୨୦୧୭ ତୁଳନାରେ ୨୦୨୨ରେ ୫ ରାଜ୍ୟ ନିର୍ବାଚନରେ ବଢ଼ିଛି ଟଙ୍କା ସହ ମଦ କାରବାର

1 min read
More than Rs 1000 crores worth seizures have been done during ongoing elections in 5 States

ନୂଆଦିଲ୍ଲୀ: ଭାରତରେ ହୁଏ ବିଶ୍ୱର ସବୁଠୁ ବଡ଼ ନିର୍ବାଚନ । ଲୋକ ବାଛନ୍ତି ଜନ ପ୍ରତିନିଧି । ଦିନକୁ ଦିନ ନିର୍ବାଚନ ଅଧିକ ପ୍ରତିଦ୍ୱନ୍ଦ୍ୱିତା ମୂଳକ ହେଉଥିବା ବେଳେ ହିଂସା ବି ବଢ଼ୁଛି । ହିଂସା ସହ ନିର୍ବାଚନରେ ଟଙ୍କା, ମଦ ସହ ଅନ୍ୟ ଦ୍ରବ୍ୟ ବଣ୍ଟନ ବଢ଼ିଥିବା ନିର୍ବାଚନ କମିଶନ ଜାରି କରିଥିବା ଜବତ ରିପୋର୍ଟରୁ ଜଣାପଡ଼ିଛି ।

୨୦୧୭ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହୋଇଥିଲା । ୨୦୨୨ରେ ବି ଏହି ୫ ରାଜ୍ୟରେ ବିଧାନସଭା ଲାଗି ମତଦାନ ହୋଇଛି । ହେଲେ ୫ ବର୍ଷ ତଳେ ୫ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଜବତ ରାଶି ଏବେ ୨୯ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୭ରେ ମୋଟ ୨୯୯.୮୪ କୋଟି ଟଙ୍କା ଓ ସାମଗ୍ରୀ ଜବତ ହୋଇଥିବା ବେଳେ ୨୦୨୨ରେ ଆଜି ସୁଦ୍ଧା ୧୦୧୮.୨୦ କୋଟି ଟଙ୍କା ଓ ସାମଗ୍ରୀ ଜବତ କରାଯାଇଛି ।

ଏସବୁ କ୍ଷେତ୍ରରେ ସବୁଠୁ ଆଗରେ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ସବୁଠୁ ଆଗରେ ରହିଛି । ୨୦୧୭ରେ ୟୁପିରୁ ସର୍ବମୋଟ ୧୯୩.୨୯ କୋଟି ମୂଲ୍ୟର ସାମଗ୍ରୀ ଜବତ ହୋଇଥିଲା । ଚଳିତ ୨୦୨୨ ନିର୍ବାଚନରେ ଏହା ୩୦୭.୯୨ କୋଟିକୁ ବୃଦ୍ଧି ପାଇଛି । ଫେବ୍ରୁଆରୀ ୨୫ ସୁଦ୍ଧା ୟୁପିରେ ୯୧.୩୦ କୋଟି ଟଙ୍କା, ୫୪.୦୮ କୋଟି ମୂଲ୍ୟର ମଦ, ୩୮.୩୨ କୋଟି ମୂଲ୍ୟର ମୂଲ୍ୟବାନ ଧାତୁ, ୮୧.୦୩ କୋଟି ଟଙ୍କାର ମାଗଣା ବିତରଣ ସାମଗ୍ରୀ ଜବତ କରାଯାଇଛି ।

ସେହିଭଳି ୟୁପି ପରେ ଜବତ ତାଲିକାର ଦ୍ୱିତୀୟରେ ରହିଛି ପଞ୍ଜାବ । ଏଠି ବି ୨୦୧୭ ତୁଳନାରେ ୨୦୨୨ରେ ଜବତ ଟଙ୍କା ଓ ସାମଗ୍ରୀର ମୂଲ୍ୟ ବେଶ୍ ବଢ଼ିଛି । ୨୦୧୭ରେ ୟୁପିରେ ମୋଟ ୮୯.୬୪ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା । ୨୦୨୨ରେ ପଞ୍ଜାବରୁ ୫୧୦.୯୧ କୋଟି ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି । ସେହିଭଳି ଗୋଆ, ମଣିପୁର, ଉତ୍ତରାଖଣ୍ଡରେ ମଧ୍ୟ ୨୦୧୭ ତୁଳନାରେ ୨୦୨୨ରେ ଜବତ ରାଶି ବଢ଼ିଛି ।

କେଉଁ ରାଜ୍ୟରୁ କେତେ ଜବତ ?

୨୦୧୭ ନିର୍ବାଚନରେ ଗୋଆରେ ୩.୬୪ କୋଟି ମୂଲ୍ୟର ସାମଗ୍ରୀ ଜବତ ହୋଇଥିଲା । ୨୦୨୨ରେ ୧୨.୭୩ କୋଟି ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି । ମଣିପୁରରେ ୨୦୧୭ରେ ୬.୪୨ କୋଟି ମୂଲ୍ୟର ସମ୍ପତ୍ତି ଜବତ କରାଯାଇଥିବା ବେଳେ ୨୦୨୨ରେ ୧୬୭.୮୩ କୋଟି ମୂଲ୍ୟର ସମ୍ପତ୍ତି ଜବତ ହୋଇଛି । ସେହିଭଳି ଉତ୍ତରାଖଣ୍ଡରେ ୨୦୧୭ରେ ୬.୮୫ କୋଟି ମୂଲ୍ୟର ସମ୍ପତ୍ତି ଜବତ ହୋଇଥିବା ବେଳେ ୨୦୨୨ରେ ୧୮.୮୧ କୋଟି ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି । ୫ ବର୍ଷକୁ ଥରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ପ୍ରତି ନିର୍ବାଚନରେ ଜବତ ରାଶିର ପରିମାଣ ବଢ଼ିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

Leave a Reply