spot_img
Home Blog Page 4718

ଧରାପଡ଼ିଲେ ବୁଲ୍ଲି ବାଈର ମାଷ୍ଟରମାଇଣ୍ଡ

0

ମୁମ୍ୱାଇ : ବହୁଚର୍ଚ୍ଚିତ ବୁଲ୍ଲିବାଈ ଆପରେ ଶହ ଶହ ମୁସଲିମ୍ ମହିଳାଙ୍କ ଫଟୋ ଅପଲୋଡ କରିବା ଘଟଣାରେ ମୁମ୍ୱାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ମୁମ୍ୱାଇ ପୋଲିସ ବେଙ୍ଗାଲୁରୁର ଜଣେ ଯୁବକଙ୍କୁ ଅଟକ ରଖିବା ସହ ତାଙ୍କୁ ଜେରା କରିଛି । ଏଥିସହ ଏହାର ମାଷ୍ଟରମାଇଣ୍ଡ ଜଣେ ମହିଳାକୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ମହିଳା ଜଣକ ନିଜ ବନ୍ଧୁ ସହ ମିଶି ବୁଲ୍ଲି ବାଈ ଆପ ମାଧ୍ୟମରେ ମୁସଲିମ୍ ମହିଳାଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଏବଂ ଅଭଦ୍ର ଭାଷା ଲେଖିବା ସହ ମହିଳାଙ୍କ ଫଟୋ ଦେଇ ନିଲାମ ପାଇଁ ଟଙ୍କା ଲଗାଇବା ଭଳି ତୁଚ୍ଛ ବୟାନ ମଧ୍ୟ ଲେଖୁଥିଲେ ।  ଗୀତ ହବ୍ ପ୍ଲାଟଫର୍ମ ଜରିଆରେ ବୁଲ୍ଲି ବାଈ ଆପକୁ ବ୍ୟବହାର କରାଯାଇ ଏହି ବେଆଇନ କାର୍ଯ୍ୟ କରାଯାଇଥିଲା । ପୋଲିସ ମହିଳା ଓ ତାଙ୍କ ବନ୍ଧୁ ଉଭୟଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି । ତେବେ ମୁମ୍ୱାଇ ପୋଲିସ ବେଙ୍ଗାଲୁରୁରୁ ଯେଉଁ ଯୁବକକୁ ଗିରଫ କରିଛି ସେହି ଯୁବକଙ୍କ ନାଁ ବିଶାଳ ହୋଇଥିବା ବେଳେ ବୟସ ୨୧ ବର୍ଷ ।

ମୁମ୍ୱାଇ ପୋଲିସର କହିବାନୁସାରେ ଉଭୟଙ୍କ ବନ୍ଧୁତା ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲା । ‘ଖାଲସା ସୁପ୍ରିମିଷ୍ଟ’ ନାମରେ ଆକାଉଣ୍ଟ ଖୋଲି ଏହି ଘଟଣା ପଛରେ ଶିଖ୍ ସମ୍ପ୍ରଦାୟର କୌଣସି ବ୍ୟକ୍ତି ସାମିଲ ଅଛି ବୋଲି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିବା ଥିଲା ବିଶାଲର  ମୁଖ୍ୟ ଲକ୍ଷ୍ୟ । ମାତ୍ର ଉଭୟ କରିଥିବା ସମସ୍ତ ଯୋଜନା ପଣ୍ଡ କରିଥିଲା ମୁମ୍ୱାଇ ପୋଲିସ । ମୁସଲିମ୍ ମହିଳାଙ୍କୁ ନେଇ ଥିବା ତୁଚ୍ଛ ଚିନ୍ତାଧାରା ଯୋଗୁଁ ଉଭୟ ଏଭଳି କରିଥିବା ଜଣାପଡ଼ିଛି । ମହିଳା ଜଣକୁ ମୁମ୍ୱାଇ ଅଣାଯାଇଥିବା ବେଳେ ବିଶାଳକୁ କୋର୍ଟରେ ହାଜର କରିଛି ପୋଲିସ ।

 

ଚୀନକୁ ଭାରତୀୟ ସେନାର ଜବାବ: ତ୍ରିରଙ୍ଗା ଉଡ଼ାଇ ଦେଲେ ଏଭଳି ବାର୍ତ୍ତା

ପଙ୍ଗୋଙ୍ଗ: ଚୀନର ଡ୍ରାଗନ୍‌ ସେନାଙ୍କୁ ଭାରତୀୟ ସେନାର କଡ଼ା ଜବାବ । ଚୀନ୍ ସୈନ୍ୟ ସ୍ୱଦେଶ ପତାକା ଉଡ଼ାଉଥିବାର ଏକ ଭିଡିଓ ଭାଇରାଲ ହେବା ପରେ ନୂଆବର୍ଷରେ ଭାରତୀୟ ଯବାନ୍ ଗଲଓ୍ୱାନ ଘାଟି​ରେ ତ୍ରିରଙ୍ଗା ଉଡ଼ାଉଥିବାର କିଛି ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି । ନିକଟରେ ଚୀନ ସେନାଙ୍କ ପକ୍ଷରୁ ସ୍ୱଦେଶ ପତାକା ଉଡ଼ାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଚୀନ୍‌ର ସୋସିଆଲ ମିଡିଆ ୟୁଜର୍ସ ଦାବି କରୁଛନ୍ତି ଯେ, ଏହି ଭିଡିଓଟି ଗଲଓ୍ୱାନ ଘାଟିର ସେହି ସ୍ଥାନ, ଯେଉଁଠି ହିଂସା ହୋଇଥିଲା। କିନ୍ତୁ ବାସ୍ତବରେ ଏହି ସ୍ଥାନଟି ହିଂସାକାଣ୍ଡ​‌ ହୋଇଥିବା  ସ୍ଥାନଠାରୁ ବହୁତ ଦୂରରେ ।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ଫଟୋଟି​‌ରେ ଭାରତୀୟ ଯବାନ୍ ରାଷ୍ଟ୍ରୀୟ ପତାକା ଉଡ଼ାଉଥିବା ନଜର ଆସିଥିଲେ । ସୂଚନା ଥାଉକି, ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ ଠୁଳ କରିଛି ୬୦ ହଜାରରୁ ଅଧିକ ସୈନ୍ୟ । ପ୍ରବଳ ବରଫପାତ ସତ୍ତ୍ୱେ ଚୀନର ଏହି ପଦକ୍ଷେପ ଭାରତ ଲାଗି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରତିବଦଳରେ ଭାରତ ମଧ୍ୟ ଏଲଏସି ନିକଟରେ ସୈନ୍ୟ ଠୁଳ ପ୍ରକ୍ରିୟା ଆରମ୍ଭ କରିଛି । କିଛି ଦିନ ତଳେ ଚୀନ ନିଜର ଗ୍ରୀଷ୍ମକାଳୀନ ପ୍ରଶିକ୍ଷିତ ସୈନ୍ୟଙ୍କୁ ହଟାଇ ନେଇଥିଲା । ମାତ୍ର ଏବେ ପ୍ରବଳ ଶୀତ ସତ୍ତ୍ୱେ ସେଠାରେ ଚୀନ ନିଜ ସୈନ୍ୟ ଠୁଳ କରିଛି ।

ଜବାବ ଦେବା ଲାଗି ସେଠାରେ ଭାରତୀୟ ସେନା ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଫର୍ମ ଫୋର୍ସ ମୁତୟନ କରିଛି । ସେଠାରେ ସେମାନେ ଲଦାଖ ଥିଏଟରର ୧୪ କର୍ପସକୁ ସହାୟତା କରିବେ । ଏହାସହ ଭାରତୀୟ ସେନା ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ଏଲଏସିର ନିକଟତର ହୋଇଛି । ଯଦି ଆବଶ୍ୟକ ପଡ଼େ ତେବେ ଜରୁରୀକାଳୀନ ଭାବେ ଆଗକୁ ମାଡ଼ିବା ଲାଗି ରଣନୀତି ସ୍ଥିର ହୋଇଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଲାଗି ବାରମ୍ବାର ଉଦ୍ୟମ ହୋଇଥିବା ସତ୍ତ୍ୱେ ଚୀନ ସବୁବେଳେ ନିୟମର ଉଲ୍ଲଂଘନ କରୁଛି । ସୀମା ସୁରକ୍ଷା ନେଇ ଗତ ଜାନୁଆରୀ ୧ ତାରିଖରୁ ଚୀନ ନୂଆ ଆଇନ ବଳବତ୍ତର କରିଥିବା ବେଳେ ଏହାକୁ ନେଇ ଭାରତ ଚିନ୍ତାବ୍ୟକ୍ତ କରିଥିଲା ।

ପୁଣି ଥରେ ଏଲଏସିରେ ସୈନ୍ୟ ମୁତୟନ ନେଇ ଚୀନ ଏକ ଷଡଯନ୍ତ୍ର କରୁଥିବା ସ୍ପଷ୍ଟ ହୋଇଛି । ସେପଟେ ଲଦାଖ ଅନ୍ତର୍ଗତ ଏଲଏସିର ୩୦ କିଲୋମିଟର ଦୂରରେ ଅବସ୍ଥିତ ପଙ୍ଗୋଙ୍ଗ ହ୍ରଦରେ ଚୀନ ଏକ ପୋଲ ତିଆରି କରୁଛି । ଯାହା ସୈନ୍ୟ ଚଳପ୍ରଚଳ କ୍ଷେତ୍ରରେ ସହାୟକ ହେବ । ସେହିପରି ଏହି ହ୍ରଦ ନିକଟସ୍ଥ ଦୌଲତ ବେଗ୍ ଓଲଡି ଅଞ୍ଚଳରେ ଚୀନ ରାସ୍ତା ନିର୍ମାଣ କାର୍ଯ୍ୟ କରିଚାଲିଛି, ଯାହାକୁ ଭାରତ ବିରୋଧ କରୁଛି ।

ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ବନ୍ଦ ହେଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ମାର୍କେଟ ବିଲ୍ଡିଂଙ୍କୁ ବନ୍ଦ କରାଯାଇଛି । ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ । ଯାହା ଫଳରେ ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହି ଘଟଣାର ପ୍ରତିବାଦରେ ମାର୍କେଟ ବିଲ୍ଡିଂ ପରିସରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ଯେ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ହଟା ନଯିବ ସେପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ

ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଆଇଆଇସି ଏବଂ ବିଏମସି କର୍ତ୍ତୃପକ୍ଷ ପହଞ୍ଚି ବୁଝାସୁଝା କରିବା ସହ ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲେ । ତେବେ ଏହି ମାମଲାକୁ ନେଇ ବୁଧବାର ବିଏମସିରେ ଏକ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ବିଏମସିର ଜଣେ ଅଧିକାରୀ । ଏହି ବୈଠକରେ ଉଠାଦୋକାନୀଙ୍କ ଉଠାଯିବ ନା ନାହିଁ ସେ ନେଇ ଆଲୋଚନା ହେବ ।

ଘାଟିରୁ ଖସି ପଡିଲା ପିକନିକ୍ ଗାଡ଼ି

କଳାହାଣ୍ଡି: ପିକନିକ୍ ଯିବାବେଳେ ଅଘଟଣ । ଦୁର୍ଘଟଣାଗ୍ରସ୍ତ ହେଲା ଗାଡି। ରାଇକିଆ ଥାନା କରଡ଼ା ଘାଟିରେ ଭାରସାମ୍ୟ ହରାଇ ୭୦ଫୁଟ ତଳକୁ ଖସିପଡ଼ିଲା କାର୍ । ଏଥିରେ ଥିବା ତିନି ଜଣକର ମୃତ୍ୟୁ ହୋଇଥିବାବେଳେ ୮ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ଦୁଇ ଗୁରୁତରଙ୍କୁ ଫୁଲବାଣୀ ସ୍ଥାନାନ୍ତର ବେଳେ ବାଟରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ  ସମସ୍ତେ ପିକନିକ ପାଇଁ ଆସିଥିଲେ  । ବାଟରେ ଗାଡ଼ିଟି ଭାରସାମ୍ୟ ହରାଇବା ସହ ପ୍ରାୟ ୭୦ ଫୁଟ ତଳକୁ ଖସିପଡିଥିଲା  ।  ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ ଅନ୍ୟଗୁରୁତର ଚିକିତ୍ସିତ ହେଉଛନ୍ତି  । ସେପଟେ ଘଟଣାସ୍ଥଳରେ ରାଇକିଆ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କରିବା ସହ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।

‘ସବୁ ରାତିରେ ମୋ ସ୍ୱପ୍ନରେ ଆସନ୍ତି ଭଗବାନ ଶ୍ରୀକୃଷ୍ଣ, ଆଉ କୁହନ୍ତି ତୁମ ଦଳ ସରକାର ଗଢ଼ିବ’

ଲକ୍ଷ୍ନୌ: ଆସନ୍ତା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଏ ନେଇ ପ୍ରସ୍ତୁତ ଜୋରଦାର କଲେଣି ଉତ୍ତରପ୍ରଦେଶର ପ୍ରମୁଖ ରଜନୈତିକ ଦଳ । ଭାଷଣବାଜି, ଆରୋପ ପ୍ରତ୍ୟାରୋପ ମଧ୍ୟ ବଢ଼ିବାରେ ଲାଗିଛି । ଏଭଳି ସମୟରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ମନ୍ତବ୍ୟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ସୋମବାର ଦିନ ଉତ୍ତର ପ୍ରଦେଶର ପୂର୍ବତନ ମଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ଶ୍ରୀକୃଷ୍ଣ ସବୁଦିନ ମୋର ସ୍ଵପ୍ନରେ ଆସନ୍ତି ଓ ଗତକାଲି ବି ଆସିଥିଲେ । ଶ୍ରୀକୃଷ୍ଣ ସବୁଦିନ ମୋର ସ୍ଵପ୍ନରେ ଆସି କହନ୍ତି ଉତ୍ତର ପ୍ରଦେଶରେ ସମାଜବାଦ ପାର୍ଟି ହିଁ ସରକାର ଗଠନ କରିବ । ଅଖିଳେଶ ଯାଦବ ଆହୁରି କହିଛନ୍ତି, ବିଜେପି ଅନେକ ସମୟରେ ରାମରାଜ୍ୟ ବିଷୟରେ କହିଥାଏ କିନ୍ତୁ ସମାଜବାଦର ରାସ୍ତା ହିଁ ରାମରାଜ୍ୟ ଅଟେ । ଯେଉଁଦିନ ସମାଜବାଦ ସମ୍ପୂର୍ଣ୍ଣରୂପେ ଲାଗୁ ହୋଇଯିବ ସେହିଦିନ ଠାରୁ ରାମରାଜ୍ୟ ଆରମ୍ଭ ହୋଇଯିବ ।

ଅଖିଳେଶ ଯାଦବଙ୍କ ଏପରି ମନ୍ତବ୍ୟ ପରେ ବିଜେପିର କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ଅଖିଳେଶ ଯାଦବଙ୍କୁ ଟ୍ୟାଗ୍ କରି ଟ୍ଵିଟ୍ କରି ଲେଖିଛନ୍ତି,ଯାହା ହେଉ ଭଲ ହେଲା ଅଖିଳେଶ ଯାଦବଙ୍କୁ ବାବର ଓ ଜିନ୍ନାଙ୍କଠାରୁ ସମୟ ମିଳିଲା ଏବଂ ଏବେ ସ୍ଵପ୍ନରେ ହେଲେ ବି ଅଖିଳେଶଙ୍କୁ ଭଗବାନ କୃଷ୍ଣ ଦେଖାଯାଉଛନ୍ତି । ଚିନ୍ତା କରନ୍ତୁ ନାହିଁ ଯୋଗୀ ଆଦିତ୍ୟନାଥଙ୍କ ଆଉ ୫ ବର୍ଷର ଶାସନରେ ଅଖିଳେଶଙ୍କୁ ରାମ, କୃଷ୍ଣ ଓ ଶିବ ବି ଦେଖାଦେବେ ।

ତୃତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ

କୋଲକାତା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ତୃତୀୟ ଥର ପାଇଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାମାରୀ ଭାରତକୁ ଆସିବା ଦିନଠାରୁ ଏପର୍ଯ୍ୟନ୍ତ ବାବୁଲ ସୁପ୍ରିୟୋ ତୃତୀୟ ଥର ପାଇଁ କରୋନାର ଶିକାର ହୋଇଛନ୍ତି । କୋଭିଡ ପଜିଟିଭ୍ ହେବା ନେଇ ବାବୁଲ ସୁପ୍ରିୟୋ ଟ୍ୱିଟ କରି ସୂଚନା ଦେଇଛନ୍ତି । ବାବୁଲ ଟ୍ୱିଟ କରି କହିଛନ୍ତି କି, “ମୁଁ, ମୋ ପତ୍ନୀ, ବାପା ଓ ମୋର ଏକାଧିକ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

କରୋନାରେ ଆକ୍ରାନ୍ତ ହେବା ନେଇ ସୂଚନା ଦେବା ସହ କୋଭିଡ କକଟେଲ ଶଟର ଦାମକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ବାବୁଲ ସୁପ୍ରିୟୋ । କକଟେଲ ଶଟରକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବାବୁଲ ସୁପ୍ରିୟୋ । ଏହି କୋଭିଡ କକଟେଲ ଶଟ ଗୁରୁତର ଅସୁସ୍ଥ ଲୋକଙ୍କୁ ଦିଆଯାଏ। ବାବୁଲ ତାଙ୍କ ୮୪ ବର୍ଷୀୟ ବାପାଙ୍କ ପାଇଁ ଏହାକୁ କିଣିଛନ୍ତି। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ କେମିତି ଏହାକୁ କଣିବେ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ବାବୁଲ ସୁପ୍ରିୟୋ ନଭେମ୍ବର ୨୦୨୦ରେ ପ୍ରଥମ ଥର ପାଇଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯେଉଁ ସମୟରେ ସେ ତାଙ୍କ ମା’ଙ୍କୁ ହରାଇଥିଲେ । ଏହା ପରେ ଏପ୍ରିଲ ୨୦୨୧ରେ ସେ ପୁଣି ଥରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ଆଜି ଅର୍ଥାତ ଜାନୁଆରୀ ୪ରେ ପୁଣି ଥରେ ତୃତୀୟ ଥର ପାଇଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 

କ୍ରାଇମ ପେଟ୍ରୋଲ ଦେଖି ମାର୍ବଲ ବ୍ୟବସାୟୀଙ୍କୁ କରିଥିଲେ ଅପହରଣ: ପଢ଼ନ୍ତୁ ପୂରା ଘଟଣା

ଉଦୟପୁର: ସହରର ବହୁ ଚର୍ଚ୍ଚିତ ରାହୁଲ ମଖିଜା ଅପହରଣ ମାମଲାରେ ସୋମବାର ଉଦୟପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଡିଏସ୍‌ଟି ସହିତ ଅନ୍ୟ ଥାନାଧିକାରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ରାହୁଲ ମଖିଜାଙ୍କୁ ସୋମବାର ଇନ୍ଦୋରଠାରୁ ସୁରକ୍ଷିତ ଉଦୟପୁର ଆଣି ପହଞ୍ଚାଇଛନ୍ତି । ପୋଲିସ ଏହି ମାମଲାରେ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହିତ ୨ଟି କାର୍ ଜବତ କରିଛି ।

ଅମ୍ୱାମାତା ଥାନାରେ ଏକ ଅପହରଣ ମାମଲା ରୁଜୁ ହେବା ପରେ ଜିଲ୍ଲା ପୋଲିସ ଅଧିକ୍ଷକ ମାମଲାର ଗମ୍ଭୀରତାକୁ ନଜରରେ ରଖି ଡିଏସ୍‌ଟି ସମେତ ୬ଥାନା ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଟିମ୍ ଚାରି ଦିନ ମଧ୍ୟରେ ଘଟଣା ପର୍ଦ୍ଦାଫାସ କରିଥିଲା ଏବଂ ମୁଖ୍ୟ ଅଭିଯୁକ୍ତ ଅନୁରାଗକୁ ମଧ୍ୟପ୍ରଦେଶରୁ ଗିରଫ କରିଛି । ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଅନୁରାଗ ମଧ୍ୟପ୍ରଦେଶ କଂଗ୍ରେସ ନେତା ରାଜକୁମାର ଅହୀରଙ୍କ ପୁତ୍ର ଅଟନ୍ତି ।

ମୁଖ୍ୟ ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ ଚାରି ଜଣ ଅଭିଯୁକ୍ତ ବିପୁଲ, ମାଧବ, ମୋହିତ ଏବଂ ସନ୍ତୋଷ ଯାଦବଙ୍କୁ ମଧ୍ୟ ଗିରଫ କରାଯାଇଛି । ବିପୁଲ ମଧ୍ୟପ୍ରଦେଶର ବାସିନ୍ଦା । କିନ୍ତୁ ବର୍ତ୍ତମାନ ସେ ଗୁଜୁରାଟର ସୁରତରେ ରୁହନ୍ତି । ଅନ୍ୟ ଚାରିଜଣ ମଧ୍ୟ ପ୍ରଦେଶରେ ରୁହନ୍ତି ।

ଆଇଜି ହିଗଲାଜଦାନ କହିଛନ୍ତି ଯେ, ରାହୁଲ ମଖିଜା ଇନ୍ଦୋରର ଏକ ଘରେ ବନ୍ଧକ ଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ପୋଲିସ ଅଧିକ୍ଷକ ମନୋଜ ଚୌଧୁରୀ କହିଛନ୍ତି ଯେ, ଅପହରଣ ପରେ ଅଭିଯୁକ୍ତମାନେ ରାହୁଲ ମଖିଜାଙ୍କ ଗାଡ଼ିକୁ ସହର ନବରତ୍ନ ଅଞ୍ଚଳ ନାଳକୁ ଫୋପାଡ଼ି ଦେଲେ । ଏହା ପୂର୍ବରୁ ରାହୁଲ ମଖିଜାଙ୍କୁ ଅପହରଣ କରିବା ସମୟରେ ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ଢାଳିଦେଇଥିଲେ ଯାହା ଦ୍ୱାରା ସେ ଦୌଡ଼ି ପଳାଇବାରେ ଅସମର୍ଥ ହୋଇଥିଲେ ।

ଏଭଳି ଅପହରଣ ପରେ ତାଙ୍କୁ ଗାଡ଼ିରେ ଅନ୍ୟସ୍ଥାନକୁ ନିଆଗଲା । ସେଠାରେ ୮୦ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଦାବି କରିଥିଲେ ଅପହରଣକାରୀ । କିନ୍ତୁ ପୋଲିସର ତନାଘନା ବଢ଼ୁଥିବା ଦେଖି ଅଭିଯୁକ୍ତମାନେ ରାହୁଲ ମଖିଜାଙ୍କ ହାତ ଗୋଡ଼ ବାନ୍ଧି କାରରେ ଢାଳି ନିମଚ୍ ନେଇଯାଇଥିଲେ । ଏଠାରେ ଗୋଟିଏ ଦିନ ରଖିଲେ ଏବଂ ଏହାପରେ ତାଙ୍କୁ ଇନ୍ଦୋର ନେଇଯାଇଥିଲେ । ରାହୁଲ ମଖିଜାଙ୍କ ମୁହଁ ଓ ଆଖିରେ ପଟି ବନ୍ଧା ଯାଇଥିବାରୁ ସେ କିଛି ଦେଖିପାରୁନଥିଲେ ଏବଂ ସେ କାହାକୁ ଡାକ ମଧ୍ୟ ଦେଇପାରୁନଥିଲେ ।  ପୋଲିସ ଟିମ୍ ତାଙ୍କୁ ଉଦ୍ଧାର କରିବା ପରେ ଅଭିଯୁକ୍ତଙ୍କୁ କାବୁ କରିଥିଲା । ୩୦ ଡିସେମ୍ୱରରେ ସହରର ଅମ୍ୱାମାତା ଥାନା ଅଞ୍ଚଳରେ ଅଫିସ ପାଇଁ ଯାଉଥିବା ରାହୁଲଙ୍କୁ କିଛି ଯୁବକ ଅପହଣ କରିନେଇଥିଲେ । ତେବେ କ୍ରାଇମ ପେଟ୍ରୋଲ ସିରିଏଲ୍ ଦେଖି ଅଭିଯୁକ୍ତ ମାନେ କ୍ରାଇମ୍ ପ୍ଳଟ୍ କରିଥିବା ତଦନ୍ତ ବେଳେ କହିଥିବା ଜଣାପଡ଼ିଛି ।

ପାଖେଇଲାଣି ନିର୍ବାଚନ, ୧୦ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଖୁବ ଜଲ୍ଦି ଘୋଷଣା ହୋଇପାରେ ତାରିଖ । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳର ମୁଖିଆଙ୍କୁ ନେଇ ବୈଠକ ଧାର୍ଯ୍ୟ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ୧୦ତାରିଖ ବସିବ ସର୍ବଦଳୀୟ ବୈଠକ ବସିବ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଏଥିରେ ସମସ୍ତ ରାଜନୈତିକ ଦଳ ଯୋଗଦେବେ ।

ସେପଟେ ବୈଠକରେ ନିର୍ବାଚନ ନେଇ ମତ ରଖିବେ  ରାଜନୈତିକ ପାର୍ଟି । ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମ ଅନୁସାରେ କାର୍ଯ୍ୟକାଳ ୫ବର୍ଷ ଶେଷ ହେବା ପୂର୍ବରୁ ପଞ୍ଚାୟତର ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ଏଦୃଷ୍ଟିରୁ ମାର୍ଚ୍ଚ ସୁଦ୍ଧା ପଞ୍ଚାୟତ ନିର୍ବାଚନ ଶେଷ ହେବାକୁ ଯାଉଛି ।

ରଣଜୀ ଟ୍ରଫି ଦଳରେ ସାମିଲ ହେଲେ ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ

କୋଲକାତା: ଚଳିତ ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ୨୧ ଜଣିଆ ଟିମ୍ ଘୋଷଣା କରିଛି । ଏହି ଟିମରେ ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ ଓ ବେଙ୍ଗଲ ଟିମର ପୂର୍ବତନ ଅଧିନାୟକ ମନୋଜ ତିଓ୍ୱାରୀଙ୍କୁ ସ୍ଥାନ ମିଳିଛି । ୩୬ ବର୍ଷିୟ ମନୋଜ ତିଓ୍ୱାରୀ ଗତ ବର୍ଷ ରାଜନୀତିରେ ଯୋଗ ଦେଇଥିଲେ । ତୃଣମୂଳ କଂଗ୍ରେସ ଟିକେଟରୁ ସେ ପଶ୍ଚିମବଙ୍ଗର ଶିବପୁର ଆସନରୁ ପ୍ରାର୍ଥି ହୋଇଥିଲେ ଏବଂ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ । ବିଧାୟକ ଭାବରେ ନିର୍ବାଚିତ ହେବା ସହ ପଶ୍ଚିମବଙ୍ଗର ଖେଳମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ ।

ଭାରତ ପାଇଁ ୧୨ଟି ଦିନିକିଆ ଓ ୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ମନୋଜ । ମନୋଜ ତିଓ୍ୱାରୀ ୨୦୨୦ ମାର୍ଚ୍ଚରେ ବେଙ୍ଗଲ ପାଇଁ ଶେଷ ଫାଷ୍ଟ କ୍ଲାସ ମ୍ୟାଚ ଖେଳିଥିଲେ । ଚଳିତ ରଣଜୀ ସିଜିନ୍ ପାଇଁ ଘୋଷଣା ହୋଇଥିବା ବେଙ୍ଗଲ ଦଳର ନେତୃତ୍ୱ ନେବେ ଓପନିଂ ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଇଶ୍ୱରନ । ତେବେ ଏହି ଟିମରେ ମନୋଜ ତିଓ୍ୱାରୀଙ୍କ ବ୍ୟତୀତ ଅନୁସ୍ତୁପ୍ ମଜୁମଦାର, ଇଶାନ ପୋରେଲ, ସୁଦୀପ ଚାଟାର୍ଜୀଙ୍କ ମଧ୍ୟ ଦଳରେ ସ୍ଥାନ ମିଳିଛି ।

ରଣଜୀ ଟ୍ରଫିର ଗ୍ରୁପ Bରେ ରହିଛି ବେଙ୍ଗଲ ଟିମ୍ । ଏହି ଗ୍ରୁପରେ ବେଙ୍ଗଲ ବ୍ୟତୀତ ହରିଆଣା, କେରଳ, ରାଜସ୍ଥାନ, ତ୍ରିପୁରା ଓ ବିଦର୍ଭ ଦଳ ସାମିଲ ରହିଛି । ଏହି ସିଜିନରେ ବେଙ୍ଗଲ ପ୍ରଥମ ମ୍ୟାଚ ଜାନୁଆରୀ ୧୩ରେ ତ୍ରିପୁରା ବିପକ୍ଷରେ ଖେଳିବ । ମନୋଜ ତିଓ୍ୱାରୀ ୨୦୦୪ରେ ଡେବ୍ୟୁ କରିଥିଲେ । ପ୍ରାୟ ୧୮ ବର୍ଷର କ୍ରିକେଟ କ୍ୟାରିୟରରେ ମନୋଜ ବେଙ୍ଗଲ ପାଇଁ ୧୨୫ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ମନୋଜ ତିଓ୍ୱାରୀ ୮ ହଜାର ୯୬୫ ରନ ମଧ୍ୟ କରିଛନ୍ତି ।

ଅଜବ ରେକର୍ଡ; ଓ୍ୱାଣ୍ଡରର୍ସରେ ଭାରତ ଖେଳିଛି ୬ ମ୍ୟାଚ, ପ୍ରତି ମ୍ୟାଚରେ ବଦଳାଇଛି ଅଧିନାୟକ

ଜୋହାନ୍ସବର୍ଗ: ଜାନୁଆରୀ ୩ରୁ ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ଚାଲୁଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଯାହା ଫଳରେ ପ୍ରଥମ ଇନିଂସରେ ଭାରତ ମାତ୍ର ୨୦୨ ରନ କରିଥିଲା । ତେବେ ଏହି ମ୍ୟାଚରେ ପିଠିରେ ଆଘାତ କାରଣରୁ ଖେଳିନଥିଲେ ବିରାଟ କୋହଲି । ଯାହା ଫଳରେ ଦ୍ୱିତୀୟ ମ୍ୟାଚରେ ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ କେଏଲ ରାହୁଲ । ବିରାଟ ଏହି ମ୍ୟାଚରେ ନ ଖେଳିବା ଫଳରେ ଏକ ଅଜବ ରେକର୍ଡ ସୃଷ୍ଟି ହୋଇଛି ।

ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ଭାରତ ତା’ର ଷଷ୍ଠ ମ୍ୟାଚ ଖେଳୁଛି । ତେବେ ଏହି ଛଅଟି ମ୍ୟାଚରେ ଭାରତ ପ୍ରତି ମ୍ୟାଚରେ ଭିନ୍ନ ଭିନ୍ନ ଅଧିନାୟକଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିଲା । ଯଦି ବିରାଟ କୋହଲି ଏହି ମ୍ୟାଚ ଖେଳିଥାନ୍ତେ ତେବେ ଏହି ରେକର୍ଡ ହୋଇପାରିନଥାନ୍ତା । କାହିଁକି ନା ବିରାଟ ୨୦୧୮ରେ ଜୋହାନ୍ସବର୍ଗର ଓ୍ୱାନର୍ଡସରେ ବିରାଟ ଅଧିନାୟକତ୍ୱ କରିଥିଲେ ।

୧୯୯୨ ମସିହାରେ ଭାରତ ପ୍ରଥମ ଥର ପାଇଁ ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ପ୍ରଥମ ଟେଷ୍ଟ ଖେଳିଥିଲା । ଏହି ଟେଷ୍ଟରେ ଅଧିନାୟକତ୍ୱ ଭାରା ସମ୍ଭାଳିଥିଲେ ମହମ୍ମଦ ଅଜହରୁଦ୍ଦିନ। ଏହା ପରେ ସେହି ଗ୍ରାଉଣ୍ଡରେ ଭାରତ ୧୯୯୭ରେ ଦ୍ୱିତୀୟ ମ୍ୟାଚ ଖେଳିଥିଲା, ଯେଉଁ ମ୍ୟାଚରେ ଅଧିନାୟକ ଥିଲେ ସଚିନ ତେନ୍ଦୁଲକର । ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ଏହି ଦୁଇ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ୨୦୦୬ରେ ଖେଳାଯାଇଥିଲା । ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚ ଖେଳିଥିଲା । ସେହିପରି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୧୩ରେ ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ପଞ୍ଚମ ମୁକାବିଲା ଖେଳିଥିଲା । ଏହା ପରେ ୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ଖେଳିଥିଲେ ଏବଂ ୬୩ ରନରେ ବିଜୟ ହାସଲ କରିଥିଲେ ଟିମ୍ ଇଣ୍ଡିଆ ।