‘ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରେସମିଟ୍ କରୁଛନ୍ତି ରାଜ୍ୟ ବିଜେପି ସଭାପତି’

ଭୁବନେଶ୍ୱର: ବିଜେପି ସାମ୍ବାଦିକ ସମ୍ମିଳନୀର କଡ଼ା ଜବାବ ରଖିଲା ବିଜେଡି। ପଞ୍ଚାୟତ ଫଳାଫଳକୁ ନେଇ ଭୟରେ ବିଜେପି। ବିଜେପି ନେତା ଓ କର୍ମୀ ଅତ୍ୟନ୍ତ ଭାବେ ଭାଙ୍ଗିପଡିଛନ୍ତି, ଦୁଃଖିତ ଅଛନ୍ତି । ସେମାନେ ଜାଣିଛନ୍ତି ଆସନ୍ତାକାଲି ଭୋଟ ଗଣତିରେ ହାର ହେବାକୁ ଯାଉଛି। ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କେବଳ ଆଇ ମାଆ କାହାଣୀ ଗପିଲେ । ସେ ହୁଏ ତ ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବୋଧେ ସାମ୍ବାଦିକ ସମିଳନୀ କରିଛନ୍ତି। ପୌର ନିର୍ବାଚନରେ ବିଜେପିର ହାର ହେବ। ଓଡ଼ିଶା ଲୋକ ଜାଣିଛନ୍ତି କିଏ କାମ କରୁଛି। ସାଢେ ଚାରିକୋଟି ଓଡ଼ିଶାବାସୀ ପୁଣି ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେବ ।

ସୂଚନା ଯୋଗ୍ୟ ଯେ, ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।

ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବେ । ମାର୍ଚ୍ଚ ୨ରୁ ୭ ତାରିଖ ଯାଏ ହେବ ନାମାଙ୍କନ । ଛୁଟିଦିନରେ ବି ନାମାଙ୍କନ ପତ୍ର ଦାଖଲ କରି ହେବ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ ।

୨୬ ତାରିଖର ମତଗଣନା ସହ ଫଳାଫଳ ଘୋଷଣା ହେବ । ଡେପୁଟି ମେୟର ନିର୍ବାଚନ ଏପ୍ରିଲ୍ ୪ରେ, ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ୍ ୭ରେ କରାଯିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ୨ଟି ସତ୍ୟପାଠ ଦାଖଲ କରିବେ । ପ୍ରଥମ ସତ୍ୟପାଠରେ ପ୍ରାର୍ଥୀ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ତଥ୍ୟ ଦେବେ । ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଓ ୨ଟିରୁ ଅଧିକ ଛୁଆ ନଥିବା ସୂଚନା ଦେବେ ।

ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ରହିବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ।

ସେଥିରୁ ଗୋଟିଏ କର୍ପୋରେଟର/କାଉନସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । କର୍ପୋରେଟର/କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ବ୍ୟବସ୍ଥା କରାଯିବ । ଏତଦବ୍ୟତୀତ ଭୋଟରମାନଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନ୍‌ସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଓ ଅଧକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବ ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ନବୀନଙ୍କ ବଡ଼ ପଦକ୍ଷେପ

Leave a Reply