spot_img
Home Blog Page 4720

ଓମିକ୍ରନ୍ ଚିହ୍ନଟ ପାଇଁ ପ୍ରଥମ କିଟ୍ ‘Omisure’କୁ ଅନୁମତି ଦେଲା ICMR

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ମାମଲା ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଓମିକ୍ରନ୍ ମାମଲା ବଢ଼ି ଚାଲିଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛି ଆଇସିଏମ୍ଆର୍ । ICMR ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର କିଟକୁ ମଞ୍ଜୁରି ଦେଇଛି । ଏହି କିଟକୁ ଟାଟା ମେଡିକାଲ ତିଆରି କରିଛି । ଯାହାର ନାମ ହେଉଛି ’Omisure’ ।

ସୂଚନା ଅନୁସାରେ ଟାଟା ମେଡିକାଲ ଦ୍ୱାରା ତିଆରି ହୋଇଥିବା ଏହି କିଟକୁ ୩୦ ଡିସେମ୍ବରରେ ମଞ୍ଜୁରି ମିଳିସାରିଥିଲା । ଯାହାର ସୂଚନା ଏବେ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ଦେଶରେ ଓମିକ୍ରନ ମାମଲା ଚିହ୍ନଟ କରିବା ପାଇଁ ଅନ୍ୟ ଏକ କିଟର ବ୍ୟବହାର କରାଯାଉଛି । ଏହି ମଲ୍ଟିପ୍ଲେକ୍ସ କିଟ୍ ଆମେରିକାର ଥର୍ମୋ ଫିସର ଦ୍ୱାରା ତିଆରି କରାଯାଇଛି । ତେବେ ବର୍ତ୍ତମାନ ଟାଟାର ଯେଉଁ କିଟକୁ ICMR ମଞ୍ଜୁରି ଦେଇଛି ଏହାର ନାମ ହେଉଛି TATA MD CHECK RT-PCR Omisure ଅଟେ ।

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ସାରା ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି । ତେବେ ଓମିକ୍ରନ କରୋନାର ଡେଲଟା ଓ ଡେଲଟା ପ୍ଲସ ଭାରିଆଣ୍ଟ ପରି ଭୟଙ୍କର ନୁହେଁ । କିନ୍ତୁ ଏହା ଦ୍ରୁତ ଗତରେ ମାଡି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ଭାରତରେ ମୋଟ ଓମିକ୍ରନ ସଂଖ୍ୟା ୧୮୯୨ରେ ପହଞ୍ଚିଛି । ସେଥିମଧ୍ୟରୁ ଦିଲ୍ଲୀରେ ୫୬୮ କେସ୍ ଚିହ୍ନଟ ହୋଇଥିବାବେଳେ ମୁମ୍ବାଇରେ ୩୮୨ କେସ୍ ଚିହ୍ନଟ ହୋଇଛି ।

 

ଭୁବନେଶ୍ୱର ଡିସିପି ଅଫିସରେ ଏକାଧିକ କରୋନା ଆକ୍ରାନ୍ତ, କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ବର ଡିସିପି ଅଫିସରୁ ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ । କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ଡିସିପି ଅଫିସରୁ ଏକାଧିକ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅଫିସ୍ ପରିସରକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ।

BMC Declared Bhubaneswar DCP Office As Covid Containment Zone

କୋଭିଡ୍ ପଜିଟିଭ୍ ଚିହ୍ନଟଙ୍କୁ ଘରେ ଆଇସୋଲେସନରେ ରହିବାକୁ କୁହାଯାଇଛି । କୌଣସି କର୍ମଚାରୀଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଲେ ବିଏମସିକୁ ଜଣାଇବ ଡିସିପି ଅଫିସ୍ । କୌଣସି ଜରୁରୀ ପରିସ୍ଥିତିରେ ବିଏମସିର କଣ୍ଟ୍ରୋଲ ରୁମ ନମ୍ବର ୭୮୪୭୮୭୩୦୪୦ କିମ୍ବା ୧୯୨୯ରେ ଯୋଗାଯୋଗ କରିବାକୁ ହେବ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଟିମରୁ କାହିଁକି ବାହାରିଲେ ବିରାଟ

ଜୋହାନ୍ସବର୍ଗ: ସୋମବାର ଜୋହାନ୍ସବର୍ଗର ୱାନଡର୍ସରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚର ପ୍ରଥମ ଦିନରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଫଳରେ ମାତ୍ର ୨୦୨ ରନ କରିଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଏକ ଓ୍ୱିକେଟ ବିନିମୟରେ ୩୫ ରନ କରିଛି । ତେବେ ଦ୍ୱିତୀୟ ମ୍ୟାଚ ଆରମ୍ଭରୁ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା । ଯାହା ଟିମ୍ ଇଣ୍ଡିଆର ସମସ୍ତ ପ୍ରଶଂସକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା, କାରଣ ଦ୍ଵିତୀୟ ମ୍ୟାଚରେ ବିରାଟ କୋହଲିଙ୍କ ବ୍ୟତୀତ କେ ଏଲ ରାହୁଲ ଟସ କରିବାକୁ ପଡିଆ ମଧ୍ୟକୁ ଆସିଥିଲେ । ଅର୍ଥାତ ଦ୍ଵିତୀୟ ମ୍ୟାଚରେ ବିରାଟ କୋହଲି ଚୂଡାନ୍ତ ଏକାଦଶରେ ନଥିଲେ।

ବିରାଟ କୋହଲି ଦ୍ଵିତୀୟ ମ୍ୟାଚରେ ନ ଖେଳିବାକୁ ନେଇ ଲୋକମାନେ ଟ୍ୱିଟରରେ ଅନେକ ପ୍ରଶ୍ନ ଉଠାଇଥିଲେ । ତେବେ ବିରାଟ କୋହଲି କାହିଁକି ଦ୍ୱିତୀୟ ମ୍ୟାଚ ଖେଳିଲେ ନାହିଁ ତାହା ଟସ୍ ସମୟରେ ସ୍ପଷ୍ଟ କରିଥିଲେ ରାହୁଲ। ଟସ୍ ସମୟରେ କେ.ଏଲ୍ ରାହୁଲ କହିଥିଲେ ଯେ ବିରାଟ କୋହଲିଙ୍କ ପିଠିରେ ଆଘାତ ଲାଗିଛି ଯାହା ଫଳରେ ସେ ଏହି ମ୍ୟାଚ୍‌ରେ ଖେଳୁ ନାହାଁନ୍ତି। ଆଶା କରୁଛୁ କି ସେ ପରବର୍ତ୍ତୀ ମ୍ୟାଚରେ ଫିଟ୍ ହେବେ ବୋଲି କହିଥିଲେ ରାହୁଲ। କିନ୍ତୁ ରାହୁଲଙ୍କ ଏହି ବୟାନକୁ ସହଜରେ ଗ୍ରହଣ କରିପାରୁନାହନ୍ତି ଟିମ ଇଣ୍ଡିଆର ପ୍ରଶଂସକ ।

ସୋସିଆଲ ମିଡିଆରେ ପ୍ରଶଂସକମାନେ ବିରାଟଙ୍କୁ ନେଇ ଭିନ୍ନ ଭିନ୍ନ ବିବୃତ୍ତି ରଖିଛନ୍ତି | ବିରାଟ କୋହଲି ଫର୍ମରେ ଚାଲୁ ନ ଥିବାରୁ ତାଙ୍କୁ ଚୂଡାନ୍ତ ଏକଦଶରୁ ବାହାର କରାଯାଇଛି ବୋଲି କିଛି ପ୍ରଶଂସକ ସୋସିଆଲ ମିଡିଆରେ ଲେଖିଛନ୍ତି। ତେବେ ଆଉ କିଛି ପ୍ରଶଂସକ ବିରାଟଙ୍କୁ ନେଇ ପ୍ରଶ୍ନ କରିଛନ୍ତି କି ସେ ଟ୍ରେନିଂ ଅଧିବେଶନରୁ ପୂର୍ବ ଦିନ ପର୍ଯ୍ୟନ୍ତ ଠିକ ଥିଲେ କିନ୍ତୁ ହଠାତ୍ ଏମିତି କ’ଣ ହେଲା ଯେ ତାଙ୍କୁ ଦଳର ଚୂଡାନ୍ତ ଏକଦଶରୁ ବାହାର କରିବାକୁ ପଡିଲା ?

 

ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି ବିରାଟଙ୍କ ପାଇଁ ଜୋହାନ୍ସବର୍ଗ ଟେଷ୍ଟ ଗୁରୁତ୍ୱପୂର୍ଣ୍ଣ ଥିଲା। କାହିଁକି ନା ଏହି ଟେଷ୍ଟ ବିରାଟଙ୍କ ପାଇଁ ୯୯ ତମ ଟେଷ୍ଟ ମ୍ୟାଚ ଥିଲା। ଏହି ସିରିଜର ଶେଷ ମ୍ୟାଚରେ ବିରାଟ ତାଙ୍କ ୧୦୦ ତମ ମ୍ୟାଚ ଖେଳିଥାନ୍ତେ। କିନ୍ତୁ ତାହା ଏବେ ହେଇପାରିବ ନାହିଁ । ଇତିହାସ ରଚିବା ପାଇଁ ବିରାଟଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ। ବିରାଟ କେବଳ ତାଙ୍କ ୧୦୦ ତମ ମ୍ୟାଚକୁ ଅପେକ୍ଷା କରିନାହାନ୍ତି ସେ ତାଙ୍କ ୭୧ ତମ ଶତକକୁ ମଧ୍ୟ ଅପେକ୍ଷା କରିଛନ୍ତି । ୨୦୧୯ ପରଠାରୁ ବିରାଟଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଦେଖିବାକୁ ମିଳିନାହିଁ । ଏପରି ସ୍ଥିତିରେ ବିରାଟ ୧୦୦ ତମ ଟେଷ୍ଟ ସହ ତାଙ୍କ ୭୧ ତମ ଶତକ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ଅପରାହ୍ଣରେ ସ୍ଥିତି ସମୀକ୍ଷା କରିବେ ନବୀନ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । କୋଭିଡ୍ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସ୍ଥିତିର ମୁକାବିଲା ପାଇଁ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ଣ ୫ଟାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ବସିବ ବୈଠକ ।  କରୋନା ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କ ସହ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେବେ ।

CM Naveen Patnaik To Review Covid19 Situation In Evening
FILE

ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ନିଆଯାଇଥିବା ପଦକ୍ଷେପ ନେଇ ଆଲୋଚନା ହେବ । ଜାନୁଆରୀ ମାସ ଆରମ୍ଭରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମ ୨ ଦିନ ୪୨୪ ଜଣ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୬୮୦ଟି ସଂକ୍ରମଣ ମାମଲା ଆସିଛି । ହଟସ୍ପଟରେ ରହିଛି ଖୋର୍ଦ୍ଧା ଜିଲ୍ଲା । ରାଜ୍ୟରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମଣ ମାମଲା ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ରାଜଧାନୀରୁ ଚିହ୍ନଟ ହେଉଛନ୍ତି ।

ଏଥିସହ ପଢ଼ନ୍ତୁ: ରାଜ୍ୟର ୨୩ ଜିଲ୍ଲାରୁ ୬୮୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ଏକ ତୃତୀୟାଂଶ ମାମଲା

ବାରହା ଶିକାର ପାଇଁ ବିଛା ଯାଇଥିବା ତାରରେ ଛନ୍ଦି ହୋଇ କଲରାପତରିଆର ମୃତ୍ୟୁ

ଆଠଗଡ଼: ଆଠଗଡ଼ରେ ବାଘ ଶିକାର । ବାରହା ପାଇଁ ପଡ଼ିଥିବା ଫାସରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଆଠଗଡ଼ ବନଖଣ୍ଡ ତିଗିରିଆ ବନାଞ୍ଚଳ ଭିରୁଡ଼ା ସୋରିଷ ପାଳ ପାହାଡ଼ ନିକଟରୁ ମିଳିଛି କଲରାପତରିଆ ବାଘର ମୃତଦେହ । ବାରହା ଶିକାର ପାଇଁ ବିଛା ଯାଇଥିବା ତାରରେ ଛନ୍ଦି ହୋଇ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Leopard Died In Cuttack Athagarh

ପୂର୍ବରୁ ଏ ଅଞ୍ଚଳରେ ବାରମ୍ବାର ଜଙ୍ଗଲି ଜନ୍ତୁ ଶିକାର କରା ଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ହରିଣ, ସମ୍ବର, ବାରହା ଏବଂ ଅନେକ ଜଙ୍ଗଲି ଜନ୍ତୁଙ୍କୁ ବିଦ୍ୟୁତ୍ ତାର ଏବଂ ବୋମା ଜରିଆରେ ଶିକାର କରି ଖୁଲମଖୁଲା ଭାବେ ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇ ଆସୁଛି ।

ରାଜ୍ୟର ୨୩ ଜିଲ୍ଲାରୁ ୬୮୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ଏକ ତୃତୀୟାଂଶ ମାମଲା

ଭୁବନେଶ୍ୱର: ବଢ଼ୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟର ୨୩ ଜିଲ୍ଲାରୁ ଆଉ ୬୮୦ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ମାସ ଆରମ୍ଭରୁ ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ୨ ଦିନ ହେଲା ୪୩୦ ଭିତରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ୭୦୦ ମୁହାଁ ହୋଇଛି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୯ ଜଣ ରହିଛନ୍ତି । ୩୯୭ଟି ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୮୩ଟି ମାମଲା ସ୍ଥାନୀୟ ସଂକ୍ରମଣ ।

କରୋନାର ହଟସ୍ପଟ୍ ଖୋର୍ଦ୍ଧା । ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୩୪ ଜଣ, ବରଗଡ଼ରୁ ୧୪ ଜଣ, ବଲାଙ୍ଗିରରୁ ୪ ଜଣ, କଟକରୁ ୫୯ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୧୨ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ୮ ଜଣ, କୋରାପୁଟରୁ ୯ ଜଣ, ମୟୂରଭଞ୍ଜରୁ ୮ ଜଣ, ନବରଙ୍ଗପୁରରୁ ୧୩ ଜଣ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୧୫ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪୨ ଜଣ, ସୋନପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୬୯ ଓ ଷ୍ଟେଟପୁଲରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି ପାଇଛି । ଏବେ ୨୮୮୮ଟି ମାମଲା ସକ୍ରିୟ ଥିବାବେଳେ ୧୦ ଲକ୍ଷ ୪୫ ହଜାର ୨୫୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସୀମାରେ ସମରସଜ୍ଜା: ଚୀନ ଠୁଳ କରିଛି ୬୦ ହଜାରରୁ ଅଧିକ ସୈନ୍ୟ, ଲଦାଖରେ ବଳ ବଢ଼ାଇଲା ଭାରତ

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡାରେ ଥରୁଛି ଦେଶ । ହେଲେ ସୀମାରେ ସ୍ଥିତି ଗରମ । ପୁଣି ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇପାରେ ବଡ଼ ଧରଣର ଉତ୍ତେଜନା । ପୂର୍ବ ଲଦାଖର ଏଲଏସି ନିକଟରେ ୬୦ ହଜାର ସୈନିକ ଠୁଳ କରିଛି ଚୀନଷ । ପ୍ରବଳ ବରଫପାତ ସତ୍ତ୍ୱେ ଚୀନର ଏହି ପଦକ୍ଷେପ ଭାରତ ଲାଗି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରତି ବଦଳରେ ଭାରତ ମଧ୍ୟ ଏଲଏସି ନିକଟରେ ସୈନ୍ୟ ଠୁଳ ପ୍ରକ୍ରିୟା ଆରମ୍ଭ କରିଛି । କିଛି ଦିନ ତଳେ ଚୀନ ନିଜର ଗ୍ରୀଷ୍ମକାଳୀନ ପ୍ରଶିକ୍ଷିତ ସୈନ୍ୟଙ୍କୁ ହଟାଇ ନେଇଥିଲା । ମାତ୍ର ଏବେ ପ୍ରବଳ ଶୀତ ସତ୍ତ୍ୱେ ସେଠାରେ ଚୀନ ନିଜ ସୈନ୍ୟ ଠୁଳ କରିଛି ।

60 Thousands Chinese Troops Deployed Near Indian Border In Ladakh

ଜବାବ ଦେବା ଲାଗି ସେଠାରେ ଭାରତୀୟ ସେନା ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଫର୍ମ ଫୋର୍ସ ମୁତୟନ କରିଛି । ସେଠାରେ ସେମାନେ ଲଦାଖ ଥିଏଟରର ୧୪ କୋରକୁ ସହାୟତା କରିବେ । ଏହାସହ ଭାରତୀୟ ସେନା ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ଏଲଏସିର ନିକଟତର ହୋଇଛି । ଯଦି ଆବଶ୍ୟକ ପଡ଼େ ତେବେ ଜରୁରୀକାଳୀନ ଭାବେ ଆଗକୁ ମାଡ଼ିବା ଲାଗି ରଣନୀତି ସ୍ଥିର ହୋଇଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଲାଗି ବାରମ୍ବାର ଉଦ୍ୟମ ହୋଇଥିବା ବେଳେ ଚୀନ ସବୁବେଳେ ନିୟମର ଉଲ୍ଲଂଘନ କରୁଛି । ସୀମା ସୁରକ୍ଷା ନେଇ ଗତ ଜାନୁଆରୀ ୧ ତାରିଖରୁ ଚୀନ ନୂଆ ଆଇନ୍ ବଳବତ୍ତର କରିଥିବା ବେଳେ ଏହାକୁ ନେଇ ଭାରତ ଚିନ୍ତାବ୍ୟକ୍ତ କରିଥିଲା ।

ପୁଣି ଥରେ ଏଲଏସିରେ ସୈନ୍ୟ ମୁତୟନ କରି ଚୀନ ଏକ ଷଡ଼ଯନ୍ତ୍ର କରୁଥିବା ସ୍ପଷ୍ଟ ହୋଇଛି । ସେପଟେ ଲଦାଖ ଅନ୍ତର୍ଗତ ଏଲଏସିର ୩୦ କିଲୋମିଟର ଦୂରରେ ଅବସ୍ଥିତ ପ୍ୟାଙ୍ଗୋଗ ହ୍ରଦରେ ଚୀନ ଏକ ପୋଲ ତିଆରି କରୁଛି । ଯାହା ସୈନ୍ୟ ଚଳପ୍ରଚଳ କ୍ଷେତ୍ରରେ ସହାୟକ ହେବ । ସେହିପରି ଏହି ହ୍ରଦ ନିକଟସ୍ଥ ଦୌଲତ ବେଗ୍ ଓଲଡି ଅଞ୍ଚଳରେ ଚୀନ ରାସ୍ତା ନିର୍ମାଣ କାର୍ଯ୍ୟ କରିଚାଲିଛି, ଯାହାକୁ ଭାରତ ବିରୋଧ କରୁଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋଭିଡ୍ ସଂକ୍ରମିତ

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋଭିଡ୍ ସଂକ୍ରମିତ ହୋଇଥିବା ନେଇ କେଜ୍ରିୱାଲ୍ ନିଜେ ଟ୍ୱିଟ୍ କରିଛନ୍ତି । ତାଙ୍କ ଠାରେ କୋଭିଡର ସ୍ୱଳ୍ପ ଲକ୍ଷଣ ରହିଛି । ଘରେ ଆଇସୋଲେସନରେ ରହିଛନ୍ତି କେଜ୍ରିୱାଲ । ବିଗତ କିଛିଦିନ ମଧ୍ୟରେ ତାଙ୍କ ସହ ମିଶିଥିବା ଲୋକ ତୁରନ୍ତ କୋଭିଡ୍ ପରୀକ୍ଷା କରାଇ କ୍ୱାରେଣ୍ଟାଇନରେ ରହିବାକୁ କେଜ୍ରିୱାଲ କହିଛନ୍ତି ।

ସୋମବାର ଆମ୍ ଆଦମୀ ପାର୍ଟିର ଆବାହକ କେଜ୍ରିୱାଲ ଉତ୍ତରାଖଣ୍ଡରେ ଜନସଭା କରିଥିଲେ । ଆଗକୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଥିବାବେଳେ ଡେରାଡୁନରେ ଲୋକଙ୍କୁ ସମ୍ବୋଧନ କରିଥିଲେ । ଦିଲ୍ଲୀର କୋଭିଡ୍ ସ୍ଥିତି ନେଇ ଆଜି ଡିଡିଏମ୍ଏର ବୈଠକ ବସିବ । ଯେଉଁଥିରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ସାମିଲ୍ ହେବାର ଥିଲା ।

ଗତ ୨ ସପ୍ତାହ ହେଲା ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪ ହଜାର ୯୯ଟି କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲେ । ଦିଲ୍ଲୀରେ କୋଭିଡ୍ ପଜିଟିଭ୍ ରେଟ୍ ୬.୪୬ ପ୍ରତିଶତ ରହିଛି ।

ଏକାଠି ହେବେ କି ଡିମ୍ପଲ୍-ସୁମିତ୍ ? ଆଜି ଆସିବ ରାୟ

ବ୍ରହ୍ମପୁର: ୪୪ ଦିନ ପରେ ଧାରଣାରୁ ଉଠିବେ କି ଡିମ୍ପଲ୍ ? ଏକାଠି ହେବେ କି ଡିମ୍ପଲ୍-ସୁମିତ୍ ? ନୂଆ ବର୍ଷରେ ନିର୍ଣ୍ଣାୟକ ହେବ କି ଡିମ୍ପଲ ସୁମିତ୍ ଦାମ୍ପତ୍ୟ ମାନ ଅଭିମାନ ? କେଉଁଠି ରହିବେ ଡିମ୍ପଲ ? ଏନେଇ ଆଜି ଆସିବ ଗୁରୁତ୍ୱପୂର୍ଣ୍ଣ ରାୟ । ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିବେ ଜିଲ୍ଲା ଓ ଦୌରା ଜଜ୍ । ମାମଲାର ଶୁଣାଣି ସରିଥିବା ବେଳେ ରାୟ ସଂରକ୍ଷିତ ରହିଛି । ଆଜି ସୁମିତ ଓ ଡିମ୍ପଲଙ୍କ ଜୀବନର ଭାଗ୍ୟ ନିର୍ଦ୍ଧାରଣ କରିବେ କୋର୍ଟ । ରାୟ କାହା ସପକ୍ଷରେ ଯିବ ତାହା ଉପରେ ଏବେ ସଭିଙ୍କ ନଜର ରହିଛି ।

 Court Will Give Verdict On Sumit Dimple Marital Discord

ଶ୍ୱଶୁର ଘରକୁ ଯିବା ଦାବିରେ ଦେଢ ମାସରୁ ଅଧିକ ଦିନ ହେଲା ଶ୍ବଶୁର ଘର ଆଗରେ ଧାରଣାରେ ବସିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ବୋହୂ ଡିମ୍ପଲ୍ । ଶ୍ୱଶୁର ଘରକୁ ଯିବା ଜିଦରେ ଡିମ୍ପଲ୍ ଅଟଳ ଥିବା ବେଳେ ସ୍ତ୍ରୀକୁ ଗ୍ରହଣ କରିବାକୁ ରାଜି ନାହାନ୍ତି ସୁମିତ୍ ଓ ପରିବାର ଲୋକ । ତପସ୍ବିନୀଙ୍କୁ ଭଡ଼ା ଘରେ ରଖି ସମସ୍ତ ଦାୟିତ୍ୱ ବହନ କରିବା ନିମନ୍ତେ ଏସଡିଜେଏମ୍ କୋର୍ଟ ଦେଇଥିବା ଆଦେଶକୁ ଚାଲେଞ୍ଜ କରିଛନ୍ତି ସୁମିତଙ୍କ ଓକିଲ । ସେପଟେ ତପସ୍ୱିନୀଙ୍କୁ ଚଳିବା ଏବଂ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ଆବେଦନ ଖାରଜ ପରେ ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ୱିନୀଙ୍କ ଓକିଲ ।

 Court Will Give Verdict On Sumit Dimple Marital Discord

ଏହା ଭିତରେ ଆଜି କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି । ସେପଟେ ପୁଣି ଏକ ଭିଡିଓ ଛାଡ଼ିଛନ୍ତି ଡିମ୍ପଲ । ଏଥିରେ ତାଙ୍କ ଶ୍ୱଶୁର ଗେଟ୍ ପାଖରେ ଠିଆ ହୋଇ ଗ୍ୟାସ ସିଲିଣ୍ଡର ନେଉଛନ୍ତି । ପୁଣି ଗ୍ରୀଲରେ ଚାବି ଦେଇ ଭିତରକୁ ଚାଲି ଯାଉଛନ୍ତି । ଏହି ଭିଡିଓ ଛାଡ଼ି ଡିମ୍ପଲ୍ କହିଛନ୍ତି, ତାଙ୍କ ଶ୍ୱଶୁର ଏବଂ ପରିବାର ଲୋକ ଗୃହବନ୍ଦୀ ହୋଇନାହାନ୍ତି । ଅନ୍ୟ ଲୋକ ମାନେ ମଧ୍ୟ ଘର ଭିତରକୁ ଯିବା ଆସିବା କରୁଛନ୍ତି ।

୫ ଦିନରେ ପଞ୍ଜିକରଣ କଲେଣି ୨୦୦୫ ଜଣ ବିଦ୍ୟାର୍ଥୀ ଓ ୮୨୬ ଜଣ କୋଚ୍

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଲାଗି କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯାଇଛି । ଯେଉଁଥିରେ ଯୁବବର୍ଗଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ୨୯ ଡିସେମ୍ବର ୨୦୨୧ରୁ ଆରମ୍ଭ ହୋଇଥିବା କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଜାନୁଆରୀ ୧୫ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଲାଗି ବର୍ତ୍ତମାନ ସୁଦ୍ଧା ୨୦୦୫ ଜଣ ବିଦ୍ୟାର୍ଥୀ ଏବଂ ୮୨୬ ଜଣ କୋଚ୍ ନିଜର ନାମ ପଞ୍ଜିକରଣ କରିସାରିଛନ୍ତି ।

କ୍ରୀଡ଼ା ପ୍ରତି ଯୁବ ବର୍ଗଙ୍କ ମଧ୍ୟରେ ରୁଚି ଓ ବଢୁଥିବା ଆଗ୍ରହକୁ ଦେଖି ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ୧୦ ହଜାର ପାର କରିଯାଇଥିବ ବୋଲି ବିଭାଗ ଆଶା ରଖିଛି । କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତରେ ରାଜ୍ୟରୁ ଅଧିକ ମାତ୍ରାରେ କ୍ରୀଡ଼ା ତାରକା ସୃଷ୍ଟି ଲକ୍ଷ୍ୟରେ ବିଭାଗ ପକ୍ଷରୁ ୮ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଛି I କ୍ରୀଡ଼ା ପ୍ରତି ରୁଚି ରଖିଥିବା ବିଦ୍ୟାର୍ଥୀ ଏବଂ କୋଚ www.department.sportsodisha.gov.in ମାଧ୍ୟମରେ ନିଜର ନାମ ପଞ୍ଜିକରଣ କରିପାରିବେ ।

କ୍ରୀଡ଼ା ଶିକ୍ଷକ/ପ୍ରଶିକ୍ଷକ ମାନେ ନିଜ ନାମ ପଞ୍ଜିକରଣ କରାଇ ଓଡ଼ିଶା ପାଇଁ ଭବିଷ୍ୟତର କ୍ରୀଡ଼ା ତାରକା ଅନ୍ୱେଷଣ କରିବା କାର୍ଯ୍ୟରେ ସରକାରଙ୍କ ସହଭାଗୀ ହେବାକୁ ବିଭାଗ ନିବେଦନ କରିଛି । ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ । ଏହି ଚୟନ ପ୍ରକ୍ରିୟାରେ ଉତୀର୍ଣ୍ଣ ପ୍ରତିଭାମାନେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଛାତ୍ରାବାସ କିମ୍ବା ଛାତ୍ରାବାସ ବାହାରେ ରହି ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଶୃଙ୍ଖଳାରେ ପ୍ରଶିକ୍ଷଣ ଲାଭ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।