ହାରିଛନ୍ତି ସେ, କିନ୍ତୁ ମରିନି ମନୋବଳ: ଅଷ୍ଟମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି

ଭଦ୍ରକ: ୬୦ ବର୍ଷୀୟ ବ୍ୟକ୍ତିଙ୍କ ନିର୍ବାଚନୀ ନିଶା । ୩୫ ବର୍ଷ ଧରି ପରାଜୟ ପରେ ବି ମରିନି ମନୋବଳ । ସାତ ସାତ ଥର ନିର୍ବାଚନ ମୈଦିନକୁ ଓହ୍ଲାଇଛନ୍ତି, ବାରମ୍ବାର ହାରୁଛନ୍ତି । ହେଲେ ହାର୍‌ମାନିନାହାନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣି ୱାର୍ଡମେମ୍ବର ପାଇଁ କରୁଛନ୍ତି ପ୍ରତିଦ୍ୱନ୍ଦ୍ୱିତା । ସେ ହେଉଛନ୍ତି ଭଦ୍ରକ ତିହିଡିର ୬୦ ବର୍ଷୀୟ ଅଶ୍ୱିନୀ ସେଠୀ ।

ନିର୍ବାଚନ ଲଢ଼ିବା ତାଙ୍କ ପାଇଁ ଏକ ନିଶା ।  ୩୫ ବର୍ଷ ହେଲା ୱାର୍ଡମେମ୍ବର ପାଇଁ ଲଗାତର ପ୍ରତିଦ୍ୱନ୍ଦ୍ୱିତା ସେ ଜାରି ରଖିଛନ୍ତି । ସାଇକେଲରେ ଗାଁ ଗାଁ ବୁଲି ପ୍ରଚାର ଚଳାଇଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ନିଜ ଗାଁର ୧୮ ନମ୍ବର ଓ୍ୱାର୍ଡ ଅମୃତପୁରରୁ ଶଗଡ଼ ଚିହ୍ନରେ ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି । ସବୁ ନିର୍ବାଚନରେ ପରାଜିତ ହେଉଥିଲେ ବି ନିଜକୁ ପରାଜିତ ସୈନିକ ନ ଭାବି ପ୍ରତିଦ୍ୱନ୍ଦ୍ୱିତା ଜାରି ରଖିଛନ୍ତି ଅଶ୍ୱିନୀ ସେଠୀ । କୌତୁହଳର କଥା ସବୁଥର ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢନ୍ତି କୌଣସି ଦଳରୁ ପ୍ରାର୍ଥୀ ହେବାକୁ ସେ ଘୃଣା କରନ୍ତି ।

୧୯୮୭ ମସିହାରୁ ପଞ୍ଚାୟତ ନିର୍ବାଚନରେ ସେ ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଯେ ପଛକୁ ଫେରି ଚାହୁଁ ନାହାନ୍ତି । ଏଥର ୨୦୨୨ ନିର୍ବାଚନରେ ଲୋକେ ତାଙ୍କୁ ଅନୁକମ୍ପାମୂଳକ ଭୋଟ୍ ଦେବାକୁ ଚାରିଆଡ଼େ ପ୍ରଚାର ଚାଲିଛି । ଦେଖାଯାଉ ଅଶ୍ୱିନୀଙ୍କ ଭାଗ୍ୟ କେବେ ଖୋଲୁଛି । ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ରାଜନୀତିକୁ ଆସିବା ମୂଳ ଲକ୍ଷ ବୋଲି ଅଶ୍ୱିନୀ କୁହନ୍ତି  ।

Leave a Reply