spot_img
Home Blog Page 4717

ହେବ ନାହିଁ ରଣଜୀ ମ୍ୟାଚ, କାଳ ସାଜିଲା କୋଭିଡ୍

ନୂଆଦିଲ୍ଲୀ: କ୍ରୀଡା ଜଗତ ଉପରେ କରୋନାର କାଳ ନଜର । ଚଳିତବର୍ଷ ରଣଜୀ ମ୍ୟାଚ ବାତିଲ କରିଛି BCCI । ସିକେ ନାଇଡୁ ଟ୍ରଫି, ସିନିୟର ମହିଳା T20 ଲିଗ୍‌ ବାତିଲ କରାଯାଇଛି । ଦେଶରେ କୋଭିଡ ସଂକ୍ରମଣ ବଢୁଥିବାରୁ ଏହାକୁ ଆଖି ଆଗରେ ରଖି ମ୍ୟାଚ୍ ବାତିଲ କରିବା ନିର୍ଦ୍ଦେଶ ଦେଇଛି BCCI ।ଟ

ସୂଚନା ମୁତାବକ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାର ଥିଲା ରଣଜୀ ମ୍ୟାଚ  ।  କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ସାଙ୍ଗକୁ ଓମିକ୍ରନ ଏବେ ଆତଙ୍କ ଖେଳାଇଛି  । ଦିଲ୍ଲୀ- ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ନିଷ୍ପତ୍ତି ନେଇଛି  ।

ପୁଅ ମୃତ୍ୟୁରେ ମା’ ଖୁସି

ନିଜ ୬ ବର୍ଷୀୟ ପୁଅ ମୃତ୍ୟୁରେ ଖୁସି ଅଛନ୍ତି ଜନ୍ମକଲା ମା’ । ପୁଅର ମୃତ୍ୟୁରେ ଜନ୍ମକଲା ମା’ ଖୁସି ହେବା କଥା ଶୁଣି ଆପଣଙ୍କୁ ନିଶ୍ଚିୟ ଆଶ୍ଚର୍ଯ୍ୟ ଲାଗୁଥିବ । ଗତ ଶନିବାର ନିଜ ଇନଷ୍ଟାଗ୍ରାମରେ ହ୍ୱିଟନି ଫାଷ୍ଟ ନାମକ ଜଣେ ମହିଳା ନିଜ ପୁଅର ଫଟୋ ଗୁଡ଼ିକୁ ଭିଡିଓ କରି ପୁଅର ମୃତ୍ୟୁ ସୂଚନା ଦେଇଥିଲେ । ପୁଅ ଶଯ୍ୟାଶାୟୀ ଥିବାରୁ ଜନ୍ମରୁ ହିଁ ଅନେକ ଯନ୍ତ୍ରଣା ପାଉଥିଲେ ଏବଂ ଶରୀର ଅସୁସ୍ଥତା କାରଣରୁ ତା’ର ମୃତ୍ୟୁ ହୋଇଯାଇଥିଲା । ଏଭଳି ଅବସ୍ଥାରେ ନିଜ ପୁଅର କଷ୍ଟ ମା’ ଦେଖିପାରୁନଥିଲେ । ପୁଅ ଚାଲିଗଲା ପରେ ମ୍ରିୟମାଣ ହୋଇ ସେ ଲେଖିଥିଲେ ଯେ ନିଜ ସନ୍ତାନ ମୃତ୍ୟୁରେ ମୁଁ ଖୁବ୍ ଦୁଃଖିତ । ଏତେ କମ୍ ବୟସରେ ତା’ର ମୃତ୍ୟୁ ମୁଁ ଗ୍ରହଣ କରିପାରୁନି ମାତ୍ର ଏଭଳି ଯନ୍ତ୍ରଣାରୁ ମୋ ପୁଅ ମୁକ୍ତି ପାଇଥିବାରୁ ମୁଁ ଖୁସି ଅଛି ।

‘ଦି ସନ୍’ର ରିପୋର୍ଟ ମୁତାବକ ହ୍ୱିଟନିଙ୍କ ଇନଷ୍ଟାଗ୍ରାମରେ ୧୭ ଲକ୍ଷ ଫଲୋଅର ଥିବାବେଳେ ହେରିସନ୍ ନାମକ ତାଙ୍କର ୬ ବର୍ଷୀୟ ପୁଅ ଇନଫୋଟାଇଲ ନ୍ୟୁରୋଏକ୍ସୋନଲ ଡିଷ୍ଟୋଫି ନାମକ ରୋଗରେ ପୀଡ଼ିତ ଥିଲେ । ଅନେକ ଦିନ ଧରି ହେରିସନଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖିବାକୁ ମିଳିନଥିଲା । ଏଭଳି ରୋଗର କୌଣସି ଚିକିତ୍ସା ନାହିଁ ବୋଲି ନ୍ୟାସନାଲ ଇନଷ୍ଟୁଚ୍ୟୁଟ୍ ଅଫ୍ ନ୍ୟରୋଲୋଜିକାଲ ଡିଜଅର୍ଡର ସୂଚନା ଦେଇଛି । ହେରିସନ୍ ଆଜି ଅପରାହ୍ନ ୩:୩୫ରେ ପ୍ରାଣ ହରାଇଥିବା ବେଳେ ସମସ୍ତ ପରିବାରକୁ ଖୁବ୍ ଶୀଘ୍ର ଛାଡ଼ି ଚାଲିଯାଇଥିବା କଥା ହ୍ୱିଟନି ଲେଖିଛନ୍ତି ।

 

ଶ୍ୱଶୁର କହିଲେ ତଳଘରେ ଜାଗା ନାହିଁ, ଡିମ୍ପଲ କହୁଛନ୍ତି ବେଡ ରୁମରେ ରହିବି

ବ୍ରହ୍ମପୁର: କୋର୍ଟଙ୍କ ରାୟ ପରେ ମଧ୍ୟ ବାହାରୁ ନାହିଁ ସମାଧାନର ବାଟ । ପୁଣି ସୁମିତ ଓ ଡିମ୍ପଲଙ୍କ ଭିତରେ ଅଟକିଛି କେଁ । ଡିମ୍ପଲଙ୍କ ଜିଦ୍, ସ୍ୱାମୀ ସୁମିତ୍‌ଙ୍କ ସହ ବେଡ୍‌ରୁମ୍‌ରେ ରହିବେ । ସେପଟେ ଶ୍ୱଶୁର ଘର ଲୋକ ଉପରମହଲାରେ ରହିବାକୁ ଅନୁମତି ଦେଇଛନ୍ତି । ଏଥିସହ ଦୁଇଦିନର ସମୟ ମଧ୍ୟ ମାଗିଛନ୍ତି ସୁମିତଙ୍କ ପରିବାର । ଆଜି ଡିମ୍ପଲ ଶ୍ୱଶୂର ଘରେ ରହିବାକୁ ଜିଲ୍ଲା ଦୌରାଜଜ୍ ରାୟ ଦେବା ପରେ ପୋଲିସ ଓ ମାଜିଷ୍ଟ୍ରେଟ ସୁମିତଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

ଯଦିଓ କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ଶ୍ବଶୂର ଘର ଲୋକ ଡିମ୍ପଲଙ୍କୁ ରଖିବାକୁ ରାଜି ହୋଇଥିଲେ, ମାତ୍ର ଉପରମହଲାରେ ରଖିବାକୁ ଉପସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ । ହେଲେଶ୍ୱଶୁରଘର ଲୋକଙ୍କ ଏ ସର୍ତ୍ତରେ ରାଜି ହୋଇନାହାନ୍ତି ଡିମ୍ପଲ । କହିଛନ୍ତି, ଉପରମହଲା ରହିବା ଯୋଗ୍ୟ ନୁହେଁ । ଏପରିକି ପ୍ରଶାସନିକ ଅଧିକାରୀ ମଧ୍ୟ ଉପରଘର ରହିବା ଯୋଗ୍ୟ ନୁହେଁ ବୋଲି ଜଣାଇଥିବା କହିଛନ୍ତି ଡିମ୍ପଲ । ସେପଟେ ସୁମିତଙ୍କ ବାପା ଓ ତାଙ୍କ ଓକିଲ କହିଛନ୍ତି ତଳେ ରହିବାକୁ ଜାଗା ନାହିଁ । ଏଣୁ ତାଙ୍କୁ ଉପର ଘରେ ରହିବାକୁ କୁହାଯାଇଛି ।

ତେବେ କୋର୍ଟଙ୍କ ରାୟ ବିରୋଧରେ ସେ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି କହିଛନ୍ତି । ପ୍ରାୟ ଦେଢ ମାସ ଧରି ପିଣ୍ଡା ଓ ବାରଣ୍ଡାରେ ଧାରଣା ଦେବାପରେ ଆଜି ଶ୍ୱଶୁର ଘରେ ରହିବାକୁ ରାୟ ଦେଇଥିଲା କୋର୍ଟ । ଏଥିସହ ଡିମ୍ପଲଙ୍କୁ ସ୍ବାମୀ ସୁମିତ ମାସିକ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଢ ମାସ ତଳେ ଘର ସାମନାରେ ଧାରଣା ଦେଇଥିଲେ ଡିମ୍ପଲ । ଘର ଆଗରେ ମାଣବସା ଗୁରୁବାର ପାଳି କରିଥିଲେ ପ୍ରତିବାଦ । ନିକଟରେ ଡିମ୍ପଲ ଓ ସୁମିତ ଏକାଠି ରହିବାକୁ ମଧ୍ୟ ଦେଇଥିଲେ ନିର୍ଦ୍ଦେଶ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ଏକାଠି ହୋଇଥିଲେ ମଧ୍ୟ ସଂପର୍କରେ ସୁଧାର ଆସିନଥିଲା ।

ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂରେ ଧରାଶୟୀ ଦକ୍ଷିଣ ଆଫ୍ରିକା: ୫୮ ରନ୍‌ରେ ଆଗୁଆ ଭାରତ

ଜୋହାନ୍ସବର୍ଗ: ବିଜୟ ଆଶା ଭରିଦେଲେ ଭାରତୀୟ ବୋଲର । ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ ବଳରେ ଧରାଶୟୀ ହୋଇଛି ଦକ୍ଷିଣ ଆଫ୍ରିକା ଦଳ । ଫଳରେ ଘରୋଇ ଦଳ ପ୍ରଥମ ଇନିଂସରେ ୨୨୯ ରନ୍‌ରେ ସୀମିତ ହୋଇଥିବା ବେଳେ ମାତ୍ର ୨୭ ରନ୍‌ର ଲିଡ୍ ହାସଲ କରିପାରିଥିଲା । ଏହା ପୂର୍ବରୁ ଭାରତ ୨୦୨ ରନ୍ କରି ଅଲଆଉଟ୍ ହୋଇଥିଲା। ଶାର୍ଦ୍ଦୁଲ ଏଠାରେ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରି ୬୧ ରନରେ ୭ ୱିକେଟ୍ ଅକ୍ତିଆର କରିଛନ୍ତି । ତେବେ ଖେଳ ଶେଷ ସୁଦ୍ଧା ୨ ହରାଇ ୮୫ ରନ୍ କରିବାରେ ସମର୍ଥ ହୋଇଛି ଭାରତ । ଫଳରେ ଦଳ ୫୮ ରନ୍‌ର ଲିଡ୍ ହାସଲ କରିପାରିଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କୀଗାନ ପିଟରସନ୍ ସର୍ବାଧିକ ୬୨ ରନ୍ କରିଥିବା ବେଳେ ତେମ୍ବା ବାଭୁମା ୫୧ (୬୧ ବଲ୍, ୬ ଚୌକା, ୧ ଛକା), କ୍ୟାପଟେନ୍ ଡିନ୍ ଏଲଗାର ୨୮, କାଇଲ୍ ଭେରେନ୍ ୨୧, ମାର୍କୋ ଜାନସେନ୍ ୨୧, କେଶବ ମହାରାଜ ୨୧, ରାସି ଭାନ ଡର୍ ଡୁସେନ୍ ୧ ରନ୍ କରି ଆଉଟ୍ ହୋଇଥିଲେ। କାଗିସୋ ରବାଡା ଓ ଲୁଙ୍ଗି ଏନଗିଡି ଖାତା ଖୋଲିପାରି ନଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ୨ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ମାତ୍ର ୨୦୨ ରନ୍ କରିଥିଲା। ଅଧିନାୟକ ଲୋକେଶ ରାହୁଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଯୋଗଦାନ ଦେଇନଥିଲେ। ରାହୁଲ୍ ୫୦ ଓ ଅଶ୍ୱିନ୍ ୪୬ ରନ୍ କରିଥିଲେ। ତେବେ ଚେତେଶ୍ୱର ପୂଜାରା (୩) ଓ ଅଜିଙ୍କ୍ୟ ରାହାଣେ (୦) ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଜାନସେନ୍ ୪ଟି, ରବାଡା ଓ ଡୁଆନ୍ ଓଲିଭିଅର୍ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଛୁଟିରେ ଯାଇଥିଲେ, ଫେରିଲାବେଳକୁ ୩୧ ସଂକ୍ରମିତ

ଖୋର୍ଦ୍ଧା: ଜଟଣୀ ନାଇଜରରେ ୩୧ କରୋନା ସଂକ୍ରମିତ । ୩୧ ଛାତ୍ରଛାତ୍ରୀଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜଟଣୀ ମ୍ୟୁନିସିପାଲିଟି । ଏନେଇ ନାଇଜର ରେଜିଷ୍ଟ୍ରାର ସୂଚନା ଦେଇଥିବା ବେଳେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି ।

ଗୋଟେପଟେ ନୂଆବର୍ଷରେ ହଷ୍ଟେଲ ଛୁଟି ରହିଥିଲା  । ଛୁଟି ପରେ ହଷ୍ଟେଲକୁ ଫେରିଥିଲେ ଛଯାତ୍ରଛାତ୍ରୀ  । ପରେ କୋଭିଡ ପରୀକ୍ଷା କରାଯାଇଥିବାବେଳ ୩୧ ଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଆସିଥିଲା  ।

ମିଶନାରିଜ୍ ଅଫ୍ ଚାରିଟି ଦ୍ୱାରା ପରିଚାଳିତ ୧୩ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର: ମିଶନାରିଜ ଅଫ୍ ଚାରିଟି ପ୍ରତି ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୩ଟି ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୮ ଲକ୍ଷ ୭୬ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରତିଷ୍ଠାନ ଗୁଡିକରେ ଥିବା କୌଣସି ଅନ୍ତେବାସୀ ଯେପରି ଖାଦ୍ୟ ନିରପତ୍ତା ଓ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହେବେ ସେଥି ପାଇଁ ଗୁରୁତ୍ୱ ଦେବାକୁ ଗତ ୩୦ ତାରିଖରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳଙ୍କ ଅନୁରୋଧକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ୮ଟି ଜିଲ୍ଲାରେ ଥିବା ମିଶନାରିଜ ଅଫ୍ ଚାରିଟିର ୧୩ଟି ପ୍ରତିଷ୍ଠାନ ପାଇଁ ଏହି ଅର୍ଥ ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ବିଭିନ୍ନ କୁଷ୍ଠାଶ୍ରମ ଓ ଅନାଥାଶ୍ରମରେ ରହୁଥିବା ୯୦୦ରୁ ଅଧିକ ଅନ୍ତେବାସୀ ଉପକୃତ ହେବେ ।

ଏଥିସହିତ ପଢ଼ନ୍ତୁ: ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖ: ମୁଖ୍ୟମନ୍ତ୍ରୀ

 

୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଓଡ଼ିଶାରେ ମଧ୍ୟ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳଙ୍କ ସହି କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦ୍ୱିତୀୟ ଲହରୀର ସର୍ବୋଚ୍ଚସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍‌ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜନସାଧାରଣଙ୍କ ଟିକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡରେ କାମ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟିକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୂତାଣୁ ସଂକ୍ରମଣକୁ କମ୍ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡିବ। ତେବେ ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନ ପଡେ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଅଳ୍ପ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଉଛି । ଦେଶରେ ଖୁବ ଶୀଘ୍ର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ ରୋଗୀ ସଂକ୍ରମଣ ଦେଖା ଦେଇପାରେ। ଓଡିଶାରେ ମଧ୍ୟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଛି। ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଛନ୍ତି ।

ଗତ ସପ୍ତାହ ସମୀକ୍ଷା ବୈଠକରେ କେତେକ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ପ୍ରକାଶ କରି ଏଗୁଡିକର କାର୍ଯ୍ୟାନ୍ବୟନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରତିଦିନ ସମୀକ୍ଷା ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗତ ଲହରୀ ସମୟରେ ଅକ୍ସିଜେନ ପରିଚାଳନା, ସୂଚନା ଅଭିଯାନ, ଟ୍ରେନିଂ ମଡ୍ୟୁଲ ଆଦି ବ୍ୟବସ୍ଥା କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବର୍ତ୍ତମାନ ପୁଣି ଅଧିକାରୀମାନଙ୍କର ବିଭିନ୍ନ ମନିଟରିଂ ଗ୍ରୁପ ଓ ଜିଲ୍ଲାସ୍ତରୀୟ ଅବଜରଭର ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେହେତୁ ଏହି ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ରହିଛି, ତେଣୁ ସବୁ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ ଦାୟିତ୍ୱରେ ଥିବ ଅଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବା ପାଇଁ ସମସ୍ତ ସଂପୃକ୍ତ ପଦାଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କୋଭିଡ କଟକଣା ପାଳନ ସମୟରେ ଘର ଭିତର ଓ ବାହାରରେ ଲୋକଙ୍କ ଭିଡ ଉପରେ ନଜର ରଖିବା ପାଇଁ ମତ ଦେଇଥିଲେ। ଯେଉଁ ପଦକ୍ଷେପ ଦ୍ୱାରା କୋଭିଡ ସଂକ୍ରମଣର ନିୟନ୍ତ୍ରଣ ହୋଇପାରିବ, ତା ଉପରେ ଧ୍ୟାନ ଦେବାକୁ ସେ କହିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ, ପୋଲିସ ଡିଜି, ସୁନ୍ଦରଗଡ, ବଲାଙ୍ଗୀର, ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ତଥା ବିଏମସି ଓ ସିଏମସିର କମିଶନର ସେମାନଙ୍କ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷପ ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଯୋଗ ଦେଇଥିଲେ ।

ପଞ୍ଜାବ ନିର୍ବାଚନ: ଆପରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଭଗଓ୍ୱନ୍ତ ମାନ୍ !

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ସରଗରମ ପଞ୍ଜାବ ରାଜନୀତି । ପଞ୍ଜାବକୁ ଦଖଲ କରିବାକୁ ସମସ୍ତ ଦଳ ସେମାନଙ୍କ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରି ସାରିଛନ୍ତି । କେଉଁ ଦଳରୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାହାକୁ ଜାରି ରହିଛି ଅଙ୍କା କଶା । ଏସବୁ ଭିତରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ଭଗଓ୍ବନ୍ତ ମାନ୍ । ଏ ନେଇ ଦଳ ପକ୍ଷରୁ ଘୋଷଣା କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ତାରିଖ ଘୋଷଣା ପରେ ଏହି ବଡ ଘୋଷଣା କରିବ ଆପ୍ ।

ଭଗଓ୍ବନ୍ତ ମାନ୍ ଏବେ ଲୋକସଭାରେ ସାଂସଦ ଥିବାବେଳେ ପଞ୍ଜାବ ଆପର ବଡ ଚେହେରା ଅଟନ୍ତି । ଏବେ ଯେଉଁ ସଭା ସମିତି ହେଉଛି ସେଠାରେ ଭଗଓ୍ବନ୍ତଙ୍କ ବହୁତ କ୍ରେଜ ରହିଛି । ଏଣୁ ଭଗଓ୍ବନ୍ତଙ୍କୁ ପ୍ରୋଜେକ୍ଟ କରିବା ପାଇଁ ଚାହୁଁଛି ଆମ ଆଦମି ପାର୍ଟି । ୨୦୧୭ ବିଧାନସଭା ନିର୍ବାଚନରେ ଯେଉଁ ଭୁଲ କରିଥିଲା ତାହା ଚଳିତ ଥର କରିବାକୁ ଚାହୁଁନି ଆମ ଆଦମି ପାର୍ଟି । ଆଗୁଆ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ବିରୋଧୀଙ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଅରବିନ୍ଦ କେଜ୍ରୀଓ୍ୱାଲ ।

 

ପାର୍କିଂ କରି ଭ୍ୟାନ୍‌ରେ ବସିଥିଲେ ପୋଲିସ କର୍ମଚାରୀ: ଏମିତି ଆସିଲା ମୃତ୍ୟୁ

ପାଟଣା: ବେଉରରେ ବଡ଼ ଧରଣର ଅଘଟଣ । ଟ୍ରକ୍ ଧକ୍କା ପରେ ନିଆଁ ଲାଗି ଜଳିଗଲେ ୩ ପୋଲିସ କର୍ମଚାରୀଙ୍କ ଜୀବନ । ଆଉ ୨ଜଣ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏକ ଦ୍ରୁତଗତିରେ ଯାଉଥିବା ଟ୍ରକ ଓଭରଟର୍ଣ୍ଣ ବେଳେ ଓଲଟିପଡ଼ି ନିକଟରେ ଛିଡ଼ା ହୋଇଥିବା ଏକ ପୋଲିସ ଭ୍ୟାନ୍ ଉପରେ ପଡ଼ିଥିଲା । ସକାଳ ପ୍ରାୟ ସାଢ଼େ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚିତ କରିଛି ।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ପୋଲିସ ଜିପ୍ସି ଗାଡ଼ି ଉନିସାବାଦରୁ ବେଉର ଆଡକୁ ଯାଉଥିଲା । ଏହି ସମୟରେ ହଠାତ୍ ଦ୍ରୁତଗତିରେ ଏକ ଟ୍ରକ୍ ଆସିଥିଲା ଓ ଜିପ୍ସିକୁ ଧକ୍କା ଦେଇଥିଲା । ଧକ୍କା ଦେବାପରେ ଟ୍ରକଟି ନିୟନ୍ତ୍ରଣ ହରାଇ ପୋଲିସ ଜିପ୍ସି ଉପରେ ଓଲିଟି ପଡିଥିଲା ଓ ଓଲିଟିବା ମାତ୍ରେ ହିଁ ଜିପ୍ସିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ନିଆଁ ଲାଗିବା ଯୋଗୁଁ ଜିପ୍ସିରେ ଥିବା ୫ ଜଣ ଜଳିଯାଇଥିଲେ । ଘଟଣାସ୍ଥଳରେ ୩ ଜଣ ପୁଲିସ ମୃତ୍ୟୁବରଣ କରିଥିବାବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୃତକ ୩ ଜଣଙ୍କ ମଧ୍ୟରୁ ୨ ଜଣ ହୋମଗାର୍ଡ ଯବାନ ଥିଲେ ଓ ଜଣେ ଜିଲ୍ଲା ପୁଲିସ ବଳର ଡ୍ରାଇଭର ଥିଲେ । ଏହି ୨ ହୋମଗାର୍ଡ ଯବାନଙ୍କ ନାମ ପ୍ରଭୁ ସାହା ଓ ପୁଖରାଜ କୁମାର, ଡ୍ରାଇଭରଙ୍କ ନାମ ରାଜେଶ କୁମାର ବୋଲି ଚିହ୍ନଟ ହୋଇଛନ୍ତି । ଆହତ ୨ ପୁଲିସକର୍ମୀଙ୍କ ମଧ୍ୟରେ ଜଣେ ଏ.ଏସ୍.ଆଇ. ଅଛନ୍ତି ଯାହାଙ୍କ ନାମ ସିଆଚରଣ ପାସଓ୍ଵାନ, ଅନ୍ୟ ଜଣେ ଆହତ ହେଉଛନ୍ତି ହୋମଗାର୍ଡ ଶ୍ରୀକାନ୍ତ ସିଂହ  ।

୨୪ ଘଣ୍ଟାରେ ଦିଲ୍ଲୀରେ ଚିହ୍ନଟ ହେଲା ୫ ହଜାର ୪୮୧ ନୂଆ କେସ୍

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ସାରା ଦେଶରେ ପୁଣି ଥରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଯଦି ଦିଲ୍ଲୀ କଥା କହିବା ତାହାଲେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୫ ହଜାର ୪୮୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏଥି ସହ ଏହି ଭାଇରସରେ ଗତ ୨୪ ଘଣ୍ଟାରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ବର୍ତ୍ତମାନ ସଂକ୍ରମଣ ରେଟ୍ ୮.୩୭ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ୧୫୭୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ମଙ୍ଗଳବାର ଜାରି ହୋଇଥିବା ହେଲଥ ବୁଲେଟିନ ଅନୁସାରେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୫ ହଜାର ୪୮୧ ନୂଆ ମାମଲା ଚିହ୍ନଟ ହୋଇଛି । ଯାହା ବିଗତ ୭ ମାସରେ ସବୁଠାରୁ ଅଧିକ କରୋନା କେସ୍ ଅଟେ । ଏହା ପୂର୍ବରୁ ୧୬ ମେ’ରେ ଦିଲ୍ଲୀରେ ୬ ହଜାର ୪୫୬ କେସ୍ ଚିହ୍ନଟ ହୋଇଥିଲା । ସେହିପରି ୨୪ ଘଣ୍ଟାରେ କରୋନାରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏହି ୩ ଜଣଙ୍କୁ ମିଶାଇ ଦିଲ୍ଲୀରେ ମୋଟ ମୃତ୍ୟୁ ସଂଖ୍ୟା ୨୫ ହଜାର ୧୧୩ରେ ପହଞ୍ଚିଛି ।

ଦିଲ୍ଲୀରେ ୨୯ ଡିସେମ୍ବରରେ ୯୨୩ କରୋନା କେସ୍ ଚିହ୍ନଟ ହୋଇଥିଲା । ଏହା ପରେ ଡିସେମ୍ବର ୩୦ରେ ୧୩୧୩ କେସ୍, ୩୧ ଡିସେମ୍ବରରେ ୧୭୯୬ କେସ୍ ଚିହ୍ନଟ କରାଯାଇଥିଲା । କିନ୍ତୁ ନୂଆ ବର୍ଷ ଆରମ୍ଭ ହେବ ସହ କରୋନା କେସ ମଧ୍ୟ ଅଚାନକ ବୃଦ୍ଧି ପାଇଥିଲା । ୧ ଜାନୁଆରୀରେ ଦିଲ୍ଲୀରେ ୨୭୯୬ କେସ୍ ଚିହ୍ନଟ ହୋଇଥିବା ବେଳେ ୨ ଜାନୁଆରୀରେ ୩ ହଜାର ୧୯୪ କେସ୍, ୩ ଜାନୁଆରୀରେ ୪ ହଜାର ୯୯ କେସ୍ ଓ ୪ ଜାନୁଆରୀରେ ୫ ହଜାର ୪୮୧ ମାମଲା ଚିହ୍ନଟ ହୋଇଛି ।