spot_img
Home Blog Page 4716

ERSS 112 ସେବା ମାଧ୍ୟମରେ ୪୦୨୮ ଜଣଙ୍କୁ ସହାୟତା ଯୋଗାଇ ଦେଇଛି ପୋଲିସ

ଭୁବନେଶ୍ୱର: ସହରାଞ୍ଚଳରେ ଜନସାଧାରଣମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ Victor Control Room  ଦ୍ଵାରା ଗତ ବର୍ଷ ଡିସେମ୍ବର ମାସରେ ଜରୁରୀକାଳୀନ ସହାୟତା ବ୍ୟବସ୍ଥା( ERSS-112) ସେବା ମାଧ୍ୟମରେ ସମୁଦାୟ ୪୦୨୮ ଗୋଟି ଫୋନ କଲ ଗ୍ରହଣ କରାଯାଇଥିଲା । ସାହାଯ୍ୟ  ଚାହୁଁଥିବା ବ୍ୟକ୍ତି ମାନଙ୍କ ନିକଟରେ ତୁରନ୍ତ ପହଞ୍ଚି ସେମାନଙ୍କ ସମସ୍ୟାର ସମାଧାନ କରାଯାଇ ପାରିଛି ।  ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ଉପଲବ୍ଧ ୩୫ ଗୋଟି ପିସିଆର ଭ୍ୟାନରେ କାର୍ଯ୍ୟରତ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ଅବିଳମ୍ବେ ପହଞ୍ଚିବା ଫଳରେ ଘଟିବାକୁ ଥିବା ଅନେକ ଗଣ୍ଡଗୋଳର ପ୍ରାକ ସମାଧାନ କରିବା ସହ ଅପରାଧୀଙ୍କୁ କାବୁ କରାଯାଇପାରିଛି । ଏହା ଛଡା ବିଭିନ୍ନ ଧାରଣା, ପ୍ରତିବାଦ ସଭା ସମୟରେ  ଟ୍ରାଫିକ୍ ନିୟନ୍ତ୍ରଣ , ଆନ୍ଦୋଳନକାରୀ ମାନଙ୍କୁ ସ୍ଥାନାନ୍ତରିତ କରିବା ସହ ଦୁର୍ଘଟଣାର ଶିକାର ବ୍ୟକ୍ତି ମାନଙ୍କୁ ତୁରନ୍ତ ହସ୍ପିଟାଲ ନେବା ତଥା ପୀଡ଼ିତ ବ୍ୟକ୍ତିଙ୍କୁ ତୁରନ୍ତ ସାହାଯ୍ୟ କରିବାରେ ପିସିଆର ଭ୍ୟାନରେ କାର୍ଯ୍ୟରତ କର୍ମଚାରୀମାନେ ଉଦ୍ୟମ କରିଛନ୍ତି ।

କିଛି ଉଲ୍ଲେଖନୀୟ ଘଟଣାବଳୀ

୧. ଗତ ତା ୦୫.୧୨. ୨୦୨୧ ରିଖ ସକାଳ ପ୍ରାୟ ୯.୩୬  ରେ ପ୍ରାୟ ୭୫ ବର୍ଷ ବୟସର ଜଣେ ବୃଦ୍ଧ ମହିଳା ଲକ୍ଷ୍ମୀସାଗର ଯାତ୍ରୀ  ନିବାସ ପାଖରେ ଅସହାୟ ଅବସ୍ଥାରେ ବୁଲୁଥିବା ସମୟରେ ପିସିଆର –୯ ଟିମ ତାଙ୍କୁ  ଉଦ୍ଧାର କରି ରଙ୍ଗବଜାରସ୍ଥିତ  ଏକାମ୍ର ନୀଳୟ  ଆଶ୍ରମକୁ ସ୍ଥାନାନ୍ତରିତ କରିଥିଲେ।

୨. ଗତ ତା ୦୭.୧୨. ୨୦୨୧ ରିଖ ଦିନ ବେଳେ ERSS -112 କଣ୍ଟ୍ରୋଲ ରୁମ ମାଧ୍ୟମରେ ସୂଚନା ପାଇ ପିସିଆର-୩୨ ଟିମ ଯାଁଳା ଜନ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆହତ ଅବସ୍ଥାରେ ଥିବା ଜଣେ ମାନସିକ ସ୍ତରରେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ପରେ “ଆଶା କିରଣ ” ଅନୁଷ୍ଠାନକୁ ଥଇଥାନ ନିମନ୍ତେ ସ୍ଥାନାନ୍ତରିତ କରିଥିଲେ।

୩. ଗତ ତା ୧୯.୧୨.୨୦୨୧ ରେ ରାତିରେ  ସୂଚନା ପାଇ ପିସିଆର୍-୩୫ ଟିମ  ଭରତପୁର ମାଛ ବଜାରରେ ମାରଣାସ୍ତ୍ର ଦେଖାଇ ଭୟ ସୃଷ୍ଟି କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ଭରତପୁର ଥାନାକୁ ଆଣିଥିଲେ ।

୪. ଗତ ତା ୨୦.୧୨.୨୦୨୧ ରେ ପିସି ଆର୍ -୭ ଟିମ୍ ପଳାସୁଣି ହାଟ ରୁ ଜଣେ ସ୍ତ୍ରୀ ଲୋକଠୁ ସୁନା ଚେନ୍ ଲୁଟ କରିବାକୁ ଉଦ୍ୟମ କରି ଖସି ପଳାଇବା କୁ ଚେଷ୍ଟା  କରୁଥିବା ଲୁଟେରା କୁ ଧରି ଥାନାରେ ହାଜର କରିଥିଲେ।

୫. ଗତ ତା ୨୭.୧୨.୨୦୨୧ ରାତିରେ ପିସିଆର୍-୨ ଟିମ  ୟୁନିଟ – ୨ ବାଳିକା ବିଦ୍ୟାଳୟ ନିକଟରେ ପେଟ୍ରଲିଙ୍ଗ କରୁଥିବା ସମୟରେ ଡଷ୍ଟବିନ୍ ରେ ପଡ଼ିଥିବା ଏକ ୫ ରୁ ୬ ଦିନର ସଦ୍ୟଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ନେଇଥିଲେ।

କଟକରେ ହକର୍‌ଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ ମାନସ ମଙ୍ଗରାଜ

କଟକ: ଆଜି ହକରଙ୍କୁ ମିଳିବ ନୂଆ ପରିଚୟ । ହକରଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ଆଜି କଟକ ସହିଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ ଜଣ ହକରଙ୍କୁ ମିଳିବ ପରିଚୟ ପତ୍ର । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିଚୟ ପତ୍ର ବଣ୍ଟନ କରିବେ ।

ସୂଚନା ଓ ଲୋକସମ୍ପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସିଏମସି କମିସନର ଅନନ୍ୟା ଦାଶ ଓ କଟକ ଏଡିଏମଓ ବିଜୟ ଖଣ୍ଡାୟତ ରାୟ ଏହି ଅତିଥି ଭାବେ ଯୋଗ ଦେବେ । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ୧୦୦ ଜଣ ହକରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ଜିଲ୍ଲାରେ ମୋଟ ୮୨୨ ହକରଙ୍କୁ ମିଳିବ ପରିଚୟ ପତ୍ର ।

ଏହା ପୂର୍ବରୁ ଖୋର୍ଦ୍ଧାରେ ଖବରକାଗଜ ହକରଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି ପରିଚୟପତ୍ର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟର ୭ ହଜାର ୩୦୦ ଖବରକାଗଜ ହକରଙ୍କୁ ପରିଚୟପତ୍ର ବଣ୍ଟନ କରାଯିବ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ହକର୍‌ଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୭୩୦୦ ପଞ୍ଜିକୃତ ହକରଙ୍କୁ ୬୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ

ଚୀନକୁ ସର୍ବ ଶକ୍ତିମାନ ରାଷ୍ଟ୍ରରେ ପରିଣତ କରିବାକୁ ଜିନ୍‌ପିଙ୍ଗ୍‌ଙ୍କ ଆହ୍ୱାନ: ଏଲିଟ ଫୋର୍ସ ଗଠନ ପାଇଁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଶ୍ୱବିଜୟୀ ହେବାକୁ ବ୍ଲୁ-ପ୍ରିଣ୍ଟ । ଚୀନକୁ ସର୍ବ ଶକ୍ତିମାନ ରାଷ୍ଟ୍ରରେ ପରିଣତ କରିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆହ୍ୱାନ । ଏଲିଟ ଫୋର୍ସ ଗଠନ ଲାଗି ଦେଇଛନ୍ତି ନିର୍ଦ୍ଦେଶ । ଯେ କୌଣସି ଯୁଦ୍ଧ ଲଢିବା ଓ ଜିତିବା ଲାଗି ସୈନ୍ୟ ବାହିନୀକୁ ପ୍ରସ୍ତୁତ କରିବା ଲାଗି ସେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଚୀନର ରାଷ୍ଟ୍ରପତି ତଥା ସେଣ୍ଟ୍ରାଲ ମିଲିଟାରି କମିଶନର ଅଧ୍ୟକ୍ଷ ଭାବେ ଜିନପିଙ୍ଗଙ୍କ ଏହି ନିର୍ଦ୍ଦେଶ ବିଭିନ୍ନ ସମ୍ଭାବନା ପ୍ରତିପାଦିତ କରୁଛି ।

ନୂଆବର୍ଷରୁ ଦେଶର ସୀମା ଆଇନ କାର୍ଯ୍ୟକାରୀ କରିଥିବା ଜିନପିଙ୍ଗ ପ୍ରତିରକ୍ଷା ବିଭାଗକୁ ଅଧିକ ଆଧୁନିକୀକରଣ କରିବା ସହ ଏହାକୁ ଅଧିକ ଶକ୍ତିଶାଳୀ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ୨୦ ଲକ୍ଷ ସୈନ୍ୟ ବିଶିଷ୍ଟ ଚୀନର ସାମରିକ କ୍ଷମତାକୁ ବିଶ୍ୱରେ ନମ୍ବର ଓ୍ୱାନ କରିବା ଲାଗି ସେ ଚାହିଁଛନ୍ତି । ଅତ୍ୟାଧୁନିକ ପ୍ରଯୁକ୍ତି ଓ ଯୁଦ୍ଧ କୌଶଳ, ଯେକୌଣସି ବିପଦର ମୁକାବିଲା ଲାଗି ସେ ଆହ୍ୱାନ ଦେଇଛନ୍ତି । ଯୁଦ୍ଧ ଜିତିବା ଲାଗି ସୈନ୍ୟମାନେ ଯେପରି ସମସ୍ତ ପ୍ରକାର ନୈତିକତା ହାସଲ କରିବେ, ସେମାନଙ୍କୁ ଯେପରି ସମସ୍ତ କ୍ଷେତ୍ରରେ ଉଚିତ ପ୍ରଶିକ୍ଷଣ ଦିଆଯାଇପାରିବ, ଉନ୍ନତ ଜ୍ଞାନ କୌଶଳ ଯୋଗାଇ ଦିଆଯିବ, ସେଦିଗରେ ପ୍ରସ୍ତୁତ ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଏକ ଏଲିଟ ଫୋର୍ସ ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିନପିଙ୍ଗ ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ଉପଲବ୍ଧ ହେବ କରୋନା ଔଷଧ ମଲନୁପିରାଭିର

 

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ: ୧୨୧୬ଜଣ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୨୧୬ ଜଣ ସଂକ୍ରମିତ । କ୍ୱାରେଣ୍ଟାଇନ୍‌ରୁ ୭୧୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୦୬ । ଶୂନରୁ ୧୮ ବର୍ଷ ମଧ୍ୟରେ ଆକ୍ରାନ୍ତ ହୋଇଛନ୍ତି ୧୮୭ ଜଣ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ଜଣ ସଂକ୍ରମିତ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୧୬୬ ଜଣ ଥିବା ବେଳେ, ଷ୍ଟେଟ୍ ପୁଲରୁ ୧୧୦, ସମ୍ବଲପୁରରୁ ୯୯, କଟକରୁ ୮୦, ଯାଜପୁରରୁ ୪୭, ମୟୂରଭଞ୍ଜରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ାରୁ ୩୩, ପୁରୀରୁ ୩୦, କେନ୍ଦୁଝରରୁ ୨୫, ବରଗଡ଼ରୁ ୨୧, ବଲାଙ୍ଗୀରରୁ ୧୪, ଜଗତସିଂହପୁର ଓ ନବରଙ୍ଗପୁରରୁ ୧୩ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ୯ ଜଣ ଲେଖାଏଁ, ଦେବଗଡ଼ ଓ ରାୟଗଡ଼ାରୁ ୮ ଜଣ ଲେଖାଏଁ, ଅନୁଗୁଳ ଓ ଭଦ୍ରକରୁ ୬ ଜଣ ଲେଖାଏଁ, ଢେଙ୍କାନାଳ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, କୋରାପୁଟ, ନୟାଗଡ଼ ଓ ସୋନପୁରରୁ ୩ ଜଣ ଲେଖାଏ, ନୂଆପଡ଼ା, ବଲେଶ୍ୱରରୁ ୨ ଜଣ ଲେଖାଏଁ, ବୌଦ୍ଧ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୭ ହଜାର ୮୭୬ ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୫ ହଜାର ୩୭୬ ଜଣ । ବାକି ୩ ହଜାର ୯୮୧ ଜଣଙ୍କର ଚିକିତ୍ସା ଚାଲିଛି ।

 

ବକେୟା ପଡ଼ିଛି ୧୮ କୋଟି ଟଙ୍କା: ଟିକସ ଆଦାୟ କରିବାକୁ କିନ୍ନରଙ୍କ ସହଯୋଗ ଲୋଡ଼ିଲା ବିଏମ୍‌ସି

ଭୁବନେଶ୍ୱର: କରୋନା କାଳରେ ବିଏମସିର ହୋଇଛି ରାଜସ୍ୱ ହାନୀ । ବକେୟା ପଡ଼ି ରହିଛି ବହୁ କୋଟି ଟଙ୍କାର ଟିକସ ବାବଦ ଅର୍ଥ । ରାଜସ୍ୱ ଆଦାୟ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ନିର୍ଦ୍ଦାରିତ ସମୟ ମଧ୍ୟରେ ବକେୟା ଟିକସ ଆଦାୟ କରିବାକୁ ପୁଣି କିନ୍ନରଙ୍କ ସହଯୋଗ ଲୋଡିଲା ବିଏମସି । କିନ୍ନରଙ୍କ ଦୁଇଟି ଗୋଷ୍ଠୀ ଆଦାୟ କରିବେ ୧୮କୋଟି ଟଙ୍କାର ରାଜସ୍ୱ ।

ବିଏମ୍‌ସିକୁ ଘାରିଲା ରାଜସ୍ୱ ଚିନ୍ତା । ବକେୟା ପଡିଛି ୧୮କୋଟି ହୋଲ୍ଡିଂ ଟ୍ୟାକ୍ସ । ଆଦାୟ କରିବାକୁ କିନ୍ନରଙ୍କୁ ମିଳିଲା ଅନୁମତି । କିନ୍ନରଙ୍କ ମଧ୍ୟରେ ଖୁସିର ଲହରୀ । ହୋଲ୍ଡିଂ ଟ୍ୟାକ୍ସକୁ ନେଇ ବିବାଦର ସମାଧାନ ପରେ ଏବେ ବକେୟା ରାଜସ୍ୱ ସଂଗ୍ରହକୁ ନେଇ ଚିନ୍ତା । ରାଜସ୍ୱ ହ୍ରାସ ହେଲେ ବିକାଶରେ ସୃଷ୍ଟି ହେବ ବାଧା । ଏନେଇ ବକେୟା ରାଜସ୍ୱ ସଂଗ୍ରହ ପାଇଁ ଅଣ୍ଟା ଭିଡିଛି ବିଏମସି । ପୂର୍ବ ଭଳି ପୁଣି ସ୍ୱୀକୃତି ଓ ପରିଚୟ ଭଳି ଦୁଇଟି କିନ୍ନର SHGଙ୍କ ସହିତ ବିଏମସି କରିଛି ଚୁକ୍ତି । ପ୍ରତ୍ୟେକ SHG ଆଦାୟ କରିବେ ୯କୋଟି ଲେଖାଏଁ ବକେୟା ରାଜସ୍ୱ । ଏଥିପାଇଁ ବଡ ବଡ ଟିକସ ଖିଲାପିଙ୍କ ତାଲିକା ପ୍ରସ୍ତୁତ କରିଛି ବିଏମସି । କିନ୍ନରଙ୍କୁ ପୂର୍ବରୁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାରେ ସାମିଲ କରି ସ୍ୱାବଲମ୍ୱୀ କରିବାକୁ ଉଦ୍ୟମ କରାଯାଇଛି । ରାଜସ୍ୱ ସଂଗ୍ରହ କରି କିନ୍ନରଙ୍କୁ ମିଳିବ କମିଶନ ।

କୋଭିଡ ପୂର୍ବରୁ ପ୍ରାୟ ସାଢେ ୩କୋଟି ଟଙ୍କାର ବକେୟା ରାଜସ୍ୱ ସଂଗ୍ରହ କରି ସଫଳତା ହାସଲ କରିଥିଲେ ଦୁଇଟି କିନ୍ନର ଗୋଷ୍ଠୀ । କେବଳ ଟିକସ ଆଦାୟ କ୍ଷେତ୍ରରେ ନୁହେଁ ବରଂ ପାର୍କିଂ ଆଦାୟ ଭଳି ଅନେକ କାର୍ଯ୍ୟ କିନ୍ନରଙ୍କୁ ସରକାର ଯୋଗାଇଛନ୍ତି । ଫଳରେ କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାରେ ବେଶ୍ ସହାୟକ ହୋଇପାରିଛି । ଯେଉଁଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସମେତ ବିଏମସି କର୍ତ୍ତୃପକ୍ଷଙ୍କୁ ଧନ୍ୟବାନ ଦେଇଛନ୍ତି ଉଭୟ କିନ୍ନର ଗୋଷ୍ଠୀ । କିନ୍ନରଙ୍କୁ ବକେୟା ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ବିଏମସିର ୩ଟି ଯୋନର ସମସ୍ତ ଓ୍ୱାର୍ଡ ଅଫିସର ସହଯୋଗ କରିବେ । ବୁଧବାର ଠାରୁ ଆରମ୍ଭ ହେବ ଏହି ଅଭିଯାନ ।

ପୂର୍ବତନ ସେନା ଅଧିକାରୀଙ୍କ ଠାରୁ ୯୫ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

କଟକ: ଇନସ୍ୟୁରାନ୍ସ ଏଜେଣ୍ଟ ବୋନସ ଦେବାକୁ କହି ଠକି ନେଲେ ୯୫ ଲକ୍ଷ ଟଙ୍କା । ଠକେଇର ଶିକାର ହୋଇଛନ୍ତି ଜଣେ ପୂର୍ବତନ ସେନା ଅଧିକାରୀ । ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ସାଇବର ଠକ ନେଇଛନ୍ତି ପ୍ରାୟ ଏକ କୋଟି ଟଙ୍କା । ୨୦୧୧ରେ ଅଭିଯୋଗକାରୀ ଏକ ଇନସ୍ୟୁରାନ୍ସ ପଲିସି କରିଥିଲେ । ୨୦୧୫ରେ ଠକମାନେ ନିଜକୁ ଆରବିଆଇ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ, ଫାଇନାନ୍ସ ମନ୍ତ୍ରଣାଳୟର ଅଧିକାରୀ କହି ଫୋନ କରିଥିଲେ । ଲୋଭନୀୟ ଅଫର ଦେଖାଇ ଅଧିକ ଟଙ୍କା ପାଇବାକୁ ଦେଖାଇଥିଲେ ସ୍ୱପ୍ନ । ସାଇବର ଠକ ଦେଇଥିବା ଲିଙ୍କ୍ ଜରିଆରେ ଟଙ୍କା ନେଇଥିବା ସନ୍ଦେହ କରାଯାଉଛି । ଏନେଇ କଟକ ସାଇବର ଥାନାରେ ଅଭିଯୋଗ ହୋଇଛି ।

ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ଉପଲବ୍ଧ ହେବ କରୋନା ଔଷଧ ମଲନୁପିରାଭିର

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ଉପଲବ୍ଧ ହେବ କରୋନା ଔଷଧ ମଲନୁପିରାଭିର । ଏ ନେଇ ଘୋଷଣା କରିଛି ଭାରତୀୟ ଫାର୍ମା କମ୍ପାନୀ ଡ.ରେଡ୍ଡିସ୍ । କମ୍ପାନୀ ପକ୍ଷରୁ ଏହି କ୍ୟାପସ୍ୟୁଲ ଉତ୍ପାଦନ କରାଯିବା । ଯାହାର ମୂଲ୍ୟ ୩୫ ଟଙ୍କା ରହିବ ।

ଗୋଟିଏ ଷ୍ଟ୍ରିପରେ ୧୦ଟି କ୍ୟାପସୁଲ ରହିଛି । କରୋନା ଚିକିତ୍ସା ପାଇଁ ୫ ଦିନରେ ୪୦ଟି କ୍ୟାପସୁଲ ବିଶିଷ୍ଟ କୋର୍ସ ପୂରଣ କରିବାକୁ ପଡ଼ିବ । ଏହି ୪୦ଟି କ୍ୟାପସୁଲ ବିଶିଷ୍ଟ କୋର୍ସର ମୂଲ୍ୟ ୧୪୦୦ ଟଙ୍କା ରଖାଯାଇଛି । ଆସନ୍ତା ସପ୍ତାହ ଆରମ୍ଭ ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରେ ଏହି କ୍ୟାପସୁଲ ଉପଲବ୍ଧ ହେବ । ତେବେ ଅଧିକ କୋଭିଡ ସଂକ୍ରମଣ ଥିବା ରାଜ୍ୟଗୁଡ଼ିକୁ ଯଥାଶୀଘ୍ର ଏହି ଔଷଧ ଯୋଗାଣ ଉପରେ କମ୍ପାନି ଗୁରୁତ୍ୱ ଦେଉଛି । ବହୁରାଷ୍ଟ୍ରୀୟ ଔଷଧ କମ୍ପାନି ଏମଏସଡିର ଚୁକ୍ତି ମାଧ୍ୟମରେ ଡଃ ରେଡ୍ଡୀ ଭାରତରେ ଏହି ଔଷଧର ଉତ୍ପାଦନ କରୁଛି । ଭାରତ ସମେତ ୧୦୦ଟି ଗରିବ ଓ ବିକାଶଶୀଳ ଦେଶକୁ ଏହି ଔଷଧ ରପ୍ତାନି ପାଇଁ କମ୍ପାନି ଚୁକ୍ତିବଦ୍ଧ ହୋଇଛି ।

ସୂଚନା ଯୋଗ୍ୟ ଯେ ନିକଟରେ ସରକାରଙ୍କ ପକ୍ଷରୁ ୨ଟି କରୋନା ଭ୍ୟାକ୍ସିନ୍ ଓ କରୋନା ଔଷଧ ମଲନୁପିରାଭିରର ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ଦିଆଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ୨୪ ଘଣ୍ଟାରେ ଦିଲ୍ଲୀରେ ଚିହ୍ନଟ ହେଲା ୫ ହଜାର ୪୮୧ ନୂଆ କେସ୍

 

ଦଶମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା ଆଜିଠୁ

ଭୁବନେଶ୍ୱର: ଆଜିଠୁ ଦଶମ ଶ୍ରେଣୀର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା । OMR ସିଟ୍‌ରେ ୬ଟି ବିଷୟରେ ହେବ ଏକଜାମ୍ । ଦିନ ୧୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୯ଟାରୁ କେନ୍ଦ୍ର ଭିତରକୁ କୋଭିଡ କଟକଣାରେ ଯାଞ୍ଚ ପରେ ପିଲାଙ୍କୁ ଛଡ଼ାଯିବ । ୫୦ ମାର୍କ ବିଶିଷ୍ଟ OMR ସିଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରତି ବିଷୟ ପାଇଁ ମିଳିବ ୧ ଘଣ୍ଟା ସମୟ ।

କେବଳ ଗଣିତ ପାଇଁ ଦିଆଯିବ ୧୫ ମିନିଟର ଅଧିକ ସମୟ । ଦିନକୁ ଦୁଇଟି ସିଫ୍ଟରେ ପରୀକ୍ଷା ହେବ । ଭୁବନେଶ୍ୱର ୩ଟି ନୋଡାଲ ସେଣ୍ଟରର ଷ୍ଟ୍ରଙ୍ଗରୁମରେ ସୁରକ୍ଷା ବଳରେ ରହିଛି ପ୍ରଶ୍ନପତ୍ର । ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆଗକୁ ମାର୍ଚ୍ଚ ମାସରେ ବୋର୍ଡ଼ ପରୀକ୍ଷା ହେବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏଣୁ ସମେଟିଭ ଆସେସମେଣ୍ଟ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀ ନିଶ୍ଚିତ ଦେବାକୁ ସ୍କୁଲ ପକ୍ଷରୁ କୁହାଯାଇଛି । ତେବେ କରୋନା କାରଣରୁ ବାର୍ଷିକ ପରୀକ୍ଷା ହୋଇନପାରିଲେ ଏହି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ କରାଯିବ ।

ଏଥିସହିତ ପଢ଼ନ୍ତୁ: ଶ୍ୱଶୁର କହିଲେ ତଳଘରେ ଜାଗା ନାହିଁ, ଡିମ୍ପଲ କହୁଛନ୍ତି ବେଡ ରୁମରେ ରହିବି

ରାଜ୍ୟରେ ବଦଳିବ ପାଣିପାଗ: ୩ରୁ୫ ଡିଗ୍ରୀ ବଢ଼ିପାରେ ତାପମାତ୍ରା

ଭୁବନେଶ୍ୱର: ବଦଳୁଛି ପାଣିପାଗର ମିଜାଜ । ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୭ ତାରିଖ ପରେ ରାଜ୍ୟରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଫଳରେ ଜାଡ କମିବ ।

ଆସନ୍ତା 4 ଦିନ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ସିଷ୍ଟମ ନଥିବାରୁ ପାଗ ମୁଖତଃ ଶୁଖିଲା ରହିବ । ଜାଡ କମିବା ସହ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ୬ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏଭଳି ଘନ କୁହୁଡି ଜାରି ରହିବ । ବିଶେଷ କରି ଏହି ସବୁ ଜିଲ୍ଲାରେ ୨ଶହ ମିଟରରୁ କମ୍ ଦୃଶ୍ୟମାନ ରହିବା ସମ୍ଭାବନା ରହିଛି । ଏଥିପାଇଁ ଗାଡି ଚାଳକଙ୍କୁ ସତର୍କତାର ସହ ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ବନ୍ଦ ହେଲା ମାର୍କେଟ ବିଲ୍ଡିଂ

ଜିଲ୍ଲାପାଳଙ୍କୁ ତଥ୍ୟ ମାଗିଲେ ନିର୍ବାଚନ ଆୟୋଗ

ଭୁଭନେଶ୍ୱର: ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଲାଣି । କେଉଁ ସମୟରେ ମଧ୍ୟ ଘୋଷଣା ହୋଇପାରେ ନିର୍ବାଚନ ତାରିଖ  । ସେପଟେ ନିର୍ବାଚନ ମାମଲାର ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ  । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ  ।

ନିର୍ବାଚନ ବନ୍ଦ ରଖିବାକୁ ହାଇକୋର୍ଟଙ୍କ ରହିତାଦେଶ ଥିଲେ ତଥ୍ୟ ଦେବାକୁ କହିଛନ୍ତି ଆୟୋଗ  । ଜାନୁଆରୀ ୭ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି  । ସେପଟେ ନିର୍ବାଚନ ଅବାଧ ଓ ନିରପେକ୍ଷତାର ଅନୁଷ୍ଠିତ କରିବାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ  । ଆସନ୍ତା ୧୦ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ଉଲ୍ଲେଖ ରହିଛି  ।