ଆଜି ମହାଶିବରାତ୍ରି, ଚାଲିଛି ବାବା ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି

ଭୁବନେଶ୍ୱର: ଆଜି ମହାଶିବରାତ୍ରି । ମହାଶିବରାତ୍ରି ଅବସରରେ ଅନୁଷ୍ଠିତ ହେଉଛି ବାବା ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି । ରାତି ୩ଟାରୁ ଖୋଲିଛି ମନ୍ଦିରର ମୁଖ୍ୟଦ୍ୱାର । ୩.୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ ହେଉଛି । ଚଳିତବର୍ଷ ଗର୍ଭଗୃହ ଦର୍ଶନ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରୁଛନ୍ତି ଭକ୍ତ । ବ୍ୟାରିକେଡ୍ ଭିତରେ ଧାଡ଼ି ବାନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି । ଉତ୍ତର ଦ୍ୱାର ଦେଇ ପ୍ରବେଶ କରୁଛନ୍ତି ସେବାୟତ ଓ ତାଙ୍କ ପରିବାର ବର୍ଗ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ପ୍ରସ୍ତୁତି ହୋଇଛି । ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପଡୁଆଲ୍ ଓ କବିତା କ୍ରିଷ୍ଣାମୂର୍ତ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ ମହାଶିବରାତ୍ରିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି  ।

Leave a Reply