ବିଶ୍ବାଳ ମାଟିକୁ କବଜା କଲେ ମଲ୍ଲିକ ବୋହୂ: ଜଗତସିଂହପୁର ଜିଲ୍ଲା ତୁଳଙ୍ଗ ବାଛିଲା ନିବେଦିତାଙ୍କୁ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର ତୁଳଙ୍ଗ ପଞ୍ଚାୟତ ଏଥର ବାଛିଛି ନୂଆ ସରପଞ୍ଚଙ୍କୁ । ଗାଁ ସରପଞ୍ଚ ହୋଇଛନ୍ତି ନିବେଦିତା ମଲ୍ଲିକ । ଏ ହେଉଛି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ବାଳଙ୍କ ଜନ୍ମମାଟି । ଦୁଇପୁଅ ରଂଜୀବ ବିଶ୍ବାଳ ଓ ଚିରଞ୍ଜିବୀ ବିଶ୍ବାଳ କଂଗ୍ରେସର ହେଭିୱେଟ ନେତା । ଜଣେ ବିଧାୟକ ଓ ଅନ୍ୟଜଣେ ପୂର୍ବତନ ସାଂସଦ । ଦଶନ୍ଧି ଦଶନ୍ଧି ଧରି ବିଶ୍ବାଳ ପରିବାରର ରାଜ ଚାଲି ଆସୁଥିଲା ତୁଳଙ୍ଗରେ । ଗୋଡ଼ିମାଟି ପାଣିପବନରେ ବିଶ୍ବାଳ ପରିବାରର ସ୍ବାକ୍ଷର । ହେଲେ ଏଥର କିନ୍ତୁ ଜଣେ ନବାଗତା ବିଶ୍ବାଳ ପରିବାରକୁ ଧୂଳି ଚଟାଇ ଦେଇଛନ୍ତି ତାଙ୍କ ଜନ୍ମମାଟିରେ ।

କିଛିମାସ ତଳେ ବିଶ୍ବାଳ ପରିବାରର ଏକାନ୍ତ ଅନୁଗତ ଥିବା କୃଷ୍ଣଚନ୍ଦ୍ର ମଲ୍ଲିକ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଏଥର ତାଙ୍କ ବଡ଼ ବୋହୂଙ୍କୁ ଛାଡିଥିଲେ ତୁଳଙ୍ଗ ମୈଦାନକୁ । ପ୍ରଚାରର ପ୍ରଥମ ଦିନରୁ ହିଁ ଉଚ୍ଚଶିକ୍ଷିତା ନିବେଦିତା ବିକାଶର ପ୍ରତିଶୃତି ଦେଇ ଗାଁ ଲୋକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥିଲେ । ଶ୍ବଶୁର ବିଜେଡି ନେତା । ବିଜେଡି କହିଲେ ବିକାଶ । ସେହି ବିଶ୍ବାସକୁ ପୁଞ୍ଜି କରି ବୋହୂ ନିବେଦିତା ଲୋକଙ୍କ ପାଖରେ ପହଞ୍ଚିଥିଲେ । ରଂଜୀବ ଓ ଚିରଞ୍ଜିବୀଙ୍କ ସବୁ ପ୍ରତିରୋଧ ସତ୍ତ୍ବେ ବିକାଶର ସଂକଳ୍ପ ନିବେଦିତାଙ୍କୁ ବିଜୟର ଭରସା ଦେଇଥିଲା । ପରୋକ୍ଷରେ ସାହାଯ୍ୟ କରିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ରାଣ୍ଡ ଇମେଜ୍ । ଦଳୀୟ ଚିହ୍ନ ସିନା ବ୍ୟବହାର କରିବାକୁ ସୁଯୋଗ ନଥିଲା ହେଲେ ବିଜେଡି ନେତା ତଥା ଶ୍ବଶୁରଙ୍କ ଭୋଟ ଭିକ୍ଷା ଲୋକଙ୍କୁ ବୁଝାଇ ଦେଇଥିଲା ଯେ ନିବେଦିତା ହେଉଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀନି । ଉନ୍ନତି ଓ ପ୍ରଗତିର ପୁରୋଧା ନବୀନ । ଆଉ ନିବେଦିତାଙ୍କ ହାତରେ ଏବେ ନୂଆ ତୁଳଙ୍ଗର ଗଠନର କମାଣ ।

Leave a Reply