ଭାଲେଣ୍ଟାଇନ୍ସ ଡେ’: ପ୍ରେମ ଗଗନ ପରି ଅସୀମ ତୋ ଆଉ କେବେ ସାଗର ପରି ଗଭୀର

1 min read

ଭୁବନେଶ୍ୱର: ଆଜି ଭାଲେଣ୍ଟାଇନ୍ ଡେ । ପ୍ରେମ ପାଇଁ ଦିନ ଟିଏ । ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମ କ୍ଷମା, ପ୍ରେମ ଦୟା । ପ୍ରେମର ପରିଭାଷା ସଂଜ୍ଞା ହୀନ । କେବେ ଏହା ଗଗନ ପରି ଅସୀମ ତୋ ଆଉ କେବେ ସାଗର ପରି ଗଭୀର । ପ୍ରେମ ମାନେ’ ନା ବାଧା ବିଘ୍ନ । ପ୍ରେମ ସପ୍ତାହର ଶେଷ ଦିନ ବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହେଉଛି ଆଜି । ଅନ୍ୟ ସମସ୍ତ ଦିନକୁ କେହି ମାନନ୍ତୁ ବା ନ ମାନନ୍ତୁ ଭାଲେଣ୍ଟାଇନସ୍ ଡେ’ କୁ କିନ୍ତୁ ଅଧିକରୁ ଅଧିକାଂଶ ପ୍ରେମୀଯୁଗଳ ପାଳନ କରିଥାନ୍ତି ।

ପ୍ରେମ ଆଉ ଜୀବନ । ଜନ୍ମରୁ ହିଁ ଅବିଛେଦ୍ୟ ଆଉ ଚିରସତ୍ୟ । ବିଶ୍ୱାସର ବସାରେ ଜୀବନର ପରିପୂର୍ଣ୍ଣତା ହେଉଛି ପ୍ରେମ । ଜୀବନ ଅଛି ମାନେ ପ୍ରେମ ବି ଅଛି । ପ୍ରେମ ପରିବ୍ୟାପ୍ତ, ପ୍ରେମ ବିଶ୍ବାସ । କେବେ ସିଏ ଅନ୍ତର ଅନୁଭବର ପୁଣ୍ୟ ମନ୍ଦିର ଆଉ କେବେ ରାଗରୁଷା ଆଉ ଅଭିମାନର କଅଁଳ ଛୁଆଁ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ମନ ଖୋଜୁଥିବା ଆଶ୍ବସ୍ତିର ନାଁ ପ୍ରେମ । ସେ ମାନେନି ବୟସ, ଜାତି, ଧର୍ମ, ବର୍ଣ୍ଣ ବା ଧନୀଗରିବ । ପ୍ରେମ ଏକ ଭାବନା, ଏକ ସମର୍ପଣ, ହୃଦୟ ତଳର ଅସରନ୍ତି ଭାବର ସମ୍ମିଶ୍ରଣ ।

ଭାଲେଣ୍ଟାଇନ୍ସ ଡେ । ପାଶ୍ଚାତ୍ୟରୁ ଆରମ୍ଭ ପୃଥିବୀ ପରିବ୍ୟାପ୍ତ । ପ୍ରେମୀଯୁଗଳଙ୍କ ପ୍ରତୀକ୍ଷା ଆଉ ପ୍ରତିଶୁତିର ଦିନ । ଫଗୁଣର ସାତ ରଙ୍ଗରେ ରଙ୍ଗୀନ୍ ହୋଇ ମୁକ୍ତଆକାଶରେ ଉଡ଼ିବୁଲନ୍ତି ପ୍ରେମ ପକ୍ଷୀ । ସ୍ନେହ, ତ୍ୟାଗର ସଞ୍ଚାର ଆଉ ଅପାସୋରା ସ୍ମୃତିକୁ ସାଙ୍ଗରେ ଧରି ରୋମାଞ୍ଚିତ ହୋଇପଡେ ପ୍ରତିଟି ହୃଦୟ । ଗୋଲାପ ଦିଆନିଆରୁ ପ୍ରେମ ନିବେଦନ ଆଉ ତାପରେ ମନର ସାଥୀ ପାଇଁ ଟେଡି ଉପହାର । ମନ ଖୋଲା କଥା ସାଙ୍ଗକୁ ତାରା ଜହ୍ନ ଆଣିଦେବାର ହଜାରେ ପ୍ରତିଶ୍ରୁତି । ଆଲିଙ୍ଗନ ଆଉ ଚୁମ୍ବନ ପରେ ଲଭ୍ ଷ୍ଟେସନରେ ଅଟକେ ପ୍ରେମ ଗାଡ଼ି । ଫଗୁଣର ଏକ୍ସପ୍ରେସରେ ବସି ଭାଲେଣ୍ଟାଇନ୍ ଡେରେ ନିଜକୁ ହଜାଇ ଦିଅନ୍ତି ପ୍ରେମୀଯୁଗଳ ।

ଇତିହାସ ହେଉ କି କିମ୍ବଦନ୍ତୀ । ସବୁଥିରେ ସ୍ୱତନ୍ତ୍ର ସ୍ଥାନ ପାଇଛି ପ୍ରେମ । କେଦାର ଗୌରୀ ହୁଅନ୍ତୁ କି ହୀର ରାଞ୍ଝା, ସଲିମ ଅନାରକଲୀଙ୍କଠୁ ସାହାଜହାଁ-ମମତାଜ୍‌ଙ୍କୁ ପ୍ରେମ । ଏସବୁର ଉଦାହରଣ ପ୍ରେମୀଯୁଗଳଙ୍କ ପାଇଁ ପ୍ରେରଣା । ଏସବୁ ଭିତରେ ବି କେବେକେବେ ପ୍ରେମ ଲୁହ ବି ଦିଏ ।

Leave a Reply