spot_img
Home Blog Page 4710

ତିନି ବର୍ଷ ପରେ ବଲିଉଡକୁ ଫେରିଲେ ଅନୁଷ୍କା, ଝୁଲଣ ଗୋସ୍ୱାମୀଙ୍କ ବାୟୋପିକରେ କରିବେ ଅଭିନୟ

ମୁମ୍ବାଇ: ଦୀର୍ଘ ତିନି ବର୍ଷ ପରେ ପୁଣି ଥରେ ବଲିଉଡକୁ ଫେରିଲେ ଅନୁଷ୍କା ଶର୍ମା । ତିନି ବର୍ଷର ବିରତି ପରେ ଏବେ ପୁଣି ଚଳଚ୍ଚିତ୍ର କରିବେ ଅନୁଷ୍କା ।  ଚଳିତ ଥର ଅନୁଷ୍କା ଏକ ବାୟୋପିକ୍ ଫିଲ୍ମରେ ନଜର ଆସିବେ । ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଚରିତ୍ରରେ ନଜର ଆସିବେ ଅନୁଷ୍କା ଶର୍ମା। ଯେଉଁ ଫିଲ୍ମର ନାଁ ହେଉଛି ଚକଦା ଏକ୍ସପ୍ରେସ ।

 

 

View this post on Instagram

 

A post shared by AnushkaSharma1588 (@anushkasharma)

ଶେଷ ଥର ପାଇଁ ୨୦୧୮ ମସିହାରେ ଚଳଚ୍ଚିତ୍ରରେ ନଜର ଆସିଥିଲେ ଅନୁଷ୍କା । ଶାହାରୁଖ ଖାନ ଷ୍ଟାରର ’ଜିରୋ’ ଫିଲ୍ମରେ ଶେଷ ଥର ପାଇଁ ଅଭିନୟ କରିଥିଲେ ଅନୁଷ୍କା । ଏହା ପରେ ବିରାଟ କୋହଲିଙ୍କ ସହ ବିବାହ ପରେ ବଲିଉଡରୁ ବିରତି ନେଇଥିଲେ ସେ । ତେବେ ତିନି ବର୍ଷର ବ୍ରେକ ପରେ ପୁଣି ଥରେ ଚକଦା ଏକ୍ସପ୍ରେସରେ ନଜର ଆସିବେ ଅନୁଷ୍କା । ଅନୁଷ୍କା ଶର୍ମାଙ୍କ ଏହି ଫିଲ୍ମ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ ।

ଏହି ଫିଲ୍ମର ଟିଜର ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫିଲ୍ମର ଟିଜର ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି କି ବାସ୍ତବରେ ଏହା ଏକ ସ୍ୱତନ୍ତ୍ର ଫିଲ୍ମ । କାରଣ ଏହା ବଳିଦାନର ଏକ ଜବରଦସ୍ତ କାହାଣୀ । ଚକଦା ଏକ୍ସପ୍ରେସ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଏହା ଆଧାରିତ । ଯେତେବେଳେ ଝୁଲଣ କ୍ରିକେଟର ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିଶ୍ୱସ୍ତରରେ ଭାରତକୁ ଗର୍ବିତ କରିଥିଲେ, ସେତେବେଳେ ମହିଳାମାନଙ୍କ ପାଇଁ ଖେଳିବା ବିଷୟରେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ ଥିଲା । ଏହି ଫିଲ୍ମଟି ଅନେକ ଉଦାହରଣର ନାଟକୀୟ ରିଟେଲିଂ ଯାହା ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଏବଂ ମହିଳା କ୍ରିକେଟକୁ ଏକ ରୂପ ଦେଇଛି ବୋଲି ଲେଖିଛନ୍ତି ଅନୁଷ୍କା ଶର୍ମା ।

ତେବେ ଯଦି ଝୁଲଣ ଗୋସ୍ୱାମୀଙ୍କ କଥା କହିବା ତାହାଲେ ସେ ଦୀର୍ଘ ୧୯ ବର୍ଷ ଧରି ଭାରତୀୟ କ୍ରିକେଟରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ସେ ୨୦୦୨ ଜାନୁଆରୀ ୬ରେ ଦିନିକିଆରେ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ୧୯୨ଟି ଦିନିକିଆ ମ୍ୟାଚ ଖେଳି ୨୪୦ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଟେଷ୍ଟରେ ୧୨ଟି ମ୍ୟାଚ ଖେଳି ୪୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଟି-୨୦ କଥା ଯଦି କହିବା ତାହାଲେ ଏପର୍ଯ୍ୟନ୍ତ ୬୮ ମ୍ୟାଚ ଖେଳି ୫୬ ଓ୍ୱିକେଟ ଅକ୍ତିଆର କରିଛନ୍ତି ।

ଛେପ ପକାଇ କେଶ କାଟିଲେ ଜାୱେଦ ହବିବ୍, ସୋସିଆଲ ମିଡିଆରେ ଭାଇରାଲ

0

ଛେପ ପକାଇ କେଶ କାଟିଲେ ଜାୱେଦ ହବିବ୍

ପ୍ରସିଦ୍ଧ ହେୟାର ଏକ୍ସପର୍ଟ ଜାୱେଦ ହବିବଙ୍କର ଏକ ଭିଡିଓ ସୋସାଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗୁଛି । ଯେଉଁଥିରେ ସେ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇ କେଶ କାଟିବାକୁ ଦର୍ଶକଙ୍କୁ ପରାମର୍ଶ ଦେଉଛନ୍ତି । ଗତ ଜାନୁଆରୀ ୩ ତାରିଖରେ ଆୟୋଜିତ ହୋଇଥିବା ଏକ ସୋରେ ଜାୱେଦ ଜଣେ ମହିଳାଙ୍କୁ କେଶ କାଟିବା ନିମନ୍ତେ ନିମନ୍ତ୍ରଣ କରିଥିଲେ ଏବଂ ମହିଳା ଜଣକ ଖୁବ୍ ଉତ୍ସାହରେ ସେଠାକୁ ଯାଇଥିଲେ । ମାତ୍ର, ତାଙ୍କ ସାଙ୍ଗରେ ଏଭଳି ଘଟଣା କଥା ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।

ମହିଳାଙ୍କ କହିବାନୁସାରେ ହାଇୱେ ସ୍ଥିତ କିଙ୍ଗ୍ ବିଲ୍ଲା ନାମକ ହୋଟେଲରେ ଜାୱେଦ୍ ନିଜର ଏକ ୱାର୍କସପ୍ ଆୟୋଜନ କରିଥିଲେ । ଯେଉଁଥିରେ କେଶକୁ ନେଇ ସେ କିଛି ଟିପ୍ସ ଦେଉଥିଲେ ଏବଂ ଏକ ଡେମୋ ଦେଖାଇବା ପାଇଁ ଉକ୍ତ ମହିଳାଙ୍କୁ ଜଣଙ୍କୁ ଡାକିଥିଲେ । ପାଣିର ଅଭାବ ଥିଲେ ଏଭଳି ପନ୍ଥା ଅବଲମ୍ବନ କରିପାରିବେ କହି ଜାୱେଦ୍ ମହିଳାଙ୍କ ମୁଣ୍ଡରେ ଛେପ ପକାଇଥିଲେ । ଏହାପରେ ମହିଳା ଜଣକ ତାଙ୍କ ପାଖରେ କେଶ କାଟିବାକୁ ତୁରନ୍ତ ମନା କରିଦେଇଥିଲେ । ମହିଳାଙ୍କ ନାଁ ପୂଜା ଗୁପ୍ତା ବୋଲି ଜଣାପଡ଼ିଛି । ପୂଜାଙ୍କର ଏକ ପାର୍ଲର ଥିବା ବେଳେ ନିଜ ଛାତ୍ରୀଙ୍କ ସହ ସେ ସେଠାକୁ କିଛି ନୂଆ ଜିନିଷ ଶିଖିବାକୁ ଆସିଥିଲେ । ଏଥିସହ ସେ କହିଥିଲେ ଜାୱେଦଙ୍କଠୁ କେଶ କାଟିବା ଅପେକ୍ଷା ଛୋଟମୋଟ ବାରିକଠୁ କେଶ କାଟିବା ଢେର ଗୁଣା ଭଲ ।

ସେମିନାରରେ ଭାଗ ନେବା ପାଇଁ ସେ ୨୫୦୦ ଟଙ୍କାର ପ୍ରବେଶ ମୂଲ୍ୟ ଦେବା ସହ ସେଠାରେ ତାଙ୍କୁ ୫ ହଜାର ଟଙ୍କାର ଉପହାର ମିଳିବ । ଏଥିସହ ସମସ୍ତେ କେମିକାଲ ମେକଅପର ତାଲିମ୍ ମଧ୍ୟ ନେଇପାରିବେ ବୋଲି କୁହାଯାଇଥିଲା । ମାତ୍ର, ସେଠାରେ ଜାୱେଦ୍ ତାଙ୍କ ସହ ଅସଦାଚରଣ କରିବା ଦ୍ୱାରା ପୂଜାଙ୍କ ସହ ଆସିଥିବା ଛାତ୍ରୀଙ୍କ ଆଗରେ ସେ ଲଜ୍ଜା ଅନୁଭବ କରିଥିଲେ । ଜାୱେଦ୍ ତାଙ୍କର ୯ ବର୍ଷର କ୍ୟାରିୟର ବର୍ବାଦ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଜାୱେଦଙ୍କୁ ବୟକଟ୍ କରିବାକୁ ଲୋକେ ଦାବି କରୁଥିବା ବେଳେ ଏନେଇ ପୂଜା ଥାନାରେ ଅଭିଯୋଗ କରିବା ପରେ ମାମଲାର ଯାଞ୍ଚ କରିବା ସହ ଖୁବ୍ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ ବୋଲି ଏସଏସପି ଅଭିଷେକ ଯାଦବ ସୂଚନା ଦେଇଛନ୍ତି ।

ଆସୁଛି ଓମିକ୍ରନଠାରୁ ଘାତକ ଭୂତାଣୁ !

ନୂଆଦିଲ୍ଲୀ: କରୋନାକୁ ନେଇ ଆତଙ୍କିତ କରିଦେବା ଭଳି ଚେତାବନୀ । ଆସିପାରେ ଆହୁରି ଅଧିକ ଘାତକ ଓ ଭୟଙ୍କର କରୋନା ଭାଇରସ୍ । ଏମିତି ଆଶଙ୍କା ପ୍ରକାଶ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) । ଓମିକ୍ରନ ଯେମିତି ଦ୍ରୁତଗତିରେ ମାଡ଼ି ଚାଲିଛି ଏହା ଆହୁରି ଅଧିକ ଘାତକ ଭାରିଆଣ୍ଟ ଆଣିପାରେ ବୋଲି ଚେତାବନୀ ଦେଇଛି WHO ।

ଓମିକ୍ରନ ଯେତେବେଳେ ଚିହ୍ନଟ ହୋଇଥିଲା ଏହାର ଗମ୍ଭିରତାକୁ ନେଇ ବହୁତ ଆଶଙ୍କା କରାଯାଉଥିଲା । ହେଲେ ସଂକ୍ରମଣ ଅଧିକ ହେଉଥିଲେ ମଧ୍ୟ ଏହାର ପ୍ରଭାବ ବେଶି ପଡୁନାହିଁ । ଏହାପରେ କୁହାଯାଉଥିଲା ଶୀଘ୍ର କରୋନା ମହାମାରୀ ଶେଷ ହୋଇଯିବ ଓ ଜୀବନ ପୁଣି ସାମାନ୍ୟ ହୋଇଯିବ । ହେଲେ ସବୁକିଛି ଏତେଶୀଘ୍ର ଠିକ ହେବ ନାହିଁ ଓ ସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି WHO ସ୍ପଷ୍ଟ କରିଦେଇଛି । WHOର ଜରୁରୀକାଳିନ ଅଧିକାରୀ କ୍ୟାଥରିନ ସ୍ମେଲଉଡ ଏଏଫପି ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେଇ କହିଛନ୍ତି, ‘ଓମିକ୍ରନ ସଂକ୍ରମଣ ଦ୍ରୁତଗତିରେ ମାଡ଼ିବା ବିପରୀତ ପ୍ରଭାବ ପକାଇପାରେ ।’

ସେ କହିଛନ୍ତି, ‘ଓମିକ୍ରନ ଯେତେ ଅଧିକ ସଂକ୍ରମିତ ହେବ, ଯେତେ ଥର ଏଥିରେ ପରିବର୍ତ୍ତନ ଆସିବ, ନୂଆ ଭାରିଆଣ୍ଟା ସୃଷ୍ଟି ହେବାର ସେତେ ଅଧିକ ସମ୍ଭାବନା ବଢ଼ିଯିବ । ଓମିକ୍ରନ ଡେଲଟା ଭାରିଆଣ୍ଟରୁ କମ ଘାତକ, ଏଥିରେ ମୃତ୍ୟୁହାର କମ ରହୁଛି । ହେଲେ ନୂଆ ଭାରିଆଣ୍ଟ କେତେ ଭୟଙ୍କର ଓ ଘାତକ ହୋଇ ଆସିବ ଏହା କାହାକୁ ଜଣାନାହିଁ । ଏହାକୁ ନେଇ କିଛି କହିହେବ ନାହିଁ ।’

ସେ ଆହୁରି କହିଛନ୍ତି, ‘ହୁଏତ ଓମିକ୍ରନ କାରଣରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁନାହିଁ । ହେଲେ ଏହା ଯେମିତି ମାଡ଼ି ଚାଲିଛି ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବେ । ଏହା ଲୋକଙ୍କ ମଧ୍ୟରେ ଅନ୍ୟ ବେମାରୀ ସୃଷ୍ଟି କରିପାରେ । ଓମିକ୍ରନରେ ଯଦିଓ ଲୋକଙ୍କ ମୃତ୍ୟୁ ଘଟିବ ନାହିଁ, ଅନ୍ୟ ବେମାରୀରୁ ମୃତ୍ୟୁସଂଖ୍ୟା ବୃଦ୍ଧି ଘଟିପାରେ ।’

କରୋନାରୁ ମୁକ୍ତି ପାଇବାକୁ ଲୋକେ ପ୍ରାର୍ଥନା କରୁଥିବା ବେଳେ ଓମିକ୍ରନ ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏମିତି ସ୍ଥିତିରେ WHOର ଚେତାବନୀ ସ୍ଥିତିକୁ ଆହୁରି ଅଧିକ ଜଟିଳ କରୁଛି । ଆମେ ତ ଏତିକି ରହିବୁ, ‘ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାଇ ରଖନ୍ତୁ । ନିଜେ ସୁସ୍ଥ ରୁହନ୍ତୁ ଓ ଅନ୍ୟଙ୍କୁ ରହିବାକୁ ଦିଅନ୍ତୁ ।’

ପୁରୀ ଜିଲ୍ଲାରେ ୧୩ ଲକ୍ଷ ୯୧ ହଜାର ୧୬୪ ଜଣ ଭୋଟର

ପୁରୀ: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା । ପୁରୀ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ତଳୀରେ ସମସ୍ତ ଭୋଟରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାସ ପାଇଛି  । ଜିଲ୍ଲାରେ ମୋଟ ୧୩ ଲକ୍ଷ ୯୧ ହଜାର ୧୬୪ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୭ ହଜାର ୩୮୨ ଜଣ ପୁରୁଷ ହୋଇଥିବାବେଳେ ୬ ଲକ୍ଷ ୭୩ ହଜାର ୬୦୬ ଜଣ ମହିଳା ଏବଂ ୭୬ ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି ।

ପୂର୍ବରୁ ଜାରି ଚିଠା ଭୋଟର ତାଲିକାରେ ଜିଲ୍ଲାରେ ୧୩ ଲକ୍ଷ ୬୧ ହଜାର ୭୫୮ ଜଣ ଭୋଟର ଥିଲେ । ମୃତ ଭୋଟର ମାନଙ୍କୁ ତାଲିକାରୁ ବାଦ ଦେବା ପରେ ନୂତନ ଭୋଟର ଏବଂ ସ୍ଥାନାନ୍ତରଣ କରିଥିବା ମତଦାତାଙ୍କୁ ମିଶାଇ ମୋଟ ୨୯ ହଜାର ୩୦୬ ଜଣ ନୂଆ ମତଦାତା ଯୋଗ ହୋଇଛନ୍ତି । ଜିଲ୍ଲାର ୬ଟି ଯାକ ବିଧାନସଭା ନିର୍ବାଚନ ମଣ୍ତଳୀ ନିମନ୍ତେ ୧୫୯୩ଟି ମତଦାନ କେନ୍ଦ୍ର ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟାଲୀରୁ ଅମୃତସର ଆସୁଥିବା ବିମାନରେ କରୋନା ବିସ୍ଫୋରଣ, ୧୭୯ରୁ ୧୨୫ ଯାତ୍ରୀ ପଜିଟିଭ୍

ଅମୃତସର: ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୯୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭାରିଆଣ୍ଟ ଫଳରେ ଦେଶରେ ପୁଣି ଥରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏପରି ସ୍ଥିତିରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବିମାନରେ ହୋଇଛି କରୋନା ବିସ୍ପୋରଣ । ଇଟାଲୀରୁ ପଞ୍ଜାବ ଅମୃତସର ଆସୁଥିବା ବିମାନରେ ହୋଇଛି କରୋନା ବିସ୍ଫୋରଣ ।

ଇଟାଲୀରୁ ଆସିଥିବା ଏହି ଚାର୍ଟାଡ ବିମାନରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ଏହି ବିମାନରେ ମୋଟ ୧୭୯ ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ବିମାନ ବନ୍ଦରରେ ଆତଙ୍କ ଖେଳିଯାଇଛି । ତେବେ ଏହି ବିମାନରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ବର୍ତ୍ତମାନ ଅମୃତସରରେ କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତି ଇଟାଲୀରେ ଟିକା ନେଇଥିଲେ ।

ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଥମେ କୁହାଯାଉଥିଲା କି ଏହି ବିମାନ ଏୟାର ଇଣ୍ଡିଆର ଥିଲା କିନ୍ତୁ ଏୟାର ଇଣ୍ଡିଆ ଏହି କଥାକୁ ଖଣ୍ଡନ କରିଛି । ଏୟାର ଇଣ୍ଡିଆ ଟ୍ୱିଟ କରି କହିଛି ବର୍ତ୍ତମାନ ସମୟରେ ଏୟାର ଇଣ୍ଡିଆର କୌଣସି ବିମାନ ରୋମରୁ ଭାରତ ଆସୁନାହିଁ ।

 

PFMS ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟରେ ଓଡ଼ିଶା

ଭୁବନେଶ୍ୱର: ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ-PFMS ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ଏହା ଗତ ବର୍ଷ ଜୁଲାଇ ପ୍ରଥମରେ ଆରମ୍ଭ ହୋଇଥିଲା। 6 ମାସ ଭିତରେ ଓଡ଼ିଶା ସରକାର ଦେଖାଇ ଦେଇଛନ୍ତି ଯେ PFMS ଫ୍ରେମୱାର୍କ ଭଲ ଭାବେ କରିଛନ୍ତି। ଯେଉଁ ଟାର୍ଗେଟ 31 ଡିସେମ୍ବର ସୁଦ୍ଧା ହାସଲ କରିବାର ଥିଲା, ତାକୁ 30 ଡିସେମ୍ବରରେ ଓଡ଼ିଶା ସରକାର ହାସଲ କରିଛନ୍ତି । ଯାହାକି ଶତ ପ୍ରତିଶତ ସଫଳତା । ରାଜ୍ୟ ଲିଙ୍କ ଯୋଜନାରେ ଟାର୍ଗେଟ ହାସଲ କରିବାରେ ସାରା ଦେଶରେ ଓଡ଼ିଶା ଏକ ନମ୍ବରରେ ଅଛି। ଟ୍ରେଜରି ଇଂଟିଗ୍ରେସନ, ଇ-ଗ୍ରାମ ସ୍ୱରାଜ୍ୟ ଇଂଟିଂଗ୍ରେସନରେ ଓଡ଼ିଶା ଆଗରେ ରହିଛି।

ଓଡ଼ିଶାରେ ସିଙ୍ଗଲ ନୋଡାଲ ଫ୍ରେମୱାର୍କର ସମୀକ୍ଷା କରି ଓଡିଶାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଅର୍ଥ ବିଭାଗର PFMS ଶାଖାର ମୁଖ୍ୟ ତଥା ଅତିରିକ୍ତ କଂଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ଧରିତ୍ରୀ ପଣ୍ଡା । ଅନୁଦାନ କାଟ ସତ୍ତ୍ବେ କେନ୍ଦ୍ରୀୟ ଯୋଜନା ପରିଚାଳନାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି ବୋଲି ସେ ପ୍ରଶଂସା କରି କହିଛନ୍ତି । PFMSର ଫୋକସ ହେଉଛି ସିଙ୍ଗଲ ନୋଡାଲ ଆକାଉଣ୍ଟ। ଯାହାର ଅର୍ଥ ହେଲା କେନ୍ଦ୍ର ସରକାର ବିଭନ୍ନ ଯୋଜନା ପାଇଁ ଦେଉଥିବା ଅର୍ଥ ଗୋଟିଏ ଖାତାରେ ରହିବ। ଅନଲାଇନ ଟଙ୍କା ପଇଠ, ଫଣ୍ଡ ଟ୍ରାକିଂ ଭଲ ଭାବେ ହେବ । କାରଣ ଏହାଦ୍ବାରା ଗୋଟିଏ ଖାତାରେ ସ୍ୱଚ୍ଛତା ରହିବ ।

ଏହାର ସୁଵିଧା ହେଉଛି ପୂର୍ବରୁ କେନ୍ଦ୍ରୀୟ ଯୋଜନା ବାବଦ ଅର୍ଥ ବିଭିନ୍ନ ଆକାଉଣ୍ଟରେ ଖେଳାଇ ହୋଇ ରହୁଥିଲା। ବାଲାନ୍ସ ଜଣା ପଡୁନଥିଲା। ଯେଉଁଥି ପାଇଁ ଫଣ୍ଡ ବାଲାନ୍ସ ଟ୍ରାକ ହୋଇପାରୁନଥିଲା। 571 ବ୍ୟାଙ୍କ ସହ PFMS ଯୋଡି ହୋଇଛି। ଏବେ ପାସବୁକ ଦେଖି ହେଉଛି। କାହା ପାଖରେ କେତେ ଅର୍ଥ ଅଛି ଜଣାପଡିବ । 85 ପ୍ରତିଶତ ରାଜ୍ୟରେ PFMS ଲାଗୁ ହେଲାଣି। ଖୁବ ଶୀଘ୍ର ସାରା ଦେଶରେ ଲାଗୁ ହେବ ବୋଲି କହିଛନ୍ତି ଧରିତ୍ରୀ ପଣ୍ଡା । ସେପଟେ ଅର୍ଥ କେବେ ପ୍ରଦାନ ହେବ, ତାହା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ରାଜ୍ୟ ଅର୍ଥ ବିଭାଗ ସଚିବ ବିଶାଲ ଦେବ । ତେବେ ରାଜ୍ୟ ନୂଆ ଡିଜିଟାଲ ବ୍ୟବସ୍ଥାରେ କଣ ଅଧିକ କରିହେବ ସେ ଦିଗରେ କାମ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁବେଳେ ଲକ୍ଷ୍ୟ ରହିଛି ଯେ ଲୋକେ କେମିତି ଠିକ ଭାବେ ସୁବିଧା ପାଇବେ। 5T ଫ୍ରେମରେ କେମିତି ଆହୁରି ଭଲ ଭାବେ ଲୋକେ ସୁବିଧା ପାଇବେ, ତାହା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଅର୍ଥ ସଚିବ

କାର୍ ଚଲାଇ ଖାଇବା ଖୋଜୁଛି ମାଛ

ଜେରୁଶେଲମ୍: ଏମିତି କିଛି ଅସାଧ୍ୟ କାମ ନାହିଁ ଯାହା ମଣିଷ ଦ୍ବାରା ସମ୍ଭବ ନୁହେଁ । ବିଶ୍ବ ବ୍ରହ୍ମାଣ୍ଡରେ ଆମେ ଏମିତି ଏକ ଜୀବ ଯାହା ଚାହିଁବା କରିପାରିବା । ଏମିତି ଧାରଣା ଆମର ଅଛି । କେତେକାଂଶରେ ଏହା ସତ ମଧ୍ୟ । ହେଲେ କେବେ ଭାବିଛନ୍ତି ମାଙ୍କଡ ପାଣିରେ ଘର କରି ରହିପାରିବ କି ? କୁକୁର ଉଡ଼ି ପାରିବ କି ? ମାଛ ଗାଡ଼ ଚଲାଇ ପାରିବ କି ? ଏସବୁ ପ୍ରଶ୍ନ ଆପଣଙ୍କୁ ଅଜବ ଲାଗିପାରେ ।  ଥରେ ଭାବି ଦେଖନ୍ତୁ, ଯଦି ମଣିଷ ସବୁକିଛି କରିବାର କ୍ଷମତା ରଖୁଛି ଅନ୍ୟ ଜୀବଙ୍କ ପାଖରେ ଏମିତି କରିବାର କ୍ଷମତା କାହିଁକି ନଥିବ ? ଯଦି କହିବେ ମଣିଷ ବ୍ୟତୀତ ଅନ୍ୟ କୌଣସି ଜୀବ ସେମାନଙ୍କ ନିର୍ଦ୍ଧାରିତ ଅଭ୍ୟାସ ବଦଳରେ ଅନ୍ୟ କୌଣସି କାମ କରିପାରିବେ ନାହିଁ ତେବେ ଆପଣଙ୍କ ଭାବନା ଭୁଲ । କାରଣ ଆଜି ଆମେ ଏମିତି ଏକ ଜୀବ ସମ୍ପର୍କରେ କହିବାକୁ ଯାଉଛୁ, ଯିଏ ପାଣି ବିନା ବଞ୍ଚିବା ସମ୍ଭବ ନୁହେଁ । ଏବେ ରାସ୍ତାରେ କାର୍ ଚଲାଉଛି । ଠିକ୍ ବୁଝୁଛନ୍ତି, ଆମେ ମାଛ କଥା ହିଁ କହୁଛୁ । ରାସ୍ତାରେ କାର ଚଲାଉଛି ମାଛ ।

ନିକଟରେ ବୈଜ୍ଞାନିକମାନେ ଏକ ପ୍ରୟୋଗ କରି ଏକ ଛୋଟ କାର୍ ମାଛ ଦ୍ବାରା ଚଲାଇଛନ୍ତି । ମାଛଟି ଯେଉଁ ଦିଗକୁ ଯିବାକୁ ଚାହୁଁଛି କାରଟି ଠିକ ସେହି ଦିଗରେ ଚାଲୁଛି । ଇସ୍ରାଏଲର ବେନ୍ ଗୁରିୟନ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ମାଛ ଦ୍ବାରା କାର୍ ଚଲାଇବାକୁ ସକ୍ଷମ ହୋଇଛନ୍ତି । ପଶୁପକ୍ଷୀଙ୍କ ଦିଗ ନିର୍ଦ୍ଧାରଣ କ୍ଷମତା ଓ ନିଜ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାର କ୍ଷମତା ସମ୍ପର୍କରେ ଜାଣିବାକୁ ଏହି ପରୀକ୍ଷା କରାଯାଇଥିଲା । ଯାହା ସଫଳ ହୋଇଛି ଓ ଏକ ଗୋଲ୍ଡ ଫିସ୍ ‘ଫିସ୍ ଅପରେଟେଡ ଭେଇକିଲ’ ଚଲାଇ ସମସ୍ତଙ୍କୁ ଚକିତ କରିଦେଇଛି । ଖାଇବା ଲୋଭରେ ମାଛଟି ନିର୍ଦ୍ଧାରିତ ସ୍ଥାନରେ କାର୍ ସାହାଯ୍ୟରେ ପହଞ୍ଚିଛି ।

ବିହେବିୟର ବ୍ରେନ୍ ରିସର୍ଚ୍ଚ ଜର୍ନଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଇସ୍ରାଏଲର ବୈଜ୍ଞାନିକମାନେ ଏକ ରୋବୋଟିକ୍ କାର୍ ବନାଇଛନ୍ତି । ଏହା ଉପରେ ଏକ ପାଣି ଟାଙ୍କି ରହିଛି । ଯେଉଁଥିରେ ଏକ ଗୋଲ୍ଡ ଫିସକୁ ଛଡ଼ା ଯାଇଥିଲା । ଦିଗ ଜାଣିବାକୁ ମାଛ ମୁହଁ ଆଡ଼କୁ ଏକ ଲାଇଡର ଖଞ୍ଜା ଯାଇଥିଲା । ଯାହା ଏକ କମ୍ପ୍ୟୁଟର ସହ ସଂଯୋଗ ହୋଇଥିଲା । ଲାଇଡରର ଠିକ୍ ତଳକୁ ଏକ କ୍ୟାମେରା ଲାଗିଥିଲା । ଯାହା ମାଛର ମୁହଁ ଉପରେ ନଜର ରଖିଥିଲା ଓ ତା’ର ବ୍ୟବହାର ଅନୁସାରେ କମ୍ପ୍ୟୁଟରକୁ ତଥ୍ୟ ଦେଉଥିଲା । କମ୍ପ୍ୟୁଟର ମାଛ ମୁହଁର ଦିଗ ଅନୁସାରେ ରୋବୋଟିକ କାରକୁ ସେ ଚାହୁଁଥିବା ଦିଗରେ ଚଲାଉଥିଲା ।

ପ୍ରଥମେ ଗୋଲ୍ଡ ଫିସକୁ ଗୋଟିଏ ଘରେ ଟାର୍ଗେଟ ଦେଖା ଯାଇଥିଲା । ଏଥିରେ ମାଛ ପାଇଁ ଖାଇବା ରଖାଯାଇଥିଲା । ପରେ ଖାଇବାକୁ ଘରର ଅନ୍ୟ କୋଣରେ ରଖିଦିଆ ଯାଇଥିଲା । ମାଛଟି ପ୍ରଥମେ ଘରର ଚାରିପଟେ ଦେଖିଥିଲା । ପରେ ଖାଇବା ଥୁଆ ହୋଇଥିବା ସ୍ଥାନରେ ପହଞ୍ଚିବାକୁ ଦିଗ ନିର୍ଦ୍ଧାରଣ କରିବା ଆରମ୍ଭ କରିଥିଲା । ତା’ ମୁହଁର ବ୍ୟବହାରରୁ ଲାଇଡର କ୍ୟାମେରା କମ୍ପ୍ୟୁଟରକୁ ତଥ୍ୟ ଦେଇଥିଲା ଓ କମ୍ପ୍ୟୁଟର ଛୋଟ କାରଟିକୁ ସେହି ଦିଗରେ ଚଲାଇ ଖାଇବା ରଖାଯାଇଥିବା ସ୍ଥାନରେ ପହଞ୍ଚି ଯାଇଥିଲା ।

ତେବେ ଗୋଲ୍ଡ ଫିସ୍ ସହଜରେ ତା’ ଖାଦ୍ୟ ପାଖରେ ପହଞ୍ଚି ପାରିନଥିଲା । ଏଥିପାଇଁ ତାକୁ ଘର ଭିତରେ କେତେଥର ଚକ୍କର ଲଗାଇବାକୁ ପଡ଼ିଥିଲା । ଖାଇବା ଖୋଜିବା ବେଳେ କେତେବେଳେ ଉପରକୁ ଯାଉଥିଲା ତ କେତେବଳେ ତଳକୁ ଯାଉଥିଲା । କେତେବେଳେ ଖାଇବା ପାଖରେ ପହଞ୍ଚି ମଧ୍ୟ ସଠିକ ଭାବେ ଜାଣି ନପାରି ପୁଣି ଫେରି ଆସୁଥିଲା । ଶେଷରେ ଦିଗ ବଦଳାଇ ଖାଇବା ପାଖରେ ପହଞ୍ଚି ଯାଇଥିଲା । ଏଥିପାଇଁ ମାଛଟିକୁ ପ୍ରାୟ ଦୁଇ ମିନିଟ ସମୟ ଲାଗିଥିଲା । କାରଣ, ମାଛଟି ନିଜ ବାସ୍ତବିକ ପରିବେଶରେ ନଥିଲା । ତଥାପି ପାଣିରେ ଓ ପାଣି ବାହାରେ ନିଜ ଟାର୍ଗେଟକୁ ଦେଖିବାର ଶକ୍ତି ମାଛ ପାଖରେ ଥିବାରୁ ସେ ଖାଇବା ଖୋଜିବାକୁ ସକ୍ଷମ ହୋଇଥିଲା ।

କେବଳ ସେହି ଘରେ ନୁହେଁ, ରାସ୍ତା ଉପରେ ମଧ୍ୟ ଏମିତି ପରୀକ୍ଷା କରାଯାଇଥିଲା । ମାଛକୁ ଫୁଟପାଥରେ ଓ ଖାଇବା ରାସ୍ତା ଉପରେ ରଖାଯାଇଥିଲା । ଏଠାରେ ବି ମାଛଟି ନିଜ ଖାଇବା ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା ।

ବୈଜ୍ଞାନିକ ବେନ ଶହରଙ୍କ ଅନୁସାରେ, ଯଦି ଜୀବଙ୍କୁ ସଠିକ ଟ୍ରେନିଂ ଦିଆଯିବ ତେବେ ଯେକୌଣସି ପରିସ୍ଥିତିରେ ତାଙ୍କୁ କାମ କରାଯାଇପାରିବ ଓ ସେମାନଙ୍କ ପାଖରୁ ଅବଶ୍ୟକ ଅନୁସାରେ କାମ ହାସଲ କରିହେବ । ଆମେ ଗୋଲ୍ଡ ଫିସ୍ ଜରିଆରେ ସିଫ୍ ଅପରେଟେଡ ଭେଇକିଲ ଚଲାଇଥିଲୁ । ମାଛକୁ ଟାର୍ଗେଟ ଭାବେ ଖାଇବାର ଲୋଭ ଦେଖାଇଥିଲୁ । କିଛିଦିନର ଟ୍ରେନିଂ ପରେ ମାଛଟି ବୁଝି ଯାଇଥିଲା ତା’ପାଇଁ ଟାର୍ଗେଟ କ’ଣ ଓ ଏହା କେଉଁଠି ରଖାଯାଉଛି । କେବଳ କାର ସେହି ଦିଗରେ ଚଲାଇ ତାକୁ ଖାଇବା ପାଖରେ ପହଞ୍ଚିବାର ଥିଲା, ଯାହା ସିଏ କରିଦେଖାଇଲା । ବୈଜ୍ଞାନିକଙ୍କ ମତରେ ପାଣି ବିନା ମାଛ ବଞ୍ଚି ପାରିବ ନାହିଁ । ହେଲେ ପାଣି ବାହାରେ ମଧ୍ୟ ସେ ଦିଗ ନିର୍ଦ୍ଧାରଣ କରିପାରିବ । କେବଳ ମାଛ ନୁହେଁ, ସବୁ ଜୀବ w୍ରତିକୂଳ ପରିସ୍ଥିତିରେ ନିଜ ଦିଗ ନିର୍ଦ୍ଧାରଣ କରିବାକୁ ସକ୍ଷମ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ସର୍ଭେ କରୁଥିବା ବୈଜ୍ଞାନିକମାନେ କହିଛନ୍ତି, ଏହି ଟେକ୍ନୋଲଜି ବ୍ୟବହାର କରି ଗୋଟିଏ ପ୍ରଜାତୀର ଜୀବ ଅନ୍ୟ ପ୍ରଜାତୀ ପ୍ରତି ଆକର୍ଷିତ ହେବା କିମ୍ବା ଦୂରକୁ ପଳାଇବା ଜାଣି ହେବ । ଏହାବାଦ ଖାଇବା, ପରିବେଶ, ଜଳବାୟୁ ଓ ପ୍ରଦୂଷଣ କେମିତି ଏହି ଜୀବଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ସାହାଯ୍ୟ କରୁଛି ତାହା ଜାଣିହେବ ।

ଯଦି ଏହି ଟେକ୍ନିକର ବ୍ୟବହାର କରାଯାଏ ତେବେ ମାଛ ଯେ କୌଣସି ସ୍ଥାନରେ କାର୍ ଡ୍ରାଇଭ୍ କରିପାରିବ । ମାଛ ସମେତ ଅନ୍ୟ ଜୀବଙ୍କ ଦିଗ ନିର୍ଦ୍ଧାରଣ କ୍ଷମତା ଜାଣିବାକୁ ଏହି ବୈଜ୍ଞାନିକ ପ୍ରୟୋଗ କରାଯାଇଥିଲା । ଯାହା ମାଛ ଉପରେ ସଫଳ ହୋଇଛି । ଏବେ ଏହାର ବ୍ୟବହାର ଆଉ କେଉଁ ଜୀବନ ଉପରେ କରାଯିବ ତାହା ତଦନ୍ତ କରୁଥିବା ବୈଜ୍ଞାନିକମାନେ ସ୍ପଷ୍ଟ କରିନାହାନ୍ତି ।

ଗୋଲ୍ଡ ଫିସ୍ ଦିଗ ନିର୍ଦ୍ଧାରଣ ବୁଝିବାକୁ ବ୍ୟବହାର କରାଯାଇଥିବା ଟେକ୍ନୋଲଜି ବ୍ୟବହାର କରି ଯେକୌଣସି ଗାଡ଼ିକୁ ଚଲାଇ ହେବ । ଏହା ଭବିଷ୍ୟତରେ ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ବଡ଼ ପରିବର୍ତ୍ତନ ଆଣିପାରିବ ।

ସଂକ୍ରମିତ ମାଆଙ୍କଠାରୁ ଜନ୍ମିତ ଶିଶୁଙ୍କୁ କିପରି ପ୍ରଭାବିତ କରୁଛି କରୋନା ?

ନୂଆଦିଲ୍ଳୀ: ସାରା ବିଶ୍ୱରେ ଦୀର୍ଘ ଦୁଇ ବର୍ଷ ହେବ କରୋନା ଆତଙ୍କ ଖେଳାଇଛି । କରୋନାର କଳା ବାଦଲ ଶିଶୁଙ୍କ ଉପରେ ମଧ୍ୟ ପଡ଼ିଛି । କରୋନା ପ୍ରଭାବ ଶିଶୁଙ୍କ ମସ୍ତିଷ୍କ ବିକାଶ ଉପରେ ପଡୁଛି । ଏହା ସହ ସିଧାସଳଖ କିଡନୀକୁ ଏହା ନଷ୍ଟ କରୁଛି ବୋଲି  ଗବେଷଣାରେ କୁହାଯାଇଛି । ଗର୍ଭାବସ୍ଥା ସମୟରେ କରୋନା ସଂକ୍ରମଣ ହୁଏତ ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଉପରେ ପ୍ରଭାବ ନ ପକାଇପାରେ ମାତ୍ର ଶିଶୁ ଜନ୍ମ ନେବା ପରେ ଏହାର ପ୍ରଭାବ ଶିଶୁର ମସ୍ତିଷ୍କ ଉପରେ ପଡିଥାଏ ବୋଲି ଜାମା ପେଡିଆଟ୍ରିକ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

ଗବେଷକମାନେ ନ୍ୟୁୟର୍କର ୨୫୫ ନବଜାତଙ୍କୁ ନେଇ ଏହି ଗବେଷଣା କରିଥିଲେ । ସେମାନଙ୍କ ମଧ୍ୟରୁ ୧୧୪ ଜଣ ଶିଶୁଙ୍କ ମା’ ଗର୍ଭାବସ୍ଥା ସମୟରେ କୋଭିଡରେ ପୀଡିତ ସଂକ୍ରମିତ । ସଂକ୍ରମିତ ମା’ ମାନଙ୍କଠାରୁ ଜନ୍ମିତ ଶିଶୁଙ୍କ କ୍ଷେତ୍ରରେ ଦେଖାଯାଇଥିଲା ଯେ ସେମାନଙ୍କ ମସ୍ତିଷ୍କ ଉପରେ ସେପରି କିଛି ପ୍ରଭାବ ପଡିନାହିଁ । ମାତ୍ର ସଂକ୍ରମଣ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କ କ୍ଷେତ୍ରରେ ଦେଖାଯାଇଥିଲା ଯେ ସେମାନଙ୍କ ମସ୍ତିଷ କରୋନାରେ ପ୍ରଭାବିତ ହୋଇଛି । ଶିଶୁଙ୍କ ବୟସ ବଢିବା ସହ ସେମାନଙ୍କ ମସ୍ତିଷ୍କ ଅଧିକ ପ୍ରଭାବିତ ହୋଇଥିବା କୁହାଯାଇଛି । ସେହିପରି କରୋନା ଭାଇରସର ପ୍ରଭାବ ସିଧାସଳଖ କିଡନୀ ଉପରେ ପଡୁଛି ବୋଲି ଗବେଷଣାରେ କୁହାଯାଇଛି ।

ହୋଟେଲର ଆର୍କିଟେକ୍ଟ କାମ ପାଇଁ ଡାକି ୨ ଜଣଙ୍କୁ ଅପହରଣ

ବ୍ରହ୍ମପୁର: କାମ ପାଇଁ ଡାକିଲେ, ୩୦ ଲକ୍ଷ ଟଙ୍କା ମାଗି ମୁଣ୍ଡ ଜାମିନ୍ ରଖିଲେ । ହୋଟେଲର ଆର୍କିଟେକ୍ଟ କାମ ଲାଗି ଭୁବନେଶ୍ୱରରୁ ଡକରା ପାଇ ଆସିଥିବା ୨ ଆର୍କିଟେକ୍ଟ ବ୍ରହ୍ମପୁର ଉପକଣ୍ଠରୁ ଅପହୃତ ହୋଇଥିଲେ । ଅପହରଣକାରୀ ଉଭୟଙ୍କୁ ଅପହରଣ ପରେ କାରରେ ଲାଉଡ଼ିଗାଁ, ବ୍ରହ୍ମପୁର, ଆସିକା, ବାଲିସିରା ସମେତ ଭଞ୍ଜନଗର ନେଇ ଆସିଥିଲେ । ପରେ ବ୍ରହ୍ମପୁର ନେବା ବାଟରେ କାରରୁ ଡେଇଁ ପଡ଼ି ୨ ଅପହୃତ ।

ଏନେଇ ୨ ଅପହୃତ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ କରୁଛି ପୋଲିସ । ସୂଚନା ଅନୁସାରେ, ୩ ତାରିଖ ସକାଳେ ଭୁବନେଶ୍ୱର ଅଞ୍ଚଳର ଆର୍କିଟେକ୍ଟ ଦିବ୍ୟସ୍ମୃତି ସାହୁ ଓ ସେକ୍ ସାହେନବାଜଙ୍କୁ ଫୋନ୍ ଆସିଥିଲା । ଫୋନ୍ ପାଇ ବ୍ରହ୍ମପୁର ଉପକଣ୍ଠ କନିଶିରେ ସେହିଦିନ ସନ୍ଧ୍ୟାରେ ପହଞ୍ଚିଥିଲେ ଉଭୟ । ଏହା ପରେ ଉଭୟଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ ।

ସନ୍ଧ୍ୟାରେ ଉଭୟ କନିଶିରେ ପହଞ୍ଚି କଲ୍ କରିଥିବା ବ୍ୟକ୍ତିଙ୍କୁ ଫୋନ୍ କରିଥିଲେ । ଏହି ସମୟରେ ୪ ଜଣ ଆସି ଦୁହିଁଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ କାରରେ ଅପହରଣ କରି ନେଇଥିଲେ । ଏପରିକି ଅପହରଣ ରାତିରେ ଦିବ୍ୟସ୍ମୃତିଙ୍କ ପରିବାରକୁ ଫୋନ୍ କରି ୩୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଅଭିଯୋଗ ହୋଇଛି ।

ସୁରକ୍ଷା ତ୍ରୁଟି ମାମଲା, ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ଗତକାଲ ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ଅବରୋଧ କରାଯାଇଥିଲା । ଯାହା ଫଳରେ ଫ୍ଲାଏ ଓଭର ଉପରେ ମୋଦିଙ୍କ କାରକେଡ ୧୫-୨୦ ମିନିଟ ଅଟକି ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଭବନର ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସୁରକ୍ଷାକୁ ନେଇ ହୋଇଥିବା ତ୍ରୁଟିକୁ ନେଇ ସବିଶେଷ ତଥ୍ୟ ରାଷ୍ଟ୍ରପତିଙ୍କୁ ଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ତ୍ରୁଟିକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚିନ୍ତାବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିର ଅନୁସନ୍ଧାନ ପାଇଁ ଚନ୍ନି ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ତିନି ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ପଞ୍ଜାବ ସରକାର ନିର୍ଦ୍ଦେଶ ଦେଇଛି । ଏହି କମିଟିରେ ରହିଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ମହତାବ ଗିଲ୍ ଓ ଗୃହ ବ୍ୟାପାର ବିଭାଗ ପ୍ରମୁଖ ଶାସନ ସଚିବ ଅନୁରାଗ ବର୍ମା । ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତବେଳେ ହୋଇଥିବା ସୁରକ୍ଷା ତ୍ରୁଟି ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । ସେପଟେ ଏହି ଘଟଣାରେ ପଞ୍ଜାବ ପୋଲିସକୁ ଦୋଷ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।