ପୌର ନିର୍ବାଚନ: ମଦୁଆଙ୍କୁ ଟିକେଟ ଦେବନି କଂଗ୍ରେସ, ଶଙ୍ଖ ଟିକେଟ ନେବାକୁ ଆଶାୟୀଙ୍କ ଭିଡ

ଭୁବନେଶ୍ବର: ବିଜେଡିର ପଞ୍ଚାୟତ ସଫଳତା ପରେ ବିରୋଧୀ ଶିବିରରେ ହଇଚଇ ସୃଷ୍ଟି ହୋଇଛି । ସମସ୍ତଙ୍କ ନଜର ପୌର ନିର୍ବାଚନ ଉପରେ । ବିଜେଡିରେ ଆଶାୟୀଙ୍କ ଲମ୍ବା ଲାଇନ୍ ଦେଖି ପ୍ରାର୍ଥୀ ଚୟନର ମାପଦଣ୍ଡ ସ୍ଥିର କରିଛି ଦଳ । ଲୋକଙ୍କ ସେବା କରୁଥିବା ଲୋକଙ୍କୁ ପ୍ରାର୍ଥୀ କରି ବାରମ୍ବାର ସଫଳତା ହାସଲ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ବି ଏବେ ଲୋକଙ୍କ ସହ ଥିବା ଭଲ ବ୍ୟକ୍ତିତ୍ବକୁ ସନ୍ଧାନ ଆରମ୍ଭ କଲେଣି ।

ଏବେ ହେବିଓ୍ବେଟ ନେତା ସ୍ଥାନୀୟ ବିଧାୟକଙ୍କ ଘରେ ବାହାରେ । ହାତରେ ବାୟୋଡାଟା ଓ ସାଥୀରେ ସମର୍ଥକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଜେଡିର ସଫଳତା ଯୋଗୁଁ ସମସ୍ତଙ୍କ ଇଚ୍ଛା ଶଂଖ ଟିକେଟ୍ । ସବୁ ନିର୍ବାଚନରେ ବିଜେଡି ନେତାମାନେ ସମୀକ୍ଷା କରି ପ୍ରାର୍ଥୀଙ୍କ ତାଲିକା ଦଳୀୟ ସୁପ୍ରିମୋଙ୍କ ପାଖକୁ ପଠାନ୍ତି । ଏଥର ମଧ୍ୟ ପ୍ରତି ଓ୍ବାର୍ଡରୁ ୩ ଜଣ ଆଶାୟୀଙ୍କ ବାୟୋଡାଟା ନବୀନଙ୍କ ପାଖରେ ପହଞ୍ଚିଛି । ସ୍ବଚ୍ଛ ଶାସନରେ ବିଶ୍ବାସ କରୁଥିବା ବିଜେଡି ଏଥର ବି ସେବା ମନୋବୃତ୍ତି ଥିବା ଲୋକଙ୍କୁ ପ୍ରାର୍ଥୀ କରିବ । ତା’ ସହ ପ୍ରାର୍ଥୀ  ନିଷ୍କଳଙ୍କ ହେବା ସହ ଭଲ ଟ୍ରାକ୍ ରେକର୍ଡ ରଖିଥିବ । ସେହିପରି ବ୍ୟକ୍ତିତ୍ବ ଥିବା ଲୋକଙ୍କ ନାଁ ଉପରେ ମୋହର ମାରିବେ ନବୀନ ପଟ୍ଟନାୟକ ।

ମଦୁଆଙ୍କୁ ଟିକେଟ ଦେବନି କଂଗ୍ରେସ

ସେପଟେ ମଦୁଆଙ୍କୁ ଦୂରେଇବ କଂଗ୍ରେସ । ମଦ୍ୟପ କି କ୍ରମିନାଲ, କେହି ବି ପାଇବେ ନାହିଁ କଂଗ୍ରେସର ପୌର ଟିକେଟ୍ । ସ୍ଥାନୀୟ ଅଞ୍ଚଳରେ ଜନସେବା କରୁଥିବା ଭଦ୍ର ପରିବାରର ଶିକ୍ଷିତ ଲୋକଙ୍କୁ ଦଳ ପ୍ରାର୍ଥୀ କରିବ ।

ସମାଜସେବା ଉପରେ ବିଜେପି ନଜର

ସେହିପରି ସାଂଗଠନିକ ସ୍ତରରେ ଦୁର୍ବଳ ହେଉଥିବା ବିଜେପି ସମାଜସେବା ଉପରେ ଗୁରୁତ୍ବ ଦେଉଛି । ଦଳର ରାଜ୍ୟ ସଭାପତି ପୂର୍ବରୁ ଏ ନେଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରି ପ୍ରାର୍ଥୀ ଖୋଜା ଆରମ୍ଭ କରିଛନ୍ତି ।

ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ ଘଟାଇ ଲୋକଙ୍କଠାରୁ ଦୂରେଇ ଯାଇଛି ବିଜେପି । ହେଲେ ସ୍ବଚ୍ଛ ପ୍ରଶାସନର ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରାର୍ଥୀ ଚୟନଠାରୁ ନିର୍ବାଚନ ଯାଏଁ ସ୍ବଚ୍ଛତା ଅବଲମ୍ବନ କରି ବୃହତ ବିଜୟ ପାଇଛନ୍ତି । ଯାହାକୁ ବିରୋଧୀ ଅନୁଭବ କରି ପୌର ନିର୍ବାଚନରେ ଭଲ ପ୍ରାର୍ଥୀ ଖୋଜିବାରେ ଲାଗି ପଡ଼ିଛନ୍ତି ।

Leave a Reply