ବିଜେଡିର ବିଜୟ ରେକର୍ଡ, ମାଟି କାମୁଡିଲେ ବିରୋଧୀ

ଭୁବନେଶ୍ବର: ପଞ୍ଚାୟତ ଭୋଟ ଫଳାଫଳରେ ସବୁ ରେକର୍ଡ ଭାଙ୍ଗିଛି ବିଜେଡି । ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୭୬୦ରୁ ଅଧିକ ସିଟ୍ ହାତେଇଛି । ୨୦୧୨ରେ ବିଜେଡିକୁ ସର୍ବାଧିକ ୬୫୧ ଜୋନ୍ ମିଳିଥିଲା । ଏଥର କିନ୍ତୁ ନିଜ ରେକର୍ଡକୁ ନିଜେ କାଟିଛି ବିଜେଡି । ୨୦୧୭ରେ ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ ଜିଲ୍ଲାରେ ବିଜେପି ଭଲ କରିଥିବା ବେଳେ ଏଥର ଧୂଳି ଚାଟିଛି । ୧୦ ଜିଲ୍ଲାରେ ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନି । କଂଗ୍ରେସ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି । ୧୮ ଜିଲ୍ଲାରେ ଖାତା ଖୋଲିପାରିନି କଂଗ୍ରେସ । ବିଜେଡି ୧୧ ଜିଲ୍ଲାରେ କ୍ଲିନ୍ ସୁଇପ୍ କରିଛି ।

ମୟୂରଭଞ୍ଜରୁ ମାଲକାନାଗିରି, ବରଗଡ଼ରୁ ବାଲେଶ୍ବର, ଗଜପତିରୁ ଗଞ୍ଜାମ, ସୁନ୍ଦରଗଡ଼ରୁ ସମ୍ବଲପୁର ସବୁଠି କେବଳ ଶଙ୍ଖଧ୍ବନି । ସବୁ ଜିଲ୍ଲାରେ ଚିତପଟାଙ୍ଗ ମାରିଛି ବିଜେପି । ବିକାଶ ସପକ୍ଷରେ ପଡ଼ିଛି ଗାଁ ଭୋଟ୍‌ । ଫମ୍ପା ପ୍ରତିଶ୍ରୁତି ଓ ହିଂସାକୁ ଲୋକ ନାସପନ୍ଦ କରିଛନ୍ତି । କଂଗ୍ରେସ ନିଜ ସ୍ଥିତି ବଞ୍ଚାଇବାକୁ ଭୟଙ୍କର ସଂଘର୍ଷ କରୁଛି । ଦୁଇଦିନର ଗଣତିରେ ୬୨୧ ଜୋନ୍ ମଧ୍ୟରୁ ବିଜେଡି ୫୫୨ ସିଟ୍ ହାତେଇଛି । ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନାଗିରି, ନୟାଗଡ଼, ସୋନପୁର, ମୟୂରଭଞ୍ଜ, କଳାହାଣ୍ଡି ଭଳି ୧୧ଟି ଜିଲ୍ଲାରେ ବିଜେଡି କ୍ଲିନ୍‌ ସୁଇପ୍‌ ମୁହାଁ ହୋଇଛି । ୨୦୧୭ରେ ଯେଉଁ ଜିଲ୍ଲାରେ ବିଜେପିର ଦବଦବା ଥିଲା, ସେଠାରେ ଭୋଟର ବିଜେଡି ମୁହାଁ ହୋଇଛନ୍ତି ।

୨୨ବର୍ଷ ଶାସନରେ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ୨୦୧୨ରେ ବିଜେଡିକୁ ସର୍ବାଧିକ ୬୫୧ ସିଟ୍ ମିଳିଥିଲା । ୨୦୨୨ରେ ଏହି ସଂଖ୍ୟା ଅତିକ୍ରମ କରି ନୂଆ ରେକର୍ଡ କରିଛି । କଳାହାଣ୍ଡିରୁ ମୟୂରଭଞ୍ଜ, ବରଗଡ଼ରୁ ବଲାଙ୍ଗୀର, ସୋନପୁରରୁ ରାୟଗଡା, ସବୁଠି ଭୁଶୁଡ଼ିଛି ବିରୋଧୀଙ୍କ ଗଡ଼ । ବିରୋଧୀଙ୍କ ନକାରାତ୍ମକ ପ୍ରଚାରକୁ ଲୋକ ନାପସନ୍ଦ କରିଛନ୍ତି । ତୃଣମୂଳ ସ୍ତରରେ ସଙ୍ଗଠନ ନଥାଇ କେବଳ ଫମ୍ପା ବାହାସ୍ଫୋଟର କିଛି ମାନେ ନାହିଁ ବୋଲି ନିର୍ବାଚନ ଫଳ ସ୍ପଷ୍ଟ କରିଛି । ଯେଉଁଠି ବିକାଶ, ସେଇଠି ଭୋଟ ବୋଲି ପ୍ରମାଣିତ ହୋଇଛି । ୨୦୧୭ ଏବଂ ୨୦୧୯ରେ କିଛି ଜାଗାରେ ବିଜେପିକୁ ଲୋକ ଭରସା କରିଥିଲେ । ୨୦୨୨ରେ ଲୋକଙ୍କ ସେହି ବିଶ୍ବାସ ସମ୍ପୂର୍ଣ୍ଣ ତୁଟିଯାଇଛି । ୨୦୧୭ରେ ବରଗଡ଼, ବଲାଙ୍ଗୀର, ଦେବଗଡ଼, ସମ୍ବଲପୁର, ସୋନପୁର, ଗଜପତି ଜିଲ୍ଲା ଅକ୍ତିଆର କରିଥିବା ବିଜେପି ଏଥର ସେଠାରେ ମାଟି କାମୁଡ଼ିଛି । ଉପକୂଳ ଜିଲ୍ଲାରେ ବିଜେଡି ନିଜ ଗଡ଼କୁ ସୁରକ୍ଷିତ ରଖିବା ସହ ସିଟ୍‌ ସଂଖ୍ୟା ବୃଦ୍ଧି କରିଛି । ଆଶାଠାରୁ ଅଧିକ ସିଟରେ ଆଗଉଛି ବିଜେଡି । ତୃତୀୟ ଦିନ ଗଣତିର ସନ୍ଧ୍ୟା ସୁଦ୍ଧା ବିଜେଡିକୁ ପ୍ରାୟ ୯୦ ପ୍ରତିଶତ ସଫଳତା ମିଳିଛି ।

ଶେଷଦିନ ଗଣତିରେ ବିଜେଡି ୭୬୦ ଟପିଥିବା ବେଳେ ବିଜେପି ୫୦ ଛୁଇଁବା କଷ୍ଟକର ହୋଇପଡ଼ିଛି । କଂଗ୍ରେସ ମାତ୍ର ୩୬ଟି ସିଟରେ ସନ୍ତୁଷ୍ଟ ରହିଛି ।

Leave a Reply