେ ଏହି ଘଟଣାରେ ସଂଶ୍ଲିଷ୍ଟ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ  ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ପିଲାଙ୍କୁ ଦିଆଯିବ ଟିକା, ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଜାନୁଆରୀ ୩ ତାରିଖରୁ ପିଲାଙ୍କୁ ଟିକା  । ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣରେ ସାମିଲ କରାଯିବ  । ଜାନୁଆରୀ ୧୦ ତାରିଖରୁ ଦେଶର ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟୋର ଡୋଜ୍  । ଏହା ସହିତ ୬୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମଧ୍ୟ ବୁଷ୍ଟର ଡୋଜରେ ସାମିଲ କରାଯିବ  । ଜାନୁଆରୀ ୨୫ ତାରିଖ ବିଳମ୍ବିତ ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ଅବସରରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । କୋଭିଡର ତୃତୀୟ  ପ୍ରବାହ ଭାବେ ବର୍ତ୍ତମାନ ଓମିକ୍ରନ ବିଶ୍ୱରେ ବ୍ୟାପିବା ଆରମ୍ଭ କରିଛି  । କୋଭିଡର ପ୍ରଥମ ପ୍ରବାହରେ ବୟସ୍କ, ଯୁବକ ଓ ଯୁବତୀ ଟିକା ନେଇସାରିଥିବା ବେଳେ ବର୍ତ୍ତମାନ ପିଲାଙ୍କୁ ଟିକାକରଣରେ ଅନ୍ତ୍ରର୍ଭୁକ୍ତ କରିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ  ।

ଓମିକ୍ରନ ଯେଉଁଭଳି ଭାବେ ବିଶ୍ୱରେ ବ୍ୟାପିଛି  । ତାହା ଏକ ସଂକଟପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି  । ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମିତ ମାମଲା ବଢିବାରେ ଲାଗିଛି  । ତେଣୁ ଏଭଳି ପରସ୍ଥିତିରେ ସତର୍କ ରହିବା ନିହାତି ଆବଶ୍ୟକ  । କୋରନା ଭଳି ମହାମାରୀକୁ ପରାସ୍ତ କରିବା ପାଇଁ ସଜାଗ ରହିବା ନିହାତି ଅପରିହାର୍ଯ୍ୟ  । ଭାରତ ସରକାର ଏନେଇ ଏକଦମ ପ୍ରସ୍ତୁତ ରହିଛନ୍ତି  । ସରକାର ଆଗାମୀ ପରିସ୍ଥିତିରେ  ଯେଭଳି ସ୍ୱାସ୍ଥ୍ୟ ସେବାରେ କିଛି ତ୍ରୁଟି ନ ଘଟେ ସେନେଇ ସଯତ୍ନ ରହିଛନ୍ତି  । ଯେଉଁଥିପାଇଁ ଦେଶରେ ୧୮ ଲକ୍ଷ ଆଇସୋଲେସନ ବେଡ ମହଜୁଦ ରହିଛି  । ୫ ଲକ୍ଷ ଅକ୍ସିଜେନ ସପୋର୍ଟେଡ଼ ପ୍ରସ୍ତୁତ ରହିଛି , ୧ଲକ୍ଷ ୪୦ ହଜାର ଆଇସିୟୁ ବେଡ଼ ରହିଛି  । ଆଇସିୟୁ ଏବଂ ନନଆଇସିୟୁ ବେଡକୁ ମିଶାଇ ପ୍ରାୟ ୯୦ ହଜାର ବେଡ଼ କେବଳ ଶିଶୁ ଓ ପିଲାଙ୍କ ପାଇଁ ରହିଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।

ସେହିଭଳି ଦେଶରେ ୩ ହଜାର ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଓ ୪ ଲକ୍ଷ ଅକ୍ସିଜେନ ପ୍ରାୟ ସମସ୍ତ ରାଜ୍ୟରେ ଗଛିତ ରହିଛି  । ଯଦି ତୃତୀୟ ପ୍ରବାହ ଆସେ ତେବେ ଭାରତ ଏହାକୁ ପ୍ରତିହତ କରିବାକୁ ଏକଦମ ପ୍ରସ୍ତୁତ  । ପର୍ଯ୍ୟାପ୍ତ ପରିମାଣର କୋଭିଡ଼ ଟେଷ୍ଟିଂ କିଟ୍ ରହିଛି  ।  ଏହା ସ୍ୱତେ ମଧ୍ୟ ସମଗ୍ର ଦେଶବାସୀ ଚାହିଁଲେ ହିଁ କୋଭିଡକୁ ହଟାଇବାରେ ସକ୍ଷମ ହୋଇପାରିବା  । ବ୍ୟକ୍ତିଗତ ସ୍ତରରେ ଆମେ ସତର୍କ ଓ ସୁରକ୍ଷିତ ରହିବା ସହ ନିଜ ପରିବାରର ଦାୟିତ୍ୱ ନେବା ଦରକାର  । କୋଭିଡର ପ୍ରଥମ ପ୍ରବାହ ଡରାଉଥିବା ସମୟରେ ଭାରତ ଚିକାକରଣକୁ ବ୍ୟାଘତ ଦେଇନାହିଁ  । ଯେଉଁଥିପାଇଁ ଆଜି ୧ଶହ ୪୧ କୋଟି ଲୋକ ସମଗ୍ର ଦେଶରେ ଟିକା ନେଇସାରିଛନ୍ତି  । ବୟସ୍କଙ୍କ ମଧ୍ୟରେ ୬୨ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇସାରିଛନ୍ତି, ସେହିପରି ୯୦ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇସାରିଛନ୍ତି  ।

ଆଗାମୀ ଦିନରେ ନୋଜାଲ ଭ୍ୟାକ୍ସିନ ମଧ୍ୟ ଦେଶରେ ଦିଆଯିବ  । ଭାରତୀୟ  ଭାବେ ବର୍ତ୍ତମାନ ଗର୍ବ କରିବାର ସମୟ ଆସିଛି, କାରଣ ଏକ କଠିନ ଭୌଗୋଳିକ ପରିସ୍ଥିତି ଭିତରେ ମଧ୍ୟ ଭାରତ ଟିକାକରଣରେ ଯଥେଷ୍ଟ ଆଗରେ ରହିଛି  । ପ୍ରତିଟି କ୍ଷେତ୍ରକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି  । ବୈଜ୍ଞାନିକ ଓ ଚିକିତ୍ସକଙ୍କ ମତ ଓ ପରୀକ୍ଷା ଅନୁଯାୟୀ ଟିକାକରଣର ସମୟସୀମା ଧାର୍ଯ୍ୟ କରାଯାଇଛି  । ଓମିକ୍ରନ ଡରାଉଛି  । କିନ୍ତୁ ଆମ ଭିତରେ ଗୁଜବ ସୃଷ୍ଟି ନହେଉ  । ଗୁଜବକାରୀଙ୍କୁ ବିଶ୍ୱାସ କରନ୍ତୁ ନାହିଁ  ।  ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ରହିବା ଦରକାର  ।  ପୂର୍ବରୁ ଯେଉଁଭଳି ଭାବେ ମାସ୍କ ପରିଧାନ କରୁଥିଲେ, ତାହାର ଆବଶ୍ୟକତା ପୁନର୍ବାର ଆସିଛି  । ହାତକୁ ବାରମ୍ବାର ଧୋଇବା ମଧ୍ୟ ଦରକାର ପଡ଼ିଛି  ।  ୨୦୨୧ର ଶେଷ ସପ୍ତାହରେ ଆମେ ପହଁଚିଛେ  । କିଛିଦିନ ପରେ ଆମେ ସମସ୍ତେ ୨୦୨୨କୁ ସ୍ୱାଗତ କରିବାକୁ ଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

କୋରନା ବିପକ୍ଷରେ ଦେଶ ଆଉ ଏକ ପାଦ ଆଗକୁ ଯାଇଛି  । ତୃତୀୟ ପ୍ରବାହକୁ ପ୍ରତିହତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି  । ଛୋଟ ପିଲାଙ୍କୁ ୨୦୨୨ରେ ଟିକାକରଣରେ ସାମିଲ କରାଯିବ  । ଜାନୁଆରୀ ୩ ତାରିଖରୁ ପିଲାଙ୍କୁ ଟିକା ଦିଆଯିବ  । ଫଳରେ ସ୍କୁଲ ଓ କଲେଜ ଆଦି ଯିବା ଦିଗରେ ଏହି ଭ୍ୟାକ୍ସିନ କାର୍ଯ୍ୟକାରୀ ହେବ  । ଦେଶକୁ ସର୍ବଦା ଏଭଳି ମହାମାରୀରୁ ମୁକ୍ତ କରିବାରେ ଶତ ଚେଷ୍ଟିତ ସମ୍ମୁଖ ଯୋଦ୍ଧା ଯଥା- ଡାକ୍ତର, ନର୍ସ, ସଫେଇ କର୍ମଚାରୀ ଆଦି ଅନ୍ୟାନ ବ୍ୟକ୍ତିଙ୍କୁ ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ ଦିଆଯିବ  । ସେହିଭଳି ଦେଶର ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ବୁଷ୍ଟର ଡୋଜ ଦିଆଯିବ  । ଏହି ବୟସର ବ୍ୟକ୍ତି ଏକାଧିକ ରୋଗରେ ପିଡ଼ୀତ ରହୁଛନ୍ତି  । ଫଳରେ କୋଭିଡ ସ୍ଥିତିରେ ସେମାନେ ଭୟଭୀତ ରହୁଛନ୍ତି  । ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ସରକାର ସମ୍ମୁଖ ଯୋଦ୍ଧାଙ୍କ ସହ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମଧ୍ୟ ବୁଷ୍ଟର ଡୋଜ ପ୍ରଦାନ କରାଯିବ  ।  ବଡ଼ଦିନ ତଥା ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମତିଥିରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଟ୍ରାକ ପାର ହେଉଥିଲେ ହାତୀପଲ, ମାଡ଼ି ଆସିଲା ଟ୍ରେନ୍..

ଟାଙ୍ଗି: ଟ୍ରେନ ଧକ୍କାରେ ଦନ୍ତା ହାତୀ ଗୁରୁତର । ଟାଙ୍ଗୀ ରେଞ୍ଜ ରେଂଜ୍ ଭୁଷଣ୍ଡପୁର ଉଗ୍ରତାରା ରେଳ ଫାଟକ ନିକଟରେ ଦନ୍ତାକୁ ପିଟିଲା ଟ୍ରେନ୍ । ହାତୀପଲ ରେଳ ଲାଇନ୍ ପାର୍ ହେଉଥିବା ବେଳେ ଘଟିଛି ଏଭଳି ଅଘଟଣ ।

ଆଗରେ ଟ୍ରେନ, ଟ୍ରାକରେ ହାତୀ  । ଯନ୍ତ୍ର ଆଗରେ ଜଙ୍ଗଲୀ ଜୀବ  । ମଣିଷ ଦେଖୁଛି, ହେଲେ ନିରୁପାୟ  । ଉଦ୍ଧାର ପାଇଁ ଭଗବାନଙ୍କୁ ଡାକୁଛି… ହଠାତ  ଟ୍ରେନ ଟ୍ରାକକୁ ଚାଲି ଆସିଲେ ହାତୀ ପଲ  । ଠିକ ସେତେକି ବେଳେ ବିପରୀତ ଦିଗରୁ ମାଡ଼ି ଆସୁଛି ଟ୍ରେନ  । ଆଉ ତା ପରର ଅବସ୍ଥା ଆପଣଙ୍କ ଆଗରେ…

ଖାଦ୍ୟ ଅନ୍ୱଷଣରେ ଜଙ୍ଗଲରୁ ଚାଲି ଆସିଛନ୍ତି ଏହି ହାତୀ ପଲ  । ରେଳ ଲାଇନ ପାର ହେଉଛନ୍ତି  । ପ୍ରଥମେ ଗୋଟିଏ ଦନ୍ତା ଲାଇନ ପାର ହେଉଛି  । ପରେ ପଛେ ପଛେ ସଭିଏଁ ଧାଉଁଛନ୍ତି  । କିନ୍ତୁ ସେତିକି ବେଳେ ବିପରୀତ ଦିଗରୁ ମାଡ଼ି ଆସିଥିଲା ଟ୍ରେନ  ।  ଦୂରରେ ଥିବା ଲୋକ ମୋବାଇଲରେ ଭିଡ଼ିଓ କରୁଛନ୍ତି  ।  ଏଭଳି ଘଟିବା ନେଇ କେହି ଆଶଙ୍କା କରିନଥିଲେ ବି ଭଗବାନ ଶାହା ବୋଲି ଚିତ୍କାର କରୁଛନ୍ତି ।

ଟାଙ୍ଗୀ  ରେଞ୍ଜ ଭୁଷଣ୍ଡପୁର ଉଗ୍ରତାରା ରେଳ ଫାଟକ ନିକଟରେ ଘଟିଛି ଏହି ଦୁର୍ଘଟଣା  । ହାତୀ ପଲ ରେଳ ଲାଇନ ପାର ହେଉଥିବାବେଳେ ଦନ୍ତାକୁ ପିଟିଲା ଟ୍ରେନ୍ । ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଏକ ଦନ୍ତା ହାତୀ ଆହତ ହୋଇଛି । ଖବର ପାଇଁ ଟାଙ୍ଗୀ ବନ ବିଭାଗ ଘଟଣା ସ୍ଥଳକୁ ବାହାରିଛି  ।

ଓମିକ୍ରନ୍ ଆତଙ୍କ ମଧ୍ୟରେ ଆଶ୍ୱସ୍ତିକର ଖବର, ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ କୋଭାକ୍ସିନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ଖେଳାଉଛି । ଭାରତରେ ମଧ୍ୟ ଓମିକ୍ରନ୍ ଦ୍ରୁତ ଗତିରେ ମାଡି ଚାଲିଛି । ଓମିକ୍ରନ୍ ଆତଙ୍କ ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଭାରତରେ ୧୨ରୁ ୧୮ ବର୍ଷ ପିଲାଙ୍କୁ କୋଭିଡ ଟିକା ଦିଆଯିବାକୁ ଅନୁମତି ମିଳିଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକା କୋଭାକ୍ସିନକୁ ଅନୁମିତ ଦିଆଯାଇଛି । ଏନେଇ ଭାରତ ବାୟୋଟେକୁ ଅନୁମିତ ଦେଇଛି DCGI ।

କୋଭାକ୍ସିନକୁ ଦ୍ୱିତୀୟ ଟିକା ଭାବେ ୧୮ ବର୍ଷରୁ କମ ବୟସ୍କଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ଭାରତ ସରକାର ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାକୁ ଛୋଟ ପିଲାମାନଙ୍କ ଉପରେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ୧୨ ଓ ତା’ ଠାରୁ ଅଧିକ ବୟସଙ୍କୁ ଜାୟଡସ କାଡିଲାର ଡିଏନଏ ଭିତ୍ତିକ ଟିକା ଦେବାକୁ ଗ୍ରୀନ ସିଗନାଲ ମିଳିଥିଲା । ଜାୟଡସ କାଡିଲା ପରେ ଏବେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଯୋଡ଼ି ହୋଇଛି।

ମହାନଦୀ କୂଳରେ ମିଶନ ଶକ୍ତି କାଫେ..

ସୁବର୍ଣ୍ଣପୁର: ଓଡିଶାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିକୁଡି ଛକ ମହାନଦୀ ବ୍ରିଜ ନିକଟରେ ମହିଳା ସ୍ବୟଂ ସହାୟକ ଗୋଷ୍ଟୀ ଦ୍ବାରା ପରିଚାଳିତ ଓଡିଶାର ପ୍ରଥମ ମିଶନ ଶକ୍ତି କାଫେକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଅର୍ଥ, ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଉଦଘାଟନ କରିଛନ୍ତି  ।

ମହାନଦୀ କୂଳରେ ଏକ ସୁନ୍ଦର ପରିବେଷରେ ଖୋଲା ଆକାଶ ତଳେ ଏହି କେଫେ ତିଆରି ହୋଇଥିବା ବେଳେ ଏଠାକୁ ଆସୁଥିବା ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକ ଏହି କେଫେରେ ଜଳଖିଆ, ଫାଷ୍ଟ ଫୁଡ ସାଙ୍ଗକୁ କଫି , ଚା କମ ମୂଲ୍ୟରେ ଖାଇ ପାରୁଛନ୍ତି  ।  ଏହା ସାଙ୍ଗକୁ ମହାନଦୀର ସୁନ୍ଦର ଦୃଶ୍ୟକୁ ମନଭରି ଉପଭୋଗ କରିପାରିବାର ସୁଯୋଗ ମିଳୁଛି । ଏହି କେଫେ ଟି ସଂମ୍ପୁର୍ଣ ଭାବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ହେବାକୁ ଥିବା ବେଳେ ମିଶନ ଶକ୍ତି ଦ୍ବାରା ରାଜ୍ୟରେ ପ୍ରଥମ ଏଭଳି କେଫେ କରାଯାଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି   ।

ଏପରିକି ଏହି କେଫେକୁ ଉଦଘାଟନ କରି ଜିଲ୍ଲାର ଉଭୟ ମନ୍ତ୍ରୀ ଏଠାରେ ଜଳଖିଆ ଖାଇବା ସାଙ୍ଗକୁ ମହାନଦୀର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ  । ଏହି କେଫେ ଦ୍ବାରା ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ତଥା ସ୍ଥାନୀୟ ଲୋକ ବେଶ୍ ଆନନ୍ଦ ପାଇ ପାରିବେ ତଥା ଏହାକୁ ପରିଚାଳା କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଟୀ ସ୍ବାବଲମ୍ବୀ ହୋଇ ପାରିବେ ବୋଲି କହିଛନ୍ତି ଉଭୟ ମନ୍ତ୍ରୀ  ।

୨୦୨୨କୁ ନେଇ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ,ଜାଣନ୍ତୁ ଭାରତରେ ଭାଇରସ ଆତଙ୍କର ଅନ୍ତକୁ ନେଇ କ’ଣ କହିଛନ୍ତି ?

ନୂଆଦିଲ୍ଲୀ: ୨୦୨୨ ଆସୁଛି । ତା’ ସହିତ ଶୁଭୁଛି ଓମିକ୍ରନର ପଦଧ୍ୱନୀ । ଏମିତିରେ ଓମିକ୍ରନ୍ ଭାରତରେ କେତେ ଆତଙ୍କ ସୃଷ୍ଟି କରିବ ? ଭାରତ ଓମିକ୍ରନ୍ ଆକ୍ରମଣରୁ ରକ୍ଷା ପାଇବ ନା ପୁଣି ଆଉ ଗୋଟିଏ କଠୋର ଲକଡାଉନ୍ ଭିତରେ ଜୀବନ ଓ ଜୀବିକା ହନ୍ତସନ୍ତ ହେବେ ? ଏହି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ବାବା ଭାଙ୍ଗା । ବିଶ୍ୱର ପ୍ରସିଦ୍ଧ ଅନ୍ଧ ଭବିଷ୍ୟବକ୍ତା । ୨୦୨୨ରେ ଭାରତର ଭବିଷ୍ୟତକୁ ନେଇ ବାବା ଭାଙ୍ଗା ଯାହା କହିଛନ୍ତି ତାହା ଡରାଇବା ଭଳି । ୨୨ରେ ଭୀଷଣ ଗରମ ସହିତ ଭାରତ ଭିତରକୁ ପଙ୍ଗପାଳ ପଶିଆସିବେ ବୋଲି କହିଛନ୍ତି ବାବା ଭାଙ୍ଗା । ଏହା ସହିତ ସୁନାମୀ, ଭାଇରସ ଓ ଭୂକମ୍ପ ଦେଶକୁ ଥରାଇ ଦେବ । ଆସନ୍ତୁ ଜାଣିବା ବାବା ଭାଙ୍ଗା ୨୨କୁ ନେଇ କ’ଣ କହିଛନ୍ତି…

ବାବା ଭାଙ୍ଗାଙ୍କ ଅନୁସାରେ ୨୦୨୨ରେ ଭାରତରେ ପ୍ରବଳ ଗରମ ଅନୁଭୂତ ହେବ । ଭାରତରେ ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବ ବୋଲି ସେ କହିଛନ୍ତି । ଏହା ସହ ଫସଲ ଉପରେ ପଙ୍ଗପାଳ ଆକ୍ରମଣ ହେବ ବୋଲି ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି । ଏହି ସବୁ କାରଣ ଫଳରେ ଭାରତରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହେବେ । ସେ ଆହୁରି କହିଛନ୍ତି କି ୨୦୨୨ରେ ଅଷ୍ଟ୍ରେଲିଆ ସମେତ ଅନେକ ଏସିଆ ଦେଶରେ ବନ୍ୟା ଆସିପାରେ ବୋଲି ପୂର୍ବାନୁମାନ କରିଛନ୍ତି ବାବା ଭାଙ୍ଗା ।

ଭାଇରସ୍ ଆକ୍ରମଣ, ସୁନାମୀ, ଭୂକମ୍ପ ହେବ

ବାବା ଭାଙ୍ଗାଙ୍କ ପୂର୍ବାନୁମାନ ଅନୁସାରେ କରୋନା ମହାମାରୀର ପ୍ରକୋପ ରହିବ । କେବଳ କରୋନା ନୁହେଁ, ନୂଆ ଭାଇରସର ଆକ୍ରମଣ ମଧ୍ୟ ହେବ । ସାଇବେରିଆରେ ଏକ ନୂଆ ଭାଇରସ୍ ଚିହ୍ନଟ ହେବ ଯାହା ସମଗ୍ର ମାନବଜାତି ପାଇଁ ବିପଦ ସୃଷ୍ଟି କରିବ । କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ବିଶ୍ୱର କିଛି ଦେଶରେ ଅଧିକ ତିବ୍ରତାର ଭୂକମ୍ପ ଅନୁଭୂତ ହେବ । ଯାହା ଫଳରେ ସୁନାମୀର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ ।

ବିଶ୍ୱ ପାନୀୟ ଜଳ ଅଭାବର ସମ୍ମୁଖୀନ ହେବ

ବାବା ଭାଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ ଆଗାମୀ ବର୍ଷରେ ପାନୀୟ ଜଳର ଅଭାବ ଦେଖାଯିବ । ନଦୀରେ ପ୍ରଦୂଷଣ ହେତୁ ପାନୀୟ ଜଳର ସମସ୍ୟା ଦେଖାଯିବ । ତେଣୁ ନୂତନ ଜଳ ଉତ୍ସ ଖୋଜିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ ବୋଲି ବାବା ଭାଙ୍ଗା ପୂର୍ବାନୁମାନ କରିଛନ୍ତି ।

ଅଣ୍ଡର-୧୯ ଏସିଆ କପ: ମହାମୁକାବିଲାରେ ହାରିଲା ଭାରତ, ପାକିସ୍ତାନ ଦୁଇ ଓ୍ୱିକେଟରେ ବିଜୟୀ

ଦୁବାଇ: ଅଣ୍ଡର-୧୯ ଏସିଆ କପରେ ଶନିବାର ଖେଳାଯାଇଥିଲା ମହାମୁକାବିଲା । ଶନିବାର ଅଣ୍ଡର-୧୯ ଏସିଆ କପରେ ଭାରତ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିଥିଲା । ଏହି ମ୍ୟାଚରେ ଭାରତକୁ ଦୁଇ ଓ୍ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ଏହ ମ୍ୟାଚକୁ ଜିତିବାକୁ ପାକିସ୍ତାନକୁ ଶେଷ ବଲରେ ଦରକାର ଥିଲା ଦୁଇ ରନ୍ । ଶେଷ ବଲରେ ପାକିସ୍ତାନ ଚାରି ମାରି ଏହି ମହାମୁକାବିଲାକୁ ନିଜ ନାମରେ କରିଥିଲେ ।

ଏହି ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୩୭ ରନରେ ଅଲଆଉଟ ହୋଇଥିଲା । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଶେଷରେ ଦମଦାର ବ୍ୟାଟିଂ ଫଳରେ ଭାରତ ୨୩୭ ରନ କରିପାରିଥିଲା । ୨୩୮ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିଲା ପାକିସ୍ତାନ । ତେବେ ଭାରତୀୟ ବୋଲର ଲଗାତର ବ୍ୟବଧାନରେ ଓ୍ୱିକେଟ ହାସଲ କରି ପାକିସ୍ତାନକୁ ବ୍ୟାକଫୁଟରେ ରଖିଥିଲା । କିନ୍ତୁ ଏହି ମ୍ୟାଚକୁ ଜିତି ପାରିନଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଭାରତକୁ ଦୁଇ ଓ୍ୱିକେଟରେ ପରାସ୍ତ କରିଥିଲା ପାକିସ୍ତାନ ।